ୟୁପି ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଓ ସୁହେଲଦେବ ଭାରତୀୟ ସମାଜ ପାର୍ଟି ମେଣ୍ଟ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ନିର୍ବାଚନ ଯେତିକି ପାଖଉଛି ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । ଦଳ ଡିଆଁ ଆରମ୍ଭ ହୋଇଯାଇଥିବା ବେଳେ ନୂଆ ନୂଆ ମେଣ୍ଟ ଦେଖିବାକୁ ମିଳିଛି । ଭାଇଯାନଙ୍କ ହାତ ଛାଡ଼ି ଅଖିଳେଶ ଯାଦବଙ୍କ ସହ ମିଶି ବିଜେପିକୁ ହରାଇବାକୁ ଅଣ୍ଟା ଭିଡିଛନ୍ତି ଓପି ରାଜଭର ।

ତାଜା ସୂଚନା ଅନୁସାରେ ସମାଜବାଦୀ ପାର୍ଟି ଓ ସୁହେଲଦେବ ଭାରତୀୟ ସମାଜ ପାର୍ଟି ମଧ୍ୟରେ ମେଣ୍ଟ ହୋଇଛି । ଦୁଇ ଦଳର ନେତା ଅଖିଳେଶ ଯାଦବ ଏବଂ ଓପି ରାଜଭରଙ୍କ ସାକ୍ଷାତ ଆଲୋଚନା ପରେ ମେଣ୍ଟ ନେଇ ସୂଚନା ଦିଆଯାଇଛି । ଏଥିରେ ‘ଅବ୍ କୀ ବାର୍ ଭାଜପା ସାଫ୍’ ନାରା ଦେଇଛନ୍ତି ଦୁଇ ନେତା ।

ସୂଚନାଯୋଗ୍ୟ, ୟୁପି ନିର୍ବାଚନ ଯେତେ ପାଖଉଛି ରାଜଭରଙ୍କ ମେଣ୍ଟ ପାଇଁ ଉଦ୍ୟମ ସେତେ ବଢ଼ିବାରେ ଲାଗିଥିଲା । ମେଣ୍ଟ କରି ଚୌକୀ ମଜା ନେବାକୁ କେତେବେଳେ ଏ ଦଳ ତ କେତେବେଳେ ସେ ଦଳ ଦୁଆରରେ ହାଜର ହୋଇଯାଉଥିଲେ । ପ୍ରଥମେ ଭାଜପା ସହ ପୁଣି ମେଣ୍ଟ କରିବାକୁ ପ୍ରୟାସ କରିଥିଲେ । ସେଠାରେ ନିରାଶ ହେବା ପରେ ଏଆଇଏମଆଇଏମ ପାଖକୁ ଆଶା ନେଇ ଯାଇଥିଲେ । ସେଠାରେ ଓଓ୍ବେସୀ ଭାଇଯାନଙ୍କ ସହ ବେଶ କୋଳାକୋଳି ହୋଇଥିଲେ । ହେଲେ ସେଠାରୁ ମୋହ ଭଙ୍ଗ ହେବା ପରେ ଅଖିଳେଶଙ୍କ ପାଖରେ ପହଞ୍ଚି ଗଲେ ।

ସମାଜବାଦୀ ପାର୍ଟି ଅଫିସିଆାଲ ଟ୍ବିଟର ଆକାଉଣ୍ଟରେ ଦୁଇ ନେତାଙ୍କ ଫଟୋ ପୋଷ୍ଟ କରି କୁହାଯାଇଛି, ଶୋଷିତ, ପଛୁଆ, ଦଳିତ, ମହିଳା, କୃଷକ, ଯୁବବର୍ଗଙ୍କ ପାଇଁ ସମାଜବାଦୀ ପାର୍ଟି ଓ ସୁହେଲଦେବ ଭାରତୀୟ ସମାଜ ପାର୍ଟି ମିଳିତ ଭାବେ ଲଢ଼ିବେ । ‘ସାପା ଓ ସୁଭାସପା ଆସିଲେ ଏକାଠି, ଏଥର ଭାଜପା ସଫା ’।

ସମାଜବାଦୀ ପାର୍ଟି ସହ ମେଣ୍ଟକୁ ନେଇ ରାଜଭର ବି ଟ୍ବିଟ୍ କରିଛନ୍ତି । ପୂର୍ବରୁ ଛୋଟ ଛୋଟ ଦଳଙ୍କ ସହ ମେଣ୍ଟ ନେଇ ଅଖିଳେଶ ସଙ୍କେତ ଦେଇଥିଲେ । ସୂଚନାଯୋଗ୍ୟ, ୨୦୧୭ରେ ସାପା କଂଗ୍ରେସ ସହ ମେଣ୍ଟ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ୨୦୧୯ ଲୋକସଭା ନିର୍ବାଚନରେ ବିଏସପି ସହ ମେଣ୍ଟ କରିଥିଲେ ବି କିଛି ଲାଭ ପାଇନଥିଲା ।

ସେହିପରି ରାଜଭର ୨୦୧୭ରେ ବିଜେପି ସହ ମେଣ୍ଟ କରି ନିର୍ବାଚନ ମୈଦାନକୁ ଓହ୍ଲାଇ ଥିଲା ।

Leave a Reply