ସମଲିଙ୍ଗୀ ବିବାହ ପ୍ରସଙ୍ଗ ପିଟିସନର ଶୁଣାଣି ଆଜିଠାରୁ ଆରମ୍ଭ

ଦିଲ୍ଲୀ : ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ଦାଖଲ ହୋଇଥିବା ବିଭିନ୍ନ ପିଟିସନର ଶୁଣାଣି ଆଜିଠାରୁ ଆରମ୍ଭ କରିବେ ସୁପ୍ରିମକୋର୍ଟ ଖଣ୍ଡପୀଠ । ଗତକାଲି ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ନ ଦେବାକୁ ଦାବି କରିଥିଲେ କେନ୍ଦ୍ର ସରକାର । ଯଦି ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦିଆଯାଏ ତେବେ ପ୍ରତି ନାଗରିକଙ୍କ ସ୍ବାର୍ଥ ଲାଗି ଏହି ଚାଲେଞ୍ଜ ସୃଷ୍ଟି କରିବ ବୋଲି କହିଥିଲେ କେନ୍ଦ୍ର ସରକାର । ସମଲିଙ୍ଗୀ ବିବାହର ଆଇନଗତ ବୈଧତାର ଅନୁଧ୍ୟାନ କରିବା ଲାଗି ସୁପ୍ରିମକୋର୍ଟ ଗଠନ କରିଥିଲେ ୫ ଜଣିଆ ଖଣ୍ଡପୀଠ । ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠରେ ସଦସ୍ୟ ରହିଛନ୍ତି ଜଷ୍ଟିସ ଏସ.କେ. କୌଲ, ଏସ. ରବୀନ୍ଦ୍ର ଭଟ୍ଟ, ପି.ଏସ. ନରସିହ୍ମା ଓ ହିମା କୋଲି । ଗତ ମାର୍ଚ୍ଚ ୧୩ ତାରିଖରେ ଏକ ବୃହତ୍ତର ଖଣ୍ଡପୀଠରେ ଏହି ଜଟିଳ ପ୍ରସଙ୍ଗର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଥିଲେ । ଏହି ପ୍ରସଙ୍ଗ ଗତ କିଛି ବର୍ଷ ଧରି ସାମାଜିକ, ରାଜନୈତିକ ସ୍ତରରେ ବିବାଦର ପ୍ରସଙ୍ଗ ସୃଷ୍ଟି କରିଆସିଛି । ନିଜର ସତ୍ୟପାଠ ଜରିଆରେ ସମଲିଙ୍ଗୀ ବିବାହକୁ କେନ୍ଦ୍ର ସରକାର ବିରୋଧ କରିବା ସହ ଏହାକୁ ଆଇନସମ୍ମତ କରାଗଲେ ସାମାଜିକ ମୂଲ୍ୟବୋଧର ଅବମୂଲ୍ୟାୟନ ହେବ ବୋଲି ଦର୍ଶାଇଥିଲେ । ସମଲିଙ୍ଗୀ ବିବାହ ଏକ ଅପରାଧ ବୋଲି ଆଇପିସିର ଧାରା ୩୭୭ ରେ ରହିଥିବା ବ୍ୟବସ୍ଥାକୁ ଗତ ସେପ୍ଟେମ୍ବର ୨୦୧୮ ରେ ଏକ ୫ ଜଣିଆ ଖଣ୍ଡପୀଠ ରଦ୍ଦ କରିଦେଇଥିଲେ । ଏହାସତ୍ତ୍ବେ ଭାରତୀୟ ଆଇନ ବ୍ୟବସ୍ଥା ଅନୁସାରେ ସମଲିଙ୍ଗୀ ବିବାହକୁ ଏକ ମୌଳିକ ଅଧିକାର ଭାବେ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଯୁକ୍ତି ଦର୍ଶାଇଥିଲେ ସରକାର । ସେପଟେ ସମଲିଙ୍ଗୀ ବିବାହକୁ ସମର୍ଥନ କରିଆସୁଛି ଦିଲ୍ଲୀ ଶିଶୁ ଅଧିକାର ସୁରକ୍ଷା କମିଶନ ବା ଡିସିପିସିଆର । ସମଲିଙ୍ଗୀ ଦମ୍ପତି ଭଲ ପିତାମାତା ହୋଇପାରନ୍ତି ଏବଂ ୫୦ରୁ ଅଧିକ ଦେଶରେ ସମଲିଙ୍ଗୀ ପିତାମାତା ଆଇନଗତ ଭାବେ ବହୁ ସନ୍ତାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ବୋଲି ଯୁକ୍ତି ଦର୍ଶାଇଛି ଡିସିପିସିଆର ।