spot_img
Home Blog Page 7458

ଆରମ୍ଭ ହେଲା ମୃତ୍ୟୁର କାଉଣ୍ଟଡାଉନ୍, ସଇତାନ ହାତରେ ୩୬ ଘଣ୍ଟାର ଆୟୁଷ

ନୂଆଦିଲ୍ଲୀ: ‘ନିର୍ଭୟା’ ଦୋଷୀଙ୍କୁ ମାର୍ଚ୍ଚ ୨୦ରେ ଫାଶୀ ଦିଆଯିବ ନା ନାହିଁ । ଏହାକୁ ନେଇ ପୁଣି ଦେଖାଦେଇଛି ସନ୍ଦେହ । ଫାଶୀକୁ ୩୬ ଘଣ୍ଟାରୁ କମ୍‌ ସମୟ ଥିବା ବେଳେ, ଦିଲ୍ଲୀ ହାଇକୋର୍ଟରେ ପୁଣିଥରେ ଆବେଦନ କରିଛି ମୁକେଶ ସିଂହର ଓକିଲ । ଘଟଣା ଦିନ ସେ ଦିଲ୍ଲୀରେ ନଥିବା ନେଇ ଯୁକ୍ତି ବାଢ଼ିଛନ୍ତି । ପୂର୍ବରୁ ସମାନ୍‌ ମାମଲା ତଳ କୋର୍ଟରେ ଖାରଜ ହୋଇଥିବା ବେଳେ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ୟୁପିର ମିରଟରୁ ଆସିଥିବା ଜହ୍ଲାଦ ପବନ ଆଜି ସକାଳେ ଡମି ଫାଶୀ ପ୍ରସ୍ତୁତ କରି ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ଫାଶୀ ପାଇଁ ୫୦ ଘଣ୍ଟାରୁ ବି କମ୍‌ ସମୟ ବାକି । ତେବେ ଫାଶୀ ହେବ କି ନାହିଁ ସେ ନେଇ ପୁଣି ଦେଖାଦେଇଛି ସନ୍ଦେହ । କାରଣ, ଫାଶୀରୁ ବର୍ତ୍ତିବା ପାଇଁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କର ପଇଁତରା ବାଜି ଶେଷ ହେଉନି । ବୁଧବାର ଦିଲ୍ଲୀ ହାଇକୋର୍ଟରେ ନୂଆ ମାମଲା ଦାୟର କରିଛନ୍ତି ମୁକେଶ ସିଂହଙ୍କ ଓକିଲ ଏମ.ଏଲ ଶର୍ମା । ଗଣଦୁଷ୍କର୍ମ ରାତିରେ ମୁକେଶ ଦିଲ୍ଲୀରେ ନଥିଲା ଏବଂ ୧୭ ଡିସେମ୍ବରରେ ପୋଲିସ ତାକୁ ରାଜସ୍ଥାନରୁ ଗିରଫ କରିଥିବା ଓକିଲ କୋର୍ଟଙ୍କୁ କହିଛନ୍ତି । ତେଣୁ ଫାଶୀ ଦଣ୍ଡକୁ କୋହଳ କରାଯାଉ ବୋଲି ସେ ଆବେଦନ କରିଛନ୍ତି । ସମାନ ମାମଲା ତଳକୋର୍ଟରେ ମଙ୍ଗଳବାର ଖାରଜ ହେବା ପରେ ପୁଣିଥରେ ଏହାକୁ ହାଇକୋର୍ଟରେ ଦାଖଲ କରାଯାଇଛି । କୋର୍ଟ ବୁଧବାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ।

ନିର୍ଭୟା ଦୋଷୀଙ୍କୁ ଫାଶୀ: ଦିଲ୍ଲୀରେ ପହଞ୍ଚିଲେ ପୱନ ଜହ୍ଲାଦ

ଦିଲ୍ଲୀର ପଟିଆଲା ହାଉସକୋର୍ଟଙ୍କ ପୂର୍ବ ଆଦେଶ ମୁତାବକ ୨୦ ମାର୍ଚ୍ଚ ସକାଳ ୫ଟା ୩୦ରେ ୪ ଦୋଷୀ ପୱନ, ମୁକେଶ, ଅକ୍ଷୟ ଓ ବିନୟକୁ ଫାଶୀ ଦିଆଯିବ । ଏଥିପାଇଁ ତିହାର ଜେଲ୍‌ ପରିସରରେ ଫାଶୀ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଉତ୍ତରପ୍ରଦେଶର ମିରଟରୁ ପବନ ଜହ୍ଲାଦ୍‌ ତିହାର ଜେଲ ପରିସରରେ ପହଞ୍ଚି ଡମି ଫାଶୀ ପ୍ରସ୍ତୁତ କରିଛନ୍ତି । ସ୍ୱତନ୍ତ୍ର ସେଲରେ ଥିବା ୪ ଦୋଷୀଙ୍କର ମେଡିକାଲ୍‌ ଟେଷ୍ଟ ପରେ ସେମାନଙ୍କର ଶେଷ ଇଚ୍ଛା ପଚରାଯିବ ଏବଂ ଶୁକ୍ରବାର ସକାଳେ ଫାଶୀ ଦିଆଯିବ ।

ଛାଡ଼ପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ କଲେ ଅକ୍ଷୟଙ୍କ ସ୍ତ୍ରୀ

୨୦୧୨ ଡିସେମ୍ବର ୧୬ ତାରିଖରେ ଦିଲ୍ଲୀରେ ଚଳନ୍ତା ବସରେ ଜଣେ ପାରାମେଡିକାଲ୍‌ ଛାତ୍ରୀଙ୍କୁ ୬ ଜଣ ଗଣଦୁଷ୍କର୍ମ ଓ ହତ୍ୟା କରିଥିଲେ । ମୁଖ୍ୟ ଅଭିଯୁକ୍ତ ରାମ ସିଂର ୨୦୧୩ରେ ଜେଲ୍‌ ପରିସରରେ ମୃତ୍ୟୁ ହୋଇଥିବା ବେଳେ ଜଣେ ନାବାଳକଙ୍କୁ ସୁଧାର ଗୃହକୁ ପଠାଇ ଦିଆଯାଇଥିଲା । ଏବେ ଦୋଷୀଙ୍କ ଓକିଲ ଏ.ପି ସିଂହ ଫାଶୀ ଟାଳିବା ପାଇଁ ଭିନ୍ନ ଭିନ୍ନ ଆଇନଗତ ପ୍ରକ୍ରିୟା ଆପଣାଉଛନ୍ତି ।

ନିର୍ଭୟା ମାମଲା: ମାର୍ଚ୍ଚ ୨୦ରେ ଫାଶୀ !

କୋଭିଡ୍-୧୯ ପୋର୍ଟାଲରେ ଭଉଣୀଙ୍କ ନାମ ପଞ୍ଜିକରଣ ପାଇଁ ନବୀନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ସୃଷ୍ଟି କଲେ ଉଦାହରଣ । ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ପ୍ରଶଂସା କରିଛନ୍ତି । ଏଥିସହ ଅନ୍ୟମାନେ ନବୀନ ବାବୁଙ୍କୁ ଅନୁକରଣ କରିବେ ବୋଲି ମୋଦି ଆଶା ରଖିଛନ୍ତି । ନବୀନଙ୍କ ଭଳି ପଦକ୍ଷେପ ନେଲେ ଆମେ ସମସ୍ତେ କରୋନା ଭାଇରସକୁ ମାତ୍ ଦେଇ ପାରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବିଦେଶରୁ ଓଡ଼ିଶା ଆସୁଥିବା ବ୍ୟକ୍ତିଙ୍କ ନାମ ପଞ୍ଜିକରଣ ପାଇଁ ଓଡ଼ିଶା ସରକାର https://covid19.odisha.gov.in/ ପୋର୍ଟାଲ କରିଛନ୍ତି । ଯେଉଁଥିରେ ବିଦେଶରୁ ଓଡ଼ିଶା ଆସୁଥିବା ଲୋକଙ୍କୁ ପଞ୍ଜିକରଣ କରିବାକୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା ଆମେରିକାରୁ ଓଡ଼ିଶା ଆସୁଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଭଉଣୀଙ୍କ ନାମ ପୋର୍ଟାଲରେ ପଞ୍ଜିକୃତ କରିଥିଲେ ।

କରୋନା ମୁକାବିଲା ଦିଗରେ ସରକାରଙ୍କୁ ସହଯୋଗ ଲାଗି ପୁରୀ ଗଜପତିଙ୍କ ଅପିଲ୍

ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି । ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ 360 ଡିଗ୍ରୀ ଆପ୍ରୋଚ୍

ଭୁବନେଶ୍ୱର: ହାଡ଼ଫୁଟି ଠାରୁ ଅଧିକ ସଂକ୍ରାମକ କରୋନା । ତେଣୁ ଭୟଭୀତ ନହୋଇ ସଚେତନ ରୁହନ୍ତୁ । ନିଜେ ୧୪ ଦିନ ପାଇଁ ଭିଡ଼ ଠାରୁ ଦୂରେଇ ରଖନ୍ତୁ । ଏଭଳି କିଛି ଆହ୍ଵାନ ସହ ଆଜି ରାଜ୍ୟ ସରକାର ଆରମ୍ଭ କରିଛନ୍ତି କରୋନା ବିରୋଧୀ ବଡ଼ ଅଭିଯାନ । ଅଭିଯାନର ଫୋକସ୍‌ରେ ପିଲା ଓ ବୁଢ଼ା । ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ରହିବ ଅଙ୍ଗନୱାଡ଼ି କେନ୍ଦ୍ର । ଏହି ସମୟରେ ଶିଶୁଙ୍କ ପାଇଁ ଶୁଖିଲା ରାସନ ଘରେ ପହଞ୍ଚାଯିବ । ସକାଳ ଜଳଖିଆ ଓ ଗରମ ରନ୍ଧା ଖାଦ୍ୟ ପାଇଁ ଆବଶ୍ୟକ ସମସ୍ତ ଶୁଖିଲା ରାସନ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ପହଞ୍ଚାଇବେ ।

ସେହିପରି ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଯଥାସମ୍ଭବ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ପ୍ରତି ଗାଁରେ ANM ଓ ଆଶାକର୍ମୀଙ୍କ ପାଖରେ ଅତ୍ୟାବଶ୍ୟକ ଔଷଧ ଉପଲବ୍ଧ ରହିବ । ଯେମିତି କି ପାରାସିଟାମଲ ଏବଂ ଓଆରଏସ୍‌ । ସବୁଠାରୁ ବଡ଼ କଥା ହେଲା ପ୍ରତି ଗ୍ରାମ ପଞ୍ଚାୟତରେ ଅସ୍ଥାୟୀ ଚିକିତ୍ସା ଶିବିର ବ୍ୟବସ୍ଥା କରାଯିବ । ଏଥିପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ୫ ଲକ୍ଷ ଟଙ୍କାର ଅର୍ଥରାଶି ଅନୁମୋଦନ କରି ସାରିଛି । ଏହାବାଦ୍‌ ଅତ୍ୟାବଶ୍ୟକ ଏବଂ ଜୀବନ ରକ୍ଷାକାରୀ ଔଷଧ ରାଜ୍ୟର ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ନିରାମୟ କାଉଣ୍ଟରରେ ଉପଲବ୍ଧ କରାଯିବାର ବ୍ୟବସ୍ଥା ହୋଇଛି ।

ସେପଟେ ଆସନ୍ତାକାଲି ପଞ୍ଚାୟତ ସଭା ବସିବ । ଏଥିରେ ଗାଁୱାରୀ ଭତ୍ତା ବଣ୍ଟନ ପାଇଁ ସ୍ଥିର କରାଯିବ । ଏକକାଳୀନ ୪ ମାସ ପାଇଁ ମଧୁବାବୁ ପେନସନ ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ଦିଆଯାଉଥିବା ମାସିକ ଭତ୍ତା । ଜନସମାବେଶ ରୋକିବାକୁ ଗାଁ ଗାଁରେ ଦିଆଯିବ ଭତ୍ତା ।

ସେହିପରି NFS ଆକ୍ଟ ଅନୁସାରେ ହିତାଧିକାରୀଙ୍କୁ ଆସନ୍ତା ଏପ୍ରିଲ ୧ରୁ ୧୫ ମେ ପର୍ଯ୍ୟନ୍ତ ଅର୍ଥାତ ୪୫ ଦିନ ମଧ୍ୟରେ ଚାଉଳ, ଗହମ ଓ କିରୋସିନି ଯୋଗାଇ ଦିଆଯିବ । କୋଭିଡ-୧୯ ଏକ ସଂକ୍ରମକ ରୋଗ ହୋଇଥିବାରୁ E-POS, ବାୟୋମେଟ୍ରିକ ଓ IRIS ସ୍କାନିଂ କରାଯିବ ନାହିଁ ।

ସ୍ୱାଭାବିକ ହେଲା ୟେସ୍ ବ୍ୟାଙ୍କର ସେବା, ଗ୍ରାହକ ଆଶ୍ୱସ୍ତ

ମୁମ୍ବାଇ: ୟେସ୍ ଗ୍ରାହକଙ୍କୁ ଆଶ୍ୱସ୍ତି । ଶୁକ୍ରବାର ସନ୍ଧ୍ୟା ୬ଟାରୁ ସ୍ୱାଭାବିକ ହୋଇଛି ବ୍ୟାକିଂ ବ୍ୟବସ୍ଥା । ଅନଲାଇନ, ୟୁପିଆଇ, ଏଟିଏମ ପୂର୍ବଭଳି କାର୍ଯ୍ୟକ୍ଷମ ହେଉଛି । ଗ୍ରାହକ ମାନେ ନିଜ ଆବଶ୍ୟକ ହିସାବରେ ଟଙ୍କା ଉଠାଇ ପାରୁଛନ୍ତି । ଏଥିସହ ପୂର୍ବରୁ ଲାଗୁ ହୋଇଥିବା କଟକଣାକୁ ମଧ୍ୟ ହଟାଇ ଦିଆଯାଇଛି । ଏଥିପାଇଁ ଆଜି ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବ୍ୟାଙ୍କିଂ ବ୍ୟବସ୍ଥାକୁ ବନ୍ଦ ରଖାଯାଇଥିଲା ।

YES ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଆରବିଆଇର କଟକଣା

ପୂର୍ବରୁ ଆରବିଆଇ ଏହି କଟକଣାକୁ ଏପ୍ରିଲ ୩ ପର୍ଯ୍ୟନ୍ତ ଲାଗୁ କରିଥିଲେ । ମାସକୁ ୫୦ ହଜାର ଟଙ୍କା ଉଠାଇପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ କେନ୍ଦ୍ର ସରକାର ପୁର୍ନଗଠନ ନେଇ ଅନୁମତି ଦେବା ପରେ ବ୍ୟାଙ୍କକୁ ଦେବାଳିଆ ସ୍ଥିତିରୁ ଉଦ୍ଧାର କରିବା ପାଇଁ ସବୁ ପ୍ରୟାସ କରାଯାଇଛି । ଏସବିଆଇ ସମେତ ଦେଶର ଅନ୍ୟ ଘରୋଇ ବ୍ୟାଙ୍କ ୟେସ୍ ବ୍ୟାଙ୍କର ସେୟାର କିଣିବା ନେଇ ରାଜି ହେବା ପରେ ସ୍ଥିତି ସୁଧୁରିଛି । ସେୟାର ବଜାରରେ ମଧ୍ୟ ୟେସ୍ ବ୍ୟାଙ୍କ ସ୍ଥିତି ଭଲ ରହିଛି ।

ଶ୍ରୀମନ୍ଦିର ଟଙ୍କା ଫେରାଇ ଆଣିବା ପାଇଁ ସରକାରଙ୍କ ଅଭୟବାଣୀ, ତଥାପି ଗୃହ କମିଟି ପାଇଁ ବିରୋଧୀଙ୍କ ଜିଦ୍

ରାଜଧାନୀରେ ଗେଷ୍ଟ ହାଉସ୍ ସିଲ୍ କଲା ବିଏମସି, ସନ୍ଧ୍ୟା ୬ ପରେ ହାଟ ମନା

ଭୁବନେଶ୍ୱର: କରୋନା ପାଇଁ ସରକାରୀସ୍ତରରେ ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ସର୍ବସାଧାରଣଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ବିଏମ୍‌ସି । ଏହା ସତ୍ତ୍ୱେ ଏସ୍‌ଓପି ପାଳନ କରିବାରେ ଅନେକ ଖିଲାପ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ବିଏମ୍‌ସି ପକ୍ଷରୁ ଆରମ୍ଭ ହୋଇଛି ଚଢାଉ ଓ କାର୍ଯ୍ୟାନୁଷ୍ଠାନ । ସିଲ କରାଯାଇଛି ଏକାଧିକ ବେନିୟମ ତଥା ଖିଲାପକାରୀ ଗେଷ୍ଟ ହାଉସ୍‌ ।

ଭିଡ଼ ନିୟନ୍ତ୍ରଣ ପାଇଁ ଶିକ୍ଷାନୁଷ୍ଠାନ, ମଲ୍‌, ସୁଇମିଂ ପୁଲ୍ ଓ ଜିମ୍‌ ଉପରେ ସରକାର କଟକଣା ଲଗାଇଛନ୍ତି । ସାମାଜିକ ଦୂରତା ରକ୍ଷା କରିବାକୁ ଆହ୍ଵାନ ଦିଆଯାଇଛି । ଆଉ ଆଜି ଆରମ୍ଭ ହୋଇଛି ନିୟମ ଉଲ୍ଲଂଘନକାରୀଙ୍କ ଉପରେ ହୋଇଛି ରେଡ୍‌ । ଭୁବନେଶ୍ୱରସ୍ଥିତ ବିଭିନ୍ନ ହଷ୍ଟେଲ, ଗେଷ୍ଟ ହାଉସ ଓ ରେଷ୍ଟୁରାଣ୍ଟ ଉପରେ ଚଢାଉ କରାଯାଇଥିଲା । ଏପରିକି କିଛି ଷ୍ଟାର୍‌ ହୋଟେଲରେ ମଧ୍ୟ ବିଏମ୍‌ସି ଯାଞ୍ଚ କରିଛି। ତେବେ ଏହି ସମୟରେ ବେନିୟମ ଭାବେ ଚାଲିଥିବା ଗେଷ୍ଟ ହାଉସ୍‌କୁ ସିଲ୍ କରିଛନ୍ତି ବିଏମ୍‌ସି ଅଧିକାରୀ ।

ସେପଟେ ଗେଷ୍ଟ ହାଉସ୍‌ ମାଲିକ କହିଛନ୍ତି ଆଡ୍‌ଭାଇଜରୀ ସମ୍ପର୍କରେ ଅବଗତ ନଥିଲେ । ଏପରିକି ଗେଷ୍ଟ ହାଉସ୍‌ରେ ରହୁଥିବା ବ୍ୟକ୍ତିଙ୍କ ସବିଶେଷ ତଥ୍ୟ ପୋଲିସକୁ କିମ୍ବା ବିଏମ୍‌ସିକୁ ପ୍ରଦାନ କରିନଥିବା ନେଇ ସ୍ୱୀକାର କରିଛନ୍ତି । ସେପଟେ ଷ୍ଟାର୍‌ ହୋଟେଲ୍‌କୁ ଜାରି ହୋଇଥିବା ଆଡଭାଇଜରୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

ଅନ୍ୟପଟେ ଆସନ୍ତାକାଲି ଠାରୁ ରାଜଧାନୀରେ ସନ୍ଧ୍ୟା ୬ଟା ପରେ ହାଟ ବନ୍ଦ ରଖିବାକୁ ବିଏମ୍‌ସି ନିର୍ଦ୍ଦେଶ ଜାରି କରିଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହାଟ ଖୋଲା ରହିବ । ଭିଡ଼ ନିୟନ୍ତ୍ରଣ ପାଇଁ ଏଭଳି କଟକଣା ଲାଗୁ କରାଯାଇଛି । ମାର୍ଚ୍ଚ ୩୧ ଯାଏଁ ଏହି ନିୟମ ବଳବତ୍ତର ରହିବ ।

ବର୍ଷା ପରେ ମିଳିବନି ଖରାରୁ ତ୍ରାହି, ୪୫ ଡିଗ୍ରୀ ଛୁଇଁବ ପାରଦ

ଭୁବନେଶ୍ୱର: ରାଜ୍ୟରେ ପ୍ରତି ସପ୍ତାହରେ ବଦଳିବାରେ ଲାଗିଛି ପାଣିପାଗ ସ୍ଥିତି । ଉତ୍ତର ଭାରତରେ ବାରମ୍ବାର ଟ୍ରପଲାଇନ୍‌ ପ୍ରଭାବରେ ବର୍ଷା ଜାରି ରହିଥିବାରୁ ରାଜ୍ୟରେ ଏଭଳି ପାଣିପାଗ ବିବିଧତା ଦେଖାଦେଇଛି । ସେପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବଦଳୁଛି ପାଣିପାଗ । ରାଜ୍ୟରେ ରେକର୍ଡ ଭାଙ୍ଗୁଛି ବର୍ଷା । ବାୟୁମଣ୍ଡଳରେ ବାରମ୍ବାର ସୃଷ୍ଟି ହେଉଛି ଟ୍ରପ୍‌ ଲାଇନ୍‌ । ଉତ୍ତରରୁ ଦକ୍ଷିଣ ମଧ୍ୟରେ ରହୁଛି ଟ୍ରପଲାଇନ୍‌ ପ୍ରଭାବ । ପଶ୍ଚିମରୁ ପୂର୍ବକୁ ନିୟମିତ ଗତି କରୁଛି । ସକାଳେ ରହୁଛି ମେଘମୁକ୍ତ ଆକାଶ । ସନ୍ଧ୍ୟାରେ ଗୁରୁଚାପ ପ୍ରଭାବରେ ଆକାଶରେ ଖେଳୁଛି ବାଦଲ । ପାଣିପାଗରେ ବାରମ୍ବାର ଦେଖାଦେଉଛି ବିବିଧତା । ଉତ୍ତର, ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ବିଜୁଳି ସହ ଅନୁଭୂତ ହେଉଛି ବର୍ଷା ପବନ । ଏମିତି ପାଗ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ।

ସେପଟେ ଓଡ଼ିଶା ଉପରେ ପୁଣି ଘୂର୍ଣ୍ଣିବଳୟ ପ୍ରଭାବ ଦେଖାଦେଇଛି । ଉତ୍ତର ଉପକୂଳ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜିଠୁ ୨୧ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଉତ୍ତର-ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମେତ ଘଡ଼ଘଡ଼ି ବିଜୁଳି ହେବ । ଏଥିପାଇଁ ୧୪ଟି ଜିଲ୍ଲାକୁ ୟଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ସମୟରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଚଳିତ ବର୍ଷ ହାରାହାରି ୦.୫ ଡିଗ୍ରୀ ତାପମାତ୍ରା ବଢିବ ବୋଲି ସତର୍କତା ଜାରି ହୋଇଛି । ଏପ୍ରିଲ ଶେଷ କିମ୍ବା ମେ’ମାସ ଆରମ୍ଭ ବେଳକୁ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ।

ଜ୍ୱାଇଁ ନିଶ କାଟି ପିନ୍ଧାଇଲେ ଜୋତା ମାଳ…ଭିଡିଓ ଭାଇରାଲ

ରାଜସ୍ଥାନ: ଜଣେ ଯୁବକକୁ ଅପହରଣ କରିବା ପରେ ତାଙ୍କ ନିଶ କାଟି, ଜୋତା ମାଳ ପିନ୍ଧାଇବା ଭଳି ଅମାନବୀୟ ଘଟାଣକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି । ଏହି ଭିଡିଓ ଭାଇରାଲ ମଧ୍ୟ ହୋଇଛି । ଏଭଳି ଲଜ୍ଜାଜନକ ଘଟଣା ରାଜସ୍ଥାନର ରାଜସମନ୍ଦ ଜିଲ୍ଲାରେ ଘଟିଛି ।  ପୋଲିସ ଏହି ମାମଲାକୁ ଗୁରୁତ୍ୱର ସହ ନେଇ ଏକ ମାମଲା ରୁଜୁ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଥାନା ଅଧିକାରୀଙ୍କ କହିବା ଅନୁସାରେ ଦିଲୀପ ନାଥ ନାମକ ଜଣେ ବ୍ୟକ୍ତିଙ୍କ ସହ ଏଭଳି ଅମାନବୀୟ କାଣ୍ଡ ଘଟିଥିଲା । ଦିଲ୍ଲିପଙ୍କୁ ଅପହରଣ କରିବା ପରେ ତାଙ୍କ ଶ୍ୱଶୁର ଘର ଲୋକ ତାଙ୍କର ଅଧାନିଶ ଓ କେଶ କାଟିବା ପରେ ଜୋତାମାଳ ପିନ୍ଧାଇଥିଲେ । ଯାହାର ଭିଡିଓ ମଧ୍ୟ ସୁଟ୍ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଦିଲୀପ ନାଥଙ୍କର ନିକଟରେ ପାରସୀ ନାମକ ଜଣେ ଯୁବତୀଙ୍କ ସହ ବିବାହ ହୋଇଥିଲା । ହେଲେ ବିବାହର କିଛି ଦିନ ମଧ୍ୟରେ ସେ ନିଜ ସ୍ତ୍ରୀଙ୍କୁ ଛାଡି ଦେଇଥିଲେ । ହେଲେ ପୁଣି ଦିଲିପ ନିଜ ପତ୍ନୀଙ୍କ ପାଖକୁ ଫେରିବାକୁ ଚାହିଁଲେ ।ଏହା ପରେ ସେ ନିଜ ପତ୍ନୀଙ୍କ ପାଖକୁ ଯାଇ ତାଙ୍କୁ ସବୁଦିନ ପାଇଁ ଫେରାଇଆଣିଥିଲେ ।

ତେବେ ପାରସୀଙ୍କ ପରିବାର ସଦସ୍ୟମାଙ୍କୁ ଏହା ଭଲ ଲାଗିନଥିଲା । ସେମାନେ ଏହା ଜାଣିବା ପରେ ତାଙ୍କ ଘରେ ପହଞ୍ଚିଥିଲେ । ତାଙ୍କୁ ଘରୁ ଉଠାଇ ନେଇ ତାଙ୍କର କେଶଶ, ନିସ କାଟିବା ତଥା ବେକରେ ଜୋତାମାଳ ପିନ୍ଧାଇଥିଲେ । ଯାହାର  ଭିଡିଓ ଭାଇରାଲ ହୋଇଛି। ଏନେଇ ପରେ ପୋଲିସରେ  ଦିଲିପ ଅଭିଯୋଗ କରିଥିଲେ ।  ଏହି ମାମଲାରେ  ୩ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ପ୍ରକୃତରେ ଘଟଣାସ୍ଥଳରେ ୪ଜଣ ଉପସ୍ଥିତ ଥିଲେ ହେଲେ ସେମାନଙ୍କ ମଧ୍ୟରୁ ପୋଲିସକୁ ଦେଖି ଜଣେ ଫେରାର ହୋଇଥିଲା । ପୋଲିସ ଏବେ ୩ଜଣ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବ ।

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୧କୁ ବୃଦ୍ଧି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ।

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୧କୁ ବୃଦ୍ଧି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ।

କ୍ୱାରେଣ୍ଟାଇନକୁ ମହାପ୍ରଭୁଙ୍କ ଅଣସର ସହ କାହିଁକି ତୁଳନା କଲେ ସୁବ୍ରତ ବାଗଚୀ ?

ଭୁବନେଶ୍ୱର: ଭୟ ନୁହେଁ ସଚେତନତା ହିଁ କରୋନା ସଂକ୍ରମଣରୁ ରକ୍ଷା କରିବ । ତେବେ, ସଂଘବଦ୍ଧ ନୁହେଁ ସଂଘରୋଧ ହେଲେ ହିଁ ମହାମାରୀ କରୋନାକୁ ରୋକିହେବ । ଏଥିପାଇଁ ମହାପ୍ରଭୁ ସ୍ନାନଯାତ୍ରା ପରେ ଅଣସର ଘରକୁ ଗଲା ଭଳି ଆମକୁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ଅଣସରରେ ରହିଲେ ହିଁ ଆମେ କରୋନା ସଂକ୍ରମଣକୁ ରୋକି ପାରିବା ବୋଲି କରୋନା ମୁକାବିଲା କମିଟିର ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ।ଶୁକ୍ରବାର ଅପରାହ୍ଣ ୨ଟା ସୁଦ୍ଧା https://covid19.odisha.gov.in/ ପୋର୍ଟାଲରେ ମୋଟ ୨୧୩୧ ଜଣ ପଞ୍ଜିକରଣ କରିଛନ୍ତି । ସବୁଠୁ ଅଧିକ ଲୋକ ଦୁବାଇରୁ ଓଡ଼ିଶା ଫେରୁଥିବା ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ତେବେ, କରୋନାର ଜନ୍ମସ୍ଥଳୀ ଚୀନରୁ କେହି ଓଡ଼ିଆ ଆସୁନଥିବା ସେ ସୂଚନା ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭% ଲୋକ ବିଦେଶରୁ ଫେରିବା ପାଇଁ ପଞ୍ଜିକରଣ କରିଛନ୍ତି । ମାଲକାନଗିରି ଜିଲ୍ଲାରୁ କେହି ପଞ୍ଜିକରଣ କରିନାହାନ୍ତି ।

କରୋନା ମୁକାବିଲା ଦିଗରେ ସରକାରଙ୍କୁ ସହଯୋଗ ଲାଗି ପୁରୀ ଗଜପତିଙ୍କ ଅପିଲ୍

ସମ୍ଭାବ୍ୟ ସଂକ୍ରମଣ ରୋକିବାକୁ ଆମକୁ ସାମାଜିକ ଦୂରତା ରକ୍ଷା କରିବାକୁ ପଡ଼ିବ । ସଂଘବଦ୍ଧ ନହୋଇ ସଂଘରୋଧ ହୋଇ ରହିଲେ କରୋନା ସହ ଲଢ଼ିହେବ । ତେବେ, ସମସ୍ତେ ମାସ୍କ ପିନ୍ଧିବା ଦରକାର ନାହିଁ । ସୁସ୍ଥ ଲୋକଙ୍କୁ ମାସ୍କର କୌଣସି ଆବଶ୍ୟକତା ନାହିଁ । ଜ୍ୱର, କାଶ ହେଉଥିଲେ ମାସ୍କ ବ୍ୟବହାର କରିବାକୁ ସୁବ୍ରତ ବାଗଚୀ କହିଛନ୍ତି । ସାନିଟାଇଜର ନଥିଲେ ସାବୁନରେ ହାତ ସଫା କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ମନ୍ଦିର, ମସଜିଦ୍, ଗୀର୍ଜା ଭଳି ଧାର୍ମିକ ସ୍ଥଳୀରେ ଜନସମାଗମ ନିୟନ୍ତ୍ରଣ ପାଇଁ ସରକାର ଉପଦେଶାବଳୀ ଜାରି କରିଛନ୍ତି । ଧାର୍ମିକ ସ୍ଥଳୀଗୁଡ଼ିକ ଆଡଭାଇଜରିକୁ ମାନିବାକୁ ପଡ଼ିବ । ଆଡଭାଇଜରି ଅନୁସାରେ ପଦକ୍ଷେପ ନେଇ ନପାରିଲେ ଜନସମାଗମ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।

ଗାଈ ଗୋରୁଙ୍କ ପାଇଁ ରହିବନି ରକ୍ତାଭାବ

ଭୁବନେଶ୍ୱର: ଓୟୁଏଟିରେ ଦେଶର ପ୍ରଥମ କ୍ୟାଟେଲ ବ୍ଲଡ୍ ବ୍ୟାଙ୍କ ସ୍ଥାପନ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରକଳ୍ପର ସଂଶୋଧିତ ପ୍ରସ୍ତାବ ରାଜ୍ୟ ଜରିଆରେ କେନ୍ଦ୍ର ରାଷ୍ଟ୍ରୀୟ କୃଷି ବିକାଶ ନିଗମ ପାଖକୁ ପଠାଇବ ଓୟୁଏଟି । ଏହା ଦ୍ଵାରା ମଣିଷଙ୍କ ପରି ଗୋଟାଏ ଗାଈର ରକ୍ତ ଅନ୍ୟ ଏକ ଗାଈକୁ ଦିଆଯାଇ ପାରିବ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଭାଗିତାରେ ଏହି ବ୍ଲଡ ବ୍ୟାଙ୍କ ଗଠନ କରାଯିବ ।

ଖୁବ୍‌ଶୀଘ୍ର ଦେଶର ପ୍ରଥମ କ୍ୟାଟେଲ ବ୍ଲଡ୍ ବ୍ୟାଙ୍କ ସ୍ଥାପନ ହେବାକୁ ଯାଉଛି । ଖୁସିର ଖବର, ଏହାକୁ ଭୁବନେଶ୍ୱରରେ ସ୍ଥାପନ କରିବାର ଯୋଜନା ଚୂଡ଼ାନ୍ତ ପ୍ରକ୍ରିୟାରେ ପହଞ୍ଚିଛି । ଓୟୁଏଟିରେ ସ୍ଥାପନ କରିବାକୁ ଅନୁମୋଦନ ପାଇଁ ୧୫ ମାର୍ଚ୍ଚ ୨୦୧୭ରେ ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ପାଖକୁ ପ୍ରକଳ୍ପର ରୂପରେଖ ପଠାଯାଇଥିଲା । ଯାହା ପାଇଁ ୩୫୭ ଲକ୍ଷ ଟଙ୍କ ବ୍ୟୟ ବରାଦ ହୋଇଥିଲା । ଏହାର ସମସ୍ତ ଦିଗକୁ ଯାଞ୍ଚ କରି ରାଷ୍ଟ୍ରୀୟ କୃଷି ବିକାଶ ନିଗମ ପାଖକୁ ରାଜ୍ୟ ସରକାର ପ୍ରସ୍ତାବ ପଠାଇଥିଲେ । ବର୍ତ୍ତମାନ ଓୟୁଏଟି ପକ୍ଷରୁ ପ୍ରସ୍ତାବର କିଛି ଦିଗକୁ ସଂଶୋଧନ କରାଯାଉଛି । ଯାହା କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ପାଇଁ ପଠାଯିବ ।

ଗାଈ ଗୋରୁଙ୍କ ମଧ୍ୟରେ ପାଖାପାଖି ୧୪ଟି ବ୍ଲଡ ଗ୍ରୁପ ରହିଛି । ମ୍ୟାଚିଂ ବଦଳରେ ଏହାକୁ ଗ୍ରୁପିଂ କରାଯାଉଛି । ପ୍ରାଥମିକ ସ୍ତରରେ କେବଳ ଟିଙ୍କ ମରା ନେଇ ଗୋଟିଏ ଗାଈରୁ ଆଉ ଏକ ଗାଈକୁ ରକ୍ତ ଦିଆଯିବ । ହେଲେ ଗାଈ ମାଲିକଙ୍କ ଅନୁମତି ବିନା ଏହା ଆଗେଇବା ଅସମ୍ଭବ । ବ୍ଲଡ ବ୍ୟାଙ୍କ ସ୍ଥାପନ ପରେ ଗାଈ ମାଲିକଙ୍କ ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିବାକୁ ସରକାର ସଚେତନ କରିବେ । ବ୍ଲଡ ବ୍ୟାଙ୍କ କର୍ମଚାରୀ ସେମାନଙ୍କ ପାଖକୁ ଯାଇ ରକ୍ତ ସଂଗ୍ରହ କରିବେ ।