ଅମ୍ଫାନରେ ଉଜୁଡ଼ି ଯାଇଥିବା ପାନ ବରଜକୁ ସାଉଣ୍ଟିବାରେ ଲାଗିଛି ଚାଷୀ… ଖୋଜୁଛି ପାନ ବରଜରେ ହଜିଲା ସ୍ୱପ୍ନକୁ…

ଭୁବନେଶ୍ୱର: ଚାଲିଯାଇଛି ଅମ୍ଫାନ, ଆକାଶରୁ ଅପସରୀ ଯାଇଛି କଳାବାଦଲ । ହେଲେ ଚାଷୀର ବିଲରେ, ଛାତିରେ କ୍ଷତ ଦେଇଯାଇଛି ଏହି ସାମୁଦ୍ରିକ ଝଡ଼ । ଦୁଇ ଦିନ ପୂର୍ବରୁ ଖିଲିଖିଲି ହସୁଥିବା ସୁନାର ଫସଲ ଏବେ ମାଟିରେ ମୁହଁମାଡ଼ି ପଡ଼ିଛି । ଏଦୃଶ୍ୟ ଦେଖି ଚାଷୀର ବୁକୁରୁ ବାହିଆସୁଛି କୋହ ଫଟା ଲୁହ । ପାରାଦୀପର ଢିଙ୍କିଆରେ ଏକର ଏକର ଜମିର ପାନବରଜ ମାଟିରେ ମିଶିଯାଇଥିବା ବେଳେ ଉଜୁଡା କ୍ଷେତରେ ମୁଣ୍ଡରେ ହାତଦେଇ ବସିଛି ଚାଷୀ ।

ଥମିଲା ପବନ । କମିଲା ବର୍ଷା । ଆକାଶରୁ ହଟିଲା କଳାବାଦଲ । ଉପକୂଳ ଅତିକ୍ରମ କରି ଅନେକ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି କରିଛି ମହାବାତ୍ୟା ଅମ୍ଫାନ । ଲ୍ୟାଣ୍ଡଫଲ ପୂର୍ବରୁ ପାରାଦୀପରେ ଆରମ୍ଭ ହେଲା ତାଣ୍ଡବଲୀଳା । ତେବେ ଏହି ପବନରେ କେତେ କ୍ଷତି ସହିଲା ସହର ? କେତେ ପ୍ରଭାବିତ ହେଲେ ପାନଚାଷୀ ? ଏ ସବୁ ପ୍ରଶ୍ନର ଉତ୍ତର ଏବେ ଆପଣଙ୍କ ମନ ଖୋଜୁଥିବ । ଆପଣଙ୍କ ମନ ଖୋଜୁଥିବା ପ୍ରଶ୍ନର ଉତ୍ତର ଦେବେ ବଳରାମ ଦାସ । ଗାଁ ତ୍ରିଲୋଚନପୁର । ଢିଙ୍କିଆ ପଞ୍ଚାୟତ.. ପାରାଦୀପ.. । ବୟସ ୮୦ ଡେଇଁଲାଣି । ୬୦ ବର୍ଷର ପାନଚାଷୀ ବୋଲି ମୋହର ଲାଗିଛି । ଜୀବନରେ ୧୪ଟି ବାତ୍ୟାକୁ ସାମ୍ନା କରିଛନ୍ତି ବଳରାମ । ୧୯୯୯ ମହାବାତ୍ୟା ଦେଇଥିବା କ୍ଷତ ଆଜି ବି ଭରିନି । ତା ଭିତରେ ଅନେକ ବାତ୍ୟା ଆସି ତାଣ୍ଡବ ରଚିଛି । କିନ୍ତୁ ବଳରାମଙ୍କ କିଛି କ୍ଷତି ହୋଇନଥିଲା । ହେଲେ ଅମ୍ଫାନ ପୁଣି ତାଜା କରିଦେଇଛି ୧୯୯୯ ମସିହାର ଦାରୁଣ ଦୁଃଖକୁ । କାରଣ ଋଣ କରି କ୍ଷେତରେ ସୁନାଫଳ ଫଳେଇଥିବା ପାନ ବରଜ ପବନ ମାଡ଼ରେ ମାଡ଼ି ମୋଡ଼ି ହୋଇ ମାଟିରେ ମିଶିଯାଇଛି ।

କେବଳ ବଳରାମ ଦାସ ନୁହଁନ୍ତି । ଢିଙ୍କିଆ ପଞ୍ଚାୟତର ଏମିତି ଅନେକ ପାନବରଜ ମାଟିରେ ଲୋଟିପଡ଼ିଛି । ନୂଆଗାଁ, ଗଡ଼କୁଜଙ୍ଗ, ଏରସମାର ଓଲରା, ପଦ୍ମପୁର, ମାହାଳର ଶହଶହ ପାନବରଜ ପବନ ମାଡ଼ରେ ଘାଇଲା ହୋଇ ପଡ଼ିଯାଇଛି । ଦୁଇଦିନ ପୂର୍ବରୁ କଳଁଳ ଛନଛନ ପାନପତର ଦେଖି ଖୁସିରେ ଆତ୍ମହରା ହୋଇପଡ଼ିଥିବା ଚାଷୀ ଏବେ ଉଜୁଡ଼ା କ୍ଷେତକୁ ସଜାଡ଼ିବାକୁ ଉଦ୍ୟମ କରୁଛି । କିନ୍ତୁ ଏଥିପାଇଁ ଆବଶ୍ୟକ ହଜାର ହଜାର ଟଙ୍କା । ଗୋଟିଏପଟେ ବ୍ୟାଙ୍କ ଋଣର ବୋଝ ଅନ୍ୟପଟେ ଉଜୁଡ଼ା ପାନକୁ ନେଇ କେଉଁଠି ବିକିବ । ଅନ୍ୟପଟେ ଜିଲ୍ଲା ପ୍ରଶାସନ କହିଛି କ୍ଷୟକ୍ଷତି ଆକଳନ ପରେ ବିପର୍ଯ୍ୟୟ ପରିଚାଳନା ନିୟମ ଅନୁସାରେ ଦିଆଯିବ ସହାୟତା ।

Leave a Reply