ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିର ଟାର୍ଗେଟ, ଲୋକଙ୍କ ଟଙ୍କା ଲୁଟି ଚାର୍ଟାଡ ଫ୍ଲାଇଟରେ ବୁଲି ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ

ଭୁବନେଶ୍ବର: ଜନବିରୋଧୀ ପ୍ରଦୀପ ପାଣିଗ୍ରାହୀଙ୍କୁ କୋଳେଇ ନେଲା ରାଜ୍ଯ ବିଜେପି । ପ୍ରେସମିଟରେ ବିଜେପି ଓ ପ୍ରଦୀପଙ୍କୁ କଡ଼ା ସମାଲୋଚନା କରିଛି ବିଜେଡି । ବିଜେଡି କହିଛି ନିଜ ନିର୍ବାଚନମଣ୍ଡଳୀର ସାଧାରଣ ଲୋକ ଓ ଗରିବ ଲୋକଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ଲୁଟିଛନ୍ତି ପ୍ରଦୀପ । ଠକେଇ ଜଣାପଡ଼ିବା ପରେ ପ୍ରଦୀପ ଓ ପାଠକ ବାପପୁଅ ଜେଲ ଯାଇଥିଲେ । କରୋନା ବେଳେ ଯେତେବେଳେ ଲୋକମାନେ ଜୀବନ ସହ ସଂଘର୍ଷ କରୁଥିଲେ ସେତେବେଳେ ପ୍ରଦୀପ ଲୋକଙ୍କ ଟଙ୍କା ଲୁଟି ଚାର୍ଟାଡ ଫ୍ଲାଇଟରେ ବୁଲି ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ । ତାଙ୍କ ବିରୋଧରେ ଅନେକ ଠକେଇ ଓ  ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରହିଛି । ଜନବିରୋଧୀ ନୀତି ପାଇଁ ମୁଖ୍ଯମନ୍ତ୍ରୀ ପ୍ରଦୀପଙ୍କ ବିରୋଧରେ କଠୋର ଆଭିମୁଖ୍ଯ ଗ୍ରହଣ କରିଥିଲେ ।

ପରବର୍ତ୍ତୀ ସମୟରେ ଅଭୟ ପାଠକକଙ୍କୁ ମଧ୍ଯ ବାଧ୍ଯତାମୂଳକ ଅବସର ଦିଆଯାଇଥିଲା । ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୋମୁହାଁ ନୀତିକୁ ସାମ୍ନାକୁ ଆଣିବା ସହ ସମାଲୋଚନା କରିଛି ବିଜେଡି । ବିଜେଡି କହିଛି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେଦିନ ପ୍ରଦୀପଙ୍କୁ ସମାଲୋଚା କରିଥିଲେ । ହେଲେ ଆଜି କେଉଁ ୱାସିଂମେସିନ ପାଖରେ ରଖିଛନ୍ତି ଯେ, ପ୍ରଦୀପଙ୍କ ଭଳି ଠକ ଓ ଲୁଟେରାଙ୍କୁ ସଫା କରିଦେଇ ଆଲିଙ୍ଗନ କରି କୋଳେଇନେଲେ । ବିଜେପି ନୂଆ ନେତା ସୃଷ୍ଟି କରିବାକୁ ସକ୍ଷମ ନୁହେଁ । ସେଥିପାଇଁ ଠକ ଓ ଜନବିରୋଧୀ ନେତାକୁ ନେଇ ଦଳରେ ମିଶାଉଛି । ଭାସିଯାଉଥିବାବେଳେ ପ୍ରଦୀପଙ୍କ ଭଳି ନେତାକୁ ଭରସା କରିଛି ବିଜେପି । ଅସାଧୁ ବୁଝାମଣା ଜନତା ଜାଣିସାରିଛନ୍ତି । ଆଗକୁ ଲୋକ ଏହାର ହିସାବ କରିବେ ବୋଲି ବିଜେଡି କହିଛି ।