spot_img
Home Blog Page 1026

ଉତ୍ତର ପ୍ରଦେଶ ଗାଜିଆବାଦରେ ଭୂମିକମ୍ପର ଝଟକା

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ଗାଜିଆବାଦରେ ଅପରାହ୍ନ ୩ଟା ୨୪ ମିନଟରେ ଭୂମିକମ୍ପ ଅନୁଭୂତ ହୋଇଛି । ଲୋକଙ୍କ ଭିତରେ ହଇଚଇ ସୃଷ୍ଟି ହୋଇଥିଲା । ଲୋକମାନେ ଘରୁ ବାହାରି ଆସିଥିଲେ । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତିବ୍ରତା ୨.୮ ରହିଥିଲା । ଏନସିଏସର ଅନୁସାରେ, ଭୂମିକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରରେ ରହିଥିଲା । ଏହି ଭୂମିକମ୍ପରେ କାହାର କିଛି କ୍ଷତି ହୋଇନାହିଁ ।

ନକଟରେ ଦିଲ୍ଲୀ ଏନସିଆରରେ ଭୂମିକମ୍ପର ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପର କେନ୍ଦ୍ର ଦିଲ୍ଲୀ ରହିଥିଲା । ଏହି ଭୂମିକମ୍ପ ସକଳା ୫ଟା ୩୬ ମିନଟରେ ଅନୁଭୂତ ହୋଇଥିଲା । ସେତେବେଳେ ପ୍ରାୟ ଲୋକ ଶୋଇଥିଲେ । ଏହି ସମୟରେ ଭୂମିକମ୍ପର ତିବ୍ରତା ୪.୦ ରହିଥିଲା । ଏହି ଭୂମିକମ୍ପର କେନ୍ଦ୍ର ୫ କିଲୋମିଟର ତଳେ ରହିଥିଲେ । ଗାଜିଆବାଦ, ନଏଡା, ଫରିଦାବାଦ ଓ ଗୁରୁଗ୍ରାମରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା ।

ଘୁଞ୍ଚି ଘୁଞ୍ଚି ଯାଉଛି କ୍ୟାପିଟାଲ ରିଜିଅନ୍ ରିଙ୍ଗ୍ ରୋଡ୍ ସ୍ବପ୍ନ

ଭୁବନେଶ୍ବର ; ଗତ ୮ ତାରିଖରେ ଏହି ପ୍ରତିଶୃତି ଦେଇଥିଲେ ପୂର୍ତ୍ତମନ୍ତ୍ରୀ। କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ୍ ପାଇଁ ଚାଲିଛି ଏଲାଇନମେଣ୍ଟ । ଫେବୃଆରି ୨୦ ତାରିଖ ଥିଲା ଟେଣ୍ଡର ଦାଖଲର ଶେଷ ଦିନ। କିନ୍ତୁ କେହି ଜଣେ ବି ଟେଣ୍ଡର ପକାଇ ନାହାନ୍ତି। ୧୧୧ କିଲୋମିଟର ରାସ୍ତା ପାଇଁ ୩ଟି ପ୍ୟାକେଜ୍ରେ ପୁଣି ସାନି ଟେଣ୍ଡର ଆହ୍ବାନ କରିଛି ଏନ୍ଏଚ୍ଏଆଇ। ଟେଣ୍ଡର ପକାଇବାର ଶେଷ ଦିନ ହେଉଛି ମାର୍ଚ୍ଚ ୬। ରାଜଧାନୀର  ଟ୍ରାଫିକ ସମସ୍ୟା ଦୂର ପାଇଁ ୧୫ ବର୍ଷ ତଳୁ ରିଙ୍ଗ୍ ରୋଡ୍ ର ପରିକଳ୍ପନା ହୋଇଥିଲା। କିନ୍ତୁ ଏନଏଚଏଆଇର ଅବହେଳା ପାଇଁ ଏପର୍ଯ୍ୟନ୍ତ କାମ ଆରମ୍ଭ ବି ହୋଇନାହିଁ । କାମ କଣ ଟେଣ୍ଡର ବି ହୋଇପାରିନାହିଁ। କେତେବେଳେ ଇପିସି ଟେଣ୍ଡର ତ କେତେବେଳେ ହାଇବ୍ରିଡ୍ ଆନ୍ୟୁଟି ମୋଡ । କିନ୍ତୁ ଘୁଞ୍ଚି ଘୁଞ୍ଚି ଯାଉଛି କ୍ୟାପିଟାଲ୍ ରିଜିୟନ ରିଙ୍ଗ ରୋଡ଼। ଖୋର୍ଦ୍ଧା ରାମେଶ୍ବରରୁ କଟକ ଟାଙ୍ଗୀ ପର୍ଯ୍ୟନ୍ତ ୧୧୧ କିଲୋମିଟର ରିଙ୍ଗ ରୋଡ଼ର ପଦ୍ମ ଘୁଞ୍ଜି ଘୁଞ୍ଜି ଯାଉଛି । ଆଉ ଚୁପଚାପ୍ ବସି ରହିଛି ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ । ପ୍ୟାକେଜ୍ ଓ୍ବାନ୍ ଖୋର୍ଦ୍ଧା ରାମେଶ୍ବରରୁ ବିଲିପଡ଼ା । ପ୍ୟାକେଜ୍-୨ ବିଲିପଡ଼ାରୁ ଗୋବିନ୍ଦପୁର । ପ୍ୟାକେଜ୍-୩ରେ ଗୋବିନ୍ଦପୁରରୁ କଟକ ଟାଙ୍ଗୀ ପର୍ଯ୍ୟନ୍ତ ନିର୍ମାଣ ହେବ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ୍ । ଭୁବନେଶ୍ବରର ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ୨୦୧୦ରେ ପ୍ରଥମ କରି ରିଙ୍ଗ୍ ରୋଡ ପରିକଳ୍ପନା ହେଲା । ସେତେବେଳେ ୭୭ କିଲୋମିଟର ପାଇଁ ପ୍ରସ୍ତୁତ ହୋଇଥିଲା ଡିପିଆର୍ । ପରବର୍ତ୍ତୀ ପର୍ଯ୍ୟାୟରେ ଡିପିଆର ପରିବର୍ତ୍ତନ ହୋଇ ୧୧୧ କିଲୋମିଟର ପାଇଁ ରାଜ୍ୟ ସରକାର ଜମି ଯୋଗାଇଲେ । ଜମି ଅଧିଗ୍ରହଣ ସରିଛି। ଆଗରୁ ରାଜ୍ଯ   ସରକାର ୬୦୦ କୋଟି ଟଙ୍କା ଦେଇଛନ୍ତି । ସରକାର ପରିବର୍ତ୍ତନ ପରେ ଲୋକସଭାରେ ବିଜେପିର ୨୦ ସାଂସଦ ଅଛନ୍ତି । ତଥାପି କାହାରି ଫିଟୁନି ପାଟି । କାହିଁକି ଟେଣ୍ଡର ପରେ ଟେଣ୍ଡର ହେଉଛି ଠିକାଦାର ମିଳୁନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ମନ୍ତ୍ରୀ ଓ ବିଶେଷଜ୍ଞ ।

କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ଼ ପାଇଁ ୨୦୨୨ରୁ ଏନ୍ଏଚ୍ଆଇ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା ହେଲା । ଏପରିକି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଘୋଷଣା କରିଥିଲେ ୨୦୨୪ ଅକ୍ଟୋବରରୁ ପ୍ୟାକେଜ୍ ଓ୍ବାନ୍ କାମ ଆରମ୍ଭ ହେବ। କିନ୍ତୁ ୨୦୨୪ ଯାଇ ୨୦୨୫ର ଦୁଇ ମାସ ବିତିବାକୁ ବସିଲାଣି, ବାରମ୍ବାର ଟେଣ୍ଡର ପଡ଼ୁଥିଲେ ବି କୌଣସି  ଠିକାଦାର ଆଗ୍ରହ ଦେଖାଉ ନାହାନ୍ତି । ପ୍ରଥମେ ବ୍ୟୟ ଅଟକଳ ଥିଲା ୧ ହଜାର ୩୭୮ କୋଟି ୯୫ ଲକ୍ଷ ଟଙ୍କା । ୨୦୨୪ ଜୁଲାଇରେ ଟେଣ୍ଡର ବେଳକୁ ବ୍ୟୟ ଅଟକଳ ବଢି ହେଲା ୧ ହଜାର ୭୧୫ କୋଟି ୩୧ ଲକ୍ଷ ଟଙ୍କା। ହାଇବ୍ରିଡ୍ ଆନ୍ୟୁଟି ମୋଡ ବା ହାମ ସର୍ତ୍ତ ଅନୁଯାୟୀ ପ୍ରକଳ୍ପ ବାବଦରେ ୪୦ ପ୍ରତିଶତ ସରକାର ବହନ କରିବେ। ବାକି ୬୦ ପ୍ରତିଶତ ଅର୍ଥ ଠିକାଦାର ନିଜ ହାତରୁ ଖର୍ଚ୍ଚ କରିବ । ସେହି ଅର୍ଥ ଫେରି ପାଇବାକୁ ଚୁକ୍ତି ମୁତାବକ ୨୦ରୁ ୩୦ ବର୍ଷ ପର୍ଯ୍ୟନ୍ତ ଟୋଲ ଗେଟ୍ କରି ଅର୍ଥ ଆଦାୟ କରିବ ଠିକାଦାର। କିନ୍ତୁ ଠିକାଦାରକୁ ଅଧିକ ଅର୍ଥ ଦେବାକୁ ପଡୁଥିବାରୁ ହାଇବ୍ରିଡ୍ ମୋଡ ପାଇଁ କେହି ରାଜି ହେଉନଥିବା ଚର୍ଚ୍ଚା ହେଉଛି। ଭୁବନେଶ୍ବରକୁ ଦୈନିକ ୩୦ ଲକ୍ଷ ଲୋକ ଯା ଆସ କରୁଛନ୍ତି । ଅଫିସ, ସ୍କୁଲ ସମୟ ହେଉ କି ସନ୍ଧ୍ୟାରେ, ଉତ୍କଟ ହେଉଛି ଟ୍ରାଫିକ୍ ସମସ୍ୟା। ଏବର ରାଜ୍ୟ ସରକାର କେବଳ ସ୍ବପ୍ନ ଦେଖାଇ ଚାଲିଛନ୍ତି – ଖୁବ ଶୀଘ୍ର ରାଜଧାନୀକୁ ଟ୍ରାଫିକ ସମସ୍ୟାରୁ ମୁକ୍ତ କରିବାକୁ ଆଉଟର ରିଙ୍ଗ ରୋଡ ଓ ଇନର୍ ରିଙ୍ଗ ରୋଡ଼ ନିର୍ମାଣ କରାଯିବ । କିନ୍ତୁ ଏ ପର୍ଯ୍ୟନ୍ତ ମୂଳ ରିଙ୍ଗ ରୋଡ଼ର ଟେଣ୍ଡର ଚୂଡାନ୍ତ ହୋଇପାରିନି।

ରାଜ୍ୟ ସରକାର ଗଠନକୁ ୮ ମାସ ପୂରିଲେ ବି ଦୂର ହୋଇପାରିନି ଦ୍ଵନ୍ଦ୍ଵ

ଭୁବନେଶ୍ବର : ତାରିଖ ପରେ ତାରିଖ ବଦଳୁଛି। ଦୂର ହୋଇପାରୁନି ରାଜ୍ୟ ସଭାପତି ଦ୍ବନ୍ଦ।ସରକାରକୁ ୮ ମାସ ପୁରିଲାଣି। ହୋଇପାରୁନି ନିଗମ ନିଯୁକ୍ତି। ଖାଲି ଥିବା ଅଧ ଡ଼ଜନେ ମନ୍ତ୍ରୀ ପଦ ପୂରଣ କରିପାରୁନାହାନ୍ତି ମୁଖ୍ୟମନ୍ତ୍ରୀ। ସବୁ କଥାରେ କେନ୍ଦ୍ରୀୟ ନେତୃତ୍ବଙ୍କ ଇଙ୍ଗିତକୁ ଅପେକ୍ଷା। ରାଜ୍ୟ ବିଜେପିରେ ଥିବା ଗୋଷ୍ଠୀ ବିବାଦ ମୁଖ୍ୟମନ୍ତ୍ରୀଙ୍କୁ ଯେତିକି ଅଡୁଆରେ ପକାଇନି, ତାଠାରୁ ଅଧିକ ଯନ୍ତ୍ରଣା ଦେଉଛି କେନ୍ଦ୍ର ବିଜେପିର ଗ୍ରୀନ ସିଗ୍ନାଲକୁ ଅପେକ୍ଷା।ମାଳ ମାଳ ନିଗମ ଲଡୁ ଖାଇଥିବା ଆଶାୟୀଙ୍କ ସଂଖ୍ୟା ବଢିଚାଲିଛି।ବିଭିନ୍ନ ଏକାଡ଼େମୀ ମୁଖିଆ ପଦ ବି ଖାଲି ପଡ଼ିଛି। ଜଣେ ଜଣେ ମନ୍ତ୍ରୀ ଏକାଧିକ ବିଭାଗ ମୁଣ୍ଡାଇ ଭାରାକ୍ରାନ୍ତ ହେଲେଣି। ପ୍ରଶାସନ ଚଳଚଞ୍ଚଳ ହେବା ବଦଳରେ ସ୍ଥାଣୁ ପାଲଟିଛି। ବଜେଟ ଅଧିବେଶନରେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଦେଇଥିବା ବିବୃତି ବସ୍ତାନୀ ଭାରି ପାଠ ଶୂନ ବାସ୍ତବରେ ପ୍ରତିପାଦିତ ହେଉଛି ବୋଲି ବିଶେଷଜ୍ଞ କହିଛନ୍ତି ।

ସରକାର ଯେପରି ସ୍ଥାଣୁ, ବିଜେପି ସଙ୍ଗଠନ ବି ତାଠାରୁ ତଦ୍ରୁପ। ରାଜ୍ୟ ସଭାପତି ଚୟନରେ ଅହେତୁକ ବିଳମ୍ବ ଦଳ ଭିତରେ ଥିବା ଅସନ୍ତୋଷକୁ ପଦାରେ ପକାଇଛି। ଜାନୁଆରୀ ୧୫ ସୁଦ୍ଧା ରାଜ୍ୟ ସଭାପତି ନିର୍ବାଚନ ସାରିବାକୁ ଟାର୍ଗେଟ ରଖାଯାଇଥିବା ବେଳେ ଫେବୃଆରୀ ସରିବାକୁ ବସିଲାଣି, କିଛି ଚୁଡ଼ାନ୍ତ ହୋଇପାରୁନାହିଁ। ନିଗମ ଅଧ୍ୟକ୍ଷ ପାଇଁ ବି ଅଙ୍କକଷା ଚାଲିଛି। ଖୋଜା ଚାଲିଛି ଉପଯୁକ୍ତ ନେତା। ସାଙ୍ଗଠନିକ ଦକ୍ଷତା, ଅନୁଭବ, ଅଭିଜ୍ଞତାକୁ ଆଧାର କରି ନିଗମ ପଦ ଦିଆଯିବ ବୋଲି ଆଶା ବାନ୍ଧିଛନ୍ତି ଆଶାୟୀ। ସେହିପରି ଖାଲି ଥିବା ମନ୍ତ୍ରୀ ପଦ ପାଇଁ ବରିଷ୍ଠ ବିଧାୟକ ମାନେ ଆଶା ରଖିଛନ୍ତି। ହେଲେ କେନ୍ଦ୍ରରୁ କୌଣସି ସିଗ୍ନାଲ ମିଳୁନଥିବାରୁ ନିଷ୍ପତ୍ତି ହୋଇପାରୁନି। ବାହାରକୁ ନେତା ଓ ବିଧାୟକ ସବୁ କିଛି ଠିକ୍ ଚାଲିଛି ବୋଲି କହୁଥିଲେ ମଧ୍ୟ, ବାସ୍ତବ ଚିତ୍ର ଭିନ୍ନ କିଛି ବୟାନ କରୁଛି। ସଙ୍ଗଠନରେ ଦ୍ବନ୍ଦ, ସରକାରରେ ଅସନ୍ତୋଷ। ସବୁ କଥାରେ କେନ୍ଦ୍ରର ଇଙ୍ଗିତକୁ ଅପେକ୍ଷା। ହଠାତ ବିଜେପି ସରକାରକୁ ଆସିବା, ଅସ୍ବାଭାବିକ ଭାବେ ମୁଖ୍ୟମନ୍ତ୍ରୀ ବଛାଯିବା ଯୋଗୁଁ ସରକାର ଏଯାଏଁ ଗତିଶୀଳ ହୋଇପାରିନାହିଁ। ରାଜ୍ୟ ବିଜେପିରେ ଗୋଷ୍ଠୀ କନ୍ଦଳ ସାଙ୍ଗକୁ ନିଜ ଇଚ୍ଛାରେ ମୁଖ୍ୟମନ୍ତ୍ରୀ କାମ କରିପାରୁନଥିବା ଯୋଗୁଁ ସବୁ କିଛି ଅଯଥାରେ ବିଳମ୍ବିତ ହୋଇ ଚାଲୁଛି।

ଆକ୍ଟିଭ ମୋଡ଼ରେ କଂଗ୍ରେସ, ରାଜ୍ୟରେ ଦକ୍ଷିଣ ଓଡ଼ିଶା ମଡେଲ ଆପଣାଇବ ଦଳ

ଭୁବନେଶ୍ବର : ରାଜ୍ଯରେ ଦକ୍ଷିଣ ଓଡିଶା ମଡେଲ ଆପଣାଇବ କଂଗ୍ରେସ। ପୂର୍ବ ନିର୍ବାଚନରେ ଯେଉଁ ରଣନୀତି ଆପଣାଇ ଦଳ ଦକ୍ଷିଣ ଓଡ଼ିଶାରେ ୧୦ ବିଧାନସଭା ହାତେଇଥିଲା ସେହି ରଣନୀତି ଆପଣାଇବ ସାରା ରାଜ୍ଯରେ। କଂଗ୍ରେସ ଭବନରେ ଦଳୀୟ ପ୍ରଭାରୀ ଅଜୟ କୁମାର ଲଲୁ, ସାଂସଦ ସପ୍ତଗିରି ଉଲ୍ଲାକା, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ସମେତ ଅନ୍ୟ ବିଧାୟକ, ଜିଲ୍ଲା ସଭାପତିମାନଙ୍କ ଉପସ୍ଥିତିରେ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ। ଆଗକୁ ଦକ୍ଷିଣ ଓଡ଼ିଶାର ୧୪ ବିଧାୟକ ସହ ଦୁଇଟି ସାଂସଦ କିଭଳି ଜିତିବେ ତାହା ଉପରେ ବି କରାଯାଇଛି ଫୋକସ। ସାରା ରାଜ୍ୟରେ ଭଲ ପ୍ରଦର୍ଶନ ପାଇଁ  ଆରମ୍ଭ ହୋଇଛି ଯୋଜନା।

ଲୋକଙ୍କ ପାଇଁ ଲଢେଇ କରିବାକୁ ବି ଦଳୀୟ ବିଧାୟକଙ୍କୁ ଦିଆଯାଇଛି ଆହ୍ବାନ। ଗତକାଲି ସବୁ ବିଧାୟକଙ୍କ ସହ ୱାନ ଟୁ ୱାନ ଆଲୋଚନା କରି ଗୁରୁମନ୍ତ୍ର ଦେଇଥିଲେ ପ୍ରଭାରୀ। ଏହା ସହ ସଭାପତି ଓ ପ୍ରଭାରୀଙ୍କ ଆଗରେ ନିଜ ନିଜ ମତ ରଖିଛନ୍ତି ବିଧାୟକ। ବୁଥ ସ୍ତର ଯାଏ ଯିବାକୁ ନେତାଙ୍କୁ ସଭାପତି ପରାମର୍ଶ ଦେବା ସହ ବିଧାୟକଙ୍କୁ ଦିଆଯାଇଛି ଗୁରୁ ଦାୟିତ୍ୱ। ଗତକାଲି ବିଧାୟକଙ୍କ ସହ ପିସିସି ସଭାପତି ଭକ୍ତ ଚରଣ ଦାସ, ପ୍ରଭାରୀ ଅଜୟ କୁମାର ଲଲୁ ବୈଠକ ପରେ ବିଧାୟକଙ୍କ ମହଲରେ ଭରିଛି ଜୋଶ। ନବନିଯୁକ୍ତ ସଭାପତି ଓ ପ୍ରଭାରୀଙ୍କୁ ନେଇ ରାଜ୍ୟ କଂଗ୍ରେସ ଉତ୍ସାହିତ। ତେବେ ଅନ୍ତଃକନ୍ଦଳକୁ କିପରି ଦଳ ମୁକାବିଲା କରିବ ତାହାକୁ ନେଇ ଜାରି ରହିଛି ଚର୍ଚ୍ଚା।

ଲୋକଙ୍କ ପାଇଁ ଅଣ୍ଟା ଭିଡ଼ିଲା ବ୍ୟବସାୟୀ ମହାସଂଘ

ଭୁବନେଶ୍ବର ; ସରକାରଙ୍କ ଉପରୁ ତୁଟିଲା ଭରସା । ଏବେ ନିଜେ କରିବେ ନିଜ ସମସ୍ୟାର ସମାଧାନ । ଦରଦାମ ବୃଦ୍ଧି ନିୟନ୍ତ୍ରଣ ପାଇଁ ନିଆଯିବ ବଡ଼ ପଦକ୍ଷେପ । ଚାଷୀଙ୍କ ହୀତ ପାଇଁ କରାଯିବ ଆଲୋଚନା । ଏନେଇ ଅଣ୍ଟା ଭିଡ଼ିଛି ବ୍ୟବ୍ୟବସାୟୀ ମହାସଂଘ । ଏପ୍ରିଲ ପ୍ରଥମ ସପ୍ତାହରେ ଭୁବନେଶ୍ୱରରେ କରିବ ବିଶାଳ ବ୍ୟବସାୟୀ ସମାବେଶ । ରାଜ୍ୟ ବ୍ୟବସାୟୀ ମହାସଂଘର ରୌପ୍ୟ ଜୟନ୍ତୀ ପାଳନ ଅବସରରେ କରାଯିବ ଏହି ସମାବେଶ। ଏଥିରେ ସାରା ରାଜ୍ୟର ବହୁ ବ୍ୟବସାୟୀଙ୍କ ସମେତ ଚାଷୀ, ଚାଷୀ ନେତା, ସାଧାରଣ ଲୋକେ ସାମିଲ ହେବେ । ଚାଷୀଙ୍କ ଉତ୍ପାଦିତ ଶସ୍ୟ ଲୋକଙ୍କ ପାଖରେ କିଭଳି ସିଧାସଳଖ ପହଂଚିବ ଓ ଚାଷୀଙ୍କୁ ଉଚିତ ମୂଲ୍ୟ ଦେବା ପାଇଁ ଉଦ୍ୟମ ଆଲୋଚନା କରାଯିବ । ଦରଦାମ ନିୟନ୍ତ୍ରଣକୁ ଆଣିବା ମଧ୍ୟ ଉଦେଶ୍ୟ ରହିଛି । ବଲାଙ୍ଗୀର, ଭବାନୀପାଟଣା, କେସିଙ୍ଗା, ବରଗଡ଼, ବରପାଲି ଓ ଢେଙ୍କାନାଳର ବ୍ୟବସାୟୀ ସଂଘର ସବୁ ବର୍ଗଙ୍କୁ ନେଇ ଆଲୋଚନା ହୋଇଛି । ଚାଷ ସାମଗ୍ରୀର ଅଭାବୀ ବିକ୍ରି କିଭଳି ନରହିବ ଓ ସାମଗ୍ରୀ ସଂରକ୍ଷଣ କରାଯିବ, ବାରମାସୀ ଚାଷ କିଭଳି ଅଧିକ ବଢ଼ିପାରିବ, ରାଜ୍ୟର ଉତ୍ପାଦିତ ସାମଗ୍ରୀ କିଭଳି ଗ୍ରାହକଙ୍କ ପାଖରେ ସୁଲଭ ମୂଲ୍ୟରେ ପହଂଚିବ ସେ ନେଇ ଉଦ୍ୟମ କରାଯିବ । ଏଥିରେ ସରକାରଙ୍କ ସହଯୋଗ ଅବଶ୍ୟକ । ହେଲେ ସରକାର ସହଯୋଗ ପାଇଁ ଆଗଭର ହେଉ ନାହାନ୍ତି। ତେଣୁ ବ୍ୟବସାୟୀ ସଂଘ ଏହି ଦାୟିତ୍ୱ ନିଜେ ନେବ ବୋଲି କହିଛି ।

ବ୍ୟବସାୟୀ ମହାସଂଘର ଏଭଳି ପ୍ରୟାସକୁ ବିଭିନ୍ନ ଚାଷୀ ସଂଗଠନ ସ୍ୱାଗତ କରିଛନ୍ତି। ୯ ମାସ ହେଲା ଶାସନକୁ ଆସିଥିଲେ ମଧ୍ୟ ଏ ଯାଏ ବିଜେପି ସରକାର କେବଳ କଥାରେ ଚାଲିଛି। ଗଣତନ୍ତ୍ରରେ ଗୋଟିଏ ସରକାର ପାଞ୍ଚ ବର୍ଷ ପାଇଁ ପଚାଶ ବର୍ଷ ପାଇଁ ନୁହେଁ । ତେଣୁ କେବେ ଆଉ କାମ ହେବ ବୋଲି ପ୍ରଶ୍ନ କରିଛି କୃଷକ ମଜଦୂର ମହାସଂଘ। ଏହାର ପ୍ରତିବାଦରେ ଆସନ୍ତା ନଭେମ୍ବର ମାସରେ ରାଜ୍ୟବ୍ୟାପି ପଦଯାତ୍ରା କରାଯିବ ବୋଲି କୁହାଯାଇଛି। ସେପଟେ ସିଟିଜେନ୍ସ ଫୋରମ ମଧ୍ୟ ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି। ଲୋକେ ଏବେ ଏକାଠି ହୋଇ ନିଜ ଦାୟିତ୍ବ ନିଜେ ନେବେ ଓ ସରକାରଙ୍କୁ ଜବାବ ଦେବେ ବୋଲି କୁହାଯାଇଛି। ନା ପ୍ରତିଶ୍ରୁତି ପାଳନ ହେଉଛି ନା କୌଣସି ବର୍ଗଙ୍କ ହିତ ପାଇଁ ପଦକ୍ଷେପ ନିଆଯାଉଛି । ଯେଉଁଥିପାଇଁ ରାଜ୍ୟର ବିଭିନ୍ନ ବର୍ଗ ମଧ୍ୟରେ କୁହୁଳୁଥିବା ଅସନ୍ତୋଷ ଏବେ ଉଗ୍ର ରୂପ ନେବାକୁ ଯାଉଛି ।

ବର ଆସିଲାନି ବୋଲି ୩ ପିଲାର ବାପାଙ୍କୁ ମଣ୍ଡପରେ ବସାଇଲେ କନ୍ୟାପକ୍ଷ, ଏହା ପରେ…

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ଅମରୋହାରେ ଯେତେବେଳେ ବର ବିବାହରେ ପହଞ୍ଚିନଥିଲେ । ସେତେବେଳେ ତିନି ସନ୍ତାନର ପିତାଙ୍କୁ ମଣ୍ଡପରେ ବସାଇଥିଲେ କନ୍ୟାପକ୍ଷ । ବିବାହ ହେବାକୁ ଥିବା ବେଳେ ଏହି ଖବର ହଇଚଇ ସୃଷ୍ଠି କରିଥିଲା । ବର ଏବଂ କନ୍ୟାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ପ୍ରକୃତରେ, ଶନିବାର ଶିବ ଇଣ୍ଟର କଲେଜରେ ମୁଖ୍ୟମନ୍ତ୍ରୀଙ୍କ ଗଣବିବାହ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଗଜରୌଲାର ବାୱନପୁରା ମାଫିର ପ୍ରିୟଙ୍କା ମଧ୍ୟ ଅମରପାଲ ନାମକ ଜଣେ ପୁଅ ସହିତ ବିବାହ କରିବାର ଥିଲା, କିନ୍ତୁ ବର ପକ୍ଷର ଲୋକମାନେ ଆସି ନଥିଲେ। ଏହି ସମୟରେ, ଝିଅଟିର ପରିବାର ତିନି ପିଲାର ପିତାଙ୍କୁ ତାଙ୍କ ଝିଅ ସହିତ ବିବାହର ଔପଚାରିକତା କରିବାକୁ ରାଜି କରାଇଲେ। ଝିଅଟିର ପରିବାର ବର ଅମରପାଲଙ୍କ ବଦଳରେ ସାଲେମପୁର ଗୋସାଇଁର କପିଲ କୁମାରଙ୍କୁ ମଣ୍ଡପରେ ବସାଇଲେ।

ବିବାହ ଚାଲିଥିବା ସମୟରେ ଅଧିକାରୀମାନେ ଜାଣିବାକୁ ପାଇଲେ ଯେ, କପିଲ ପୂର୍ବରୁ ବିବାହିତ  । ତାଙ୍କର ତିନୋଟି ସନ୍ତାନ ଅଛି ଏବଂ ତାଙ୍କ ପତ୍ନୀଙ୍କ ନାମ କୋମଲ । ଏହାକୁ ନେଇ ହଙ୍ଗମା ହୋଇଥିଲା । ଯେତେବେଳେ ଅଧିକାରୀମାନେ କାର୍ଯ୍ୟନୁଷ୍ଠନ ଗ୍ରହଣ କରି ତଦନ୍ତ କରିଥିଲଷ, ଘଟଣାଟି ସତ୍ୟ ବୋଲି ପ୍ରମାଣିତ ହୋଇଥିଲା ।  ତୁରନ୍ତ ବିବାହ ବନ୍ଦ କରିବା ସହ ଯୌତୁକ ଜିନିଷ ଅଧିକାରୀମାନେ ଫେରାଇ ଆଣିଲେ । ସିଡିଓ ସମ୍ପୃକ୍ତ ଗ୍ରାମ ପଞ୍ଚାୟତ ସଚିବଙ୍କୁ ନିଲମ୍ବିତ କରିଛନ୍ତି। ଏହା ସହିତ, ବର ଏବଂ କନ୍ୟାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ଗଣ ବିବାହ ଯୋଜନାରେ ୨୩୩ ଜଣ ଦମ୍ପତିଙ୍କୁ ପଞ୍ଜିକୃତ କରାଯାଇଥିଲା। ୨୦୦ ଦମ୍ପତିଙ୍କ ବିବାହ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା। ଯେତେବେଳେ, ୩୩ ଜଣ ଦମ୍ପତି ବିବାହ ପାଇଁ ଆସି ନଥିଲେ। ବିବାହ ଉତ୍ସବ ଶେଷ ହେବା ପରେ, ସାଂସଦ କନୱର ସିଂହ ତନୱର ଏବଂ ବିଧାୟକ ରାଜୀବ ତରାରା ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ।

ଗୁରୁ ରନ୍ଧାଓ୍ବା ଗୁରୁତର , ଆକ୍ସନ ଷ୍ଟଣ୍ଟ କରିବା ସମୟରେ ଘଟିଲା ଅଘଟଣ

ମୁମ୍ବାଇ: ଗାୟକ  ଗୁରୁ ରନ୍ଧାୱା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଗୁରୁତର ଅବସ୍ତାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ଆଗାମୀ ଫିଲ୍ମ ‘ଶଙ୍କି ସର୍ଦ୍ଦାର’ ସେଟରେ  ଏହି ଅଘଟଣ ଘଟିଛି । ଫିଲ୍ମର ଏକ ଆକ୍ସନ୍ ଷ୍ଟଣ୍ଟ ସୁଟିଂ ସମୟରେ ସେ ଗୁରୁତର ଆହତ ହୋଇଥିଲେ। ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ହସ୍ପିଟାଲ ବେଡ୍ ରୁ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ଦେଖି ସମସ୍ତେ ତାଙ୍କ ସୁରକ୍ଷା ଏବଂ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି । ଏହି ଫଟୋରେ ଦେଖାଯାଉଛି ଯେ ତାଙ୍କ ମୁଣ୍ଡରେ ଏକ ପଟି ବନ୍ଧା ହୋଇଛି। ସେ ଏକ ସର୍ଭାଇକାଲ୍ କଲାର ପିନ୍ଧିଛନ୍ତି।

ଏହି ଫଟୋ ସେୟାର କରିବା ସମୟରେ ଗୁରୁ ରନ୍ଧାୱା କହିଛନ୍ତି ଯେ ଏହା ତାଙ୍କର ପ୍ରଥମ ଆକ୍ସନ୍ ଷ୍ଟଣ୍ଟ ଥିଲା। ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ସେ ଲେଖିଛନ୍ତି, “ମୋର ପ୍ରଥମ ଷ୍ଟଣ୍ଟ, ମୋର ପ୍ରଥମ ଆଘାତ, କିନ୍ତୁ ମୋର ସାହସ ବଜାଇ ରହିଛି। ‘ଶଙ୍କି ସର୍ଦ୍ଦାର’ ଚଳଚ୍ଚିତ୍ର ସେଟର ଆକ୍ସନ ଷ୍ଟଣ୍ଟ କରିବା ବହୁତ କଷ୍ଟକର କାମ, କିନ୍ତୁ ମୁଁ ମୋ ଦର୍ଶକଙ୍କ ପାଇଁ କଠିନ ପରିଶ୍ରମ କରିବି।”

ଗୁରୁ ରନ୍ଧାୱାଙ୍କ ଏହି ପୋଷ୍ଟରେ ସେଲିବ୍ରିଟିମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେଲିବ୍ରିଟି ଏବଂ ପ୍ରଶଂସକମାନେ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଦେଇଛନ୍ତି। ମୃଣାଲ ଠାକୁର ହ୍ବାଟ କମେଣ୍ଟ କରିଥିବା ସହ ଏକ ଆଶ୍ଚର୍ଯ୍ୟଜନକ ଇମୋଜି ସେୟାର କରିଛନ୍ତି। ଅନୁପମ ଖେର ତାଙ୍କୁ ଷ୍ଟ୍ରଙ୍ଗ ରହିବାକୁ ପରାମର୍ଶ ଦେଇ ଲେଖିଛନ୍ତି , “ଆପ ସବସେ ଅଚ୍ଛେ ହୋ”,ବହୁତ ଜଲଦି ତୁମେ ସୁସ୍ଥ ହୋଇଯିବ।” ଗୁରୁଙ୍କ ଶୀଘ୍ର ଆରୋଗ୍ୟ କାମନା କରି ମିକା ସିଂହ ‘Get Well Soon’ ମଧ୍ୟ ଲେଖିଛନ୍ତି।

 

ସୁନ୍ଦରଗଡ଼କୁ ବିକାଶର ସ୍ବପ୍ନ ଦେଖାଇ ପ୍ରତାରଣା କରିଛି ଡବଲ ଇଞ୍ଜିନ ସରକାର

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାକୁ ଅଣଦେଖା । ରାଜ୍ଯ ବଜେଟରେ ଚରମ ଅବହେଳା । ବିକାଶର ସ୍ବପ୍ନ ଦେଖାଇ ପ୍ରତାରଣା କରିଥିବା ଅଭିଯୋଗ । ଜିଲ୍ଲାକୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା ପାଇଁ ବିଭିନ୍ନ ମହଲରୁ ଦାବି । ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ ଜିଲ୍ଲାଵାସୀ ଓ ରାଉରକେଲାବାସୀଙ୍କ ବିକାଶ ପାଇଁ ଦେଖାଇଥିଲେ ଅନେକ ସ୍ବପ୍ନ । ହେଲେ ଚଳିତ ବଜେଟରେ ଏହା ପ୍ରତାରଣାରେ ପରିଣତ ହୋଇଛି । ଶିକ୍ଷା, ସ୍ଵାସ୍ଥ୍ୟ, ଶିଳ୍ଲ, ପର୍ଯ୍ୟଟକ, ଆଇଟି, ସଵୁ କ୍ଷେତ୍ରରେ ଜିଲ୍ଲାକୁ ଅବହେଳା କରାଯାଇଥିବା ଅଭିଯୋଗ କରିଛି ସଚେତନ ନାଗରିକ ମଞ୍ଚ । ଜିଲ୍ଲାର ବିକାଶ ପାଇଁ ରାଜ୍ଯ ବିଜେପି ସରକାରର ଇଛାଶକ୍ତି ଅଭାବ ଥିବା ଏଥିରୁ ସ୍ପଷ୍ଟ ହୋଇଥିବା ମଞ୍ଚ ଅଭିଯୋଗ କରିଛି ।

ସୁନ୍ଦରଗଡ଼ ଜିଲ୍ଲାରେ ଵହୁ ଐତିହ୍ୟ, ଧାର୍ମିକ ସ୍ଥାନ, ମନ୍ଦିର ଓ ପର୍ଯ୍ୟଟନସ୍ଥଳୀ ଥିଲେ ମଧ୍ୟ ଏହାର ବିକାଶ କରିବା ପାଇଁ ରାଜ୍ୟ ବଜେଟରେ ଅର୍ଥ ଵ୍ୟଵସ୍ଥା କରାଯାଇ ନାହିଁ । ସହରରେ ୟୁନିଭରସିଟି ସହିତ ଟ୍ରାଇଵାଲ ୟୁନିଭରସିଟି କରିବା ପାଇଁ ଜିଲ୍ଲାବାସୀ ଆଶା ରଖିଥିଲେ । ସହର ସମ୍ଵୃଦ୍ଧି ଯୋଜନାରେ ରାଜ୍ୟର ଦ୍ବିତୀୟ ସ୍ମାର୍ଟ ସିଟି । ବେଦବ୍ୟାସ ତିର୍ଥସ୍ଥାନ, ଵିଜୁ ପଟ୍ଟନାୟକ ୟୁନିଭରସିଟି ଅଫ ଟେକ୍ନୋଲୋଜି ପାଇଁ ନାହିଁ ପ୍ରାବଧାନ। ରାଉରକେଲାକୁ ଶିଳ୍ପ କରିଡର କରି ଆଇଟି, ସଫ୍ଟୱେର ଓ ଆଇଟି ପାର୍କ କରିବା ପାଇଁ ଘୋଷଣା ହୋଇଥିଲେ ସୁଦ୍ଧା ପ୍ରତାରଣା କରାଯାଇଥିବା ଅଭିଯୋଗ କରିଛନ୍ତି ବିଭିନ୍ନ ଗଣ ସଙ୍ଗଠନ, ସାମାଜିକ ସଂଗଠନ, ବୁଦ୍ଧିଜୀବୀ ଓ ସୁନ୍ଦରଗଡ଼ ଜିଲ୍ଲାବାସୀ । ନିର୍ବାଚନରେ ମିଥ୍ୟା ପ୍ରତିଶୃତି ଦେଇ ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରେ ଧୋକ୍କା ଦେଇଥିବା କହିଛନ୍ତି ଜିଲ୍ଲାବାସୀ ।

ଉଠା ଦୋକାନୀଙ୍କ କବଜାରେ କୋରାପୁଟ ସହର ରାସ୍ତା

ଜୟପୁର ; ରାସ୍ତାକଡ଼ରେ ପଡ଼ିଛି ହାଟ । ହେଲେ ନିୟମିତ ବଜାର ଖାଁ ଖାଁ । ପରିବା ଠାରୁ ଆରମ୍ଭ କରି ଆମିଷ, ସବୁ ମିଳୁଛି ରାସ୍ତା କଡ଼ରେ । ଉଠା ଦୋକାନୀଙ୍କ କବଜାରେ କୋରାପୁଟ ସହର ରାସ୍ତା । ପ୍ରତିଦିନ ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଲୋକ ସହରକୁ ଆସିଥାନ୍ତି । ହେଲେ ସହରର ମୁଖ୍ଯ ରାସ୍ତା ଏହି ଉଠା ଦୋକାନୀଙ୍କ ଯୋଗୁଁ ଶଙ୍କୁଚିତ ହେବାରେ ଲାଗିଛି । ଫଳରେ ଗାଡି ଯିବା ତ ଦୂରର କଥା ଚାଲିଚାଲି ଯିବା ବି କଷ୍ଟକର ହେଉଛି । ଭିଡ଼ ଯୋଗୁଁ ନୟାନ୍ତ ହେଉଛନ୍ତି ଟ୍ରାଫିକ କର୍ମଚାରୀ । କୋରାପୁଟ ଜିଲ୍ଲା ଚାଷ ପାଇଁ ଉପଯୋଗୀ ଥିବାରୁ ଅନେକ ଚାଷୀ ବିଭିନ୍ନ ପନିପରିବା ଉତ୍ପାଦନ କରନ୍ତି । ହେଲେ ବଜାର ସୁବିଧା ନଥିବାରୁ ସକାଳୁ ସକାଳୁ ରାସ୍ତା କଡ଼ରେ ବସି ବିକ୍ରି କରୁଥିବା କହିଛନ୍ତି । ଛୋଟ ବ୍ଯବସାୟ ପାଇଁ ହାଟପଦା ନାମକ ଏକ ନିୟମିତ ବଜାର ଥିଲେ ବି ତାକୁ କିଛି ମୁଷ୍ଟିମେୟ ବ୍ଯକ୍ତି ଓ ବ୍ଯବସାୟୀ ଅକ୍ତିଆର କରି ରଖିଥିବା ଉଠା ଦୋକାନୀ ଅଭିଯୋଗ କରିଛନ୍ତି । ତେଣୁ ଉଠାଦୋକାନୀଙ୍କ ସ୍ଥାୟୀ ପ୍ରତିକାର ନକଲେ କୌଣସି ମୁହୂର୍ତ୍ତରେ ବଡ଼ ଅଘଟଣ ଘଟିପାରେ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

ସହର ମଧ୍ଯରେ ଥିବା ଏହି ଜାତୀୟ ରାଜପଥରେ ପ୍ରତିଦିନ ଶହ ଶହ ଗାଡି ଯିବା ଆସିବା କରେ । ତେଣୁ ଅନେକ ସମୟରେ ପ୍ରଶାସନ ଦୋକାନୀଙ୍କୁ ଉଠାଇ ନିଏ । କିନ୍ତୁ ପିଣ୍ଡି ନଥିବାରୁ ପୁଣି ଥରେ ସେମାନେ ରାସ୍ତାକଡ଼କୁ ଚାଲି ଆସନ୍ତି । ସେପଟେ କୋରାପୁଟ ଜିଲ୍ଲାପାଳ କହିଛନ୍ତି, ଖୁବଶିଘ୍ର ନିୟମିତ ପରିବା ବଜାର କରାଯାଇ ଉଠା ଦୋକାନୀଙ୍କ ଥଇଥାନ ପାଇଁ ବ୍ଯବସ୍ଥା କରାଯିବ । ପର୍ଯ୍ୟଟନ ମାନଚିତ୍ରରେ କୋରାପୁଟର ଏକ ସ୍ବତନ୍ତ୍ର ସ୍ଥାନ ରହିଥିବାରୁ ଏହାକୁ ସ୍ବଚ୍ଛ ଓ ସୁନ୍ଦର କରିବାକୁ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।

ଦିନକୁ ଦିନ ବିଗିଡିବାରେ ଲାଗିଛି ରାଉରକେଲାର ଆଇନଶୃଙ୍ଖଳା

ରାଉରକେଲା  : ଅଶାନ୍ତ ହେବାରେ ଲାଗିଛି ଶାନ୍ତ ସହର । ଦିନକୁ ଦିନ ବିଗୁଡୁଛି ରାଉରକେଲା ଆଇନଶୃଙ୍ଖଳା । ପୁଣି ସହରରେ ଫୁଟିଛି ଗୁଳି । ପୋଲିସର କାର୍ଯ୍ଯାନୁଷ୍ଠାନ ନେଇ ତେଜୁଛି ଅସନ୍ତୋଷ । ରାଉରକେଲା ସେକ୍ଟର ୪ ପୋଷ୍ଟ ଅଫିସ ନିକଟରେ ଘଟିଛି ଗୁଳିକାଣ୍ଡ । ଗୁଳି ମାଡ଼ରେ ବିଜୟ କୁମାର ଲାକ୍ରା ଗୁରୁତର ଆହତ ହୋଇ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । କାରରେ ଯାଉଥିବାବେଳେ ଦୁଇଜଣ ଦୁର୍ବୃତ୍ତ ଗୁଳିମାଡ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଗୁଳିମାଡ ପରେ କାର ପାଚେରୀରେ ପିଟିହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ବାଲିଘାଟ ବ୍ୟବସାୟକୁ କେନ୍ଦ୍ରକରି ଏହି ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି । ଗୁଳି ମାଡ଼ ପରେ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଭୟଭୀତ ହୋଇ ପଡିଛନ୍ତି । ସନ୍ଧ୍ୟା ହେଲେ ଘରୁ ବାହାରିବାକୁ ଭୟ ଲାଗୁଥିବା କହିଛନ୍ତି ଲୋକେ ।

ଅତିରିକ୍ତ ଏସପି, ଡିଏସପିଙ୍କ ସହ ସେକ୍ଟର ୩ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ରାଉରକେଲା ସହରରେ ଗତ କିଛିମାସ ହେଲା ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ଓ ଟିକେ ଟିକେ ଟିକେ କଥାରେ ଗୁଳିମାଡ ହେଉଥିବାରୁ ସହରବାସୀ ଭୟଭୀତ ହୋଇ ପଡିଥିବା କହିଛନ୍ତି । ଡଵଲ ଇଞ୍ଜିନ ସରକାର ଆସିବା ପରେ ଗତ କିଛି ମାସ ଭିତରେ ଶାନ୍ତ ସହର ରାଉରକେଲା ଅଶାନ୍ତ ହୋଇଥିବା ଅଭିଯୋଗ କରିଛନ୍ତି ସାଧାରଣ ଜନତା  । ବାଲିଘାଟ ବ୍ୟବସାୟକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା ଅଭିଯୋଗ ହେବା ପରେ କିଛି ବ୍ୟବସାୟୀଙ୍କୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି । ବିଭିନ୍ନ ସ୍ଥାନର ସିସିଟିଭି ଯାଞ୍ଚ କରୁଛି ପୋଲିସ୍ ।