spot_img
Home Blog Page 1138

ନୂଆ ରୂପ ନେବ ବିଜେଡି ସଙ୍ଗଠନ, ନବୀନ ଗଢିବେ ନୂଆ ଟିମ୍

ଭୁବନେଶ୍ବର : ବିଜେଡି ଫୋକସରେ ସଙ୍ଗଠନ। ଅଢେଇରୁ ୩ ମାସ ଭିତରେ ବିଜେଡି ତାର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ଅଣ୍ଟା ଭିଡ଼ିଛି । ଦଳର ସାଙ୍ଗଠନିକ ନିର୍ବାଚନ ପରିଚାଳନା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ବରିଷ୍ଠ ବିଧାୟକ ପ୍ରତାପ ଦେବଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି। ତୃଣମୂଳସ୍ତରରୁ ସଙ୍ଗଠନକୁ ଅଧିକ ଶକ୍ତିଶାଳୀ କରିବା ସହ ନିର୍ଦ୍ଧାରିତ ସମୟରେ ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ । ଓ୍ବାର୍ଡ, ପଞ୍ଚାୟତ, ବ୍ଲକ, ପୌର ପରେ ଜିଲ୍ଲା, ରାଜ୍ୟ ପରିଷଦ ଓ ରାଜ୍ୟ କାର୍ଯ୍ୟକାରିଣୀ ଗଠନ କରାଯିବ। ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରୁ ଜଣେ ଲେଖାଏଁ ରାଜ୍ୟ ପରିଷଦକୁ ନିର୍ବାଚିତ ହେବେ। ରାଜ୍ୟ ପରିଷଦର ସଦସ୍ୟ ରାଜ୍ୟ କାର୍ଯ୍ୟକାରିଣୀକୁ ନିର୍ବାଚିତ କରିବେ। ଏସବୁ ପ୍ରକ୍ରିୟା ପାଇଁ ଅଢେରୁ ୩ ମାସ ସମୟ ଲାଗିବ ବୋଲି କହିଛନ୍ତି ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ ଦେବ।

ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ବିଜେଡି ନେତାଙ୍କ ମଧ୍ୟରେ ବଢ଼ିଛି ଉକଣ୍ଠା। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଏବେ ବି ବିଜେଡି ରାଜ୍ୟରେ ନମ୍ବର ଓ୍ବାନ ଦଳ ହୋଇ ରହିଛି । ତୃଣମୂଳସ୍ତରରେ ଦଳର ସଙ୍ଗଠନ ମଜବୁତ ଅଛି, ଆଗକୁ ଅଧିକ ଚଳଚଞ୍ଚଳ ହେବ। ସେହିପରି ବିଧାୟକ ରମେଶ ବେହେରାଙ୍କ କହିବା କଥା, ବିରୋଧୀ ଦଳ ଭାବେ ବିଜେଡି ଲୋକଙ୍କ ସ୍ବର ସାଜିଛି। ବିଭିନ୍ନ ସମସ୍ୟାକୁ ନେଇ ତୃଣମୂଳସ୍ତରରୁ ରାଜ୍ୟ ଯାଏ ଲଢ଼େଇ ଜାରି ରହିଛି। ଏବେ ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବା ସହ ଉତ୍ସାହ ବଢ଼ାଇବ ଦଳୀୟ ନିର୍ବାଚନ। ସୁପ୍ରିମୋ ନବୀନ ପଟ୍ଟନାୟକ ଦକ୍ଷ ଲୋକଙ୍କୁ ସବୁବେଳେ ଗୁରୁ ଦାୟିତ୍ବ ଦେଇଛନ୍ତି ବୋଲି କହିଛନ୍ତି ବିଧାୟକ ପ୍ରଦୀପ ଦିଶାରୀ। ସାଙ୍ଗଠନିକ ନିର୍ବାଚନ ପରେ ଦଳର ଛାମୁଆ ସଙ୍ଗଠନ ବି ନୂଆ ରୂପ ନେବ । ତେବେ ନବୀନଙ୍କ ନୂଆ ଟିମରେ କିଏ ସ୍ଥାନ ପାଇବ, ତାକୁ ନେଇ ଦଳୀୟ ଅନ୍ଦର ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଥିବାରୁ ୨୦୨୭ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି ।

କଣ ହେବ ଅଙ୍ଗନଓ୍ବାଡିର ଭବିଷ୍ୟତ? ତାକୁ ନେଇ ଦ୍ବନ୍ଦ୍ବରେ ସାରା ରାଜ୍ୟର ଅଙ୍ଗନଓ୍ବାଡି କର୍ମୀ

ଭୁବନେଶ୍ବର : ଜାତୀୟ ଶିକ୍ଷା ନୀତି-୨୦୨୦ର ଏକ ବିବାଦୀୟ ଦିଗକୁ ନେଇ ପ୍ରଶ୍ନ । ଲକ୍ଷ ଲକ୍ଷ ଅଙ୍ଗନଓ୍ବାଡି କର୍ମୀଙ୍କ ଭବିଷ୍ୟତ ଅନିଶ୍ଚିତତା ଆଡ଼କୁ ଠେଲି ହୋଇଗଲାଣି। ଶିଶୁ ବାଟିକା ୧ ଓ ୨କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନକୁ ନେବା ପାଇଁ ପ୍ରକ୍ରିୟା ଚାଲିଛି । ସ୍କୁଲ ଅଧୀନକୁ ଏହା ଗଲେ, ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ହେବାର ଭୟ ରହିଛି । ଏପରି ସ୍ଥିତିରେ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ କାମ କରୁଥିବା ଅଙ୍ଗନଓ୍ବାଡି କର୍ମଚାରୀଙ୍କ ଦରମା ଓ ସମ୍ମାନକୁ ନେଇ ଦ୍ବନ୍ଦ୍ବ ଉପୁଜିବ । ସେମାନେ ସ୍କୁଲରେ ପଢାଇବେ ନା ଶିକ୍ଷକମାନେ ପ୍ଲେ-ସ୍କୁଲ ପରି ଶିଶୁ ବାଟିକା ୧ ଓ ୨ ପଢାଇବେ, ତାହା ଏଯାଏ ସ୍ପଷ୍ଟ ହୋଇନି । ଯଦି ବି ସ୍କୁଲରେ ପଢାଇବେ, କେଉଁ ଯୋଗ୍ୟତା ଓ ଅଭିଜ୍ଞତା ନେଇ ପଢାଇବେ, ସେ ଚିନ୍ତା ବଢିଛି । ଚାକିରୀର ଅନିଶ୍ଚିତତା ଉପୁଜୁଥିବାରୁ ଅଙ୍ଗନବାଡି କର୍ମୀ ଓ ସହଯୋଗୀମାନେ ମାନସିକ ଚାପରେ ପଡ଼ିଛନ୍ତି । ଏହା ବିରୋଧରେ ଡବଲ ଇଂଜିନ ସରକାରକୁ ଟାର୍ଗେଟ କରି ଅଲ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ମହାସଂଘ ଅଙ୍ଗନବାଡି କର୍ମୀଙ୍କ ଭୂମିକା ଓ ସହକର୍ମୀମାନଙ୍କ ସପଲୀମେଣ୍ଟାରୀ ନ୍ୟୁଟ୍ରିସନାଲ ପ୍ରୋଗ୍ରାମ ନେଇ ସ୍ପଷ୍ଟୀକରଣ ଦାବି କରିଛି ।

ଅଙ୍ଗନଓ୍ବାଡି କର୍ମୀଙ୍କ ଭବିଷ୍ୟତ ଦୁର୍ଦ୍ଦିନକୁ ଠେଲି ହେଉଥିବାରୁ, ବିଜେଡି ମଧ୍ୟ ଏହି ସରକାରୀ ଯୋଜନାକୁ ବିରୋଧ କରିଛି । ସରକାର ନିଷ୍ପତ୍ତି ନ ବଦଳାଇଲେ ବିଜୁ ଜନତା ଦଳ ଶ୍ରମିକ ସାମ୍ମୁଖ୍ୟ ଆନ୍ଦୋଳନ କରିବାର ଚେତାବନୀ ଦେଇଛି । କାରଣ ଏହା ଅଙ୍ଗନଓ୍ବାଡି ସହ ଆଶା କର୍ମୀଙ୍କ ଜୀବନକୁ ବି ପ୍ରଭାବିତ କରିବ । ଗରିବ ଶିଶୁ ଅଙ୍ଗନଓ୍ବାଡି କେନ୍ଦ୍ରରେ ପ୍ଲେ-ସ୍କୁଲ ଢାଞ୍ଚାରେ ପଢୁଥିଲେ । ସ୍ବଳ୍ପ ଦରମାରେ ଉଭୟ ମାଆ ଓ ଶିଶୁଙ୍କ ଯତ୍ନ ନିଅନ୍ତି ଅଙ୍ଗନଓ୍ବାଡି କର୍ମୀ । ଯଦି ସେମାନଙ୍କୁ ନୂତନ ନିୟମର ସ୍ପଷ୍ଟୀକରଣ ନ ଦିଆଯାଏ, ତାହା ଶିଶୁମାନଙ୍କ ଯତ୍ନ କାର୍ଯ୍ୟକ୍ରମରେ ଅଙ୍ଗନଓ୍ବାଡି କର୍ମଚାରୀଙ୍କ ଚାପ ବଢାଇବ ।

ବଜେଟ ଅଧିବେଶନ ପୂର୍ବରୁ ବୟାନ ଝଡ଼, ବାଚସ୍ପତିଙ୍କ ବୟାନକୁ ନେଇ ଘେରିଲେ ବିରୋଧୀ

ଭୁବନେଶ୍ବର : ବିରୋଧୀଙ୍କ ବିଶୃଙ୍ଖଳାକୁ କରାଯିବନି ବରଦାସ୍ତ। ବଜେଟ ଅଧିବେଶନର ପୂର୍ବରୁ ବିରୋଧୀ ଦଳଙ୍କୁ ବାଚସ୍ପତି ସୁରୁମା ପାଢ଼ୀଙ୍କ ଚେତାବନୀ ରାଜ୍ୟ ରାଜନୀତିରେ ନିଆଁ ଲଗାଇଛି। ମୁଖ୍ୟ ବିରୋଧୀ ବିଜେଡି କହିଛି, ବିଧାନସଭାରେ ବାଚସ୍ପତି ବିରୋଧୀଙ୍କ ସ୍ବରକୁ ଚପାଇ ଦେବାକୁ ନାଲିଆଖି ଦେଖାଉଛନ୍ତି । ଯାହା କେବେ ଗ୍ରହଣୀୟ ନୁହେଁ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ସରକାରଙ୍କ ଦୋଷ ଦୋଷ ତ୍ରୁଟିକୁ ଗୃହରେ ଉପସ୍ଥାପନ କରାଯିବ। ବାଚସ୍ପତି ନାଲି ଆଖି କି ଧମକ ଦେଖାଇ ବିରୋଧୀଙ୍କୁ  ସ୍ବରକୁ ବନ୍ଦ କରିପାରିବେ ନାହିଁ। ବିଜେଡି ଲୋକଙ୍କ ସ୍ବର ସାଜି ଗୃହରେ ଲୋକଙ୍କ କଥା ଉଠାଇବ। ତେଣୁ ବାଚସ୍ପତି ନିଜ ପଦ ମର୍ଯ୍ୟାଦା ରକ୍ଷା କରନ୍ତୁ ବୋଲି କହିଛନ୍ତି ପ୍ରମିଳା। ସେପଟେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ବାଚସ୍ପତିଙ୍କ ବୟାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପ୍ରଥମେ ବାଚସ୍ପତି ସବୁ ଦଳକୁ ସମାନ ଦୃଷ୍ଟିରେ ଦେଖନ୍ତୁ। ଯଦି ଗୃହରେ ବାଚସ୍ପତି ଶାସକ ଓ ବିରୋଧୀ ଦଳକୁ ସମାନ ଦୃଷ୍ଟିରେ ଦେଖିବେ ତେବେ ବିଶୃଙ୍ଖଳା ହେବ ନାହିଁ ବୋଲି କହିଛି କଂଗ୍ରେସ।

ବାଚସ୍ପତିଙ୍କ ବୟାନକୁ ନେଇ ଦଳୀୟ ରାଜନୀତି ବି ଉଷ୍ମ ହୋଇଛି। ବାଚସ୍ପତିଙ୍କ ଉକ୍ତି ହାସ୍ୟାସ୍ପଦ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ। ଯଦି ବିଧାନସଭାରେ ବିରୋଧୀ କୌଣସି ପ୍ରସଙ୍ଗ ଉଠାନ୍ତି, ତେବେ ଗୃହକୁ ସୁରୁଖୁରୁରେ ଚଳାଇବା ବାଚସ୍ପତିଙ୍କ ଦାୟିତ୍ୱ। ହଟ୍ଟଗୋଳ ଅଚଳାବସ୍ଥା ପାଇଁ ଦାୟୀ ରହିବେ ବାଚସ୍ପତି। ବିରୋଧୀ ଦଳର କଣ୍ଠରୋଧ କରି ସରକାରୀ ଦଳକୁ ପ୍ରାଧାନ୍ୟ ଦେଲେ ହଟ୍ଟଗୋଳ ହେବ ବୋଲି କହିଛନ୍ତି ପ୍ରତାପ ଦେବ। ଅନ୍ୟପଟେ ବିଜେପି କହିଛି, ସମସ୍ତେ ନିଜ ଦାୟିତ୍ବ ତୁଲାଇବା ସହ ଶୃଙ୍ଖଳା ରକ୍ଷା କରିବା ଦରକାର। ତେବେ ମହିଳା ବାଚସ୍ପତିଙ୍କୁ ବ୍ୟବହାର ନେଇ ବିଜେପି ପ୍ରଶ୍ନ ଉଠାଇଥିବା ବେଳେ, ଜବାବ ଦେଇଛି ବିଜେଡି।

ଫେବୃଆରୀ ୧୩ ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ। ସରକାରଙ୍କ ବିଫଳତାକୁ ନେଇ ବିରୋଧୀ ଗୃହରେ ଘେରିବାକୁ ସଜବାଜ ହେଉଥିବା ବେଳେ, ବାଚସ୍ପତିକୁ ବୟାନକୁ ନେଇ ସୃଷ୍ଟି ହୋଇଛି ଝଡ଼। ଶାସକ ଦଳକୁ ଅକଳରେ ପକାଇବା ପାଇଁ ବିରୋଧୀ ତୟାର ଥିବା ବେଳେ, ବିରୋଧୀଙ୍କ ସ୍ବରକୁ ଚପାଇଦେବାକୁ ଏବେଠାରୁ ଉଦ୍ୟମ ଆରମ୍ଭ ହେବାକୁ ନେଇ ଉଷ୍ମ ହୋଇଛି ରାଜ୍ୟ ରାଜନୀତି।

ରାଜଧାନୀରେ ମିଳିବ ମିନି ଜୁରାସିକ୍ ପାର୍କର ମଜା, ଦେଖିବାକୁ ମିଳିବ ଭଳକି ଭଳି ଡାଇନୋସର କଳାକୃତି

ଭୁବନେଶ୍ବର : ରାଜଧାନୀରେ ମିନି ଜୁରାସିକ୍ ପାର୍କର ମଜା । ଭଳିକି ଭଳି ଡାଇନୋସର କଳାକୃତି ଦେଖିବା ସହ ସାଉଁଣ୍ଟିବେ ଘଞ୍ଚ ଜଙ୍ଗଲରେ ବୁଲିବାର ଅନୁଭୂତି  । ତା ସହ ହାତୀ, ବାଘ, ସିଂହ, ଗରିଲା ଓ ବଣମଣିଷର ଦେଖିବାକୁ ମିଳିବ ନିଖୁଣ ମୂର୍ତ୍ତି ।  ଭିତରକୁ ପଶିଗଲେ ହଲିଉଡ ଚଳଚ୍ଚିତ୍ର ଜୁରାସିକ୍ ପାର୍କର ଭ୍ରମ ସୃଷ୍ଟି । କିଛି କ୍ଷଣ ଦେଖିଲେ ଲାଗିବ, ଡାଇନୋସର ଯୁଗକୁ ଚାଲିଗଲା ଭଳି  । ହେଲେ ଏହା କୌଣସି ହଲିଉଡ ଚଳଚ୍ଚିତ୍ର କିମ୍ବା ସତସତିକା ଜଙ୍ଗଲ ନୁହେଁ, ଭୁବନେଶ୍ଵରର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ଦୃଶ୍ୟ । ଯେଉଁଠି ଏବେ ନିର୍ମାଣ ଚାଲିଛି ଏକ ଜୀବନ୍ତ ଡାଇନୋସର ପାର୍କ। ଟ୍ଯାଗ ଲାଇନ ରହିଛି  ଇନ ଦ ପ୍ରି-ହିଷ୍ଟୋରିକ କିଙ୍ଗଡମ । ଏହି ପାର୍କରେ ସ୍ବୟଂଚାଳିତ ଡାଇନୋସରଙ୍କୁ ଦେଖିବାକୁ ମିଳିବ। ଏଥିପାଇଁ ଜୋରସୋରରେ କାମ ଚାଲିଛି। ସନ୍ଧ୍ଯା ହେଲେ ଶୁଣିବାକୁ ମିଳିବ ଗର୍ଜନ । ରଙ୍ଗ ବେରଙ୍ଗର ଆଲୋକ ସାଙ୍ଗକୁ ଗୁମ୍ଫା ବି ଦେଖିବାକୁ ମିଳିବ। ଏହା ସହିତ ଜଙ୍ଗଲ ଭିତରେ ସିମେଣ୍ଟରେ ତିଆରି ହୋଇଛି ଝରଣା । ଜଙ୍ଗଲୀଜନ୍ତୁ ଓ ପକ୍ଷୀର ଶଦ୍ଧ ସାଙ୍ଗକୁ ଝରଣାର କୁଳୁ କୁଳୁ ନାଦ। ଯିଏ ବି ଥରେ ପଶିବ, ସେଠାରୁ ବାହାରିବାକୁ ମନେ କରିବ ନାହିଁ । ୯୦ ପ୍ରତିଶତ କାମ ସରିଥିବା ବେଳେ ଖୁବଶୀଘ୍ର ଲୋର୍କାପିତ ହେବ ବୋଲି ପ୍ରଜେକ୍ଟ କୋର୍ଡିନେଟର କହିଛନ୍ତି।

ଆଚାର୍ଯ୍ଯ ବିହାର ସାଇନ୍ସ ପାର୍କ ଭିତରେ  ଥିବା ପ୍ରାୟ ଅଢେଇ ଏକର  ଜାଗାରେ ନିର୍ମିତ ହୋଇଛି।  ପୂର୍ବରୁ ମଧ୍ୟ ଏହି ପ୍ରି- ହିଷ୍ଟୋରିକ୍ ପାର୍କ ଏଠାରେ ଥିଲା । ଏହି ପାର୍କରେ ବିଲୁପ୍ତପ୍ରାୟ ଡାଇନୋସର, ସେମାନେ କରୁଥିବା ଗର୍ଜନ,ଅଙ୍ଗଭଙ୍ଗୀ ସମେତ ଆଦିମ ମଣିଷର କାହାଣୀ ପ୍ରଦର୍ଶିତ ହେଉଥିଲା। ଡାଇନୋସରଙ୍କ ସହ ଏହି ପାର୍କରେ ପୃଥିବିରେ ଜୀବନର କ୍ରମ ବିବର୍ତ୍ତନର କାହାଣୀକୁ ଅଡିଓ ଭାବେ ପ୍ରଦର୍ଶିକ କରାଯାଇଥିଲା  । କିନ୍ତୁ ଫନି ବାତ୍ୟା ଏହାକୁ ଉଜାଡ଼ି ଦେଇଥିଲା । ଏବେ ପାର୍କର ପୁନରୁଦ୍ଧାର ପରେ ଦୀର୍ଘ ୬ବର୍ଷ ପରେ ଏହି ଡାଇନୋସର ପାର୍କ ଖୋଲିବାକୁ ଯାଉଛି। ବର୍ତ୍ତମାନ ଏହି ପାର୍କ ନୂଆ ରୂପ ମଧ୍ୟ ନେଉଛି। ଡାଇନୋସରଙ୍କ ସହ ଅନ୍ୟ ପ୍ରାଣୀଙ୍କ ପ୍ରତିକୃତି ଏଠାରେ ଖଞ୍ଜା ଯାଇଥିବା ବେଳେ ଚାରିପାଖେ ପାଚେରୀ ବୁଲାଯାଇଛି ଓ ରଙ୍ଗ କାମ ଚାଲିଛି। ଏବେ ଏହାର ନାଁ ରଖାଯାଇଛି ‘ଡାଇନୋସର ଜୀବନ୍ତ, ପ୍ରାକ ଐତିହାସିକ ସାମ୍ରାଜ୍ୟ’। ଆସନ୍ତା ଫେବୃୟାରୀ ମାସରେ ଏହି ଜୀବନ୍ତ ଡାଇନାସର ପାର୍କଟି ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଅଞ୍ଚଳିକ ବିଜ୍ଞାନ କେନ୍ଦ୍ରର ପକ୍ଷରୁ ସୂଚନା ଦିଆଯାଇଛି

ଜୟପୁର ଭେଣ୍ଡିଂ ଜୋନ୍ ପାଲଟିଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ

ଜୟପୁର : ଆଦିବାସୀ ବ୍ୟବସାୟ କରି ରୋଜଗାରକ୍ଷମ ହେବେ । ଲୋକେ ବି ସୁବିଧାରେ ଜିନିଷ ପାଇବେ । ଅଞ୍ଚଳର ବିକାଶ ସହ ବେପାରବାଣିଜ୍ୟର ଉନ୍ନତ୍ତି ନେଇ ରହିଥିଲା ଆଶା । ହେଲେ ନିର୍ମାଣକୁ  ୧୦ ବର୍ଷ ପୂରିବାକୁ ବସିଥିଲେ ବି କାର୍ଯ୍ୟକ୍ଷମ ହୋଇ ପାରୁନି ଭେଣ୍ଡିଂ ଜୋନ୍ । ଫଳରେ ଏହା ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳି ପାଲଟିଛି । ଜୟପୁର ସହରରେ ୨୦୧୪  ମସିହାରେ ତତ୍କାଳୀନ ମନ୍ତ୍ରୀ ରବି ନାରାୟଣ  ନନ୍ଦ ପ୍ରାୟ ୬୦ ଟି ଷ୍ଟଲକୁ ନେଇ ଶୁଭାରମ୍ବ କରିଥିଲେ ବିଜୁ ଭେଣ୍ଡିଂ ଜୋନ । ଏବେ ଷ୍ଟଲ ଗୁଡିକ ଭାଙ୍ଗିରୁଜି ଗଲାଣି ।  ସଂଧ୍ଯା ହେଲେ ଗଞ୍ଜେଇ ମଦ କାରବାର ଚାଲିଛି । ଭେଣ୍ଡିଂ ଜୋନର 60 ଟି ଷ୍ଟଲ ମଧ୍ଯରୁ 56 ଟି ଟେଣ୍ଡର ମାଧ୍ୟମରେ ନେଇଥିଲେ କ୍ଷୁଦ୍ର ବ୍ୟବସାୟୀ । କିନ୍ତୁ ପୌରପାଳିକା ସେଠାରେ ଆନୁସଙ୍ଗିକ ବ୍ୟବସ୍ଥା କରିପାରନଥିବାରୁ ସେଠାରେ ବ୍ୟବସାୟ କରିବା ସମ୍ଭବପର ନୁହେଁ । ସେଥିମଧ୍ଯରୁ ୪୦ଟି ଷ୍ଟଲର ମାଲିକ ମାନେ ଷ୍ଟଲ୍ ଫେରାଇ ଦେଇଥିଲେ । ଏବେ ମାତ୍ର 16 ଜଣ ସେଠାରେ ଷ୍ଟଲ୍ ଭଡା ପୌରପାଳିକାରୁ ପୈଠ କରୁଥିଲେ ମଧ୍ଯ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରୁନାହିଁ । ଏନେଇ ବ୍ୟବସାୟୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି ।   ବିଜୁ ଭେଣ୍ଡିଂ ଜୋନ କୁ ପୁନଃନିର୍ମାଣ କରି ଆଦିବସୀ ବଜାର କରିବାକୁ ସାଧାରଣରେ ଦାବି ହୋଇଛି ।

ଭେଣ୍ଡିଂଜୋନ୍ ଜଗନ୍ନାଥ ସାଗର କୂଳରେ ରହିଛି ।  ଏହାର ମୂଳ ଜମିର ମାଲିକାନା ମତ୍ସ ବିଭାଗ ଅଧିନରେ ରହିଛି । ମତ୍ସ ବିଭାଗ ପୌରପାଳିକାକୁ ହସ୍ତାନ୍ତର କରିବାକୁ ଉଦ୍ୟମ ଜାରି ରଖିଛି  । ଏହା ହେଲା ପରେ ବିଜୁ ଭେଣ୍ଡିଂ ଜୋନକୁ ପୁନଃ ମରାମତି କରି କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ପୌରପାଳିକା ଅଧ୍ୟକ୍ଷ । ଏହାସହ ବିଜୁ ଭେଣ୍ଡିଂ ଜୋନ ରେ ଅସମାଜିକ କାର୍ଯ୍ୟକଳାପ କୁ ଦୃଷ୍ଟି ଦେବାକୁ ପୋଲିସକୁ ଅନୁରୋଧ କରାଯିବ ବୋଲି କହିଛନ୍ତି । ବିଜୁ ଭେଣ୍ଡିଂ ଜୋନ ୬୦ଟି ଷ୍ଟଲ୍ ଖାଲି ପଡିଥିବା ବେଳେ ଏହାକୁ ପୁଣି କାର୍ଯ୍ୟକ୍ଷମ କରିବାକୁ ସବୁ ସ୍ତରେ ଦାବି ହୋଇଛି ।

୨୩ ଦିନରେ ପହଞ୍ଚିଲା ରାଉରକେଲା ବିମାନ ବନ୍ଦର ଆଗରେ ଗଣଧାରଣା

ରାଉରକେଲା : ୨୩  ଦିନରେ ପହଞ୍ଚିଲା ରାଉରକେଲା ବିମାନ ବନ୍ଦର ଆଗରେ ଚାଲିଥିବା ଗଣ ଧାରଣା । ଏୟାରପୋର୍ଟ ଆକସନ କମିଟିର ଆନ୍ଦୋଳନକୁ କିନ୍ତୁ କାହାର ନାହିଁ ନିଘା । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଅବହେଳାକୁ ନେଇ ବଢୁଛି ଅସନ୍ତୋଷ । ବିମାନ ବନ୍ଦରର ବିଭିନ୍ନ ସମସ୍ୟାର ସମାଧାନ ଦାବି କରି ବିମାନ ବନ୍ଦର ସମ୍ମୁଖରେ ଜାନୁୟାରୀ ଏକ ତାରିଖ ଠାରୁ ଗଣ ଧାରଣା ଦିଆଯାଇଛି । ଆନ୍ଦୋଳନକୁ ୨୨ ଦିନ ବିତିଥିଲେ ମଧ୍ୟ ଦାବି ପୁରଣ କରିବା ତ ଦୂରର କଥା ଆଲୋଚନା ପାଇଁ କେହି ବି ଅଧିକାରୀ ଆସୁନାହାନ୍ତି । ଏହାକୁ ନେଇ  ରାଉରକେଲା ସହରବାସୀ ଓ ବିମାନ ଯାତ୍ରୀମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଉରକେଲା ବିମାନ ବନ୍ଦରର ସମସ୍ୟା ସମାଧାନ କରାଯାଉ ନଥିବାରୁ ବାରମ୍ବାର ବିମାନ ସେଵା ଵାତିଲ ହେଉଥିବା ଯୋଗୁଁ ଯାତ୍ରୀମାନେ ଵହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।

ରାଉରକେଲା ବିମାନ ବନ୍ଦରର ମାଲିକାନା ସେଲ ଠାରୁ ନେଇ ଏୟାରପୋର୍ଟ ଅଥରିଟିକୁ ଦେବା, ଇନଷ୍ଟ୍ରୁମେଣ୍ଟ ଲାଣ୍ଡିଙ୍ଗ ସିଷ୍ଟମ ILS ଓ ନାଇଟ ଲାଣ୍ଡିଙ୍ଗ ସିଷ୍ଟମ NLS ଲଗାଇଵା ପାଇଁ ଦାବି କରାଯାଇଛି । ଏହାସହ ରାଉରକେଲା ବିମାନ ବନ୍ଦର 4C ଲାଇସେନ୍ସ ଏୟାରପୋର୍ଟ କରିବା ପାଇଁ ଦାବି କରାଯାଇ  ଆନ୍ଦୋଳନ କରାଯାଉଛି । ପାଗ ଖରାପ ହେଲେ ରାଉରକେଲା ବିମାନ ବନ୍ଦରରୁ ବିମାନ ଚଳାଚଳ ବନ୍ଦ ରହୁଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଆସନ୍ତା ଦିନରେ ଆନ୍ଦୋଳନରେ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ନିଷ୍ପତ୍ତି ହୋଇଛି । ଆନ୍ଦୋଳନକୁ  ବିଭିନ୍ନ ଗଣ ସଂଗଠନ, ଶ୍ରମିକ ସଂଗଠନ ବିଭିନ୍ନ ରାଜନୈତିକ ଦଳ ଓ ସହରବାସୀ  ସମର୍ଥନ କରିଛନ୍ତି । ରାଉରକେଲା ବିମାନ ବନ୍ଦରର ବିଭିନ୍ନ ସମସ୍ୟା ସମାଧାନ ପାଇଁ  ସର୍ଭେ କରାଯାଇ ରିପୋର୍ଟ ଏୟାରପୋର୍ଟ ଅଥରିଟିକୁ ପ୍ରଦାନ କରାଯାଇଛି । ଏବେ ସମସ୍ୟାର ସାମଧାନ ପାଇଁ କନ୍ଦ୍ର ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ମହାନଗର ନିଗମ କମିଶନର ।

ପ୍ରେସର ହର୍ଣ୍ଣ ଲଗାଇ ପେଁ ପାଁ କଲେ କଟିବ ଫାଇନ

ଭୁବନେଶ୍ବର : ରାଜଧାନୀ ରାଜରାସ୍ତାରେ ଚଳିବନି ମାମଲତି। ପ୍ରେସର ହର୍ଣ୍ଣ ଲଗାଇ ପେଁ ପାଁ କଲେ କଟିବ ଫାଇନ। ବସର ବିକଟାଳ ହର୍ଣ୍ଣରେ ଅତିଷ୍ଠ ହୋଇଥିଲେ ରାଜଧାନୀବାସୀ । ହର୍ଣ୍ଣର ଶବ୍ଦ ଏତେ ବିକଟାଳ ଓ ପ୍ରଚଣ୍ଡ ଯେ ସାଧାରଣ ଲୋକ ବି ପ୍ରଭାବିତ ହେଉଥିଲେ । ବିଶେଷକରି ବୃଦ୍ଧ, ଶିଶୁ ଓ ଗର୍ଭବତୀ ମହିଳାମାନଙ୍କ ଉପରେ ଏହାର ଅଧିକ କୁ-ପ୍ରଭାବ ପଡୁଥିଲା । ଶବ୍ଦ ପ୍ରଦୂଷଣ ନେଇ ବାରମ୍ବାର ଅଭିଯୋଗ ପରେ ଏବେ ଆକ୍ସନ ମୋଡ଼କୁ ଆସିଛି ଭୁବନେଶ୍ୱର ଟ୍ରାଫିକ ପୋଲିସ। ବାଣୀବିହାର ଛକରେ ହୋଇଛି ମାରାଥନ ଚେକିଂ । ଖୋଲାଯାଇଛି ପ୍ରେସର ହର୍ଣ୍ଣ । କଟାଯାଇଛି ମୋଟା ଅଙ୍କର ଫାଇନ । ଗତ ୩ ଦିନ ଧରି ଏଭଳି ଚେକିଂ ଚାଲିଥିବା ବେଳେ ଆଗାମୀ ଦିନରେ ଏହା ବଳବତ୍ତର ରହିବ ବୋଲି କହିଛନ୍ତି ଟ୍ରାଫିକ ଡିସିପି । ସେପଟେ ପ୍ରେସର ହର୍ଣ୍ଣ ନବଜାଇଲେ ଲୋକେ ସାଇଡ ହେଉନାହାନ୍ତି ବୋଲି ଯୁକ୍ତି ବାଢିଛନ୍ତି ଗାଡି ଡ୍ରାଇଭର। ଗାଡି ଚେକିଂ ସହ ଏଭଳି ହର୍ଣ୍ଣ ବିକ୍ରି କରୁଥିବା ଦୋକାନରେ ଚଢ଼ାଉ ର ଆବଶ୍ୟକତା ଥିବା କହିଛନ୍ତି ବସ କର୍ମଚାରୀ ।

ଦୁଇଦିନ ତଳେ ରାସ୍ତାରେ ଯାଉଥିବା ରୋଡ଼ ରୋମିଓ ଙ୍କ ରଙ୍ଗୀନ ମିଜାଜକୁ ଫିକା କରିଦେଇଥିଲା ପୋଲିସ। ମଡିଫାଏଡ଼ ସାଇଲେନ୍ସର, ସ୍ପୀଡ଼ ଡ୍ରାଇଭିଂ, ରଙ୍ଗ ରୁଟ ଡ୍ରାଇଭିଂ, ଟ୍ରିପଲ ରାଇଡିଂ, ପଲ୍ୟୁସନ, ହେଲମେଟ ନିୟମ ମାନୁନଥିବା ଟ୍ରାଫିକ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପେସାଦାର ଖିଲାପକାରୀଙ୍କ ଗାଡି ସିଜ କରାଯାଇଛି । ଚାଳକଙ୍କୁ ଫାଇନ ସହ ପିଆର ବଣ୍ଡ ରେ ଛଡ଼ାଯାଇଛି । କର୍କଶ ଶବ୍ଦ କରୁଥିବା ସାଇଲେନ୍ସର କଢ଼ାଯାଇଛି। ଦୁର୍ଘଟଣା ହାର ବଢିବା ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିବା ସହ ପୋଲିସ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଆଗାମୀ ଦିନରେ ରୋଡ଼ ସେଫଟି କ୍ୟାମ୍ପେନକୁ ଆହୁରି ବ୍ୟାପକ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର । ବିଗତ ୧୦ ବର୍ଷରେ ରାଜ୍ୟରେ ୫୦ ହଜାରରୁ ଉର୍ଦ୍ଧ୍ବ ଦୁର୍ଘଟଣା ଘଟିଛି । ପାଣି ଫୋଟକା ଭଳି ଝଡି ପଡୁଛି ଜୀବନ। ସୁପ୍ରିମକୋର୍ଟ ରୋଡ଼ ସେଫଟି କମିଟିର ଉଦବେଗ ପରେ ଏବେ ଆକ୍ସନ ମୋଡ଼କୁ ଆସିଛି କମିଶନରେଟ ପୋଲିସ ।

୨୦୨୪ ମସିହାରେ ଏହି ଦେଶ ପରିଦର୍ଶନ କଲେ ୭୪୭ ନିୟୁତ ପର୍ଯ୍ୟଟକ

ନୂଆଦିଳ୍ଲୀ : ୨୦୧୯ ମସିହାରେ କୋଭିଡ୍ -୧୯ର ପାଇଁ ସମଗ୍ର ବିଶ୍ୱରେ ପର୍ଯ୍ୟଟନ ଉପରେ ଏକ ରୋକ ଥିଲା  ।  ଲୋକମାନଙ୍କ ଯାତାୟତ ବନ୍ଦ ହୋଇଯିବା ଫଳରେ ପର୍ଯ୍ୟଟକଙ୍କ ବେଶୀ ଭ୍ରମଣ କରିନଥିଲେ । କିନ୍ତୁ ମିଳିତ ଜାତିସଂଘ ବିଶ୍ୱ ପର୍ଯ୍ୟଟନ ସଂଗଠନ (UNWTO)ର ରିପୋର୍ଟ ଅନୁଯାୟୀ, ୨୦୨୪ ମସିହାରେ ପର୍ଯ୍ୟଟନରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି ।

୨୦୨୪ ମସିହାରେ ଲୋକମାନେ ଥାଇଲ୍ୟାଣ୍ଡ କିମ୍ବା ମାଲେସିଆ ଠାରୁ  ୟୁରୋପରେ ବହୁ ସଂଖ୍ୟାରେ ପହଞ୍ଚିଛନ୍ତି । ୨୦୨୪ ମସିହାରେ ପ୍ରାୟ ୧.୪ ବିଲିୟନ ଲୋକ ଆନ୍ତର୍ଜାତୀୟ ସ୍ତରରେ ଯାତ୍ରା କରିଥିଲେ । ସେଥିମଧ୍ୟରୁ ୭୪୭ ମିଲିୟନ ଲୋକ ୟୁରୋପକୁ ଯାଇଥିଲେ । ଫ୍ରାନ୍ସ ସମଗ୍ର ବିଶ୍ୱରେ ସର୍ବାଧିକ ପର୍ଯ୍ୟଟକଙ୍କ ସଂଖ୍ୟାରେ ପହଞ୍ଚିଛି। ୨୦୨୪ ମସିହାରେ ୧୦୦ ମିଲିୟନରୁ ଅଧିକ ପର୍ଯ୍ୟଟକ ଫ୍ରାନ୍ସ ପରିଦର୍ଶନ କରିଛନ୍ତି । ଏହା ପରେ ସ୍ପେନ ଦ୍ୱିତୀୟ ସ୍ଥାନରେ ରହିଲା, ୯୮ ମିଲିୟନ ପର୍ଯ୍ୟଟକ ସ୍ପେନରେ ଯାଇଥିଲେ ।

ଫ୍ରାନ୍ସରେ ରେକର୍ଡ ହୋଇଥିବା ଶହେ ମିଲିୟନ ପର୍ଯ୍ୟଟକଙ୍କ ପଛରେ ଅନେକ କାରଣ ଅଛି । ଯେଉଁଥିରେ ସମର ଅଲିମ୍ପିକ୍ସ, ପ୍ୟାରିସର ଆଇକନିକ୍ ନୋଟ୍ ଡେମ୍ କ୍ୟାଥେଡ୍ରାଲର ପୁନଃ ଖୋଲିବା ଏବଂ ନର୍ମାଣ୍ଡିରେ ଡି-ଡେ ଅବତରଣର ୮୦ ତମ ବାର୍ଷିକୀ ହେଉଛି ତିନୋଟି ପ୍ରମୁଖ ଜିନିଷ ଯାହା କାରଣରୁ ଦେଶରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଲା  । ଫ୍ରାନ୍ସର ପର୍ଯ୍ୟଟନ ବିକାଶ ଶିଳ୍ପ ଅନୁଯାୟୀ, ୨୦୨୩ ମସିହାରେ୫ ଲକ୍ଷ ୫୦ ହଜାର ଭାରତୀୟ ଫ୍ରାନ୍ସ ଯାଇଥିଲେ। ତେବେ, ୨୦୧୯ ବର୍ଷରେ ଏହି ସଂଖ୍ୟା ୭ ଲକ୍ଷ ଥିଲା  ।

ଏହା ସହିତ କେବଳ ୟୁରୋପରେ ନୁହେଁ, ମଧ୍ୟ ପୂର୍ବ ଏବଂ ଏସିଆରେ ମଧ୍ୟ ବହୁ ସଂଖ୍ୟକ ପର୍ଯ୍ୟଟକ ଆସିଥିଲେ । UNWTO ରିପୋର୍ଟ ଅନୁଯାୟୀ, ଏସିଆରେ ୩୧୬ ମିଲିୟନ ପର୍ଯ୍ୟଟକ ରେକର୍ଡ ହୋଇଥିଲେ । ଏଥି ସହିତ ପର୍ଯ୍ୟଟକଙ୍କ ସଂଖ୍ୟା ଆମେରିକାରେ ୨୧୩ ମିଲିୟନ ଏବଂ ମଧ୍ୟ ପୂର୍ବରେ ୯୫ ମିଲିୟନରେ ରେକର୍ଡ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ, ମଧ୍ୟ ପୂର୍ବରେ କତାରର ପର୍ଯ୍ୟଟନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। କତାରରେ ପର୍ଯ୍ୟଟନରେ ୧୩୭ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି। ଦେଶର ଭିତ୍ତିଭୂମିରେ ପରିବର୍ତ୍ତନ ହେତୁ ପର୍ଯ୍ୟଟନ ବୃଦ୍ଧି ପାଇଛି। ୨୦୨୪ ମସିହାରେ କାତାର ଏୟାରୱେଜ୍ ବିଶ୍ୱର ସର୍ବୋତ୍ତମ ବିମାନ ସେବା ଭାବରେ ନାମିତ ହୋଇଥିବାବେଳେ ଦୋହାଙ୍କ ହେମାଦ୍ ଇଣ୍ଟରନ୍ୟାସନାଲ୍ ବିଶ୍ୱର ସର୍ବୋତ୍ତମ ବିମାନବନ୍ଦର ଆଖ୍ୟା ଅର୍ଜନ କରିଛି ।

ପିକନିକ ପାଇଁ ଚଳଚଞ୍ଚଳ ଯାଜପୁରର ମହାବିନାୟକ ଶୈବ ପୀଠ

ଚଣ୍ଡୀଖୋଲ : ଶୀତୁଆ ପାଗକୁ ଜମୁଛି ଭୋଜିଭାତର ଆସର। ନାଚ ଗୀତରେ କମ୍ପୁଛି ପରିବେଶ । ପିକିନିକ ଋତୁ ପାଇଁ ଚଳଚଞ୍ଚଳ ହୋଇ ପଡିଛି ଯାଜପୁର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମହାବିନାୟକ ଶୈବ ପୀଠ। ସବୁଜ ବନାନୀ ଭରା ପରିବେଶ ମଧ୍ୟରେ ରହିଛି ପ୍ରଭୁ ମହାବିନାୟକଙ୍କ ପୀଠ । ଯେଉଁଠି ଗୋଟିଏ ସ୍ଥାନରେ ପୂଜା ପାଉଛନ୍ତି ପଞ୍ଚ ଦେବତା । ଏଠାରେ ବହୁ ଦୂରାଦୂରାନ୍ତରୁ ଆସୁଥିବା ପର୍ଯ୍ଯଟକ ମାନଙ୍କ ଭିଜ ଜମୁଛି । ପ୍ରଭୁଙ୍କ ଦର୍ଶନ କରିବା ସହିତ ବଣଭୋଜି କରୁଛନ୍ତି ହଜାର ହଜାର ପର୍ଯ୍ଯଟକ । ବର୍ଷ ତମାମ ଏଠାକୁ ପର୍ଯ୍ୟଟକ ଆସୁଥିବା ବେଳେ ପିକିନିକ ସମୟରେ ଏଠାରେ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ହେଉଛି। ମହାବିନାୟକଙ୍କ ପୀଠକୁ ଯିବା ପାଇଁ ଗମନାଗମନର ସୁବିଧା ଥିବାରୁ ପର୍ଯ୍ୟଟକମାନେ ବେଶ ଖୁସି ପ୍ରକାଶ କରିଛନ୍ତି ।

ସବୁଜ ବନାନୀ ଭରା ପରିବେଶ ମଧ୍ୟରେ ରହିଛି ପ୍ରଭୁ ମହାବିନାୟକଙ୍କ ପୀଠ। ଏଠାକାର ପରିବେଶ ପର୍ଯ୍ଯଟକଙ୍କୁ ଏଠାକୁ ଡାକି ଆଣିଥାଏ । ସର୍ବୋପରି ପର୍ଯ୍ୟଟକ ମାନେ ଯେଭଳି ଶାନ୍ତି ଶୃଙ୍ଖଳାରେ ପ୍ରଭୁ ମହାବିନାୟକଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ମନ୍ଦିର କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଫଳରେ ମହାବିନାୟକଙ୍କ ପୀଠ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ପୁରୀ ଅସ୍ତରଙ୍ଗରେ ପ୍ରସ୍ତାବିତ ବନ୍ଦର ନିର୍ମାଣକୁ ତୀବ୍ର ବିରୋଧ

କୋଣାର୍କ : ପ୍ରସ୍ତାବିତ ବନ୍ଦର ପାଇଁ ତୃତୀୟ ପର୍ଯ୍ଯାୟ ଜନଶୁଣାଣିକୁ ତୀବ୍ର ବିରୋଧ । ମରିବୁ ପଛେ ଭିଟାମାଟି ଛାଡିବୁ ନାହିଁ ବୋଲି ଜିଦରେ ବିସ୍ଥାପିତ । ସାମୁଦ୍ରିକ ବିକାଶ କ୍ଷେତ୍ରରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଠାରେ ସରକାରୀ ଘରୋଇ ସହଭାଗିତାରେ ବନ୍ଦର ସ୍ଥାପନ ନିମନ୍ତେ ଓଡିଶା ସରକାର ଏବଂ ନବଯୁଗ ଇଞ୍ଜିନିଅର କମ୍ପାନୀ ଲିମିଟେଡ଼ ମଧ୍ଯରେ ଏକ ଚୁକ୍ତି ସ୍ଵାକ୍ଷରିତ ହୋଇଛି । ପରିବେଶ ମନ୍ତ୍ରାଳୟ ପ୍ରଦୂଷଣ ବୋର୍ଡ ମଲ୍ଟି ଗ୍ରୀନ ଫିଲଡି ପୋର୍ଟର ବିକାଶ ତରଫରୁ ବନ୍ଦର ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି । ୨୦୦୬ ମସିହାରେ ଇ.ଆଇ.ଏ ବିଜ୍ଞପ୍ତି ଅନୁଯାୟୀ ପ୍ରଥମ ପର୍ଯ୍ଯାୟ ଜନଶୁଣାଣି ଭାରତ ସରକାର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରାଳୟ ପକ୍ଷରୁ ଟର୍ମ ହାସଲ କରାଯାଇଛି । ସର୍ବସାଧାରଣଙ୍କ ଶୁଣାଣି ନିମନ୍ତେ ଆଜି ଅସ୍ତରଙ୍ଗ ବ୍ଲକ ସୁନ୍ଦର ପଡିଆରେ ଠାରେ ଆୟୋଜିତ ହୋଇଥିବା ତୃତୀୟ ପର୍ଯ୍ଯାୟ ଜନଶୁଣାଣିକୁ ସ୍ଥାନୀୟ ବାସିନ୍ଦା ତୀବ୍ର ବିରୋଧ କରିଛନ୍ତି ।

ଅସ୍ତରଙ୍ଗ ଅଞ୍ଚଳ ହେଉଛି ଜୈବବିବିଧତା ପରିପୂର୍ଣ୍ଣ ପ୍ରାକୃତିକ ପରିବେଶ । ଏଠାକୁ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଥାଏ । ଏଠାକାର ସ୍ଥାନୀୟ ଲୋକ ଧାନ, ପାନ, ମୀନ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି । ତେଣୁ ଏଠାରେ ବନ୍ଦର ନିର୍ମାଣ ହେଲେ ଅଞ୍ଚଳର ଭିତ୍ତିଭୂମି ନଷ୍ଟ ହୋଇଯିବ ବୋଲି ବିଭିନ୍ନ ରାଜନୈତିକ ବ୍ଯକ୍ତି ମାନେ ମତ ଦେଇଛନ୍ତି  । ଅନ୍ଯପଟେ ଜନତାଙ୍କ ସ୍ଵାର୍ଥକୁ ନେଇ ଲଢେଇ କରିବେ ବୋଲି କହିଛନ୍ତି ବିଜେଡି ନେତା । ଅସ୍ତରଙ୍ଗରେ ପ୍ରସ୍ତାବିତ ବନ୍ଦର ନିର୍ମାଣକୁ ବନ୍ଦ କରିବାକୁ ସାଧାରଣରେ ଦାବି ଜୋର ଧରିଛି ।