spot_img
Home Blog Page 1300

ଆଜି ଧନୁ ସଂକ୍ରାନ୍ତି, ମା’ ଯଶୋଦାଙ୍କର ହାତରନ୍ଧା ଖାଇବ କାଳିଆ

ପୁରୀ: ଆଜି ଧନୁ ସଂକ୍ରାନ୍ତି । ଏହା ଓଡ଼ିଆର ଅନ୍ୟ ଏକ ମୁଖ୍ୟ ପର୍ବ । କାହିଁ କେଉଁ ଅନାଦି କାଳରୁ ଏହା ପାଳିତ ହୋଇ ଆସୁଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆରମ୍ଭ ହେବ ପହିଲି ଭୋଗ ନୀତି । ପରମ୍ପରା ଅନୁଯାଇ ଏହି ଏକମାସ ମାଆ ଲକ୍ଷ୍ମୀ ବାପଘରକୁ ଯାଇଥିବାରୁ ଏହି ସମୟରେ ମାତା ଯଶୋଦା ମହାପ୍ରଭୁଙ୍କ ନିମନ୍ତେ ପ୍ରସ୍ତୁତ କରିଥାନ୍ତି ସୁସ୍ବାଦୁ ବ୍ୟଞ୍ଜନ । ପହିଲି ଭୋଗରେ ମହାପ୍ରଭୁଙ୍କୁ ବିରି, ଗହମଚୂନା, ଘୃତ ପାଗ ହୋଇଥିବା ପିଠା ଓ ଧନୁମୁଆଁ ଲାଗି କରାଯାଇଥାଏ ।

ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ବାତ୍ସଲ୍ୟରସ ଉପାସନାର ସମୟ । ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି। ସକାଳୁ ସକାଳୁ କୁଆ କା’ କହିବା ପୂର୍ବରୁ, ମହାପ୍ରଭୁଙ୍କ ପାଖରେ ଲାଗି ହେବ ପହିଲି ଭୋଗ । ରାମ କୃଷ୍ଣ ବେନିଭାଇଙ୍କୁ ଖୁଆଇ ଦେଇଥାନ୍ତି ମାଆ ଯଶୋଦା । ସେଥିପାଇଁ, ଶ୍ରୀମନ୍ଦିର ମହାପ୍ରଭୁଙ୍କ ସଅଳ ନୀତିକାନ୍ତି ହୋଇଥାଏ । ମାସେ ଯାଏଁ ଶ୍ରୀଜୀଉଙ୍କୁ ଅର୍ପଣ ହୋଇଥାଏ ପହିଲି ଭୋଗ । ମାଆଙ୍କ ହାତରନ୍ଧା ଖାଦ୍ୟ ଖାଇଥାନ୍ତି ମହାପ୍ରଭୁ । କଥିତ ଅଛି ଯେ, ଏହି ମାସରେ ମହାଲକ୍ଷ୍ମୀ ବାପଘର ଯାତ୍ରା କରିଥାନ୍ତି । ଏଣୁ ବାତ୍ସଲ୍ୟ ମମତାମୟୀ ମା’ ଯଶୋଦା ଶ୍ରୀଜଗନ୍ନାଥଙ୍କୁ ପ୍ରଭାତରୁ ଶୀଘ୍ର ରୋଷଇ କରି ବିଭିନ୍ନ ପ୍ରକାରର ବ୍ୟଞ୍ଜନ ସହିତ ଅନ୍ନ ଶୀତ ସମୟରେ ଗରମ ଗରମ ଖାଇବାକୁ ଦେଇଥାନ୍ତି । ଏଣୁ, ଏହି ଭୋଗ ମା’ ଯଶୋଦାଙ୍କ ପୁତ୍ର ପ୍ରତି ବାତ୍ସଲ୍ୟ ସ୍ନେହ ଓ ନୈସର୍ଗିକ ପ୍ରେମର ନିଦର୍ଶନ । ସେଥିପାଇଁ ଏହି ପହିଲି ଭୋଗର ବ୍ୟବସ୍ଥା ଚଳିଆସିଛି ।

ଗୋପାଳବଲ୍ଲଭରେ ଏହି ପହିଲି ଭୋଗ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରାଯାଇଥାଏ  । ରାତି ୨ଟା ରେ ଶ୍ରୀମନ୍ଦିର ଦ୍ବାର ଫିଟା, ୩ଟାରେ ମଙ୍ଗଳ ଆଳତି, ୩ଟା ୩୦ ରେ ମଇଲମ, ୪ଟା ୩୦ରେ ଅବକାଶ ୫ଟା ୩୦ରେ ବେଶ ଶେଷ ହେବା ପରେ ପହିଲି ଭୋଗ ନୀତି ଆରମ୍ଭ ହେବ । ବହୁ ପ୍ରତିକ୍ଷୀତ ପହିଲି ଭୋଗର ମହତ୍ୱ ଅନ୍ୟ ଦିନ ମିଳୁଥିବା ଭୋଗ ତୁଳନାରେ ସ୍ୱତନ୍ତ୍ର ସ୍ଥାନ ରହିଛି । ଏହି ଭୋଗରେ ବିରି ଓ ଗହମରେ ଘୃତପାକ ହୋଇଥିବା ପିଠାମାନ ଅଣାଯାଇ ପଞ୍ଚୋପଚାରରେ ପୂଜା କରାଯାଇଥାଏ । ପହିଲି ଭୋଗରେ ଲାଗୁଥିବା ପିଠା ଗୁଡିକ ହେଉଛି- ‘ବଡ଼ ଝିଲି, ଦରସୁଆ ବଡି, ଦରସୁଆ ଝିଲି, ବଡ଼ ବଡ଼ା, କାକେରି, ସାନ ଅମାଲୁ, ନଳୀ, କାକେରା, ଆରିସା, ମୁଗେଇ, ଏଣ୍ଡୁରି, ଲଡୁ, ଗଜା, ଖଇର ଚୁଳ, ମଣ୍ଡା, ଚୁଡା ପୁଆ, ବଡ଼ି, କଣ୍ଟେଇ ପ୍ରଭୃତି । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ଏହାର ପରିମାଣ ମଧ୍ୟ ଉଲ୍ଲେଖ କରାଯାଇଛି । ଏହି ସବୁ ଦ୍ରବ୍ୟ ପାକ କରିବାକୁ ସୁବିଧା ହେବା ପାଇଁ ଏହି ଦିନମାନଙ୍କରେ ମଂଗଳ ଆଳତି ପରେ ହିଁ ରୋଷ ହୋମ ଅନୁଷ୍ଠିତ ହୋଇଥାଏ ।

ପୁଣି ଏମଏସପି ଦାବିରେ ଆଜି କୃଷକଙ୍କ ଟ୍ରାକ୍ଟର ମାର୍ଚ୍ଚ

ନନ୍ଦିଘୋଷ ବ୍ୟୁରୋ: ଥମୁନି କୃଷକଙ୍କ ଆକ୍ରୋଶ। ଆଜି କୃଷକଙ୍କ ଟ୍ରାକ୍ଟର ମାର୍ଚ୍ଚ। ଆଜି ଟ୍ରାକ୍ଟର ରାଲିରେ ବାହାରିବେ ହଜାର ହଜାର କୃଷକ । ଏମଏସପି ଗ୍ଯାରେଣ୍ଟି ଓ କୃଷକଙ୍କ ସୁରକ୍ଷା ନେଇ ଆଜି ଟ୍ରାକ୍ଟର ରାଲିରେ ବାହାରି ଗର୍ଜିବେ ଚାଷୀ। ପଞ୍ଜାବ ବାହାରେ ଏହି ଟ୍ରାକ୍ଟର ରାଲି କରିବେ ବୋଲି କୃଷକ ସଂଗଠନ ଘୋଷଣା କରିଥିଲେ। ସେହିପରି ଆସନ୍ତା ୧୮ ତାରିଖରେ ପଞ୍ଜାବରେ ରେଳରୋକ ଆହ୍ଵାନ ଦେଇଛନ୍ତି କୃଷକ ସଂଗଠନ। ପଞ୍ଜାବର ସମସ୍ତ ଚାଷୀଙ୍କୁ ଅପିଲ କରି ଏହି ରେଳରୋକରେ ସାମିଲ ହେବାକୁ ଅପିଲ କରିଛି କୃଷକ ସଂଗଠନ।

ଏହି ଅବସରରେ ବିରୋଧୀ ଦଳ ଉପରେ ମଧ୍ୟ ବର୍ଷିଛନ୍ତି କୃଷକ ନେତା ପନ୍ଧେର। ବିରୋଧୀ କେବଳ ବୟାନବାଜି ନକରି କୃଷକଙ୍କ ସମସ୍ଯା ବିଷୟରେ ଗୁରୁତ୍ଵ ଦେବା ଦରକାର ବୋଲି କହିଛନ୍ତି କୃଷକ ନେତା। ଚାଷୀଙ୍କ ଦାବି ଉପରେ ବିରୋଧୀ ଫୋକସ କରିବା ଆବଶ୍ୟକ। ଅନ୍ୟ ପ୍ରସଙ୍ଗରେ ଯେପରି ବିରୋଧୀ ଗୃହରେ ହଙ୍ଗାମା କରୁଛନ୍ତି କୃଷକଙ୍କ ଦାବି ପ୍ରସଙ୍ଗରେ ମଧ୍ୟ ସେହିପରି ଅଚଳାବସ୍ଥା ସୃଷ୍ଟି କରିବା ଦରକାର ବୋଲି କହିଛନ୍ତି କୃଷକ ନେତା। ଗତ ଶନିବାର ଦିନ ଦିଲ୍ଲୀ ଚଲୋ ଡାକରା ଦେଇ ଅଭିଯାନ ଆରମ୍ଭ କରିଥିଲେ ୧୦୧ ଜଣ ଚାଷୀ। ତେବେ ଏହାକୁ ଅଟକାଇଥିଲେ ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କ ଲୁହବୁହା ଗ୍ଯାସ ମାଡ଼ରେ ୧୭ ଜଣ ଚାଷୀ ଆହତ ହୋଇଥିଲେ।ଏହାପରେ ଦିଲ୍ଲୀ ଚଲୋ ନାରାରୁ ଓହରି ଯାଇଛି କୃଷକ ସଂଗଠନ।

ଓଲଟି ପଡ଼ିଲା ବସ୍, ୭ରୁ ଅଧିକ ଯାତ୍ରୀ ଆହତ

ଖୋର୍ଦ୍ଧା: କୁହୁଡି ହେଲା କାଳ, ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୭ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ମୃତାହତର କୌଣସି ସୂଚନା ନାହିଁ । ଖୋର୍ଦ୍ଧା ବାଘମାରି ନିକଟରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ କୁହୁଡିରେ ରାସ୍ତା ଦେଖାନଯିବାରୁ ଦୁର୍ଘଟଣାଗ୍ରସ୍ତ ହୋଇ ବସଟି ଓଲଟିପଡିଥିଲା । ବସଟି ସୋରଡ଼ାରୁ  ଭୁବନେଶ୍ୱର ଅଭିମୁଖେ ଯାଉଥିଲା।

ବାଘମାରି ରାସ୍ତା ନିକଟରେ ଘଟିଛି ଦୁର୍ଘଟଣା। ପ୍ରାଥମିକ ତଦନ୍ତରୁ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଘଟିଛି ଘଟଣା। ୭ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ଘଟଣାର ତଦନ୍ତ ଜାରି ରହିଛି।

ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜିଠୁ ରାଜ୍ୟସଭାରେ ବିତର୍କ

ନନ୍ଦିଘୋଷ ବ୍ୟୁରୋ: ସମ୍ବିଧାନର ପ୍ରଣୟନର ୭୫ତମ ବର୍ଷ ପୂର୍ତ୍ତି ଅବସର। ଆଜି ରାଜ୍ୟସଭାରେ ହେବ ଆଲୋଚନା। ବିଭିନ୍ନ ଦଳ ନେତା ଏହି ଅବସରରେ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିବେ। ଆଜି ସକାଳ ୧୧ଟାରୁ ଆରମ୍ଭ ହେବ ସମ୍ବିଧାନ ପ୍ରସଙ୍ଗରେ ଆଲୋଚନା। ଏହି ଆଲୋଚନାରେ ବିଜେପି ନେତା ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ଭୂପେନ୍ଦ୍ର ଯାଦବ, ନିର୍ମଳା ସୀତାରମଣ, ହରଦୀପ ସିଂହ ପୁରୀ, ସୁରେନ୍ଦ୍ର ନଗର, ଘନଶ୍ୟାମ ତିୱାରୀ, ବୃଜଲାଲ ଏବଂ ସୁଧାଂଶୁ ତ୍ରିବେଦୀ ଅଂଶଗ୍ରହଣ କରିବେ। ସମ୍ବିଧାନ ପ୍ରଣୟନର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ଯସଭାରେ ଏହି ସ୍ଵତନ୍ତ୍ର ଆଲୋଚନା କରାଯିବ।

ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ଚାଲିବ ଏହି ଆଲୋଚନା। ଏହା ପୂର୍ବରୁ ଲୋକସଭାରେ ମଧ୍ୟ ସମ୍ବିଧାନ ପ୍ରଣୟନ ପ୍ରସଙ୍ଗ ନେଇ ଆଲୋଚନା ହୋଇସାରିଛି। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ସମାଜବାଦୀ ପାର୍ଟିନେତା ଅଖିଳେଶ ଯାଦବଙ୍କ ସମେତ ଅନେକ ନେତା ଏହି ପ୍ରସଙ୍ଗରେ ସେମାନଙ୍କର ଭାଷଣ ରଖିଥିଲେ। ଏହି ଅବସରରେ ପ୍ରଥମ ଭାଷଣ ରଖିଥିଲେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି। ସମ୍ବିଧାନ ଦେଶର ସୁରକ୍ଷା କବଚ ଭାବେ ବିବେଚନା କରି ସରକାରଙ୍କୁ କଡ଼଼ା ସମାଲୋଚନା କରିଥିଲେ।ବିଭିନ୍ନ ଦଳର ନେତାଙ୍କ ବକ୍ତବ୍ୟ ନେଇ ଉତ୍ତର ରଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ନାଁ ନନେଇ କଂଗ୍ରେସକୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

୭୩ବର୍ଷ ବୟସରେ ବିଶିଷ୍ଟ ତବଲା ବାଦକ ଜାକିର୍ ହୁସେନଙ୍କ ପରଲୋକ

ନନ୍ଦିଘୋଷ ବ୍ୟୁରୋ : ପରଲୋକରେ ଲୋକପ୍ରିୟ ତବଲା ବାଦକ ଜାକିର୍ ହୁସେନ । ୭୩ବର୍ଷ ବୟସରେ ବିଶିଷ୍ଟ ତବଲା ବାଦକ ଜାକିର୍ ହୁସେନଙ୍କ ଦେହାନ୍ତ । ଅସୁସ୍ଥତା ହେତୁ ଆମେରିକାର ସାନଫ୍ରାନସିକୋର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।  ମୃତ୍ୟୁବେଳକୁ ତାଙ୍କୁ ୭୩ବର୍ଷ ହୋଇଥିଲା । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ରହିଛି ।  ଗତ ଏକ ସପ୍ତାହ ଧରି ସେ ସ୍ବାସ୍ଥ୍ୟଗତ ସମସ୍ୟା ସହ ସଂଗ୍ରାମ କରୁଥିଲେ । ଆଜି ହୁସେନ୍‌ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ତାଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁଯାୟୀ ଯେ ସେ ହୃଦୟ ସମ୍ବନ୍ଧୀୟ ରୋଗ ପାଇଁ ଚିକିତ୍ସିତ ହେଉଥିଲେ ।

ଜାକିର ହୁସେନ୍‌ ବହୁତ କମ୍‌ ବୟସରୁ ବାଦ୍ୟ ଯନ୍ତ୍ର ଶିଖିବା ଆରମ୍ଭ କରିଥିଲେ । ପଣ୍ଡିତ ରବି ଶଙ୍କର ମଧ୍ୟ ଜାକିର୍‌ଙ୍କ ଏହି କଳାରେ ଅନେକ  ଅନେକ ପ୍ରଭାବିତ ହୋଇ ଥିଲେ । ଜାକିର୍‌ ମାତ୍ର ତିନି ବର୍ଷ ବୟସରେ ତାଙ୍କ ବାପାଙ୍କ ଠାରୁ ସେ ବାଜା ବଜାଇବା ଶିଖିଥିଲେ । ସେ ମଧ୍ୟ Planet drum ନାମକ ଏକ ବାଦ୍ୟଯନ୍ତ୍ର ସହ ଜଡ଼ିତ ଥିଲେ । ଏହି ବ୍ୟାଣ୍ଡ୍‌ରେ ମିକି ହାର୍ଟ, ସିକିରୁ ଏଡିପୋଜୁ ଆଉ ଜିଓବାନି ହିଡାଲୋଗ ତାଙ୍କ ସହଯୋଗୀ ଥିଲେ ।

ଜାକିର୍‌ଙ୍କର ଉଚ୍ଚ ପ୍ରଶଂସିତ କାମ ପାଇଁ ତାଙ୍କୁ ଅନେକ ସମ୍ମାନରେ ସମ୍ମାନିତ କରାଯାଇଛି । ତାଙ୍କୁ ୧୯୮୮ରେ ପଦ୍ମଶ୍ରୀ, ୧୯୯୦ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୨୦୦୨ରେ ପଦ୍ମଭୂଷଣ ପୁରସ୍କାରରେ  ସମ୍ମାନୀତ କରାଯାଛି । ଏହା ବ୍ୟତୀତ ତାଙ୍କୁ ଆମେରିକାରେ National Endowment for the Arts’s National Heritage Fellowshipରେ ସମ୍ମାନୀତ କରାଯାଇଥିଲା । ୨୦୨୩ରେ ତାଙ୍କୁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଜାକିର ହୁସେନ୍ ୪ଟି ଗ୍ରାମୀ ପୁରସ୍କାର ମଧ୍ୟ ପାଇଛନ୍ତି ।

ବଢିଲା ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଅଡୁଆ, ଆଜି ମଧ୍ୟ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀରେ ରେଡ୍

ଭୁବନେଶ୍ଵର :  * ପାୱାର କରିଡରରେ ପାୱାରଫୁଲ ବାବୁଙ୍କୁ ନେଇ ଚର୍ଚ୍ଚା
* ଲାଞ୍ଚ ନେଉଥିଲେ କି ସରକାରୀ ବାବୁ ?
* ବଢ଼ିଲା ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଅଡୁଆ
* ତାଙ୍କ ବିରୋଧରେ ଅନେକ ପ୍ରମାଣ ପାଇଛି ସିବିଆଇ ?

ଅଭିଯୋଗ ଅନୁସାରେ ଏସସି ଏସଟି ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସରକାରୀ ଆବାସିକ ଆଶ୍ରମ ସ୍କୁଲର ଉନ୍ନତିକରଣ ପାଇଁ ଟେଣ୍ଡର କରୁନଥିଲେ । କେନ୍ଦ୍ର ସରକାରଙ୍କ କିଛି ରାଷ୍ଟ୍ରାୟତ୍ତ ସଂସ୍ଥାକୁ ଏହି କାମ ଦିଆଯାଉଥିଲା । ଆଇନର ଗଳା ବାଟ ଦେଇ ଏହି କାମକୁ ରାଜ୍ୟର କିଛି ନିର୍ଦ୍ଦିଷ୍ଟ ରିଏଲ ଇଷ୍ଟେଟ୍ ସଂସ୍ଥା କରୁଥିଲେ। କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ସଂସ୍ଥା କେବଳ ଥିଲା ଏକ ମାଧ୍ୟମ। ସିବିଆଇ ଏହାର ପକ୍କା ପ୍ରମାଣ ପାଇଥିବା କୁହାଯାଉଛି। ତେଣୁ ବିଷ୍ଣୁପଦ ସେଠୀଙ୍କୁ ସମନ୍ କରାଯାଇଛି। ସମନ୍ ତତ୍ତ୍ଵେ ସିବିଆଇରେ ହାଜର ହୋଇ ନାହାନ୍ତି ଏହି ବରିଷ୍ଠ ପ୍ରଶାସକ। ତେଣୁ ତାଙ୍କ ପାଇଁ ବିପଦ ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ସେପଟେ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନିରେ ଆଜି ମଧ୍ୟ ରେଡ୍ କରିଛି ସିବିଆଇ । ଆୟକର ବିଭାଗର ସହାୟତାରେ ଏହି ଛାପା ମରାଯାଇଥିଲା। ଗତ ୯ ତାରିଖରେ ଭୁବନେଶ୍ଵର ଜୟଦେବ ବିହାର ଅଞ୍ଚଳରେ ରେଡ୍ କରି ଏହି କମ୍ପାନିର ଜେନେରାଲ ମ୍ୟାନେଜର ଚଞ୍ଚଳ ମୁଖାର୍ଜୀଙ୍କୁ ଗିରଫ କରିଥିଲା ସିବିଆଇ । ସେପଟେ ଆଜି ସିବିଆଇରେ ହାଜର ହୋଇଛନ୍ତି ଏକ ତାରକା ହୋଟେଲର ଗ୍ରୁପ୍ ରିଜିଓନାଲ ମ୍ୟାନେଜର। ସେହି ତାରକା ହୋଟେଲରେ ଡିଲ୍ ହେଉଥିଲା ବୋଲି ସିବିଆଇକୁ ସୁରାଗ ମିଳିଛି ।

ଗତ ୯ ତାରିଖ ସୋମବାର ରାତିରେ ଭୁବନେଶ୍ଵରର ଜୟଦେବ ବିହାର ଅଞ୍ଚଳରେ ରେଡ୍ କରିଥିଲା ସିବିଆଇ। କେନ୍ଦ୍ରୀୟ ପିଏସୟୁ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀର ଜେନେରାଲ ମ୍ୟାନେଜର ଚଞ୍ଚଳ ମୁଖାର୍ଜୀ, ଆଦିତ୍ୟଦେବ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡର ମୁଖ୍ୟ ଦେବଦତ୍ତ ମହାପାତ୍ର ଓ ପେଣ୍ଟାଏ ଷ୍ଟୁଡିଓ ପ୍ରାଇଭେଟ ଲିମିଟେଡର ମୁଖ୍ୟ ସନ୍ତୋଷ ମହାରଣାଙ୍କୁ ଗିରଫ କରିଥିଲା। ଏହା ପରେ ପଦାକୁ ଆସିଛି ବିଷ୍ଣୁପଦ ସେଠୀଙ୍କ ଗୁମର । ଦୁର୍ନୀତିରେ ତାଙ୍କର ସଂପୃକ୍ତି ଥିବାର ପ୍ରମାଣ ମିଳିଥିବା କୁହାଯାଉଛି । ଅଭିଯୋଗ ଅନୁସାରେ ବିନା ଟେଣ୍ଡରରେ ପ୍ରଥମେ କେନ୍ଦ୍ରୀୟ ପିଏସୟୁକୁ ଦିଆଯାଉଥିଲା କାମ । ପରେ ସେହି କାମକୁ ସବ୍ ଲେଟ୍ ଜରିଆରେ କେନ୍ଦ୍ରୀୟ ପିଏସୟୁରୁ ନେଉଥିଲେ ଦେବଦତ୍ତ ମହାପାତ୍ର ଓ ସନ୍ତୋଷ ମହାରଣାଙ୍କ ସଂସ୍ଥା। ଏଥିପାଇଁ ହେଉଥିଲା ସୁଚିନ୍ତିତ ଯୋଜନା। ଗତ ଅକ୍ଟୋବର ୧୯ ତାରିଖରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ ଭାବେ ବିଷ୍ଣୁପଦ ସେଠୀ ୪ ଟି କେନ୍ଦ୍ରୀୟ ପିଏସୟୁ ସଂସ୍ଥାର ମୁଖ୍ୟଙ୍କୁ ଚିଠି ଲେଖିଥିଲେ। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଆବାସିକ ଆଶ୍ରମ ସ୍କୁଲର ଉନ୍ନୀତିକରଣ କାର୍ଯ୍ୟ କରିବାକୁ ଅବଗତ କରିଥିଲେ। ୩୬୧କୋଟି ଟଙ୍କାର କାର୍ଯ୍ୟ କରିବା ନିମନ୍ତେ ପ୍ଲାନ୍ ଓ ଡିଜାଇନ୍ ପ୍ରସ୍ତୁତ କରି ବିଭାଗରେ ଦାଖଲ ନିମନ୍ତେ ଏହି ୪ ସଂସ୍ଥାକୁ କହିଥିଲେ।

ପ୍ରଶ୍ନ ଉଠୁଛି ରାଜ୍ୟ ସରକାରଙ୍କ ନିଜସ୍ୱ ସଂସ୍ଥା ଯାହାର ଇଞ୍ଜିନିୟର ଟିମ୍, ଜ୍ଞାନକୌଶଳ ଓ ଭିତ୍ତିଭୂମି ରହିଛି, ସେମାନଙ୍କୁ ଏଡ଼ାଇ ଯାଇ ଏହି ନିର୍ଦ୍ଦିଷ୍ଟ କେନ୍ଦ୍ରୀୟ ପିଏସୟୁକୁ କାର୍ଯ୍ୟ କରିବା ନିମନ୍ତେ କାହିଁକି ବାଛିଥିଲେ ବିଷ୍ଣୁପଦ ସେଠୀ । କାହା ନିର୍ଦ୍ଦେଶରେ ବିନା ଟେଣ୍ଡରରେ ଏହି କାମ ସଂପୃକ୍ତ ସଂସ୍ଥାକୁ ଦିଆଯାଉଥିଲା ।

 

ବାଲାଂଦେଶରୁ ଲୋକ ନିଖୋଜ ହେବା ପଛରେ ଶେଖ ହାସିନାଙ୍କ ହାତ !

ନନ୍ଦିଘୋଷ ବ୍ୟୁରୋ: ବାଲାଂଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ତାଙ୍କର ବରିଷ୍ଠ ସେନା ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବାଂଲାଦେଶର ଅନ୍ତରୀଣ ସରକାରଙ୍କ ତଦନ୍ତ କମିଶନ ଆୟୋଗ । ଦେଶରୁ ଲୋକଙ୍କୁ ଗାଏବ ପଛରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ବରିଷ୍ଠ ସେନା ଅଧିକାରୀଙ୍କ ହାତ ଥିବା ପ୍ରମାଣ ମିଳିଛି । ତଦନ୍ତ କମିଶନ ଆୟୋଗର ପାଞ୍ଚ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ,ବାଲାଂଦେଶରୁ ଲୋକ ଲଗାତାର ନିଖୋଜ ହେବାରେ ଲାଗିଛନ୍ତି । ଯେବେ ଘଟଣାର ସଠିକ୍ ଯାଞ୍ଚ କରାଗଲା ଜଣାପଡିଲା ଯେ ବାଲାଂଦେଶରୁ ଲୋକ ନିଖୋଜ ହେବା ଘଟଣାରେ ଶେଖ୍ ହାସିନା, ବରିଷ୍ଠ ପୋଲିସ୍ ଅଧିକାରୀ ଏବଂ ସେନା ଅଧିକାରୀ ସାମିଲ୍ ଅଛନ୍ତି।

ଯାଞ୍ଚ ଆୟୋଗ ଏକ ରିପୋର୍ଟରୁ ଜଣାପଡିଛି ଯେ ,ବାଲାଂଦେଶରୁ ୩୫୦୦ରୁ ଅଧିକ ଲୋକ ଜବରଦସ୍ତ ନିଖୋଜ ହୋଇଛନ୍ତି । ଏହି ରିପୋର୍ଟ ବାଲାଂଦେଶର  କାମଚଳା ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସଙ୍କର ପରାମର୍ଶଦାତାଙ୍କୁ ପଠାଯାଇଛି ।  ଆୟୋଗ ଅନୁସାରେ ଏହି ଘଟଣା ସରକାରୀ ଅଧିକାରୀ ମିଳିମିଶି କରିଥିବା ଜଣାପଡିଛି  ।

ଯାଞ୍ଚ ଆୟୋଗର ତାଙ୍କ ରିପୋର୍ଟରେ ଲେଖିଛନ୍ତି ଯେ , ଏହି ମାମଲାରେ ଶେଖ ହାସିନାଙ୍କ କିଛି ବରିଷ୍ଠ ପରାମର୍ଶଦାତା ଏବଂ ଅଧିକାରୀ ସାମିଲ୍ ଥିଲେ  । ଏହା ଭିତରୁ ପ୍ରମୁଖ ଅଛନ୍ତି ପ୍ରତିରକ୍ଷା ପରାମର୍ଶଦାତା ମେଜର ଜେନେରାଲ୍ ତାରିକ୍ ଅହମ୍ମଦ ସିଦ୍ଦିକୀ ,ବହିଷ୍କୃତ ମେଜର ଜେନେରାଲ୍ ଜିୟାଉଲ୍ ଅହସାନନ୍ଦ ଏବଂ ବରିଷ୍ଠ ପୋଲିସ୍ ଅଧିକାରୀ ମୋନିରୁଲ୍ ଇସଲାମ୍ । ରିପୋର୍ଟ ଆଧାରରେ,ଏହି ସବୁ ଅଧିକାରୀଙ୍କ ଷଡଯନ୍ତ୍ର ପଛରେ ହାତ ଥିଲା । ତେଣୁ ଏହି ସବୁ ଅଧିକାରୀ ମାନେ ଡରି ବିଦେଶ ପଳେଇଛନ୍ତି  ।

ଯାଞ୍ଚ କମିଶନର ଅଧ୍ୟକ୍ଷ ସୁପ୍ରିମକୋର୍ଟର ନ୍ୟାୟଧୀଶ ମେନୁଲ୍ ଇସଲାମ୍ ଚୌଧୁରୀ କହିଛନ୍ତି  ତଦନ୍ତ ବେଳେ ଏହା ସ୍ପଷ୍ଟ ହୋଇଛି ଯେ,ଏହି ଗାଏବ ପଛରେ ବ୍ୟବସ୍ଥିତ ପ୍ଲାନ୍ ରହିଥିଲା । ଯାହାକୁ କି ସରକାର ଜାଣିଶୁଣି ଅଣଦେଖା କରିଥିଲେ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ , ପୋଲିସର ରାପିଡ୍ ଆକ୍ସନ ବାଟାଲିୟନ୍ ଲୋକଙ୍କୁ ଉଠେଇନେଇ ନିର୍ଯ୍ୟାତନା ଦେବାରେ ମୁଖ୍ୟ ଭୂମିକା ରହିଛି ।

ଅତ୍ୟଧିକ ପାରାସିଟାମଲ ଖାଉଛନ୍ତି କି ? ତାହେଲେ ହୋଇ ଯାଆନ୍ତୁ ସାବଧାନ!

ନନ୍ଦିଘୋଷ ବ୍ୟୁରୋ: ପାରାସିଟାମଲ ଅତ୍ୟଧିକ ଖାଇଲେ ହୋଇପାରେ କିଡନୀ ଖରାପ । ଆଣିପାରେ ହୃଦରୋଗ ସହ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟିନାଲ ରୋଗ। ବ୍ରିଟେନ୍ର ନଟିଙ୍ଗହାମ୍ ବିଶ୍ବବିଦ୍ୟାଳୟର ବୈଜ୍ଞାନିକଙ୍କ ନୂଆ ତଥ୍ଯ ଏବେ ସୃଷ୍ଟି କରିଛି ଛନକା। ସାଧାରଣ ଜ୍ବର, କାଶ, ଆଣ୍ଠୁଗଣ୍ଠି ଦରଜ ହେଲେ ଲୋକେ ପାରାସିଟାମଲକୁ ଭରସା କରିଥାନ୍ତି। ତେବେ ଡାକ୍ତରଙ୍କ ବିନା ପରାମର୍ଶ ଓ କ୍ଲିନିକାଲ ପରୀକ୍ଷା ନ କରି ପାରାସିଟାମଲ ଖାଇବା ବିପଜ୍ଜନକ ବୋଲି ବିଶେଷଜ୍ଞ କହିଛନ୍ତି ।

ମନଇଚ୍ଛା ପାରାସିଟାମଲ ଖାଉଥିଲେ ସାବଧାନ । ଆସିଲା ବ୍ରିଟେନ୍ ନଟିଂହାମ୍ ବିଶ୍ବବିଦ୍ୟାଳୟ ବୈଜ୍ଞାନିକଙ୍କ ନୂଆ ତଥ୍ୟ । ଅତ୍ୟଧିକ ପାରାସିଟାମଲ ଖାଇବା ଦ୍ବାରା ହୋଇଥାଏ କିଡନୀ, ଅନ୍ତଃନଳୀ ଘା’ ପରି  ଗ୍ୟାସଟ୍ରାଇଟିସ ରୋଗ । ପାରାସିଟାମଲକୁ ବହୁ ଦିନରୁ ପରିଚିତ ପେନ୍କିଲର ଭାବେ ଡାକ୍ତର ରୋଗୀକୁ ଖାଇବାକୁ କହିଥାନ୍ତି । କେତେକ କ୍ଷେତ୍ରରେ ଲୋକେ ସାଧାରଣ ଜ୍ବର, ଥଣ୍ଡା, କାଶ କିମ୍ବା ଆଣ୍ଠୁଗଣ୍ଠି ଦରଜ ହେଲେ ଡାକ୍ତରଙ୍କ ବିନା ପ୍ରେସକ୍ରିପସନରେ ବି ଖାଇଥାନ୍ତି। ନୂଆ ଗବେଷଣା ଅନୁସାରେ ଅତ୍ୟଧିକ ପାରାସିଟାମଲ୍ ବ୍ୟବହାର କରୁଥିବା ୬୦ ବର୍ଷରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ୨୪ରୁ ୩୬ ପ୍ରତିଶତ ଲୋକଙ୍କର ଅନ୍ତଃନଳୀ ବା ବୃହଦ୍ଯନ୍ତ୍ରରେ ଘା’ ହୋଇ ରକ୍ତସ୍ରାବ ହେଉଛି । ୧୯ ପ୍ରତିଶତ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବାବେଳେ ୯ ପ୍ରତିଶତ ଲୋକଙ୍କର ହୃଦଘାତ ଓ ୭ ପ୍ରତିଶତ ଲୋକ ହାଇପରଟେନ୍ସନ୍ର ଶିକାର ହେଉଛନ୍ତି । ପାରାସିଟାମଲ ବା ଏସିଟାମିନୋଫେନ୍ର ପାର୍ଶ୍ବ ପ୍ରତିକ୍ରିୟା ଜାଣିବା ପାଇଁ ବୈଜ୍ଞାନିକମାନେ ନିୟମିତ ଏହି ଔଷଧ ସେବନ କରୁଥିବା ପ୍ରାୟ ୧ ଲକ୍ଷ ୮୦ ହଜାର ଲୋକଙ୍କ ନମୁନା ପରୀକ୍ଷା କରିଥିଲେ । ଭେଷଜ ବିଶେଷଜ୍ଞଙ୍କ ମତରେ ପାରାସିଟାମଲ ବହୁଳ ଭାବରେ ବ୍ୟବହାର ହେଉଛି । କିନ୍ତୁ ବିନା ଡାକ୍ତରଙ୍କ ପରାମର୍ଶ ଓ କ୍ଲିନିକାଲ ପରୀକ୍ଷାରେ ଏହାକୁ ନେବା ବିପଜ୍ଜନକ । ଯେଉଁ ବ୍ୟକ୍ତି ଏକାଧିକ ରୋଗରେ ପୀଡ଼ିତ ତାଙ୍କୁ ପାରାସିଟାମଲ ସ୍ଥାନରେ ଅନ୍ୟ ପେନ୍ କିଲର୍ ଦିଆଯାଇପାରିବ ।

ଶରୀରରେ ସାମାନ୍ୟ ଯନ୍ତ୍ରଣା ଅନୁଭବ ହେଲେ ଲୋକେ ପେନ୍କିଲର୍ ନେଉଛନ୍ତି । ଅନ୍ୟ ପେନ୍ କିଲର୍ ତୁଳନାରେ ପାରାସିଟାମଲ ଏତେଟା ପାର୍ଶ୍ବପ୍ରତିକ୍ରିୟା ସୃଷ୍ଟି କରେନାହିଁ । ବିଶିଷ୍ଟ ନ୍ୟୁରୋ ସର୍ଜନଙ୍କ ମତରେ ଶରୀରରେ ପୀଡ଼ା ହେଲେ କିମ୍ବା ଆଘାତ ଲାଗିଲେ ମସ୍ତିଷ୍କକୁ ପୀଡ଼ା ଅନୁଭବ କରିବାକୁ ସିଗନାଲ ଯାଇଥାଏ । ପେନ୍ କିଲର ଖାଇବା ଦ୍ବାରା ଏହି ସିଗନାଲ ସାମୟିକ ସମୟ ପାଇଁ ବ୍ରେକ୍ ହୋଇଥାଏ । ଫଳରେ ରୋଗୀଟି ଆଉ ପୀଡ଼ା ଅନୁଭବ କରିପାରେନି । ପ୍ରତ୍ୟେକ ପେନ୍ କିଲର୍ ହଜମ ଶକ୍ତି ଉପରେ ପ୍ରଭାବ ପକାଇଥାଏ । ଏଥିପାଇଁ ରୋଗୀକୁ ପ୍ରତ୍ୟେକ ପେନ୍ କିଲର ଖାଇବା ପୂର୍ବରୁ ଡାକ୍ତର ଗ୍ୟାସ୍ ପ୍ରତିରୋଧକ ଔଷଧ ଖାଇବାକୁ ପରାମର୍ଶ ଦେଇଥାନ୍ତି ।

ଲୋକଙ୍କ ଜୀବନଶୈଳୀ, ଫାଷ୍ଟଫୁଡ ଖାଦ୍ୟ ନାନାଦି ରୋଗ ସୃଷ୍ଟି କରୁଛି । ଏ ନେଇ ନୂଆ ନୂଆ ରୋଗ ବି ଦେଖିବାକୁ ମିଳୁଛି । ପାରାସିଟାମଲର ନୂଆ ଗବେଷଣା ସଚେତନ କରୁଛି ବିନା ଡାକ୍ତରଙ୍କ ପରାମର୍ଶରେ କୌଣସି ବି ଔଷଧ ନେବା ଜୀବନ ପ୍ରତି ହାନିକାରକ ।

ପରବ ମଞ୍ଚରେ ସାଂସଦ ଓ ବିଧାୟକଙ୍କ ମୁହାଁମୁହିଁ

ନନ୍ଦିଘୋଷ ବ୍ୟୁରୋ: ପରବ ମଞ୍ଚରେ ସାଂସଦ ଓ ବିଧାୟକ ମଧ୍ଯରେ ତୁତୁ ମେମେ । କୋରାପୁଟ ଜିଲ୍ଲା ଲୋକ ମହୋତ୍ସବ ପରବର ଉଦଘାଟନି ସଂଧ୍ଯାରେ ଦେଖିବାକୁ ମିଳିଛି ଏପରି ଦୃଶ୍ଯ । ପ୍ରଥମେ ତାରା ପ୍ରସାଦ ବିହିନୀପତି ତାଙ୍କ ଚିରାଚରିତ ଢଙ୍ଗରେ ଅଭିଭାଷଣ ଆରମ୍ଭ କରି ରାଜ୍ଯ ସରକାରଙ୍କୁ ଜିଲ୍ଲାର ବିଭିନ୍ନ ସମସ୍ଯା ନେଇ ମଞ୍ଚାସୀନ  ମୁଖ୍ଯମନ୍ତ୍ରୀଙ୍କ ନିକଟରେ ଦାବୀ ଜଣାଇଥିଲେ । ଜିଲ୍ଲାରେ ସ୍ବାସ୍ଥ୍ଯ ସମସ୍ଯା ବିଗିଡିଥିବା, ଜିଲ୍ଲାରେ ଏକ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା କରିବା, ଜିଏମ୍ସ ପ୍ରତିଷ୍ଠା ଏବଂ ଜୟପୁର ଐତିହ ଜଗନ୍ନାଥ ସାଗରକୁ ପୁନଃଉଦ୍ଧାର କରିବାକୁ ମୁଖ୍ଯମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ତାରା । ଏହାପରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଆସିଥିଲେ ଅଭିଭାଷଣ ଦେବା ପାଇଁ । ସେ ତାରାଙ୍କ ଦାବିକୁ ନେଇ ବିତର୍କ କରିବା ସହ ଜଗନ୍ନାଥ ସାଗରରେ ଦୁର୍ନୀତି ହୋଇଥିବା ମଞ୍ଚରେ କହିଥିଲେ । ଯାହାକୁ ନେଇ ବଳଭଦ୍ର ମାଝୀ ଓ ତାରା ବାହିନୀପତିଙ୍କ ମଧ୍ଯରେ ଯୁକ୍ତି ତର୍କ ହୋଇଥିଲା । ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହାର ସମାଧାନ ହୋଇଥିବା ଜଣାପଡିଛି । ଏହାରି ଭିତରେ ମଞ୍ଚରେ ଉଭୟଙ୍କ କଳିର ଦୃଶ୍ଯ ବହୁତ କିଛି ବୟାନ କରୁଥିବା ଦେଖିବାକୁ ମିଳିଛି ।.

କାମରେ ଆସୁନି ବୌଦ୍ଧ ବଘିଆପଡ଼ା ସ୍ଵାସ୍ଥ୍ୟକେନ୍ଦ୍ରର ନୂଆ କୋଠା

ନନ୍ଦିଘୋଷ ବ୍ୟୁରୋ: କାମରେ ଆସୁନାହିଁ ବୌଦ୍ଧ ଜିଲ୍ଲା ବଘିଆପଡ଼ା ପ୍ରାଥମିକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ନୂଆ କୋଠା । ନିର୍ମାଣର ବର୍ଷେ ପରେ ମଧ୍ୟ ଗେଟରେ ତାଲା ଝୁଲୁଛି । ନୂତନ କୋଠରୀରେ ପଡ଼ିପଡ଼ି ଖତ ଖାଉଛି ଲକ୍ଷାଧିକ ଟଙ୍କାର ସଜସରଞ୍ଜାମ । ପୀର୍ବ ସରକାର ସମୟରେ ୩କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହୋଇଛି PHC ସ୍ୱାସ୍ଥ୍ୟ କେନ୍ଦ୍ର । ନିର୍ମାଣର ବର୍ଷେ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇପାରୁନି କାର୍ଯ୍ୟକ୍ଷମ । ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଉପାନ୍ତ ଅଞ୍ଚଳର ବଘିଆପଡ଼ା ପଞ୍ଚାୟତବାସୀ ।

କାମରେ ଆସୁନାହିଁ ବୌଦ୍ଧ ଜିଲ୍ଲା ବଘିଆପଡ଼ା ପ୍ରାଥମିକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ନୂଆ କୋଠା । ନିର୍ମାଣର ବର୍ଷେ ପରେ ମଧ୍ୟ ଗେଟରେ ତାଲା ଝୁଲୁଛି । ନୂତନ କୋଠରୀରେ ପଡ଼ିପଡ଼ି ଖତ ଖାଉଛି ଲକ୍ଷାଧିକ ଟଙ୍କାର ସଜସରଞ୍ଜାମ । ବିଡ଼ମ୍ବନାର ବିଷୟ କୋଠା ନିର୍ମାଣକୁ ବର୍ଷେ ବିତିଯାଇଥିଲେ ମଧ୍ୟ ସ୍ଵାସ୍ଥ୍ୟକେନ୍ଦ୍ରର ନୂଆ କୋଠାର ଉଦଘାଟନ ହୋଇପାରିନାହିଁ । ଯାହା ଫଳରେ ପୁରୁଣା କୋଠାରେ ଚାଲିଛି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର। ଉପାନ୍ତ ମାଓପ୍ରବଣ ଅଞ୍ଚଳ ବଘିଆପଡ଼ା ପଞ୍ଚାୟତ ସମେତ ନିକବର୍ତ୍ତୀ ପ୍ରାୟ ୫୦ଖଣ୍ଡ ଗାଁର ଲୋକେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭରଶୀଳ। ପ୍ରତିଦିନ ଏହି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ବହୁ ସଂଖ୍ୟାରେ ରୋଗୀ ଆସିଥାନ୍ତି । ବେଡ୍ ଓ ଗର୍ଭବତୀଙ୍କ ପାଇଁ ଲେବର ରୁମ ନଥିବାରୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ରୋଗୀଙ୍କୁ ସ୍ଥାନାନ୍ତର କରାଯାଉଥିବାରୁ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୀଘ୍ର ସ୍ଵାସ୍ଥ୍ୟକେନ୍ଦ୍ରର ନୂତନ କୋଠାକୁ ଉଦଘାଟନ କରିବାକୁ ଜିଲ୍ଲା ପ୍ରଶାସନ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ଉପାନ୍ତ ଅଞ୍ଚଳର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ୨୦୨୩ ମସିହାରେ ବଘିଆପଡ଼ାରେ ୨୪ଘଣ୍ଟିଆ PHC ନିର୍ମାଣ ପାଇଁ ପୂର୍ବ ସରକାର ସମୟରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ୨କୋଟି ୧୨ଲକ୍ଷରୁ ଅଧିକ ଟଙ୍କା ବ୍ୟୟବରାଦ ହୋଇଥିଲା । ବର୍ଷେ ତଳୁ କୋଠା ନିର୍ମାଣ କାର୍ଯ୍ୟ ସରିଛି । ଉଦଘାଟନ ହୋଇନଥିବାରୁ କାମରେ ଆସୁନାହିଁ ନୂଆ କୋଠା । ଖୁବଶୀଘ୍ର ଏହାର ନୂଆକୋଠା କାର୍ଯ୍ୟକ୍ଷମ ହେଲେ ରୋଗୀ ସେବାରେ ଉନ୍ନତି ଆସିବ ବୋଲି କହିଛନ୍ତି ସ୍ଵାସ୍ଥ୍ୟକେନ୍ଦ୍ରର ଡାକ୍ତର । ଏପଟେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରି ନୂତନ କୋଠାକୁ ଶୀଘ୍ର ଉଦଘାଟନ ପାଇଁ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।