spot_img
Home Blog Page 1309

ବାରବାଟୀରେ ବିରାଟଙ୍କୁ ମିଳିପାରେ ସୁଯୋଗ

ନନ୍ଦିଘୋଷ ବ୍ୟୁରୋ: ପ୍ରଥମ ଦିନିକିଆରେ ବିଜୟ ପରେ ଆଜି ଦ୍ବିତୀୟ ଦିନିକିଆ କଟକରେ ଖେଳାଯାଉଛି । ବିରାଟ କୋହଲିଙ୍କ ବହୁ ଫ୍ୟାନ୍ସ ଓଡ଼ିଶାରେ ରହିଛନ୍ତି । ତାଙ୍କର ଟିକେ ଝଲକ ପାଇବା ପାଇଁ ଅଭ୍ୟାସ ସମୟରେ କିଭଳି ଗହଳି ହୋଇଥିଲା ତାହା ଦେଖିବାକୁ ପାଇଥିଲେ । ତେବେ ଆଜିର ମ୍ୟାଚରେ ବିରାଟଙ୍କୁ ମିଳିପାରେ ସୁଯୋଗ । ଯଦି ବିରାଟ କୋହଲି ଦଳରେ ସ୍ଥାନ ପାଆନ୍ତି ତାହେଲେ କିଏ ବସିବେ ତାକୁ ନେଇ ଚର୍ଚ୍ଚା ହେଉଛି । କୁହାଯାଉଛି କି, ଜସସ୍ବୀ ଜୟସ୍ବାଲ ଆଜିର ମ୍ୟାଚରେ ଖେଳି ନପାରନ୍ତି । କାରଣ ଉପଅଧିନାୟକ ଶୁଭମନ ଗିଲ ଗତକାଲି କହିଥିଲେ କି, ବିରାଟ ଏବେ ପୁରା ଫିଟ୍ ଅଛନ୍ତି । ଏଣୁ ବିରାଟଙ୍କୁ ଦଳରେ ସ୍ଥାନ ମିଳିବା ଏକପ୍ରକାର ନିଶ୍ଚିତ ବୋଲି କହିପାରିବା । ତେବେ ବିରାଟ ଖେଳିଲେ ଗିଲ ଏବଂ ରୋହିତ ଓପନିଂ କରିବେ । ବିରାଟ ୩ ନମ୍ବରରେ ଆସିବେ ଏବଂ ଶ୍ରେୟସ ନିଜ ସ୍ଥାନରେ ଚତୁର୍ଥରେ ବ୍ୟାଟିଂ କରିବେ । ନାଗପୁର ଦିନିକିଆରେ ଜୟସ୍ବାଲ ଡେବ୍ୟୁ କରିଥିବାବେଳେ ମାତ୍ର ୧୫ ରନ କରିଥିଲେ ।

ସେପଟେ ବିରାଟଙ୍କ ପ୍ରଦର୍ଶନ ଉପରେ ମଧ୍ୟ ନଜର ରହିବ । କାରଣ ଦୀର୍ଘଦିନ ହେବ ଖରାପ ଫର୍ମ ଦେଇ ଗତି କରୁଛନ୍ତି ବିରାଟ । ଆଗକୁ ଚାମ୍ପିୟନ୍ସ ଟ୍ରଫି ଥିବାବେଳେ କୋହଲିଙ୍କଠାରୁ ବଡ଼ ପାଳିର ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।

ରାଜ୍ୟରେ ପୁଣି କମିଲା ତାପମାତ୍ରା

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ପୁଣି କମିଲା ତାପମାତ୍ରା । ପଶ୍ଚିମାଝଡ଼ ଅପସାରଣ ପରେ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି । ଗୁରୁଚାପ ବଳୟ ଦେଶର ମଧ୍ୟଭାଗକୁ ସ୍ଥାନାନ୍ତରଣ ହେତୁ ଏହି ପ୍ରକ୍ରିୟା ଆହୁରି ପ୍ରଶମିତ ହୋଇଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬ ଡିଗ୍ରୀ ପର୍ଯ୍ଯନ୍ତ କମିଛି ପାରା ।  ଆସନ୍ତା ୨୪ ଘଣ୍ଟା ଆହୁରି ୨ରୁ ୩ ଡିଗ୍ରୀ କମିବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସେପଟେ ଆସନ୍ତା ଦୁଇଦିନ ଯାଏଁ କଲବଲ କରିବ ଘନ କୁହୁଡ଼ି। ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି  । ବିଶେଷ କରି ନୟାଗଡ଼, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ସତର୍କତା ଜାରି ହୋଇଥିବା ଜିଲ୍ଲାମାନଙ୍କରେ ଭୋରରୁ ଗାଡି ଧିରେ ଚଳାଇବା ପାଇଁ ପରାମର୍ଶ ଦିଆଯାଇଛି ।

ଦିଲ୍ଲୀ ପରାଜୟ ପରେ ପଞ୍ଜାବରେ ବଢ଼ିଲା ଆପର ଚିନ୍ତା !

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ପରାଜୟ ପରେ ପଞ୍ଜାବରେ ଆମ ଆଦମୀ ପାର୍ଟିରେ ବଢିଲା ଅଡୁଆ। ପରାଜୟର ପ୍ରଭାବ ଦେଖିବାକୁ ମିଳିପାରେ ପଞ୍ଜାବରେ। ପଞ୍ଜାବ ଆମ ଆଦମୀ ପାର୍ଟିର ୩୦ରୁ ଅଧିକ ବିଧାୟକ ପଞ୍ଜାବ କଂଗ୍ରେସ ନେତା ପ୍ରତାପ ସିଂ ବାଜୱାଙ୍କ ସମ୍ପର୍କରେ ଥିବା ସେ କହିଛନ୍ତି। ଦିଲ୍ଲୀରେ ବିଜେପି ୨୭ ବର୍ଷ ଧରି ଶାସନ ଗାଦି ବାହାରେ ରହିଥିଲା। ଏବେ ବିଜେପି ହାତକୁ ଆସିଛି ସରକାର। ଆମ ଆଦମୀ ପାର୍ଟିର ଶାସନ କେବଳ ପଞ୍ଜାବରେ ରହିଛି। ଏଭଳି ସ୍ଥିତିରେ ଆମ ଆଦମୀ ଲାଗି ପରୀକ୍ଷାର ମୁହୂର୍ତ୍ତ। ଆସନ୍ତା ୨୦୨୭ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାର ଅଛି।  ୨୦୧୩ରେ ଦିଲ୍ଲୀରେ ରାଜନୀତିରୁ ଶାସନ ଭାରକୁ ଆସିଥିଲା ଆମ ଆଦମୀ ପାର୍ଟି। ୨୦୨୨ ବିଧାନସଭା ନିର୍ବାଚନରେ ୯୨ ଆସନରେ ବିଜୟ ହୋଇଥିଲା ଆପ। ପଞ୍ଜାବରେ ଆଗାମୀ ନିର୍ବାଚନକୁ ଆଉ ୨ ବର୍ଷ ରହିଛି। ଏଭଳି ସ୍ଥିତିରେ ସତର୍କତାର ସହ ଆପକୁ ଆଗକୁ ବଢିବାକୁ ହେବ।  ୨୦୨୪ ସାଧାରଣ ନିର୍ବାଚନରେ ଆପକୁ ମୋଟ ୧୩ ଆସନରୁ ୩ ଆସନରେ ବିଜୟୀ ହୋଇଥିଲା। ପଞ୍ଜାବରେ ସରକାର ପୁଣି ଥରେ ବଜାୟ ରଖିବାକୁ ହେଲେ ପୂର୍ବରୁ ଦେଇଥିବା ପ୍ରତିଶୃତିକୁ ପାଳନ କରିବାକୁ ପଡିବ। ମହିଳାଙ୍କୁ ମାସିକ ୧ ହଜାର ଟଙ୍କା ପେନସନ୍ ସହ ମାସିକ ୬ଶହ ୟୁନିଟ ମାଗଣା ବିଜୁଳି ପ୍ରତିଶୃତି ପୂରଣ କରିବାକୁ ପଡିବ।

ଆଜି ବାରବାଟୀ ଦିନିକିଆ, ସୁପର ସଣ୍ଡେରେ ସୁପର ମ୍ୟାଚ୍

ନନ୍ଦିଘୋଷ ବ୍ୟୁରୋ: ଆଜି ବାରବାଟୀ ଦିନିକିଆ। ଭାରତ  ଓ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜର ଦ୍ଵିତୀୟ ମ୍ୟାଚ। ଦିବାରାତ୍ର ଖେଳାଯିବାକୁ ଥିବା ଏହି ମ୍ୟାଚ ଲାଗି ଦର୍ଶକଙ୍କ ମଧ୍ୟରେ ରହିଛି ଅନେକ ଉତ୍ସାହ। ଟକ୍ଟର ପାଇଁ ଉତ୍କଣ୍ଠା ପହଞ୍ଚିଛି ଚରମ ସୀମାରେ।ସାରା ରାଜ୍ୟରେ କ୍ରିକେଟ ଫିଭର୍। ମ୍ୟାଚ ଲାଗି ପୁରା ପ୍ରସ୍ତୁତ ବାରବାଟୀ। ଏହି ମ୍ୟାଚ ହାଇସ୍କୋରିଂ ହେବା ଆଶା କରାଯାଉଛି। ଆଜିର ମ୍ୟାଚରେ ବିରାଟ କୋହଲି ଓ ମହମ୍ମଦ ସାମି ଖେଳିପାରନ୍ତି। ଉଭୟେ ଫିଟ୍ ଅଛନ୍ତି। ଆହତ କାରଣରୁ ସିରିଜର ପ୍ରଥମ ମ୍ୟାଚ ଖେଳି ପାରିନଥିଲେ କୋହଲି। ଆଜିର ମ୍ୟାଚ ଯଦି ସେ ଖେଳନ୍ତି, ତେବେ କିଏ ବାଦ୍ ପଡ଼ିବ, ପ୍ଲେଇଂ ଇଲେଭେନ୍ ରେ କିଏ କିଏ ରହିବ, ତାକୁ  ନେଇ ନାନା ଅଙ୍କ କଷା। ନାଗପୁର ପ୍ରଥମ ଦିିନିକିଆ ଜିତିଥିବାବେଳେ ଆଜିର ମ୍ୟାଚ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ। ଏଯାଏଁ ବାରବାଟୀରେ ହୋଇଛି ମୋଟ ୧୯ଟି ୱାନ ଡେ। ଭାରତ ଖେଳିଛି ୧୭ଟି ମ୍ୟାଚ। ସେଥି ମଧ୍ୟରୁ ଜିତିଛି ୧୩ଟି । ଭାରତ ଖେଳିଥିବା ଗତ ୭ଟି ଯାକ ମ୍ୟାଚରେ ବିଜୟୀ ହୋଇଥିବାରୁ ଏହି ଧାରା ବଜାୟ ରଖିବାକୁ ଟିମ୍ ଲକ୍ଷ୍ୟ ରଖିଛି। ବାରବାଟୀର ସର୍ବୋଚ୍ଚ ସ୍କୋର ହେଲା ୩୮୧ ରନ, ଯାହାକି ଭାରତ କରିଥିଲା। ଗତ ୨୦୧୭ ଜାନୁଆରୀ ୧୯ରେ ଏହି ମ୍ୟାଚ ହୋଇଥିଲା। ବାରବାଟୀରେ ହୋଇଥିବା ମୋଟ୍ ୧୯ଟି ୱାନ ଡେ ମଧ୍ୟରୁ ୧୧ଟି ମ୍ୟାଚରେ ଚେଜ୍ କରିଥିବା ଟିମ୍ ଜିତିଥିବା ବେଳେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୮ଟି ମ୍ୟାଚରେ ବିଜୟୀ ହୋଇଛନ୍ତି।

ଆମେରିକାରୁ ସ୍ଵଦେଶ ଫେରିବେ ଆହୁରି ପ୍ରାୟ ୬୦୦ ଭାରତୀୟ

ନନ୍ଦିଘୋଷ ବ୍ୟୁରୋ: ଆମେରିକାରୁ ସ୍ଵଦେଶ ଫେରିବେ ଆହୁରି ପ୍ରାୟ ୬୦୦ ଭାରତୀୟ।ବେଆଇନ ଭାବେ ଆମେରିକାରେ ରହୁଥିବା ୬୦୦ ନାଗରିକଙ୍କୁ ଭାରତକୁ ପଠାଇବାକୁ  ଆମେରିକା ତାଲିକା ପ୍ରସ୍ତୁତ କରିଥିବା ଜଣାପଡିଛି। ଏ ନେଇ ଭାରତୀୟ  ବୈଦେଶିକ ବ୍ଯାପାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଭାରତକୁ ଆସୁଥିବା ଲୋକଙ୍କୁ ଠିକ୍ ଭାବେ ବିମାନରେ ସ୍ଥାନାନ୍ତର କରାଯାଉନଥିବା ଅଭିଯୋଗ ହୋଇଛି। ଦୟନୀୟ ଭାବେ ସାମରିକ ବିମାନ ସି-୧୭ରେ ଭାରତୀୟଙ୍କୁ ଆଣିବାକୁ ନେଇ ବିବାଦ ଜାରି ରହିଥିବାବେଳେ ପୁଣି ଥରେ ଏହି ବିପୁଳ ସଂଖ୍ଯକ ଭାରତୀୟଙ୍କୁ ଅଣାଯିବ। ଏହାକୁ ନେଇ ଗୁରୁତ୍ଵରୋପ କରିଛି ନୂଆଦିଲ୍ଲୀ।ବିମାନରେ ନାଗରିକ ସ୍ଥାନାନ୍ତର ବେଳର ଫଟୋକୁ ନେଇ ଛାନିଆ ଲୋକେ। କିଛି ସମୟ ପୂର୍ବରୁ ଆମେରିକାରେ ବେଆଇନ ଭାବେ ରହୁଥିବା ୪୮୭ ନାଗରିକକୁ ପଠାଇବାକୁ ଆମେରିକା ତାଲିକା ପ୍ରସ୍ତୁତ କରିଥିବା ନେଇ ସୂଚନା ଦିଆଯାଇଥିଲା। ତେବେ ଏହି ସଂଖ୍ଯା ଏବେ ୫୮୬ ବୋଲି ଜଣାପଡିଛି।

ପୂର୍ବରୁ ସାମରିକ ବିମାନ ସି-୧୭ ଜରିଆରେ ୨୦୩ ନାଗରିକଙ୍କୁ ଭାରତ ପଠାଇଛି  ଆମେରିକା। ପ୍ରଥମ ପର୍ଯ୍ଯାଯରେ ଭାରତକୁ ଫେରିଥିବା ନାଗିରକଙ୍କ ମଧ୍ଯରେ ଆମେରିକା ତାଲିକା ପ୍ରସ୍ତୁତ କରିଥିବା ୬ ଶହ ଜଣଙ୍କ ମଧ୍ଯରୁ ୯୯ ଜଣ ଫେରିଛନ୍ତି। ଆଗକୁ ଆଉ ୯୬ ଭାରତୀୟଙ୍କୁ ଆମେରିକା ଭାରତକୁ ପଠାଇବ ବୋଲି ଜଣାପଡିଛି।

ପ୍ରୟାଗରାଜ ମହାକୁମ୍ଭ : ବୁଡ଼ ପକାଇଲେଣି ୪୦ କୋଟିରୁ ଅଧିକ ଶ୍ରଦ୍ଧାଳୁ

ପ୍ରୟାଗରାଜ ମହାକୁମ୍ଭରେ ଏଯାଏଁ ପକାଇଲେଣି ୪୦ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ବୁଡ଼। ଉତ୍ତରପ୍ରଦେଶ ପ୍ରୟାଗରାଜ ମହାକୁମ୍ଭ ମେଳାକୁ ୨୬ ଦିନ ହୋଇଥିବାବେଳେ ୪୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଲେଣି। ମହାକୁମ୍ଭକୁ ରହିଛି ଆଉ ରହିଛି ୧୮ ଦିନ। କିଛି ଦିନ ମଧ୍ୟରେ ବୁଡ ପକାଇଥିବା ଶ୍ରଦ୍ଧାଳୁ ସଂଖ୍ଯା ୫୦ କୋଟି ପାର ହୋଇଯିବା ସମ୍ଭାବନା ରହିଛି। ଆସନ୍ତା ୨୬ ଫେବୃଆରୀରେ ମହାକୁମ୍ଭର ହେବ ସମାପନ। ଏହି ଅବଧି ମଧ୍ୟରେ ମହାକୁମ୍ଭରେ ବୁଡ଼ ପକାଉଥିବା ଶ୍ରଦ୍ଧାଳୁଙ୍କ ସଂଖ୍ଯା ୫୦ କୋଟି ପାର ହୋଇଯିବା ସମ୍ଭାବନା ରହିଛି। ଗତ ଜାନୁଆରୀ ୧୩ ତାରିଖରେ ଆରମ୍ଭ ହୋଇଥିଲା ପ୍ରୟାଗର ପବିତ୍ର ମହାକୁମ୍ଭ।

ଭେଟେରାନ୍ ଅଭିନେତା ଉତ୍ତମ ମହାନ୍ତିଙ୍କୁ କରାଗଲା ଏୟାରଲିପ୍ଟିଂ

ନନ୍ଦିଘୋଷ ବ୍ୟୁରୋ: ଭେଟେରାନ୍ ଅଭିନେତା ଉତ୍ତମ ମହାନ୍ତିଙ୍କୁ କରାଗଲା ଏୟାରଲିପ୍ଟିଂ । ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଭୁବନେଶ୍ବର ଏକ  ଘରୋଇ ହସ୍ପିଟାଲରୁ ତାଙ୍କୁ ଗୁରଗାଁଓର ମେଦାନ୍ତ ହସପିଟାଲକୁ ଏୟାରଲିଫ୍ଟ କରାଯାଇଛି । ଏଥିପାଇଁ ହସପିଟାଲରୁ ଏୟାରପୋର୍ଟ ଯାଏଁ କରାଯାଇଥିଲା ଗ୍ରୀନ କରିଡ଼ର । ୩ ଦିନ ତଳୁ ହସ୍ପିଟାଲରେ ଆଡ଼ମିଶନ ହୋଇ ଚିକିତ୍ସିତ ହେଉଛନ୍ତି ଉତ୍ତମ । ଲିଭର ସିରୋସିସରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର ଲିଭର ଫେଲ୍ୟୁର ରହିଛି । ଗତକାଲିଠାରୁ ସେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି । ତେଣୁ ଅଧିକ ଚିକିତ୍ସା ପାଇଁ ଆଜି ସଂଧ୍ଯା ୮ଟାରେ ସ୍ବତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଗୁରଗାଁଓର ମେଦାନ୍ତ ହସପିଟାଲକୁ ଏୟାର ଲିଫ୍ଟି କରାଯାଇଛି ।

ଜରାଜୀର୍ଣ୍ଣ ଅବସ୍ଥାରେ ବାରିପଦାର ଶ୍ରୀରାମଚନ୍ଦ୍ର ପାଠାଗାର, ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଛି ଐତିହ୍ୟ

ନନ୍ଦିଘୋଷ ବ୍ୟୁରୋ: ରାଜତନ୍ତ୍ର ସମୟରୁ ମୟୂରଭଞ୍ଜର କଳା ସାହିତ୍ୟ ସଂସ୍କୃତିର ସ୍ଵତନ୍ତ୍ର ପରିଚୟ ରହିଆସିଛି । ସେଥିମଧ୍ୟରୁ ଅନ୍ୟତମ ହେଉଛି ଶ୍ରୀରାମଚନ୍ଦ୍ର ପାଠାଗାର । ୧୮୯୮ ମସିହାରେ ବାରିପଦା ଠାରେ ଲାଇବ୍ରେରୀକୁ ପ୍ରତିଷ୍ଠା କରିଥିଲେ ତତ୍କାଳୀନ ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ । ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ବାରିପଦାର ପୁରାତନ ଐତିହ୍ୟ ସମ୍ପନ୍ନ ଲାଇବ୍ରେରୀ ଶ୍ରୀରାମଚନ୍ଦ୍ର ପାଠାଗାର ନଷ୍ଟ ହେବାକୁ ବସିଛି । ଲାଇବ୍ରେରୀକୁ ସଂରକ୍ଷଣ କରିବାକୁ ଅଣ୍ଟା ଭିଡିଛନ୍ତି ମୟୂରଭଞ୍ଜର ପ୍ରମୁଖ ବ୍ୟକ୍ତି ବିଶେଷ ।

ଜରାଜୀର୍ଣ୍ଣ ଅବସ୍ଥାରେ ଶ୍ରୀରାମଚନ୍ଦ୍ର ପାଠାଗାର । ଭାଙ୍ଗିଯାଇଛି ଛାତର ଆଜବେଷ୍ଟ । ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଛି ଐତିହ୍ୟ । ରାଜତନ୍ତ୍ର ସମୟର ଏହି ପାଠାଗାର ଶ୍ରୀହିନ ହୋଇ ପଡ଼ିଥିବା ବେଳେ, ଏହାର ପୁନ୍ନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରୟାସ ଆରମ୍ଭ ହୋଇଛି । ୧୮୯୮ ମସିହାରେ ବାରିପଦା ଠାରେ ଲାଇବ୍ରେରୀକୁ ପ୍ରତିଷ୍ଠା କରିଥିଲେ ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ । ସେହି ସମୟରେ ବ୍ରିଟିସ ମହାରାଣୀ ଭିକ୍ଟୋରିଙ୍କ ନାମରେ ନାମିତ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ ହୋଇଥିଲା । ୧୯୪୯ ମସିହାରେ ମୟୂରଭଞ୍ଜର ଓଡ଼ିଶା ସହିତ ମିଶ୍ରଣ ପରେ ଶିକ୍ଷାବିତ ଓ ବୁଦ୍ଧିଜୀବୀଙ୍କୁ ନେଇ ଗଠିତ କମିଟି ଦ୍ଵାରା ପରିଚାଳିତ ହୋଇଆସୁଛି । ରାଜ୍ୟର ଅନ୍ୟତମ ପୁରାତନ ପାଠାଗାର ଶ୍ରୀରାମଚନ୍ଦ୍ର ଲାଇବ୍ରେରୀର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ବିଗତ ସରକାରଙ୍କ ସମୟରେ ଆର୍ଥିକ ଅନୁଦାନ ମିଳିଥିଲା । ଜରାଜୀର୍ଣ ଅବସ୍ଥାରେ ଥିବା ଏହି ପାଠାଗାରର ପୁନ୍ନରୁଦ୍ଧାର ପାଇଁ ଜାତୀୟ ସ୍ମାରକ ପ୍ରାଧୀକରଣ ସଂସ୍ଥା ଅଧ୍ୟକ୍ଷ ତଥା ପାଠାଗାରର ପୂର୍ବତନ ସଦସ୍ୟ ପ୍ରଫେସର କିଶୋର କୁମାର ବସାଙ୍କ ନେତୃତ୍ଵରେ ପ୍ରୟାସ ଆରମ୍ଭ ହୋଇଛି ।

ଶ୍ରୀରାମଚନ୍ଦ୍ର ପାଠାଗାରର ପୁନ୍ନରୁଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ଅଞ୍ଚଳର ପ୍ରମୁଖ ବ୍ଯକ୍ତି ବିଶେଷ । ପ୍ରଫେସର କିଶୋର କୁମାର ବସାଙ୍କ ନେତୃତ୍ଵରେ ଐତିହାସିକ ସ୍ମାରକୀର ସଂରକ୍ଷଣ ପାଇଁ ଗତ ୨୮ ତାରିଖରେ ଆଇଏସଆଇର ଏକ ଟିମ ଲାଇବ୍ରେରୀର ଅବସ୍ଥା ଅନୁଧ୍ୟାନ କରିଛି । ଲାଇବ୍ରେରୀର ପୁନ୍ନରୁଦ୍ଧାର ପାଇଁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରାଯାଇଛି । ଆଲୋଚନାରେ ବିପିୟୁଟିର ପୂର୍ବତନ କୁଳପତି ଡକ୍ଟର ଦାମୋଦର ଆଚାର୍ଯ୍ୟ, ଓଡ଼ିଶା ସୋସାଇଟି ଅଫ୍ ଆମେରିକାର ପ୍ରତିନିଧି ଡକ୍ଟର ଅଜୟ କୁମାର ମହାନ୍ତି, ଭୂବନେଶ୍ଵର ଆଇଆଇଟିର ପ୍ରଫେସର ସୁରେଶ ଦାସ, ବାରିପଦା ପୌରପରିଷଦ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି ଓ ଭାରତୀୟ ସର୍ବେକ୍ଷଣ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ପାଠାଗାରକୁ ଦେଶର ଏକ ମଡେଲ ପାଠାଗାରରେ ପରିଣତ କରି ଖଡଗପୁରର ଲାଇବ୍ରେରୀ ଏବଂ ଆର୍କିଟେକ୍ଟର ବିଶେଷଜ୍ଞ ମାନଙ୍କୁ ଏହାର ମଡେଲ ପ୍ରସ୍ତୁତ କରିବାକୁ ନିୟୋଜିତ କରାଯିବାକୁ ଆଲୋଚନା ହୋଇଥିଲା । ରାଜତନ୍ତ୍ର ସମୟର ଏକ ସ୍ମାରକୀ ପାଠାଗାର ଶ୍ରୀହୀନ ହୋଇପଡୁଥିବା ବେଳେ ଅତ୍ୟାଧୁନିକ ପାଠାଗାରରେ ପରିଣତ କରାଯାଇପାରିଲେ ଛାତ୍ରଛାତ୍ରୀ, ଶିକ୍ଷକ ଗବେଷକଙ୍କ ପାଇଁ ଉପାଦେୟ ହୋଇପାରିବ ।

ଟମାଟୋ କିଲୋ ପିଛା ୨ ଟଙ୍କାରୁ ୩ ଟଙ୍କାରେ ବିକ୍ରୀ

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲାରେ ଟମାଟୋର ଅଭାବୀ ବିକ୍ରୀ । ଟମାଟୋ କିଲୋ ପିଛା ୨ ଟଙ୍କାରୁ ୩ ଟଙ୍କାରେ ବିକ୍ରୀ ହେଉଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ କୂଳ । ବଜାରରେ ଟମାଟୋ କିଲେ ପିଛା ୧୫ ଟଙ୍କା ରହିଥିବା ବେଳେ ଚାଷୀଙ୍କ ଠାରୁ ୨ ରୁ ୩ ଟଙ୍କାରେ କିଣୁଛନ୍ତି ବ୍ୟବସାୟୀ । ଲେବର, ପେଷ୍ଟିସାଇଡ୍ ଖର୍ଚ୍ଚ ସହିତ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଉଥିବା ବେଳେ ପାରିଶ୍ରମିକ ମିଳୁନାହିଁ । ଅନେକ ଚାଷୀ ଟମାଟୋକୁ ନତୋଳି ଚାଷ ଜମିରେ ଛାଡ଼ି ଦେଉଛନ୍ତି । ହେକ୍ଟର ହେକ୍ଟର ଚାଷ ଜମିରେ ଟମାଟୋ ସେଭଳି ପଚିସଢ଼ି ନଷ୍ଟ ହେଉଥିବା ଦେଖିବାକୁ ମିଳିଛି ।

ଗଞ୍ଜାମ ଜିଲ୍ଲା ଡିଆଁଡ଼େଇଁ ଗାଁରୁ ଆସିଛି ଏଭଳି ଦୃଶ୍ୟ । ଜିଲ୍ଲାର ମଧୁରଚୁଆ, ସିପକୁଦା, ଶ୍ରୀରାମଚନ୍ଦ୍ରପୁର, ହରିପୁର, କଣ୍ଟପଡ଼ା ଭଳି ଅନେକ ଗାଁରେ ଚଳିତ ବର୍ଷ ଟମାଟୋ ଚାଷ ଭଲ ହୋଇଛି । ଗତ କିଛି ଦିନ ପୂର୍ବରୁ ଟମାଟୋ କିଲୋ ପିଛା ୧୫ରୁ ୨୦ ଟଙ୍କାରେ ବିକ୍ରି ହେଉଥିଲା । ହଠାତ୍ ଦର ଖସି ଯିବାରୁ ଏବେ ୨ରୁ ୩ ଟଙ୍କାରେ ବିକ୍ରି ହେଉଛି ଟମାଟୋ । ପାରିଶ୍ରମିକ ମିଳୁନଥିରୁ ହେକ୍ଟର ହେକ୍ଟର ଜମିରେ ଟମାଟୋକୁ ଛାଡ଼ି ଦେଉଛନ୍ତି ଚାଷୀ । ଚାଷ କାର୍ଯ୍ୟ ପାଇଁ ଲେବର, ପେଷ୍ଟିସାଇଡ୍ ଖର୍ଚ୍ଚ ସହିତ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇବାରେ ଲାଗିଛି । ଏକର ପିଛା ଟମାଟୋ ଚାଷ ପାଇଁ ପ୍ରାୟ ୩୦ରୁ ୪୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଟମାଟୋ ତୋଳି ବଜାରକୁ ବିକ୍ରି ପାଇଁ ନେଲେ ପାରିଶ୍ରମିକ ମିଳୁନାହିଁ । କିପରି ଋଣ ଶୁଝିବେ ଓ ପରିବାର ପ୍ରତିପୋଷଣ କରିବେ ସେଇ ଚିନ୍ତାରେ ଚାଷୀ ।

ଗଞ୍ଜାମ ସଦର ବ୍ଲକ ଅଞ୍ଚଳର ଚାଷୀ ଋଣ କରି ଟମାଟୋ ଚାଷ କରିଥିଲା ଚାଷୀ । ସାର ଓ ପେଷ୍ଟିସାଇଡ୍ ଦର ବୃଦ୍ଧି ପାଇଥିବା ବେଳେ ଟମାଟୋ ତୋଳିବାକୁ ପଡୁଥିବା ପାରିଶ୍ରମିକ ମଧ୍ୟ ଉଠୁନାହିଁ । ପ୍ରତି ବର୍ଷ ଏହି ସମୟରେ ପ୍ରଚୁର ପରିମାଣରେ ଟମାଟୋ ଉତ୍ପାଦନ ହୋଇଥାଏ । ତେବେ ସଂରକ୍ଷଣ କରି ରଖିବାକୁ ଶୀତଳ ଭଣ୍ଡାର ସୁବିଧା ନଥିବାରୁ ପ୍ରତି ବର୍ଷ ଏହିପରି ଅଭାବୀ ବିକ୍ରିର ଶିକାର ହୋଇଥାନ୍ତି ଚାଷୀ । ଟମାଟୋ ନତୋଳି ଚାଷ ଜମିରେ ଛାଡ଼ି ଦେଉଥିବାରୁ ଟମାଟୋ ଚାଷ ଜମିରେ ପଡ଼ି ପଚିସଢ଼ି ଯାଉଛି । ଟମାଟୋ ସହିତ ଅନ୍ୟାନ୍ୟ ପନିପରିବା ଚାଷ କରି ପରିବାର ପୋଷିବା କଷ୍ଟକର ହେଉଥିବା ବେଳେ ବର୍ତ୍ତମାନ ବାଧ୍ୟ ହୋଇ ଦାଦନ ଖଟିବା ନିମନ୍ତେ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ବୋଲି କହିଛନ୍ତି ଚଷା ପୁଅ । ଚାଷ କାର୍ଯ୍ଯ ପାଇଁ ସାର ଓ ଔଷଧ ରିହାତି ଦରରେ ଯୋଗାଇ ଦେବା ସହିତ ଶୀତଳଭଣ୍ଡାର ବ୍ୟବସ୍ଥା କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ଚାଷୀ ।

ଗଞ୍ଜାମ ବ୍ଳକରେ ବହୁଳ ଭାବେ ଟମାଟୋ ସହିତ ପନିପରିବା ଚାଷ ହୋଇଥାଏ । ଏଠାରୁ ବାହାର ଜିଲ୍ଲା ଓ ପୋଡ଼ଶୀ ରାଜ୍ୟକୁ ପନିପରିବା ରପ୍ତାନୀ କରାଯାଇଥାଏ । ତେଣୁ ଚାଷୀଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଶୀତଳଭଣ୍ଡାର ସୁବିଧା କରାଗଲେ ଅଧିକରୁ ଅଧିକର ଚାଷୀ ପନିପରିବା ଫସଲ ପାଇଁ ଆଗ୍ରହୀ ହେବେ ।

ବାରବାଟୀରେ ଅଭ୍ୟାସ କଲେ ଭାରତୀୟ ଖେଳାଳି

ନନ୍ଦିଘୋଷ ବ୍ୟୁରୋ: ବାରବାଟୀ ପ୍ରସ୍ତୁତ, ଇଣ୍ଡିଆ ପ୍ରସ୍ତୁତ ଆଉ ଇଂଲଣ୍ଡ ବି ରେଡି। ଆସନ୍ତାକାଲିର ଟକ୍ଟର ପାଇଁ ଉତ୍କଣ୍ଠା ପହଞ୍ଚିଛି ଚରମ ସୀମାରେ। ସାରା ରାଜ୍ୟରେ କ୍ରିକେଟ ଫିଭର୍। ବାରବାଟୀ ମ୍ୟାଚ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଆଶା କରାଯାଉଛି, ଏହି ମ୍ୟାଚ ହାଇସ୍କୋରିଂ ହେବ। ଟିମ୍ ଇଣ୍ଡିଆର ବ୍ୟାଟିଂ କୋଚ୍ ସୀତାଂଶୁ କୋଟାକ ସଂକେତ ଦେଇଛନ୍ତି, କାଲିର ମ୍ୟାଚରେ ବିରାଟ କୋହଲି ଓ ମହମ୍ମଦ ସାମି ଖେଳିପାରନ୍ତି। ଉଭୟେ ଫିଟ୍ ଅଛନ୍ତି। ଆହତ କାରଣରୁ ସିରିଜର ପ୍ରଥମ ମ୍ୟାଚ ଖେଳି ପାରିନଥିଲେ କୋହଲି। କାଲିର ମ୍ୟାଚ ଯଦି ସେ ଖେଳନ୍ତି, ତେବେ କିଏ ବାଦ୍ ପଡ଼ିବ। ପ୍ଲେଇଂ ଇଲେଭେନ୍ ରେ କିଏ କିଏ ରହିବ, ତାକୁ  ନେଇ ନାନା ଅଙ୍କ କଷା। ସେପଟେ ଆଜି ଅପରାହ୍ନରେ ବାରବାଟୀ ଯାଇ ପ୍ରାକ୍ଟିସ୍ କରିଛନ୍ତି ଟିମ୍ ଇଣ୍ଡିଆର କ୍ରିକେଟର୍। ଗତକାଲି ଦୁଇଟି ଯାକ ଟିମ୍ ଭୁବନେଶ୍ଵରରେ ପହଞ୍ଚିଥିଲେ। ସେମାନଙ୍କୁ ଜୋରଦାର ସ୍ଵାଗତ କରାଯାଇଥିଲା। ଆଜି ଅପରାହ୍ନରେ କଡ଼ା ସୁରକ୍ଷାରେ ବାରବାଟୀ ଯାଇ ପ୍ରାକଟିସ୍ କରିଛି ଟିମ୍ ଇଣ୍ଡିଆ। ତେବେ ଇଂଲଣ୍ଡ ଟିମ୍ ପ୍ରାକ୍ଟିସ୍ କରିନି। ବାରବାଟୀରେ ହୋଇଛି ମୋଟ ୧୯ଟି ୱାନ ଡେ। ଭାରତ ଖେଳିଛି ୧୭ଟି ମ୍ୟାଚ। ସେଥି ମଧ୍ୟରୁ ଜିତିଛି ୧୩ଟି । ଭାରତ ଖେଳିଥିବା ଗତ ୭ଟି ଯାକ ମ୍ୟାଚରେ ବିଜୟୀ ହୋଇଥିବାରୁ ଏହି ଧାରା ବଜାୟ ରଖିବାକୁ ଟିମ୍ ଲକ୍ଷ୍ୟ ରଖିଛି। ବାରବାଟୀର ସର୍ବୋଚ୍ଚ ସ୍କୋର ହେଲା ୩୮୧ ରନ, ଯାହାକି ଭାରତ କରିଥିଲା । ଗତ ୨୦୧୭ ଜାନୁଆରି ୧୯ରେ ଏହି ମ୍ୟାଚ ହୋଇଥିଲା। ବାରବାଟୀରେ ହୋଇଥିବା ମୋଟ୍ ୧୯ଟି ୱାନ ଡେ ମଧ୍ୟରୁ ୧୧ଟି ମ୍ୟାଚରେ ଚେଜ୍ କରିଥିବା ଟିମ୍ ଜିତିଥିବା ବେଳେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୮ଟି ମ୍ୟାଚରେ ବିଜୟୀ ହୋଇଛନ୍ତି।