ଭୁବନେଶ୍ବର : ମୁଲତବୀ ପ୍ରସ୍ତାବ ଆଲୋଚନାବେଳେ ଆମ୍ବ ଟାକୁଆ ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ବିଜେପି କଥା କହେ କାମ କରେନି । ଓଡିଶାକୁ ନିଅଣ୍ଟିଆ ରାଜ୍ୟରୁ ବଳକା ରାଜ୍ୟରେ ପରିଣତ କରିଥିଲେ ନବୀନ ପଟ୍ଟନାୟକ । ବିଜେପି ସରକାର ଆସିବା ପରେ ଏହାକୁ ଠିକସେ ଚଳାଇ ପାରିଲା ନାହିଁ କହି ସମାଲୋଚନା କରିଛନ୍ତି ରଣେନ୍ଦ୍ର । ନବୀନ ଆସିବା ପୁର୍ବରୁ ଓଡ଼ିଶାର ଦାରିଦ୍ର୍ୟ ହାର ୬୩ ପ୍ରତିଶତ ଥିଲା । ଏହାକୁ ବହୁ ମାତ୍ରାରେ ହ୍ରାସ କରିବାରେ ସଫଳ ହୋଇଥିଲେ ପୂର୍ବ ସରକାର । ଓଡିଶାର ରୋଲ୍ ମଡେଲ ସାଜିଥିଲା ଖାଦ୍ୟ ସୁରକ୍ଷା ଆଇନ । ନବୀନ ଏକ ସୁନ୍ଦର ଢାଞ୍ଚା ବିଜେପି ସରକାରଙ୍କୁ ଦେଇକି ଯାଇଥିଲେ । ୫ମାସ ଭିତରେ ତାହାକୁ ବିଗାଡିଦେଇଛି ବିଜେପି । ମାଙ୍କଡ ହାତରେ ଯେପରି ଶାଳଗ୍ରାମ, ବିଜେପି ହାତରେ ସେପରି ସରକାର । ୨୦୧୮ରେ ବିଜେପି କହୁଥିଲା ଆମ୍ବ ଟାକୁଆ ଅଖାଦ୍ୟ l ଏବେ କହୁଛନ୍ତି ଏହା ଖାଦ୍ୟ । ମାଣ୍ଡିପକାରେ ୩ଜଣ ଆଦିବାସୀଙ୍କ ମୃତ୍ୟୁ ପାଇଁ ଯୋଗାଣ ମନ୍ତ୍ରୀ ଦାୟୀ । ତେଣୁ ସେ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ରଣେନ୍ଦ୍ର । ସେହିପରି ବିଜେଡି ସଦସ୍ଯ ବ୍ଯୋମକେଶ ରାୟ ମଧ୍ଯ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । କହିଛନ୍ତି, ମୁଖ୍ୟମନ୍ତ୍ରୀ ନଭେମ୍ୱର ୫ ତାରିଖରେ ସମୀକ୍ଷା କରି ନିର୍ଦ୍ଦେଶ ଦେଲେ ୩ ମାସ ଚାଉଳ ଦେବାକୁ । ଯୋଗଣ ମନ୍ତ୍ରୀଙ୍କୁ ଏହା ଶକ୍ତ ଚାପୁଡ଼ା । କାରଣ ଯୋଗଣ ମନ୍ତ୍ରୀ ପୁର୍ବରୁ ବାରମ୍ୱାର କହୁଥିଲେ ଚାଉଳ ଦିଆଯାଇଛି ବୋଲି । ତେଣୁ ଯୋଗାଣ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ । ସେପଟେ ଆମ୍ବ ଟାକୁଆ ପ୍ରସଙ୍ଗରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ରାଜନ ଏକ୍କା । ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଯାଇ ପାରୁଛନ୍ତି, ହେଲେ ମାଣ୍ଡିପଙ୍କା ଯାଇପାରୁ ନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ଖାଦ୍ଯ ଅଭାବରୁ ଅଖାଦ୍ଯ ଖାଇ ଆଦିବାସୀଙ୍କ ମୃତ୍ଯୁ ହୋଇଛି । ୩୫ କେଜି ଚାଉଳ ଦିଆଯାଉ । ଆମ୍ବ ଟାକୁଆ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ପେଶା ଆଇନକୁ ଜଲଦି ଲାଗୁ କରାଯାଉ l ମନ୍ତ୍ରୀଙ୍କ ଉତ୍ତର ସନ୍ତୋଷ ଜନକ ନୁହେଁ ବୋଲି କହିଛନ୍ତି ରାଜନ । ଏହି ପ୍ରସଙ୍ଗରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ କଂଗ୍ରେସ ଆଦିବାସୀ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କ ଜବାବ ଦେଇଛନ୍ତି । ଆମ୍ବ ଟାକୁଆ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ନୁହେଁ । କିନ୍ତୁ ଦଳୀୟ ଭିତ୍ତିରେ ନେଇ ଉପ ମୁଖ୍ୟମନ୍ତ୍ରୀ ଏହାକୁ ପାରମ୍ପାରିକ ଖାଦ୍ୟ ବୋଲି କହିଛନ୍ତି ବୋଲି କହିଛନ୍ତି ପ୍ରଫୁଲ୍ଲ । ସେପଟେ ଏହା ଉପରେ ବିବୃତି ରଖିଛନ୍ତି ଖାଦ୍ଯ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । କନ୍ଧମାଳ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଜାଉ ଖାଇ ଯେଉଁ ତିନି ଜଣଙ୍କ ମୃତ୍ଯୁ ହୋଇଛି ତାହା ଅନାହାର ମୃତ୍ୟୁ ନୁହଁ ବୋଲି କହି ପୁଣି ବିତଣ୍ଡା ଯୁକ୍ତି ବାଢିଛନ୍ତି ମନ୍ତ୍ରୀ ।
ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା : ପୋଲିସ ପାଖରେ ପହଂଚିଛି ନାବାଳିକାର ଜନ୍ମ ପ୍ରମାଣ ପତ୍ର
କଟକ : କଟକରେ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା। ନାବାଳିକାର ଜନ୍ମ ପ୍ରମାଣ ପତ୍ର ପୋଲିସ ପାଖରେ ପହଂଚିଛି। ଏଥିରୁ ସେ ନାବାଳିକା ଓ ତାଙ୍କର ବୟସ ୧୭ ବର୍ଷ ବୋଲି ଜଣାପଡିଛି। ସେହିପରି ନାବାଳିକାର ବାପା ମା ସେମାନଙ୍କର ପରିଚୟ ପତ୍ର ମଧ୍ଯ କଟକ ପୋଲିସ ନିକଟକୁ ପଠାଇଛନ୍ତି। ଅନ୍ଯ ପକ୍ଷରେ ଅଭିଯୁକ୍ତମାନେ ଟଙ୍କା କାରବାର ପାଇଁ ନାବାଳିକାଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରୁଥିଲେ ବୋଲି ପୋଲିସ ସ୍ପଷ୍ଟ କରିଛି। ଏଭଳି କାରବାର ପାଇଁ ସେମାନେ ନାବାଳିକାଙ୍କୁ କିଛି ଅର୍ଥ ଦେଉଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଗିରଫ ତିନି ଜଣ କମିଶନ ନେଇ ଦଲାଲ୍ କାମ କରୁଥିଲେ। ଏବେ ବି ଏହି ଘଟଣାରେ ସଂପୃକ୍ତ କିଛି ଦଲାଲ୍ ଫେରାର୍ ଅଛନ୍ତି। ଏମାନଙ୍କୁ ପୋଲିସ ଧରିବା ପାଇଁ ଅପରେସନ ଜାରି ରଖିଛି ବୋଲି କଟକ ଡିସିପି କହିଛନ୍ତି।
ଜିମ୍ ଯାଉଥିଲେ ଖଣ୍ଡଗିରିର କୁନି କଳକୀ ବାବା ! ଫଟୋ ହେଉଛି ଭାଇରାଲ
ଭୁବନେଶ୍ବର : ଖଣ୍ଡଗିରି ଶ୍ରୀବୈକୁଣ୍ଠ ଧାମ ଆଶ୍ରମର ଖୋଲୁଛି ଗୁମର । ଜିମ୍ ଯାଉଥିଲେ ଖଣ୍ଡଗିରିର କୁନି କଳକୀ ବାବା। ଆଶ୍ରମଟି ସରକାରୀ ଜମିରେ ଠିଆ ହୋଇଥିବା ଜିଏ ବିଭାଗ ସ୍ପଷ୍ଟ କରିବା ପରେ ଆଜି ବାବାଙ୍କ ଜିମ୍ ଯାଉଥିବା ଫଟୋ ସାମ୍ନାକୁ ଆସିଛି । ସୁନ୍ଦର ଦିଶିବା ପାଇଁ କୁନି ବାବା ଯାଉଥିଲେ ଜିମ। ଆଶ୍ରମ ଭିତରେ ବି ଜିମ୍ ଉପକରଣ ରଖି ବନାଉଥିଲେ ବଡି। ସୋସିଆଲ ମିଡ଼ିଆରେ ବଡିର ଫଟୋକୁ ଉଠାଇ କରୁଥିଲେ ଅପଲୋଡ। ଏମିତି କିଛି ଫଟୋ ଏବେ ଆସିଚି ସାମ୍ନାକୁ। ବୈକୁଣ୍ଠ ଆଶ୍ରମରେ କୁନି କଳକୀ ବାବାଙ୍କ ଜିମ୍ ଫଟୋ ଏବେ ହେଉଛି ଜୋର୍ ସୋରରେ ଭାଇରାଲ।
ପୁର୍ବରୁ ବାବାଙ୍କର ପୂଜାର୍ଚ୍ଚନାର ଭିଡିଓ ସାମ୍ନାକୁ ଆସିଛି । ଆଶ୍ରମରେ ଫୁଲ ବିଛାଇ କିଭଳି ବାବାଙ୍କୁ ମହିଳାମାନେ ପୂଜା କରୁଥିଲେ ତାହା ଦେଖିବାକୁ ମିଳିଛି । ଏହାସହ ମହିଳାମାନେ ପାଣି ଢାଳି ବାବାଙ୍କୁ ଗାଧେଇ ଦେଉଥିବାର ଭିଡିଓ ଭାଇରାଲ ହୋଇଛି । ବାବା ନିଜେ ଜଣେ ଯୁବତୀ ସହ ସେଲ୍ଫି ନେଇଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି । ବାବାଙ୍କ ସାନ୍ନିଧ୍ୟ ଲାଭ କରିବାକୁ ହେଲେ କିଭଳି ପୂଜାର୍ଚ୍ଚନା କରିବାକୁ ହେବ ତାହାର ତାଲିକା ମଧ୍ୟ ଏକ ଡାଏରୀ ମଧ୍ୟ ସାମ୍ନାକୁ ଆସିଥିଲା ।
ସମ୍ବିଧାନ ମୁଖବନ୍ଧରୁ ଦୁଇ ଶବ୍ଦ ବାଦ ପ୍ରସଙ୍ଗ : ସରକାରଙ୍କୁ ନବୀନଙ୍କ ସମାଲୋଚନା
ଭୁବେନଶ୍ବର : ସମ୍ବିଧାନ ଦିବସ ଅବସରରେ ବିଧାନସଭାରେ ସମ୍ବିଧାନ ମୁଖବନ୍ଧରୁ ରାଜ୍ୟ ସରକାର ଦୁଇ ଶବ୍ଦ ଧର୍ମ ନିରପେକ୍ଷ ଓ ସମାଜବାଦ ଶବ୍ଦକୁ ବାଦ ଦିଆଯିବା ପ୍ରସଙ୍ଗ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ସରକାର ଏଭଳି କରି ଗୁରୁତର ତ୍ରୁଟି କରିଛନ୍ତି। ଏହା ଅକ୍ଷମଣୀୟ ଭୁଲ। ଏହି ଦୁଇ ଶବ୍ଦ ସମ୍ବିଧାନରେ ରହିବା ଆବଶ୍ୟକ। ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ଏଭଳି ତ୍ରୁଟିରୁ ସରକାର ଦୂରରେ ରହିବା ଆବଶ୍ୟକ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ଗନ୍ଧମାର୍ଦ୍ଦନ ପାହାଡ଼କୁ ନେଇ ଗୃହରେ ଉଦବେଗ ପ୍ରକାଶ କଲେ ପ୍ରସନ୍ନ ଆଚାର୍ଯ୍ୟ
ଭୁବେନଶ୍ବର : ଗନ୍ଧମାର୍ଦ୍ଦନ ପାହାଡ଼କୁ ନେଇ ଗୃହରେ ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ଯେତେବେଳେ ପୂର୍ବେ ବକ୍ସାଇଟ ଖନନ ପାଇଁ ଅନୁମତି ଦିଆଯାଇଥିଲା ସେତେବେଳେ ଜନ ଆନ୍ଦୋଳନ ହୋଇଥିଲା।ଯାହା ପାଇଁ ବିଜୁ ପଟ୍ଟନାୟକଙ୍କ ସରକାର ସେ ନିର୍ଦ୍ଦେଶକୁ ବାତିଲ କରିଥିଲେ। ପୁଣି ଏ ସରକାର ଜଣେ ଆଦାନୀ କମ୍ପାନୀକୁ ଟେକି ଦେବାକୁ ଯାଉଛନ୍ତି। ଯିଏ କି ଭାରତ ବର୍ଷାକୁ ବିଶ୍ୱରେ ନିନ୍ଦିତ କରୁଥିବା ବ୍ୟକ୍ତିଙ୍କୁ ଟେକି ଦେବାକୁ ଯାଉଛନ୍ତି।ଯେଉଁଠି ଜଙ୍ଗଲ ସୃଷ୍ଟି କରିବା କଥା ନ କରି ଯେଉଁଠି ଜଙ୍ଗଲମୟ ପରିବେଶ ଅଛି ତାହାକୁ ନଷ୍ଟ୍ କରିବାକୁ ଯାଉଛନ୍ତି।ଯାହା ପାଇଁ ଜନ ଆନ୍ଦୋଳନ ହେଲାଣି ଗାଁ ଗାଁ ରେ। ସରକାରଙ୍କ ଠାରୁ ଅନୁମତି ଦିଆ ଯାଇଛି କି ? ଏସବୁର ସ୍ପଷ୍ଟୀକରଣ ଦାବ ହୋଇଛି। ସେପଟେ ଉତ୍ତର ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ଗନ୍ଧମାର୍ଦ୍ଦନ ପାହାଡ଼କୁ କୌଣସି ମତେ ମୋହନ ସରକାର କାହା ହାତକୁ ଟେକି ଦେବେନାହିଁ। ଯଦି କିଛି ହୁଏ ମୁଁ ମଧ୍ୟ ଆପଣମାନଙ୍କ ସହ ଆନ୍ଦୋଳନରେ ସାମିଲ ହେବି l ଗନ୍ଧମାର୍ଦ୍ଦନ ପାହାଡ଼ରେ କିଛି କରିବାକୁ ଆଦାନୀ ହେଉ କି ଆଉ କୌଣସି କମ୍ପାନୀକୁ ଆମ ସରକାର ଦେବେ ନାହିଁ । ଏ ଗୃହକୁ ଓ ମୁଁ ରାଜ୍ୟବାସୀଙ୍କୁ ଅବଗତ କରୁଛି। ଗନ୍ଧମାର୍ଦ୍ଦନକୁ ନଷ୍ଟ କରିବାକୁ କାହାକୁ ଦିଆ ଯିବନାହିଁ। ଯଦି କିଛି ହୁଏ ତେବେ ଆମେ ବି ସେହି ଆନ୍ଦୋଳନରେ ଯୋଡ଼ି ହେବୁ ।
ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ଵିତୀୟ ଦିନ, ଗୃହରେ ମୁଲତବୀ ପ୍ରସ୍ତାବ ଆଗତ କରିଛି ବିଜେଡି
ଭୁବେନଶ୍ବର : ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ। ବିଭିନ୍ନ ବିଭାଗ ଉପରେ ହୋଇଛି ଆଲୋଚନା। ଆବଶ୍ୟକତା ଅନୁସାରେ ପିପିପି ମୋଡ଼ରେ ହାଇବ୍ରିଡ଼ ଶୀତଳ ଭଣ୍ଡାର ନିର୍ମାଣ କରାଯିବ। କେତେ ପନିପରିବା ଅଛି, କେତେ ଉତ୍ପାଦନ ହେଉଛି, ସେ ସବୁକୁ ଦେଖି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ମୟୂରଭଞ୍ଜ ଜିଲ୍ଲାରେ ଥିବା ଶୀତଳ ଭଣ୍ଡାରକୁ ପଶ୍ଚିମ ବଙ୍ଗ ବ୍ଯବସାୟୀ ବ୍ୟବହାର କରୁଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର। ଏନେଇ ପଦକ୍ଷେପ ନିଆଯିବ ବୋଲି ଗୃହରେ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ ସିଂହଦେଓ। ସେହିପରି ଆର୍ଥିକ ଦିଗରେ ଓରେଡା ସେତେଟା ଭଲ ନଥିଲା। ଏଥିରେ ୨୦୦ କର୍ମଚାରୀ କାମ କରିବାର ନିୟମ ଅଛି। ହେଲେ ମାତ୍ର ୪୫ଜଣ କାମ କରୁଛନ୍ତି। ଅବଶିଷ୍ଟ ୧୫୫ ପଦବୀ ଅତି ଶୀଘ୍ର ପୂରଣ ହେବ ବୋଲି କହିଛନ୍ତି କନକ। ତେଣେ ରାଜ୍ଯରେ ଖାଦ୍ଯ ସୁରକ୍ଷା ଯୋଜନାରେ ଗତି କେଉଁଆଡକୁ? ଖାଦ୍ୟାଭାବ ଯୋଗୁ କନ୍ଧମାଳ ଜିଲ୍ଲାର ମାଣ୍ଡିପଙ୍କାରେ ଆମ୍ବଟାକୁଆ ଖାଇ ୩ ଜଣଙ୍କ ମୃତ୍ଯୁ ଘଟଣାରେ ମୁଲତବୀ ପ୍ରସ୍ତାବ ଆଗତ କରିଛି ବିଜେଡି।
୧୫୦ ମିଟର ଖାଲକୁ ଖସିଲା କାର, ୨ ମୃତ
ଶିମଲା : ହିମାଚଳ ପ୍ରଦେଶ ଶିମଲାରେ ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାର କାରଣ ଜଣା ପଡିନାହିଁ। ଶିମଲା ସହରଠାରୁ ୧୨୦ କିଲୋମିଟର ଦୂରରେ ଥିବା ଚିରଗାଓଁରେ ଏହି ଦୁର୍ଘଟଣା ଘଟିଛି। ଚିରଗାଓଁ ଥାନା ଅନ୍ତଃର୍ଗତ ଟିକ୍ରି-ଶିଲାଡେଶ ରାସ୍ତାର ଗାଡସାରି ନିକଟରେ ଏକ ଆଲ୍ଟୋ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। କାରରେ ଥିବା ଉଭୟ ଯୁବକ ପ୍ରାଣ ହରାଇଛନ୍ତି । ସୂଚନାନୁସାରେ, ଉଭୟ ଯୁବକ ସନ୍ଧ୍ୟାରେ ଘରକୁ ଫେରୁଥିଲେ । ଏହି ସମୟରେ କାରଟି ନିୟନ୍ତ୍ରଣ ହରାଇ ପ୍ରାୟ ୧୫୦ ମିଟର ଏକ ଖାଲରେ ଖସିପଡିଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ପହଞ୍ଚି ମୃତହେଦ ଜବତ କରିଛି । ଦୁର୍ଘଟଣାର କାରଣ ଜଣା ପଡିନାହିଁ। ବହୁ ଚେଷ୍ଟା ପରେ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ କାରକୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇନାହିଁ । ପୋଲିସର କହିବାନୁଯାୟୀ, ଦୁଇ ଜଣ ବ୍ୟକ୍ତି କାରରେ ଥିଲେ ଉଭୟଙ୍କ ମୃତ୍ୟୁ ହୋଇଛି ।
ପ୍ରେମିକାକୁ ଛୁରୀ ଭୁସି ମାରିବା ପରେ ଶବ ସହ ଗୋଟେ ଦିନ ରହିଲା ପ୍ରେମିକ !
ବେଙ୍ଗାଲୁରୁ: ବେଙ୍ଗାଲୁରୁ ସହରେ ପୁଣି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ ପ୍ରେମିକ ନିଜ ପ୍ରେମିକାକୁ ଛୁରୀ ଭୁସି ମାରିବା ପରେ ଶବ ସହ ଗୋଟେ ଦିନ ରହିଲା ! ମଙ୍ଗଳବାର ଦିନ ବେଙ୍ଗାଲୁରୁର ଇନ୍ଦିରାନଗର ଅଞ୍ଚଳରେ ଥିବା ଏକ ସର୍ଭିସ ଆପାର୍ଟମେଣ୍ଟରୁ ଆସାମର ଜଣେ ଯୁବତୀଙ୍କ ମୃତଦେହ ମିଳିଥିବା ସୂଚନା ଦେଇଛି ପୋଲିସ । ଯେଉଁ ରୁମକୁ ନଭେମ୍ବର ୨୩ରେ ତାଙ୍କ ପ୍ରେମିକ ଅରବ ହାନୋଇଙ୍କ ବୁକ୍ କରିଥିଲେ। ମୃତ ଯୁବତୀଙ୍କ ନାମ ହେଉଛି ମାୟା ଗୋଗୋଇ ଡେକା |
ପୋଲିସ କହିଛି ଯେ ଅଭିଯୁକ୍ତ ଜଣକ ଏଚଏସଆର ଲେଆଉଟରେ ଷ୍ଟୁଡେଣ୍ଟ କାଉନସଲର ଭାବରେ କାର୍ଯ୍ୟ କରୁଥିବାବେଳେ ପୀଡିତା ଜଣକ ୟୁଟ୍ୟୁବ୍ କଣ୍ଟେଟ କ୍ରିଏଟର । ଜୟନଗରର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରିଥିଲେ। ଦୁହେଁ ତିନି ଦିନ ଧରି ଏହି ସର୍ଭିସ ଆପାର୍ଟମେଣ୍ଟକୁ ବୁକ୍ କରି ରହୁଥିଲେ । ଯେଉଁଠାରେ ଯୁବତୀଙ୍କୁ ହତ୍ୟା କରାଯାଇଛି ।
ପୋଲିସର କହିବାନୁସାରେ, ମାୟା ୨୩ ନଭେମ୍ବରରେ ତାଙ୍କ ପ୍ରେମିକଙ୍କୁ ଭେଟିବା ପାଇଁ ଏହି ସର୍ଭିସ ଆପାର୍ଟମେଣ୍ଟକୁ ଆସିଥିଲେ। ପୋଲିସ ସନ୍ଦେହ କରୁଛି ଯେ ଏହି ହତ୍ୟା ୨୪ ନଭେମ୍ବର ରାତିରେ ଘଟିଥିଲା ଏବଂ ଆରବ ହାନୋଇ ପରଦିନ ପର୍ଯ୍ୟନ୍ତ ଶବ ସହିତ ସମୟ ବିତାଇଥିଲେ। ମଙ୍ଗଳବାର ସକାଳ ୮.୨୦ ରେ ସେ ଆପାର୍ଟମେଣ୍ଟ ଛାଡି ଏକ କ୍ୟାବରେ ଚାଲି ଯାଇଥିଲେ । ଏବଂ ନଜିର ଫୋନ୍ ବନ୍ଦ କରିଦେଲେ । ପ୍ରେମିକ ଚାଲିଯିବା ପରେ ଯେତେବେଳେ ଗୃହରକ୍ଷୀ କର୍ମଚାରୀ ରୁମ ସଫା କରିବାକୁ ଆସିଥିଲେ, ଗେଟ୍ ବନ୍ଦ ହୋଇଯାଇଥିଲା । ଏଥିରୁ ଏକ ଦୁର୍ଗନ୍ଧ ଆସୁଥିଲା ।କର୍ମଚାରୀମାନେ ଗେଟ୍ ଖୋଲିବା ପରେ ଖଟ ଉପରେ ଯୁବତୀର ମୃତଦେହ ମିଳିଥିଲା ।
ପୋଲିସ ସୂଚନା ଅନୁସାରେ, ମାୟା ଗୋଗୋଇ ଡେକାଙ୍କ ଦେହରେ ଏକାଧିକ ଛୁରୀ କ୍ଷତ ଏବଂ ମୁଣ୍ଡରେ ଆଘାତ ଲାଗିଛି । କିନ୍ତୁ ମୃତ୍ୟୁର ମୁଖ୍ୟ କାରଣ ଛାତିରେ ଗଭୀର ଆଘାତ ଥିଲା। ଅଭିଯୁକ୍ତ ପାଖରେ ଏକ ପୁରୁଣା ଛୁରୀ ଥିଲା । ଯେଉଁଥିରେ ସେ ତାର ପ୍ରେମିକାକୁ ହତ୍ୟା କରିଥିଲା । ପୋଲିସ ତଦନ୍ତ ଜାରି ରଖିଛି ।
ଧରାହେଲା ଆଉ ଜଣେ କିଲର ଲୁଟେରା, ବଡ଼ବିଲରୁ ଅଭିଯୁକ୍ତକୁ ଧରିଲା ପୋଲିସ
ଭୁବନେଶ୍ବର : ଧରାହେଲା ଆଉ ଜଣେ କିଲର ଲୁଟେରା । ବଡ଼ବିଲରୁ ଅଭିଯୁକ୍ତକୁ ଧରିଲା ଏୟାରଫିଲଡ ଥାନା ପୋଲିସ । ଗତ ୧୧ ତାରିଖ ଦିନ ଏୟାରଫିଲଡ ଥାନା ଲବଣଗିରିଠାରେ ମନ୍ଦିର ଯାଉଥିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ କରିଥିଲେ । ଲୁଟ ବେଳେ ମହିଳା ଜଣକ ତଳେ ପଡିଯାଇଥିଲେ । ଚିକିତ୍ସା ବେଳେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଅଭିଯୁକ୍ତଙ୍କୁ ଧରିବା ପାଇଁ ୬ ଟି ସ୍ପେଶାଲ ଟିମ ଗଠନ ହୋଇଥିଲା । ୪ ଟି ଟିମ ଓଡ଼ିଶାରେ ରେଡ କରୁଥିବା ବେଳେ ଅନ୍ୟ ଦୁଇଟି ଟିମ ଝାଡ଼ଖଣ୍ଡରେ କରିଥିଲା ମାରାଥନ ରେଡ । ୨ ଦିନ ତଳେ ଅନ୍ୟ ଅଭିଯୁକ୍ତ ରାଜା ନାଇଡୁକୁ ମଧ୍ୟ ଗିରଫ କରିଥିଲା ପୋଲିସ । ତା’ ଠାରୁ ଲୁଟ ହୋଇଥିବା ସୁନା ଚେନ ଜବତ କରାଯାଇଥିଲା । ଖୁବଶୀଘ୍ର ୨ ଅଭିଯୁକ୍ତଙ୍କ ଟିଆଇ ପରେଡ କରାଯିବ ବୋଲି ସୂଚନା ମିଳିଛି ।
ଭିଜିଲାନ୍ସ ଜାଲରେ କେନ୍ଦୁଝର ଜୁନିଅର ଖଣି ଅଧିକାରୀ
କେନ୍ଦୁଝର : ଭିଜିଲାନ୍ସ ଜାଲରେ କେନ୍ଦୁଝର ଜୁନିଅର ଖଣି ଅଧିକାରୀ । ଜୁନିଅର ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ କରାଯାଇଛି ରେଡ । ଏକ କାଳୀନ ୭ଟି ଜାଗାରେ ଚଢାଉ କରିଛି ଭିଜିଲାନ୍ସ । କେନ୍ଦୁଝର, ଭୁବନେଶ୍ବର,ଯାଜପୁର, ଭବାନୀପାଟଣାରେ କରାଯାଇଛି ଚଢାଉ । କେନ୍ଦୁଝର ଜଗନ୍ନାଥପୁରରେ ଥିବା ୨ ମହଲା ଘର, ଭୁବନେଶ୍ୱରରେ ଥିବା ଘର, ଘସିପୁରା ତହସିଲ ମଦନପୁର ଠାରେ ଥିବା ଫାର୍ମ ହାଉସ୍, ଯାଜପୁର ଟମକା ନିକଟ ଯେମାଦେଇପୁର ଠାରେ ପୈତୃକ ଘର, କେନ୍ଦୁଝର ଅଫିସ୍, ଭବାନିପାଟଣାରେ ଥିବା ଭଡ଼ାଘର, ଯାଜପୁର ଧର୍ମଶାଳା ନିକଟରେ ସମ୍ପର୍କୀୟଙ୍କ ଘରେ ଆଜି ସକାଳୁ ଭିଜିଲାନସ୍ ଟିମ ଚଢ଼ାଉ ଜାରି ରଖିଛି। ରେଡରେ ୭ ଜଣ DSP,୫ ଜଣ ଇନ୍ସପେକ୍ଟର, ୭ ଜଣ ASI ସାମିଲ ଅଛନ୍ତି ।

