spot_img
Home Blog Page 1320

ଦାଉ ସାଜିଲାଣି ଭାରତରେ ବାୟୁ ପ୍ରଦୂଷଣ

ନନ୍ଦିଘୋଷ ବ୍ୟୁରୋ: ଭାରତରେ ବାୟୁ ପ୍ରଦୂଷଣ ଅଧିକ। ବାୟୁ ପ୍ରଦୂଷଣ ଯୋଗୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି ଧୂମପାନ କରୁନଥିବା ବ୍ୟକ୍ତି। ବିଶ୍ବର ଅନ୍ୟରାଷ୍ଟ୍ର ତୁଳନାରେ ଭାରତରେ ୧୦ପ୍ରତିଶତ ଅଧିକ ଅଛନ୍ତି ଫୁସଫୁସ କର୍କଟ ରୋଗୀ। PM ୨.୫ ପ୍ରଦୂଷଣ ପାଇଁ ଦେଶର ଅଧିକାଂଶ ଯୁବକଯୁବତୀ ଆଡେନୋକାର୍ସିନୋମା ରୋଗରେ ପୀଡ଼ିତ ହେଉଛନ୍ତି। ଆଲର୍ଜିସ୍‌ ଯୋଗୁ ପିଲାଙ୍କର ଛାଡ଼ୁନି ଥଣ୍ଡା କାଶ ସହିତ ଶ୍ବାସଜନିତ ରୋଗ।ବିଶେଷଜ୍ଞଙ୍କ ପରାମର୍ଶ ଶୀତଦିନେ ବେଶୀ ବାୟୁ ପ୍ରଦୂଷଣ ଦେଖାଦେଇଥାଏ। ବାହାରକୁ ବାହାରିଲେ N-୯୫ ମାସ୍କ୍‌ ସହିତ ଘରେ ବାୟୁ ଶୋଧନ ଯନ୍ତ୍ର ରଖିଲେ ସୁସ୍ଥ ରହିପାରିବେ ।

ଦାଉ ସାଜିଲାଣି ବାୟୁ ପ୍ରଦୂଷଣ। ବଢଉଛି ଫୁସଫୁସ କର୍କଟ ରୋଗ ଆଡେନୋକାର୍ସିନୋମା। ବିପଦରେ ଧୂମପାନ କରୁ ନଥିବା ବ୍ୟକ୍ତି। PM ୨.୫ କଣିକା ଫୁସଫୁସ କାନ୍ଥରେ ଜମା ହୋଇ ଅସ୍ବାଭାବିକ ପ୍ରକ୍ରିୟା ସୃଷ୍ଟି କରୁଛି। ନିକୃଷ୍ଟ ବାୟୁ ମଧ୍ୟ ପିଲାଙ୍କ ଥଣ୍ଡା, କାଶ ଓ କଫର ମୁଖ୍ୟ କାରଣ ହୋଇଛି। ଭାରତୀୟ ବୈଜ୍ଞାନିକଙ୍କ ଏପରି ତଥ୍ୟକୁ ପ୍ରକାଶ କରିଛି ଲାନ୍‌ସେଟ୍‌ ପତ୍ରିକା।ଦିଲ୍ଲୀ ପରେ ଦେଶର ବଡ଼ ବଡ଼ ସହରରେ ଏବେ ଆତଙ୍କ। ଭୁବନେଶ୍ବର-କଟକରେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଆଦୌ ମାଦକ ଦ୍ରବ୍ୟ ସେବନ କରୁନଥିବା ବ୍ୟକ୍ତି ଫୁସଫୁସ କର୍କଟ ରୋଗରେ ପୀଡ଼ିତ ହେଉଛନ୍ତି। ଖାଲି ସେତିକି ନୁହେଁ ସାଧାରଣତ ପିଲାଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି କମ ଥାଏ । ଖରାପ ବାୟୁର ମାନ ଯୋଗୁ ଆଜିକାଲି ପିଲାମାନେ ବେଶୀ ଥଣ୍ଡା, କାଶ, କଫ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହାସହିତ ଶ୍ବାସ ଜନିତ ରୋଗ ଯେପରିକି ଶ୍ବାସ, ବ୍ରୋଙ୍କାଇଟିସ ସହ ଅନ୍ୟ ଛାତିରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହାସହିତ ଆମେରିକାର କଲରାଡ଼ୋ ମେଡିକାଲ ସାଇସନ୍‌ସ ବୈଜ୍ଞାନିକଙ୍କ ମତରେ ବାୟୁ ପ୍ରଦୂଷଣ ଯୋଗୁ ପିଲାଙ୍କର ବଢୁଛି ଆଲର୍ଜିସ ରୋଗ। ଯେଉଁ କାରଣରୁ ଅଧିକାଂଶ ପିଲାଙ୍କ ଆଖି ଖରାପ ହେଉଛି।ପ୍ରଦୂଷିତ ଅଞ୍ଚଳରେ ଲୋକେ ଏଣିକି ଏନ-୯୫ ମାସ୍କ୍‌ ବ୍ୟବହାର କରିବା ସହ ଘରେ ସ୍ବଚ୍ଛ ବାୟୁ ଚଳପ୍ରଚଳ ଉପରେ ଗୁରୁତ୍ବ ଦେବା ଜରୁରୀ

ଦିଲ୍ଲୀ ଦଶା ଦିନେ ଭୁବନେଶ୍ବର ଭୋଗିପାରେ। ବାୟୁ ପ୍ରଦୂଷଣ କରୁଥିବା ଉତ୍ସଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ପଡ଼ିବ। ପରିବେଶବିତଙ୍କ ମତରେ ଦିଲ୍ଲୀ ପରି ଭୁବନେଶ୍ବର-କଟକ ବାୟୁମଣ୍ଡଳକୁ ସଫା କରିବା ପାଇଁ କୃତ୍ରିମ ବର୍ଷା ସ୍ଥାୟୀ ସମାଧାନ ଆଣିପାରିବ ନାହିଁ। ଏଥିପାଇଁ ସବୁ ଲୋକେ ସଚେତନ ହୋଇ ବାୟୁର ମାନ ବଢାଇବାକୁ ଉଦ୍ୟମ କରିବା ଆବଶ୍ୟକ। ଯେଉଁ ଗାଡ଼ିଗୁଡ଼ିକ ୧୫ ବର୍ଷରୁ ଅଧିକ ପୁରୁଣା, ସେଗୁଡ଼ିକୁ ରାସ୍ତାରୁ ସମ୍ପୂର୍ଣ୍ଣ ହଟାଇବାକୁ ପଡ଼ିବ। ଏହାସହିତ ନିର୍ମାଣ କାର୍ଯ୍ୟବେଳେ ଯେପରି କଂକ୍ରିଟ୍‌ଗୁଣ୍ଡ ବାୟୁରେ ବ୍ୟାପେ। ସେଥିପ୍ରତି ଜନସାଧାରଣ ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବା ଦରକାର।ବାୟୁମଣ୍ଡଳରେ ଏସବୁ ଛୋଟ ଛୋଟ କଣିକାରେ ପରିବର୍ତ୍ତନ ହୋଇ ଘୁରି ବୁଲୁଛନ୍ତି। ଫଳରେ ସହଜରେ ଶ୍ବାସକ୍ରିୟାରେ ମଣିଷର ଫୁସଫୁସକୁ ପ୍ରବେଶ କରିପାରୁଛି ଏସବୁ ବିଷାକ୍ତ କଣିକା। ବିଶ୍ବରେ ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତରେ ବାୟୁ ପ୍ରଦୂଷଣ ମାତ୍ରା ଅଧିକ ରହିଥିବାରୁ ପ୍ରତ୍ୟେକ ରାଜ୍ୟ ଏହାର ନିୟନ୍ତ୍ରଣ ପାଇଁ  କାର୍ଯ୍ୟକ୍ରମ ହାତକୁ ନେବା ଆବଶ୍ୟକ । ଦିନକୁ ଦିନ କମୁଛି ବାୟୁର ମାନ। ଯେ ପର୍ଯ୍ୟନ୍ତ ସମୂହ ପ୍ରଚେଷ୍ଟା ଆରମ୍ଭ ନହୋଇଛି ସେ ପର୍ଯ୍ୟନ୍ତ ଆଖିଦୃଶିଆ ସଫଳତା ଦେଖିବାକୁ ମିଳିବ ନାହିଁ। ଖାଦ୍ୟ, ପାଣି ଯେ କେବଳ ଜୀବନ ବଞ୍ଚାଇପାରିବ ନାହିଁ । ଜୀବନକୁ ସୁସ୍ଥ ରଖିବାକୁ ହେଲେ, ସ୍ବଚ୍ଛ ବାୟୁ ଅନିବାର୍ଯ୍ୟ। ଯାହାକି ଦିନକୁ ଦିନ ଖରାପ ହୋଇଚାଲିଛି ।

 

ମାଟି ଓ ମା ପାଇଁ ଲଢେଇ କରି ଜେଲ ଯାଇଛନ୍ତି ଭବ ପ୍ରସାଦ ଦାସ : ପ୍ରଣବ ପ୍ରକାଶ

ନନ୍ଦିଘୋଷ ବ୍ୟୁରୋ: ଯାଜପୁର ବିରଜା ପରିକ୍ରମା ପ୍ରକଳ୍ପ ନେଇ ମୁହଁ ଖୋଲିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ସେ କହିଛନ୍ତି ମାଟି ଓ ମା ପାଇଁ ଲଢେଇ କରି ଜେଲ ଯାଇଛନ୍ତି ଭବ ପ୍ରସାଦ ଦାସ। ମାଙ୍କ ପ୍ରକଳ୍ପ ସଂକ୍ରାନ୍ତ ସତ ପଦାକୁ ଆସୁ। ହାଟକୁ ସେ ବିରୋଧ କରୁନାହାନ୍ତି। ମାଙ୍କ ପ୍ରକଳ୍ପ ଲାଗି ସମସ୍ତେ ଏକାଠି ହୋଇଥିଲେ। ପୂର୍ବ ସରକାର ସମସ୍ତ ପଦକ୍ଷେପ ନେଇଥିଲେ। ସେବାୟତମାନଙ୍କ ଅଧିକାଂଶ ଜମି ଯାଇଥିଲା। ଉତ୍ସାହର ସହ ଜମି ଛାଡିଥିଲେ ସେବାୟତ। ଲୋକେ ଯାହା ଚାହୁଁଛନ୍ତି ତାହା ହେଉ। ଭବ ପ୍ରସାଦ ଦାସ ବାରମ୍ବାର ପ୍ରଶାସନ ନିକଟକୁ ଯାଇଛନ୍ତି। ପ୍ରକଳ୍ପ ନେଇ ସମସ୍ତ ଅଂଶୀଦାରଙ୍କୁ ଡକାଯାଉ। ଯଦି ବେପାରୀ ଚାହୁଁଛନ୍ତି ସେଠାରେ ହାଟ କରାଯାଉ। ମା ବିରଜାଙ୍କ ପ୍ରକଳ୍ପରେ ସାମାନ୍ଯ ଆଞ୍ଚ ନଆସୁ। ନିରୀହ ଲୋକେ ଅସୁବିଧାରେ ନପଡନ୍ତୁ। ମା ବିରଜା ପ୍ରକଳ୍ପ ଲାଗି ଭବ ପ୍ରସାଦ ଜେଲ ଯାଇଛନ୍ତି ବୋଲି କହିଛନ୍ତି ପ୍ରଣବ। ପ୍ରଶାସନିକ ବିଫଳତା ଯୋଗୁ ଏହି ସମସ୍ଯା ଉପୁଜିଛି ବୋଲି ସେ କହିଛନ୍ତି।

 

କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ତଳିବେଡା ଗାଁରେ ଏବେବି ଅପହଞ୍ଚ ସରକାରୀ ଯୋଜନା

ନନ୍ଦିଘୋଷ ବ୍ୟୁରୋ: ପ୍ରତ୍ଯେକ ଗାଁରେ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି । ଯୋଜନାର ସଫଳ ରୂପାୟନ ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ହେଉଛି । ହେଲେ ଏବେବି ଏପରି ଏକ କିଛି ଗାଁ ରହିଛି ଯେଉଁଠି ପହଞ୍ଚିପାରିନି ସରକାରୀ ଯୋଜନା । ଗାଁକୁ ଭଲ ରାସ୍ତା ନଥିବା ବେଳେ ବିଜୁଳି ଲୋକଙ୍କ ପାଇଁ ସାତସପନ ପାଲଟିଛି । ଚୁଆ ପାଣି ଲୋକଙ୍କ ଶୋଷ ମେଣ୍ଟାଉଛି ।

କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଉପରଢିଆ ଗ୍ରାମ ପଞ୍ଚାୟତର ତଳିବେଡା ଗାଁ । ଏଠାରେ ଦୀର୍ଘ ୩୦ ବର୍ଷ ହେବ ୧୫ଟି ପରିବାରର ପାଖାପାଖି ୧୦୦ ଲୋକ ବସବାସ କରୁଛନ୍ତି । ବଣପାହାଡ ଘେରା ଏହି ଗାଁକୁ ଆଜି ପର୍ଯ୍ଯନ୍ତ ଭଲ ରାସ୍ତା ଖଣ୍ଡିଏ ନାହିଁ । ପାହାଡିଆ ଅଙ୍କାବଙ୍କା ଗେଟି ପଥର ରାସ୍ତା ଦେଇ ଯିବାଆସିବା କରୁଛନ୍ତି ଲୋକେ । ଗାଁକୁ ଆମ୍ବୁଲାନ୍ସ ଆସିପାରୁନାହିଁ । ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ଗାଁକୁ ଭଲ ରାସ୍ତାଟିଏ ନିର୍ମାଣ କରିବାକୁ ପ୍ରଶାସନ ପକ୍ଷରୁ କେହି ତତ୍ପରତା ଦେଖାଉନଥିବା ଅଭିଯୋଗ ହୋଇଛି । ସେହିପରି ଗାଁ ପାଖରେ ବିଦ୍ଯାଳୟଟିଏ ନାହିଁ । ପାଠପଢିବା ପାଇଁ ପିଲାଙ୍କୁ ୫ କିଲୋମିଟର ବଣପାହାଡ ରାସ୍ତା ଦେଇ ଯିବାକୁ ପଡୁଛି । ଫଳରେ କିଛି ଛାତ୍ରାଛାତ୍ରୀ ମାନେ ପାଠ ଛାଡିବାକୁ ବାଧ୍ଯ ହେଉଥିବା ନେଇ କହିଛନ୍ତି ।

ସେହିପରି ଗାଁରେ କୂଅ କି ନଳକୂପ ତ ଦୁରର କଥା, ଗାଁରେ ପୋଖରୀ ଟିଏ ମଧ୍ଯ ନାହିଁ । ଫଳରେ ବାଧ୍ଯ ହୋଇ ଲୋକମାନେ ୧ କିଲୋମିଟର ଦୂରରେ ଥିବା ଛୋଟ ନାଳ ଉପରେ ଭରସା କରି ଚଳୁଛନ୍ତି । ଜଙ୍ଗଲ ଓ ବିଲ ହୁଡା ଦେଇ ଯାଉଛନ୍ତି ପାଣି ପାଇଁ । ନାଳରୁ ଚୂଆ ପାଣି ଆଣି ବ୍ଯବହାର କରୁଛନ୍ତି । ଗୋଟିଏ ସ୍ଥାନରେ ଗାଈଗୋରୁ ଠାରୁ ଆରମ୍ଭ କରି ଗ୍ରାମବାସୀ ଗାଧୋଉଥିବା ବେଳେ ସେହି ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଦୂଷିତ ପାଣିକୁ ବ୍ୟବହାର କରି ବିଭିନ୍ନ ରୋଗରେ ପଡୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେପଟେ ଖୁବଶୀଘ୍ର ସମସ୍ଯାର ସମାଧାନ ହେବ ପ୍ରତିଶୃତି ଦେଇଛନ୍ତି ଘଟଗାଁ ବିଡିଓ ।

 

ଆଦାନୀ ଗ୍ରୁପର ଗୌତମ ଆଦାନୀଙ୍କୁ ମିଳିଲା ସବୁଠୁ ବଡ ଝଟକା; ବିଶ୍ବର ଧନୀ ତାଲିକାରୁ ଖସିଲେ ତଳକୁ, ଜାଣନ୍ତୁ ଦୁଇ ଦିନରେ ସମ୍ପତ୍ତିରେ ହେଲା କେତେ ହ୍ରାସ  …

ନୂଆଦିଲ୍ଲୀ: ଗୌତମ ଆଦାନୀଙ୍କୁ ପୁଣି ସବୁଠୁ ବଡ ଝଟକା । ବିଶ୍ଦର ଧନୀ ତାଲିକାରୁ ତଳକୁ ଖସିଗଲେ । ଭାରତର ଦ୍ବିତୀୟ ଧନୀ ବ୍ୟକ୍ତି ତଥା ଆଦାନୀ ଗ୍ରୁପର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଶିଳ୍ପପତି ଗୌତମ ଆଦାନୀଙ୍କୁ ପୁଣି ଏକ ବଡ ହ୍ରାସର ସାମ୍ନା କରିବାକୁ ପଡୁଛି । ମାତ୍ର ଦୁଇ ଦିନ ମଧ୍ୟରେ ହିଁ ତାଙ୍କ ସମୁଦାୟ ସମ୍ପତ୍ତିର ବଡ ହ୍ରାସ ହୋଇଛି । ଆମେରିକା କୋର୍ଟ ତରଫରୁ ଆରେଷ୍ଟ ଓ୍ବାରେଣ୍ଟ ଆସିବା ପରେ ବର୍ତ୍ତମାନ ତାଙ୍କୁ ସବୁଠୁ ବଡ କ୍ଷତିର ସାମ୍ନା କରିବାକୁ ପଡୁଛି ।

ବିଶ୍ବର ଧନୀ ତାଲିକାରୁ ତଳକୁ ଖସିଲେ ଗୌତମ ଆଦାନୀ

ଏଭଳି ଏକ ହ୍ରାସର ପ୍ରଭାବ ବିଶ୍ବର ଶ୍ରେଷ୍ଠ ଧନୀଙ୍କ ମଧ୍ୟରେ ଥିବା ଗୌତମ ଆଦାନୀଙ୍କ ରାଙ୍କିଙ୍ଗରେ ମଧ୍ୟ ଦେଖିବାକୁ ମିଳିଛି । ଆଦାନୀ ଏବଂ ତାଙ୍କ ଭଣଜାଙ୍କ ଉପରେ ଲାଞ୍ଚ ଏବଂ ଠକେଇ ଅଭିଯୋଗ ପରେ ବ୍ଲୁମବର୍ଗ ଏବଂ ଫୋର୍ବସ୍ ର ରିୟଲ ଟାଇମ ବିଲେନିୟର ତାଲିକାରେ ଏକା ଥରକେ ୪ ସ୍ଥାନ ତଳକୁ ଖସି ଯାଇଛନ୍ତି ଆଦାନୀ । ଏବେ ଧନୀ ତାଲିକାର ୨୧ ସ୍ଥାନରେ ଅଛନ୍ତି ।  ଅର୍ଥାତ ଆଦାନୀ ବର୍ତ୍ତମାନ ବିଶ୍ବର ୨୦ ଜଣ ଧନୀ ବ୍ୟକ୍ତିଙ୍କ ତାଲିକାରୁ ବାହାରି ଯାଇଛନ୍ତି । ଆମେରିକା କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଦାନୀଙ୍କ ନିଟ୍ ମୂଲ୍ୟ ହ୍ରାସ ପାଇବା ସହ ଉଭୟ ବ୍ଲୁମବର୍ଗ ଏବଂ ଫୋର୍ବସ୍ ତାଲିକାରେ ତାଙ୍କୁ କ୍ଷତିର ସାମ୍ନା କରିବାକୁ ପଡିଛି । ଆମେରିକାର ଅଭିଯୋଗ ପୂର୍ବରୁ ସେ ୧୮ତମ ସ୍ଥାନରେ ରହିଥିଲେ । ଆଦାନୀଙ୍କ ନିଟ୍ ମୂଲ୍ୟ ଥିଲା ୮୫.୫ ବିଲିୟନ ଡଲାର । ଗୁରୁବାର ତାଙ୍କ ସମ୍ପତ୍ତିର ମୂଲ୍ୟରେ ତୀବ୍ର ହ୍ରାସ ପରେ ସେ ୨୧ ତମ ସ୍ଥାନକୁ ଖସି ଆସିଛନ୍ତି । ତାଙ୍କ ସ୍ଥାନରେ ମେକ୍ସିକୋର ବିଲେନିୟର କାର୍ଲୋସ ସ୍ଲିମ ହେଲୁ ବର୍ତ୍ତମାନ ବିଶ୍ବର ୧୮ତମ ଧନୀ ବ୍ୟକ୍ତି ହୋଇଛନ୍ତି ।

କେତେ କ୍ଷତି ସହିଲେ ଗୌତମ ଆଦାନୀ

ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀଙ୍କ ପାଇଁ ଗତ ଦୁଇ ଦିନ ଖୁବ କଷ୍ଟ ସାଧ୍ୟ ହୋଇପଡିଛି । ଗୁରୁବାର ଦିନ ଲାଞ୍ଚ ଏବଂ ଠକେଇ ଅଭିଯୋଗ ମାମଲାକୁ ନେଇ ସମନ ଜାରି କରିଛି ଆମେରିକା କୋର୍ଟ । ଯାହା ପରେ ହିଁ ସମସ୍ତ ଆଦାନୀ କମ୍ପାନୀର ସେୟାରରେ ତୀବ୍ର ହ୍ରାସ ପାଇଛି । ଯେଉଁଥିପାଇଁ ଆଦାନୀ ଗ୍ରୁପର ବଜାର ପୁଞ୍ଜିକରଣ (ମାର୍କେଟ୍ କ୍ୟାପ୍) ହ୍ରାସ ପାଇଥିବାବେଳେ ଅନ୍ୟପଟେ ତାଙ୍କ ସମ୍ପତ୍ତିର ନିଟ୍ ମୂଲ୍ୟ ମଧ୍ୟ ଅତ୍ୟଧିକ ପ୍ରଭାବିତ ହୋଇଛି । ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ କମ୍ପାନୀର ସେୟାର ହ୍ରାସ ହେବା ତାଙ୍କ  ନେଟ ଓ୍ବର୍ଥକୁ ପ୍ରଭାବିତ କରିଛି, ତାଙ୍କ ସମ୍ପତ୍ତି ଯାହା ବର୍ତ୍ତମାନ ୭୦.୮ ବିଲିୟନ ଡଲାର ହ୍ରାସ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କ ସମ୍ପତ୍ତି ୧.୧୯ ବିଲିୟନ ଡଲାର(୧୦.୦୦୦ କୋଟି ଟଙ୍କା) ହ୍ରାସ ପାଇଛି । ଗୋଟିଏ ଦିନରେ ତାଙ୍କୁ ଏତେ ବଡ କ୍ଷତି ସହିବାକୁ ପଡିଛି ।

ଆମେରିକା କୋର୍ଟ ଜାରି କଲା ସମନ

ଆଦାନୀ ଏବଂ ତାଙ୍କ ଭଜଣାଙ୍କ ଉପରେ ଅନୁକୂଳ ସୌର ଶକ୍ତି ଚୁକ୍ତି ପାଇବା ପାଇଁ ଲାଞ୍ଚ ଦେବାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଯେଉଁଥିରେ ଏହି ଚୁକ୍ତି କରିବା ପାଇଁ ଭାରତୀୟ ଅଧିକାରୀଙ୍କୁ ବାଧ୍ୟ କରାଯାଇଥିଲା । ଆମେରିକା କୋର୍ଟ ତରଫରୁ ପଠାଯାଇଥିବା ସମନରେ ୨୧ ଦିନ ଭିତରେ ଆମେରିକୀୟ ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ କମିଶନ(SEC)ଙ୍କୁ ଜବାବ ଦେବା ପାଇଁ ଉଲ୍ଲେଖ ରହିଛି । ଆମେରିକାର ଅଭିଯୋଗ ଅନୁଯାୟୀ, ଯେଉଁ ଚୁକ୍ତିକୁ ପାଇବା ପାଇଁ ୨୬.୫ କୋଟି ଆମେରିକୀୟ ଡଲାର(୨୨୦୦ କୋଟି ଭାରତୀୟ ମୁଦ୍ରା) ଲାଞ୍ଚ କାରବାରରେ ସମ୍ପୃକ୍ତ ଥିଲେ ଆଦାନୀ ଏବଂ ତାଙ୍କ ଭଣଜା।

ଆମେରିକାର ଓକିଲଙ୍କ ଅଭିଯୋଗ ଅନୁଯାୟୀ ଆଦାନୀ ଏବଂ ତାଙ୍କ ପୁତୁରାଙ୍କ ସମେତ ମୋଟ ୭ ଜଣ ଏହି ଲାଞ୍ଚ କାରବାରରେ ସାମିଲ ଅଛନ୍ତି । ଭାରତରେ ସୋଲାର ଏନର୍ଜୀ ତଥା ଅନୁକୂଳ ସୌର ଶକ୍ତି କ୍ଷେତ୍ରରେ ଚୁକ୍ତିନାମା ପାଇଁ ଥିବା ସର୍ତ୍ତ ବଦଳରେ ଭାରତୀୟ ଅଧିକାରୀଙ୍କୁ ୨୬.୫ କୋଟି ଡଲାର ମୂଲ୍ୟର ଲାଞ୍ଚ ଦିଆଯାଇଛି । ଏହା ଛଡା ଆମେରିକାରେ ହୋଇଥିବା ଏହି ଡିଲ ମାମଲାରେ ଆଦାନୀ ଏବଂ ତାଙ୍କ ଭଣଜାଙ୍କ ବିରୋଧରେ ଅାମେରିକା କୋର୍ଟ ତରଫରୁ ସମନ ଜାରି କରାଯାଇଛି । ଅନ୍ୟପଟେ ଆଦାନୀ ଗ୍ରୁପ କୋର୍ଟର ଏହି ଅଭିଯୋଗକୁ ଅସ୍ବୀକାର କରିବା ସହ ଏହା ଭିତ୍ତିହୀନ ବୋଲି କହିଛି । ସୂଚନା ଅନୁଯାୟୀ ପୂର୍ବରୁ ୨୦୨୩ ମସିହା ଜାନୁଆରୀ ମାସରେ ମଧ୍ୟ ଆଦାନୀ ଗ୍ରୁପକୁ ଏଭଳି କ୍ଷତି ସହିବାକୁ ପଡିଥିଲା । ଆମେରିକୀୟ କମ୍ପାନୀ ହିଣ୍ଡେନବର୍ଗ ତରଫରୁ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପକୁ ଅତ୍ୟଧିକ କ୍ଷତି ସହିବାକୁ ପଡିଥିଲା ।

ଜାଣନ୍ତୁ କେଉଁ ଖେଳାଳିଙ୍କୁ କେତେ ଟଙ୍କାରେ କିଣିଲା କିଏ ?

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୫ ପାଇଁ ଚାଲିଛି ମେଗା ଅକ୍ସନ । ଖେଳାଳିଙ୍କ ଉପରେ ହେଉଛି ଟଙ୍କା ବର୍ଷା । ତେବେ ଶେଷ ଖବର ସୁଦ୍ଧା ଋଷଭ ପନ୍ଥ ସବୁଠାରୁ ଦାମୀ ଖେଳାଳି । ୨୭ କୋଟି ଟଙ୍କାରେ ତାଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ କିଣିଛି ।

  • ଭାରତୀୟ ଦ୍ରୁତ ବୋଲର୍ ଅର୍ଶଦୀପ ସିଂଙ୍କୁ ୧୮ କୋଟିରେ କିଣିଲା ପଞ୍ଜାବ କିଙ୍ଗ୍ସ
  • କାଗିସୋ ରାବାଡ଼ାଙ୍କୁ ୧୦ କୋଟି ୭୫ ଲକ୍ଷ ଟଙ୍କାରେ କିଣିଲା ଗୁଜୁରାଟ ଜାଏଣ୍ଟ୍ସ
  • ଶ୍ରେୟସ ଆୟାରଙ୍କୁ ୨୬. ୭୫ କୋଟି ଟଙ୍କାରେ କିଣିଲା ପଞ୍ଜାବ କିଙ୍ଗସ
  • ଜସ ବଟଲରଙ୍କ ୧୫.୭୫ କୋଟ ଟଙ୍କାରେ କିଣିଲା ଗୁଜୁରାଟ ଟାଇଟନ୍ସ
  • ମିଚେଲ ଷ୍ଟାର୍କଙ୍କୁ ୧୧.୭୫ କୋଟିରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ
  • ଏଥର ସନରାଇଜର୍ସ ହାଇଦ୍ରାବାଦରେ । ମହମ୍ମଦ ସାମିଙ୍କୁ ୧୦ କୋଟି ଟଙ୍କାରେ କିଣିଲା ଦଳ ।
  • କୋହଲିଙ୍କଠାରୁ ଅଲଗା ହେଲେ ମହମ୍ମଦ ସିରାଜ । ୧୨.୨୫ କୋଟି ଟଙ୍କାରେ କିଣିଲା ଗୁଜୁରାଟ ଜାଏଣ୍ଟ୍ସ ।
  • ୟୁଜବେନ୍ଦ୍ର ଚହଲଙ୍କୁ ୧୮ କୋଟି ଟଙ୍କାରେ କିଣିଲା ପଞ୍ଜାବ କିଙ୍ଗ୍ସ

ପଶ୍ଚିମବଙ୍ଗ ରାଜ୍ଯପାଳଙ୍କ ଅଦଭୁତ ଆଚରଣ, ରାଜଭବନ ପରିସରରେ ନିଜର ପ୍ରତିମୂର୍ତ୍ତି କଲେ ଉନ୍ମୋଚନ

ନନ୍ଦିଘୋଷ ବ୍ୟୁରୋ: ରାଜଭବନରେ ରାଜ୍ଯପାଳଙ୍କ ପ୍ରତିମୂର୍ତ୍ତି । ସେ ପୁଣି ଦାୟିତ୍ବରେ ଥିବା ଅବସ୍ଥାରେ । ଏପରି ବିଚିତ୍ର ଘଟଣା ଘଟିଛି ପଶ୍ଚିମବଙ୍ଗ ରାଜଭବନରେ । ରାଜ୍ଯପାଳ ସି.ଭି. ଆନନ୍ଦ ବୋଷ ରାଜଭବନରେ ନିଜର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଉନ୍ମୋଚନ କରିଛନ୍ତି ପ୍ରତିମୂର୍ତ୍ତି । ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ସେ ବୃକ୍ଷରୋପଣ କରିବା ସହ ଏକ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ରାଜ୍ଯପାଳ ପରି ଏକ ସାମ୍ବିଧାନିକ ପଦବୀରେ ଥିବା ସତ୍ତ୍ବେ କିପରି ସେ ରାଜଭବନ ପରିସରରେ ଏହି ପ୍ରତିମୂର୍ତ୍ତି ପ୍ରତିଷ୍ଠା କଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରତିମୂର୍ତ୍ତି ଉନ୍ମୋଚନର ଭିଡିଓ ଭାଇରାଲ ହେଉଥିବାବେଳେ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି । ସୂଚନା ଅନୁସାରେ ରାଜ୍ଯପାଳଙ୍କ ପ୍ରତିମୂର୍ତ୍ତିକୁ ସ୍ଥପତି ପାର୍ଥ ଶାହ ଉପହାର ଦେଇଥିଲେ ।

କୋଲକାତାସ୍ଥିତ ଭାରତୀୟ ସଂଗ୍ରହାଳୟ ସହ ଜଡିତ ଅଛନ୍ତି ପାର୍ଥ । ଏହି ପ୍ରତିମୂର୍ତ୍ତିଟି ଫାଇବରରେ ନିର୍ମିତ ହୋଇଛି । ରାଜ୍ଯପାଳ ଦପ୍ତର ପକ୍ଷରୁ କୁହାଯାଇଛି ପ୍ରତିମୂର୍ତ୍ତିକୁ ରାଜ୍ଯପାଳଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇନାହିଁ । ଏହାକୁ ଭାରତୀୟ ସଂଗ୍ରହାଳୟର ଜଣେ ସ୍ଥପତି ଉପହାର ଦେଇଛନ୍ତି । ଏହି ପ୍ରସଙ୍ଗକୁ ନେଇ କଟାକ୍ଷ କରିଛି ତୃଣମୂଳ କଂଗ୍ରେସ । ଦଳ କହିଛି- ଆମର ରାଜ୍ଯପାଳ ସି.ଭି. ଆନନ୍ଦ ବୋଷ ନିଜର ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିଛନ୍ତି ଯାହାକୁ ଆମେ କେବେ ଶୁଣି ନଥିଲୁ । ତାଙ୍କର ପରବର୍ତ୍ତୀ ପଦକ୍ଷେପ କଣ । ସେ ସେହି ପ୍ରତିମୂର୍ତ୍ତିରେ ଫୁଲ ଚଢାଇବେକି ବୋଲି ପ୍ରଶ୍ନ କରିଛି ଦଳ । ସେହିପରି ଏହି ଘଟଣାକୁ ସମାଲୋଚନା କରିଛନ୍ତି କଂଗ୍ରେସ ଓ ସିପିଏମ । ପ୍ରତିମୂର୍ତ୍ତି ଉନ୍ମୋଚନ ବେଳେ ରାଜ୍ଯପାଳ ବି କହିଥିଲେ- ରାଜ୍ଯର ରାଜନୈତିକ ସ୍ଥିତି ଅତି ଖରାପ ଅବସ୍ଥାରେ ରହିଛି । ଏହି ଅବସ୍ଥାକୁ ରାଜ୍ଯବାସୀ ବେଶୀ ଦିନ ଗ୍ରହଣ କରିବେ ନାହିଁ ।

ଭୋଟରଙ୍କ ହାତରେ ଲାଗିନି କାଳି, ସେମାନେ କେମିତି ଦେଲେ ଭୋଟ୍ : ଅଖିଳେଶ

ନନ୍ଦିଘୋଷ ବ୍ୟୁରୋ: ପୁଣିଥରେ ପ୍ରଶ୍ନ ଉଠାଇଛନ୍ତି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ । ନିର୍ବରାଚନରେ ଅନିୟମିତତା ହୋଇଥିବା ନେଇ ନିର୍ବାଚନ ଆୟୋଗଙ୍କ ଉପରେ ଉଠାଇଛନ୍ତି ପ୍ରଶ୍ନବାଚୀ । କୁନ୍ଦରକିର ୯୦ ପ୍ରତିଶତ ଲୋକ ଭୋଟ ଦେଇନଥିବା ସେ ଅଭିଯୋଗ ଆଣିଛନ୍ତି । ଏଠାକାର ଲୋକେ ଭୋଟ ଦେଇନାହାନ୍ତି । କାରଣ ସେମାନଙ୍କ ହାତରେ କାଳି ଲାଗି ନାହିଁ  । ସମାଜବାଦୀ ପାର୍ଟିର ବହୁ ଭୋଟର ଭୋଟ ଦେଇନଥିବା ମଧ୍ୟ ସେ କହିଛନ୍ତି । ଏହାସହ ନିର୍ବାଚନ ଆୟୋଗଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରିବାକୁ ସେ କହିଛନ୍ତି ।

ଅଖିଳେଶ କହିଛନ୍ତି ଯେ ଦୁଇ ପ୍ରକାରର ସ୍ଲିପ୍ ବ୍ୟବହାର କରାଯାଇଥିଲା। ସୂଚନା ସୋସିଆଲ ମିଡିଆ ମାଧ୍ୟମରେ ନିର୍ବାଚନ ଆୟୋଗଙ୍କ ନିକଟରେ ପହଞ୍ଚିଥିଲା। ଏହାସହ ବୁଥ ଏଜେଣ୍ଟମାନଙ୍କୁ ହଟାଇ ଦିଆଗଲା । ସେପଟେ ପୋଲିସ କୌଣସି ଏସପି ଏଜେଣ୍ଟଙ୍କୁ ବୁଥରେ ରହିବାକୁ ଦେଇ ନଥିଲା। ଏସପି ସମର୍ଥକମାନେ ବହୁ ପରିମାଣରେ ଅଟକି ଯାଇଥିଲେ। ଯଦି ଇଭିଏମ୍ ଗୁଡିକର ଫରେନସିକ୍ ଅନୁସନ୍ଧାନ ସମ୍ଭବ, ତେବେ ସମାନ ବ୍ୟକ୍ତି ସମାନ ଯନ୍ତ୍ରରେ ବଟନ୍ ଦବାଇବା କେତେଥର ତାହା ଅନୁସନ୍ଧାନ କରାଯିବା ଉଚିତ୍  । ଯେଉଁମାନେ ସହର ବାହାରେ ଥିଲେ ସେମାନେ ମଧ୍ୟ ଭୋଟ୍ ଦେଇଥିଲେ। ଏସପି ମୁଖ୍ୟ କହିଛନ୍ତି ଯେ ଏହା ହେଉଛି ନୂଆ ଯୁଗର ଇଲେକ୍ଟ୍ରୋନିକ୍ ବୁଥ୍ କ୍ୟାପଚର। ଅଖିଳେଶ କହିଛନ୍ତି ଯେ ଗଣତନ୍ତ୍ରରେ ପ୍ରକୃତ ବିଜୟ ସିଷ୍ଟମରୁ ନୁହେଁ ଲୋକଙ୍କଠାରୁ ଆସିଥାଏ। ଲୋକମାନେ ମତଦାନରୁ ବଞ୍ଚିତ ହୋଇଥିଲେ। ନକଲି ଭୋଟରଙ୍କ ସହ ମତଦାନ କରାଯାଇଥିଲା। ନିର୍ବାଚନ ଉପରେ ସରକାର ଏକ ନାଟକ ମଞ୍ଚସ୍ଥ କରିଛନ୍ତି। ଉତ୍ସବ ପାଳନ କରିବାକୁ ଛଳନା ।

 

 

 

 

 

ଅଷ୍ଟ୍ରେଲିଆରେ ଚମକିଲା ବିରାଟଙ୍କ ବ୍ୟାଟ୍, ୪୯୧ ଦିନ ପରେ ଟେଷ୍ଟ କ୍ରିକେଟରେ ଅର୍ଜନ କଲେ ଶତକ

ନନ୍ଦିଘୋଷ ବ୍ୟୁରୋ: ପର୍ଥରେ ଚାଲିଲା ବିରାଟଙ୍କ ବ୍ୟାଟ୍ । ଶତକୀୟ ପାଳି ଖେଳିଲେ କିଙ୍ଗ କୋହଲି । ଶେଷରେ ୪୯୧ ଦିନ ପରେ ଟେଷ୍ଟ କ୍ରିକେଟରେ ଶତକ ଅର୍ଜନ କରିଛନ୍ତି କୋହଲି । ଏହା ତାଙ୍କର ୩୦ତମ ଟେଷ୍ଟ ଶତକ ଅଟେ । ତୃତୀୟ ଦିନରେ ଦେବିଦତ୍ତ ପାଡିକଲ ଆଉଟ୍ ହେବା ପରେ କ୍ରିଜରେ ତିଷ୍ଟି ରହିଥିଲେ କୋହଲି । ଧର୍ଯ୍ୟର ସହ ଖେଳିବା ସହ ସେ ଶତକୀୟ ପାଳି ଖେଳିବାରେ ସକ୍ଷମ ହୋଇଥିଲେ । ପେସ ବୋଲରଙ୍କ ଘାତକ ବୋଲିଂକୁ ବେଶ ଚକମା ଦେଇଥିଲେ । ସେପଟେ ଏହି ଶତକ ସହ ଅଷ୍ଟ୍ରେଲିଆରେ ନୂଆ ଇତିହାସ ରଚିଛନ୍ତି ବିରାଟ । ସେ ସଚିନ ତେନ୍ଦୁଲକରଙ୍କ ଏକ ରେକର୍ଡକୁ ଭାଙ୍ଗିଛନ୍ତି ।  ବର୍ଡର ଗାଭାସ୍କର ଟ୍ରଫିରେ ୯ ଶତକ ହାସଲ କରିବାର ରେକର୍ଡ ସଚିନଙ୍କ ନାମରେ ଥିଲା । ଏବେ ବିରାଟ କମ ପାଳିରେ ଏହି ରେକର୍ଡକୁ ଅତିକ୍ରମ କରିଛନ୍ତି । ଏହାସହ ସେ ଅଷ୍ଟ୍ରେଲିଆରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ ମଧ୍ୟ କରିଛନ୍ତି ।

କହି ରଖୁଛୁ କି, ବିରାଟ କୋହଲିଙ୍କ ବ୍ୟାଟ କିଛି ମ୍ୟାଚରେ ଶିତଳ ରହିଥିଲା । ନିକଟରେ ଭାରତରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ତାଙ୍କ ବ୍ୟାଟ ଚାଲିନଥିଲା । ଭାରତ ଏହି ସିରିଜ ହାରିବା ସହ ବିରାଟ ମଧ୍ୟ ଫେଲ ମାରିଥିଲେ । ଏବେ ସମସ୍ତଙ୍କ ନଜର ବିରାଟଙ୍କ ପ୍ରଦର୍ଶନ ଉପରେ ରହିଥିଲା । କାରଣ ସେ କିଭଳି ପ୍ରଦର୍ଶନ କରିବେ କାରଣ ଏହି ମ୍ୟାଚରେ ଅଧିନାୟକ ରୋହିତ ଖେଳନଥିଲେ । କିନ୍ତୁ ବିରାଟ ରୋହିତଙ୍କ ଅନୁପସ୍ଥିତିରେ ଏକ ବଡ଼ ରେକର୍ଡ ପାଳି ଖେଳିବାରେ ସକ୍ଷମ ହୋଇଛନ୍ତି ।

 

୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା

ଭୁବନେଶ୍ବର: ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଆଜି ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ମେହାନ ମାଝୀ ସୁନ୍ଦରଗଡ଼ରେ ମହିଳାଙ୍କ ବ୍ୟାଙ୍କ ଖାତାକୁ ସୁଭଦ୍ରା ଟଙ୍କା ପ୍ରଦାନ କରିଛନ୍ତି । ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳା ହିତାଧିକାରୀଙ୍କ ଖାତାକୁ ଟଙ୍କା ପଠାଇଛନ୍ତି ରାଜ୍ୟ ସରକାର ।

ସୂଚନାଯୋଗ୍ୟ, ଆଜି ସୁଭଦ୍ରା ଟଙ୍କା ପାଇଥିବା ହିତାଧିକାରୀଙ୍କ ମଧ୍ୟରେ ଯୋଜନାରୁ ବାଦ ପଡ଼ିଥିବା କିଛି ଆବେଦନକାରୀ ଅଛନ୍ତି ।

ବିଭିନ୍ନ କାରଣରୁ ଯୋଜନାରୁ ବାଦ ପଡିଥିବା ୨ ଲକ୍ଷ ୬୭ ହଜାର ଆବେଦନକୁ ଯାଞ୍ଚ କରାଯାଇଥିଲା । ସେଥିରୁ ୨୨ ପ୍ରତିଶତ ହିତାଧିକାରୀଙ୍କୁ ଆଜି ପ୍ରଦାନ କରାଯାଇଥିବା ପର୍ଯ୍ୟାୟରେ ସାମିଲ କରାଯାଇଛି । ଏଥିପାଇଁ ବିଡିଓଙ୍କୁ ନୋଡାଲ ଏଜେନସି ଦାୟିତ୍ୱ ଦିଆଯାଇଥିଲା ।

ସେହିପରି ୫ ଲକ୍ଷ ଆବେଦନ ମିସମ୍ୟାଚ ହୋଇଥିବାରୁ ସେମାନେ ଏଥର ସାମିଲ ହେବେ ନାହିଁ । ସେମାନଙ୍କ ଆକାଉଣ୍ଟ ଆଧାର ଲିଙ୍କରେ ସମସ୍ୟା ଅଛି । ଆଧାର, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ କରାଇବା ପରେ ସେମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ । ଏହାର ସଚେତନତା ଲାଗି ସରକାରୀ ଅଧିକାରୀ ଘରକୁ ଯିବେ । ବାଦ ପଡିଥିବା ହିତାଧିକାରୀଙ୍କୁ ସାମିଲ କରିବା ଯାଏଁ ପ୍ରକ୍ରିୟା ଜାରୀ ରହିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ମସଜିଦ ସର୍ଭେକୁ ନେଇ ସମ୍ବଲରେ ଉତ୍ତେଜନା, ପୋଲିସ ଉପରକୁ ପଥର ମାଡ଼

ସମ୍ବଲ: ମସଜିଦ ସର୍ଭେକୁ ନେଇ ଉତ୍ତରପ୍ରଦେଶର ସମ୍ବଲରେ ଉତ୍ତେଜନା । ହଜାର ହଜାର ଲୋକଙ୍କ ନାରାବାଜି । ଉତ୍ତ୍ୟକ୍ତ ଲୋକଙ୍କୁ ନିୟନ୍ତ୍ରଣ କରିବାରେ ପୋଲିସ ନୟାନ୍ତ । ଏପରିକି ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥର ମାଡ଼ ହୋଇଛି । ସ୍ଥିତି ଅଣାୟତ ହେଉଥିବା ଦେଖି ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି ।

ସୂଚନାଯୋଗ୍ୟ,  ସମ୍ବଲରେ ପ୍ରତିଷ୍ଠିତ ଏକ ମସଜିଦକୁ ନେଇ କିଛି ଦିନ ଧରି ବିବାଦ ଚାଲିଛି । ସେଠାରେ ମୋଗଲ କାଳରେ ଏକ ମନ୍ଦିର ଭାଙ୍ଗି ସାହି ଜାମା ମସଜିଦ ନିର୍ମାଣ କରାଯାଇଥିବା ଅଭିଯୋଗ ପରେ ବିବାଦ ଉତ୍ତେଜନା ସ୍ଥିତି ଲାଗି ରହିଛି । ଆଜି ମସଜିଦର ସର୍ଭେ ଲାଗି ଆସିଥିବା ଏକ ଟିମକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ସ୍ଥିତି ଏପରି ହୋଇଥିଲା ଯେ ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥର ମାଡ଼ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି । ଲୋକଙ୍କୁ ଘଉଡାଇବା ଲାଗି ପୋଲିସ ଲୁହବୁହା ଗ୍ଯାସ ପ୍ରୟୋଗ କରିଛି । ଘଟଣାସ୍ଥଳରୁ ଲୋକଙ୍କୁ ଚାଲିଯିବାକୁ ମସଜିଦ ମୁଖ୍ଯ ଆହ୍ବାନ ଦେଇଥିଲେ ବି ସେଠାରୁ କେହି ହଟି ନାହାନ୍ତି ।

ମସଜିଦର ସର୍ଭେ ଲାଗି କୋର୍ଟଙ୍କ ନିର୍ଦ୍ଦେଶ ପରଠାରୁ ସେଠାରେ ଉତ୍ତେଜନା ଲାଗି ରହିଥିଲା । ସେପଟେ ହିଂସା ସତ୍ତ୍ବେ ଆଡଭୋକେଟ କମିଶନ ପକ୍ଷରୁ ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ ମସଜିଦର ଭିଡିଓଗ୍ରାଫି କରାଯାଇଛି ବୋଲି ସମ୍ବଲ ଜିଲ୍ଲା ମାଜିଷ୍ଟ୍ରଟ ରାଜେନ୍ଦର ପେନସିୟା କହିଛନ୍ତି ।

ଆସନ୍ତା ନଭେମ୍ବର ୨୯ରେ କୋର୍ଟ ନିକଟରେ ଏହି କମିଶନ ନିଜ ରିପୋର୍ଟ ଦାଖଲ କରିବ । ଗତ ନଭେମ୍ବର ୧୯ ତାରିଖରେ ସ୍ଥାନୀୟ ପୋଲିସ ଓ ଲୋକଙ୍କ ସହାୟତାରେ ମସଜିଦର ସର୍ଭେ କରାଯାଇଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୧୫୨୯ ଖ୍ରୀଷ୍ଟାବ୍ଦରେ ହରିହର ମନ୍ଦିରକୁ ଭାଙ୍ଗି ମୋଗଲ ସମ୍ରାଟ ଆକବର ସେଠାରେ ମସଜିଦ ନିର୍ମାଣ କରିଥିଲେ ।