spot_img
Home Blog Page 1325

ଆଜି ପ୍ରଥମାଷ୍ଟମୀ, ପୋଢୁଆଁ ହେବେ ତିନି ଠାକୁର

ଭୁବନେଶ୍ବର: ଆଜି ପ୍ରଥମାଷ୍ଟମୀ । ପୋଢୁଆଁ ହେବେ ବଡ଼ ଠାକୁର ପ୍ରଭୁ ଶ୍ରୀ ବଳଭଦ୍ର । ତାଙ୍କ ସହିତ ସାନ ଭାଇ ମହାପ୍ରଭୁ ଜଗନ୍ନାଥ, ମାଆ ସୁଭଦ୍ରା ଓ ପ୍ରଭୁ ସୁଦର୍ଶନ ମଧ୍ୟ ପୋଢୁଆଁ ହେବେ । ଏନେଇ ମହାପ୍ରଭୁଙ୍କ ମାମୁଘର ନିଆଳି ମାଧବାନନ୍ଦଙ୍କ ମନ୍ଦିରରୁ ଆସିଛି ପୋଢୁଆଁ ଭାର l ପାଟ ମଠା ସାଙ୍ଗକୁ ବିଭିନ୍ନ ସାମଗ୍ରୀ ନେଇ ଏକ ପଟୁଆରରେ ଶ୍ରୀକ୍ଷେତ୍ରରେ ଗତକାଲି ପହଞ୍ଚିଥିଲେ ସେବାୟତ ଓ ସ୍ଥାନୀୟ ଲୋକେ ।

ଗୁଣ୍ତିଚା ମନ୍ଦିରରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ପତାକା, ପାରମ୍ପରିକ ବାଦ୍ୟ, ନୃତ୍ୟରେ ପାଇକ ଆଖଡା, ରାମତାଳି, ଲଉଡି, ଘୋଡ଼ା ନାଚ ସାଙ୍ଗକୁ ସଂକୀର୍ତ୍ତନ ମଣ୍ଡଳୀଙ୍କ ସଂକୀର୍ତ୍ତନରେ ଆସିଥିଲେ । ଏହି ପୋଢୁଆଁ ଭାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦିଆଯାଇଥିଲା । ଗତକାଲି ଶ୍ରୀଜିଉ ପୋଢୁଆଁ ହେବେ ।.

ମଣିପୁରରେ ଥମୁନି ଉତ୍ତେଜନା, ୭ ଜିଲ୍ଲାରେ ବନ୍ଦ ଇଣ୍ଟରନେଟ ସେବା

0

ଇମ୍ପାଲ: ମଣିପୁରର ବିଭିନ୍ନ ସ୍ଥାନରେ ରହିଛି ଉତ୍ତେଜନା ପରିସ୍ଥିତି । ସେପଟେ ଇମ୍ଫାଲ ଉପତ୍ଯକାରେ ଆଜି ବି ବନ୍ଦ ରହିବ ସ୍କୁଲ ଓ କଲେଜ । ଛାତ୍ରଛାତ୍ରୀଙ୍କ ନିରାପତ୍ତା ଲାଗି ଏହି ପଦକ୍ଷେପ ନେଇଛନ୍ତି ସରକାର । ସରକାରୀ ନିଷ୍ପତ୍ତି ଅନୁସାରେ ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ଥୋବାଲ, ବିଷ୍ଣୁପର ଓ କାକଚିଙ୍ଗରେ ସ୍ଥିତି ଉତ୍ତେଜନାପ୍ରବଣ ଥିବାରୁ ଉପତ୍ଯକାରେ ଶିକ୍ଷାନୁଷ୍ଠାନ ବନ୍ଦ ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି ।

ସେହିପରି ଉତ୍ତେଜନାକୁ ଦୃଷ୍ଟିରେ ରଖି ଆଜି ବି ରାଜ୍ଯର ୭ ଜିଲ୍ଲାରେ ବନ୍ଦ ରହିବ ଇଣ୍ଟରନେଟ ସେବା । ସେପଟେ ମଣିପୁର ପୋଲିସ ପକ୍ଷରୁ ପାର୍ବତ୍ଯାଞ୍ଚଳ ଓ ଉପତ୍ଯକାରେ ଚଳାଇଛି ସର୍ଚ୍ଚ ଅପରେସନ । ବିଭିନ୍ନ ସ୍ଥାନରେ କୁକୀଙ୍କ ଉପରେ ଆକ୍ରମଣକୁ ବିରୋଧ କରିଛି କୁକୀ ଅର୍ଗାନାଇଜେସନ ଫର ହ୍ୟୁମାନ ରାଇଟସ୍ ଟ୍ରଷ୍ଟ ।

ତେଣେ ଜିରିବାମରେ ମୈତେଇଙ୍କ ଉପରେ ହେଉଥିବା ଆକ୍ରମଣକୁ ବିରୋଧ କରିଛି ମୈତେଇ ସଂଗଠନ ତାରାଗି ଚେଇସୁ । ମୈତେଇଙ୍କ ସୁରକ୍ଷା କ୍ଷେତ୍ରରେ ରାଜ୍ଯ ସରକାର ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛି ସଂଗଠନ । ଜାକୁରଧୋର ସମେତ ୬ଟି ପୋଲିସ ଥାନା ଅଞ୍ଚଳରେ ଆଫପ୍ସା ଲାଗୁକୁ ସଂଗଠନ ବିରୋଧ କରିଛି । ଶାନ୍ତି ପ୍ରତିଷ୍ଠା କରିବାରେ ଆଫପ୍ସା ବିଫଳ ବୋଲି ସଂଗଠନ ଅଭିଯୋଗ କରିଛି । ସେପଟେ ବୀରେନ ସିଂ ସରକାର ଉପରେ ଏନପିପି ସମର୍ଥନ ପ୍ରତ୍ଯାହାର ପରେ କ୍ଷୁବ୍ଧ ହୋଇଛି ବିଜେପି । ନାଗାଲାଣ୍ଡରେ ଏନପିପି ସହ ସମ୍ପର୍କ ଛିନ୍ନ କରିବାକୁ ବିଜେପି ଦେଇଛି ଧମକ ।

ଆଜି ପ୍ରକାଶ ପାଇବ ମହାରାଷ୍ଟ୍ର, ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳ

ନନ୍ଦିଘୋଷ ବ୍ୟୁରୋ: ଆଜି ପ୍ରକାଶ ପାଇବ ମହାରାଷ୍ଟ୍ର, ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳ । ଏହା ସହ ୪୮ ବିଧାନସଭା ଆସନ, ୨ ଲୋକସଭା ଆସନର ଉପନିର୍ବାଚନ ଫଳ ବି ଆସିବ । ୨ ଲୋକସଭା ଆସନ ହେଲା କେରଳର ଓ୍ବାୟନାଡ ଓ ମହାରାଷ୍ଟ୍ରର ନାନ୍ଦେଡ । ମହାରାଷ୍ଟ୍ରର ୨୮୮ ଆସନ ଲାଗି ଗତ ୨୦ରେ ସରିଥିଲା ଭୋଟ । ଝାଡଖଣ୍ଡରେ ୮୧ ଆସନ ଲାଗି ଦୁଇ ପର୍ଯ୍ୟାୟରେ ହୋଇଥିଲା ଭୋଟ ।

ମହାରାଷ୍ଟ୍ର ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେ, ଦୁଇ ଉପମୁଖ୍ଯମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଓ ଅଜିତ ପାଓ୍ବାରଙ୍କ ଭାଗ୍ଯ ପାଇବ ପ୍ରକାଶ । ସେହିପରି ଝାଡଖଣ୍ଡ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନ, ଓ୍ବାୟନାଡ ଲୋକସଭା ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧିଙ୍କ ଭାଗ୍ଯ ପ୍ରକାଶ ପାଇବ । ଏକଜିଟ ପୋଲ ଅନୁସାରେ ମହାରାଷ୍ଟ୍ରରେ ମହାୟୁତି ପୁଣି କ୍ଷମତାକୁ ଆସିବ । ଝାଡ଼ଖଣ୍ଡରେ ଏନଡିଏ କିମ୍ବା ଇଣ୍ଡିଆ ମେଣ୍ଟ- କାହାରିକୁ ସ୍ପଷ୍ଟ ବହୁମତ ମିଳିବାର ସମ୍ଭାବନା ନାହିଁ ।

ସେପଟେ ଓ୍ବାୟନାଡ ଆସନ ଲାଗି ରହିଛି ନଜର । କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧି ଓ ବିଜେପିର ନବ୍ଯା ହରିଦାସଙ୍କ ମଧ୍ଯରୁ କିଏ ପିନ୍ଧିବେ ମୁକୁଟ- ତାହାକୁ ନେଇ ସସପେନ୍ସ । ଚଳିତ ଥର ବରହେଟରୁ ଲଢୁଛନ୍ତି ଝାଡଖଣ୍ଡ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନ । କୋପରି ପଚାପଖାଡିରୁ ଲଢୁଛନ୍ତି ମହାରାଷ୍ଟ୍ର ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେ । ମହାରାଷ୍ଟ୍ରରେ ୬୫.୨ ପ୍ରତିଶତ ମତଦାନ ହୋଇଥିବାବେଳେ ଝାଡଖଣ୍ଡରେ ୬୭.୫୯ ପ୍ରତିଶତ ମତଦାନ ହୋଇଥିଲା ।

ଓଡ଼ିଶାରେ ଅଦାନୀ ଝଡ଼; ବିଜେପି ସମ୍ପୃକ୍ତି ଅଭିଯୋଗ କରି ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍

ଭୁବନେଶ୍ୱର: ଓଡ଼ିଶାରେ ଅଦାନୀ ଝଡ଼। ସରକାରଙ୍କୁ ଘେରିଲେ ବିରୋଧୀ। କାଠଗଡ଼ାରେ ଅଦାନୀ-ବିଜେପି ସମ୍ପର୍କ। ରାଜରାସ୍ତାରେ ଗର୍ଜିଲା ଯୁବ କଂଗ୍ରେସ। ବିଶିଷ୍ଟ ଶିଳ୍ପପତି ଗୌତମ ଅଦାନୀଙ୍କୁ ନେଇ ଓଡ଼ିଶାରେ ତେଜିଲା ତାତି। ହଲଚଲ ରାଜ୍ୟ ରାଜନୀତି। ଗନ୍ଧମାର୍ଦ୍ଦନ ପାହାଡ଼ ଜମିରୁ ଆରମ୍ଭ କରି ଡ଼ବଲ ଇଂଜନି ସରକାରଙ୍କ ଅଦାନୀ ପ୍ରୀତି ନେଇ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ। ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛି ଯୁବ କଂଗ୍ରେସ। ମାଷ୍ଟର କ୍ୟାଣ୍ଟିନ୍ ଛକରେ ଅଦାନୀ ଓ ବିଜେପି ବିରୋଧରେ ବିକ୍ଷୋଭ କରିଛି ଯୁବ କଂଗ୍ରେସ। କେନ୍ଦ୍ର ସରକାର ଓ ଅଦାନୀ ମିଶି ଦେଶକୁ ଲୁଟ କରିଥିବା ଅଭିଯୋଗ କରିଛି ଦଳ। ଘଟଣାର JPC ତଦନ୍ତ ଦାବି କରିଛି ଯୁବ କଂଗ୍ରେସ। ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାକୁ ଚେତାବନୀ ଦେଇଛି। ଡ଼ବଲ ଇଂଜିନ ସରକାର ଓଡ଼ିଶାରେ ହେବା ପରେ ଅଦାନୀକୁ ଓଡ଼ିଶାର ଖଣି, ଜମି, ବନ୍ଦର ଟେକିଦେଇଛି ବିଜେପି। ଯାହାକୁ ନେଇ ବିଜେପି ବିରୋଧରେ ଅସନ୍ତୋଷର ସ୍ଵର ତୀବ୍ର ହୋଇଛି। ଗନ୍ଧମାର୍ଦ୍ଦନ ପାହାଡ଼କୁ ଅଦାନୀକୁ ଦିଆଯିବା ନେଇ ସରକାର ସ୍ପଷ୍ଟୀକରଣ ଦେବାକୁ କଂଗ୍ରେସ ନେତା ସାଲୁଜା ଦାବି କରିଛନ୍ତି।

ଗନ୍ଧମାର୍ଦ୍ଦନ ପାହାଡ଼ରୁ ଆରମ୍ଭ କରି ଅଦାନୀ ଓ ବିଜେପି ସମ୍ପର୍କ ନେଇ ରାଜନୀତି ଉଷ୍ମ ହେବା ପରେ ପ୍ରତିକ୍ରିୟା ରଖିଛି ବିଜେଡ଼ି। ଆଇନ ତା ବାଟରେ ଯାଉ ବୋଲି କହିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ। ସମସ୍ତେ ଜାଣିଛନ୍ତି ବିଜେପି ଓ ଅଦାନୀ ଗୋଟେ ସୂତାର ଖିଅ। ତାଙ୍କ ଭିତରେ କଣ ସମ୍ପର୍କ ସମସ୍ତଙ୍କୁ ଜଣା। ସେପଟେ ଅଦାନୀ ଓ ବିଜେପି ସମ୍ପର୍କ ନେଇ କଂଗ୍ରେସର ଟାର୍ଗେଟ ପରେ ଜବାବ ରଖିଛି ବିଜେପି। ଆଇନମନ୍ତ୍ରୀ କହିଛନ୍ତି, ଯଦି ସେଭଳି କିଛି ହୋଇଥିବ, ତାହାଲେ ତଦନ୍ତ ଯାହା ହେବା କଥା ହେବ। ଯାହାର ବି ସମ୍ପୃକ୍ତି ଥିବ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ ।

ଗୁଣୁପୁର ବସଷ୍ଟାଣ୍ଡ କାମ ଆରମ୍ଭ: ଦୋକାନ ଭଙ୍ଗାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ

ରାୟଗଡ଼ା: ବଦଳିବ ଗୁଣୁପୁର ନୂତନ ବସଷ୍ଟାଣ୍ଡ ରୂପରେଖ। ପୂର୍ବ ସରକାର ସମୟରେ ହୋଇଥିଲା ଟେଣ୍ଡର ପ୍ରକ୍ରିୟା। ଏବେ ନୂତନ ବସଷ୍ଟାଣ୍ଡ ନିମନ୍ତେ ଆରମ୍ଭ ହୋଇଛି କାମ। ଅତ୍ଯାଧୁନିକ ସୁବିଧା ସୁଯୋଗ ପାଇବେ ଲୋକେ। ହାଇଟେକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ୨୦୨୪ ମସିହାରେ ୨୨ କୋଟି ଟଙ୍କା ଟେଣ୍ଡର କରିଥିଲେ ପୂର୍ବତନ ସରକାର। ନୁତନ ବସଷ୍ଟାଣ୍ଡର ଉନ୍ନତିକରଣ କରିବା ପାଇଁ ଓ ଏସ୍ଆରଟିସି  ଟେଣ୍ଡର ଡାକିବା ପରେ ଏକ ଠିକା ସଂସ୍ଥାକୁ ଦିଆଯାଇଥିଲା। ବର୍ତ୍ତମାନ ନୂତନ ବସଷ୍ଟାଣ୍ଡ ନିର୍ମାଣର ଡିଜାଇନ ନେଇ କାମ ଆରମ୍ଭ ହୋଇଛି । ପୂର୍ବରୁ ଥିବା ଦୋକାନ ଗୁଡିକୁ ପୈାରପରିଷଦ ନିର୍ଦ୍ଦେଶରେ ଭାଙ୍ଗି ଦିଆଯାଉଛି। କିଛି ଦୋକାନୀମାନଙ୍କୁ ୩୦ ତାରିଖ ମଧ୍ଯରେ ଦୋକାନ ଖାଲି କରିବାରୁ ପୌରପରିଷଦ ପକ୍ଷରୁ କୁହାଯାଇଛି। ଯାହାଦ୍ବାରା ଦୋକାନୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଅନ୍ୟପଟେ ଦୋକାନୀ ମାନେ ସେମାନଙ୍କୁ ଥଇଥାନ କରିବା ପାଇଁ ଦାବି କରିଛନ୍ତି। ଘରୋଇ ବସ ରହିବା ପାଇଁ ବ୍ଯବସ୍ଥା କରିବାକୁ ଦାବି କରିଛନ୍ତି ଘରୋଇ ବସ ମାଲିକ ସଂଘ। ସେପଟେ ପୁର୍ତ୍ତ ବିଭାଗର ବିନା ଆଦେଶ ନାମାରେ କିଭଳି ଦୋକାନ କୋଠା ଗୁଡିକ ଭଙ୍ଗା ଯାଉଛି ବୋଲି ପ୍ରଶ୍ନ ଉଠାଉଛନ୍ତି ଦୋକାନୀ ସଂଘ।

ଗୋଟିଏ ପଟେ ବ୍ୟବସାୟୀ ଉନ୍ନୟନ କାମକୁ ବିରୋଧ ନକରି ପୈାରପରିଷଦ ସେମାନଙ୍କୁ ଥଇଥାନ କରିବା ପାଇଁ ଦାବି କରିଛନ୍ତି। ଏପଟେ ପୈାରପରିଷଦର ଖାମଖିଆଲି ନୀତିକୁ ବିରୋଧ କରିଛନ୍ତି ଦୋକାନୀ। ଉଚ୍ଛେଦ ହୋଇଥିବା ଦୋକାନୀଙ୍କ ସହିତ ଆଲୋଚନା କରି ବିକଳ୍ପ ବ୍ଯବସ୍ଥା କରାଯିବ ବୋଲି ବୋଲି ପୈାରପରିଷଦ ନିର୍ବାହୀ ଅଧିକାରୀ କହିଛନ୍ତି। ଅନ୍ୟପଟେ ନୂଆ କାମ ଯାହା ହୋଇଛି ତାହା ଭଙ୍ଗାଯିବନି, ଯାହା ସରକାରୀ ଗାଇଡ୍ ଲାଇନ୍ ବାହରେ ରହିଛି ତାକୁ ଭଙ୍ଗାଯିବ ବୋଲି କହିଛନ୍ତି।

ଗନ୍ଧମାର୍ଦ୍ଦନ ପର୍ବତରେ ହାତ ମାରିଲେ ସ୍ଥିତି ଭୟଙ୍କର ହେବ !

ବଲାଙ୍ଗିର: ବଲାଙ୍ଗିର ଗନ୍ଧମାର୍ଦ୍ଦନ ପାହାଡ ସୁରକ୍ଷା ଦାବି ନେଇ ଆସନ୍ତା ୨୫ତାରିଖରୁ ଆନ୍ଦୋଳନ କରିବାକୁ ସଜବାଜ ହେଲେଣି ପରିବେଶବିତ୍ ଓ ସ୍ଥାନୀୟ ଲୋକ । କେନ୍ଦ୍ର ଓ ରାଜ୍ଯ ସରକାର ଆଦାନୀକୁ ଗନ୍ଧମାର୍ଦ୍ଦନ ପାହାଡକୁ ବିକ୍ରି କରିଦେଇଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ଐତିହାସିକ ଗନ୍ଧମାର୍ଦ୍ଦନ ପାଦଦେଶରେ ଆଦାନୀ କମ୍ପାନୀ ବା ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ ପ୍ରାଇଭେଟ ଲିମିଟେଡ ଜମି କିଣିବା ପରେ ଖଣି ଖନନ ଖର୍ଚ୍ଚକୁ ଖୋରାକ ଯୋଗାଇଛି । ଗନ୍ଧମାର୍ଦ୍ଦନ ଓ ଆଖପାଖ ଅଞ୍ଚଳରେ ୧୧୨.୮୬ ଏକର ଜମି ଆଦାନୀ କମ୍ପାନୀ ଚାଷିଙ୍କ ଠାରୁ କିଣିବା ପରେ ବଲାଙ୍ଗୀର ରାଜନୀତି ସରଗରମ ହେବାରେ ଲାଗିଛି । ବିଜେପି ସରକାର ଆସିବା ପରେ ଆଦାନୀ କମ୍ପାନୀର ଜମି କିଣିବା ଘଟଣାକୁ ସହଜରେ ଲୋକେ ହଜମ କରିପାରୁନାହାନ୍ତି । ଆଦାନୀ ଗନ୍ଧମାର୍ଦ୍ଦନ ପାହାଡ ନିକଟରେ ଜମି କିଣିବା ପରେ ଗନ୍ଧମାର୍ଦ୍ଦନର ସୁରକ୍ଷା ପ୍ରତି ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଗତକାଲି କମ୍ପାନୀ ତରଫରୁ ସ୍ପଷ୍ଟିକରଣ ଦିଆଯାଇଛି ହେଲେ ସ୍ଥାନୀୟ ଲୋକ କିନ୍ତୁ ଏହି ସ୍ପଷ୍ଟିକରଣକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ରାଜ୍ୟ ସରକାର ଖଣି ଖନନ ନେଇ କୌଣସି ସ୍ପଷ୍ଟିକରଣ ରଖିନଥିବା ବେଳେ ଆସନ୍ତା ୨୫ତାରିଖରୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ଜୋରଦାର୍ ଆନ୍ଦୋଳନ ପାଇଁ ସଜବାଜ ଚାଲିଛି ।

ଭାରତ ଅଷ୍ଟ୍ରେଲିଆ ପର୍ଥ ଟେଷ୍ଟରେ ବୋଲରଙ୍କ କମାଲ:ଗୋଟିଏ ଦିନରେ ୧୭ ଓ୍ବିକେଟ

ନନ୍ଦିଘୋଷ ବ୍ୟୁରୋ : ଭାରତ ଅଷ୍ଟ୍ରେଲିଆ ପର୍ଥ ଟେଷ୍ଟରେ ବୋଲରଙ୍କ କମାଲ। ଗୋଟିଏ ଦିନରେ ପଡ଼ିଲା ୧୭ ୱିକେଟ। ଆଜି ପ୍ରଥମ ଦିନରେ ପ୍ରଥମ ଇନିଂସ ବ୍ଯାଟିଂ ଆରମ୍ଭ କରିଥିଲା ଭାରତ। ବ୍ୟାଟିଂ ବିପର୍ଯ୍ୟୟ ଘଟି ଭାରତ ମାତ୍ର ୧୫୦ ରନରେ ଅଲଆଉଟ ହୋଇଥିଲା। ଭାରତର ନୀତୀଶ ରେଡ୍ଡି ସର୍ବାଧିକ ୪୧ ରନ କରିଥିଲେ।ଋଷଭ ପନ୍ଥ ଦ୍ଵିତୀୟ ସର୍ବାଧିତ ୩୭ ଏବଂ କେଏଲ ରାହୁଲ ୨୬ ରନ କରିଥିଲେ। ଧ୍ରୁବ ଜୁରେଲ ୧୧ ରନ କରିଥିଲେ। ଆଉ କେହି ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଅଷ୍ଟ୍ରେଲିଆ ବୋଲରଙ୍କ ଦବଦବା ଦେଖିବାକୁ ମିଳିଥିଲା। ହେଜଲଉଡଙ୍କୁ ସର୍ବାଧିକ ୪ ୱିକେଟ ମିଳିଥିଲା। ତେବେ ଜବାବରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ମଧ୍ୟ ଭୁଶୁଡି ପଡିଛି। ପ୍ରଥମ ଦିନ ଶେଷ ସୁଦ୍ଧା କଙ୍ଗାରୁ ଟିମ ୭ ୱିକେଟ ହରାଇ କରିଛି ମାତ୍ର ୬୭। ଆଲେକ୍ସ କେରି ସର୍ବାଧିକ ୧୯ ରନ କରି ନଟଆଉଟ ରହିଛନ୍ତି।ଭାରତୀୟ ବୋଲରଙ୍କ କମାଲ ଦେଖିବାକୁ ମିଳିଥିଲା।

ଅଧିନାୟକତ୍ଵ ସମ୍ଭାଳିଥିଲା ଯଶପ୍ରୀତ ବୁମରା ଭାରତରୁ ସର୍ବାଧିକ ୪ ୱିକେଟ ନେଇଛନ୍ତି। ମହମ୍ମଦ ସିରାଜଙ୍କୁ ୨ଟି ଓ ହର୍ଷିତ ରାଣାଙ୍କୁ ଗୋଟିଏ ୱିକେଟ ମିଳିଛି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୮୩ ରନରେ ଆଗୁଆ ରହିଛି ଭାରତ । ଆସନ୍ତାକାଲି ଟେଷ୍ଟର ଦ୍ଵିତୀୟ ଦିନରେ ପୁଣି ୬୭ ରନରୁ ଖେଳ ଆରମ୍ଭ କରିବ କଂଗାରୁ ଟିମ।

ସାର କାରଖାନାରେ ବିସ୍ଫୋରଣ, ୩ ମୃତ

ନନ୍ଦିଘୋଷ ବ୍ୟୁରୋ : ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ଏକ ସାର କାରଖାନାରେ ବିସ୍ଫୋରଣ । ଏହି ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର । ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟା ସମୟରେ ସାଙ୍ଗଲି କାଡେଗାଁ ତହସିଲର ଶାଲଗାଁ ଏମଆଇଡିସିର ମିଆଁମାର କେମିକାଲ୍ କମ୍ପାନୀରେ ବିସ୍ଫୋରଣ ହୋଇଥିଲା। କାରଖାନାରେ କୌଣସି କାରଣରୁ ପ୍ରଥମେ ବିସ୍ଫୋରଣ ହେବା ପରେ ଗ୍ୟାସ୍ ଲିକ୍ ହେବା କାରଣରୁ ତିନି ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଣ ଜଣ ମହିଳାଙ୍କ ସମେତ ଜଣେ ସୁରକ୍ଷାକର୍ମୀଙ୍କ ଥିଲେ। କାରଖାନାରେ ପ୍ରଥମେ ବିସ୍ଫୋରଣ ଘଟି ଗ୍ୟାସ୍ ଲିକ୍ ହେବା କାରଣରୁ ଏହି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

 

ହୁତୁହୁତୁ ହୋଇ ବଢ଼ି ଚାଲିଛି ପନିପରିବାର ଦର

ନନ୍ଦିଘୋଷ ବ୍ୟୁରୋ : କନ୍ଦାଉଛି ଦରଦାମ। ନାକେଦମ କଲାଣି ପନି ପରିବା ଦର। କାର୍ତ୍ତିକ ଯାଇ ମାର୍ଗଶିର ଆସିଲାଣି ହେଲେ କମିଲାନି ରେଟ୍। ହୁତୁ ହୁତୁ ହୋଇ ବଢ଼ି ଚାଲିଛି ପନିପରିବାର ଦର । କ’ଣ କିଣିବେ କ’ଣ ଖାଇବେ ଚିନ୍ତାରେ ଖାଉଟି। ଦର ନିୟନ୍ତ୍ରଣରେ ସରକାର ଫେଲ୍ କହିଛନ୍ତି ଖାଉଟି।
କାର୍ତ୍ତିକ ମାସରେ ଯେଁଉ ପରିବା ଟିକେ ଶସ୍ତା ଥିଲା, ତାହା ଶସ୍ତା ହେବା ବଦଳରେ ଆଜି ପୁଣି ବଢ଼ି ଯାଇଛି। ଦୁଇ ଦିନ ତଳେ ପୋଟଳ ୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ତାହା ଏବେ ୭୦ ଟଙ୍କା ହୋଇଛି। ବିନ୍ସ ୭୦, ବାଇଗଣ ୫୦, ଝୁଡଙ୍ଗ ୮୦, ଟମାଟୋ ୫୦ ଥିବା ବେଳେ ଆଳୁ ଦର ୩୫ ରହିଛି। ପିଆଜ ୬୦, ରସୁଣ ଅଢେଇଶକୁ ୧୦୦ ଟଙ୍କାରେ ବିକ୍ରି ହେଉଛି। ଏଭଳି ଚଢା ଦର ପାଇଁ ସାଧାରଣ ଲୋକେ ସରକାରଙ୍କୁ ଦୋଷ ଦେଇଛନ୍ତି। ଏ ସରକାର ପୁଞ୍ଜି ପତି ମାନଙ୍କ ସରକାର ବୋଲି କହିଛନ୍ତି ଗ୍ରାହକ। ଟ୍ରେନରେ ଆଳୁ ଆସିଲେ ଶାସ୍ତା ହେବ କହିଲେ କିନ୍ତୁ ସବୁ କଥାରେ ରହିଗଲା। ଗାଡ଼ି ତେଲରୁ ଖାଇବା ତେଲ ପୁଣି ପନିପରିବା ଦର ସବୁ ଆକାଶ ଛୁଆଁ । ପକେଟକୁ ବାଧୁଛି ଅହେତୁକ ଦରବୃଦ୍ଧି। ମାର୍କେଟରେ ପନି ପରିବା ଦର ବଢିବା ପରେ ଏଭଳି ଅସନ୍ତୋଷ ଝାଡ଼ିଛନ୍ତି ଲୋକେ।

ତେଜିଲା ମନୋଜ ମିଶ୍ର ଓ ବବି ଇସଲାମ କଳି, ଡିସିପି ଅଫିସ ଆଗରେ ହାତାହାତି

ଭୁବନେଶ୍ବର : ତେଜିଲା ମନୋଜ ମିଶ୍ର ଓ ବବି ଇସଲାମ କଳି। ଡିସିପି ଅଫିସ ଆଗରେ ହାତାହାତି ହେଲେ ମନୋଜ ଓ ବବି । କଳିରେ ସାମିଲ ହୋଇଛନ୍ତି ଓଲିଉଡର ଅନ୍ୟ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ । ସେପଟେ ପୋଲିସ ସେବା ଭବନରେ ଦୁଇ ପକ୍ଷକୁ ବୁଝାଇବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ପୋଲିସ କମିଶନର ଓ ଡିସିପିଙ୍କ ଉପସ୍ଥିତିରେ ଚାଲିଛି ବୁଝାସୁଝା । ଘଟଣାକୁ ନେଇ ଚନ୍ଦ୍ରଶେଖରପୁର ଥାନାରେ ହାଜର ହୋଇଥିଲେ ବବି ଇସଲାମ। ଅଭିନେତା ମନୋଜ ମିଶ୍ରଙ୍କ ଅଭିଯୋଗ ଆଧାରରେ ଦ୍ଵିତୀୟ ଥର ପାଇଁ ଚନ୍ଦ୍ରଶେଖରପୁର ଥାନାରେ ହାଜର ହୋଇଥିଲେ ନିର୍ଦ୍ଦେଶକ ବବି ଇସଲାମ। ହେଲେ ସେଦିନ ଆସିନଥିଲେ ମନୋଜ ମିଶ୍ର। ମନୋଜଙ୍କୁ ରାଣ୍ଡୀ ପୁଅ ଅନନ୍ତା କହିବା ପରେ, ଥାନାରେ ଅଭିଯୋଗ କରିଥିଲେ ମନୋଜ। ଆପୋସ ବୁଝାମଣା ପାଇଁ ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଆସିବାକୁ କହିଥିଲା। ମନୋଜଙ୍କୁ ଯୋଗାଯୋଗ କରାଯାଇଥିଲେ ବି ସେ ଆସିନଥିଲେ । ଏପଟେ ମନୋଜଙ୍କ ଗ୍ୟାଙ୍ଗ ଧମକାଉଥିବା ନେଇ ପୂର୍ବରୁ ଦରଘା ବଜାର ଥାନାରେ ଅଭିଯୋଗ କରିଥିଲେ ବବି ଇସଲାମ। ଦୁଇ ପକ୍ଷର ବୁଝାମଣା ପରେ ବି ଥମିବାର ନାଁ ଧରିଲାନି ସେଲିବ୍ରିଟି କଳି । ଆଜିର ଘଟଣା ପାଇଁ ମନୋଜ ମିଶ୍ର କ୍ଷମା ମାଗିଥିଲେ ମଧ୍ୟ ଏ ନେଇ ଆଉ ଏକ ମାମଲା ସହିଦନଗର ଥାନାରେ ହେବ ବୋଲି କହିଛନ୍ତି ବବି ଇସଲାମ । ସେପଟେ ନିଜ ଉପରେ କାଦୁଅ ଫିଙ୍ଗା ଚାଲିଥିବା ବେଳେ କୋର୍ଟ ର ଆଶ୍ରୟ ନେଇ ମାନହାନି ମକୋଦ୍ଦମା କରିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।