ଜି.ଉଦୟଗିରି ଗମ୍ଭାରୀଗୁଡା ଓ ମାଲାନସୁଗା ଅଞ୍ଚଳରୁ ୨ ବାଘ ଶିକାରୀ ଗିରଫ। ରେଡ୍ ବେଳେ କଲରାପତରିଆ ବାଘ ଚମଡା ଜବତ ସହ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ଜବତ ହୋଇଛି। ବାଘ ଚମଡାର ଲମ୍ବ ୨୩୯ ସେଣ୍ଟିମିଟର ହୋଇଥିବା ବେଳେ, ବାଘର ଆନୁମାନିକ ବୟସ ୫ ରୁ ୭ ବର୍ଷ ହେବ ବୋଲି କହିଛି ବନ ବିଭାଗ। ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କ ବୟାନ ଅନୁସାରେ ବାରାହା ଶିକାର ପାଇଁ ଫାସ ବିଛା ଯାଇଥିବା ବେଳେ ଏଥିରେ ବାଘ ପଡ଼ିଥିଲା। ପରେ ଦେଶୀ ବନ୍ଧୁକ ସହାୟତାରେ ବାଘକୁ ମାରିଥିଲେ ଅଭିଯୁକ୍ତ। ସବୁଠୁ ସାଂଘାତିକ କଥା ହେଉଛି ଯେ, ବାଘକୁ ମାରିବା ପରେ ତାର ମାଂସକୁ ବାଣ୍ଟିକୁଣ୍ଟି ଖାଇ ଦେଇଥିଲେ ଅଭିଯୁକ୍ତ। ଏନେଇ ସୂଚନା ଦେଇଛି ବନ ବିଭାଗ। ୨ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୪ ଜଣ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବାକୁ ବନ ବିଭାଗ ପକ୍ଷରୁ ତନାଘନା ଜାରି ରହିଛି।
ଡିଜିପି ସମ୍ମିଳନୀ : ଆଜି ଅନ୍ତିମ ଦିବସ
ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବରରେ ଚାଲିଥିବା ଡିଜିପି ସମ୍ମିଳନୀର ଆଜି ଶେଷ ଦିନ। ଶେଷ ଦିନରେ ସାଇବର ଅପରାଧଠୁ ଆରମ୍ଭ କରି ତଟ ସୁରକ୍ଷା ଏବଂ ନକ୍ସଲ ମୁକାବିଲା ନେଇ ପ୍ରସ୍ତୁତ ହେଉଛି ରୋଡମ୍ୟାପ୍। ଆଜି ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍, ଡିଜିପି ଏବଂ ଆଇଜିମାନଙ୍କ ସହ ଆଲୋଚନା କରୁଛନ୍ତି। ସାଇବର ଥ୍ରେଟ ଠାରୁ ଆରମ୍ଭ କରି ମାଓ ଦମନ ରଣନୀତି ନେଇ ଆଲୋଚନା ହୋଇଛି। ଆଭ୍ୟନ୍ତରୀଣ ସୁରକ୍ଷା ସହ ଅନ୍ତର୍ଘାତୀ ଆକ୍ରମଣକୁ ପ୍ରତିହତ କରିବାକୁ ରାଜ୍ୟ ରାଜ୍ୟ ମଧ୍ୟରେ ସମନ୍ବୟ ରକ୍ଷା ଓ ଗୁଇନ୍ଦା ତଥ୍ୟର ଆଦାନ ପ୍ରଦାନ ନେଇ ହୋଇଛି ମାନସମନ୍ଥନ। ସେହିପରି ଆତଙ୍କବାଦ, ବାମପନ୍ଥୀ ଉଗ୍ରବାଦର ମୁକାବିଲା ସହ ସାଇବର ସୁରକ୍ଷା, ବେଆଇନ୍ ଅନୁପ୍ରବେଶ ଓ ଶରଣାର୍ଥୀ ସମସ୍ୟାର ସମାଧାନ, ନିଶା କାରବାର ରୋକିବା, ମହିଳା ବିରୋଧୀ ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ପରିଚାଳନା, ନୂଆ ଅପରାଧ ଆଇନର କାର୍ଯ୍ୟକାରୀତାକୁ ବୈଠକରେ ଗୁରୁତ୍ଵ ଦିଆଯାଇଛି।
ସେହିପରି ବାମପନ୍ଥୀ, ଉଗ୍ରବାଦ, ଉପକୂଳ ସୁରକ୍ଷା, ନିଶାଦ୍ରବ୍ୟ କାରବାର, ସାଇବର ଅପରାଧ ଏବଂ ଆର୍ଥିକ ସୁରକ୍ଷା ସମେତ ସାମ୍ପ୍ରତିକ ଓ ଭବିଷ୍ୟତର ଜାତୀୟ ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି । ଏହା ସହିତ, ୩ଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଏବଂ ପୋଲିସ ବ୍ୟବସ୍ଥା ସହ ଜଡ଼ିତ ସର୍ବୋତ୍ତମ ବ୍ୟବସ୍ଥାର ଅଗ୍ରଗତି ନେଇ ସମୀକ୍ଷା କରାଯାଉଛି। ୨୦୨୭ ସୁଦ୍ଧା ଭାରତକୁ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥ ବ୍ୟବସ୍ଥାରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଲକ୍ଷ୍ୟକୁ ପୂରଣ କରିବା ଦିଗରେ ସୁରକ୍ଷା ପ୍ରତିଷ୍ଠାନ ଗୁଡ଼ିକର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜାତୀୟ ସୁରକ୍ଷା ପ୍ରତି ରହିଥିବା ଚ୍ୟାଲେଞ୍ଜ ଗୁଡ଼ିକୁ କିପରି ମୁକାବିଲା କରାଯିବ। ସାଇବର ଅପରାଧ ଉପରେ କେମିତି ଲାଗିବ ଲଗାମ୍ ? ତଟ୍ଟ ସୁରକ୍ଷାରୁ ନେଇ ଆର୍ଥିକ ସୁରକ୍ଷା ଆଦି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଡିଜିପି ସମ୍ମିଳନୀରେ ଆଲୋଚନା କରାଯାଉଛି।
ପୁଅ ବୋହୂ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ବାପା
ନନ୍ଦିଘୋଷ ବ୍ୟୁରୋ: କୁହାଯାଏ ରାଗ ହେଉଛି ବ୍ରହ୍ମ ଚଣ୍ଡାଳ । ଏହି ସମୟରେ ମଣିଷ ନିଜର ହିତାହିତ ଜ୍ଞାନ ମଧ୍ୟ ହରାଇ ବସିଥାଏ । ରାଗ ସମୟରେ ସମ୍ପର୍କ ମଧ୍ୟ ତୁଛ ହୋଇଯାଏ । ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ରାଗ ଏତେ ହୋଇଥିଲା କି ନିଜ ପୁଅ ବୋହୂ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ବାପା । ଏଭଳି ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ବାର୍ଷିଙ୍ଗା ଗାଁରେ ଘଟିଛି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ ଗତକାଲି ବାର୍ଷିଙ୍ଗା ଗାଁର ଦୀନବନ୍ଧୁ ରାଉତ ଓ ସସ୍ମିତା ରାଉତ ଉଭୟ ସ୍ୱାମୀ ସ୍ତ୍ରୀ ଘରେ ଖାଉଥିବା ସମୟରେ ହଠାତ ବାପା ଗୋଭର୍ଦ୍ଧବ ରାଉତ ବାହାରୁ ଆସି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଫଳରେ ପୁଅ ବୋହୂ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡ଼ିକାଲରେ ଭର୍ତି ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଁଚି ଅଭିଯୁକ୍ତ ବାପା ଗୋଭର୍ଦ୍ଧବ ରାଉତଙ୍କୁ ଅଟକ ରଖିଛି । କେଉଁ କାରଣ ପାଇଁ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ତାହା ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।
ଅଜଣା ଗାଡି ଧକ୍କାରେ ଜଣେ ମାଛ ବ୍ୟବସାୟୀଙ୍କ ମୃତ୍ୟୁ
ନନ୍ଦିଘୋଷ ବ୍ୟୁରୋ: ଜଗତସିଂହପୁର ଅଲଣାହାଟ ନିକଟସ୍ଥ ରାଇବରାଇପଲ୍ଲୀ ଛକ ଠାରେ ଦୁର୍ଘଟଣା । ଏକ ଅଜଣା ଗାଡି ଧକ୍କାରେ ଜଣେ ମାଛ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି । ସକାଳୁ ସକାଳୁ ଗଉଡୁକଣି ପଡ଼ିଆର ଯୁବ ମାଛ ବ୍ୟବସାୟୀ ମାଛ ବିକ୍ରି କରିବାକୁ ବାହାରିଥିବା ବେଳେ ଏକ ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଯୁବ ବ୍ୟବସାୟୀଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକମାନେ ବାଲିଭଉଁରୀ ନାଉଗାଁ ରାସ୍ତାକୁ ଅବରୋଧ କରିଛନ୍ତି । ଏନେଇ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି ।
ଆଜିଠୁ ଆରମ୍ଭ ହେବ ୩୫ ତମ କୋଣାର୍କ ଉତ୍ସବ
ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ଅର୍ଥାତ ରବିବାରଠାରୁ ଆରମ୍ଭ ହେବ ୩୫ ତମ କୋଣାର୍କ ଉତ୍ସବ । ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ପାଇଁ ଉତ୍ସବମୁଖର ହୋଇଉଠିଛି କୋଣାର୍କ । ଶାସ୍ତ୍ରୀୟ ନୃତ୍ୟରେ କମ୍ପିବ ମୁକ୍ତାକାଶ ରଙ୍ଗମଞ୍ଚ । ଦେଶର କଳା ସଂସ୍କୃତିର ପ୍ରଚାର ପ୍ରସାର ଓ ପର୍ଯ୍ଯଟନ ଶିଳ୍ପର ଅଭିବୃଦ୍ଧି ନିମନ୍ତେ ଆରମ୍ଭ ହୋଇଥିଲା ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ । ପ୍ରତି ବର୍ଷ ପରି ଚଳିତ ବର୍ଷ ଡିସେମ୍ବର ୧ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ଉତ୍ସବ ସହିତ ଚନ୍ଦ୍ରଭାଗା ସ୍ଵର୍ଣ୍ଣୀମ ବେଳାଭୂମିରେ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବ । କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ସହ କୋଣାର୍କ ସହର ଓ ଚନ୍ଦ୍ରାଭାଗା ବେଳାଭୂମିକୁ ନୂଆରୂପରେ ସଜ୍ଜିତ କରାଯାଇଛି ।
ବିଶେଷକରି ସୂର୍ଯ୍ୟ ମନ୍ଦିର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚର ମଞ୍ଚ ସଜ୍ଜା, ତୋରଣ ନିର୍ମାଣ , ଆଲୋକ ସଜ୍ଜା, ଅନ୍ୟାନ୍ୟ ବାହ୍ୟ ସାଜ ସଜ୍ଜା ସହ ଚନ୍ଦ୍ରଭାଗାରେ ବାଲୁକା କଳା ପ୍ରଦର୍ଶନ ପାଇଁ ବ୍ଯାରିକେଟ ନିର୍ମାଣ କାର୍ଯ୍ଯ ଶେଷ ହୋଇଛି । ବିଶେଷକରି କୋଣାର୍କକୁ ପର୍ଯ୍ୟଟକ ମାନେ ଆସିବା ପାଇଁ ରାଜ୍ୟ ଓଟିଡିସି ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । କୋଣାର୍କ ଉତ୍ସବର ପ୍ରଥମ ସନ୍ଧ୍ୟାରେ ଭୁବନେଶ୍ୱରର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଓଡିଶୀ ଓ ନୂଆଦିଲ୍ଲୀର ମାଳତୀ ଶ୍ୟାମ ଗ୍ରୁପ ପକ୍ଷରୁ କଥକ ନାଚ ପରିବେଷଣ ହେବ ।
ଚଳିତ ବର୍ଷ ଆମେରିକା, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ,ବେଲାରୁଷ ଆଦି ୬ ଟି ଦେଶର ବିଦେଶୀ ଶିଳ୍ପୀଙ୍କ ସମେତ ରାଜ୍ଯ ବାହାରୁ ସମୁଦାୟ ୧୦୦ରୁ ଅଧିକ ବାଲୁକା ଶିଳ୍ପୀ ବାଲୁକା କଳା ପ୍ରଦର୍ଶନ କରିବେ । ସମୁଦାୟ ୩୮ଟି ଷ୍ଟଲରେ ବାଲୁକା କଳା ପ୍ରଦର୍ଶନ କରାଯିବ । କୋଣାର୍କ ଉତ୍ସବ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ କୋଣାର୍କ ଏନଏସି ପକ୍ଷରୁ ପରିମଳ ବ୍ୟବସ୍ତା, ପାନୀୟ ଜଳ ଯୋଗାଣ , ପାର୍କିଂ ଓ ମୀନା ବଜାର ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଶ୍ରୀମନ୍ଦିରରେ ପାଳିତ ହେଉଛି ଦେବ ଦୀପାବଳି
ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିରରେ ପାଳିତ ହେଉଛି ଦେବ ଦୀପାବଳି । ଗତକାଲି ଠାରୁ ଆରମ୍ଭ ହୋଇଥିବା ଦେବ ଦୀପାବଳି ୩ଦିନ ଧରି ଚାଲିବ । ମାର୍ଗଶିର ମାସ ଚତୁର୍ଦ୍ଦଶୀ ଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ ହୋଇଛି । ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ପ୍ରଦାନ କରାଯାଏ । ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ପର୍ଯ୍ୟନ୍ତ ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା ରହିଆସିଛି । ପ୍ରଥମ ଦିନ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢିବା ପରେ ମହାପ୍ରଭୁ, ଅଦିତି ଓ କଶ୍ୟପଙ୍କ ଉଦ୍ଦେଶ୍ୟରେ ଦୀପ ଦାନ ଓ ଶ୍ରାଦ୍ଧ ଦିଆଯାଇଛି । ଦ୍ଵିତୀୟ ଦିନ ଅମାବାସ୍ୟା ତିଥିରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦେବା ପରେ ତୃତୀୟ ଦିନ ଅର୍ଥାତ ପ୍ରତିପଦା ତିଥିରେ ମହାପ୍ରଭୁ ଦେବକୀ, ବାସୁଦେବ, ନନ୍ଦ, ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କୁ ଦୀପଦାନ କରିବା ସହ ଶ୍ରାଦ୍ଧ ଦେବାର ପରମ୍ପରା ରହିଛି । ଏହି ୩ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧ ବେଶ ଧାରଣ କରି ପିତୃପୁରୁଷ ଉଦେଶ୍ୟରେ ଶ୍ରାଦ୍ଧ ତର୍ପଣ କରୁଛନ୍ତି । ଏହା ସହ ଏହି ୩ ଦିନ ମଧ୍ୟ ମହାଦୀପ ମଧ୍ୟ ପ୍ରଜ୍ବଳିତ କରାଯିବ ବିଧି ରହିଛି । ତେଣୁ ଏହାକୁ ଦେବଦୀପାବଳି କୁହାଯାଏ ।
ଆଜିଠୁ ଲାଗୁ ହେବାକୁ ଯାଉଛି ଏହିସବୁ ନୂଆ ନିୟମ
ନନ୍ଦିଘୋଷ ବ୍ୟୁରୋ: ଡିସେମ୍ବର ପହିଲା ଅଥବା ଆଜିଠୁ ଦେଶରେ ଲାଗୁ ହେବାକୁ ଯାଉଛି ଅନେକ ନୂଆ ନିୟମ । ଯେଉଁଥିରେ ଏଲପିଜି ଠାରୁ ଆରମ୍ଭ କରି ଆଧାର କାର୍ଡ ପର୍ଯ୍ୟନ୍ତ ଅନେକ ପରିବର୍ତ୍ତନ ହେବାକୁ ଯାଉଛି ।
- LPG ସିଲିଣ୍ଡର, ଟ୍ରାଇ, SBI କ୍ରେଡିଟ୍ କାର୍ଡ ଓ ଆଧାରକାର୍ଡରେ ହେବାକୁ ଯାଉଛି ପରିବର୍ତ୍ତନ
- LPG ସିଲିଣ୍ଡର ଗ୍ଯାସ ଦର ବଦଳିବ
- ପ୍ରତ୍ଯେକ ମାସ ୧ ଟାରିଖରେ LPGର ଦର ପରିବର୍ତ୍ତନ ହୁଏ
- LPG ସିଲିଣ୍ଡରର ମୂଲ୍ଯ ସହ ତୈଳ ବଜାର କମ୍ପାନୀଗୁଡିକ ମୂଲ୍ଯ ସଂଶୋଧନ କରନ୍ତି
- ପ୍ରତି ମାସରେ ଏୟାର ଟର୍ବାଇନ୍ ଇନ୍ଧନ, CNG ଓ PNG ମୂଲ୍ଯ ସଂଶୋଧନ ହୁଏ
- ସେହିପରି SBI କ୍ରେଡିଟ୍ କାର୍ଡ ନିୟମରେ ବି ହେଉଛି ପରିବର୍ତ୍ତନ
- ଡିସେମ୍ବର ୧ରୁ ୪୮ କ୍ରେଡିଟ୍ କାର୍ଡ ଡିଜିଟାଲ୍ ଗେମିଂ ପ୍ଲାଟଫର୍ମରେ ରିୱାର୍ଡ ପଏଣ୍ଟ ପ୍ରଦାନ କରିବ ନାହିଁ
- ଏହାପରେ ଟ୍ରାଇ ନିୟମରେ ହେବାକୁ ଯାଉଛି ପରିବର୍ତ୍ତନ
- ଏହାର ସମୟସୀମା ନଭେମ୍ବରରେ ଶେଷ ହେବାକୁ ଯାଉଛି
- ଟେଲିକମ୍ କମ୍ପାନୀଗୁଡ଼ିକ ମେସ୍ଜ୍ ଓ OTP ମେସେଜକୁ ଟ୍ରାକ୍ କରିବା ପାଇଁ ଟ୍ରେସେବିଲିଟି ନିୟମ ଲାଗୁ କରୁଛନ୍ତି
- ନିକଟରେ ସମସ୍ତ ଟେଲିକମ୍ ଅପରେଟରମାନଙ୍କୁ ଟ୍ରାଇ ଦ୍ବାରା ଏକ ନୂଆ ଆଦେଶ ଦିଆଯାଇଛି
ବିଜେପିର ପୋଲ ଖୋଲିଲେ ଜୟନାରାୟଣ, କହିଲେ- ମୁଁ ତଡ଼ାଖିଆ ନେତା
ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ସ୍ବର୍ଗତ ସମୀର ଦେ’ଙ୍କ ସ୍ମୃତିସଭାରେ ନିଜ ଦଳର ପୋଲ ଖୋଲିଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ସଭାମଞ୍ଚରୁ କେମିତି ତାଙ୍କୁ ଅଣଦେଖା କରୁଛି ଦଳ ବଖାଣିବା ସହ ମୁଁ ବିଜେପର ତଡ଼ାଖିଆ ନେତା ବୋଲି କହିଛନ୍ତି । ଆଉ ଜୟନାରାୟଣ ଏହା କହୁଥିବା ବେଳେ ମଞ୍ଚ ଉପରେ ଖୋଦ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଏମିତି କହି ଜୟ ନାରାୟଣ ସ୍ପଷ୍ଟ ରିଦେଇଛନ୍ତି ଯେ, ବିଜେପି ଭିତରେ ସବୁ କିଛି ଠିକ୍ ଚାଲିନି ।
ସବୁ ବେଳେ କଟୁ କଥା କହି ଚର୍ଚ୍ଚାରେ ରହୁଥିବା ଜୟ ନାରାୟଣ ଏଥର ନିଜ ଦଳର ପୋଲ ଖୋଲି ଦେଇଛନ୍ତି । ସେ କହିଛନ୍ତି, ମୁଁ ବିଜେପିର ତଡ଼ାଖିଆ ନେତା । ବିଜେପିରୁ ସାଇଡଲାଇନ ହୋଇ ରହିଛି । ମୋତେ ଦଳରେ କୋଣଠେସା କରି ରଖାଯାଇଛି ।
ସେ ଆହୁରି ମଧ୍ୟ କହିଥିଲେ, ସ୍ବର୍ଗତ ସମୀର ଦେଙ୍କୁ ଦଳରେ ଯେମିତି ସମ୍ମାନ ମିଳିବା କଥା ମିଳି ନଥିଲା । ତାଙ୍କ ବିରୋଧରେ ଲୋକ ଲଗାଯାଇଥିଲା । ସମୀର ଦେଙ୍କ ପରି ମୋତେ ବି ଦଳ ସମ୍ମାନ କି ଗୁରୁତ୍ବ ଦେଉନାହିଁ । ମୋ ବିରୋଧରେ ମଧ୍ୟ ଲୋକ ଲଗାଯାଇଛି ।
ସୂଚନାଯୋଗ୍ୟ, ନାରୀଙ୍କୁ ଅସମ୍ମାନ ହେଉ କି ବିବାଦୀୟ ମନ୍ତବ୍ୟ, ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଜୟ ନାରାୟଣ । ଓଡ଼ିଶା ରାଜନୀତିରେ ଏମିତି ବି କୁହାଯାଏ ଜୟ ନାରାୟଣ ଯେଉଁଠି ବିବାଦ ସେଇଠି । ଆଉ ଆଜି ନିଜ ଦଳକୁ ବି କାଠଗଡ଼ାକୁ ଟାଣି ଆଣିଛନ୍ତି । ଆଉ ଖୋଦ ଦଳର ରାଜ୍ୟ ମୁଖିଆ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ।
ଏ ବିଷୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପଚାରିବାରୁ ସମ୍ପୂର୍ଣ୍ଣ ଘଟଣାକୁ ଏଡ଼ାଇବାକୁ ଚେଷ୍ଟା କରିଥିଲେ । ଜୟ ନାରାୟଣ ସେମିତି କିଛି କହିନାହାନ୍ତି, ଆପଣମାନେ ଭୁଲ ଶୁଣିଛନ୍ତି ବୋଲି ସାମ୍ବାଦିକଙ୍କୁ ଉତ୍ତର ଦେଇଥିଲେ । କିନ୍ତୁ, ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ବାରମ୍ବାର ଏନେଇ ପ୍ରଶ୍ନ କରିବାରୁ ସାମ୍ବାଦିକତାର ନୈତିକତା କଥା ପାଠ ପଢ଼ାଇବାକୁ ଚେଷ୍ଟା କରିଥିଲେ ମନମୋହନ । ସ୍ମୃତି ସଭାକୁ ଆସି ଏ ବିଷୟରେ କାହିଁକି ପ୍ରଶ୍ନ ପଚାରୁଛ ବୋଲି ତାଗିଦ କରିଥିଲେ ।
କ୍ଷମତାରେ ଅନ୍ଧ ବିଜେପି: ରାସ୍ତା କାମ ପାଇଁ ପାଣ୍ଠି ଦେଲେ ବିଜେଡି ସାଂସଦ, ହେଲେ ଫଳକରେ ରହିଲାନି ନାଁ
ଚିଲିକା: ଗାଁକୁ ଭଲ ରାସ୍ତାଟିଏ ନଥିଲା ବିଜେଡି ସାଂସଦ ଅର୍ଥ ଦେଲେ । ହେଲେ ଭିତ୍ତିପ୍ରସ୍ତ ଫଳକରେ ରହିଲାନି ସାଂସଦଙ୍କ ନାଁ । ଏପରି ଘଟଣା ଦେଖିବାକୁ ମିଳିଛି ଚିଲିକା ନିର୍ବଚନ ମଣ୍ଡଳିରେ । ହାଟ ବରଡ଼ି ପଞ୍ଚାୟତ ତଳ ଓଡ଼ିଆ ସାହି ଗାଁକୁ ଭଲ ରାସ୍ତାଟିଏ ନଥିଲା । ବିଜେଡି ସାଂସଦ ମାନସ ମଙ୍ଗରାଜ ସାଂସଦ ପାଣ୍ଠିରୁ ସୁପାରିସ କରିବା ପରେ ସାଢ଼େ ୯ ଲକ୍ଷ ଟଙ୍କା ଜିଲ୍ଲାପାଳ ଅନୁମୋଦନ କରିଥିଲେ । ହେଲେ କ୍ଷମତାକୁ ଆସିବା ପରେ ବିଜେପି ସବୁ ନୀତି ନିୟମକୁ ଫୋପାଡ଼ି ଦେଇଛି । ଫଳକରେ ସାଂସଦଙ୍କ ନାଁ ନଥିବା ବେଳେ ପୂର୍ତ୍ତ ମନ୍ତ୍ରୀ ନିଜ ନାମ ନେଇ ବାହାଦୁରୀ ନେଉଛନ୍ତି । ରାଜ୍ୟ ସରକାରଙ୍କ ଏପରି ନୀତିକୁ ସବୁ ମହଲରେ ନିନ୍ଦା କରାଯାଉଛି ।
ଆଇଲେ ମାଳି, ମାଇଲେ ତାଳି…
ଧରି ପଳେଇଲେ ଖେଚୁଡ଼ି ଥାଳି…
କ୍ଷମତା ପରିବର୍ତ୍ତନ ପରେ ରାଜ୍ୟରେ ଏପରି ଅଜବ ପରମ୍ପରା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଗାଁକୁ ରାସ୍ତା ନଥିଲା । ହାତପାଣ୍ଠିରୁ ଅର୍ଥ ସୁପାରିସ କଲେ ବିଜେଡି ସାଂସଦ ମାନସ । ହେଲେ ରାସ୍ତା ପାଇଁ ଭିତ୍ତିପ୍ରସ୍ତର ଫଳକରେ ଦେଖିବାକୁ ମିଳୁନି ତାଙ୍କ ନାଁ । ଫଳକରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ନାଁ ରହିଛି, ହେଲେ ସାଂସଦଙ୍କ ନାଁ ଦେଖିବାକୁ ମିଳୁନି ।
ତଳ ଓଡ଼ିଆ ଗ୍ରାମକୁ ଭଲ ରାସ୍ତା ପାଇଁ ଗ୍ରାମବାସୀ ସାଂସଦ ମଙ୍ଗରାଜଙ୍କୁ ଅନୁରୋଧ କରିବାରୁ ଗତ ଫେବୃଆରୀ ୨୩ ତାରିଖରେ ସାଂସଦ ନିଜ ହାତପାଣ୍ଠିରୁ ୯ ଲକ୍ଷ ୫୦ ହଜାର ଟଙ୍କା ସୁପାରିସ କରିଥିଲେ । ପରେ ଜିଲ୍ଲାପାଳ ମଧ୍ୟ ଏହାକୁ ମଞ୍ଜୁର କରିଥିଲେ । ମାର୍ଚ୍ଚ ମାସରେ ନିର୍ବାଚନ ଆଚରଣବିଧି ଲାଗୁ ହେବାରୁ ପେଭର ବ୍ଲକ ପଡ଼ି ରାସ୍ତା କରିବାକୁ ଅର୍ଥ ଖର୍ଚ୍ଚ ହୋଇପାରି ନଥିଲା । ନିର୍ବାଚନ ପରେ ବିଜେପି କ୍ଷମତାକୁ ଆସିବା ପରେ ନିଜେ ପୂର୍ତ୍ତ ମନ୍ତ୍ରୀଙ୍କ ନାମ ରହିଲା । ହେଲେ ସାଂସଦଙ୍କ ନାମ ଉଡ଼ିଗଲା । ବିରୋଧୀଙ୍କ ଅଭିଯୋଗ, ନୀତି ନୈତିକତାର ପଠା ପଢାଉଥିବା ପଦ୍ମ ଦଳିଆଙ୍କ ଏହା ହେଉଛି ପୁରୁଣା ଅଭ୍ୟାସ । କ୍ଷମତାକୁ ଆସିବା ପରେ ଜନପ୍ରତିନିଧିଙ୍କ ସାମ୍ବିଧାନିକ ଅଧିକାରକୁ ସମ୍ମାନ ଦେଉନାହାନ୍ତି । ଆସନ୍ତା ଦିନରେ ସଂସଦରେ ବିଜେଡି ଏ ନେଇ ସ୍ବାଧୀକାର ଭଙ୍ଗ ନୋଟିସ ଦେଇପାରେ ।
ବିଜେଡି ସାଂସଦଙ୍କ ନାମ କାହିଁକି ଫଳକରେ ରହିନି । ଏ ନେଇ ବିଡିଓଙ୍କ ଉତ୍ତର ହେଉଛି, ସେ ଏ ନେଇ ଜିଲ୍ଲା ସ୍ତରରେ ପଚାରି ବୁଝିବେ । ଗାଁରେ ପେଭର ବ୍ଲକ ରାସ୍ତା ପାଇଁ ଏ ପର୍ଯ୍ୟନ୍ତ କାର୍ଯ୍ୟାଦେଶ କାହାକୁ ଦିଆଯାଇନାହିଁ । ବରିଷ୍ଠ ରାଜନେତାଙ୍କ ଅଭିଯୋଗ, ଏପରି ପରମ୍ପରା କେବେ ବି ପୂର୍ବ ସରକାର ଅମଳରେ ଦେଖିବାକୁ ମିଳୁ ନଥିଲା । ସାଂସଦ ଓ ବିଧାୟକ ପାଣ୍ଠି ଖର୍ଚ୍ଚ ହୁଏ ଲୋକଙ୍କ ମଙ୍ଗଳ ପାଇଁ । ଏଥିରେ ରାଜନୀତି ଭର୍ତ୍ତି କରିବାର ଯଥାର୍ଥତା କ’ଣ । ବିଜେପି ରାଜ୍ୟରେ କ୍ଷମତାରେ ଥିଲେ ବି ଅନ୍ୟ ଦଳର ସାଂସଦଙ୍କ ସାମ୍ବିଧାନିକ ଦାୟିତ୍ବ ରହିଛି । ବିଜେପିର ହୀନ ଉଦ୍ୟମ ଜନପ୍ରତିନିଧି ବ୍ୟବସ୍ଥାକୁ କଳୁଷିତ କରିଛି ବୋଲି କହିଛନ୍ତି ବରିଷ୍ଠ ରାଜନେତା ।
ସରକାରକୁ ଆସିବା ପରେ ପୂର୍ବ ସରକାରଙ୍କ ୨୧ଟି ଯୋଜନାର ନାମ ପରିବର୍ତ୍ତନ କଲେ ମୋହନ ସରକାର । ସ୍ବଚ୍ଛ ପ୍ରଶାସନର ଦ୍ବାହି ଦେଉଥିବା ଲୋକପ୍ରିୟ ସରକାରର ୫ ମାସ ଭିତରେ ଦୁଷ୍କର୍ମ, ଚାଷୀ ଉତ୍ପୀଡନ ବଢି ଚାଲିଛି । ହେଲେ ପୂର୍ବ ସରକାରର ଜନପ୍ରତିନିଧିଙ୍କ କ୍ରିୟା କର୍ମକୁ ହାଇଜାକ କରିବାକୁ ସୁଚିନ୍ତିତ ଭାବେ ମନଇଚ୍ଛା କାର୍ଯ୍ୟ କରି ଚାଲିଛନ୍ତି ।
ବିଶ୍ବବିଦ୍ଯାଳୟର ଏନଏସଏସ କାର୍ଯ୍ୟକ୍ରମକୁ ଓଡିଆ ଅସ୍ମିତା ନାଁ ଦିଆଯିବାକୁ ନେଇ ବଢ଼ିଲା ବିବାଦ
ଭୁବନେଶ୍ବର: ଉତ୍କଳ ସଂସ୍କୃତି ବିଶ୍ବବିଦ୍ଯାଳୟରେ ଜାତୀୟ ସେବା ଯୋଜନା (ଏନଏସଏସ)ର ସାଂସ୍କୃତିକ ଉତ୍ସବକୁ ଓଡ଼ିଆ ଅସ୍ମିତା ଶିବିର ନାଁ ଦିଆଯିବାକୁ ନେଇ ବଢିଲା ବିବାଦ । ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗ ଶିକ୍ଷା ବ୍ଯବସ୍ଥାରେ ‘ଓଡ଼ିଆ ଅସ୍ମିତା’ ରାଜନୀତି ପ୍ରବେଶ କରାଇଥିବା ନେଇ ଅଭିଯୋଗ ହୋଇଛି ।
ଶିବିରରେ ସାରା ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେଉଛି । କିନ୍ତୁ କାର୍ଯ୍ୟକ୍ରମରେ ଓଡ଼ିଆ ଅସ୍ମିତାକୁ ଯୋଡିବାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ଆରମ୍ଭ ହୋଇଛି । ଓଡ଼ିଆ ଅସ୍ମିତା ନାରା ଦେଇ ବିଜେପି ରାଜ୍ୟରେ ଶାସନକୁ ଆସିଥିବା ବେଳେ ଓଡ଼ିଆ ଭାଷା, ଓଡ଼ିଶାର ସୀମା ସହ ଅନ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ କାମ କରିବା ବଦଳରେ ଓଡ଼ିଆ ଅସ୍ମିତାର ପ୍ରଚାରରେ ଲାଗି ପଡିଛି । ଏଥିରୁ ଛାତ୍ରଛାତ୍ରୀ ମଧ୍ୟ ବାଦ ପଡ଼ିନାହାନ୍ତି । ଓଡ଼ିଆ ଅସ୍ମିତା ଆଳରେ ଛାତ୍ରଛାତ୍ରୀଙ୍କୁ ଛନ୍ଦି ନିଜର ରାଜନୈତିକ ଅଭିସନ୍ଧି ପୂରଣ କରିବାକୁ ଲାଗି ପଡିଛି, ଯାହା ଆଦୌ ଉଚିତ ନୁହେଁ ବୋଲି କହିଛନ୍ତି ଶିକ୍ଷାବିତ ଓ ଓଡ଼ିଆ ଅସ୍ମିତା ପରିଷଦ । ଓଡ଼ିଆ ଭାଷାର ବହୁଳ ବ୍ୟବହାର ତଥା ଜାତୀୟ ଶିକ୍ଷା ନୀତିରେ ଓଡ଼ିଆର ବ୍ୟାପକ ବ୍ୟବହାର ନେଇ ଉଦ୍ୟମ କରାଯାଉ ବୋଲି ଦାବି ହୋଇଛି । ସେପଟେ ଓଡିଶା ଅଭିଭାବକ ମହାସଂଘ ମଧ୍ୟ ଓଡ଼ିଆ ଅସ୍ମିତା ନାଁରେ ସ୍କୁଲ କଲେଜରେ ରାଜନୀତିକରଣକୁ ବିରୋଧ କରିଛି ।

