spot_img
Home Blog Page 1358

ଝାଡ଼ଖଣ୍ଡ ଓ ଛତିଶଗଡ଼ ପାଇଁ ଓଡ଼ିଶାର କ୍ଷତି : ଆଗେଇ ପାରୁନି ଖଡ଼ଖାଇ ମଧ୍ୟମ ଜଳସେଚନ ପ୍ରକଳ୍ପ କାମ

ଭୁବନେଶ୍ବର : ଡବଲ ଇଂଜିନ ସରକାରରେ ଓଡ଼ିଶାକୁ ଡବଲ ଝଟକା। ଦୁଇ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ଛତିଶଗଡ଼ ପାଇଁ ଓଡ଼ିଶାର କ୍ଷତି। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଜଳସେଚନ ଡିଭିଜନର ପ୍ରସ୍ତାବିତ ଖଡ଼ଖାଇ ମଧ୍ୟମ ଜଳସେଚନ ପ୍ରକଳ୍ପକୁ ନେଇ ବିବାଦ। ଏହି ପ୍ରକଳ୍ପ କରିବାକୁ ସବୁ ପ୍ରକାର ଚେଷ୍ଟା କରିଥିଲେ ତତ୍କାଳୀନ ନବୀନ ପଟ୍ଟନାୟକ ସରକାର। ଦରକାର ହେଉଥିବା ସମସ୍ତ କାଗଜପତ୍ର କେନ୍ଦ୍ରୀୟ ଜଳ କମଶନଙ୍କୁ ପଠାଇଥିଲେ। କିନ୍ତୁ ଏ ସଂପର୍କିତ ଫାଇଲକୁ ଚାପି ରଖିଛନ୍ତି ଦୁଇ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡ। ସେଥିପାଇଁ ପ୍ରକଳ୍ପ କଥା ଆଉ ଆଗେଇ ପାରିନାହିଁ। କେନ୍ଦ୍ରୀୟ ଜଳ କମିଶନଙ୍କ ଭୂମିକା ବି ସନ୍ଦେହ ଘେରକୁ ଆସିଛି। ହେଲେ ଏହାକୁ ନେଇ ଡବଲ୍ ଇଂଜିନ ସରକାର ଚୁପ୍।

ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାରରେ ଜଳଶକ୍ତି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଥିଲେ ବିଶ୍ଵେଶ୍ଵର ଟୁଡୁ। ସେତେବେଳେ ସେ ମୟୂରଭଂଜର ସାଂସଦ ବି ଥିଲେ। ଅର୍ଥାତ୍ ଯେଉଁ ମୟୂରଭଂଜବାସୀ ତାଙ୍କୁ ନିଜର ପ୍ରତିନିଧି କରି ଦିଲ୍ଲୀ ଦରବାରକୁ ପଠାଇଥିଲେ, ସେହି ମଯୂରଭଂଜବାସୀଙ୍କୁ ପଟି ମାରିଦେଲେ ବିଶ୍ଵେଶ୍ଵର ଟୁଡୁ। ଖଡ଼ଖାଇ ପ୍ରକଳ୍ପକୁ ସାକାର କରିବାକୁ କିଛି କଲେନି। ଖଡ଼ଖାଇ ପ୍ରକଳ୍ପ ହୋଇଥିଲେ ମୟୂରଭଂଜ ରାଇରଙ୍ଗପୁର ଅଞ୍ଚଳର ପ୍ରାୟ ୫୪୦୦ ହେକ୍ଟର ଜମି ଜଳସେଚିତ ହୋଇପାରିଥାନ୍ତା। ଖଡ଼ଖାଇ ପାଇଁ ଖର୍ଚ୍ଚ ହୋଇଥାନ୍ତା ପ୍ରାୟ ୩୭୭ କୋଟି ଟଙ୍କା। ଏବେ ବି ଓଡ଼ିଶାର ୮ ଟି  ମଧ୍ୟମ ଓ ବୃହତ ବହୁମୁଖି ଜଳସେଚନ ପ୍ରକଳ୍ପର ପ୍ରସ୍ତାବ କେନ୍ଦ୍ରୀୟ ଜଳ କମିଶନ ନିକଟରେ ପଡ଼ି ରହିଛି। ଯଦି ଏ ସବୁ ପ୍ରକଳ୍ପ ନିର୍ମାଣ ହୋଇପାରନ୍ତା, ରାଜ୍ୟର ୧ଲକ୍ଷ ୮ ହଜାର ୫୧ ହେକ୍ଟର ଜମିକୁ ପାଣି ମାଡ଼ନ୍ତା। ଖର୍ଚ୍ଚ ହୁଅନ୍ତା ୭ ହଜାର ୬୪୭ କୋଟି ଟଙ୍କା। ଲକ୍ଷ ଲକ୍ଷ ଚାଷୀ ଉପକୃତ ହୁଅନ୍ତେ।

ପଡ଼ି ରହିଥିବା ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପ ହେବା ଦ୍ଵାରା ଲୋକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସନ୍ତା । କିନ୍ତୁ ରାଜନୈତିକ କାରଣରୁ ଏହି ପ୍ରକଳ୍ପ କାମ ଆଗକୁ ବଢୁ ନାହିଁ ବୋଲି ଅଭିଯୋଗ ହୋଇଛି। ପ୍ରୋଜେକ୍ଟ ଖର୍ଚ୍ଚ ମଧ୍ୟ ବଢୁଛି। ବଡ଼ କଥା ହେଲା ରାଜ୍ୟର ଚାଷୀଙ୍କ ସ୍ଵାର୍ଥକୁ ବଳି ଚଢ଼ାଇ ଦେଇ ନିଘୋଡ଼ ନିଦରେ ଶୋଇଛନ୍ତି ଡବଲ୍ ଇଂଜିନ ସରକାର।

ଧିମେଇ ଗଲାଣି ବିଧାୟକଙ୍କ କ୍ବାର୍ଟର୍ସ ନିର୍ମାଣ କାମ

ଭୁବନେଶ୍ବର : ବଦଳିଲା ସରକାର, ଧିମେଇ ଗଲା ବିକାଶ କାମ । ଗାଁରୁ ସହର ଯାଏ ବିଭିନ୍ନ ବିକାଶମୂଳକ କାମ ସଂପୂର୍ଣ୍ଣ ଠପ। ଏଥିରୁ ବାଦ ପଡ଼ିନାହିଁ ରାଜଧାନୀରେ ବିଧାୟକଙ୍କ ପାଇଁ ନିର୍ମାଣ ହେଉଥିବା ଅତ୍ୟାଧୁନିକ ଆପାର୍ଟମେଣ୍ଟ । ୨୦୨୫ ଶେଷ ସୁଦ୍ଧା ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ରହିଥିଲା। ପୂର୍ବ ସରକାର ସମୟରୁ ଆରମ୍ଭ ହୋଇଥିବା ଏହି କାମ ଏବେ ଧୀମେଇ ଗଲାଣି। ବିଧାନସଭାରେ ବାଚସ୍ପତି ସୁରୁମା ପାଢୀ ବିଧାୟକଙ୍କ କ୍ବାର୍ଟର କାର୍ଯ୍ୟର ମନ୍ଥରତା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅତ୍ୟାଧୁନିକ ଆପାର୍ଟମେଣ୍ଟ କାର୍ଯ୍ୟର କିପରି ଅଗ୍ରଗତି ହେବ, ସେନେଇ ବାଚସ୍ପତି ଚିନ୍ତା ପକଟ କରିଛନ୍ତି । ଅନ୍ୟପଟେ ବହୁ ବିଧାୟକ କ୍ବାର୍ଟର ପାଇନଥିବାରୁ ଅସୁବିଧାରେ ରହୁଛନ୍ତି । ତେଣୁ ଯେଉଁ ବିଧାୟକଙ୍କ ପାଇଁ କ୍ବାର୍ଟର ବ୍ୟବସ୍ଥା ହୋଇନାହିଁ ବା କ୍ବାର୍ଟର ପାଇନାହାନ୍ତି ସେମାନେ ମାସକୁ ୩୦ ହଜାର ଟଙ୍କା ପାଇବେ ବୋଲି କହିଛନ୍ତି ବାଚସ୍ପତି।

ବିଧାୟକଙ୍କ କ୍ବାର୍ଟର କାମ ମନ୍ଥର ଗତିରେ ଚାଲିଥିବାରୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେଡି। ବିଧାୟକ ସାରଦା ଜେନା ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠୁ ଠପ୍ ହୋଇଛି ବିକାଶମୂଳକ କାର୍ଯ୍ୟ। ବାଚସ୍ପତି ବି ଜଣେ ଜନ ପ୍ରତିନିଧି। ତେଣୁ ସେ ଯାହା ଅନୁଭବ କଲେ ତାହା କହିଲେ। ବିଜେପି ସରକାର କେବଳ ଭାଷଣବାଜିରେ ଚାଲିଛି ବୋଲି କଟାକ୍ଷ କରିଛି ବିଜେଡି। ଅନ୍ୟପଟେ ବିଜେଡି ସହ ସ୍ବର ମିଳାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ବିଜେଡି ସରକାରରେ ଆରମ୍ଭ ହୋଇଥିଲା ବିଧାୟକଙ୍କ କ୍ବାର୍ଟର କାମ। ହେଲେ ସରକାର ବଦଳିବା ପରେ ଏହା ୨୦୨୯ ସୁଦ୍ଧା ବି ସରିବନି ବୋଲି କହିଛି କଂଗ୍ରେସ। ବିଜେପି କିନ୍ତୁ ଏ ପ୍ରସଙ୍ଗରେ ମାପିଚୁପି ବୟାନ ଦେଇଛି ।  ବିଜେପି ସରକାର ଗଠନକୁ ୫ ମାସ ବିତିଲାଣି। ରଙ୍ଗ ବଦଳା ଓ ଯୋଜନାର ନାଁ ପରିବର୍ତ୍ତନରେ ମାତିଛନ୍ତି ସରକାର। ତେବେ କାହା ଚାପରେ ବିଧାୟକଙ୍କ ପାଇଁ ବହୁତଳ ଆପାର୍ଟମେଣ୍ଟ କାମ ମନ୍ଥର ହୋଇଛି, ତାକୁ ନେଇ ଉଠିଛି ପ୍ରଶ୍ନ । ଅନ୍ୟପଟେ ଘର ଖଣ୍ଡେ ନପାଇ ବିଧାୟକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ବାଚସ୍ପତିଙ୍କ ଠାରୁ ଆରମ୍ଭ କରି ବିଧାୟକମାନେ ଅସନ୍ତୋଷ ପ୍ରକାଶ କରିବା ପରେ ସରକାରଙ୍କ ଉପରେ ବଢ଼ିଛି ଚାପ ।

ଟାକୁଆ ଟ୍ରାଜେଡି : ‘କାହିଁକି ମୁଖ୍ଯମନ୍ତ୍ରୀ, ଯୋଗାଣ ମନ୍ତ୍ରୀ, ସ୍ବାସ୍ଥ୍ଯମନ୍ତ୍ରୀ ଯାଇ ନାହାଁନ୍ତି ମାଣ୍ଡିପଙ୍କା ?’

ଭୁବନେଶ୍ବର : ଆମ୍ବ ଟାକୁଆ ଜାଉ ଖାଇ ମୃତ୍ଯୁ ଘଟଣାରେ ତେଜିଲା ପ୍ରତିବାଦ । ଚାଉଳ ଦିଆଯାଇଥିବା କହି ଘୋଷି ହେଉଥିବା ରାଜ୍ଯ ସରକାରଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି ବାମଦଳ । ସିପିଆଇ, ସିପିଆଇଏମ, ସିପିଆଇଏମ୍ଏଲ୍ ଓ ଅଲ ଇଣ୍ଡିଆ ଫରୱାର୍ଡ ବ୍ଳକ୍ ପିଏମଜିରେ କରିଛନ୍ତି ପ୍ରତିବାଦ । ଘଟଣାକୁ ଏତେ ଦିନ ବିତିଥିବାବେଳେ ସରକାର କିନ୍ତୁ ଆରଡିସି ତଦନ୍ତ କହିଦେଇ ଚୁପ । ଏହାକୁ ନେଇ ବର୍ଷିଛନ୍ତି ବାମ ଦଳ । ସାଥ ଦେଇଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ଏଯାଏଁ କାହିଁକି ଘଟଣା ସ୍ଥଳକୁ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଓ ଯୋଗଣ ମନ୍ତ୍ରୀ ଯାଇ ନାହାଁନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ଓ ବିଜେଡି । ଓଡ଼ିଶାରେ ଆଦିବାସୀମାନେ ଖାଦ୍ୟ ନପାଇ ଆମ୍ବ ଟାକୁଆ ଖାଇବା ମୃତ୍ୟୁ ବରଣ କରିବା ଓଡ଼ିଶାକୁ ନିନ୍ଦିତ କରିଛି l ହେଲେ ଟାକୁଆ ଜାଉ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ କହି ବିଜେପି ନେତା ଓ ମନ୍ତ୍ରୀମାନେ ଉପହାସ କରିବାରେ ବ୍ୟସ୍ତ । ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ, ଭାରତର ରାଷ୍ଟ୍ରପତି ବି ଓଡ଼ିଶାର ଜଣେ ଆଦିବାସୀ ମହିଳା । ଏପରି ସ୍ଥିତିରେ ସେମାନେ ଆମ୍ବ ଟାକୁଆ ଜାଉ ଖାଆନ୍ତି କି ବୋଲି ପ୍ରଶ୍ନ ଉଠିଛି । ଚାଉଳ ନ ମିଳିବାରୁ ସେମାନେ ଆମ୍ବ ଟାକୁଆ ଖାଇଲେ । ହେଲେ ସରକାର ଏହି ସମ୍ବେଦନଶୀଳ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ଚାଉଳ ବଣ୍ଟନ ଠିକ ଭାବେ ହୋଇଥିଲେ, ଦୁଇଟି ଜୀବନ ଯାଇ ନଥାନ୍ତା । ଖାଦ୍ୟ ବଣ୍ଟନ ପ୍ରକ୍ରିୟାରେ ଆରଡିସି ଓ ଜିଲ୍ଲାପାଳ ବି ସଂପୃକ୍ତ ଥିବାରୁ ଆରଡିସି ସ୍ତରୀୟ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତ ବିରୋଧୀ ।

ସେପଟେ ଏଭଳି ଦୁର୍ଭାଗ୍ୟଜନକ ଘଟଣାର ପ୍ରତିବାଦରେ ଆଜି ସକାଳେ ବାମପନ୍ଥୀ ଦଳଗୁଡିକ ଗଣଧାରଣା ଦେଇଥିଲେ । ପ୍ରତିବାଦ ସଭାକୁ ବିଜେଡି ବି ସମର୍ଥନ ଜଣାଇ ପୂର୍ବତନ ଅର୍ଥ ମନ୍ତ୍ରୀ ଶଶୀ ବେହେରାଙ୍କୁ ପଠାଇଥିଲା । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବି ଯୋଗ ଦେଇଥିଲେ । ପାଞ୍ଚ ମାସରେ ହିଁ ସବୁ କ୍ଷେତ୍ରରେ ବିଫଳ ରାଜ୍ୟ ସରକାର । ନବୀନ ସରକାରଙ୍କ ଖାଦ୍ଯ ସୁରକ୍ଷା ଯୋଜନାକୁ ନୂଆ ସରକାର ଖିଲାଫ କରିଥିବାରୁ ଦୁଇ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ । ଇକେଓ୍ବାଇସି ନାଁରେ ଭୂତ ହିତାଧିକାରୀ କହି ରାଜ୍ୟ ସରକାର ରାସନ କାର୍ଡ କାଟି ଚାଲିଲେ । ସେଥିପାଇଁ ଅନେକ ଲୋକ ଚାଉଳ ପାଉ ନଥିବା କଂଗ୍ରେସ ଅଭିଯୋଗ କରିଛି । ଦିନେ ଭୋକର ଭୂଗୋଳର କଳଙ୍କ ମୁଣ୍ଡାଉଥିଲା ଅଭାବୀ ଓଡ଼ିଶା । ହେଲେ ନବୀନ ଆସି ସମସ୍ତଙ୍କ ଲାଗି ଖାଦ୍ଯ ସୁନିଶ୍ଚିତ କରିଥିଲେ । ହେଲେ ଶାସନକୁ ଆସୁ ଆସୁ ଖାଦ୍ୟ ଅଭାବ ସୃଷ୍ଟି କରିଥିବା ରାଜ୍ୟ ସରକାର ଓଡ଼ିଶାକୁ ପୁଣି ଥରେ ଭୋକର ଭୂଗୋଳକୁ ଠେଲି ଦେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଖସିଲା ସେୟାର ବଜାର, ନିବେଶକଙ୍କ ମୁଣ୍ଡରେ ଚଡ଼କ

ନନ୍ଦିଘୋଷ ବ୍ୟୁରୋ : ନିବେଶକଙ୍କ ମୁଣ୍ଡରେ ଚଡ଼କ । ଲଗାତର ୫ ଟି ସେସନରେ ଚାଲିଛି ଭାରତୀୟ ମାର୍କେଟ। ୫ ଟ୍ରେଡିଂ ସେସନରେ ନିବେଶକଙ୍କ ୨୩ ଲକ୍ଷ କୋଟି ଟଙ୍କା ଗୋଲ୍ ହୋଇଗଲାଣି। ଏଥିରୁ ଜାଣି ହେଉଥିବା ମାର୍କେଟର ସ୍ଥିତି। ଆଜି ଦିନକରେ ଉଡ଼ି ଯାଇଛି ୬ ଲକ୍ଷ ୮୦ ହଜାରର କୋଟି ଟଙ୍କା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ଆଜି ୯ ଶହ ପଏଣ୍ଟରୁ ଅଧିକ ହ୍ରାସ ପାଇ ଦୀର୍ଘଦିନ ପରେ ୭୮ ହଜାର ତଳକୁ ଆସିଛି। କାରବାର ଶେଷବେଳକୁ ସେନସେକ୍ସ ୧.୨୫ ପ୍ରତିଶତ ହ୍ରାସ ପାଇ ୭୭,୬୯୦ ପଏଣ୍ଟରେ କ୍ଲୋଜ୍ ହୋଇଛି। ସେହିପରି ନିଫଟି-ଫିଫଟିରେ ମଧ୍ୟ ବଡ଼ ଧରଣର ଫଲ୍ ଦେଖିବାକୁ ମିଳିଛି। ନିଫଟି ୩୨୪ ପଏଣ୍ଟର ହ୍ରାସ ସହିତ ୨୩,୫୫୯ ପଏଣ୍ଟରେ କ୍ଲୋଜ୍ ହୋଇଛି। ବ୍ୟାଙ୍କ ନିଫଟିରେ ୯୦୦ ପଏଣ୍ଟର ହ୍ରାସ ହୋଇଥିବା ବେଳେ ମିଡ୍ କ୍ୟାପ୍ ଓ ସ୍ମଲ୍ କ୍ୟାପ୍ ସେଗମେଣ୍ଟରେ ୨.୫ ପ୍ରତିଶତର ହ୍ରାସ ପରିଲକ୍ଷିତ ହୋଇଛି। ୪ଟି ପ୍ରମୁଖ କାରଣ ପାଇଁ ମାର୍କେଟରେ ଏତେ ବଡ଼ ହ୍ରାସ ହୋଇଛି। ବିଭିନ୍ନ ଭାରତୀୟ କଂପାନୀର ଦ୍ଵିତୀୟ କ୍ଵାଟରରେ ରେଜଲ୍ଟ ଖରାପ ଆସିଛି। ଆମେରିକାରେ ନୂଆ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଡଲାରର ମୂଲ୍ୟ ଟଙ୍କା ତୁଳନାରେ ବଢିବାରେ ଲାଗିଛି। ଦିନକୁ ଦିନ ଟଙ୍କା ଦୁର୍ବଳ ହେବାରେ ଲାଗିଛି। ଗତକାଲି ଭାରତର ଅକ୍ଟୋବରର ମୁଦ୍ରାସ୍ଫିତି ରିପୋର୍ଟ ପ୍ରକାଶ ପାଇଥିଲା। ଏହା ୧୪ ମାସରେ ସର୍ବାଧିକ ୬.୨୧ ପ୍ରତିଶତ ରହିଥିଲା। ବିଦେଶୀ ନିବେଶକ ବା FII ଲଗତାର ଭାରତୀୟ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି। ନଭେମ୍ବର ମାସରେ FII ୨୫ ହଜାର କୋଟିର ପୁଞ୍ଜି ପ୍ରତ୍ୟାହାର କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗତ ୩ ମାସରେ ୨ ଲକ୍ଷ ୭୯ ହଜାର କୋଟିର ପୁଞ୍ଜି ସେମାନେ ପ୍ରତ୍ୟାହାର କରିଛନ୍ତି। ଆଜି ଆଇଟି, PSU, ବ୍ୟାଙ୍କି, ପାୱାର, ଅଟୋମୋବାଇଲ୍, ମିଡିଆ, ମେଟାଲ୍, ଫାର୍ମା ପ୍ରଭୃତି ସେକ୍ଟରରେ ଫଲ୍ ଦେଖିବାକୁ ମିଳିଛି। ହିରୋ ମୋଟର କର୍ପୋରେସନ୍, ହିଣ୍ଡାଲକୋ, ଆଇଚର ମୋଟର୍ସ, ଟାଟା ଷ୍ଟିଲ, ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା ପ୍ରଭୃତି କଂପାନୀର ସେୟାର ୪ରୁ ୫ ପ୍ରତିଶର ପର୍ଯ୍ୟନ୍ତ ହ୍ରାସ ପାଇଛନ୍ତି।

୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର

ଭୁବନେଶ୍ବର : ୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର । ଏଥିରେ ୫ଟି ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନାରେ ୫ବର୍ଷରେ ଖର୍ଚ୍ଚ ହେବ ୧୦୩୧ କୋଟି । ୩ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ । ୫ଲକ୍ଷ ଅଣ୍ଡା ପ୍ରତିଦିନ ଉତ୍ପାଦନ ହେବ । ୯୫.୫୮ ମେଟ୍ରିକ ଟନ କୁକୁଡ଼ା ମାଂସ ଉତ୍ପାଦନ ହେବ । ମତ୍ସ୍ୟ କ୍ଷେତ୍ରରେ ଭିତ୍ତିଭୂମି ସୃଦୁଢ ପାଇଁ ୩ ବର୍ଷ ପାଇଁ ୪୪୯ କୋଟି ଟଙ୍କା ଖର୍ଚ୍ଚ ହେବ । ଗୋମାତା ନାଁରେ ଯୋଜନା  ଆସିବ । ୩ ବର୍ଷ ପାଇଁ ୩୪୨ କୋଟି ଟଙ୍କା ଖର୍ଚ୍ଚ ହେବ । ବାର୍ଷିକ ୨.୫ କୋଟି ଭ୍ୟାକ୍ସିନ, ୧.୩୦ କୋଟି ପ୍ରାଣୀଧନ ଚିକିତ୍ସା କରାଯିବ ବୋଲି କ୍ଯାବିନେଟରେ ନିଷ୍ପତ୍ତି ହୋଇଛି । ଜଳ ସମ୍ପଦ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମରେ ୯୬୫୨ କୋଟି ବ୍ୟୟବରାଦକୁ କ୍ୟାବିନେଟ ଅନୁମୋଦନ କରିଛି । ଏହି କାର୍ଯ୍ୟକ୍ରମରେ ୬୪୩୫ ହେକ୍ଟର ସେଚ ଅଞ୍ଚଳ ଏବଂ ୧ଲକ୍ଷ ୫୮ହଜାର ହେକ୍ଟର ଅତିରିକ୍ତ ସେଚ ଜଳ ସୃଷ୍ଟି କରାଯିବ । ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଧେୟକ-୨୦୨୪ ପ୍ରଣୟନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । କୌଣସି ସରକାରୀ ପରୀକ୍ଷା ପ୍ରକ୍ରିୟାରେ ବ୍ୟାଘାତ କିମ୍ବା ଚଞ୍ଚକତା କଲେ ରହିବ ଦଣ୍ଡ ବିଧାନ । ୩ ରୁ ୫ ବର୍ଷ ଜେଲ ସହ ୧୦ ଲକ୍ଷ ଜୋରିମାନା ରାଶି ଦେବାକୁ ହେବ । ସେବା ପ୍ରଦାନକାରୀକୁ ୧ କୋଟି ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ।

ଶ୍ରୀଜୀଉଙ୍କ ବାଙ୍କଚୂଡ଼ା ବେଶ ଦର୍ଶନ କରି ପୁଣ୍ୟ ଅର୍ଜନ କରିଛନ୍ତି ଅଗଣିତ ଶ୍ରଦ୍ଧାଳୁ

ପୁରୀ : ମହାପ୍ରଭୁଙ୍କ ବାଙ୍କଚୂଡା ବେଶ । ଦୁର୍ଲଭ ବେଶ ଦର୍ଶନ କରି ଭକ୍ତ ଭଗବାନ ଏକାକାର । କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତଥା ଆଜି ପଞ୍ଚୁକର ଦ୍ୱିତୀୟ ଦିନରେ ମହାପ୍ରଭୁ ବାଙ୍କଚୂଡ଼ା ବେଶରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ଖୁଣ୍ଟିଆ, ମେକାପ ଓ ପୁଷ୍ପାଳକ ସେବାୟତ ମାନେ ଶ୍ରୀଜୀଉଙ୍କୁ ଏହି ଦୁର୍ଲଭ ବେଶରେ ସଜ୍ଜିତ କରିଥିଲେ । କିମ୍ବଦନ୍ତୀ ଅନୁଯାୟୀ, ଭକ୍ତ ଅକୃର ଶ୍ରୀକୃଷ୍ଣଙ୍କୁ ମଥୁରା ନେବା ପାଇଁ ଗୋପପୁରକୁ ଆସି ଏହି ବେଶ ଦର୍ଶନ କରିଥିଲେ। ଏଣୁ ଏହାର ସ୍ମୃତି ସ୍ୱରୁପ ଏହି ବେଶ ପଞ୍ଚୁକର ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହେଉଛି। ଏହି ବେଶରେ ମହାପ୍ରଭୁଙ୍କର ମସ୍ତକର ଦକ୍ଷିଣ ପାର୍ଶ୍ୱରେ ସୁନା କିଆ ଶୋଭା ପାଇଥାଏ । ବାଙ୍କଚୂଡ଼ା ବେଶ ଦର୍ଶନରେ ଅଶେଷ ପୁଣ୍ୟ ମିଳେ ବୋଲି ବିଶ୍ୱାସ ଥିବାରୁ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରିଛନ୍ତି।

ପଞ୍ଚୁକ ବ୍ରତର ଦ୍ୱିତୀୟ ଦିନରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁ ଓ ହବିଷ୍ୟାଳିଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ନୀତି କାନ୍ତିକୁ ତ୍ୱରାନ୍ୱିତ କରାଯାଇ ମହାପ୍ରଭୁଙ୍କର ବେଶ ଅନୁଷ୍ଠିତ କରାଯିବା ସହ ଶୃଙ୍ଖଳିତ ଦର୍ଶନ ନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଧ୍ୟାନ ଦିଆଯାଇଛି  । ତେବେ ଗତକାଲି ପଞ୍ଚକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନେକ ବିଶେଷ ନୀତି ଅନୁଷ୍ଠିତ ହୋଇଥିବାରୁ ରାତ୍ର ପହୁଡ଼ କରାଯାଇପାରିନଥିଲା । ତେବେ ଆଜି ମହାପ୍ରଭୁଙ୍କ  ସମସ୍ତ ନୀତିକାନ୍ତି ସୂଚାର ରୂପେ କରାଯାଇ  ପହୁଡ଼ ନୀତି ଅନୁଷ୍ଠିତ ହେବ । ସେନେଇ ସେବାୟତ ମାନେ ତତ୍ପର ରହିଛନ୍ତି  । ଧର୍ମ ମାସରେ ଧାର୍ମିକ ପୁଣ୍ୟ ନେଇ ଶ୍ରୀକ୍ଷେତ୍ରରେ ପ୍ରବଳ ଲାଗିରହିଥିବା ବେଳେ ଆଜି ଶ୍ରୀମନ୍ଦିରରେ ଗରୁଡ଼ ଉତ୍ଥାପନ ନୀତି ମଧ୍ୟ ଅନୁଷ୍ଠିତ ହୋଇଥିବା ଜଣାପଡିଛି  । ଆସନ୍ତାକାଲି ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ଗତ କାଲି ପ୍ରଶାସନିକ ଅବ୍ୟବସ୍ଥାରୁ ଭକ୍ତ ମାନେ ଠେଲା ପେଲା ହୋଇଥିବା ସ୍ଥାନରେ ପ୍ରଶାସନ ପକ୍ଷରୁ ସିସିଟିଭି ଲଗାଯାଇଥିବା ଦେଖିବାକୁ ମିଳିଛି ।

ଏକାମ୍ର କ୍ଷେତ୍ରରେ ବଭିନ୍ନ ବେଶରେ ଦର୍ଶନ ଦେଇଛନ୍ତି ଶ୍ରୀଜିଉ

ଭୁବନେଶ୍ବର : ମହାକାର୍ତ୍ତିକରେ ମହାପ୍ରଭୁଙ୍କ ଅପାର କରୁଣା । ଶ୍ରୀକ୍ଷେତ୍ର ନୁହଁ ଏକାମ୍ର କ୍ଷେତ୍ରରେ ବଭିନ୍ନ ବେଶରେ ଦର୍ଶନ ଦେଇଛନ୍ତି ଶ୍ରୀଜିଉ । ଚତୁର୍ଦ୍ଧାମୁର୍ତ୍ତିଙ୍କ ୨୪ ଦୁର୍ଲ୍ଲଭ ବେଶ ଦର୍ଶନ କରି କୃତାର୍ଥ ଭକ୍ତ ।  ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳା ଦେଖି ସମସ୍ତେ ଭାବବିହ୍ଵଳ । ଭକ୍ତଙ୍କ ପାଇଁ ଏଭଳି ସୌଭାଗ୍ୟ ପ୍ରାପ୍ତିର ସୁଯୋଗ ଆଣିଦେଇଛି ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ କମିଟି। ଭୁବନେଶ୍ବର ନୟାପଲ୍ଲୀ କସ୍ତୁରବା ପଡିଆରେ ଚାଲିଥିବା ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ପ୍ରଦର୍ଶିତ ହୋଇଛି । ବଡ଼ପଉତ୍ତରୀ ବେଶରୁ ଆରମ୍ଭ କରି ପ୍ରତିଦିନ ବେଶ, ବଡ଼ ସିଂହାର ବେଶ, ଚନ୍ଦନ ଲାଗି, ଗଜାନନ, ସୁନା ବେଶ,ବଣ ଭୋଜି, କାଳିଆ ଦଳନ,ପ୍ରଲମ୍ବାସୁର ବଦ୍ଧ, କୃଷ୍ଣ ବଳରାମ ବେଶ, ବାମନ ବେଶ ସହ ଚାଚେରୀ ବେଶରେ ଦର୍ଶନ ଦେଉଛନ୍ତି ଭକ୍ତ । ସେହିପରି କାର୍ତ୍ତିକ ମାସରେ ପଡୁଥିବା ରାଧା ଦାମୋଦର ବେଶ, ହରିହର, ଲକ୍ଷ୍ମୀ ନାରାୟଣ, ବାଙ୍କଚୂଡ ବେଶ ସହିତ ଲକ୍ଷ୍ମୀ ନୃସିଂହ, ଶ୍ରାଦ୍ଧ ବେଶ, ଘୋଡଲାଗି, ପଦ୍ମ ବେଶ, ନବାଙ୍କ, ମକର ଚୌରଶି ବେଶ,ଗଜ ଉଦ୍ଧlରଣ ସହ ନାଗର୍ଜ୍ଜୁନ ବେଶ ଭକ୍ତଙ୍କୁ ଆକୃଷ୍ଟ କରିଛି। ଏହି କାର୍ଯ୍ୟକ୍ରମରେ ମହାପ୍ରଭୁଙ୍କ ୨୪ ବେଶ ସହ ୫୬ ଭୋଗ, ପାଟ ସେବକଙ୍କ ଦ୍ୱାରା ମହାପ୍ରଭୁଙ୍କ ପାଟବସ୍ତ୍ର ପ୍ରଦର୍ଶନ ଭକ୍ତଙ୍କ ଭକ୍ତି ଭାବନାକୁ ଦ୍ବିଗୁଣିତ କରିଥିଲା ।

ଗତ ୮ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଆଜି ଶେଷ ଦିବସ।  ଏହାରି ଭିତରେ ପ୍ରତ୍ୟେହ ଚାଲିଛି ବିଶ୍ୱ ଶାନ୍ତି ମହାଯଂଜ୍ଞ, ଭଜନ ସନ୍ଧ୍ୟା ଓ ପ୍ରବଚନ କାର୍ଯ୍ୟକ୍ରମ ।  ଜଗନ୍ନାଥ ସଂସ୍କୁତିର ସୁରକ୍ଷା ଓ ଭକ୍ତଙ୍କ ଭିତରେ ଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ମହୋତ୍ସବ ପ୍ରଥମ କରି ଏକାମ୍ର କ୍ଷେତ୍ରରେ ଆରମ୍ଭ କରାଯାଇଛି । ମହୋତ୍ସବରେ ପଞ୍ଚମ ସନ୍ଧ୍ୟାରେ ବହୁ ଭକ୍ତଙ୍କ ସମାଗମ ହୋଇ ଥିବା ବେଳେ ଆଜି ସନ୍ଧ୍ୟାରେ ଉଦଯାପିତ ହେବ ମହୋତ୍ସବ । ଏହା ସହ ବିଶ୍ୱ ଶାନ୍ତି ମହାଯଜ୍ଞର ହେବ ପୂର୍ଣ୍ଣାହୁତି ।

ଏମକେସିଜି ହସ୍ପିଟାଲରେ ଏବେ ଅନ୍ଧାର କରୁଛି ରାଜୁତି !

ବ୍ରହ୍ମପୁର : ଜୀବନ ଦୀପକୁ ଉର୍ଜା ଯୋଗାଉଥିବା ସ୍ଥାନରେ ଅନ୍ଧକାରର ରାଜୁତି । ଲୋକଙ୍କ ଭିତରେ ବଞ୍ଚିବାର ଆଶା ଦେଖାଉଥିବା ସ୍ଥାନ ନିଜ ଅସ୍ତିତ୍ବ ଖୋଜୁଛି । ପୂର୍ବରୁ ସ୍ବାସ୍ଥସେବାରେ ଇତିହାସ ସୃଷ୍ଟି କରିଥିବା ଏମକେସିଜି ହସ୍ପିଟାଲ ଏବେ ନିଜ ପରିଚୟ ହଜାଇବାକୁ ବସିଛି । ପ୍ରତିଟି ସମୟରେ ଚଳଚଞ୍ଚଳ ରହୁଥିବା ଏହି ଡାକ୍ତରଖାନାକୁ ସଂଧ୍ୟା ହେଲେ ଅନ୍ଧକାର ମାଡିଆସୁଛି । ଫଳରେ ରୋଗୀଙ୍କ ଠାରୁ ଆରମ୍ଭ କରି ରୋଗୀ ସଂପର୍କୀୟ ଅସୁବିଧାର ସମ୍ମୁଖୀନ ହେବା ସହ ଅସନ୍ତୋଷ ପ୍ରକାଶ କରୁଛନ୍ତି । MKCG ବଡ଼ ଡାକ୍ତରଖାନା ୧୫୦ ଏକର ଅଞ୍ଚଳରେ ରହିଛି। କ୍ୟାମ୍ପସକୁ ସଂପୂର୍ଣ୍ଣ ଆଲୋକୀକରଣ କରିବା ପାଇଁ ୧୬୦ରୁ ଅଧିକ ବିଦ୍ୟୁତ୍ ପୋଲ ରହିଥିବା ବେଳେ ଗତ କିଛି ଦିନ ଧରି ଅଧାରୁ ଅଧିକ ପୋଲରେ ଲାଇଟ୍ ଜଳୁନାହିଁ ।  ଫଳରେ ମେଡିକାଲ ପରିସର ଅନ୍ଧାରୁଆ ହୋଇଯାଉଥିବା ନେଇ ରୋଗୀଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି। ପ୍ରବେଶ ପଥ ଠାରୁ ଆଶୁଚିକିତ୍ସା ରାସ୍ତା ପ୍ରାୟତଃ ଅନ୍ଧକାର ରହୁଥିବା ବେଳେ କର୍କଟ ବିଭାଗ, ସେଣ୍ଟ୍ରାଲ ଆଇସିୟୁ, ସୁପର ସ୍ପେଶାଲିଟି ବ୍ଲକ ରାସ୍ତା ଅନ୍ଧାରୁଆ ରହିବା ଫଳରେ ରାତିରେ ଯାତାୟାତ କରିବା ବିପଦପୂର୍ଣ୍ଣ ରହୁଛି।

ଅନ୍ଧାରର ସୁଯୋଗ ନେଇ ନୂତନ ପ୍ରେକ୍ଷାଳୟ ରାସ୍ତାକଡ଼ରେ ଅସାମାଜିକଙ୍କ ଆଡ଼ା ଜମୁଛି । ରୋଗୀ, ଛାତ୍ରଛାତ୍ରୀ, କର୍ମଚାରୀ ଓ ରୋଗୀ ସଂର୍ପକୀୟ ଯାତାୟାତ କରୁଥିବା ରାସ୍ତାରେ ବାଇକ୍ ଚାଳକ ଆଖିବୁଜା ଗାଡ଼ି ଚଲାଉଥିବା ଯୋଗୁଁ ସମସ୍ୟା ସୃଷ୍ଟି ହେଉଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ମେଡିକାଲ କର୍ତ୍ତୃପକ୍ଷ ବିଭିନ୍ନ ବିଦ୍ୟୁତ୍ ପୋଲରେ ସିସି କ୍ୟାମେରା ଲଗାଇଥିବା ବେଳେ ସେଥିରୁ ଅଧିକାଂଶ କାମ କରୁନଥିବା ଅଭିଯୋଗ ହୋଇଛି । ଏଥିନେଇ ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ଅବଗତ ଥିଲେ ବି ଏଥିନେଇ ପଦକ୍ଷେପ ଗ୍ରହଣ କରୁନଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବ ସରକାର ମେଡିକାଲ ପରିସରର ସୁରକ୍ଷା ପାଇଁ ଗୁରୁତ୍ବ ଦେଇଥିବା ବେଳେ  ବର୍ତ୍ତମାନର ବିଜେପି ସରକାରଙ୍କ ଏଥିପ୍ରତି ନିଘା ନଥିବା ଅଭିଯୋଗ ହୋଇଛି । କିଛିଦିନ ତଳେ ସ୍ବାସ୍ଥ୍ୟମନ୍ତ୍ରୀ ଓ ମାଳ ମାଳ ନେତା ମେଡିକାଲ ଆସି ବୁଲିଥିବା ବେଳେ ଆଲୋକୀକରଣ ପାଇଁ କୌଣସି ପଦକ୍ଷେପ ନନେବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି ।

ଚାକିରି ଦେବା ନାଁରେ ଟଙ୍କା ଲୁଟିଛନ୍ତି ଦଲାଲ, ନେତାଙ୍କ ନାଁ ନେଇ ଲକ୍ଷ ଲକ୍ଷ ଟଙ୍କା ଚଳୁ

ଭୁବନେଶ୍ବର : ଚାକିରି ଦେବା ନାଁରେ ଦଲାଲ ଲୁଟିଛନ୍ତି ଟଙ୍କା । ନେତାଙ୍କ ନାଁ ନେଇ ଚଳୁ କରୁଛନ୍ତି ଲକ୍ଷ ଲକ୍ଷ । ସୁନ୍ଦରୀ ଯୁବତୀଙ୍କୁ ଅଫିସରେ ରଖି ପକାଉଛନ୍ତି ଜାଲ । ବେନାମୀ କନ୍ସଲଟାନ୍ସୀ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ। ମଞ୍ଚେଶ୍ୱର ସପ୍ତଶତୀ ବିହାରରେ ଥିବା  D2S କନ୍ସଲଟାନ୍ସୀରେ ୨ ଲକ୍ଷ ଟଙ୍କା ଦେଲେ ମିଳୁଥିଲା କଂସଲଟାନ୍ସୀ ଚାକିରି । ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗରେ ସଂସ୍ଥା ମୁଖ୍ୟ ଦେବବ୍ରତ ପଲେଇକୁ ଗତ ବର୍ଷ ଜୁନ ମାସରେ ଗିରଫ କରିଥିଲା ମଞ୍ଚେଶ୍ୱର ଥାନା ପୋଲିସ । ଜାମିନରୁ ଆସିବା ପରେ ବାବୁଙ୍କ କାଣ୍ଡ କାରନାମା ଶୁଣନ୍ତୁ । ମେଡିକାଲରେ ଲ୍ୟାବ ଆଟେଣ୍ଡାଣ୍ଟ ଚାକିରି କରାଇଦେବାକୁ କହି ୭ ଜଣଙ୍କ ଠାରୁ ଠକ ଲୁଟିଛି ଲକ୍ଷାଧିକ ଟଙ୍କା । ଟଙ୍କା ଦେବା ପରେ ଏବେ ଅଫିସ ନିକଟକୁ ଗଲା ବେଳକୁ ନାଁ ଅଛି ବୋର୍ଡ, ନାଁ ଅଛି ଦଲାଲ ଜଣଙ୍କ । ଅଫିସ ଛାଡି ସେ ଫେରାର । କାନମୁଣ୍ଡା ଆଉଁସି ଥାନାକୁ ଯାଇ ନ୍ୟାୟ ଭିକ୍ଷା କରିଛନ୍ତି ଠକେଇର ଶିକାର ଯୁବକ ।

ଗତବର୍ଷ ଗିରଫ ବେଳେ ପୋଲିସ ଜବତ କରିଥିଲା କିଛି ଡକ୍ୟୁମେଣ୍ଟ । କିଭଳି ନାମିଦାମୀ ସଂସ୍ଥାର ଲୋଗୋକୁ ବ୍ୟବହାର କରି ନିରୀହ ଲୋକଙ୍କୁ ଭୁଆଁ ବୁଲାଉଥିଲା ଦେବବ୍ରତ । ଆଉ ଠକେଇ ଟଙ୍କାରେ ଚଢୁଥିଲା ୨୦ ଲକ୍ଷର ଥାର ଓ ଦାମୀ ବାଇକ। ନିରୋଳା ମୁହୂର୍ତ୍ତରେ ସୋସିଆଲ ମିଡିଆରେ ବନାଉଥିଲା ରିଲସ । ଦିନରେ ଫାଇବ ଷ୍ଟାର ହୋଟେଲରେ ଖାଉଥିଲା ଆଉ ରାତି ହେଲେ ବାରରେ ଉଡାଉଥିଲା ପୁଳା ପୁଳା ଟଙ୍କା ।  ଗାର୍ଲପ୍ରେଣ୍ଡଙ୍କୁ ଦାମୀ ଗିଫ୍ଟ ବି ଦେଉଥିଲା ଲଭର ବୟ ଦେବବ୍ରତ ।  ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରୁ ଆସି ନେତା ମନ୍ତ୍ରୀଙ୍କ ନାଁ କହି ଉଚ୍ଚ ଶିକ୍ଷିତ ଯୁବକଙ୍କୁ ଚୂନା ଲଗାଉଥିବା ଦେବବ୍ରତ ବିରୋଧରେ ପୁଣି ଅଭିଯୋଗ ଆସିବା ପରେ ଠକେଇର ଶିକାର ଯୁବକ ତୁରନ୍ତ ଥାନାର ଦ୍ବାରସ୍ଥ ହେବାକୁ କହିଛନ୍ତି ଡିସିପି ।

ଓଲିଉଡ କଳି : ଗତକାଲି କଟକରେ ଅଭିଯୋଗ, ଆଜି ଭୁବନେଶ୍ବରରେ ଜବାବ

ଭୁବନେଶ୍ବର : ଓଲିଉଡ କଳିକୁ ନେଇ ଓଡ଼ିଶା ହୁଲସ୍ତୁଲ । ଗତକାଲି କଟକରେ ଅଭିଯୋଗ, ଆଜି ଭୁବନେଶ୍ବରରେ ଜବାବ। ଓଲିଉଡ ଡାଇରେକ୍ଟର ଆସୋସିଏସନ ସାଇବର ଥାନାରେ ଦେଇଥିବା ମାମଲା ନେଇ ମୁଁହ ଖୋଲିଛନ୍ତି ଅଭିନେତା ମନୋଜ ମିଶ୍ର । ଏ ପର୍ଯ୍ଯନ୍ତ ପୋଲିସ ପକ୍ଷରୁ କୌଣସି ସମନ ଆସିନାହିଁ ବୋଲି କହିଛନ୍ତି ମନୋଜ । ତେବେ ସେ କେବେ ବି ଓଡ଼ିଆ ପ୍ରଡ୍ଯୁସର ମାନଙ୍କୁ ନିନ୍ଦା କରିନାହାଁନ୍ତି, ଓଲିଉଡ଼ରେ ବି ବହୁତ ବିଜ୍ଞ ପ୍ରଡ୍ଯୁସର ଅଛିନ୍ତି । ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି କାହାର ପୈତୃକ ସମ୍ପତ୍ତି ନୁହଁ । ସମୟ ସହ ତାଳଦେଇ ଓଡ଼ିଆ ସିନେମା ଆଗକୁ ବଢୁନି, ତାହାହିଁ  ଦୁଃଖର ବିଷୟ । ଏଠି କାମ ଅପେକ୍ଷା ଅଧିକ ଷଡଯନ୍ତ୍ର ଚାଲିଛି । ବର୍ତ୍ତମାନ ମୁଖ୍ୟ ପ୍ରସଙ୍ଗ ହେଲା ଓଡ଼ିଆ ସିନେମା କିଭଳି ଟେକ୍ନିକାଲି ସାଉଣ୍ଡ ହେବ । ସେ ଦିଗରେ ସମସ୍ତେ ଧ୍ଯ୍ଯାନ ଦେବା ଦରକାର ବୋଲି ମନୋଜ କହିଛନ୍ତି  । ଓଡ଼ିଆ ସିନେମା ଦମନ, କର୍ମ ଭଳି ଅନେକ ଭଲ ଫିଲ୍ମ ଅଛି । ମୁଁ ଯଦି ଖରାପ କରେ ମୁଁ ଏହାକୁ ପ୍ରମୋଟ କରେନାହିଁ । ଏହି ଅବସରରେ ସେ ବବି ଇସଲାମ, ତାପସ ସରଘରିଆ, ସବ୍ଯସାଚୀ ମହାପାତ୍ର ପ୍ରମୁଖଙ୍କୁ ଟାର୍ଗେଟ କରିଛନ୍ତି ।

ମନୋଜ ମିଶ୍ରଙ୍କ ଅଭିଯୋଗ ଉପରେ ପୁଣି ଉତ୍ତର ରଖିଛନ୍ତି ନିର୍ଦ୍ଦେଶକ ସବ୍ଯସାଚୀ ମହାପାତ୍ର । ମନୋଜ ମିଶ୍ରଙ୍କୁ ସେ ଅପିଲ କରି କହିଛନ୍ତି ବାରମ୍ବାର ଅଭିଯୋଗରୁ ସେ କ୍ଷାନ୍ତ ରୁହନ୍ତୁ । ସେ ଗତ ଦିନ ମାନଙ୍କରେ ଓଡ଼ିଆ ସିନେମାକୁ ବହୁ ବିବାଦକୁ ଟାଣିଛନ୍ତି । ତେଣୁ ବର୍ତ୍ତମାନ ସମୟ ଆସିଛି ଏ ସବୁ ବିବାଦର ଆପୋଷ ସମାଧାନ ହେବା ଦରକାର । ମନୋଜ ମିଶ୍ର ବର୍ତ୍ତମାନ ସିନେମାର ବିକାଶ ପାଇଁ ଯାହା ସବୁ ପ୍ରସ୍ତାବ ଦେଉଛନ୍ତି ଗତ ୬ବର୍ଷ ଧରି ଆମେ ସରକାରଙ୍କ ନିକଟରେ ଦାବି ରଖି ଆସୁଛୁ ବୋଲି କହିଛନ୍ତି ସବ୍ୟସାଚୀ । ଗତ କିଛି ଦିନ ଧରି ଓଡ଼ିଆ ସିନେମାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେଉଛି । ଆରୋପ ପ୍ରତ୍ଯାରୋପ, ଅଭିଯୋଗ ପ୍ରତିଅଭିଯୋଗ ମଧ୍ଯରେ ଛନ୍ଦି ହୋଇପଡିଛି ଓଡ଼ିଆ ସିନେମା ଶିଳ୍ପ । କେଉଁଠି ରହିଲା ସମସ୍ୟା ତାହା ଏବେ ବଡ଼ ପ୍ରଶ୍ନ ହୋଇ ରହିଛି ।