spot_img
Home Blog Page 1481

ଓରେରାର ସଂଶୋଧିତ ବିଜ୍ଞପ୍ତିରେ କ୍ରେତାଙ୍କ ସୁରକ୍ଷାକୁ ଗୁରୁତ୍ବ, ବିଲ୍ଡରଙ୍କ ସମସ୍ୟା ଉପରେ ବି ନଜର

ଭୁବନେଶ୍ବର: ଆପାର୍ଟମେଣ୍ଟ କ୍ରେତାଙ୍କ ସ୍ବାର୍ଥ ସୁରକ୍ଷା ପାଇ ଓରେରା କର୍ତ୍ତୃପକ୍ଷ ଜୁଲାଇ ମାସର ବିଜ୍ଞପ୍ତିରେ ସଂଶୋଧନ କରିଛନ୍ତି । ସଂଶୋଧିତ ବିଜ୍ଞପ୍ତିରେ କ୍ରେତା ସଂଘକୁ ଅଧିକ ସଶକ୍ତ କରାଯାଇଛି । କେତ୍ରାଙ୍କ ସୁରକ୍ଷା ପାଇଁ ଲଢେଇ କରୁଥିବା ସଙ୍ଗଠନ ଏହାକୁ ସ୍ବାଗତ କରିଛନ୍ତି । ଏଥିରେ ବିଲ୍ଡର ବା ପ୍ରମୋଟରମାନଙ୍କ ସମସ୍ୟାକୁ ନଜର ରଖାଯାଇଛି । ରେରାର ସଂଶୋଧିତ ବିଜ୍ଞପ୍ତିକୁ ଉଭୟ କ୍ରେତା ଓ ବିକ୍ରେତା ସ୍ବାଗତ କରିଛନ୍ତି ।

ଆପାର୍ଟମେଣ୍ଟ ପ୍ରକଳ୍ପର ଭାଗ୍ୟ କ୍ରେତାଙ୍କ ହାତରେ । କ୍ରେତା ସଂଘ ଦେବ ପ୍ରୋଜେକ୍ଟ କମ୍ପ୍ଲିସନ୍ ସାର୍ଟିଫିକେଟ । କ୍ରେତା ହେଲେ ଅଧିକ ସଶକ୍ତ, ବିକ୍ରେତାଙ୍କୁ ବି ମିଳିଲା ରିହାତି । ଓରେରା ପକ୍ଷରୁ ସଂଶୋଧିତ ବିଜ୍ଞପ୍ତି ଜାରି । କୌଣସି ଆପାର୍ଟମେଣ୍ଟର କାମ ସରିଗଲେ ପ୍ରମୋଟରମାନଙ୍କୁ ୬ଟି ସର୍ତ୍ତ ପୂରଣ କରିବାକୁ ପଡୁଥିଲା । କମ୍ପ୍ଲିସନ୍ ସାର୍ଟିଫିକେଟ, ଅକ୍ୟୁପାନ୍ସି ସାର୍ଟିଫିକେଟ, କ୍ରେତା ସଂଘ ଗଠନ, ଲେ-ଆଉଟ ପ୍ଲାନ ସହ କମନ ଏରିଆ ସଂଘକୁ ହସ୍ତାନ୍ତର ପାଇଁ ଡିଡ ଦାଖଲ । ସମସ୍ତ ସର୍ତ୍ତ ପୂର୍ବ ଭଳି ଥିବା ବେଳେ ଏଣିକି କ୍ରେତା ସଂଘକୁ ପ୍ରମୋଟର ତରଫରୁ ସବୁ ମିଳିସାରିଛି ବୋଲି ସଂଘ ସାର୍ଟିଫିକେଟ ଦେବା ପରେ ହିଁ ପ୍ରମୋଟରଙ୍କୁ ମିଳିବ କମ୍ପ୍ଲିସନ ସାର୍ଟିଫିକେଟ । ଏହାଦ୍ବାରା ସବୁବେଳେ ଅପାର୍ଟମେଣ୍ଟ ମାଲିକମାନେ କରୁଥିବା ଅଭିଯୋଗ ଆଉ ରହିବ ନାହିଁ । ମାଲିକ ସଂଘ ହିଁ ସବୁ କିଛି ନିୟନ୍ତ୍ରଣ କରିବ । ଏହାକୁ କ୍ରେତାମାନେ ସ୍ବାଗତ କରିଛନ୍ତି ।

ରେରାର ସଂଶୋଧିକ ବିଜ୍ଞପ୍ତିରେ ପ୍ରମୋଟରମାନଙ୍କ ଲାଗି ମଧ୍ୟ ସୁବିଧା ଦିଆଯାଇଛି । ରେରା ଆଇନ ଅନୁସାରେ ଘର କିଣିବା ପାଇଁ କ୍ରେତା ଦେଉଥିବା ଅର୍ଥର ୭୦ ପ୍ରତିଶତ ଏକ ଅଲଗା ଆକାଉଣ୍ଟରେ ରହୁଥିଲା । ଏହି ଆକାଉଣ୍ଟରୁ ପ୍ରମୋଟର ପ୍ରକଳ୍ପ ପାଇଁ ଖର୍ଚ୍ଚ କରୁଥିଲା । ପ୍ରକଳ୍ପ ସରିବା ପରେ ଏହି ଆକାଉଣ୍ଟରେ ଥିବା ବଳକା ରାଶି ୫ ବର୍ଷ ପର୍ଯ୍ୟନ୍ତ ପ୍ରକଳ୍ପର ମରାମତି ପାଇଁ ରହୁଥିଲା । ହେଲେ ଅଧିକାଂଶ ପ୍ରମୋଟର ସବୁ ଅର୍ଥ ଖର୍ଚ୍ଚ ହୋଇଛି କହି ଏଥିରେ କିଛି କମା ରଖୁ ନଥିଲେ । ଯାହା ଫଳରେ ପ୍ରକଳ୍ପର ମରାମତି କାମ ପାଇଁ ହଇରାଣ ହେଉଥିଲେ ଆପାର୍ଟମେଣ୍ଟ ମାଲିକ । ଏଥିରେ ପରିବର୍ତ୍ତନ କରିଛି ରେରା । ପ୍ରକଳ୍ପ ଅଟକଳର ୧ ପ୍ରତିଶତ ଅର୍ଥ ପ୍ରମୋଟର ୫ ବର୍ଷ ପର୍ଯ୍ୟନ୍ତ ପ୍ରକଳ୍ପର ଓ୍ବାରେଣ୍ଟି ବାବଦରେ ରଖିବେ । ଏହି ଅର୍ଥରୁ କ୍ରେତା ସଂଘ ପ୍ରକଳ୍ପର ମେଣ୍ଟେନାନ୍ସ କରିପାରିବେ । ଏହା ପ୍ରମୋଟରମାନଙ୍କୁ ଆଶ୍ବସ୍ତ କରିଛି ।

ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ୨୦୨୩ରେ ସ୍ବତନ୍ତ୍ର ଭାବେ ଆପାର୍ଟମେଣ୍ଟ ଓନରସିପ୍ ଆକ୍ଟ ଆଣିଥିଲେ । ନୂଆ ବିଜ୍ଞପ୍ତିରେ ରେରା ଓ ଆପାର୍ଟମେଣ୍ଟ ଓନରସିପ ଆଇନ ମଧ୍ୟରେ ଉତ୍ତମ ସମନ୍ବୟ ରହିପାରିବ । ଏହାଦ୍ବାରା କ୍ରେତାଙ୍କ ସ୍ବାର୍ଥ ସୁରକ୍ଷା ଅଧିକ ହୋଇପାରିବ ।

ଓଡ଼ିଶାରେ ମହାନଦୀକୁ ମାରିଦେବକୁ ଛତିଶଗଡ଼ର ଷଡଯନ୍ତ୍ର, ଦୁଇ ସପ୍ତାହରେ ୩ ଫୁଟ କମିଲାଣି ଜଳସ୍ତର

ଭୁବନେଶ୍ବର: ଶୁଖିବାକୁ ବସିଲାଣି ଓଡ଼ିଶାର ଜୀବନରେଖା ମହାନଦୀ । ଲଗାତାର ଉପରମୁଣ୍ଡରୁ ମହାନଦୀରେ ପାଣି ଆସୁ ନଥିବାରୁ ହୀରାକୁଦ ଜଳଭଣ୍ଡାରରେ ଦେଖାଦେଲାଣି ଉତ୍କଟ ଜଳ ସମସ୍ୟା । ଦୁଇ ସପ୍ତାହକ ମଧ୍ୟରେ ମୋଟ ଜଳସ୍ତର ୩ ଫୁଟ କମିଲାଣି । ବିଜୁଳିଶକ୍ତି ଉତ୍ପାଦନ ଲାଗି କମ ପାଣି ବ୍ୟବହାର କରିବା ପାଇଁ ଓଏଚପିସିକୁ ଚିଠି ଲେଖି ଜଣାଇଛି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ । ଯେତେବେଳେ ବର୍ଷା କମି ଯାଇଛି ସେତେବେଳେ କଲମା ବ୍ଯାରେଜର ୬୦ ଗେଟକୁ ବନ୍ଦ କରିଦେଇଛି ଛତିଶଗଡ । ଫଳରେ ଏବେ ପାଣି ପାଇଁ ଡହଳବିକଳ ଓଡ଼ିଶାବାସୀ ।

ମହାନଦୀକୁ ନେଇ ଛତିଶଗଡ଼ କରୁଛି ସାଂଘାତିକ ଷଡ଼ଯନ୍ତ୍ର । ଓଡ଼ିଶାର ଜୀବନରେଖା ଭାବେ ପରିଚିତ ମହାନଦୀରେ ଶୁଖିଗଲାଣି ପାଣି । ଉପର ମୁଣ୍ଡରେ ପାଣି କମ ଆସୁଥିବାରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୧୨ ଦିନରେ ୩ ଫୁଟ କମିଛି । ଯାହାକୁ ନେଇ ଚିନ୍ତା ପ୍ରକଟ କଲେଣି ଓଡ଼ିଶାବାସୀ । କାରଣ, ଯଦି ମୌସୁମୀ ଯିବାର କିଛି ଦିନ ମଧ୍ୟରେ ଏଭଳି ଅବସ୍ଥା ତେବେ ଆଗକୁ ସ୍ଥିତି କ’ଣ ହେବ ? ଅକ୍ଟୋବର ପ୍ରଥମ ସପ୍ତାହରେ ଜଳସ୍ତର ୬୩୦ ଫୁଟ ଥିବାବେଳେ ବର୍ତ୍ତମାନ ୬୨୭ ଫୁଟକୁ ଖସି ଆସିଛି । ଜଳସ୍ତର ଖସିବା ପରେ ଓଏଚପିସିକୁ ଚିଠି ଲେଖିଛନ୍ତି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ।

ଏବେ ବର୍ଷା କମି ନଥିବା ବେଳେ ଛତିଶଗଡ଼ ଏଭଳି କାମ କଲାଣି । ଏମିତି ଯଦି ଚାଲେ  ଆଗକୁ ଓଡ଼ିଶା ଟିକିଏ ବି ପାଣି ପାଇବ ନାହିଁ, ତାହା ଏବେଠୁ ଜଳ ଜଳ ହୋଇ ଦିଶିଲାଣି । ଛତିଶଗଡ଼ର ଶେଷ ବ୍ଯାରେଜ କଲମାରେ ଏବେ କେବଳ ୬ଟି ଗେଟ୍ ଖୋଲା ଅଛି । ଯାହାକୁ ନେଇ ଓଡ଼ିଶାରେ ଅସନ୍ତୋଷ ପ୍ରକାଶ ପାଇଛି । କାରଣ ମହାନଦୀ ଟ୍ରିବ୍ୟୁନାଲ୍ ଯେତେବେଳେ ଛତିଶଗଡ ଯାଇଥିଲେ । ସେତେବେଳେ ଅକ୍ଟୋବର ମାସ ପର୍ଯ୍ୟନ୍ତ ପାଣି ଛାଡିବ ବୋଲି ନିଷ୍ପତ୍ତି ହୋଇଥିଲା । ହେଲେ ଛତିଶଗଡ଼ ଏବେଠାରୁ ପ୍ରାୟ ସମସ୍ତ ଗେଟ୍ ବନ୍ଦ କରି ଦେଇଥିବାରୁ ଏହାର ସିଧା ପ୍ରଭାବ ହୀରାକୁଦ ବନ୍ଧ ଉପରେ ପଡିଲାଣି ।

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି

ଭୁବନେଶ୍ବର: ଅକ୍ଟୋବରରେ ଓଡ଼ିଶାବାସୀକୁ ପୁଣି ଘାରିଛି ବାତ୍ୟା ଭୟ । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ‘ଦାନା’ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆଜି ରାତିରେ ଲଘୁଚାପ ସୃଷ୍ଟି ହୋଇ ୨୩ ତାରିଖ ସକାଳ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ନେବ ବାତ୍ୟାର ରୂପ । ୨୪ ତାରିଖରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ଆକଳନ କରିଛି ଆଇଏମଡି ।

ତେବେ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ରାଜୀବ ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଏସଆରସି ଦେଓରଞ୍ଜନ କୁମାର ସିଂ, ଉନ୍ନୟନ କମିଶନର ଅନୁ ଗର୍ଗ, କୃଷି ସଚିବ ଅରବିନ୍ଦ ପାଢ଼ୀ, ଫାୟାର ଡିଜି ସୁଧାଂଶୁ ଷଡ଼ଙ୍ଗୀ, ଲ ଆଣ୍ଡ ଅର୍ଡର୍ ଏଡିଜି ସଞ୍ଜୟ କୁମାର ଏବଂ ଭୁବନେଶ୍ବରରେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ।

ବୈଠକରେ ବାତ୍ଯା ନେଇ ସତର୍କତା ଜାରି କରାଯାଇଛି । ବାତ୍ୟା ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତଳିଆ ଅଞ୍ଚଳରେ ଲଗାତାର ନଜର ରଖିବାକୁ କୁହାଯାଇଛି । ଏହାସହ ପ୍ରଭାବିତ ଅଞ୍ଚଳରେ ଅଯଥା ଚଳପ୍ରଚଳ ନକରିବାକୁ ପରାମର୍ଶ ଦିଆଯାଇଛି । ସହରାଞ୍ଚଳରେ ଜଳ ନିଷ୍କାସନ ଉପରେ ଗୁରୁତ୍ୱ ଦିଆଯାଇଛି । ସେହିପରି ଚାଷ ଜମିରେ ସାର ପ୍ରୟୋଗ ବନ୍ଦ ରଖିବା, ଗୋରୁଙ୍କୁ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି ।

ବାତ୍ୟାକୁ ନେଇ ମତ୍ସ୍ୟଜୀବୀଙ୍କ ପାଇଁ ପରାମର୍ଶ ଜାରି କରାଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ସେହିପରି ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନେ କୂଳକୁ ଫେରି ଆସିବାକୁ ପରାମର୍ଶ ଦେଇଛନ୍ତି ।

ସେହିପରି ବାତ୍ୟା ଆଶଙ୍କାକୁ ନେଇ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା ଆସିଛି । କେହି ବି ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ କରିବେ ନାହିଁ ବୋଲି ମନ୍ତ୍ରୀ କହିବା ସହ ବ୍ୟବସାୟୀଙ୍କୁ ସତର୍କ କରାଇଛନ୍ତି । ବିଭାଗୀୟ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡ଼ିଲେ ଚଢ଼ାଉ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ମାଡ଼ି ଆସୁଛି ବାତ୍ୟା ‘ଦାନା’: କେଉଁଠି କରିବ ଲ୍ୟାଣ୍ଡଫଲ୍, କେତେ ରଚିବ ବିନାଶ ?

ଭୁବନେଶ୍ବର: ପୁଣି ଆସିଛି ଅକ୍ଟୋବର । ଆଉ ପୁଣି ଓଡ଼ିଶାବାସୀଙ୍କୁ ଘାରିଛି ବାତ୍ୟା ଭୟ । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ‘ଦାନା’ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆଜି ରାତିରେ ଲଘୁଚାପ ସୃଷ୍ଟି ହୋଇ ୨୩ ତାରିଖ ସକାଳ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ନେବ ବାତ୍ୟାର ରୂପ । ୨୪ ତାରିଖରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ଆକଳନ କରିଛି ଆଇଏମଡି । ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ଅଣଚାଷ ପବନ ହେବାର ପୂର୍ବାନୁମାନ କରାଯାଇଛି ।

ମାଡ଼ି ଆସୁଛି ବାତ୍ୟା ‘ଦାନା’ । ୨୩ରୁ ୨୭ ତାରିଖ ଯାଏଁ ନିର୍ଧୁମ୍ ବର୍ଷା । ଘଣ୍ଟାପ୍ରତି ୧୦୦ରୁ ୧୨୦ କି.ମି. ବେଗରେ ବହିବ ପବନ । ରେଡ୍ ଆଲର୍ଟରେ ୪ ଜିଲ୍ଲା । ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ । ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ହୋଇପାରେ ଲ୍ୟାଣ୍ଡଫଲ । ଆଜି ଏ ନେଇ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ । ଆଇଏମଡିର ଆକଳନ ଅନୁସାରେ ଗତକାଲି ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ରାତି ମଧ୍ୟରେ ଲଘୁଚାପର ରୂପ ନେବ । ୨୨ ତାରିଖ ସକାଳେ ଏହା ଅବପାତର ରୂପ ନେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୨୩ ତାରିଖ ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ପରେ ଆହୁରି ଘନୀଭୁତ ହୋଇ ଏକ ଭୀଷଣ ବାତ୍ୟାର ରୂପ ନେଇ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଇଏମଡି ।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆଜିଠାରୁ ରାଜ୍ୟର ପାଗ ପରିବର୍ତ୍ତନ ହେଲାଣି । ଆକାଶ ମେଘାଚ୍ଛନ୍ନ ରହିଛି । ୨୨ ତାରିଖରୁ କିଛି ଜିଲ୍ଲାରେ ଆରମ୍ଭ ହେବ ବର୍ଷା । ୨୩ରୁ ବଢିବ ବର୍ଷାର ପରିମାଣ । ପ୍ରବଳ ବର୍ଷା ହେବ ବୋଲି ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୪ ତାରିଖରେ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ଭୀଷଣ ବର୍ଷା ହୋଇପାରେ । ଏହି ସବୁ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କେନ୍ଦ୍ରାପଡା, କଟକ, ନୟାଗଡ, କନ୍ଧମାଳ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।

ସମ୍ଭାବ୍ୟ ବାତ୍ୟା ‘ଦାନା’ ପ୍ରଭାବରେ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ଅଛି । ପ୍ରଭାବିତ ହୋଇପାରେ ରେଳ ଓ ସଡ଼କ ପରିବହନ । ବଡ଼ ବଡ଼ ଗଛ  ଭାଙ୍ଗିବାର, ବିଦ୍ୟୁତ ଖୁଣ୍ଟ ଉପୁଡ଼ିବାର ସମ୍ଭାବନା ରହିଛି । ବନ୍ଦର ଓ ଜାହାଜ ଚଳାଚଳ ନେଇ ମଧ୍ୟ ସତର୍କତା ଜାରି କରାଯାଇଛି । ପ୍ରବଳ ବର୍ଷା ହେବାର ଥିବାରୁ ତଳିଆ ଅଞ୍ଚଳରେ ସୃଷ୍ଟି ହୋଇପାରେ ଜଳବନ୍ଦୀ ପରିସ୍ଥିତି । ଏପରିକି ଗ୍ରାମାଞ୍ଚଳରେ ଉପୁଜି ପାରେ ବନ୍ୟା ସ୍ଥିତି । ସେହିପରି ବର୍ଷା ପବନରେ କ୍ଷତିଗ୍ରସ୍ତ ହେବ ପାଚିଲା ଧାନ । ସମୁଦ୍ରରେ ବଡ଼ ବଡ଼ ଜୁଆର ଆସିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି ।

୬ ବର୍ଷ ପରେ ଅକ୍ଟୋବର ମାସରେ ପୁଣି ଓଡ଼ିଶାକୁ ବାତ୍ୟା ହିଟ୍ କରିବାର ଆଶଙ୍କା ସୃଷ୍ଟି ହୋଇଛି । ବାତ୍ୟା ପାଇଁ ପାଗ ଅନୁକୂଳ ରହିଥିବାରୁ ଉପକୂଳ ଜିଲ୍ଲାଗୁଡିକ ଅଧିକ କ୍ଷତିଗ୍ରସ୍ତ ହୋଇପାରନ୍ତି ।

ସ୍କୁଲ ପାଚେରୀ ନିକଟରେ ବିସ୍ଫୋରଣ

ଦିଲ୍ଲୀ: ରୋହିଣୀ ପ୍ରଶାନ୍ତ ବିହାର ଅଞ୍ଚଳରେ ଥିବା ସିଆରପିଏଫ ସ୍କୁଲ ନିକଟରେ ବିସ୍ଫୋରଣ । ସ୍କୁଲର ପାଚେରୀ ନିକଟରେ ଘଟିଛି ବିସ୍ଫୋରଣ । ବିସ୍ଫୋରଣ ଖବର ପାଇବା ପରେ ପୋଲିସ ଓ ଏଫଏସଏଲର ଟିମ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି । ଡଗ୍ ସ୍କ୍ଵାଡ୍, ଆଣ୍ଟି ଟେରର ୟୁନିଟ ସହ ଏନଏସଜି କମାଣ୍ଡୋ ଆସି ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି ।

ଆଶ୍ଵସ୍ତିର ଖବର ହେଉଛି ବିସ୍ଫୋରଣରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି । ରୋହିଣୀ ଡିସିପି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଜଣେ ପ୍ରତକ୍ଷଦର୍ଶୀ ବିସ୍ଫୋରଣ ସମୟରେ ଭିଡିଓ ପୋଲିସକୁ ହସ୍ତାନ୍ତର କରିଛନ୍ତି । ବିସ୍ଫୋରଣର ତୀବ୍ର ଅତି ଉଚ୍ଚକ୍ଷମତା ସମ୍ପନ୍ନ ଥିବାରୁ ବୋମା ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି । ପୋଲିସର ସ୍ପେଶାଲ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବିସ୍ଫୋରଣର ତୀବ୍ରତା ଏତେ ଜୋରଦାର ଥିଲା ଯେ ଆଖପାଖରେ ଥିବା ଗାଡିଗୁଡିକର କାଚ ଭାଙ୍ଗି ଯାଇଛି । ଅନେକ ଦୋକାନ କ୍ଷତିଗ୍ରସ୍ତ ହୋଇଛି । ସିଆରପିଏଫ୍ ସ୍କୁଲ ନିକଟରେ କିଛି ଦୋକାନ ଥିବାରୁ ଏଥିରୁ ସିଲିଣ୍ଡର ବ୍ଲାଷ୍ଟ ହୋଇଥିବା ମଧ୍ୟ ସନ୍ଦେହ କରାଯାଉଛି ।

ଦୁବାଇରେ ଚମକିଲେ ଓଡ଼ିଆ ଝିଅ ଆରାଧନା: ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସ ଅପ୍

ଦୁବାଇ: ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ । ଗତ ୮ ତାରିଖରେ ଦୁବାଇରେ ଅନୁଷ୍ଠିତ ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟର ଦ୍ବିତୀୟ ସିଜିନ୍ ଫାଇନାଲରେ ଓଡ଼ିଆ ଝିଅ ଆରାଧନା ଦାସ ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ଦ୍ୱିତୀୟ ରନର୍ସ ଅପ୍ ମୁକୁଟ ପିନ୍ଧିଛନ୍ତି । ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ପ୍ରତିଯୋଗିତାରେ ପୋଡିୟମ୍ ଫିନିଶ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ମହିଳା ।

ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ପ୍ରତିଯୋଗିତା ୨୦୨୩ ମସିହାରେ ଆରମ୍ଭ ହୋଇଥିଲା ଏବଂ ଚଳିତ ବର୍ଷ ଦ୍ୱିତୀୟ ସିଜିନ୍ ଆୟୋଜିତ ହୋଇଛି । ଭାରତର ବିଭିନ୍ନ ସହରରୁ ଆସି ମଧ୍ଯପ୍ରାଚ୍ଯରେ ରହୁଥିବା ବିବାହିତ ଭାରତୀୟ ମହିଳାମାନେ ସେମାନଙ୍କ ପ୍ରତିଭା, ସୌନ୍ଦର୍ଯ୍ଯ, ବୁଦ୍ଧି, ଆତ୍ମବିଶ୍ୱାସ ଓ ସାଂସ୍କୃତିକ ପରିଚୟ ପ୍ରଦର୍ଶନ କରିବା ପାଇଁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଅଂଶଗ୍ରହଣକାରୀମାନଙ୍କୁ ପାରମ୍ପରିକ ପୋଷାକ, ଗାଉନ୍, ପ୍ରତିଭା ଓ ସାକ୍ଷାତକାର ସମେତ ବିଭିନ୍ନ ପର୍ଯ୍ଯାୟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିଥିଲା ।

ଓଡ଼ିଶାର ଆରାଧନା ଦାସ ସୌନ୍ଦର୍ଯ୍ଯ ପ୍ରତିଯୋଗିତାରେ ନିଜର ପ୍ରତିଭା ଓ ସୌନ୍ଦର୍ଯ୍ୟ ସହ ଓଡ଼ିଆ ସଂସ୍କୃତିକୁ ବିଶ୍ବ ଦରବାରରେ ପ୍ରଦର୍ଶିତ କରିବା ପାଇଁ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ। ଆରାଧନା ଭୁବନେଶ୍ୱରର ବାସିନ୍ଦା ଏବଂ ଗତ ୭ ବର୍ଷ ଧରି ଦୁବାଇରେ ତାଙ୍କ ସ୍ୱାମୀ ସୂର୍ଯ୍ୟକାନ୍ତ ବେହେରା ଏବଂ ଝିଅ ସାନଭୀ ବେହେରାଙ୍କ ସହ ବାସ କରୁଛନ୍ତି। ଆରାଧନାଙ୍କୁ ରନର୍ସ ଅପ୍ ମୁକୁଟ ସହ ମିସେସ୍ ଇଣ୍ଟେଲେକ୍ଚୁଆଲ ଉପାଧିରେ ମଧ୍ୟ ସମ୍ମାନିତ କରାଯାଇଛି ।

ଆରାଧନା କହିଛନ୍ତି, ଏଭଳି କାର୍ଯ୍ଯକ୍ରମରେ ଭାଗ ନେବାକୁ ଚାହୁଁଥିଲି । ହେଲେ ଅନ୍ଯ ପ୍ରାଥମିକତା ଯୋଗୁଁ ସମୟ ଦେଇପାରି ନଥିଲେ । ଦୁବାଇରେ ଏହି ପ୍ରତିଯୋଗିତା ହେଉଥିବା ବିଷୟରେ ଜାଣିବା ପରେ ଏଥିରେ ଭାଗ ନେବାକୁ ନିଷ୍ପତ୍ତି ନେଇଥିଲେ । ଭଗବାନଙ୍କ କୃପା ଓ ପରିବାରର ସମର୍ଥନ ଯୋଗୁଁ ଆଜି ମୁଁ ଏହି ସଫଳତା ପାଇଛି ଓ ଓଡ଼ିଶା ପାଇଁ ଏହି ସମ୍ମାନଜନକ ଟାଇଟଲ୍ ଜିତିପାରିଛି । ଓଡ଼ିଆ ହୋଇଥିବାରୁ ମୁଁ ଗର୍ବିତ ଓ ବିଶ୍ୱ ଦରବାରରେ ଓଡ଼ିଆ ସଂସ୍କୃତିର ଉପସ୍ଥାପନ ନିମନ୍ତେ ଅନ୍ୟ ସୌନ୍ଦର୍ଯ୍ଯ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ପ୍ରସ୍ତୁତ ଅଛି ।

ଗାଁ ପରିକ୍ରମା କଲା ବିଜେଡି ପଦଯାତ୍ରା

ଆଠଗଡ଼: ଆଠଗଡ଼ ବେଣ୍ଟପଦା ପଞ୍ଚାୟତରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବେଣ୍ଟପଦା ସ୍ଥିତ ତାରିଣୀ ମନ୍ଦିରରୁ ପଦଯାତ୍ରା ବାହାରି ପଞ୍ଚାୟତର ବିଭିନ୍ନ ଗାଁ ପରିକ୍ରମା କରି ଗାଁ ଶେଷ ଜେନାଭୂୟା ଠାକୁରାଣୀ ନିକଟରେ ଶେଷ ହୋଇଥିଲା ।

ଏହି ପଦଯାତ୍ରାରେ ବହୁ ମହିଳା ସ୍ଵେଚ୍ଛାକୃତ ଭାବରେ ଯୋଗ ଦେଇଥିଲେ । ପଦଯାତ୍ରାରେ ଆଠଗଡ଼ ବିଜୁ ଜନତା ଦଳର ସଭାପତି ରବିନ୍ଦ୍ରନାଥ ରାଉତ ଯୋଗ ଦେଇ ବିଜେପି ସରକାର ମିଛ ପ୍ରତିଶ୍ରୁତି ଦେଇ କିଭଳି ଭାବେ ଲୋକଙ୍କୁ ଭୁଆଁ ବୁଲାଉଛି ତାହା ଅବଗତ କରାଇଥିଲେ ।

ହିମାଂଶୁ ବିଧାୟକ ଭାବେ ଜିତିବା ପରେ ଧର୍ମଶାଳାରେ ଅରାଜକତା ବଢ଼ିଯାଇଛି: ବିଜେଡି

ଯାଜପୁର: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡିକୁ ଅଣ୍ଡା ମାଡ଼ ପ୍ରସଙ୍ଗରେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ କ୍ଷମା ପ୍ରାର୍ଥନା ପ୍ରସଙ୍ଗରେ ବିଜେଡି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଯୁବ ବିଜେଡି ନେତା ନୀଳମାଧବ ମହାନ୍ତି କହିଛନ୍ତି,  ହିମାଂଶୁ ସାହୁ ଯେବେଠୁ ବିଧାୟକ ଭାବେ ଜିତିଲେଣି ଧର୍ମଶାଳାରେ ଅରାଜକତାର ବାତାବରଣ ସୃଷ୍ଟି ହୋଇଛି । ଲୋକେ ଏହା ଜାଣି ସାରିବାରୁ ସେ କ୍ଷମା ମାଗିଛନ୍ତି ।

ଆଗକୁ ସେ କହିଛନ୍ତି, ଅନ୍ୟ ନିର୍ବାଚନ ମଣ୍ଡଳୀରେ ତ ଏଭଳି ସ୍ଥିତି ସୃଷ୍ଟି ହେଉନାହିଁ । ଯେଉଁ ଦିନ ଏହି ଘଟଣା ଘଟିଲା ସେହିଦିନ ଏ କଥା କିଏ କରିଛି ଜାଣି ନଥିବା କହିଥିଲେ ବିଧାୟକ । ଏବେ ସେହିଦିନ କଥାକୁ ସ୍ୱୀକାର କରିବା ସହ କ୍ଷମା ମାଗିଛନ୍ତି । ତେଣୁ ଏବେ ଲୋକେ ତାଙ୍କ ଉଦ୍ଦେଶ୍ୟ ଜାଣି ଯିବାରୁ ବିଧାୟକ କ୍ଷମା ମାଗିଥିବା କହିଛନ୍ତି ନୀଳମାଧବ ମହାନ୍ତି । ଏପରିକି ବିଧାୟକ ଚାନ୍ଦା ଆଦାୟ କରୁଥିବା ସେ ଅଭିଯୋଗ କରିଛନ୍ତି । ଏଭଳି କାର୍ଯ୍ୟରୁ ନିବୃତ୍ତ ନ ରହିଲେ ବିଜେଡି ଯୁବ, ଛାତ୍ର ଓ ମହିଳା ଏହାର କଡ଼ା ଜବାବ ଦେବେ ଓ ଏଥିପାଇଁ ସରକାର ଓ ପ୍ରଶାସନ ଦାୟୀ ରହିବେ ବୋଲି କହିଛନ୍ତି ନୀଳମାଧବ । ଧର୍ମଶାଳାରେ ଜିତିବା ପରେ ଅଞ୍ଚଳର ବିକାଶ ନକରି ଜଣଙ୍କ ଉପରେ ଆକ୍ରୋଶ ରଖି କାର୍ଯ୍ୟ କରିବାରୁ ନିବୃତ୍ତ ରହିବାକୁ ବିଜେଡି ରାଜ୍ୟ ସମ୍ପାଦକ ନୀଳମାଧବ ମହାନ୍ତି କହିଛନ୍ତି ।

ଫିଲ୍ମ ନିର୍ମାତା ଏକତା କପୁର ଓ ମାଆ ଶୋଭାଙ୍କ ବଢିଲା ଅଡୁଆ

ନନ୍ଦିଘୋଷ ବ୍ୟୁରୋ: ଫିଲ୍ମ ନିର୍ମାତା ଏକତା କପୁରଙ୍କ ବଢିଲା ଅଡୁଆ। ପୋକ୍ସ ଧାରା ଅଧିନରେ ସିନେ ନିର୍ମାତା ଏକତା କପୁର ଏବଂ ତାଙ୍କ ମାଆ ଶୋଭା କପୁରଙ୍କ ନାଁରେ ମାମଲା ରୁଜୁ ହୋଇଛି। ଓଟିଟି ପ୍ଲାଟଫର୍ମରରେ ୱେବ ସିରିଜ୍ ଗନ୍ଦିବାତକୁ ନେଇ ଏହି ମାମଲା ରୁଜୁ ହୋଇଛି। ଅଲ୍ଟ ବାଲାଜୀର ୱେବ ସିରିଜ ଗନ୍ଦି ବାତର ସିଜନ- ୬ର ଏକ ଏପିସୋଡରେ ନାବାଳିକାଙ୍କୁ ନେଇ ଅଶ୍ଳୀଳ ଦୃଶ୍ଯ ପ୍ରଦର୍ଶିତ କରାଯାଇଛି। ଏହାକୁ ନେଇ ଏହି ପ୍ଲାଟଫର୍ମର ପୁରୁଣା ପ୍ରଯୋଜକ ଏକତା କପୁର ଏବଂ ତାଙ୍କ ମାଆ ଶୋଭା କପୁରଙ୍କ ନାଁରେ ମାମଲା ରୁଜୁ ହୋଇଛି। ଫେବୃଆରୀ ୨୦୨୧ଠାରୁ ଏପ୍ରିଲ ୨୦୨୧ ମଧ୍ୟରେ ଅଲ୍ଟ ବାଲାଜୀ ଆପରେ ଏହି ୱେବ ସିରିଜ୍ ପ୍ରଦର୍ଶିତ ହୋଇଥିଲା। ତେବେ  ବିବାଦ ପରେ ଏହି ବିବାଦୀୟ ଭିଡିଓକୁ ଷ୍ଟ୍ରିମିଂରୁ ହଟାଇ ଦିଆଯାଇଛି। ଏହି ସିରିଜରେ ସିଗାରେଟର ବିଜ୍ଞାପନ ଲାଗି ମହାପୁରୁଷ ଏବଂ ସନ୍ଥମାନଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଏ ନେଇ ଫିଲ୍ମମେକର ଏକତା କପୁରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ଆସିନାହିଁ। ଶିଶୁଙ୍କୁ ନେଇ ଫିଲ୍ମ କିମ୍ବା ଟିଭିରେ କୌଣସି ଅଶ୍ଳୀଳ ଦୃଶ୍ୟ ପ୍ରଦର୍ଶିତ ହୋଇପାରିବନି ବୋଲି ସେପ୍ଟେମ୍ବର ୨୭ରେ ବଡ଼ ରାୟ ଦେଇଥିଲେ ସୁପ୍ରିମକୋର୍ଟ। ପିଲାଙ୍କୁ ନେଇ ଏଭଳି ଅଶ୍ଳୀଳ ବିଷୟ ଦେଖିବା, ପ୍ରଦର୍ଶିତ କରିବା ଏବଂ ଡାଉନଲୋଡ୍ କରିବା ଅପରାଧ ବୋଲି କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ଏହି ନିର୍ଦ୍ଦେଶନାମାକୁ ନେଇ ୱେବ ସିରିଜକୁ ନେଇ ଅଭିଯୋଗ ଆଣିଛନ୍ତି ସିନେ ନିର୍ମାତା। ୨୦୧୮ରେ ଏହି ସିରିଜ୍ ଆରମ୍ଭ ହୋଇଥିଲା। ଏହି ସିରିଜର ନିର୍ଦ୍ଦେଶନା ଦେଉଛନ୍ତି ସଚିନ ମୋହିତ।

“ହିମାଂଶୁ ସାହୁ ବିଧାୟକ ହେବା ପରେ ଧର୍ମଶାଳାରେ ଅରାଜକତା ସୃଷ୍ଟି ହୋଇଛି”: ନୀଳମାଧଵ ମହାନ୍ତି

ନନ୍ଦିଘୋଷ ବ୍ୟୁରୋ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡିକୁ ଅଣ୍ଡା ମାଡ଼ ପ୍ରସଙ୍ଗରେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ କ୍ଷମା ପ୍ରାର୍ଥନା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଯୁବ ବିଜେଡି ନେତା ନୀଳମାଧଵ ମହାନ୍ତି । ହିମାଂଶୁ ସାହୁ ଯେବେଠୁ ବିଧାୟକ ଭାବେ ଜିତିଲେଣି ଧର୍ମଶାଳାରେ ଅରାଜକତାର ବାତାବରଣ ସୃଷ୍ଟି ହୋଇଛି । ଲୋକେ ସେ କଥା ଜାଣି ସାରିବାରୁ ସେ କ୍ଷମା ମାଗିଥିବା ସେ କହିଛନ୍ତି । ଅନ୍ୟ ନିର୍ବାଚନ ମଣ୍ଡଳୀରେ ତ ଏଭଳି ସ୍ଥିତି ସୃଷ୍ଟି ହେଉ ନାହିଁ । ଯେଉଁ ଦିନ ଏହି ଘଟଣା ଘଟିଲା ସେହି ଦିନ ଏ କଥା କିଏ କରିଛି ଜାଣି ନ ଥିବା କହିଥିଲେ ବିଧାୟକ ହିମାଂଶୁ ସାହୁ। କିନ୍ତୁ ସେହିଦିନ ଏ କଥାକୁ ସ୍ୱୀକାର କରି କ୍ଷମା ମାଗି ନ ଥିଲେ ।

ତେଣୁ ଏବେ ଲୋକେ ତାଙ୍କ ଉଦ୍ଦେଶ୍ୟ ଜାଣି ଯିବାରୁ ବିଧାୟକ କ୍ଷମା ମାଗିଥିବା କହିଛନ୍ତି ନୀଳମାଧଵ ମହାନ୍ତି । ଏପରିକି ବିଧାୟକ ଚାନ୍ଦା ଆଦାୟ କରୁଥିବା ସେ ଅଭିଯୋଗ କରିଛନ୍ତି । ବିଧାୟକ ବିଜେଡିର ଯୁବ ଛାତ୍ରଙ୍କ ଧର୍ଯ୍ୟର ପରୀକ୍ଷା ନ ନିଅନ୍ତୁ। ନ ହେଲେ ବିଜେଡି ଯୁବ ଛାତ୍ରଙ୍କ ପାଖରେ ବିଭିନ୍ନ ପ୍ରକାର ଅଣ୍ଡା ଅଛି ବୋଲି ଚେତାବନୀ ଦେଇଛନ୍ତି ନୀଳମାଧଵ ମହାନ୍ତି। ଏଭଳି କାର୍ଯ୍ୟରୁ ନିବୃତ୍ତ ନ ରହିଲେ ବିଜେଡି ଯୁବ, ଛାତ୍ର ଓ ମହିଳା ଏହାର କଡ଼ା ଜବାବ ଦେବେ ଓ ଏଥିପାଇଁ ସରକାର ଓ ପ୍ରଶାସନ ଦାୟୀ ରହିବେ ବୋଲି ସେ କହିଛନ୍ତି। ଧର୍ମଶାଳାରେ ଜିତିବା ପରେ ଅଞ୍ଚଳର ବିକାଶ ନ କରି ଜଣଙ୍କ ଉପରେ ଆକ୍ରୋଶ ରଖି କାର୍ଯ୍ୟ କରିବାରୁ ନିବୃତ୍ତ ରହିବାକୁ କହିଛନ୍ତି ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ ନୀଳମାଧଵ ମହାନ୍ତି।