ନନ୍ଦିଘୋଷ ବ୍ୟୁରୋ: ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ସଦର ପଂଚାୟତ ସରକାରୀ ଉଚ୍ଚବିଦ୍ୟାଳୟ ନିକଟସ୍ଥ ଏକ ଟାୱାର ପାଚେରି ପାର୍ଶ୍ୱରୁ ୧୦ ବର୍ଷୀୟା ନାବାଳିକାର ମୃତଦେହ ଉଦ୍ଧାର। ନାବାଳିକା ଜଣଙ୍କ ଗତକାଲି ଦିନ ପ୍ରାୟ ଗୋଟାଏ ସମୟରେ ଶୌଚ ପାଇଁ ଯାଉଛି କହି ଘରୁ ବାହାରିଥିଲେ । ବହୁ ସମୟ ଧରି ଝିଅ ଘରକୁ ଫେରିନଥିବାରୁ ଘର ଲୋକ ଚିନ୍ତାରେ ପଡ଼ିଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ବି ଝିଅର ସନ୍ଧାନ ପାଇ ନଥିଲେ। ପରେ ରାତିରେ ଗ୍ରାମର ଟାୱାର ପାଚେରି ପାର୍ଶ୍ୱରୁ ଝିଅର ମୃତ ଶରୀର ପଡିଥିବା ଦେଖିବାକୁ ପାଇଥିଲେ । ପାରିପାର୍ଶ୍ଵିକ ସ୍ଥିତିରୁ ଏହା ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତେନ୍ତୁଳିଖୁଣ୍ଟି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ଏବଂ ଡ଼ଗ ସ୍କ୍ୱାଡକୁ ନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି । ଦୋଷୀକୁ କଠୋର ଦଣ୍ଡ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏହାକୁ ନେଇ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି।
ପୋଲିସ ଅପାରଗତା ଆଇନଶୃଙ୍ଖଳକୁ ବିଗାଡ଼ି ଦେଇଛି: ବିଜେଡି
ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ପୋଲିସ ଅତ୍ଯାଚାର ନେଇ ବିଜେଡିର ଗୁରୁତ୍ଵାରୋପ । ପ୍ରେସମିଟ୍ କରି ରାଜ୍ଯ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । କହିଛନ୍ତି, ଯାହାକୁ ଆମେ ରକ୍ଷାକର୍ତ୍ତା ବୋଲି ବିଶ୍ଵାସ କରୁଛେ ସେମାନେ ଅତ୍ଯାଚାର କରୁଛନ୍ତି । ପୋଲିସର ଅପାରଗତା ଯୋଗୁଁ ଆଇନଶୃଙ୍ଖଳା ପରିସ୍ଥିତିର କଦର୍ଯ୍ଯ ଗତି ହୋଇଛି । ଲାଗୁଛି ରାଜ୍ଯରେ ସାଧାରଣ ଲୋକ ସୁରକ୍ଷିତ ନାହାନ୍ତି ।
ଆଗକୁ ସେ କହିଛନ୍ତି, ସେନାର ଅଧିକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହଇରାଣ କରୁଛି ଓଡ଼ିଶା ପୋଲିସ । ପୋଲିସର ଦାୟିତ୍ଵ ଜନତାଙ୍କ ସୁରକ୍ଷା କରିବା । ହେଲେ ପୂରା ତଳସ୍ତରକୁ ଚାଲି ଯାଇଛି ପୋଲିସ । ସେନା ଅଧିକାରୀଙ୍କୁ ଥାନାରେ କରାଯାଇଥିଲା ଅସଦାଚରଣ । ଥାନାରେ ନଥିଲେ ଆଇଆଇସି । ମେଜରଙ୍କୁ ଅବାନ୍ତର ପ୍ରଶ୍ନ ପଚାରିଥିଲେ ଦାୟିତ୍ଵରେ ଥିବା ମହିଳା ଅଧିକାରୀ । ମହିଳା ପୋଲିସ ଅଧିକାରୀ ନାଇଟି ପିନ୍ଧି ଥାନାରେ ବସିଥିଲେ । ଥାନାର ମିଳୁନି ସେହି ସମୟର ସିସିଟିଭି ଭିଡିଓ । ଘଟଣା ନେଇ ସେନା କର୍ତ୍ତୃପକ୍ଷଙ୍କୁ ଖବର ଦିଆଯାଇ ନଥିଲା । ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ଦୟନୀୟ ଭାବେ ମାଡ଼ ମରାଯାଇଛି । ମେଜରଙ୍କ ବାନ୍ଧବୀଙ୍କ ମାଢି ଭାଙ୍ଗି ଯାଇଛି । ଏପରି ଘଟଣା ଓଡ଼ିଶାରେ କେବେ ଦେଖାଯାଇ ନଥିଲା । ଥାନାରେ ସେହିଦିନ କାହିଁକି ବନ୍ଦ ଥିଲା ସିସିଟିଭି ବୋଲି ସେ ପ୍ରଶ୍ନ କରିଛନ୍ତି ।
ପୋଲିସ କର୍ତ୍ତୃପକ୍ଷ ଜାଣିଶୁଣି ସିସିଟିଭିକୁ ବନ୍ଦ କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି । ବରିଷ୍ଠ ପୋଲିସ କର୍ତ୍ତୃପକ୍ଷ କ’ଣ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛନ୍ତି ? ମାମଲାରେ ପୋଲିସ କର୍ମୀଙ୍କ ଉପରେ କାହିଁକି ହୋଇନି କାର୍ଯ୍ଯାନୁଷ୍ଠାନ ? ପୋଲିସ ଡିଜି ଥାନାର କର୍ମଚାରୀଙ୍କ ଉପରେ କ’ଣ ଆକ୍ସନ ନେଇଛନ୍ତି ବୋଲି ବିଜେଡି ପ୍ରଶ୍ନ କରିବା ସହ ପୋଲିସ ଡିଜି ତୁରନ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛି ।
ଚୀନକୁ ହରାଇ ୫ମ ଥର ପାଇଁ ଏସିଆନ ଚାମ୍ପିଅନ୍ସ ଟ୍ରଫି ଜିତିଲା ଭାରତ, ନବୀନ ଜଣାଇଲେ ଅଭିନନ୍ଦନ
ନୂଆଦିଲ୍ଲୀ: ଏସିଆନ ହକି ଚାମ୍ପିଅନ୍ସ ଟ୍ରଫିରେ ଭାରତର ବାଜିମାତ । ରେକର୍ଡ ପଞ୍ଚମ ଥର ପାଇଁ ଏସୀୟ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଛି ଭାରତୀୟ ପୁରୁଷ ହକି ଦଳ । ଫାଇନାଲରେ ଟିମ୍ ଇଣ୍ଡିଆ ଚୀନକୁ ୧-୦ ଗୋଲରେ ପରାସ୍ତ କରିଛି । ଭାରତ ପାଇଁ ଜୁଗରାଜ ଏକମାତ୍ର ଗୋଲ ସ୍କୋର କରିଛନ୍ତି । ସେ ଅଧିନାୟକ ହରମାନପ୍ରୀତଙ୍କ ପାସକୁ ଗୋଲରେ ପରିଣତ କରିଥିଲେ ।
ଚୀନ ମାଟିରେ ଇତିହାସ ରଚିଛି ଭାରତ । ଭାରତର ଏହି ବିଜୟ ନେଇ ଭାରତୀୟ ପୁରୁଷ ହକି ଟିମକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅଛୁଟିଛି । ଚାମ୍ପିଅନ ଟିମକୁ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି ।
ପୁରୁଷ ହକି ଟିମର ଏହି ବିଜୟ ଧାରା ଜାରି ରଖିବା ସହ ଦଳ ଆଗକୁ ଦେଶ ପାଇଁ ଗୌରବ ଅର୍ଜନ କରୁ ବୋଲି ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ନବୀନ। ଆଗାମୀ ଦିନରେ ଉନ୍ନତ ପ୍ରଦର୍ଶନ କରିବାକୁ ଭାରତୀୟ ପୁରୁଷ ହକି ଟିମକୁ ଶୁଭକାମନା ଜଣାଇଛନ୍ତି ନବୀନ ।

