spot_img
Home Blog Page 1630

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଗିରଫ କଲାନି ମଙ୍ଗୋଲିଆ

ନନ୍ଦିଘୋଷ ବ୍ୟୁରୋ: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଗିରଫ କଲାନି ମଙ୍ଗୋଲିଆ । ବରଂ ଗାର୍ଡ ଅଫ ଅନର ଦେଇ କରିଛି ଭରପୂର ସ୍ବାଗତ । ୟୁକ୍ରେନ ଆକ୍ରମଣକୁ ନେଇ ଗତବର୍ଷ ଆନ୍ତର୍ଜାତିକ ଅପରାଧୀ କୋର୍ଟ ବା ଆଇସିସି ପକ୍ଷରୁ ତାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି ସତ୍ତ୍ବେ ଆଇସିସି ସଦସ୍ଯ ରାଷ୍ଟ୍ର ମଙ୍ଗୋଲିଆ ଗସ୍ତ କରିଛନ୍ତି ପୁଟିନ । ମଙ୍ଗୋଲିଆ ରାଜଧାନୀ ଉଲାନାବାତାରରେ ପୁଟିନଙ୍କୁ ଦିଆଯାଇଛି ଗାର୍ଡ ଅଫ ଅନର । ଆଇସିସିର ଗିରଫ ପରଓ୍ବାନାକୁ ଫୁ କରି ପୁଟିନ ଏହି ଗସ୍ତ କରିଛନ୍ତି । ସେପଟେ ପୁଟିନଙ୍କୁ ଅଟକ ରଖିବା ଲାଗି ଆହ୍ବାନ ଦେଇଛନ୍ତି ପାଶ୍ଚାତ୍ଯ ରାଷ୍ଟ୍ର, ୟୁକ୍ରେନ ଓ ଅନ୍ଯାନ୍ଯ ମାନବାଧିକାର ସଂଗଠନ । ୟୁକ୍ରେନରୁ ଶିଶୁମାନଙ୍କୁ ବେଆଇନ ଚାଲାଣ କରିବା ଅଭିଯୋଗରେ ପୁଟିନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲା ଆଇସିସି । ସେପଟେ ଯଦି ମଙ୍ଗୋଲିଆ ପୁଟିନଙ୍କୁ ଗିରଫ ନ କରେ ତେବେ ସେପରି କିଛି ଘଟିବାର ସମ୍ଭାବନା ନାହିଁ ବୋଲି କୁହାଯାଇଛି । ଉଭୟ ରୁଷିଆ ଓ ଚୀନ ସହ ମଙ୍ଗୋଲିଆର ଉତ୍ତମ ସମ୍ପର୍କ ରହିଛି । ଏହା ସହ ସୋଭିଏତ କାଳରୁ ବି ରୁଷିଆର ବନ୍ଧୁ ରାଷ୍ଟ୍ର ଭାବେ ମଙ୍ଗୋଲିଆ ଜଣାଶୁଣା । ୧୯୯୧ରେ ସୋଭିଏତ ରୁଷିଆର ପତନ ପରଠାରୁ ଉଭୟ କ୍ରେମଲିନ ଓ ବେଜିଂ ମଧ୍ଯରେ ସୁସମ୍ପର୍କ ରଖିଆସିଛି ମଙ୍ଗୋଲିଆ । ଏପରିକି ୟୁକ୍ରେନ ଉପରେ ଆକ୍ରମଣ ନେଇ ରୁଷିଆକୁ ସମାଲୋଚନା କରି ନଥିଲା ମଙ୍ଗୋଲିଆ । ଏହା ସହ ଜାତିସଂଘରେ ରୁଷିଆ ବିରୋଧୀ ଭୋଟରେ ବି ମଙ୍ଗୋଲିଆ ବିରତ ରହିଥିଲା । ଗତ ୨୦୨୩ ମାର୍ଚ୍ଚରେ ପୁଟିନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲା ଆଇସିସି । ଅଭିଯୋଗ ଅନୁସାରେ ୟୁକ୍ରେନରୁ ହଜାର ହଜାର ଶିଶୁଙ୍କୁ ରୁଷିଆ ନିଜ ଦେଶକୁ ନେଇଯାଉଛି । ସେପଟେ କ୍ରେମଲିନ କହୁଛି ୟୁକ୍ରେନର ଯେଉଁ ଅଞ୍ଚଳକୁ ରୁଷିଆ କବଜା କରୁଛି ସେହି ଅଞ୍ଚଳର ଶିଶୁଙ୍କ ସୁରକ୍ଷା ଲାଗି ସେମାନଙ୍କୁ ରୁଷିଆ ନିଆଯାଉଛି । ବଡ଼କଥା ହେଉଛି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁଙ୍କ ବିରୋଧରେ ଆଇସିସି ଯେଉଁ ଗିରଫ ପରଓ୍ବାନା ଜାରି କରିଥିଲା ତାହାକୁ ସମର୍ଥନ କରିଥିବା ୯୩ଟି ରାଷ୍ଟ୍ର ମଧ୍ଯରେ ଥିଲା ମଙ୍ଗୋଲିଆ ।

ହାଇକୋର୍ଟ ବେଞ୍ଚ : ଦିନକ ଭିତରେ ୟୁ ଟର୍ଣ୍ଣ ମାରିଲେ ରାଜ୍ୟ ସରକାର

ଭୁବନେଶ୍ବର: ଦିନକ ଭିତରେ ୟୁ ଟର୍ଣ୍ଣ ମାରିଲେ ରାଜ୍ୟ ସରକାର। ହାଇକୋର୍ଟ ପ୍ରସଙ୍ଗରେ ସରକାର ୟୁ ଟର୍ଣ୍ଣ ମାରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ଗୃହରେ ଅବଗତ କରିଥିଲେ, ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ରାଜ୍ୟର କୌଣସି ସ୍ଥାନରେ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନାହିଁ। ବିଜେଡି ବିଧାୟକ କଳିକେଶ ସିଂହଦେଓଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଥିଲେ ମୋହନ ମାଝୀ।

ହେଲେ ଆଜି ପୁଣି ମୋହନ ମାଝୀ ଗୃହକୁ ଅବଗତ କରିଛନ୍ତି, ହାଇକୋର୍ଟ ବେଞ୍ଚ ପ୍ରସ୍ତାବ ବିଚାରାଧୀନ ଅଛି। ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ସରକାର ବଦ୍ଧପରିକର। ଗତକାଲି ମୋହନ ମାଝୀ ଯେଉଁ ମନ୍ତବ୍ୟ ଦେଇଥିଲେ, ତାକୁ ଜୋରଦାର ବିରୋଧ ହୋଇଥିଲା। ଏପରିକି ପଶ୍ଚିମ ଓଡ଼ିଶାରେ ଅସନ୍ତୋଷର ନିଆଁ ତେଜିଥିଲା। କାରଣ ବିରୋଧୀ ଦଳ ଆସନରେ ବିଜେପି ଥିବା ବେଳେ ହାଇକୋର୍ଟ ବେଞ୍ଚ ସପକ୍ଷରେ ଥିଲା । କିନ୍ତୁ ସରକାରକୁ ଆସିବା ପରେ ଆଭିମୁଖ୍ୟରେ କାହିଁକି ପରିବର୍ତ୍ତନ ବୋଲି ପ୍ରଶ୍ନ ଉଠିଥିଲା। ଏପରିକି ବିଜେଡି ମଧ୍ଯ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରିଥିଲା।

ସେପଟେ ନିଜେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ପ୍ରଶ୍ନ କରିଥିଲେ, ବେଞ୍ଚ କାହିଁକି ହେବନି। ଏହାକୁ ନେଇ ଦଳ ଓ ବିଜେପି ସରକାର ଅଡୁଆରେ ପଡ଼ିଥଲେ। ଏହା ପରେ ଆଜି ନିଜ ମତ ପରିବର୍ତ୍ତନ କରିଛନ୍ତି କି ମୁଖ୍ୟମନ୍ତ୍ରୀ । କଳିକେଶ ସିଂହଦେଓ କହିଛନ୍ତି, ଆମେ କେତେ ଦିନ ଆଉ ଏହାକୁ ବିଚାରାଧୀନ ରଖିବା। ମୁଖ୍ୟମନ୍ତ୍ରୀ ଗୃହକୁ ପ୍ରତିଶୃତି ଦିଅନ୍ତୁ, ପଶ୍ଚିମ ଓଡି଼ଶାରେ ସ୍ଥାୟୀ ବେଞ୍ଚ ହେବ। ସେପଟେ କଂଗ୍ରେସ ବିଧାୟକ ଦଳ ନେତା ରାଜନ ଏକ୍କା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କଥାରେ ସ୍ପଷ୍ଟତା ନାହିଁ। ସୁପ୍ରିମକୋର୍ଟ ଯାହା କୁହନ୍ତୁ, ଓଡ଼ିଶା ଲୋକଙ୍କ ଆବଶ୍ୟକତା ଦେଖିବା କଥା। ଲୋକଙ୍କୁ ଦ୍ୱନ୍ଦ୍ୱରେ ନ ପକାଇ ନେତୃତ୍ୱ ନିଅନ୍ତୁ ମୁଖ୍ୟମନ୍ତ୍ରୀ।

ବଢୁଛି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅଡୁଆ, ହସିନାଙ୍କ ବିରୋଧରେ ୮୯ ମାମଲା

ନନ୍ଦିଘୋଷ ବ୍ୟୁରୋ: ବଢୁଛି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅଡୁଆ । ଦାୟର ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ମାମଲା । ତାଙ୍କ ବିରୋଧରେ ବର୍ତ୍ତମାନ ଆଉ ୫ଟି ନୂଆ ହତ୍ଯା ମାମଲା ରୁଜୁ ହୋଇଛି । ଫଳରେ ହସିନାଙ୍କ ବିରୋଧରେ ଦାୟର ହୋଇଥିବା ମାମଲା ସଂଖ୍ଯା ପହଞ୍ଚିଛି ୮୯ରେ । ଢାକ୍କାର ଚିଫ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ନିକଟରେ ଏହି ମାମଲା ରୁଜୁ ହୋଇଛି ।

ସାରା ଦେଶରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ ଗତ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ଚାଲିଆସିଥିଲେ ହସିନା । କୋଟା ବିରୋଧୀ ଆନ୍ଦୋଳନ ବେଳେ ୫ ଜଣଙ୍କୁ ହତ୍ଯା ଘଟଣାରେ ହସିନା, ପୂର୍ବତନ କ୍ଯାବିନେଟ ମନ୍ତ୍ରୀ, ଦଳର ସାଧାରଣ ସମ୍ପାଦକ ଓ ଅନ୍ଯ ୩୩୯ ଜଣଙ୍କ ବିରୋଧରେ ୫ଟି ହତ୍ଯା ମାମଲା ରୁଜୁ ହୋଇଛି । ଏହି ହିଂସାକାଣ୍ଡରେ ପ୍ରାଣ ହରାଇଥିଲେ ୬୦୦ରୁ ଅଧିକ ଲୋକ ।

ହସିନାଙ୍କ ଇସ୍ତଫା ପରେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ଗଠିତ ହୋଇଛି ଅନ୍ତରୀଣ ସରକାର । ସେପଟେ ଆତଙ୍କବାଦୀ ସଂଗଠନ ହେଫାଜତ-ଇ-ଇସଲାମର ନେତା ମାମୁନୁଲ ହକଙ୍କ ସହ ୟୁନୁସଙ୍କ ସାକ୍ଷାତକୁ ନେଇ ବଢିଛି ବିବାଦ । ଏହି ଭେଟଘାଟ ବେଳେ ନିର୍ବାଚନ ସଂସ୍କାର ଓ ନିର୍ବାଚନ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି । ବଡକଥା ହେଉଛି ହେଫାଜତ-ଇ-ଇସଲାମ ସଂଗଠନ ଭାରତ ବିରୋଧରେ ସର୍ବଦା ମନ୍ତବ୍ଯ ଦେଇଆସୁଛି । ହସିନାଙ୍କ ରାଜତ୍ବ ସମୟରେ ହିଂସାକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ଗିରଫ ହୋଇଥିଲେ ମାମୁନୁଲ । ମାତ୍ର ହସିନା ସରକାରର ପତନ ପରେ ତାଙ୍କୁ ମୁକ୍ତି ଦିଆଯାଇଛି । ସେହିପରି ଦେଶର ସର୍ବବୃହତ ଇସଲାମିକ ପାର୍ଟି ତଥା ଭାରତ ବିରୋଧୀ ସଂଗଠନ ଜମାଏତ-ଇ-ଇସଲାମି ସଂଗଠନ ଉପରେ ଜାରି ହୋଇଥିବା ନିଷେଧାଦଶକୁ ହଟାଇ ନେଇଛନ୍ତି ସରକାର ।

ରିଲିଜ ପରେ ବିବାଦରେ ‘IC 814’ : ନେଟଫ୍ଲିକ୍ସ କଣ୍ଟେଣ୍ଟ ମୁଖ୍ୟଙ୍କୁ ସମନ ଜାରି

ନନ୍ଦିଘୋଷ ବ୍ୟୁରୋ: ବିବାଦରେ ନେଟଫ୍ଲିକସର ନୂଆ ୱେବ୍ ସିରିଜ୍ ‘IC 814-କାନ୍ଦାହାର ହାଇଜାକ୍’ । ଏହା ଅଗଷ୍ଟ 29ରେ ନେଟଫ୍ଲିକ୍ସରେ ରିଲିଜ ହୋଇଛି । ୱେବ୍ ସିରିଜ୍କୁ ନେଇ ନିର୍ଦ୍ଦେଶକ ଅନୁଭବ ସିହ୍ନାକୁ ଯେତିକି ତାଳି ପଡୁଛି ସେତିକି ଗାଳି ମଧ୍ୟ ପଡୁଛି । ଏହି ସିରିଜରେ 1999 ରେ ଏକ ଇଣ୍ଡିଆନ୍ ଏୟାରଲାଇନ୍ସ ବିମାନ ଅପହରଣର ଦୁଃଖଦ ଘଟଣା ଦର୍ଶାଯାଇଛି । କିଛି ଲୋକ ନିର୍ଦ୍ଦେଶକଙ୍କ ଅଭିନୟକୁ ପ୍ରଶଂସା କରିଥିବାବେଳେ କିଛି ଲୋକ ସିରିଜକୁ ନେଇ ନିର୍ମାତାଙ୍କ ଉପରେ ବର୍ଷିଛନ୍ତି ଏବଂ ଘଟଣା ବଦଳାଇବାକୁ ଚେଷ୍ଟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ନେଟଫ୍ଲିକ୍ସ ମୁଖ୍ୟ ମୋନିକା ସେରଗିଲ୍‌ଙ୍କୁ ନୋଟିସ୍ କରିଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ।

ସୂଚନା ଅନୁଯାୟୀ ମନ୍ତ୍ରାଳୟ ୱେବ୍ ସିରିଜ୍ ‘IC 814-କାନ୍ଦାହାର ହାଇଜାକ୍’ ରେ ଆତଙ୍କବାଦୀଙ୍କ ନାଁ କୁ ନେଇ ବିବାଦ ଆରମ୍ଭ ହେଇଛି । ପ୍ରକୃତ ନାଁ ଓ୍ବେବସିରିଜରେ ବ୍ୟବହାର ନହୋଇ ହିନ୍ଦୁ ଭଗବାନଙ୍କ ନାମ ଅନୁଯାୟୀ  ଭୋଲା ଓ ଶଙ୍କର ରଖାଯାଇଛି । ଯାହାକୁ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆପତ୍ତି ଉଠାଇବା ସହ ସ୍ପଷ୍ଟୀକରଣ ରଖିବାକୁ ନେଟଫ୍ଲିକସ ମୁଖ୍ୟଙ୍କୁ ନୋଟିସରେ କୁହାଯାଇଛି । ଓ୍ବେବସିରିଜରେ ଆତଙ୍କବାଦୀଙ୍କ ପ୍ରକୃତ ନାଁକୁ ଲୁଚାଯିବା ପାଇଁ ଚେଷ୍ଟା କରାଯାଇଛି ଯାହାକୁ ଲୋକମାନେ ବିରୋଧ କରିଛନ୍ତି ।

ପ୍ରକୃତରେ ଏହି ଆତଙ୍କବାଦୀଙ୍କ ନାମ ଇବ୍ରାହିମ ଅଥାର, ସହିଦ ଅଖତର ସଇଦ, ସନ୍ନି, ଅହମ୍ମଦ କାଜୀ, ଜାହୋର ମିଷ୍ଟ୍ରି ଏବଂ ଶାକିର ବୋଲି କୁହାଯାଉଛି । କିନ୍ତୁ ଏହି କ୍ରମରେ ଏହି ଆତଙ୍କବାଦୀଙ୍କ ନାମ ଭୋଲା, ଶଙ୍କର, ଡାକ୍ତର, ବରଗଡ ଏବଂ ମୁଖ୍ୟ ଭାବରେ ରଖାଯାଇଛି । ଏହି ଧାରାବାହିକରେ ଆତଙ୍କବାଦୀଙ୍କ ପାଇଁ କୋଡନାମ ବ୍ୟବହାର କରାଯାଇଛି, ଯେଉଁଥି ପାଇଁ ନେଟିଜେନ୍ସମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ବହୁଚର୍ଚ୍ଚିତ ୧୯୯୯ କାନ୍ଦାହାର ହାଇଜାକ୍ ଘଟଣାକୁ ନେଇ ୱେବ୍ ସିରିଜର କାହାଣୀ ତିଆରି ହୋଇଛି। ସେତେବେଳେ ଏହି ଅପହରଣରେ ‘ହରକତ୍ ଉଲ୍ଲ ମୁଜାହିଦ୍ଦିନ୍’ ର ୫ ଜଣ ଆତଙ୍କବାଦୀ ସାମିଲ ଥିଲେ। ସେମାନେ ହେଲେ ଇବ୍ରାହିମ୍ ଆଥର୍, ସାହିଦ୍ ଅଖତର, ସନ୍ନି ଅହମ୍ମଦ କାଜି, ଜହୁର୍ ଇବ୍ରାହିମ୍ ଏବଂ ସାକିର୍। କିନ୍ତୁ ଏହି ୱେବ୍ ସିରିଜ୍ ରେ ଏହାର ନାଁ ପରିବର୍ତ୍ତନ କରାଯାଇଛି ତାପୁଣି ଦୁଇ ଆତଙ୍କୀଙ୍କ ନାଁ ହିନ୍ଦୁ ଭଗବାନଙ୍କ ନାଁ ଶଙ୍କର ଓ ଭୋଲା ରଖାଯାଇଛି। ଯାହାକୁ ଦେଖି ଲୋକେ ସୋସିଆଲ୍ ମିଡିଆରେ ପ୍ରବଳ ସମାଲୋଚନା କରିଛନ୍ତି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ବାରା ୬ ଜାନୁଆରୀ ୨୦୦୦ରେ ଜାରି କରାଯାଇଥିବା ବିବୃତ୍ତି ଅନୁଯାୟୀ ଅପହରଣକାରୀଙ୍କ ପ୍ରକୃତ ନାମ ହେଲା:

ଇବ୍ରାହିମ ଅତହର, ବହାବଲପୁର

ଶାହିଦ ଅଖତର ସଇଦ, ଗୁଲଶନ ଇକବାଲ,କରାଚୀ

ସନୀ ଅହମ୍ମଦ କାଜୀ, କରାଚୀ

ମିସ୍ତ୍ରୀ ଜହୁର ଇବ୍ରାହିମ, କରାଚୀ

ଶାକିର, ସୁକ୍କୁର ସିଟି

ହରିୟାଣା ନିର୍ବାଚନରେ କଂଗ୍ରେସ ଓ ଆପ୍ ମଧ୍ଯରେ ମେଣ୍ଟକୁ ନେଇ ସସପେନ୍ସ !

ନନ୍ଦିଘୋଷ ବ୍ୟୁରୋ: ହରିୟାଣା ନିର୍ବାଚନରେ କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ଯରେ ମେଣ୍ଟକୁ ନେଇ ବଢୁଛି ସସପେନ୍ସ । ଆପ୍ ସହ ମେଣ୍ଟ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚାହୁଁଥିବା ସୂଚନା ମିଳିଛି । ଏନେଇ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ହରିୟାଣା କଂଗ୍ରେସର ନେତାମାନଙ୍କ ମତାମତ ଲୋଡିଛନ୍ତି ରାହୁଲ ।

ସଭାରେ ଯୋଗ ଦେଇଥିବା ସମସ୍ତଙ୍କୁ ରାହୁଲ ଗାନ୍ଧୀ ଆପ ବା ମେଣ୍ଟ ସହିତ ମିଶି ହରିୟାଣାରେ ନିର୍ବାଚନ ଲଢିପାରିବେ ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଭୁପେନ୍ଦ୍ର ସିଂ ହୁଡା କହିଛନ୍ତି ଯେ ଆମ ଆଦମୀ ପାର୍ଟି ବହୁତ ସିଟ ମାଗୁଛି। ତିନିରୁ ଚାରିଟି ଆସନ ଦିଆଯାଇପାରେ, କିନ୍ତୁ ସେମାନଙ୍କର ଇଚ୍ଛା ବଡ଼, ତେଣୁ ମେଣ୍ଟ ଗଠନ କରିବା କଷ୍ଟକର। ରାହୁଲ ଗାନ୍ଧୀ ତଥାପି କହିଛନ୍ତି ଯେ ଇଣ୍ଡିଆ ମେଣ୍ଟ ଭୋଟ ଯେପରି ବିଭାଜିତ ନହୁଏ ସେଥିପାଇଁ ଆମେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ୍‌। ତୁମେମାନେ ଯାହା ସମ୍ଭବ ତାହା ଦେଖ।

ଗତ ଲୋକସଭା ନିର୍ବାଚନରେ ହରିୟାଣା, ଗୁଜରାଟ, ଗୋଆ, ଦିଲ୍ଲୀ ଓ ଚଣ୍ଡୀଗଡ଼ରେ ଏକାଠି ଲଢିଥିଲେ ଦୁଇ ଦଳ । କିଛି ଦିନ ତଳେ ଆପ୍ ସହ ମେଣ୍ଟ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ ବରିଷ୍ଠ କଂଗ୍ରେସ ନେତ୍ରୀ କୁମାରୀ ଶୈଳଜା । ରାଜ୍ଯରେ କଂଗ୍ରେସର ସ୍ଥିତି ଭଲ ଅଛି ଏବଂ ଦଳ ଏକାକୀ ନିର୍ବାଚନ ଲଢୁ ବୋଲି କହିଥିଲେ ଶୈଳଜା ।

ପୂର୍ବରୁ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜରିଓ୍ବାଲ କହିଥିଲେ ହରିୟାଣାର ସମସ୍ତ ୯୦ ଆସନରେ ଆପ୍ ଲଢିବ । ସେପଟେ ପୂର୍ବତନ ମୁଖ୍ଯମନ୍ତ୍ରୀ ଭୂପିନ୍ଦର ସିଂ ହୁଡା ଘରି ସମ୍ପଲା କିଲୋଇ ଆସନରୁ ଏବଂ ପିସିସି ସଭାପତି ଉଦୟଭାନ ହୋଦାଲ ଆସନରୁ ଲଢିବେ ବୋଲି ସୂଚନା ମିଳିଛି । ୯୦ ଆସନ ବିଶିଷ୍ଟ ହରିୟାଣାରେ ଆସନ୍ତା ଅକ୍ଟୋବର ୫ରେ ନିର୍ବାଚନ ହେବ ଏବଂ ୮ରେ ଗଣତି ହେବ ।

 

KBCକୁ ଆସିବା ପାଇଁ ୯୭ ଦିନ ଯାଏ କରିଥିଲେ ତପସ୍ୟା

ନନ୍ଦିଘୋଷ ବ୍ୟୁରୋ: ଶିକ୍ଷା ଏବଂ ମନୋରଞ୍ଜନର ରିୟାଲିଟି ଶୋ ଭିତରୁ କୌନ ବନେଗା କରୋଡପତି (କେବିସି) ଅନ୍ୟତମ । ଏହାକୁ ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଚନ ହୋଷ୍ଟ କରନ୍ତି । ବର୍ତ୍ତମାନ କୌନ୍ ବନେଗା କରୋଡପତି ସିଜିନ୍ ୧୬ ଚର୍ଚ୍ଚାରେ ରହିଛି । ପ୍ରତିଥର ପରି ଏଥର ବି ଅନେକ ପ୍ରତିଯୋଗୀଙ୍କ ଭାଗ୍ୟ ଖୋଲିବାକୁ ଯାଉଛି । କିନ୍ତୁ ଏହାରି ଭିତରେ ଜଣେ ପ୍ରତିଯୋଗୀଙ୍କ କାହାଣୀ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି ।କେବିସିର ଲାଟେଷ୍ଟ ଏପିସୋଡରେ ଦେଖିବାକୁ ମିଳିଥିଲା କିଛି ଅଦ୍ଭୁତ ।

ବିଗ ବି ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ ସିଟରେ ବସିଥିଲେ ଶ୍ରୀମ ଶର୍ମା । ନିଜ ମାଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ବହୁ କଠିନ ପରିଶ୍ରମ କରି ଶେଷରେ ଏହି ସୋରେ ପହଞ୍ଚିଛନ୍ତି  । ବିଗବିଙ୍କ ସାମ୍ନାରେ ବସିବା ପରେ ଭାବୁକ ହେଇପଡିଥିଲେ ଶ୍ରୀମ  । ଏକ କାହାଣୀ ଶୁଣାଇ ସେ କହିଲେକି ଶ୍ରୀମଙ୍କ ମାଆ ତାଙ୍କୁ କେବିସି ହଟ୍ ସିଟରେ ବସିବା ଦେଖିବାକୁ ଚାହୁଁଥିଲେ ଏବଂ ତାହା ଏବେ ସତ ହୋଇଛି ।ଏବେ ସେ ବହୁତ ଖୁସୀ । ତା ସହିତ ନିଜ ବିଷୟରେ ମଧ୍ୟ ଏକ କଥା କହିଥିଲେ ଯାହାକୁ ଶୁଣି ବିଗ ବି ତାଜୁବ ହେଇଯାଇଥିଲେ  ।

ଶ୍ରୀମ ପେଶାରେ ଜଣେ ଜ୍ୟୋତିଷ ହେଲେ ସେ କେବେବି ବିଶ୍ବାସ କରିନଥିଲେ କି ସେ କେବିସି ହଟସିଟରେ ବସିବେ । ସେ କେବିସି ୧୬କୁ ଆସିବା ଏବଂ ହଟ୍ ସିଟ୍‌ରେ ବସିବା ପାଇଁ ୯୭ ଦିନ ଯାଏ ବ୍ରତର ସଂକଳ୍ପ ନେଇଥିଲେ । ବ୍ରତ ସମୟରେ ଦୁଇବେଳେ ଖାଦ୍ୟକୁ ମଧ୍ୟ ସେ ତ୍ୟାଗ କରିଦେଇଥିଲେ ।  ତାଙ୍କ ମତରେ କିଛି ବଡ଼ ପାଇବା ପାଇଁ ହେଲେ କିଛି ବଡ଼ ତ୍ୟାଗ କରିବାକୁ ପଡ଼ିଥାଏ । ଏହା ଶୁଣିବା ପରେ ବିଗ ବି ତାଙ୍କ ବ୍ରତ ଭାଙ୍ଗିବା ପାଇଁ ଶ୍ରୀମଙ୍କୁ ତାଙ୍କ ମନପସନ୍ଦର ମିଠେଇ ରସମଲାଇ ଖୁଆଇ ତାଙ୍କ ବ୍ରତ ଭାଙ୍ଗିଥିଲେ ।

ଶ୍ରୀମ କହିଛନ୍ତି ଯେ ଭବିଷ୍ୟତରେ ସେ ଜଣେ କ୍ରିକେଟର ବି ହୋଇପାରିଥାନ୍ତେ, କ୍ରିକେଟରେ କ୍ୟାରିୟର କରିବାକୁ ଚାହୁଁଥିଲେ । କିନ୍ତୁ ଆଘାତ ଯୋଗୁଁ ଏବେ ସେ ଆଉ ଏହି ଖେଳ ଖେଳିପାରନ୍ତି ନାହିଁ । ଏଥିପାଇଁ ଜ୍ୟୋତିଷ କ୍ଷେତ୍ରରେ ଆଗକୁ ବଢିଲେ । ଶ୍ରୀମ କହିଛନ୍ତି, ‘ଶୋ’କୁ ଆସିବା ପାଇଁ ସେ କଠିନ ତପସ୍ୟା କରିଛନ୍ତି । ଯେତେବେଳେ ମୋତେ ଏଠାକୁ ଆସିବା ପାଇଁ କଲ୍ ଆସିଥିଲା, ସେବେଠାକୁ ୯୭ ଦିନ ଯାଏ ବ୍ରତ କରିବାକୁ ନିଷ୍ପତ୍ତି ନେଇଥିଲେ । ସେବେଠାରୁ ହଟ୍ ସିଟରେ ବସିବା ଯାଏ, ମୁଁ କେବଳ ଫଳ ହିଁ ଖାଇଛି ।’ ଶ୍ରୀମଙ୍କ ଏହି କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ପରେ ତାଳି ମାରିଥିଲେ । ଶ୍ରୀମଙ୍କ ଚୟନ ପରେ ତାଙ୍କ ମାଆ ଖୁସିରେ କାନ୍ଦି ପକାଇଥିଲେ ।

ସନ୍ଦିପ ଘୋଷ ଗିରଫକୁ ନେଇ ବଢୁଛି ପ୍ରଶ୍ନ !

କୋଲକତା: ଆରଜି କର ହସପିଟାଲର ପୂର୍ବତନ ଅଧ୍ଯକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି ସିବିଆଇ । ଏକ ଦୁର୍ନୀତି ମାମଲାରେ ସନ୍ଦୀପଙ୍କୁ ସିବିଆଇ ଗିରଫ କରିଛି । ଏକ ଟେଣ୍ଡର ଫିକ୍ସିଂ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣାରେ ବିବାଦକୁ ଆସିଥିଲେ ସନ୍ଦୀପ । ସନ୍ଦୀପ ମାମଲାକୁ ଚପାଇବାକୁ ଉଦ୍ୟମ କରିବା ସହ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ପ୍ରୟାସ କରିଥିବା ଅଭିଯୋଗ ହୋଇଛି । ସନ୍ଦୀପ ଘୋଷଙ୍କ ଗିରଫ ହେବାର ଏକ ଘଣ୍ଟା ମଧ୍ୟରେ ସିବିଆଇ ଅଧିକାରୀମାନେ ତାଙ୍କ ସୁରକ୍ଷାକର୍ମୀ ଏବଂ ଦୁଇ ଭେଣ୍ଡରଙ୍କୁ ଗିରଫ କରିଥିଲେ। ଯେଉଁମାନେ ଡାକ୍ତରଖାନାକୁ ଚୋରା ସାମଗ୍ରୀ ଯୋଗାଇଥିଲେ ।

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ ଗିରଫ ହୋଇଥିବା ୩ ଜଣଙ୍କ ମଧ୍ୟରେ ସନ୍ଦୀପ ଘୋଷଙ୍କ ସୁରକ୍ଷା କର୍ମୀ ଅଲି ଖାନ ଏବଂ ଦୁଇ ଡାକ୍ତରଖାନା ବିକ୍ରେତା ବିପ୍ଳବ ସିଙ୍ଗା ଏବଂ ସୁମନ ସାମିଲ ଅଛନ୍ତି। ଅଗଷ୍ଟ ୨୩ରେ କୋଲକତା ହାଇକୋର୍ଟ ସିବିଆଇକୁ ଡାକ୍ତରଖାନାରେ ଆର୍ଥିକ ଅନିୟମିତତା ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା।

ସନ୍ଦୀପ ଘୋଷଙ୍କ କାର୍ଯ୍ୟକାଳ ମଧ୍ୟରେ ଅନୁଷ୍ଠାନରେ ଆର୍ଥିକ ଦୁର୍ନୀତି ଅଭିଯୋଗର ଏକ (ଇଡି) ଅନୁସନ୍ଧାନ କରିବାକୁ ଅନୁଷ୍ଠାନର ପୂର୍ବତନ ଡେପୁଟି ସୁପରିଟେଣ୍ଡେଣ୍ଟ ଡାକ୍ତର ଅଖତର ଅଲି ଆବେଦନ କରିଥିଲେ। ଅଗଷ୍ଟ ୯ରେ ଆରଜି କର ହସ୍ପିଟାଲରେ ୩୧ବର୍ଷ ବୟସ୍କା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୋଗରେ ସନ୍ଦୀପ ଘୋଷଙ୍କୁ ସିବିଆଇର ସଲ୍ଟ ଲେକ କାର୍ଯ୍ୟାଳୟରେ ୧୫ଦିନ ଧରି ପଚରାଉଚରା କରାଯାଇଥିଲା। ପରେ ତାଙ୍କୁ କୋଲକାତାର ସିବିଆଇର ନିଜାମ ପ୍ୟାଲେସ କାର୍ଯ୍ୟାଳୟକୁ ନିଆଯାଇଥିଲା ଯେଉଁଠାରେ ଏଜେନ୍ସିର ଦୁର୍ନୀତି ନିବାରଣ ୱିଙ୍ଗ ଅବସ୍ଥିତ ଏବଂ ସେଠାରେ ତାଙ୍କୁ ଗିରଫ କରାଯାଇଥିଲା।

ଆରଜି କର ହତ୍ୟା ମାମଲା ୨୪ଦିନରେ ସନ୍ଦିପ ଘୋଷଙ୍କୁ ଗିରଫ କରାଯାଇଛି। ଏହାପୂର୍ବରୁ କୋଲକାତା ପୋଲିସର ନାଗରିକ ସ୍ବେଚ୍ଛାସେବୀ ସଞ୍ଜୟ ରୟଙ୍କୁ କୋଲକାତା ପୋଲିସ ଗିରଫ କରି ମେଡିକାଲ ଛାତ୍ରୀଙ୍କ ବଳାତ୍କାର ଓ ହତ୍ୟା ମାମଲାରେ କେନ୍ଦ୍ରୀୟ ଏଜେନ୍ସିକୁ ହସ୍ତାନ୍ତର କରିଥିଲା।

ସନ୍ଦୀପ ଘୋଷଙ୍କ ବିରୁଦ୍ଧରେ କେଉଁ କେଉଁ ଆରୋପ ଥିଲା :

*ଆରଜି କର ହସ୍ପିଟାଲରେ ହୋଇଥିବା ଦୁର୍ନୀତି ଏବଂ ମହିଳା ଡାକ୍ତରଙ୍କ ମୃତ୍ୟୁ ସହିତ କିଛି ସମ୍ପର୍କ ଥିଲା କି ?

*୧ବର୍ଷ ପୂର୍ବେ ସନ୍ଦୀପ ଘୋଷଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ହେଇଥିଲେ ମଧ୍ୟ କୌଣସି ପ୍ରମାଣ ମିଳିନଥିଲା କାହିଁକି ?

*ସନ୍ଦୀପ ମେଡିକାଲ ଜୈବ ବର୍ଜ୍ୟବସ୍ତୁ ଦୁର୍ନୀତି, ସରକାରୀ ପାଣ୍ଠିରୁ ଅର୍ଥ ହଡପ, ମୃତ ଶରୀର ବିକ୍ରି ଅଭିଯୋଗରେ ଜଡିତ

*କଲେଜରେ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରେଇବା ପାଇଁ ୫-୮ ଲକ୍ଷ ଟଙ୍କା ନେଉଥିଲେ ଲାଞ୍ଚ

ଏମର୍ଜେନ୍ସି ଲ୍ଯାଣ୍ଡିଂବେଳେ କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ନିଖୋଜ

ନନ୍ଦିଘୋଷ ବ୍ୟୁରୋ: କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ଏମର୍ଜେନ୍ସି ଲ୍ଯାଣ୍ଡିଂ ବେଳେ ଦୁର୍ଘଟଣା । ଏଥିରେ ୩ ଯାତ୍ରୀ ନିଖୋଜ ହେଇଥିବା ସୂଚନା। ଗୁଜରାଟ ପୋରବନ୍ଦର ନିକଟ ଆରବ ସାଗରରେ ଏକ ଟ୍ଯାଙ୍କରରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର ଲାଗି ନିୟୋଜିତ ହୋଇଥିଲା ହେଲିକପ୍ଟର। ହରିଲୀଳା ନାମକ ମୋଟର ଟ୍ଯାଙ୍କରରେ ଗୁରୁତର ଆହତ ଯାତ୍ରୀଙ୍କୁ ଉଦ୍ଧାର ଲାଗି ଗତକାଲି ରାତିରେ ନିୟୋଜିତ ହୋଇଥିଲା ଆଡଭାନ୍ସଡ ଲାଇଟ ହେଲିକପ୍ଟର। ପୋରବନ୍ଦରଠାରୁ ୪୫ କିଲୋମିଟର ଦୂରରେ ଘଟିଛି ଘଟଣା। ଉଦ୍ଧାର କାର୍ଯ୍ୟ ସମୟରେ ହେଲିକପ୍ଟରରେ ୪ ଜଣ ଥିଲେ ଏବଂ ଏହାର ଏମର୍ଜେନ୍ସି ଲ୍ଯାଣ୍ଡିଂ କରାଯାଇଥିଲା। ସେମାନଙ୍କ ମଧ୍ଯରୁ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ଯମାନଙ୍କୁ ଖୋଜିବା ପ୍ରକ୍ରିୟା ଜାରି ରହିଛି।

କାମ ବାହାନାରେ ଡକାଇ, ଚଳନ୍ତା କାରରେ ମଡେଲଙ୍କୁ ଗଣଦୁଷ୍କର୍ମ

ନନ୍ଦିଘୋଷ ବ୍ୟୁରୋ: ଦେଶରେ କୋଲକତା ଘଟଣାର ନିଆଁ ଲିଭିନଥିବା ବେଳେ ପୁଣି ଏକ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି  । ଚଳନ୍ତା କାରରେ ଜଣେ ମଡେଲଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରରାଯାଇଛି । ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଜଣେ ମଡେଲଙ୍କୁ ୪ଜଣ ଯୁବକ ଚଳନ୍ତା କାରରେ ଦୁଷ୍କର୍ମ କରିବା ସହିତ ହୋଟେଲରେ ଦୁଷ୍ମର୍ମ କରିଥିବା ପୀଡିତା ଜଣକ ଚିନହଟ ଥାନାରେ ଅଭିଯୋଗ କରିଛନ୍ତି । ଦେଶରେ ଚାରିଆଡୁ ମହିଳାଙ୍କ ସୁରକ୍ଷା ପାଇଁ ବିରୋଧ ପ୍ରଦର୍ଶନ ହେଉଥିଲେ ମଧ୍ୟ ଦୁଷ୍କର୍ମ ଥମିବାରେ ନାଁ ଧରୁନି ।

ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ସେ ପେଶାରେ ଜଣେ ମେଡାଲ ଏବଂ ଅଭିଯୁକ୍ତ ମାନେ ପୀଡିତାଙ୍କୁ ଫିଲ୍ମରେ କାମ ଦେବା ବାହାନାରେ ଡାକି ତାଙ୍କ ସହିତ ଦୁଷ୍କର୍ମ କରିଛନ୍ତି ।ଇନଷ୍ଟାଗ୍ରାମରେ ବିପିନ ସିଂ ନାମକ ଜଣେ ଯୁବକ ଯୁବତୀଙ୍କର ସାଙ୍ଗ ଥିଲେ । ଯୁବକ ଜଣଙ୍କ ମଡେଲଙ୍କୁ ଫିଲ୍ମ ଦେବା ବାହାନାରେ ଜଣେ ନିର୍ଦ୍ଦେଶକଙ୍କ ସହ ଭେଟ କରେଇଦେବା ପାଇଁ କାନପୁର ଡକେଇଥିଲେ । ଯୁବତୀଜଣକ କାନପୁରରୁ ଲକ୍ଷ୍ନୌ ତାଙ୍କୁ ଭେଟିବାକୁ ଯାଇଥିଲେ  । ଏହି ସମୟରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା ।

ଗାଡି ଓ କାରରେ କରାଯାଇଥିଲା ଦୁଷ୍କର୍ମ

ପୀଡିତା ଲକ୍ଷ୍ନୌ ପହଞ୍ଚିବା ପରେ ବିପିନ ତାଙ୍କ ପାଇଁ ଅପେକ୍ଷା କରିଥିଲା । ସେଠାରୁ ପୀଡିତାଙ୍କୁ ଏକ ସ୍ପର୍ପିଓ ଗାଡିରେ ବସାଇ ହୋଟେଲକୁ ନେଇଯାଇଥିଲେ । ଯୋଜନା ଅନୁଯାୟୀ ହୋଟେଲରେ ଏକ ଯୁବକ ଡାଇରେକ୍ଟର ହେଇ ତାଙ୍କ ସହ କଥାବାର୍ତ୍ତା ହେଇଥିଲେ । ଏହାପରେ ସମସ୍ତ ଅଭିଯୁକ୍ତ ତାଙ୍କୁ ଛାଡିବା ବାହାନାରେ କାରରେ ବସିଥିଲେ । ଯିବା ସମୟରେ ରାସ୍ତାରେ ପୀଡିତାଙ୍କୁ କିଛି ଶୁଂଘାଇ ବେହୋସ କରିବା ପରେ ତିନି ଅଭିଯୁକ୍ତ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ଏହାପରେ ପୁଣି ସେମାନେ ଯୁବତୀଙ୍କୁ ଏକ ହୋଟେଲକୁ ନେଇ ମଧ୍ୟ ଦୁଷ୍କର୍ମ କରିଥିଲେ । ଯେତେବେଳେ ଯୁବତୀଜଣକ ହୋସକୁ ଆସିଥିଲେ ସେତେବେଳେ ସେ ହୋଟେଲ ରୁମରେ ଥିବା ବେଳେ ତାଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ଥିଲା ।

ଦୁଇ ଅଭିଯୁକ୍ତ ଗିରଫ

ଏହାପରେ ପୀଡିତା କୌଶଳକ୍ରମେ ଥାନାରେ ପହଞ୍ଚି ମାମଲା ଦାଏର କରିଥିଲେ । ପରେ ପୋଲିସ ଏଫ୍ଆଇଆର୍ଗ୍ରହଣ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ତୃତୀୟ ଅଭିଯୁକ୍ତ ଫେରାର ଥିବା ବେଳେ ପୋଲିସ ଖୋଜିବାରେ ଲାଗିଛି ।

 

ତାଳଚେର ଖଣି ଉପନିର୍ଦ୍ଦେଶକ ଗିରଫ, ଅମାପ ସମ୍ପତ୍ତିର ଥିଲେ ମାଲିକ

ନନ୍ଦିଘୋଷ ବ୍ୟୁରୋ: ଗିରଫ ହେଲେ ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ । ଗତକାଲି ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରଣୀଧରଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ । ରେଡ ବେଳେ ଭୁବନେଶ୍ଵର ପଟିଆରେ ପ୍ରାୟ ଦେଢ଼ କୋଟିର 3 BHK ଫ୍ଲାଟ, ସୁନ୍ଦରପଦାରେ ୧୮୦୦ ବର୍ଗ ଫୁଟ୍ ର ଡୁପ୍ଲେକ୍ସ, କେନ୍ଦୁଝର ତେଲକୋଇରେ ଦୁଇ ମହଲା ବିଶିଷ୍ଟ ମାର୍କେଟ କଂପ୍ଲେକ୍ସ ଠାବ ହୋଇଥିଲା । ମାର୍କେଟ କଂପ୍ଲେକ୍ସରେ ଅଛି ୧୫ଟି ଦୋକାନ। ତା ଉପରେ ଆଉ ଏକ ମାର୍କେଟ କଂପ୍ଲେକ୍ସ ଅଛି, ଏଥିରେ ଅଛି ୪ଟି ଦୋକାନ। ତେଲକୋଇ ବଡ଼ିନାଳିରେ ନିର୍ମାଣାଧୀନ ଦୁଇ ମହଲା କୋଠା, ତେଲକୋଇ ଛାମୁଣ୍ଡାରେ ଗୋଟିଏ ବିଲଡିଂ, ଭୁବନେଶ୍ଵରର ପ୍ରାଇମ୍ ଲୋକେସନରେ ୨ଟି ଓ ତେଲକୋଇରେ ୭ଟି ପ୍ଲଟ । ଏହା ସହିତ ମିଳିଥିଲା ନଗଦ ୧୦ ଲକ୍ଷ ଟଙ୍କା । ୨୦୨୨ରେ ସେ ୭୫ ଲକ୍ଷ ଟଙ୍କାର ଲୋନ୍ ନେଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ଦୁଇ ବର୍ଷ ଭିତରେ ସେହି ଋଣ ସେ ସୁଝି ଦେଇଥିଲେ ଧରଣୀଧର । ବେଆଇନ ଭାବେ ଆୟ କରିଥିବା ଟଙ୍କାରୁ ସେ ଏହି ଋଣ ସୁଝିଥିବାରୁ ଅନୁମାନ କରାଯାଉଛି। ଏହା ସହିତ ବ୍ୟାଙ୍କ, ବୀମା, ପୋଷ୍ଟାଲ ଜମାର ଆକଳନ କରାଯାଇଛି । ଗୋଟିଏ ଚାରି ଚକିଆ ଗାଡ଼ି ମଧ୍ୟ ଜବତ ହୋଇଛି। ଧରଣୀଧର ନାୟକ ଆୟବହିର୍ଭୁତ ସଂପତ୍ତି ଠୁଳ କରିବା ଅଭିଯୋଗରେ ଭୁବନେଶ୍ଵର, ତାଳଚେର, ତେଲକୋଇ, କେନ୍ଦୁଝରର ୮ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ। ନିଜ ବାସଭବନ, ପୈତୃକ ଘର, ଅଫିସ ସମେତ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ।