spot_img
Home Blog Page 17

ନେତାନ୍ୟାହୁଙ୍କ ହାତରୁ ଖସୁଛି ଇସ୍ରାଏଲ!

ନନ୍ଦିଘୋଷ ବ୍ୟୁରୋ: ନେତାନ୍ୟାହୁଙ୍କ ହାତରୁ ଖସୁଛି କି ଇସ୍ରାଏଲ୍। ୮୦ ପ୍ରତିଶତରୁ ଅଧିକ ଭୋଟ ଗଣତି ସରିଥିଲେ ବି ତାଙ୍କୁ ସ୍ପଷ୍ଟ ବହୁମତ ମିଳିନାହିଁ। ଝୁଲା ସଂସଦ ସ୍ଥିତି ସୃଷ୍ଟି ହୋଇଛି। ସରକାର ଗଠନ ନେଇ ଦେଖା ଦେଇଛି ଅନିଶ୍ଚିତତା। ପ୍ରାରମ୍ଭିକ ଫଳାଫଳ ଅନୁସାରେ ରାଜନୈତିକ ଅଚଳାବସ୍ଥାର ସଙ୍କେତ ଦେଉଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଓ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ତଥା ପୂର୍ବତନ ସାମରିକ ମୁଖ୍ୟ ଗାଦି ଆଇଜେନକୋଟ୍‌ଙ୍କ ମେଣ୍ଟ ମଧ୍ୟରୁ କେହି ବି ସରକାର ଗଠନ ପାଇଁ ଆବଶ୍ୟକ ୬୧ ଆସନ ହାସଲ କରିବା ସ୍ଥିତିରେ ନାହାନ୍ତି।

ଇସ୍ରାଏଲ୍‌ର ୧୨୦ ଆସନ ବିଶିଷ୍ଟ ସଂସଦ ‘ନେସେଟ୍‌’ରେ ସରକାର ଗଠନ ପାଇଁ ଅତି କମ୍‌ରେ ୬୧ ଆସନ ଆବଶ୍ୟକ। ନେତାନ୍ୟାହୁଙ୍କ ଦକ୍ଷିଣପନ୍ଥୀ ମେଣ୍ଟ ପ୍ରାୟ ୫୪ ଆସନ ପାଉଛି। ବିରୋଧୀ ମେଣ୍ଟ ୪୭ରୁ ୪୯ ଆସନ ପାଇବା ଆକଳନ କରାଯାଇଛି। ଆରବ ଦଳଗୁଡ଼ିକ ପ୍ରାୟ ୧୭ ଆସନ ପାଇପାରନ୍ତି। ତେବେ ନେତାନ୍ୟାହୁ ନିଜ ଦଳର ପ୍ରଦର୍ଶନକୁ ନେଇ ଆତ୍ମବିଶ୍ୱାସ ଦେଖାଇଛନ୍ତି ଓ ଦକ୍ଷିଣପନ୍ଥୀ ସରକାର ଗଠନ ପାଇଁ ଆହ୍ୱାନ ଦେଇଛନ୍ତି। ସେପଟେ ପରିବର୍ତ୍ତନ ଆଶାରେ ବିରୋଧୀ ମେଣ୍ଟର ନେତା ଗାଦି ଆଇଜେନକୋଟ କହିଛନ୍ତି, ଜନସାଧାରଣ ପରିବର୍ତ୍ତନ ସପକ୍ଷରେ ମତଦାନ କରିଛନ୍ତି। ଇସ୍ରାଏଲ୍‌ରେ ଏକ ନୂଆ ରାଜନୈତିକ ଯୁଗର ଆରମ୍ଭ କରିପାରେ। ଏହି ନିର୍ବାଚନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଆରବ ସମ୍ପ୍ରଦାୟର ପ୍ରତିନିଧିତ୍ୱ ବୃଦ୍ଧି। ଜଏଣ୍ଟ ଲିଷ୍ଟ ଓ ରାମ୍‌ (Ra’am) ଭଳି ଦଳ ମିଳିତ ଭାବେ ୧୭ରୁ ୧୯ ଆସନ ପାଇବା ଆକଳନ କରାଯାଉଛି।

ଇସ୍ରାଏଲ୍‌ର ରାଜନୀତିରେ ଏହା ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣାୟକ ଶକ୍ତିରେ ପରିଣତ କରିପାରେ। ଇସ୍ରାଏଲରେ ଏଥର ୭୭.୭ ପ୍ରତିଶତ ମତଦାନ ହୋଇଛି, ଏହା ୧୯୯୯ ପରଠାରୁ ସର୍ବାଧିକ। ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପରେ ରାଷ୍ଟ୍ରପତି ଆଇଜାକ ହର୍ଜୋଗ ସବୁ ଦଳ ସହିତ ଆଲୋଚନା କରି ସରକାର ଗଠନ ପାଇଁ ସବୁଠୁ ଅଧିକ ସମ୍ଭାବନା ଥିବା ନେତାଙ୍କୁ ଆମନ୍ତ୍ରଣ କରିବେ। ନିର୍ଦ୍ଧାରିତ ସମୟ ମଧ୍ୟରେ ବହୁମତ ଯୋଗାଡ଼ ହୋଇନପାରିଲେ, ପୁନର୍ବାର ନିର୍ବାଚନ ହୋଇପାରେ।

ରାଜପଥ ପାଲଟିଛି ମୃତ୍ୟୁପଥ, ଅଢେଇ ବର୍ଷରେ ଗଲାଣି ୮୦ରୁ ଅଧିକ ଜୀବନ

ନନ୍ଦିଘୋଷ ବ୍ୟୁରୋ: ରାଜପଥ ପାଲଟିଛି ମୃତ୍ୟୁପଥ । ପାଦେ ପାଦେ ଜଗି ରହିଛି ବିପଦ । ମରଣଯନ୍ତା ପାଲଟିଛି ୫୩ ନମ୍ବର ଜାତୀୟ ରାଜପଥ । ଚଣ୍ଡିଖୋଲ ଠାରୁ ପାରାଦୀପ ଯାଏଁ ମାଳମାଳ ଟ୍ରକ୍ ରାସ୍ତା କଡ଼ରେ ପାର୍କିଂ ହେଉଛି, ଫଳରେ ଟ୍ରାଫିକ୍ ସମସ୍ୟା ସହ ବହୁ ଦୁର୍ଘଟଣା ଘଟୁଥିବା ନଜର ଆସିଛି ।

ସୂଚନା ଅନୁଯାୟୀ, ଗତ ଅଢେଇ ବର୍ଷ ଭିତରେ ୮୦ରୁ ଉର୍ଦ୍ଧ୍ଵ ଲୋକଙ୍କ ଜୀବନ ଯାଇଛି । ଦୈନିକ କିଛି ନା କିଛି ଦୁର୍ଘଟଣା ଘଟୁଛି । ହେଲେ ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହୋଇଛି । ୩ ନମ୍ବର ଜାତୀୟ ରାଜପଥ ଦେଇ ଦୈନିକ ହଜାର ହଜାର ଗାଡ଼ି ମଟର ଯାଆସ କରୁଛି । ହେଲେ ଏହି ରାସ୍ତା ପାଲଟିଛି ବେଆଇନ ପାର୍କିଂର ଆଡ୍ଡାସ୍ଥଳ । ଖାଲି ସେତିକି ନୁହେଁ, ବର୍ତ୍ତମାନ ରାସ୍ତାର ସଂପ୍ରସାରଣ ଚାଲିଛି । ହେଲେ ଆବଶ୍ୟକୀୟ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇନଥିବାରୁ ବରମ୍ବାର ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ରାଜପଥରୁ ବେଆଇନ ପାର୍କିଂ ହଟାଇବା ସହ ନିୟମତି ଯାଞ୍ଚ କରାଯାଉ ବୋଲି ବୁଦ୍ଧିଜୀବୀ ଦାବି କରିଛନ୍ତି । କେବେ ପ୍ରଶାସନର ନିଦ ଭାଙ୍ଗୁଛି ? କେବେ ୫୩ ନମ୍ବର ଜାତୀୟ ରାଜପଥରୁ ହଟୁଛି ବେଆଇନ ପାର୍କିଂ ? ତାହା ଦେଖିବାକୁ ବାକି ରହିଲା ।

ଅଲୋଡ଼ା ଅବସ୍ଥାରେ କୋଟି କୋଟି ଟଙ୍କାରେ ର୍ନିମିତ ମାର୍କେଟ କମ୍ପ୍ଲେକ୍ସ ଓ ଭେଣ୍ଡିଂ ଜୋନ୍

ନନ୍ଦିଘୋଷ ବ୍ୟୁରୋ: କୋଟି କୋଟି ଟଙ୍କାରେ ର୍ନିମାଣ ହେଲା ମାର୍କେଟ କମ୍ପ୍ଲେକ୍ସ ଓ ଭେଣ୍ଡିଂ ଜୋନ୍ । ହେଲେ ନିର୍ମାଣର ଏତେ ବର୍ଷ ପରେ ବି ଉଦଘାଟନ ହୋଇପାରୁନଥିବା ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ପ୍ରକଳ୍ପ ସବୁ ଶୋଚନୀୟ ଅବସ୍ଥାରେ ପହଞ୍ଚିଛି । କାମରେ ଲାଗୁନି କଟକ ସହରର ବିଭିନ୍ନ ଅଂଚଳରେ ଛୋଟ ବଡ଼ ବ୍ୟବସାୟୀଙ୍କ ପାଇଁ ନିର୍ମାଣ ହୋଇଥିବା ବଡ଼ ବଡ଼ ମାର୍କେଟ କମ୍ପ୍ଲେକ୍ସ ଓ ଏକାଧିକ ଭେଣ୍ଡିଂ ଜୋନ ।

ସୂଚନା ଅନୁଯାୟୀ, କଟକ ସହରର ସିଡିଏ ୯ ନମ୍ବରରେ ଦୁଇ ମାସ ତଳେ ମିଲେନିୟମ୍ ସିଟି ମାର୍କେଟ କମ୍ପ୍ଲେକ୍ସ ନାମରେ ଏକ ସୁନ୍ଦର ମାର୍କେଟ କମ୍ପ୍ଲେକ୍ସ ଉଦଘାଟିତ ହୋଇଥିଲା। ଆଉ ଦୁଇ ମାସ ପରେ ଏହା କୌଣସି କାମରେ ଆସୁନି ।  ସେହିଭଳି ସିଡିଏ ୮ ନମ୍ବର ଗଡା ଭେଣ୍ଡିଂ ଜୋନ, କେଶରପୁର ଭେଣ୍ଡିଂ ଜୋନ, ମେରିଆ ବଜାର ଭେଣ୍ଡିଂ ଜୋନ, ମାତାମଠ ଭେଣ୍ଡିଂ ଜୋନ, ମାତୃଭବନ ସାମନା ଭେଣ୍ଡିଂ ଜୋନ ଭଳି ୭-୮ ଟି କମ୍ପ୍ଲେକ୍ସ ଚାରି ଛଅ ମାସ ହେବ ଉଦଘାଟିତ ହୋଇ ଧୂଳି ଖାଉଛି । କୋଟି କୋଟି ଟଙ୍କା ବ୍ୟୟବରାଦ ରେ କାମ ସରିଥିଲେ ସୁଦ୍ଧା ଏବେ ଏ ସବୁ କି କାମରେ ଲାଗୁଛି ବୋଲି ଲୋକ ପ୍ରଶ୍ନ ଉଠାଇଛନ୍ତି। ସେପଟେ ସଠିକ ବ୍ୟବସାୟୀଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ପାଇଁ ଟିକେ ବିଳମ୍ବ ହେଉଛି ବୋଲି କଟକ ମେୟର କହିଛନ୍ତି । ସେ ଆଉ କହିଛନ୍ତି, ‘ଦୋକାନ ଓ ଭେଣ୍ଡିଂ ଜୋନ ଠିକ୍ ବ୍ୟବସାୟୀ ପାଆନ୍ତୁ ବୋଲି ଲକ୍ଷ୍ୟ ରହିଛି । ଏବେ ଫୁଡକୋର୍ଟ ଖୋଲି ଭଲରେ ଚାଲିଛି । ରାଣୀହାଟ ମାର୍କେଟ କମ୍ପ୍ଲେକ୍ସ ବଣ୍ଟନ ଆରମ୍ଭ ହୋଇଛି । ଟିକେ ସମୟ ଲାଗୁଛି, ସବୁ ଶୀଘ୍ର ଖୋଲିଯିବ’।

ତେବେ ମାର୍କେଟ କମ୍ପ୍ଲେକ୍ସ ହେଉ ବା ଭେଣ୍ଡିଂ ଜୋନ, ବନ୍ଦ ପଡିଲେ ସବୁ ନଷ୍ଟଭ୍ରଷ୍ଟ ହୋଇଯିବ। ପ୍ରଶାସନ ଏନେଇ ଦୃଷ୍ଟି ଦେଲେ ବ୍ୟସାୟୀ ଉପକୃତ ହୋଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି ।

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ମହଙ୍ଗା ଭତ୍ତା ୩% ବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। ଦୀପାବଳି ପୂର୍ବରୁ ନିଜର କର୍ମଚାରୀଙ୍କୁ ବଡ଼ ଭେଟି ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ପୁଣି ୩ ପ୍ରତିଶତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ମହଙ୍ଗା ଭତ୍ତା ବା ଡିଏ ୩ ପ୍ରତିଶତ ବୃଦ୍ଧି ସଂକ୍ରାନ୍ତ ପ୍ରସ୍ତାବ ଉପରେ କେନ୍ଦ୍ର କ୍ୟାବିନେଟ୍ ମୋହର ମାରିଛି। ଏହାପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨ ପ୍ରତିଶତ ବଢ଼ିଥିଲା। ଦେଶରେ ଦେଖା ଯାଇଥିବା ମହାଙ୍ଗା ମାଡ଼ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବର୍ଷକ ମଧ୍ୟରେ ଦୁଇ ଥର ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ପୂର୍ବରୁ ସେମାନଙ୍କୁ ୫୮% ଡିଏ ମିଳୁଥିଲା। ଏହା ଏପ୍ରିଲରେ ୬୦% ଓ ଏବେ ୬୩% ହୋଇଯାଇଛି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ୧ରୁ ପିଛିଲା ଭାବେ ଲାଗୁ ହେବ।

ସରକାରଙ୍କୁ ଏଥିପାଇଁ ବାର୍ଷିକ ଅଧିକ ୧୦ ହଜାର ୧୬ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ବର୍ଦ୍ଧିତ ମହଙ୍ଗା ଭତ୍ତା କେବଳ ବେତନଭୋଗୀ ନୁହନ୍ତି, ବରଂ ପେନସନଧାରୀଙ୍କ ପାଇଁ ମଧ୍ୟ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପ୍ରାୟ ୧ କୋଟି କର୍ମଚାରୀ ଓ ପେନସନଧାରୀଙ୍କୁ ଫାଇଦା ଦେବ। କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩% ବୃଦ୍ଧି ପାଇବାର ଅର୍ଥ ଲେଭଲ ୧ର କର୍ମଚାରୀମାନେ ଏଣିକି ୧୧,୩୪୦ ଟଙ୍କା ପାଇବେ। ୬୦% ମହଙ୍ଗା ଭତ୍ତା ହିସାବରେ ସେମାନଙ୍କୁ ୧୦,୮୦୦ ଟଙ୍କା ମିଳୁଥିଲା। ଏବେ ସେମାନେ ଅଧିକ ୫୪୦ ଟଙ୍କା ମହଙ୍ଗା ଭତ୍ତା ଆକାରରେ ପାଇବେ

ଦ୍ବିତୀୟ ସ୍ଥାନକୁ ଖସିଲେ ଜାଡେଜା, ICC ଅଲରାଉଣ୍ତର ରାଙ୍କିଂରେ ନମ୍ବର ୧ ମାର୍କୋ ଜନସେନ୍

ନନ୍ଦିଘୋଷ ବ୍ୟୁରୋ: ଦୀର୍ଘ ୪ ବର୍ଷ ପରେ ଆଇସିସି ଟେଷ୍ଟ ଅଲରାଉଣ୍ତର ରାଙ୍କିଂରେ ସରିଲା ରବିନ୍ଦ୍ର ଜାଡେଜାଙ୍କ ରାଜୁତି । ଟିମ୍ ଇଣ୍ତିଆ ଅଲରାଉଣ୍ତର ଜାଡେଜାଙ୍କୁ ପଛରେ ପକାଇ ଆଇସିସି ଟେଷ୍ଟ ଅଲରାଉଣ୍ତର ରାଙ୍କିଙ୍ଗର ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି ଦକ୍ଷିଣ ଆଫ୍ରିକାର ମାର୍କୋ ଜନସେନ୍ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ ଫଳରେ ପ୍ରଥମ ଥର ପାଇଁ ବିଶ୍ୱର ନମ୍ବର ୱାନ୍ ବୋଲର ସହ ଟେଷ୍ଟ କ୍ରିକେଟରେ ନମ୍ବର ୱାନ୍ ଅଲରାଉଣ୍ଡର ହେବାର ଗୌରବ ହାସଲ କରିଛନ୍ତି ମାର୍କୋ ଜନସେନ୍ ।

ସୂଚନା ଅନୁଯାୟୀ, ଜାଡେଜା ୪୨୨ ରେଟିଂ ପଏଣ୍ଟ ସହ ଟପ-୧୦ର ଦ୍ବିତୀୟ ସ୍ଥାନକୁ ଖସିଥିବା ବେଳେ ୪୫୧ ପଏଣ୍ଟ ସହ ଏକ ନମ୍ବର ସ୍ଥାନରେ ପହଁଞ୍ଚିଛନ୍ତି ମାର୍କୋ ଜନସେନ୍ । ତାଲିକାରେ ତୃତୀୟ ସ୍ଥାନରେ ବାଂଲାଦେଶର ମେହିଦି ହାସନ ମିରାଜ୍ ରହିଥିବା ବେଳେ ଚତୁର୍ଥରେ ଓ୍ଵିୟାନ୍ ମୁଲଡୋର ଓ ପଞ୍ଚମରେ ମିଚେଲ୍ ଷ୍ଟାର୍କ ରହିଛନ୍ତି। ଭାରତୀୟ ଖେଳାଳି ଭାବେ ଓ୍ଵାଶିଂଟନ ସୁନ୍ଦର ଟପ୍-୧୦ରେ ରହିଛନ୍ତି । ଏହି ବାମହାତୀ ଅଲରାଉଣ୍ଡର ୨୩୪ ରେଟିଂ ପଏଣ୍ଟ ସହ ସପ୍ତମ ସ୍ଥାନରେ ଅଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକାର ସାଇମନ ହାର୍ମର ଟପ୍-୧୦ରେ ଏଣ୍ଟ୍ରି କରିଛନ୍ତି । ତାଲିକାର ୧୫ଟି ସ୍ଥାନରେ ଥିବା ସାଇମନ ହାର୍ମର ୨୨୮ ରେଟିଂ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି।

ପ୍ରକାଶ ଥାଉ କି,  ଦକ୍ଷିଣ ଆଫ୍ରିକାର ଏହି ଦ୍ରୁତ ବୋଲର ଏବେ କେବଳ ଟେଷ୍ଟ ଅଲରାଉଣ୍ଡର ରାଙ୍କିଙ୍ଗରେ ନୁହେଁ ବରଂ ଟେଷ୍ଟ ବୋଲିଂ ରାଙ୍କିଙ୍ଗରେ ମଧ୍ୟ ଶୀର୍ଷରେ ପହଞ୍ଚିଛନ୍ତି। ଜନସେନ୍ ପାଞ୍ଚଟି ସ୍ଥାନ ଉପରକୁ ଉଠି ନମ୍ବର ୱାନ୍ ଟେଷ୍ଟ ବୋଲର ହୋଇଛନ୍ତି। ଫଳରେ ମିଚେଲ୍ ଷ୍ଟାର୍କଙ୍କ ରାଜତ୍ୱର ଅନ୍ତ ହୋଇଛି । ମିଚେଲ୍ ଏବେ ଦ୍ୱିତୀୟ ସ୍ଥାନକୁ ଖସି ଯାଇଛନ୍ତି।

 

 

ଧମାକାଦାର ଶତକ ପରେ ପୁଣି ନମ୍ବର ଓ୍ବାନ୍ ସ୍ଥାନରେ ଅଭିଷେକ ଶର୍ମା

ଧମାକାଦାର ଶତକ ପରେ ପୁଣି ନମ୍ବର ଓ୍ବାନ୍ ସ୍ଥାନରେ ଅଭିଷେକ ଶର୍ମା

ନନ୍ଦିଘୋଷ ବ୍ୟୁରୋ: ଓ୍ବେଲିଂଟନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଧମାକାଦାର ଶତକ ପରେ ଆଇସିସି ଟି-୨୦ ପୁରୁଷ ଇଣ୍ଟରନ୍ୟାସନାଲ ବ୍ୟାଟର ତାଲିକାରେ ପୁଣି ଏକ ନମ୍ବର ସ୍ଥାନକୁ ଫେରିଲେ ଭାରତର ବିସ୍ଫୋରକ ଓପ୍ନର ଅଭିଷେକ ଶର୍ମା । ମଙ୍ଗଳବାର ଖେଳା ଯାଇଥିବା ତୃତୀୟ ଟି-୨୦ରେ ଅଭିଷେକ ୩୮ ବଲରେ ୧୧୩ ରନ୍ କରିଥିଲେ । ୩୫ ବଲରେ ଅଭିଷେକ ଶତକ ପୂରା କରିଥିବା ବେଳେ ଭାରତ ଏହି ମ୍ୟାଚକୁ ୬ ଓ୍ବିକେଟରେ ଜିତି ୫ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ହାତେଇ ନେଇଛି । ଗୋଟିଏ ପଟେ ଅଭିଷେକ ଏକ ନମ୍ବରକୁ ଫେରିଥିବା ବେଳେ ଅଧିନାୟକ ଶ୍ରୀୟସ ଆୟର ୪ଟି ସ୍ଥାନ ତଳକୁ ଖସି ୯ମ ସ୍ଥାନକୁ ଚାଲି ଆସିଛନ୍ତି ।

ଇଶାନ କିଶନଙ୍କୁ ହଟାଇଲେ ଅଭିଷେକ

ଅଭିଷେକଙ୍କ ଏହି ଶତକ ପରେ ରାକିଂରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଅଭିଷେକ ନିଜ ସହ ଖେଳାଳି ଇଶାନ କିଶନଙ୍କୁ ହଟାଇ ଏକ ନମ୍ବର ସ୍ଥାନକୁ ଆସିଛନ୍ତି । ଆୟରଲାଣ୍ଡ ବିପକ୍ଷରେ ଶତକ ହାସଲ କରିବା ପରେ ଇଶାନ ଏକ ନମ୍ବର ସ୍ଥାନକୁ ଆସିଥିଲେ । ଏବେ ଇଶାନ କିଶାନ ତୃତୀୟ ସ୍ଥାନକୁ ଖସି ଯାଇଥିବା ବେଳେ ପାକିସ୍ତାନର ସାହିବଜାଦା ଫରହାନ ଦ୍ବିତୀୟ ସ୍ଥାନକୁ ଉଠିଛନ୍ତି । ୨୦୨୫ ଜୁଲାଇରେ ଅଭିଷେକ ଏହି ଫର୍ମାଟରେ ପ୍ରଥମ ଥର ପ୍ରଥମ ସ୍ଥାନକୁ ଆସିଥିଲେ । ଆଉ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ଏହି ସ୍ଥାନରେ ରହି ନିଜ ଦବଦବା ଦେଖାଇଥିଲେ । ତେବେ ବର୍ଷ ଆଣମ୍ଭରେ ଟି-୨୦ ବିଶ୍ବକପରେ ଇଶାନ କିଶାନ ଭଲ ପ୍ରଦର୍ଶନ କରି ଏକ ନମ୍ବର ସ୍ଥାନକୁ ଚାଲି ଆସିଥିଲେ ।

ସ୍ପେନରେ ଟ୍ରେନ୍ ଦୁର୍ଘଟଣା: ୪୬ ମୃତ, ଆହୁରି ବଢିପାରେ ମୃତ୍ୟୁ ସଂଖ୍ୟା!

ନନ୍ଦିଘୋଷ ବ୍ୟୁରୋ: ସ୍ପେନରେ ଟ୍ରେନ୍ ଦୁର୍ଘଟଣା । ରାଜଧାନୀ ମାଡ୍ରିଡ୍‌କୁ ଦକ୍ଷିଣ ଆଣ୍ଡାଲୁସିଆ ଅଞ୍ଚଳକୁ ସଂଯୋଗ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ରେଳ ଲାଇନରେ ଦୁଇଟି ଦ୍ରୁତଗାମୀ ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୪୬ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଉଦ୍ଧାରକାରୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ସ୍ଥାନୀୟ ସମୟ ସକାଳ ୯ଟା। ହଠାତ୍‌ ମୋରା ଓ ଓରଗାଜ ନିକଟ ସହରରେ ଦେଇ ଯାଇଥିବା ରେଳ ଟ୍ରାକ୍‌ରେ ଘଟିଥିଲା ଅଘଟଣ। ରେନଫେ ଓ ଇରୟୋ ନାମକ ଦୁଇଟି ହାଇସ୍ପିଡ ଟ୍ରେନ ପରସ୍ପର ସହ ପିଟି ହୋଇ ଯାଇଥିଲେ।

ସୂଚନା ଅନୁଯାୟୀ, ୧୪୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଇରୟୋ ଟ୍ରେନ୍ ଓ ୩୯୭ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ରେନଫେରେ ଟ୍ରେନ୍ ପରସ୍ପର ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଫଳରେ ୧୭୯ ଜଣ ଆହତ ହୋଇଥିବା ବେଳେ ୪୬ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଇଛି । ଟୋଲେଡୋ, ଆଲକଜାର ଡେ ସାନ ଜୁଆନ ଓ କ୍ୟୁଡାଡ଼ ରିୟ ଭଳି ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଚାଲିଛି। ଦୁର୍ଘଟଣା ପରେ ମାଡ୍ରିଡ-ଆଣ୍ଡାଲୁସିଆ ହାଇସ୍ପିଡ୍‌ ରେଳ ଧାରଣାରେ ସମସ୍ତ ଟ୍ରେନ୍ ଚଳାଚକୁ ବନ୍ଦ କରାଯାଇଛି।

ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ଘଟଣାରେ ଶୋକ ପ୍ରକାଶ କରିବା ସହ ସ୍ଥାନୀୟ ସରକାର ଓ ପରିବହନ ମନ୍ତ୍ରୀଙ୍କୁ ଘଟଣାର ଯାଞ୍ଚ କରିବାକୁ କହିଛନ୍ତି। ଦୁର୍ଘଟଣାରେ ପ୍ରଭାବିତ ଲୋକ ଓ ସେମାନଙ୍କ ପରିବାର ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି। ଦୁର୍ଘଟଣା ଯୋଗୁଁ ଉଭୟ ଟ୍ରେନ୍‌ ର ବ୍ୟାପକ କ୍ଷତି ହୋଇଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡ଼ିଓ ଓ ଫଟୋରୁ ଦୁର୍ଘଟଣାର ଭୟାବହତା ସ୍ପଷ୍ଟ ବାରି ହୋଇପଡୁଛି ।

ଷ୍ଟକ ମାର୍କେଟରେ ଜିଓ ପ୍ଲାଟଫର୍ମସର ଐତିହାସିକ ଲିଷ୍ଟିଂ; ୭୯.୮ ଲକ୍ଷ ସେୟାରଧାରୀଙ୍କ କଲା ପ୍ରବେଶ

ନନ୍ଦିଘୋଷ ବ୍ୟୁରୋ: ଷ୍ଟକ ମାର୍କେଟରେ ଜିଓ ପ୍ଲାଟଫର୍ମସର ଲିଷ୍ଟିଂ ହୋଇଯାଇଛି । ଏହି ଅବସରରେ ସେୟାରଧାରୀଙ୍କୁ ସ୍ବତନ୍ତ୍ର ବାର୍ତ୍ତା ଦେଇ ଈଶା ଅମ୍ବାନୀ ୧୯୭୭ ଆଇପିଓକୁ ମନେ ପକାଇ ଭାବପ୍ରବଣ ହୋଇଥିଲେ । କାରଣ ଆଜି ଐତିହାସିକ ଲିଷ୍ଟିଂରେ ଜିଓ ୭୯.୮ ଲକ୍ଷ ସେୟାରଧାରୀଙ୍କ ସହିତ ଷ୍ଟକ ମାର୍କେଟରେ ପ୍ରବେଶ କରିଛି । ୧୯୭୭ରେ ଧୀରୁଭାଇ ଅମ୍ବାନୀ ରିଲାଏନ୍ସର ପ୍ରଥମ ପବ୍ଲିକ ଅଫରିଂ ମାଧ୍ୟମରେ ରିଲାଏନ୍ସକୁ ସାଧାରଣ ଭାରତୀୟଙ୍କ ପାଖରେ ପହଞ୍ଚାଇଥିଲେ । ଯାହା ୧୦ କୋଟି ଟଙ୍କାର ମୂଲ୍ୟାୟନରେ ୨.୮୨ କୋଟି ଟଙ୍କା ସଂଗ୍ରହ କରିଥିଲା ।

 

ପ୍ରାୟ ୫୦ ବର୍ଷ ପରେ ଜିଓ ୭୯.୮ ଲକ୍ଷ ସେୟାରଧାରୀଙ୍କ ସହିତ ଷ୍ଟକ ବଜାରରେ ପ୍ରବେଶ କରିଛି । ଏହା ଭାରତୀୟ କମ୍ପାନୀମାନଙ୍କ ମଧ୍ୟରେ ସର୍ବାଧିକ ବୋଲି ଜଣାପଡିଛି । ସେପଟେ ଜିଓ ଏହି ବର୍ଷ ପ୍ରାୟ ୧୫.୫ ବିଲିୟନ ଡଲାର ରାଜସ୍ବ ଏବଂ ପ୍ରାୟ ୮ ବିଲିୟନ ଡଲାର ଆୟ କରିଛି । ଜିଓ ପ୍ଲାଟଫର୍ମର ପରିଚାଳନା ନିର୍ଦ୍ଦେଶକ ଆକାଶ ଆମ୍ବାନୀ କମ୍ପାନୀ ୩୦ ହଜାର ୨୧୩ କୋଟି ଟଙ୍କାର ଆଇପିଓଙ୍କ ପାଇଁ ନିବେଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗତ ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ନିବେଶକମାନଙ୍କ ପାଇଁ ୩୦ ହଜାର ୨୧୩ କୋଟି ଟଙ୍କା ମୂଲ୍ୟର ଏହି ଆଇପିଓ ପାଇଁ ଆବେଦନ ଖୋଲାଯାଇଥିଲା । ୨୬ ତାରିଖରେ ନିବେଶକଙ୍କୁ ସେୟାର ଆବଣ୍ଟନ କରାଯାଇଛି ।

https://x.com/TelecomTalk/status/2115327104837636255/video/1?t=27

 

 

ବାତ୍ୟା ‘ଅର୍ଣ୍ଣବ’ର ଲ୍ୟାଣ୍ଡଫଲ୍, ରଚିଲା ତାଣ୍ଡବ

ବାତ୍ୟା ‘ଅର୍ଣ୍ଣବ’ର ଲ୍ୟାଣ୍ଡଫଲ୍, ରଚିଲା ତାଣ୍ଡବ

ନନ୍ଦିଘୋଷ ବ୍ୟୁରୋ: ଅତି ଭୀଷଣ ରୂପ ନେଇ ଲ୍ୟାଣ୍ଡଫଲ୍ କରିଲା ବାତ୍ୟା ‘ଅର୍ଣ୍ଣବ’ । ଗତକାଲି ରାତି ୨ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇ ଆଜି ସକାଳ ୮ଟାରେ ଆନ୍ଧ୍ରପ୍ରଦେଶ ଓ ୟାନାମ ଉପକୂଳ ଅତିକ୍ରମ କରିଛି । ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବା ସହ ଅତି ଭୀଷଣରୁ ଭୀଷଣ ରୂପ ନେଇଛି । ପରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ।

ବାତ୍ୟା କେନ୍ଦ୍ର ନରସାପୁରଠାରୁ ୨୦ କି.ମି. ପୂର୍ବ-ଉତ୍ତରପୂର୍ବରେ, ୟାନାମଠାରୁ ୪୦ କି.ମି. ଦକ୍ଷିଣ-ପଶ୍ଚିମରେ ଓ କାକିନାଡ଼ାଠାରୁ ୬୦ କି.ମି. ଦକ୍ଷିଣ-ପଶ୍ଚିମରେ ରହିଛି । ଏହାସହ ମଚ୍ଛଲିପଟନମ୍‌ଠାରୁ ୯୦ କି.ମି. ପୂର୍ବ-ଉତ୍ତରପୂର୍ବରେ, ଗନ୍ନାଭରମଠାରୁ ୧୨୦ କି.ମି. ପୂର୍ବରେ ଓ ତୁନିଠାରୁ ୧୨୦ କି.ମି. ଦକ୍ଷିଣ-ପଶ୍ଚିମରେ ରହିଛି । ବର୍ତ୍ତମାନ ବାତ୍ୟାର ସ୍ଥାୟୀ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କି.ମି. ରହିଥିବା ବେଳେ ଝଟକା ପବନର ବେଗ ୧୩୫ କି.ମି. ପର୍ଯ୍ୟନ୍ତ ରହୁଛି ।

ଆସନ୍ତା ୪୮ ଘଣ୍ଟାରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଧୀରେ ଧୀରେ ଦୁର୍ବଳ ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ୬ ଘଣ୍ଟାରେ ବାତ୍ୟା ଓ ତା’ପର ୬ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହୋଇ ଓଡ଼ିଶାର ମାଲକାନଗିରି ଜିଲ୍ଲା ଦେଇ ଅବପାତ ରୂପ ନେଇ ଛତିଶଗଡ ଦେଇ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ୬୦ ରୁ ୮୦ କି.ମି. ପବନ ବହିବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ଓଡ଼ିଶାର ଗଜପତି ଜିଲ୍ଲା ମହେନ୍ଦ୍ରଗଡରେ ସର୍ବାଧିକ ୨୪୯.୯ ମିଲିମିଟର ବର୍ଷା ହୋଇଥିବା ବେଳେ କୋରାପୁଟରେ ୧୮୮ ମି.ମି., ଗଞ୍ଜାମରେ ୧୬୧.୪ ମି.ମି. ଓ ଗଜପତିରେ ୧୩୫ ମି.ମି. ବର୍ଷା ରେକର୍ଡ ହୋଇଛି । ବାତ୍ୟା ପ୍ରଭାବରେ ରାଜଧାନୀ ଭୁବନେଶ୍ବର ଓ କଟକ ସମେତ ପ୍ରାୟ ସାରା ଓଡ଼ିଶାରେ ବର୍ଷା ଲାଗି ରହିଛି ।

‘ଅର୍ଣ୍ଣବ’ର ତାଣ୍ଡବ

ଲ୍ୟାଣ୍ଡଫଲ୍ ପୂର୍ବରୁ ବାତ୍ୟା ‘ଅର୍ଣ୍ଣବ’ର ତାଣ୍ଡବ ଦେଖିବାକୁ ମିଳିଥିଲା । ବିକଟାଳ ଶବ୍ଦ କରି ଯେତେ ସ୍ଥଳଭାଗ ଆଡକୁ ମୁହାଁଉଥିଲା ଲୋକଙ୍କ ମନରେ ସେତେ ଛନକା ପଶୁଥିଲା । ୧୧୦ରୁ ୧୨୦ କି.ମି ବେଗରେ ପହନ ବୋହିବା ସହ ପ୍ରାୟ ୧୩୫ କି.କି ବେଗରେ ଝଟକା ପବନ ଯେଉଁଆଡେ ମୁହାଁଇଥିଲା ସବୁଠି ତାଣ୍ଡବ ରଚିଥିଲା । ଆନ୍ଧ୍ର ଓ ଓଡ଼ିଶାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗିଥିବା ବେଳେ ବହୁ ଲୋକଙ୍କ ଘର ଭୁଶୁଡ଼ିବା ସହ ଛପର ଉଡ଼ିଯାଇଛି । ପବନ ସାଙ୍ଗକୁ ଲଗାଣ ବର୍ଷା ସ୍ଥିତିକୁ ବେହାଲ କରିଛି । ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି କିଛଇ ସ୍ଥାନରେ ବନ୍ୟାପାଣି ବନ୍ଧ ବାଡ଼ ଭାଙ୍ଗି ରାସ୍ତାରେ ପ୍ରବାହିତ ହେବାରେ ଲାଗିଛି । ଫଳରେ ବହୁ ଅଞ୍ଚଳର ଲୋକେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯିବା ସହ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ।

JTWC ତଥ୍ୟକୁ ବିଶ୍ଳେଷଣ କରି ପୂର୍ବାନୁମାନ କରିଛନ୍ତି ବିଶିଷ୍ଟ ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ

ନନ୍ଦିଘୋଷ ବିୁରୋ:  ସ୍ଥଳଭାଗ ଆଡ଼କୁ ମାଡି଼ ଆସୁଛି ବାତ୍ଯା ଅର୍ଣ୍ଣବ। ଜଏଣ୍ଟ ଟାଇଫୁନ ୱାର୍ଣ୍ଣିଂ ସିଷ୍ଟମ ସେଣ୍ଟର ତଥ୍ଯକୁ ବିଶ୍ଲେଷଣ କରି ପାଣିପାଗ ବିଜ୍ଞାନୀ ଡ.ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି କି ୨୧୦ କିଲୋମିଟରରୁ ୨୨୨ କିଲୋମିଟର ବେଗରେ ବାତ୍ଯା ଅର୍ଣ୍ଣବ ସ୍ଥଳ ଭାଗ ଛୁଇଁବ। ଝଟକା ପବନର ବେଗ ରହିବ ଘଣ୍ଟାପ୍ରତି ୨୬୯ କିଲୋମିଟର। ଏ ନେଇ ଆନ୍ଧ୍ର ଉପକୂଳରେ ସତର୍କ ସୂଚନା ୦୦୭ ରହିବ। ସ୍ଥଳ ଭାଗେ ଛୁଇଁବା ପରେ ଧୀରେ ଧୀରେ ଦୁର୍ବଳ ହେବ ବାତ୍ଯା ଅର୍ଣ୍ଣବ । ସଂଧ୍ଯା ସାଢ଼େ ୮ଟା ସୁଦ୍ଧା ବାତ୍ଯା ଅର୍ଣ୍ଣବ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୬.୩ ଡିଗ୍ରି ଉତ୍ତର ଅକ୍ଷାଂଶ ଓ ୮୨.୭ ଡିଗ୍ରି ପୂର୍ବ ଦ୍ରାଘିମାରେ ରହିଥିଲା। ଆନ୍ଧ୍ରର କାକିନାଡ଼ାଠାରୁ ପ୍ରାୟ ୮୦ କିଲୋମିଟର ପୂର୍ବ-ଉତ୍ତରପୂର୍ବରେ ଏବଂ ବିଶାଖାପାଟଣାଠାରୁ ପ୍ରାୟ ୧୧୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ରହିଛି। ଅର୍ଣ୍ଣବ ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ପଶ୍ଚିମ ଦିଗକୁ ଗତି କରୁଛି। ଏହି ସମୟରେ କେନ୍ଦ୍ରୀୟ ବାୟୁଚାପ ରହିଛି ୯୪୦ ହେକ୍ଟାପାସ୍କାଲ। ଧୀରେ ଧୀରେ ବାତ୍ଯା ଅର୍ଣ୍ଣବ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି।

JTWCର ପର୍ଯ୍ୟବେକ୍ଷଣ ଓ ପୂର୍ବାନୁମାନ ଅନୁସାରେ ୨୮ ତାରିଖ ସକାଳ ୫ଟା ୩୦ରେ ଆନ୍ଧ୍ରପ୍ରଦେଶ କାକିନାଡ଼ା-ରାଜମହେନ୍ଦ୍ରବରମ ଅଞ୍ଚଳରେ ପହଞ୍ଚିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ରହିବ ୧୯୪ରୁ ୨୪୧ କିଲୋମିଟର । କାଲି ସନ୍ଧ୍ଯା ୫ଟା ୩୦ ମିନିଟର ବେଳକୁ ଆନ୍ଧ୍ରପ୍ରଦେଶର ଚିନ୍ତୁର ନିକଟରେ ପବନର ବେଗ ରହିବ ଘଣ୍ଟାପ୍ରତି ୧୩୦ କିଲୋମିଟରରୁ ୧୫୭ କିଲୋମିଟର। ୨୯ ତାରିଖ ସକାଳ ୫ଟା ୩୦ ମିନିଟ ବେଳକୁ ଏହା ଦକ୍ଷିଣ ଛତିଶଗଜ, ଜଗଦଲପୁର ନିକଟରେ ଘଣ୍ଟାପ୍ରତି ୬୫ରୁ ୮୩ କିଲୋମିଟର ବେଗରେ ଗତି କରିବ। ୨୯ ତାରିଖ ସନ୍ଧ୍ଯା ୫ଟା ୩୦ ମିନିଟରେ କେନ୍ଦ୍ରୀୟ ଛତିଶଗଡ଼ ଅତିକ୍ରମ କରିବା ବାତ୍ଯା ଅର୍ଣ୍ଣବ। ସେତେବେଳକୁ ପବନର ବେଗ ହ୍ରାସ ପାଇ ଘଣ୍ଟାପ୍ରତି ୪୬ କିଲୋମିଟରରୁ ୬୫ କିଲୋମିଟର ରହିବ। ବାତ୍ଯା ଅର୍ଣ୍ଣବ ଆଜି ବିଳମ୍ବିତ ରାତିରୁ ୨୮ ଅକ୍ଟୋବର ଭୋର ମଧ୍ଯରେ କେନ୍ଦ୍ରୀୟ ଆନ୍ଧ୍ରପ୍ରଦେଶର କାକିନାଡ଼ା-ୟାନାମ ଉପକୂଳ ଅଞ୍ଚଳରେ ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଅତିକ୍ରମ କରିବା ସମୟରେ ବାତ୍ଯା ଅତ୍ଯନ୍ତ ଶକ୍ତିଶାଳୀ ରହିବ। ଆନ୍ଧ୍ରପ୍ରଦେଶ ଦେଇ ଉତ୍ତର ଦିଗରୁ ଗତି କରି ଦକ୍ଷିଣ ଛତିଶଗଡ଼ରେ ପ୍ରବେଶ କରିବ। ବାତ୍ଯାର କେନ୍ଦ୍ର ଓଡ଼ିଶା ଦେଇ ଗତି କରିବାର ନାହିଁ। ବାତ୍ଯାର ଇନର ଓ ଆଉଟର ବଳୟ ଉତ୍ତର ପୂର୍ବ ଦିଗରେ ୬୩ କିଲୋମିଟର ରହିବ। ଏହାର ବିସ୍ତାର ପ୍ରାୟ ୧୪୮ କିଲୋମିଟର ରହିବବା ପୂର୍ବାନୁମାନ କରାଯାଇଛି। ଏହାସହିତ ଉତ୍ତର ପଶ୍ଚିମ ଦିଗରେ ଏହି ବଳୟର ଆକାର ପ୍ରାୟ ୧୮୫ କିଲୋମିଟର ପର୍ଯ୍ଯନ୍ତ ରହିବା ନେଇ ଆକଳନ କରାଯାଇଛି। ବାତ୍ଯାର ବାହ୍ଯ ପବନ ବଳୟରେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ରହିବ। ଯାହାଯୋଗୁ ଗୋପାଳପୁର ଓ ବ୍ରହ୍ମପୁରରେ ଘଣ୍ଟା ପ୍ରତି ୬୩ କିଲୋମିଟର ପବନ ବହିବ। ପୁରୀ, ଖୋର୍ଦ୍ଧା ଓ ଅନ୍ୟାନ୍ୟ ଉତ୍ତର ଉପକୂଳ ଅଞ୍ଚଳ ବାତ୍ୟାର ମୁଖ୍ୟ ପବନ ବଳୟଠାରୁ ଦୂରରେ ରହିବେ। ତେବେ ବାତ୍ଯା ସ୍ଥଳବାଗ ଛୁଇଁ ଅତିକ୍ରମ କରିବା ବେଳେ ମାଲକାନଗିରି ଜିଲ୍ଲାରେ ଅଧିକ କ୍ଷୟକ୍ଷତି ଘଟାଇବା ଆଶଙ୍କା ରହିଛି। ବିଶେଷକରି ମୋଟୁ ଓ କାଲିମେଳା ଅଞ୍ଚଳରେ ବାତ୍ଯାର ବାହ୍ଯ ପବନ ପ୍ରଭାବ ପଡ଼ିପାରେ। କୋରାପୁଟରେ କିଛିଟା ଝଟକା ପବଦର ଅନୁଭୁତ ହୋଇପାରେ। ବାତ୍ଯା ଦକ୍ଷିଣ ଛତିଶଗଡ଼ ଆଡ଼କୁ ଗତି କରିବା ସମୟରେ ନବରଙ୍ଗପୁର ଏହାର ପୂର୍ବ ପାର୍ଶ୍ବରେ ରହିବ। ରାୟଗଡ଼ା ବାତ୍ଯା ବଳୟଠାରୁ ଦୂରରେ ରହୁଥିବାରୁ ସେତେଟା ପ୍ରଭାବ ଅନୁଭୁତ ହେବ ନାହିଁ। ତେବେ କଳାହାଣ୍ଡି ଓ ନୂଆପଡ଼ାରେ ବାତ୍ଯାର ପ୍ରଭାବ କିଛିଟା ଦେଖିବାକୁ ମିଳିପାରେ। ସ୍ଥଳଭାଗ ଅତିକ୍ରମ ପୂର୍ବରୁ ଓଡ଼ିଶାର ଗଞ୍ଜାମ ଏବଂ ପରେ ମାଲକାନଗିରି ବାତ୍ୟାର ବାହ୍ୟ ପବନ ପ୍ରଭାବରେ ଅପେକ୍ଷାକୃତ ନିକଟରେ ରହିବେ।