spot_img
Home Blog Page 18

ସାମାନ୍ୟ ବଚସାକୁ କେନ୍ଦ୍ର କରି ଯୁବକଙ୍କୁ ଲୁହା ରଡରେ ହତ୍ୟା ଉଦ୍ୟମ !

ରାଉରକେଲା : ରାଉରକେଲା ଗୋପବନ୍ଧୁ ପାଲ୍ଲିରେ ଚାଞ୍ଚଲ୍ୟ । ସାମାନ୍ୟ ବଚସାକୁ କେନ୍ଦ୍ର କରି ଯୁବକଙ୍କୁ ଲୁହା ରଡରେ ହତ୍ୟା ଉଦ୍ୟମ । ଗୁରୁତର ଆହତ ହୋଇଥିବା ଯୁବକଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଛି । ଯୁବକଙ୍କ ସହ ଜଣେ ନାବାଳକର ବଚସା ହେଵା ପରେ ନାବାଳକ ଜଣଙ୍କ ଲୁହା ରଡ଼ ଭୁଷି ଦେଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ନାବାଳକକୁ ପ୍ଲାଣ୍ଟ ସାଇଟ ଥାନା ପୋଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

ରାତିରେ ନିଆଁ ଲାଗି ଜଳିଗଲା ବହୁ ଦୋକାନ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଗାନ୍ଧୀନଗରପଡାରେ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୩ ଦୋକାନ । ଗ୍ୟାରେଜ, ଅଟୋ ପାର୍ଟସ ଓ ଫର୍ନିଚର ଦୋକାନରେ ବିଳମ୍ବିତ ରାତିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ ହୋଇଯାଇଛି । ଦୁଇଟି ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି । ତେବେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି । ପାଖାପାଖି ୫୦ ଲକ୍ଷରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ଗ୍ୟାରେଜରେ ଥିବା ବାଇକ, ସ୍କୁଟି, ଇଭି ସମେତ ୨୦ରୁ ଅଧିକ ଗାଡ଼ି ଜଳି ପୋଡ଼ି ପାଉଁଶ ହୋଇଛି। ଅଟୋ ପାର୍ଟସ ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଛି I ବହୁ କଷ୍ଟରେ ନିଆଁ ଲିଭାଇଥିଲା ଅଗ୍ନିଶମ ବାହିନୀ। ୨ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।

ନିଟ୍ ପ୍ରଶ୍ନ ଲିକ୍ ଓ ଓଡ଼ିଶାର ତ୍ରୁଟିପୂର୍ଣ୍ଣ ବହି ପ୍ରତିବାଦରେ ବିଜେଡିର ବିକ୍ଷୋଭ

ଉମରକୋଟ : ନିଟ୍ ପ୍ରଶ୍ନ ଲିକ୍ ଓ ଓଡ଼ିଶାର ତ୍ରୁଟିପୂର୍ଣ୍ଣ ବହି ପ୍ରତିବାଦରେ ବିଜେଡିର ବିରାଟ ବିକ୍ଷୋଭ। ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଉମରକୋଟରେ ବଡ଼ ଶୋଭାଯାତ୍ର। ବିଜେଡି ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ନୂତନ ବସ ଷ୍ଟାଣ୍ଡଠାରୁ ବାହାରି ପୁରୁଣାବସଷ୍ଟାଣ୍ଡରେ ପହଞ୍ଚିଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ବିରୋଧରେ ସ୍ଲୋଗାନ ଦେଇଥିଲେ ବିଜେଡି କର୍ମୀ। ଶିକ୍ଷାମନ୍ତ୍ରୀ ଇସ୍ତଫା ନ ଦେଲେ ତାଙ୍କୁ ଘରୁ ବାହାରିବାକୁ ଦିଆ ଯିବନାହିଁ ବୋଲି କହିଛି ଛାତ୍ର ବିଜେଡି। ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଶିକ୍ଷାମନ୍ତ୍ରୀ । ତୁରନ୍ତ ଇସ୍ତଫା ନ ଦେଲେ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ରାଇଘର ବ୍ଲକ୍ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର । ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ କହିଛନ୍ତି, ନିଟ ପରୀକ୍ଷା ପତ୍ର ଲିକ୍ ଓ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପୁସ୍ତକରେ ତ୍ରୁଟି କରି ପିଲାଙ୍କ ଭବିଷ୍ୟତ ସହିତ ଖେଳ ଖେଳାଯାଉଛି। ପୁସ୍ତକର ମୁଦ୍ରଣ ଦାୟିତ୍ଵ ଗୁଜରାଟର ଏକ ପ୍ରେସକୁ ଦିଆଯାଇଥିବାର ଅଭିଯୋଗ କରି ଏଥିରେ କୋଟି କୋଟି ଟଙ୍କାର କାରବାର ହୋଇଥିବା କୁହାଯାଇଛି।

ଗଞ୍ଜେଇ ଚୋରାଚାଲାଣ ରାକେଟ ଉପରେ STFର ବଡ଼ ଆକ୍ସନ

ଭୁବନେଶ୍ବର :ରାଜ୍ୟରେ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ରାକେଟ ଉପରେ STFର ବଡ଼ ପ୍ରହାର । ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ସିଣ୍ଡିକେଟର ମୁଖ୍ୟ ମାଷ୍ଟରମାଇଣ୍ଡ “ମାଷ୍ଟର” ସହ ତାଙ୍କର ସହଯୋଗୀମାନଙ୍କୁ STF ଗିରଫ କରିଛି । ଗତ ଏକ ମାସ ଧରି ଚାଲିଥିବା ଗୁପ୍ତଚର ଭିତ୍ତିକ ଅଭିଯାନରେ ଏହି ବଡ଼ ସଫଳତା ମିଳିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, “ମାଷ୍ଟର” ଏକ ସଂଗଠିତ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ନେଟୱର୍କର ପରିଚାଳନା କରୁଥିଲା । ଏନେଇ ଅଧିକ ପଚରାଉଚରା ଜାରି ରହିଛି । ତଦନ୍ତରେ ଆହୁରି ବଡ଼ ଖୁଲାସା ହେବାର ସମ୍ଭାବନା ରହିଛି।

ମଞ୍ଚେଶ୍ଵର ଥାନା ଅନ୍ତର୍ଗତ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ର ମୃତ୍ୟୁ

ଭୁବନେଶ୍ବର : ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ର ମୃତ୍ୟୁ । ମୃତ୍ୟୁବରଣ କରିଛନ୍ତି ଯୁକ୍ତ ୨ ଦ୍ୱିତୀୟ ବର୍ଷ ବିଜ୍ଞାନ ବିଭାଗର ଛାତ୍ର । ମୃତକ ହେଲେ ବାଙ୍କୀର ଅନ୍ତର୍ଯ୍ୟାମୀ ପ୍ରିୟାଂଶୁ ସାହୁ । କଲେଜ କ୍ୟାମ୍ପସରୁ ତାଙ୍କର ମୃତଦେହ ମିଳିଥିବା ବେଳେ କଲେଜ କର୍ତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା ବୋଲି କହିଛନ୍ତି । କିନ୍ତୁ ପରିବାର ଲୋକେ ପହଁଚି ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ସେପଟେ ଅଭିଯୋଗ ପାଇବା ମାତ୍ରେ ସ୍ଥାନୀୟ ପୋଲିସ କଲେଜରେ ପହଁଚିବା ସହିତ ଅଧିକ ପଚରାଉଚରା ଜାରି ରଖିଛି । କର୍ତ୍ତୃପକ୍ଷ ଓ ପରିବାର ଲୋକଙ୍କ ଠାରୁ ପୁରା କେସ ସମ୍ପର୍କରେ ପଚାରି ବୁଝିଛି । ସହପାଠୀଙ୍କୁ ମଧ୍ୟ ପଚରାଉଚରା କରିଛି । ସେପଟେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ।

କଟକ ମାଣିଆବନ୍ଧ ଥାନା କୁଆଁପାଳରେ ଫାୟାରିଂ

କଟକ ମାଣିଆବନ୍ଧ ଥାନା କୁଆଁପାଳ ଛକରେ ଫୁଟିଲା ଗୁଳି। କାଳିଆ ଜେନା ନାମକ ଜଣେ ଯୁବକଙ୍କ ଉପରକୁ ଫାୟାରିଂ। ୩ ଜଣ ଯୁବକ ବାଇକରେ ଆସି ଗୁଳି ମାଡ଼ କରି ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ୪ ରାଉଣ୍ଡ ଗୁଳି କରିଥିଲେ। କାରଣ ଅସ୍ପଷ୍ଟ । କାଳିଆ ଜେନାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କର ଛାତି ଓ ଗୋଡ଼ରେ ଗୁଳି ବାଜିଛି।

କାନ୍ଦ ନ ମିଳିବାରୁ ସାଇକେଲରେ ଶବ ବୋହିଲେ ଝିଅ ଓ ନାତି ।

ବରଗଡ଼: ସମାଜ ଯେତେ ଆଗକୁ ଗଲେ ବି ଆଜିର ଦିନରେ ମାନବିକତା କେଉଁଠି ନା କେଉଁଠି ହଜିଯାଉଛି। ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ କଣ୍ଟାପଡ଼ା ଗାଁରୁ ଆସିଛି ଏଭଳି ଏକ ହୃଦୟବିଦାରକ ଘଟଣା, ଯାହା ସରକାରୀ ସୁବିଧା ଓ ପ୍ରଶାସନିକ ବ୍ୟବସ୍ଥାର ଅସଲ ଚେହେରାକୁ ପଦାରେ ପକାଇଛି। ଶେଷ ସମୟରେ ବୃଦ୍ଧାଙ୍କ ଶବକୁ ମିଳିଲାନି ଚାରି କାନ୍ଧ, ଯେଉଁଥିପାଇଁ ବାଧ୍ୟ ହୋଇ ସାଇକେଲରେ ଶବ ବୋହିଲେ ଝିଅ ଓ ନାତି।

ସୂଚନା ଅନୁସାରେ, କଣ୍ଟାପଡ଼ା ଗାଁର ବୃଦ୍ଧା ଜୟନ୍ତୀ ବଛା ନିଜ ଝିଅ ବାସନ୍ତୀ ବଛାଙ୍କ ସହ ରହୁଥିଲେ। ଆଜି ସକାଳୁ ଜୟନ୍ତୀଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ଶବକୁ ଶ୍ମଶାନ ନେବା ପାଇଁ ଗାଁରେ କାହାରି କାନ୍ଧ ମିଳିନଥିଲା। ପରିବାର ଲୋକେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିବା ପରେ, ଶେଷରେ ମୃତକଙ୍କ ନାତି ଶୁଭମ୍ ବଛା ବାଧ୍ୟ ହୋଇ ଆଇଙ୍କ ମୃତଦେହକୁ ସାଇକେଲରେ ବାନ୍ଧି ଶ୍ମଶାନକୁ ନେଇଥିଲେ।

ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ:
ବାଟରେ ଏଭଳି ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ମର୍ମାହତ ହେବା ସହ ନିନ୍ଦା କରିଛନ୍ତି। ତେବେ ପରବର୍ତ୍ତୀ ସମୟରେ ଅବଶ୍ୟ ସ୍ଥାନୀୟ କିଛି ବ୍ୟକ୍ତିଙ୍କ ସହାୟତାରେ ବୃଦ୍ଧାଙ୍କ ଶବସତ୍କାର କରାଯାଇଛି। ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନା କୁଆଡ଼େ ଯାଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏଥିସହ ତୁରନ୍ତ ସଂପୃକ୍ତ ଅଞ୍ଚଳରେ ‘ମହାପ୍ରୟାଣ’ ଗାଡ଼ି ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦୃଢ଼ ଦାବି କରିଛନ୍ତି।

ଭୁବନେଶ୍ୱରରେ ବୁଲଡୋଜର ଆକ୍ସନ: ମାଟିରେ ମିଶିଲା ଲୁଟେରାଙ୍କ ଚୋରା ଗୋଦାମ

ଭୁବନେଶ୍ୱର: ରାଜଧାନୀରେ ଆଉ ଚଳିବନି ଅପରାଧୀଙ୍କ ଗୁଣ୍ଡାଗର୍ଦ୍ଦି କି ବେଆଇନ ସାମ୍ରାଜ୍ୟ। ସରକାରୀ ସମ୍ପତ୍ତି ଲୁଟ୍ କରି ବେଆଇନ କାରବାର ଚଳାଇବା ଏବେ ମହଙ୍ଗା ପଡ଼ିଛି। ଖାରବେଳ ନଗର ଥାନା ଅଧୀନ ମାଳିସାହି ଅଞ୍ଚଳରେ ଶେଷରେ ପ୍ରଶାସନର ବୁଲଡୋଜର ଗର୍ଜିଛି। ସ୍ମାର୍ଟ ସିଟିର ସରକାରୀ ସମ୍ପତ୍ତି ଲୁଟ୍ କରି ବେଆଇନ କବାଡ଼ି ଦୋକାନ ଚଲାଉଥିବା ଦୁର୍ବୃତ୍ତଙ୍କ ଆଡ୍ଡାସ୍ଥଳୀକୁ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶାଇ ଦେଇଛି ପୋଲିସ ଓ ସ୍ଥାନୀୟ ପ୍ରଶାସନ।

ରାଜଧାନୀର ଜନପଥରେ BMC ପକ୍ଷରୁ ଲଗାଯାଇଥିବା ଲକ୍ଷ ଲକ୍ଷ ଟଙ୍କାର ସ୍ମାର୍ଟ ସିଟି ଇଲେକ୍ଟ୍ରି ପୋଲ୍ ଏବଂ ଷ୍ଟ୍ରିଟ୍ ଲାଇଟ୍ ଚୋରି କରି ଏହି ଦୁର୍ବୃତ୍ତମାନେ ଦୀର୍ଘ ଦିନ ହେବ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥିଲେ। ଚୋରି ସାମଗ୍ରୀକୁ ରଖିବା ପାଇଁ ସେମାନେ ମାଳିସାହିରେ ଏକ ବେଆଇନ ଗୋଦାମ ଘର ତିଆରି କରିଥିଲେ। ଆଜି ସେହି ଗୋଦାମ ଘରକୁ ପୋଲିସ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଚୁରମାର କରିଦେଇଛି।

ମିଳିଥିବା ସୂଚନା ମୁତାବକ, ଏହି ବେଆଇନ ଚୋରି ଏବଂ କବାଡ଼ି କାରବାର ପଛରେ ସେକ୍ ଯାଇବୁର ଏବଂ ସେକ୍ ହମିଦ ନାମକ ଦୁଇ ଜଣ ଅଭିଯୁକ୍ତ ରହିଛନ୍ତି। ସେକ୍ ଯାଇବୁର ସ୍ମାର୍ଟ ସିଟି ପୋଲ୍ ଖୋଲି ବିକ୍ରି କରିବା ଅଭିଯୋଗରେ ତାକୁ ପୂର୍ବରୁ ହିଁ ଗିରଫ କରାଯାଇଛି। ଏବଂ ଅପରାଧର ଅନ୍ୟତମ ମୁଖ୍ୟ ସୂତ୍ରଧର ସେକ୍ ହମିଦ ଏବେ ମଧ୍ୟ ଫେରାର୍ ଅଛି। ପୋଲିସ ତାକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ମିଳୁନି ଭତ୍ତା, ବଢୁଛି ଯନ୍ତ୍ରଣା: ପଞ୍ଚାୟତରୁ ବ୍ୟାଙ୍କ ଦୌଡ଼ି ଦୌଡ଼ି ନିରାଶ ବୃଦ୍ଧବୃଦ୍ଧା

ଭଦ୍ରକ: ରାଜ୍ୟରେ ସାମାଜିକ ସୁରକ୍ଷା ଯୋଜନାକୁ ନେଇ ବଡ଼ ବଡ଼ ଦାବି କରାଯାଉଥିବା ବେଳେ ସାମ୍ନାକୁ ଆସିଛି ଏକ ଚିନ୍ତା ଜଣକ ତଥ୍ୟ । ମିଳୁନି ଭତ୍ତା, ଯାହାଫଳରେ ବଢୁଛି ବିଧବା, ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମଙ୍କ ଯନ୍ତ୍ରଣା। ପଞ୍ଚାୟତ ଅଫିସ ଠାରୁ ଆରମ୍ଭ କରି ବ୍ୟାଙ୍କ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ହିତାଧିକାରୀମାନେ ନିରାଶ ହେଉଛନ୍ତି। ୩ ମାସ ହେଲାଣି ଆକାଉଣ୍ଟକୁ ଭତ୍ତା ଟଙ୍କା ଆସୁନଥିବାରୁ ସେମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି।ଭତ୍ତା ଟଙ୍କା ମିଳିଲେ ହିଁ ସେମାନଙ୍କ ପେଟକୁ ଦାନା ମିଳେ ଓ ରୋଗ ପାଇଁ ଔଷଧ କିଣାହୁଏ।

ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୁଡ଼ୁପାଳ ଅଂଚଳରେ। ରଘୁନାଥ ମହାଳିକଙ୍କ ବୟସ ୯୨ ବର୍ଷ ଏବଂ ସେ ବିଗତ ୪ ବର୍ଷ ହେଲା ଶଯ୍ୟାଶାୟୀ ଅଛନ୍ତି। ତାଙ୍କ ପାଇଁ ସରକାରୀ ଭତ୍ତା ଟଙ୍କା ହିଁ ଥିଲା ଔଷଧପତ୍ର କିଣିବାର ମୁଖ୍ୟ ମାଧ୍ୟମ। ମାତ୍ର ଦୀର୍ଘ ତିନି ମାସ ଧରି ଟଙ୍କା ନମିଳୁଥିବାରୁ ତାଙ୍କ ପରିବାର ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି।

ସେହିପରି ଗାଁର ଆଉ ଜଣେ ବିଧବା ବୃଦ୍ଧା ବାସନ୍ତି ନାୟକଙ୍କ କାହାଣୀ ମଧ୍ୟ ତାଙ୍କର ଅତ୍ୟନ୍ତ ଦୟନୀୟ। ତାଙ୍କ ଘରେ ଜଣେ ଭିନ୍ନକ୍ଷମ ପୁଅ ମଧ୍ୟ ଅଛନ୍ତି। ସଂସାର ଚଳାଇବା ପାଇଁ ଭତ୍ତା ଟଙ୍କା ହିଁ ତାଙ୍କର ଏକମାତ୍ର ଆଶା ଭରସା ଥିଲା। ହେଲେ ବାସନ୍ତିଙ୍କୁ ଦୀର୍ଘ ୯ ମାସ ହେବ ଭତ୍ତା ମିଳିନାହିଁ।

ତେବେ ବୃଦ୍ଧବୃଦ୍ଧା ଓ ଅସହାୟମାନଙ୍କ ଜୀବନ ଜିଇଁବାର ସାହାରା ପାଲଟିଥିବା ଏହି ଭତ୍ତା ଟଙ୍କାକୁ ତୁରନ୍ତ ପ୍ରଦାନ କରିବା ସହ ସମସ୍ୟାର ସମାଧାନ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି। ଅନ୍ୟପଟେ ଏହି ବିଳମ୍ବ ପାଇଁ ପ୍ରଶାସନ ପକ୍ଷରୁ ଟେକନିକାଲ ତ୍ରୁଟିକୁ ଦୋଷ ଦିଆଯାଇଛି।

ଅନ୍ୟପଟେ ବିଡିଓଙ୍କ କହିବା ଅନୁଯାୟୀ, ଗ୍ରାମ୍ୟ ବ୍ୟାଙ୍କର ଆଇଏଫସି (IFSC) କୋଡ୍ ପରିବର୍ତ୍ତନ ହୋଇଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି। ଖୁବଶୀଘ୍ର ସମସ୍ତ ତ୍ରୁଟି ସୁଧାରି ହିତାଧିକାରୀଙ୍କୁ ଭତ୍ତା ଟଙ୍କା ପ୍ରଦାନ କରାଯିବ।

ପ୍ରଶାସନର ପ୍ରତିଶ୍ରୁତି ବନାମ ବାସ୍ତବତା: ଘରୋଇ ଜାଗାରେ କେତେଦିନ ଚାଲିବ ବସଷ୍ଟପ୍?

ଯାଜପୁର: ଓଡ଼ିଶାର ପୁରାତନ ରାଜଧାନୀ ତଥା ଐତିହାସିକ ସହର ଯାଜପୁରରୁ ଆସିଛି ଏକ ଚିନ୍ତାଜନକ ତଥ୍ୟ । ଦିନକୁ ଦିନ ସହରର ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ଆଜି ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟାଳୟରେ ଏକ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ହୋଇ ନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ପାଲଟିଛି। ଫଳରେ ବର୍ଷ ବର୍ଷ ଧରି ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସରକାରୀ ବସଷ୍ଟାଣ୍ଡ ନଥିବାରୁ ଦୀର୍ଘ ବର୍ଷ ଧରି ଏକ ଘରୋଇ ସ୍ଥାନରେ ହିଁ ବସ୍‌ଗୁଡ଼ିକ ଯାତାୟାତ କରୁଛନ୍ତି। ଏହି କାରଣରୁ ଯାତ୍ରୀମାନେ ପାନୀୟ ଜଳ, ଶୌଚାଳୟ ଏବଂ ବିଶ୍ରାମଗାର ଭଳି ଅତି ଆବଶ୍ୟକୀୟ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ବିଶେଷ କରି ମହିଳା, ଶିଶୁ ଏବଂ ବୃଦ୍ଧବୃଦ୍ଧାମାନେ ଖରା, ବର୍ଷାରେ ହନ୍ତସନ୍ତ ହେଉଛନ୍ତି।

ସୂଚନା ଅନୁଯାୟୀ, ବସଷ୍ଟାଣ୍ଡ ନିର୍ମାଣ ପାଇଁ ପୂର୍ବ ସରକାରଙ୍କ ସମୟରେ ଆଁକୁଲା ମୌଜାରେ ସ୍ଥାନ ନିରୂପଣ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ଯାଜପୁର ପୌରପାଳିକା କାର୍ଯ୍ୟାଳୟ ଏବଂ ଯାଜପୁର ମେଡିକାଲ କଲେଜ ପ୍ରତିଷ୍ଠା ହେବା ଫଳରେ ବସଷ୍ଟାଣ୍ଡ ପ୍ରକଳ୍ପ ସେଠାରେ ଅଟକି ଯାଇଥିଲା।

ତେବେ ଏହି ସମସ୍ୟା ଭିତରେ ଯାଜପୁରବାସୀଙ୍କ ପାଇଁ ଏକ ଆଶାବାଦୀ ଖବର ମଧ୍ୟ ସାମ୍ନାକୁ ଆସିଛି। ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଏହି ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ହୋଇସାରିଛି ଏବଂ ବର୍ତ୍ତମାନ DPR ର ସମୀକ୍ଷା କରାଯାଉଛି। ଖୁବଶୀଘ୍ର ସ୍ଥାନ ଚିହ୍ନଟ ପ୍ରକ୍ରିୟା ଶେଷ ହେବା ସହ କାମ ଆଗକୁ ବଢ଼ିବ ବୋଲି ପ୍ରଶାସନ ପକ୍ଷରୁ ସଂକେତ ମିଳିଛି।

ତେବେ ଯାତ୍ରୀଙ୍କ ସୁରକ୍ଷା, ସୁବିଧା ଏବଂ ସହରର ଗରିମାକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ଏହି ଦିଗରେ ଦୃଢ଼ ପଦକ୍ଷେପ ନେଉ ଏବଂ ଯାଜପୁରରେ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ ପ୍ରତିଷ୍ଠା ହେଉ, ବୋଲି ଏବେ ସାଧାରଣରେ ଦାବି ଜୋର ଧରିଛି।