spot_img
Home Blog Page 16

ସୃଷ୍ଟି ହେଲା ଆଉ ଏକ ଲଘୁଚାପ: ନେବ କି ବାତ୍ୟାର ରୂପ ?

ନନ୍ଦିଘୋଷ ବ୍ୟୁରୋ: ବାତ୍ୟା ଅର୍ଣ୍ଣବ ପରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଖାପାଖି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି। ଏପଟେ ବାତ୍ୟା ଅର୍ଣ୍ଣବର ଅବଶିଷ୍ଠାଂଶ ଗଭୀର ଅବପାତରୁ ଦୁର୍ବଳ ହୋଇ ଅବପାତ ଭାବେ ଦକ୍ଷିଣ ଛତିଶଗଡ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଓଡିଶା ନିକଟରେ କେନ୍ଦ୍ରୀଭୂତ ହୋଇଛି। ଆଗାମୀ ୨୪ ଘଣ୍ଟା ପାଇଁ ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଏହି ଦୁଇ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ ଗୋଟିଏ-ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ସେହିପରି ୫ ଜିଲ୍ଲା ଯଥା କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଗଞ୍ଜାମ, ଗଜପତି, ବାଲେଶ୍ୱର, ଭଦ୍ରକ, ଅନୁଗୋଳ, ବୌଦ୍ଧ, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, ଯାଜପୁର, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୫୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ।

ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ରେକର୍ଡ ହୋଇଛି। ୧୫ଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ, ୨୧ଟି ସ୍ଥାନରେ ଅତି ପ୍ରବଳ ଏବଂ ୭୧ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି।ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ସର୍ବାଧିକ ୫୪୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ସୋରଡ଼ାରେ ୫୦୩.୮ ମିଲିମିଟର, କନ୍ଧମାଳର ଜି. ଉଦୟଗିରିରେ ୪୬୨.୪ ମିଲିମିଟର ଏବଂ ଗଜପତିର ମହେନ୍ଦ୍ରଗଡ଼ରେ ୪୫୮.୮ ମିଲିମିଟର ବର୍ଷା ହୋଇଛି। ଗଞ୍ଜାମ ଓ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ ଓ ବନ୍ୟା ସ୍ଥିତି ଦେଖାଦେଇଛି। ତେବେ ବାତ୍ୟା ଅର୍ଣ୍ଣବର ଗତି ଓ ଦିଗ ପରିବର୍ତ୍ତନ ନେଇ ସ୍ପଷ୍ଟୀକରଣ ଦେଇ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ବାତ୍ୟା ଅର୍ଣ୍ଣବ ତାର ଗତିପଥ ବଦଳାଇ ନାହିଁ । ବରଂ ଗତି ଧୀର ହେବା କାରଣରୁ ୯୦ ଡିଗ୍ରୀ ମୋଡ ନେଇଥିଲା । ଏହାକୁ ଷ୍ଟିୟରିଂ କରେଣ୍ଟ ବୋଲି କୁହାଯାଇଥାଏ । ଷ୍ଟିୟର କରିବା ପାଇଁ ହିଁ ଟାଇମ୍ ଲାଗେ, ଯାହା ଫଳରେ ଗତି ଧିମା ହୋଇଥାଏ ବୋଲି ମନୋରମା କହିଛନ୍ତି ।

ଆପୋଷ ବୁଝାମଣା ପରେ ବି ବନ୍ଦ ହେବନି ଦୁଷ୍କର୍ମ ମାମଲା !

ନନ୍ଦିଘୋଷ ବ୍ୟୁରୋ: ଦୁଷ୍କର୍ମ ମାମଲାରେ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ନେଇ ଚର୍ଚ୍ଚା । ଦୁଷ୍କର୍ମ ମାମଲାରେ ଆପୋଷ ବୁଝାମଣା ପଛରେ ରହିଛି ଦୁଇଟି ବଡ ବିପଦ ! ସମାଧାନ ପରେ ବି ବନ୍ଦ ହୋଇପାରିବନି ମାମଲା  ! ବର୍ତ୍ତମାନ ହାଇକୋର୍ଟଙ୍କ ଏକ ନିଷ୍ପତ୍ତିକୁ ରଦ୍ଦ କରିଦେଇଛନ୍ତି ସୁପ୍ରିମକୋର୍ଟ । ଏକ ଦୁଷ୍କର୍ମ ମାମଲାରେ ଉଭୟ ପକ୍ଷଙ୍କ ଭିତରେ ସମାଧାନ ହେବା ପରେ ମାମଲାକୁ ଖାରଜ କରିଦେଇଥିଲେ ହାଇକୋର୍ଟ । ହେଲେ ଏବେ ସୁପ୍ରିମକୋର୍ଟ ସଫା ସଫା କହିଦେଇଛନ୍ତି ଯେ, ଦୁଷ୍କର୍ମ ଭଳି ଗମ୍ଭୀର ଅପରାଧକୁ ସମାଧାନ ଆଧାରରେ ବନ୍ଦ କରାଯାଇପାରିବ ନାହିଁ । ଜଷ୍ଟିସ୍ ଜେବି  ପାରଦିଓ୍ବାଲା ଏବଂ କେ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ପ୍ରଦାନ କରି ଏହି ବିବୃତ୍ତି ଦେବା ସହ ମାମଲାର ଶୁଣାଣୀ ଆଗକୁ ବଢାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଆର୍ଥିକ ସମାଧାନ ପ୍ରଲୋଭନରେ ମିଥ୍ୟା ଅଭିଯୋଗ ଦାଖଲ ଏବଂ ଚାପ ପକାଇ କରାଯାଇଥିବା ଆପୋଷ ବୁଝାମଣା ଉପରେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ।

ସୂଚନା ଅନୁସାରେ, ଆବେଦନକାରୀ ଦୁଷ୍କର୍ମ ଏବଂ ଏସସି\ଏସଟି ଆକ୍ଟ ଆଧାରରେ ଆଗୁଆ ଜାମିନ ଆବେଦନ କରିଥିଲେ । ଆବେଦନକାରୀଙ୍କ ଓକିଲ ମଧ୍ୟପ୍ରଦେଶ ହାଇକୋର୍ଟରେ କହିଥିଲେ ଯେ, ଉଭୟଙ୍କ ପକ୍ଷଙ୍କ ମଧ୍ୟରେ ସମାଧାନ ହୋଇଯାଇଛି , ତେଣୁ ହାଇକୋର୍ଟ ତାଙ୍କର ସ୍ବତନ୍ତ୍ର କ୍ଷମତା ବ୍ୟବହାର କରି ମାମଲାକୁ ଖାରଜ କରିଦେଇଛନ୍ତି। ଏଥିରେ ସୁ୍ପ୍ରିମକୋର୍ଟ ଆପତ୍ତି ଉଠାଇ କହିଥିଲେ ଯେ, ଅପରାଧର ଗମ୍ଭୀରତାକୁ ଦେଖି ଆମେ ଚିନ୍ତିତ ଅଛୁ । କୋର୍ଟ  ଏହା ମଧ୍ୟ କହିଛନ୍ତି ଯେ, ପୂର୍ବ ରାୟରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ଦୁଷ୍କର୍ମ, ହତ୍ୟା ଏବଂ ଡକାୟତି ଭଳି ସଙ୍ଗୀନ ଅପରାଧ ସହ ,ଜଡିତ ମାମଲାଗୁଡିକୁ କେବଳ ଆପୋଷ ବୁଝାମଣା ଆଧାରରେ ଖାରଜ କରାଯାଇପାରିବ ନାହିଁ । କାହିଁକି ନା ଏଗୁଡିକ ବ୍ୟକ୍ତିଗତ ମାମଲା ନୁହେଁ । ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, କେବଳ ଆପୋଷ ବୁଝାମଣା ଆଧାରରେ ମାମଲାକୁ ଖାରଜ କରିବା ଭୁଲ । କାରଣ ଏପରି କରିବା ଦୁଇଟି ବିପଦ ସୃଷ୍ଟି କରିଥାଏ:

ପ୍ରଥମତଃ, ଅଭିଯୁକ୍ତ ପୀଡିତାଙ୍କ ଉପରେ ମାମଲାର ବୁଝାମଣା ପାଇଁ ଚାପ ପକାଇ ପାରିବ ।

ଦ୍ବିତୀୟତଃ, କିଛି ଲୋକ ଟଙ୍କା ଲୋଭରେ ମଧ୍ୟ ମିଥ୍ୟା ଅଭିଯୋଗ ଲଗାଇ ପାରନ୍ତି ।

କୋର୍ଟଙ୍କର ଏହା କହିବା ପଛରେ କାରଣ ମଧ୍ୟ ରହିଛି । କାହିଁକି ନା କୋର୍ଟ ପୀଡିତାଙ୍କ ସହ କଥା ହେବା ବେଳେ  ପୀଡିତା କହିଥଲେ ଯେ, ତାଙ୍କର ଅଭିଯୋଗ ସମ୍ପୂର୍ଣ୍ଣ ସତ୍ୟ । କିନ୍ତୁ ତାଙ୍କ ଉପରେ ଆପୋଷ ବୁଝାମଣା ପାଇଁ ଚାପ ପକାଯାଇଥିଲା । ସେ ଇଚ୍ଛୁକ ନଥିଲେ ମଧ୍ୟ ଟଙ୍କାର ଆବଶ୍ୟକତା ଥିବାରୁ ଏପରି କରିବାକୁ ସେ ବାଧ୍ୟ ହୋଇଥିଲେ ।  ଯାହାପରେ ସୁପ୍ରିମକୋର୍ଟ ହାଇକୋର୍ଟର ଆଦେଶକୁ ରଦ୍ଦ କରିଦେଇଥିଲେ ଏବଂ  ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଆଗୁଆ ଜାମିନ ପ୍ରଦାନ କରିଥିଲେ ।

 

ବଢୁଛି ଋଷିକୂଲ୍ୟା ଜଳସ୍ତର, ଆତଙ୍କିତ ତଳିଆ ଅଞ୍ଚଳ ଲୋକେ

ଆସିକା: ଅର୍ଣ୍ଣବ ପ୍ରଭାବ ରେ ଗଞ୍ଜାମ ଜିଲାରେ ଗତ ଦୁଇ ଦିନ ଧରି ଝିପି ଝିପି ବର୍ଷା ଅନବରତ ଲାଗି ରହିଛି। ଆସିକାରେ ଋଷିକୂଲ୍ୟା ବିପଦ ସଂକେତ ଉପରେ ପ୍ରଭାହିତ ହେଉଥିବା ବେଳେ ବଡ଼ ନଦୀ ରେ ମଧ୍ୟ ବନ୍ୟା ଜଳ ବୃଦ୍ଧି ପାଉଛି l ତେଣୁ ଆସିକା ଅଞ୍ଚଳ ବାସି ଏକ ପ୍ରକାର ଭୟଭୀତ ହୋଇ ସାରିଲେଣି l ଋଷିକୂଲ୍ୟା ବନ୍ୟା ଜଳ ଆସିକା ସହରର ହରିହର ହାଇସ୍କୁଲ ଛକ, ହାଟ ପଦା ଛକ, ଲାଲା ଗୋର୍ଜି ଛକ ଏଭଳି ତଳିଆ ବସ୍ତି ମାନଙ୍କ ରେ ବନ୍ୟା ପାଣି ପଶି ଥିବାରୁ ଭୟ ଆଶଙ୍କା ରେ ଲୋକେ ରହିଛନ୍ତି l ଧରାକୋଟ ବ୍ଲକ ଦସମାଇଲି ଗ୍ରାମରେ 10 ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଦଶମାଇଲି, ସିନ୍ଦୁରାପଲ୍ଲୀ,ପୋଡାପଲ୍ଲୀ , ରପିଲି ଲକ୍ଷ୍ମୀପୁର , ସୁନାପଲ୍ଲୀ ଗ୍ରାମରେ ଫସି ରହିଛନ୍ତି ଲୋକ।

1990 ମସିହା ବନ୍ୟା ବିଭୀଷିକା କୁ ମନେ ପକାଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି l ଆସିକା ତାଲୁକା ରୋଡରେ ତିନି ଫୁଟର ବନ୍ୟା ପାଣି ପ୍ରଭାହିତ ହେବା ଦ୍ୱାରା ଘର ଭିତରେ ବନ୍ୟା ପାଣି ପଶି ଲୋକ ଙ୍କ ଯାବତୀୟ ଜିନିଷ ସବୁ ପାଣିରେ ଭାସି ଗଲାଣି l ବଡ଼ ବଡ଼ ଗଛ ମଧ୍ୟ୍ୟ ଉପୁଡି ଯିବା ସହ ଗାଈ ଗୋରୁ ମଧ୍ୟ୍ୟ ଭାସି ଗଲେଣି l ଆସିକା ସହର ବିଭିନ୍ନ ସ୍ଥାନରେ ଲୋକେ ଏବେ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ଧରାକୋଟ ଅଞ୍ଚଳ ର ବିଭିନ୍ନ ଗାଁ ଗୁଡିକରେ ପାଣି ପଶିଛି।…

 

 

୧୦୯ ବର୍ଷ ତଳେ ରିଲିଜ ହୋଇଥିଲା ରାମାୟଣ ଉପରେ ଆଧାରିତ ପ୍ରଥମ ଚଳଚ୍ଚିତ୍ର “ଲଙ୍କା ଦହନ”

ନନ୍ଦିଘୋଷ ବ୍ୟୁରୋ: ବର୍ତ୍ତମାନ ବଲିଉଡ଼ ଷ୍ଟାର ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ରାମାୟଣ’କୁ ନେଇ ସବୁଆଡ଼େ ଚର୍ଚ୍ଚା । ଏହାର ମୁଖ୍ୟ କାରଣ ଫିଲ୍ମର ମୋଟା ଅଙ୍କର ବଜେଟ୍ । ଫିଲ୍ମଟି ୪୦୦୦ କୋଟି ଟଙ୍କା ବଜେଟ୍ ନିର୍ମିତ ହୋଇଛି । କିନ୍ତୁ କ’ଣ ଆପଣ ଜାଣନ୍ତି, ହିନ୍ଦୀ ସିନେମା ଇତିହାସରେ ରାମାୟଣ ଉପରେ ଆଧାରିତ ପ୍ରଥମ ଚଳଚ୍ଚିତ୍ର କେତେ ବଜେଟ୍ ରେ ନିର୍ମାଣ ହୋଇଥିଲା?

ଶତାବ୍ଦୀ ଧରି ରାମାୟଣ ଉପରେ ବହୁ ଚଳଚ୍ଚିତ୍ର, ଧାରାବାହିକ ଓ ୱେବ୍ ସିରିଜ୍ ନିର୍ମିତ ହୋଇଆସୁଛି। ତେବେ ହିନ୍ଦୀ ସିନେମା ଇତିହାସରେ ପ୍ରଥମ ରାମାୟଣ ଭାରତୀୟ ସିନେମାର ଜନକ ଦାଦାସାହେବ ଫାଲକେଙ୍କ ଦ୍ବାରା ନିର୍ମିତ ହୋଇଥିଲା । ରାମାୟଣ ଉପରେ ଆଧାରିତ ଏହି ପ୍ରଥମ ଫିଲ୍ମ ୧୯୧୭ ମସିହାରେ ସିନେମା ହଲରେ ମୁକ୍ତିଲାଭ କରିଥିଲା। ଚଳଚ୍ଚିତ୍ରଟିର ନାମ ଥିଲା “ଲଙ୍କା ଦହନ”। ଦାଦାସାହେବ ଫାଲକେଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର “ଲଙ୍କା ଦହନ” ମହାକାବ୍ୟ ରାମାୟଣ ଉପରେ ଆଧାରିତ ଥିଲା। ଏହା ରାମାୟଣକୁ ବଡ଼ ପରଦାରେ ଉପସ୍ଥାପନ କରିଥିବା ପ୍ରଥମ ଚଳଚ୍ଚିତ୍ର ଅଟେ।

ଆଶ୍ଚର୍ଯ୍ୟଜନକ କଥା, ଏହା ଏକ ନୀରବ ଚଳଚ୍ଚିତ୍ର ଥିଲା, ଯେଉଁଥିରେ ରାମାୟଣର ସମ୍ପୂର୍ଣ୍ଣ କାହାଣୀକୁ ଦୃଶ୍ୟ ମାଧ୍ୟମରେ ଓ କୌଣସି ସଂଳାପ ବିନା ଦର୍ଶାଯାଇଥିଲା। ୧୦୯ ବର୍ଷ ପୁରୁଣା ଏହି ପୌରାଣିକ ଚଳଚ୍ଚିତ୍ରର ବଜେଟ ବିଷୟରେ ଅନେକ ଚର୍ଚ୍ଚା ଲାଗି ରହିଥିବା ବେଳେ ଏହାର ମୋଟ ବଜେଟ୍ ମାତ୍ର ୧୫,୦୦୦ ଟଙ୍କା ଥିଲା । ଆଶ୍ଚର୍ଯ୍ୟର କଥା,”ଲଙ୍କା ଦହନ” ସେତେବେଳେ ଏକ ବାଣିଜ୍ୟିକ ସଫଳତା ପାଇଥିଲା। ରିପୋର୍ଟ ଅନୁଯାୟୀ, ଫିଲ୍ମଟି ୩୫,୦୦୦ ଟଙ୍କାରୁ ଅଧିକ ରୋଜଗାର କରିଥିଲା, ଯାହା ଏହାକୁ ରାମାୟଣ ଉପରେ ଆଧାରିତ ପ୍ରଥମ ଚଳଚ୍ଚିତ୍ର କରିଥିଲା। ଏହି ଚଳଚ୍ଚିତ୍ରରେ ଅଭିନେତା ଆନ୍ନା ସାହେବ ସାଲୁଙ୍କେ ଉଭୟ ପ୍ରଭୁ ରାମ ଓ ସୀତା ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ଏହି କୃତିତ୍ୱ ଏବେ ବି ବଲିଉଡ୍ ଇତିହାସରେ ମନେ ରଖାଯାଏ।

୧୩ ମାସ ଗଲାନି ୧୩ କୋଟି ଟଙ୍କାରେ ନିର୍ମିତ ବୈତରଣୀ ନଦୀ ବନ୍ଧ

ନନ୍ଦିଘୋଷ ବ୍ୟୁରୋ: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଓ ସମୁଦ୍ର ଜୁଆର ମାଡ଼ରେ ପୁଣି ଆରଡି ଷାଠିଵାଙ୍କୁଡା ନିକଟରେ ବୈତରଣୀ ନଦୀ ଗର୍ଭକୁ ଧସିଲା ୨ ଶହ ଫୁଟ ପଥର ନଦୀବନ୍ଧ। ଫଳରେ ବିଛିନ୍ନ ହେବ ଆଖଣ୍ଡଳମଣି – କୁଆଖିଆ ୨୦ନମ୍ଵର ଜାତୀୟ ରାଜପଥ । ଏହାସହ ବନ୍ୟା ଆସିଲେ ୪ଟି ପଞ୍ଚାୟତର ୨୪ ଗାଁକୁ ବିପଦ ରହିଛି । ଗତ ୬ ମାସ ତଳେ ଜଳସମ୍ପଦ ବିଭାଗ ପକ୍ଷରୁ ୧୩ କୋଟି ଟଙ୍କାରେ ନିର୍ମିତ ହୋଇଥିଲା ସୁଦୃଢ ନଦୀବନ୍ଧ। ହେଲେ ୧୩ କୋଟି ଟଙ୍କାର କାମ ୧୩ ମାସ ଗଲାନି।

ନିମ୍ନମାନର କାମକୁ ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆଣିଛନ୍ତି। ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଓ ଧାମାରା ମୁହାଣରୁ  ବୈତରଣୀ ଓ ସାଳନ୍ଦୀ ନଦୀ ଦେଇ ଉଚ୍ଚ ଜୁଆର ଢେଉ ମାଡି ଆସିବାରୁ ଷାଠିବାଙ୍କୁଡା ଗାଁ ପାଖରେ ବୈତରଣୀ ନଦୀ ଗର୍ଭକୁ ଧସିଯାଇଛି ୨ଶହ ଫୁଟର ପଥର ପ୍ୟାକିଙ୍ଗି ସୁରକ୍ଷା ବନ୍ଧ। ଫଳରେ  ଆତଙ୍କିତ ହୋଇପଡିଛନ୍ତି ସ୍ଥାନୀୟ ନଦୀକୂଳିଆ ଗାଁ ଲୋକ। ସେହିପରି  ଗତ ୩ ଦିନ ହେବ ବର୍ଷା ଲାଗି ରହିଥିବାରୁ ବୈତରଣୀ ଓ ସାଳନ୍ଦୀ ନଦୀରେ ଜଳସ୍ତର ବଢିବା ସହ ଅନେକ ସ୍ଥାନରେ ନଦୀଵନ୍ଧରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।

ଏହା ସହ ଗତ କିଛିଦିନ ଧରି ବୈତରଣୀ ନଦୀର ଆରଡି ମୁଁଆଘାଟ ନିକଟରେ ନଦୀବନ୍ଧ ଓ ଜେଟିର ଅତଡା ଖଣ୍ଡ ନଦୀକୁ ଖସିଵା ସହିତ ଗତକାଲି ନଦୀକୂଳକୁ ଲାଗି କରି ଥିବା ମା ଗଙ୍ଗାମାତାଙ୍କ ମନ୍ଦିର ସମ୍ପୂର୍ଣ୍ଣ ଭାବେ ଭାସିଯାଇଛି। ଖାଲି ଏତିକି ନୁହେଁ ସୁନ୍ଦରପୁର ଗାଁକୁ ଲାଗି ଥିବା ବୈତରଣୀ ନଦୀବନ୍ଧର ୩ ଶହଫୁଟର ଫାଟ ସୃଷ୍ଟି ହେବା ସହିତ ୫ଫୁଟ ତଳକୁ ଧସିଯାଇଥିଲା ମାଟିବନ୍ଧ।

ଏହି ଖବର ପ୍ରକାଶ ପାଇବା ପରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜଳସମ୍ପଦ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଠିକାଦାର ଓ ବିଭାଗୀୟ ଅଧିକାରୀମାନେ ନିମ୍ନମାନର କାମ କରି ଟଙ୍କା ସବୁ ଚଳୁ କରିଦେବାରୁ ଆଜି ଏପରି ସ୍ଥିତି ଦେଖାଦେଇଛି। ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରାଯିବ ବୋଲି ବିଧାୟକ କହିଛନ୍ତି।

ଥରିଲା ଆଫଗାନିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୨

ନନ୍ଦିଘୋଷ ବ୍ୟୁରୋ: ପୁଣି ଥରିଲା ଆଫଗାନିସ୍ତାନ । ଗୁରୁବାର ସକାଳେ ଆଫଗାନିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ବୋଲି ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ପକ୍ଷରୁ କୁହାଯାଇଛି ।

ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରେ ପୁଣି ଥରେ ପ୍ରକୃତିର କୋପ ଦେଖିବାକୁ ମିଳିଛି । ଗୁରୁବାର ସକାଳେ ଲୋକେ ଶୋଇଥିବା ବେଳେ ହଠାତ୍ ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଲୋକେ ଘର ଛାଡ଼ି ବାହାରକୁ ଚାଲି ଆସିଥିଲେ । ଭାରତୀୟ ସମୟ ୬ଟା ୩୯ ମିନିଟ୍ ରେ ଏହି ଭୂକମ୍ପ ଝଟକା ଲାଗିଥିବା କୁହାଯାଉଛି । ଏହାର କେନ୍ଦ୍ରସ୍ଥଳୀ ଫୈଜାବାଦରୁ ୯୨ କିମି ଦୂରରେ ରହିଛି । ଭୂପୃଷ୍ଠରୁ କେନ୍ଦ୍ରସ୍ଥଳୀର ଗଭୀରତା ୨୨୮ କିମି ବୋଲି ଜଣାପଡିଛି । ତେବେ ଝଟକା ଲାଗିବା ପରେ ଏବେ ସୁଦ୍ଧା କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିପାରି ନାହିଁ । ସେହିପରି ଗତ ଅକ୍ଟୋବର ୨୫ ତାରିଖରେ ଆଫଗାନିସ୍ତାନ ଭୂକମ୍ପ ଝଟକା ଲାଗିଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ରହିଥିଲା । ଏହା ପୂର୍ବରୁ ଜୁଲାଇ ୨ରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ତୀବ୍ରତା ରିକ୍ଟର ସ୍କେଲରେ ୫.୫ ମାପ କରାଯାଇଥିଲା । ଏହା ପୂର୍ବରୁ ଜୁନ୍ ୨୭ ତାରିଖରେ, ଉତ୍ତର-ପୂର୍ବ ଆଫଗାନିସ୍ତାନରେ ଏକ ଶକ୍ତିଶାଳୀ ୬.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା, ଯାହାର କେନ୍ଦ୍ରସ୍ଥଳ ବାଦାଖଶାନ ପ୍ରଦେଶ ଥିଲା। ଏହି ଭୂମିକମ୍ପ ପାକିସ୍ତାନ ଓ ଉତ୍ତର ଭାରତ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା।

ସୂଚନାଯୋଗ୍ୟ, ଆଫଗାନିସ୍ତାନକୁ ବିଶ୍ୱର ସବୁଠାରୁ ଭୂମିକମ୍ପପ୍ରବଣ ଅଞ୍ଚଳ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଭୂବିଜ୍ଞାନୀମାନଙ୍କ ମତରେ, ଏହି ଦେଶ ଭାରତୀୟ ଟେକ୍ଟୋନିକ୍ ପ୍ଲେଟ୍ ଓ ୟୁରେସିଆନ୍ ଟେକ୍ଟୋନିକ୍ ପ୍ଲେଟ୍‌ର ଧକ୍କା ଜୋନ୍‌ରେ ଅବସ୍ଥିତ । ଏହା ବ୍ୟତୀତ, ହେରାତ୍ ଭଳି ଅଞ୍ଚଳ ଦେଇ ପ୍ରମୁଖ ଫଲ୍ଟ ଲାଇନ ଯାଇଛି। ହିନ୍ଦୁକୁଶ ପର୍ବତମାଳା ଏହି ଅଞ୍ଚଳକୁ ଆହୁରି ଦୁର୍ବଳ କରିଥାଏ। ଫଳରେ ଦେଶରେ ଅଧିକାଂଶ ସମୟରେ ଭୂମିକମ୍ପ ସୃଷ୍ଟି ହୋଇଥାଏ।

 

 

ଭାରତରେ ତାଲିମ ନେବ ଜାପାନୀ ସେନା! କ୍ଷେପଣାସ୍ତ୍ର ଅଭ୍ୟାସ ପାଇଁ ବଢ଼ିଲା ଆଗ୍ରହ

ନନ୍ଦିଘୋଷ ବ୍ୟୁରୋ:  ଭାରତର ପ୍ରତିରକ୍ଷା କ୍ଷମତା ଉପରେ ବଢ଼ୁଛି ବିଶ୍ୱର ଭରସା। ବ୍ରିଟେନ ପରେ ଏବେ ଜାପାନ ମଧ୍ୟ ଭାରତର ସାମରିକ ତାଲିମ ବ୍ୟବସ୍ଥା ଓ କ୍ଷେପଣାସ୍ତ୍ର ପରୀକ୍ଷଣ ସୁବିଧାକୁ ନେଇ ଆଗ୍ରହ ଦେଖାଇଛି। ଯଦି ଏହି ପ୍ରସ୍ତାବ ଆଗକୁ ବଢ଼େ, ତେବେ ଦୁଇ ଦେଶର ପ୍ରତିରକ୍ଷା ସମ୍ପର୍କ ଆହୁରି ମଜବୁତ ହୋଇପାରେ। ଜାପାନର ଏକ ୩୪ ଜଣିଆ ପ୍ରତିନିଧି ଦଳ ଅକ୍ଟୋବର ୪ରୁ ୯ ତାରିଖ ମଧ୍ୟରେ ଭାରତ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ସେମାନେ ଭାରତୀୟ ସେନା ଓ ପ୍ରତିରକ୍ଷା ଗବେଷଣା ସଂସ୍ଥା DRDOର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଭାରତର ସାମରିକ ତାଲିମ ବ୍ୟବସ୍ଥା, ଅସ୍ତ୍ରଶସ୍ତ୍ର ପରୀକ୍ଷଣ ସୁବିଧା ଓ ନୂଆ ପ୍ରତିରକ୍ଷା ପ୍ରଯୁକ୍ତି ବିଷୟରେ ମଧ୍ୟ ତଥ୍ୟ ସଂଗ୍ରହ କରିଥିଲେ।

ଜାପାନ ଭାରତରେ ପୃଷ୍ଠରୁ ଜାହାଜକୁ ମାଡ଼ କରୁଥିବା କ୍ଷେପଣାସ୍ତ୍ର ଏବଂ ଛୋଟ ଆକ୍ରମଣକାରୀ ଡ୍ରୋନ୍ ସମ୍ପର୍କିତ ତାଲିମ ସୁବିଧାର ସମ୍ଭାବନା ଅନୁଧ୍ୟାନ କରୁଛି। ଏଥିପାଇଁ ଭାରତର ପରୀକ୍ଷଣ କେନ୍ଦ୍ର ଓ ଲାଇଭ୍ ଫାୟାରିଂ ରେଞ୍ଜ ବିଷୟରେ ଜାପାନୀ ଅଧିକାରୀମାନେ ଅନୁଧ୍ୟାନ କରିଥିବା ରିପୋର୍ଟରେ କୁହାଯାଇଛି। ତେବେ କେଉଁ କ୍ଷେପଣାସ୍ତ୍ରର ତାଲିମ ହେବ, ତାହା ଏଯାଏଁ ଚୂଡ଼ାନ୍ତ ହୋଇନାହିଁ।

ଜାପାନ ଓ ଚୀନ୍‌ ମଧ୍ୟରେ କିଛି ଦ୍ୱୀପକୁ ନେଇ ଦୀର୍ଘଦିନ ଧରି ବିବାଦ ରହିଛି। ଏହି କାରଣରୁ ଜାପାନ ନିଜର ପ୍ରତିରକ୍ଷା କ୍ଷମତା ବଢ଼ାଇବା ଉପରେ ଗୁରୁତ୍ୱ ଦେଉଛି। ଭାରତ ସହ ସାମରିକ ସହଯୋଗ ଜାପାନ ପାଇଁ ଏକ ନୂଆ ସୁଯୋଗ ହୋଇପାରେ। ତେବେ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଚୀନ୍‌ର ମୁକାବିଲା ବୋଲି ନିଶ୍ଚିତ ଭାବେ କହିବା ପାଇଁ ଅଧିକ ତଥ୍ୟ ଆବଶ୍ୟକ।

ଓଡ଼ିଶାର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ଏକ ପ୍ରମୁଖ କେନ୍ଦ୍ର। ଏହା ସହ ଭାରତରେ ବିଭିନ୍ନ ସାମରିକ ତାଲିମ କେନ୍ଦ୍ର ଓ ଅସ୍ତ୍ର ପରୀକ୍ଷଣ ବ୍ୟବସ୍ଥା ରହିଛି। ଏହି ସୁବିଧାଗୁଡ଼ିକୁ ଅନ୍ୟ ଦେଶ ସହ ବ୍ୟବହାର କରିବାର ସମ୍ଭାବନା ଭାରତର ପ୍ରତିରକ୍ଷା ସହଯୋଗକୁ ନୂଆ ଦିଗ ଦେଇପାରେ।

ଭାରତ ପୂର୍ବରୁ ସିଙ୍ଗାପୁର ଭଳି ଦେଶର ସୈନିକମାନଙ୍କୁ ତାଲିମ ପାଇଁ ସାମରିକ ସୁବିଧା ଯୋଗାଇ ଦେଇଛି। ଏବେ ଜାପାନ ସହ ଏପରି ସହଯୋଗ ଆଗକୁ ବଢ଼ିଲେ, ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଅନ୍ତର୍ଜାତୀୟ ଭାଗିଦାରି ଆହୁରି ବଢ଼ିପାରେ।

ଜାପାନର ଏହି ଗସ୍ତ ଭାରତ-ଜାପାନ ପ୍ରତିରକ୍ଷା ସମ୍ପର୍କରେ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି। କିନ୍ତୁ କ୍ଷେପଣାସ୍ତ୍ର ତାଲିମ ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ଓ ଏହାର ବିବରଣୀ ସାମ୍ନାକୁ ଆସିବା ପରେ ହିଁ ପ୍ରକୃତ ସ୍ଥିତି ସ୍ପଷ୍ଟ ହେବ।

 

 

 

ପାକିସ୍ତାନରେ ଆମ୍ବୁଲାନ୍ସରେ ଭୟଙ୍କର ବିସ୍ଫୋରଣ, ୮ ମୃତ

ନନ୍ଦିଘୋଷ ବ୍ୟୁରୋ:  ପାକିସ୍ତାନର ସିନ୍ଧ ପ୍ରଦେଶରେ ଏକ ଆମ୍ବୁଲାନ୍ସରେ ଭୟଙ୍କର ବିସ୍ଫୋରଣ ଘଟି ୮ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୫ ଜଣରୁ ଅଧିକ ଆହତ ହୋଇଛନ୍ତି। ବୁଧବାର ଅକ୍ଟୋବର ୨୮ ତାରିଖ ରାତି ପ୍ରାୟ ୧୦ଟାରେ ଥରପାରକର ଜିଲ୍ଲାର ଦାନୋ ଧଣ୍ଡାଲସ୍ଥିତ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଘଟଣା ଘଟିଛି। ଖବର ପାଇ ସ୍ଥାନୀୟ ପ୍ରଶାସନ, ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲକୁ ନେଇଥିଲେ। ଆହତଙ୍କ ଚିକିତ୍ସା ଚାଲିଥିବା ବେଳେ ମୃତକଙ୍କ ପରିଚୟ ଚିହ୍ନଟ ପାଇଁ ପ୍ରୟାସ ଜାରି ରହିଛି। ଥରପାରକରର ସହାୟକ କମିଶନରଙ୍କ ସୂଚନା ଅନୁସାରେ, ମୃତକଙ୍କ ମଧ୍ୟରେ ଚାରି ଜଣ ହସ୍ପିଟାଲ କର୍ମଚାରୀ, ଜଣେ ମହିଳା ଏବଂ ଜଣେ ନବଜାତ ଶିଶୁ ଅଛନ୍ତି। ବିସ୍ଫୋରଣରେ ମୃତକଙ୍କ ଶରୀର ଗୁରୁତର ଭାବେ ପୋଡ଼ିଯାଇଥିବାରୁ ସେମାନଙ୍କୁ ଚିହ୍ନଟ କରିବାରେ ସମସ୍ୟା ହେଉଛି।

ତେବେ ଆମ୍ବୁଲାନ୍ସରେ କେମିତି ବିସ୍ଫୋରଣ ହେଲା, ତାହାର କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ନାହିଁ। ଘଟଣାର ତଦନ୍ତ ଏବଂ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି। ମୂଳ ରିପୋର୍ଟରେ ମୃତକଙ୍କ ମୋଟ ସଂଖ୍ୟା ୮ କୁହାଯାଇଥିବା ବେଳେ ଉଲ୍ଲେଖିତ ବର୍ଗର ସଂଖ୍ୟା ୬ ହେଉଛି। ତେଣୁ ଅନ୍ୟ ଦୁଇ ମୃତକଙ୍କ ପରିଚୟ ନିଶ୍ଚିତ ହେବା ପରେ ଯୋଡ଼ାଯିବା ଉଚିତ।

୫୫ ଡିଗ୍ରୀର ଥଣ୍ଡାରୁ ୫୫ ଡିଗ୍ରୀର ଗରମ, ସବୁଠି ଚାଲିବ ଭାରତୀୟ ସେନାର ନୂଆ ଯାନ!

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ସେନାର ଶକ୍ତି ଆହୁରି ବଢ଼ିବ। ଲଦାଖର ହାଡ଼ଭଙ୍ଗା ଶୀତ ହେଉ କି କଚ୍ଛର ପ୍ରଚଣ୍ଡ ଗରମ, ସବୁ ପରିସ୍ଥିତିରେ ସେନାକୁ ସହଯୋଗ କରିବ ଏକ ସ୍ୱତନ୍ତ୍ର ଯାନ। ଏହି ଯାନର ନାମ ହେଉଛି BVS 10 ସିନ୍ଧୁ ଅଲ୍–ଟେରେନ୍ ଭେଇକିଲ୍

ଲାର୍ସନ୍ ଆଣ୍ଡ୍ ଟୁବ୍ରୋ ଏବଂ ବ୍ରିଟେନର ପ୍ରତିରକ୍ଷା କମ୍ପାନୀ BAE ସିଷ୍ଟମ୍ସ ମିଳିତ ଭାବେ ଗୁଜରାଟର ହାଜିରାରେ ଏହି ଯାନର ଉତ୍ପାଦନ ଆରମ୍ଭ କରିଛନ୍ତି। ଏହା ଭାରତୀୟ ସେନାର ଯାତାୟାତ ଓ ଅପରେସନ୍ କ୍ଷମତାକୁ ଆହୁରି ମଜବୁତ କରିବ। ଭାରତୀୟ ସେନା ପ୍ରଥମ ପର୍ଯ୍ୟାୟରେ ଏହି ଧରଣର ୧୮ଟି ଯାନ ପାଇଁ ଅର୍ଡର ଦେଇଛି। ଏହାକୁ ଲଦାଖ ଭଳି ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ନିୟୋଜିତ କରାଯିବ। ସେଠାରେ ପ୍ରାୟ ୧୮ ହଜାର ଫୁଟ୍ ଉଚ୍ଚତାରେ ସୈନିକମାନଙ୍କୁ ଅନେକ କଷ୍ଟକର ପରିସ୍ଥିତିରେ କାମ କରିବାକୁ ପଡ଼ିଥାଏ। ଏପରି ସ୍ଥାନରେ ସୈନିକ ଓ ଆବଶ୍ୟକ ସାମଗ୍ରୀ ପରିବହନରେ ଏହି ଯାନ ସହାୟକ ହେବ।

BVS 10 ସିନ୍ଧୁର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହା ମାଇନସ୍ ୫୫ ଡିଗ୍ରୀରୁ ପ୍ଲସ୍ ୫୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ପର୍ଯ୍ୟନ୍ତ କାମ କରିପାରିବ। ଅର୍ଥାତ୍, ଅତ୍ୟଧିକ ଥଣ୍ଡା ଓ ପ୍ରଚଣ୍ଡ ଗରମ ଉଭୟ ପରିସ୍ଥିତିରେ ଏହା ବ୍ୟବହାର ହୋଇପାରିବ। ଲଦାଖର ବରଫାବୃତ ଅଞ୍ଚଳ ସହିତ ପାକିସ୍ତାନ ସୀମା ନିକଟ କଚ୍ଛର ରଣ ଅଞ୍ଚଳରେ ମଧ୍ୟ ଏହି ଯାନ ଉପଯୋଗୀ ହୋଇପାରିବ। କାଦୁଅ, ଜଳାଭୂମି, ବାଲି ଓ ଅସମତଳ ରାସ୍ତାରେ ଚଳାଚଳ କରିବା ପାଇଁ ଏହାକୁ ଡିଜାଇନ୍ କରାଯାଇଛି।

ସୀମାନ୍ତ ଅଞ୍ଚଳରେ ପାଟ୍ରୋଲିଂ, ସୈନିକଙ୍କ ଗତିଶୀଳତା ଏବଂ କଷ୍ଟକର ରାସ୍ତାରେ ଅପରେସନ୍ କରିବାରେ BVS 10 ସିନ୍ଧୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ। ଅତ୍ୟଧିକ ଥଣ୍ଡାରୁ ଆରମ୍ଭ କରି ପ୍ରଚଣ୍ଡ ଗରମ ପର୍ଯ୍ୟନ୍ତ କାମ କରିବାର କ୍ଷମତା ଏହାକୁ ଅନ୍ୟ ଯାନଠାରୁ ସ୍ୱତନ୍ତ୍ର କରିଥାଏ। ମୋଟାମୋଟି କହିବାକୁ ଗଲେ, ଲଦାଖର ବରଫ ହେଉ କି କଚ୍ଛର ତତଲା ବାଲି, ଭାରତୀୟ ସେନାର ଏହି ନୂଆ ଯାନ ସୀମା ସୁରକ୍ଷା ଓ ସାମରିକ ଅଭିଯାନରେ ନୂଆ ଶକ୍ତି ଯୋଗାଇବାର ଆଶା ରହିଛି।

 

ଦିଲ୍ଲୀ SIR ନେଇ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ କମିଶନଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ। ଦିଲ୍ଲୀରେ ଭୋଟର ତାଲିକାର SIR ନେଇ ଏକାଧିକ ଆବେଦନର ଶୁଣାଣି ବେଳେ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ନିର୍ବାଚନ ଆୟୋଗ ଫର୍ମ-୬, ଫର୍ମ-୭ ଓ ଫର୍ମ-୮ରେ ପରିବର୍ତ୍ତନ କରିପାରିବେ ନାହିଁ। ପୂର୍ବରୁ ଭୋଟର ତାଲିକାରେ ନାମ ଥିବା ବ୍ୟକ୍ତିମାନଙ୍କୁ ପୁଣିଥରେ ନାମ ପଞ୍ଜୀକରଣ ପାଇଁ ଫର୍ମ-୬ ପୂରଣ କରିବାକୁ କାହିଁକି କୁହାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ଫର୍ମ-୬ ମୁଖ୍ୟତଃ ନୂତନ ଭୋଟରଙ୍କ ପଞ୍ଜୀକରଣ ପାଇଁ ଉଦ୍ଦିଷ୍ଟ।

ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଫର୍ମ-୬, ୭ ଓ ୮ ନିର୍ଦ୍ଧାରିତ ଫର୍ମାଟ୍ ହୋଇଥିବାରୁ ଏଥିରେ ପରିବର୍ତ୍ତନ କରାଯାଇପାରିବ ନାହିଁ। ଏହି ଖଣ୍ଡପୀଠ ଆହୁରି ପ୍ରଶ୍ନ କରିଛନ୍ତି ଯେ ନିକଟ ଭବିଷ୍ୟତରେ ଦିଲ୍ଲୀରେ କୌଣସି ନିର୍ବାଚନ ହେବାର ନଥିବା ସତ୍ତ୍ୱେ ନିର୍ବାଚନ ଆୟୋଗ ଅକ୍ଟୋବର ୩୦ ତାରିଖକୁ ଶେଷ ତାରିଖ ଭାବେ କାହିଁକି ଧାର୍ଯ୍ୟ କରୁଛନ୍ତି। ନାମ ପୁନଃପଞ୍ଜୀକରଣ ପାଇଁ କୌଣସି ଶେଷ ତାରିଖ ଧାର୍ଯ୍ୟ ନ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି । ଯେଉଁ ଭୋଟର ବିଭିନ୍ନ କାରଣରୁ ନିଜର ଫର୍ମ ଦାଖଲ କରିପାରିନାହାନ୍ତି, ସେମାନଙ୍କ ପାଇଁ ଏକ ସରଳ ସମାଧାନର ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗକୁ କହିଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କ ନାମ ପୂର୍ବରୁ ଭୋଟର ତାଲିକାରେ ଥିଲା, କିନ୍ତୁ ଏବେ ତାହା ତାଲିକାରେ ନାହିଁ, ତେବେ ତାଙ୍କୁ ‘ନୂତନ ଭୋଟର’ କହିବା ବଦଳରେ ଅନୁଯାୟୀ ଉପଯୁକ୍ତ ସମାଧାନ ଖୋଜାଯିବା ଉଚିତ। ଫର୍ମ-୮ ଠିକଣା ପରିବର୍ତ୍ତନ ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ଫର୍ମ-୬ ନୂତନ ଭୋଟରଙ୍କ ପଞ୍ଜୀକରଣ ପାଇଁ ଉଦ୍ଦିଷ୍ଟ।ତେଣୁ ପୂର୍ବରୁ ଭୋଟର ତାଲିକାରେ ନାମ ଥିବା ବ୍ୟକ୍ତିଙ୍କୁ ଫର୍ମ-୬ ମାଧ୍ୟମରେ ସେମାନେ ପୂର୍ବରୁ କୌଣସି ଭୋଟର ତାଲିକାରେ ନଥିଲେ ବୋଲି ଘୋଷଣା କରିବାକୁ ବାଧ୍ୟ କରିବା ଅଯୌକ୍ତିକ ଓକିଲ ଯୁକ୍ତି କରିଥିଲେ।

ପ୍ରଧାନ ବିଚାରପତି ମତ ଦେଇଥିଲେ ଯେ, ନିର୍ବାଚନ ଆୟୋଗ କେବଳ ଭୋଟରମାନେ ଆବେଦନ କରିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ୍ ନୁହେଁ। ବରଂ ଭୋଟରମାନଙ୍କ ସହ ସିଧାସଳଖ ଯୋଗାଯୋଗ କରିବା ପାଇଁ ଆୟୋଗ ଉଦ୍ୟମ କରିବା ଆବଶ୍ୟକ। ଫର୍ମ-୬ ଓ ଫର୍ମ-୮ ମାଧ୍ୟମରେ ଆବେଦନ ଗ୍ରହଣ ପ୍ରକ୍ରିୟା ଜାରି ରଖିବା ସହିତ ସବୁଠାରୁ ସରଳ ସମାଧାନ ଆପଣାଇବାକୁ ଖଣ୍ଡପୀଠ ନିର୍ବାଚନ ଆୟୋଗକୁ ପରାମର୍ଶ ଦେଇଛନ୍ତି।