spot_img
Home Blog Page 18

ପୁରୀରେ ଧିମେଇ ଚାଲିଛି ବିକାଶ କାର୍ଯ୍ୟ

ପୁରୀ  : ମହାପ୍ରଭୁ ଜଗନ୍ନାଥଙ୍କ ଆଶିଷ ପାଇବା ପାଇଁ ପୁରୀକୁ ଦେଶ ବିଦେଶରୁ ପ୍ରତିଦିନ ଲକ୍ଷାଧିକ ଭକ୍ତଙ୍କ ଆଗମନ ହୋଇଥାଏ । ଶ୍ରୀମନ୍ଦିର ସହ ସମୁଦ୍ର କୂଳ, ସ୍ବର୍ଗଦ୍ବାର ମଠ ଓ ମନ୍ଦିର ମାନଙ୍କରେ ଲୋକ ଭିଡ ଜମିଥାଏ । ଶ୍ରଦ୍ଧାଳୁଙ୍କ ସୁବିଧା ଓ ସୁରକ୍ଷା ପାଇଁ ପୂର୍ବତନ ବିଜେଡି ସରକାର ବହୁ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେଇଥିଲେ । ପୁରୀରେ ସ୍ବର୍ଗଦ୍ବାରର ବିକାଶ ସହ ଐତିହାସିକ ଶ୍ରୀମନ୍ଦିର କରିଡର ନିର୍ମାଣ କରାଯାଇଥିଲା । ଏହାସହ ଜେଲ ରୋଡ, ସମୁଦ୍ର କୂଳ, ଜଗନ୍ନାଥ ବଲ୍ଲଭ ଠାରେ ଯାତ୍ରୀମାନଙ୍କ ଗାଡି ପାର୍କିଙ୍ଗ ନେଇ ମଲ୍ଟି ଷ୍ଟୋର ପାର୍କିଂ ମଧ୍ୟ କରାଯାଇଛି । ସେହିପରି ଅନ୍ତର୍ଜାତୀୟ ବିମାନ ବନ୍ଦର, ଅଠର ନଳା ଠାରେ ମୂଷା ନଈ ପ୍ରକଳ୍ପର ଉନ୍ନତିକରଣ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା । ହେଲେ ଏବେ ଉନ୍ନତିମୂଳକ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡିରହିଛି । ଯଥାଶୀଘ୍ର ସରକାର ପଡିରହିଥିବା କାର୍ଯ୍ୟକୁ ସାରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି । ଶ୍ରୀକ୍ଷେତ୍ର ଏକ ପ୍ରମୁଖ ସ୍ଥାନ ହୋଇଥିବା ବେଳେ ଏହା ପର୍ଯ୍ୟଟନସ୍ଥଳୀ ମଧ୍ୟ । ଶ୍ରୀଜଗନ୍ନାଥ ମନ୍ଦିର ଓ ବିସ୍ତୃତ ସମୁଦ୍ର ବେଳାଭୂମି ସମେତ କୋଣାର୍କ ଓ ସାତପଡ଼ା ପୁରୀକୁ ସମୃଦ୍ଧ କରିଛି । ବିଶ୍ବାସ ଥିଲା ପୁରୀ ଜିଲ୍ଲାରେ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଶ୍ରଦ୍ଧାଳୁ ମାନେ ବହୁ ଉପକୃତ ହୋଇଥାନ୍ତେ । ଏହାସହ ସ୍ଥାନୀୟ ବାସିନ୍ଦାଙ୍କ ଉନ୍ନତି ହୋଇଥାନ୍ତା । ହେଲେ ଏବେ ବିକାଶମୂଳ କାମ ଠପ ହୋଇ ପଡିରହିଛି । ତୁରନ୍ତ ସେ ସବୁ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲୋକମାନେ ଦାବି କରିଛନ୍ତି । ସେପଟେ ରାଜ୍ୟ ସରକାର ପୁରୀର ବିକାଶ ନେଇ ଅନେକ କାର୍ଯ୍ୟ କରୁଛନ୍ତି । ଉନ୍ନତିମୂଳକ ପ୍ରକଳ୍ପ କରିବା ପାଇଁ ଓବିସିସି ସହ ଆଲୋଚନା ହୋଇଛି  । ଏନେଇ ପ୍ଲାନ କରାଯାଇଥିବା ବେଳେ ଏହାର କାର୍ଯ୍ୟକାରିତା ଉପରେ ଧ୍ୟାନ ଦିଆଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି । ପୁରୀକୁ ବିଶ୍ୱ ଦରବାରରେ ଐତିହ୍ୟ ନଗରୀ ରୂପେ ଗଢି ତୋଳିବା ପାଇଁ ଅଧପନ୍ତରିଆ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ଅପରିହାର୍ଯ୍ୟ ହୋଇ ପଡିଛି । ତେବେ ଦେଖାଯାଉ  ସରକାର ପୁରୀର ବିକାଶ ପାଇଁ କେଉଁ କେଉଁ କାର୍ଯ୍ୟ ହାତକୁ ନେଉଛନ୍ତି ।

ବିଜେପିକୁ କେଜ୍ରିଓ୍ବାଲଙ୍କ ଟାର୍ଗେଟ: କହିଲେ- ମୋତେ ହତ୍ୟା କରି ମୋ ପାଖରୁ ବଞ୍ଚି ପାରିବ

ବିଜେପିକୁ କେଜ୍ରିଓ୍ବାଲଙ୍କ ଟାର୍ଗେଟ: କହିଲେ- ମୋତେ ହତ୍ୟା କରି ମୋ ପାଖରୁ ବଞ୍ଚି ପାରିବ

ନନ୍ଦିଘୋଷ ବ୍ୟୁରୋ: କୋର୍ଟଙ୍କୁ ନିର୍ଦ୍ଦୋଶରେ ଖଲାସ ହେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ବିଜେପିକୁ ଟାର୍ଗେଟ କରିଛନ୍ତି । ଲୋକେ ପଚାରୁଛନ୍ତି, ଜେଲରୁ ଆସିବା ପରେ ଅରବିନ୍ଦ କେଜ୍ରିଓ୍ବାଲ ଗାଏବ ହୋଇଗଲେ । ମୁଁ କୌଣସି ନେତା ନୁହେଁ । ଏମିତି ଅଭିଯୋଗ ମୋ ଉପରେ ପ୍ରଭାବ ପକାଉଛି । ଆଜି ମୋତେ ଶାନ୍ତି ମିଳିଛି । ଆପଣ ସବୁକିଛି କରି ଦେଖି ନେଲେ, ହେଲେ ଅରବିନ୍ଦ କେଜ୍ରିଓ୍ବାଲଙ୍କ କିଛି କରିପାରିଲେନି । ଏବେ ଗୋଟଇଏ ମାତ୍ର ବାଟ ରହିଛି, କେଜ୍ରିଓ୍ବାଲଙ୍କ ହତ୍ୟା କରିଦିଅ ନଚେତ ଆମଠାରୁ ଅଧିକ ସ୍କୁଲ ଓ ମୋହଲ୍ଲା କ୍ଲିନକ ନିର୍ମାଣ କରିଦିଅ ।

କେଜ୍ରିଓ୍ବାଲଙ୍କ ସହ ମନୀଷ ସିସୋଦିଆ, ସଞ୍ଜୟ ସିଂହ, ସୌରଭ ଭାରଦ୍ବାଜ ଏବଂ ଦୁର୍ଗେଶ ପାଠକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ଗତ ୪ ବର୍ଷ ହେବ ମଦ ଦୁର୍ନୀତି କଥା କହୁଛି । ଆମ ନ୍ୟାୟିକ ବ୍ୟବସ୍ଥା ଐତିହାସିକ ନିଷ୍ପତ୍ତି ଦେଇଚନ୍ତି । ଜଜ୍ ସାହେବଙ୍କୁ ଧନ୍ୟବାଦ । ଆଜି ଯେତେବେଳେ ସମସ୍ତଙ୍କୁ ଧମକ ଦିଆଯାଉଛି, ସେ ସେମୟରେ ଜଜ୍ ସାହେବ ବହୁତ ସାହସ ଦେଖାଇଛନ୍ତି ।

କେଜ୍ରିଓ୍ବାଲ କହିଛନ୍ତି, ପୂରା ଦେଶର ଲୋକେ ସମର୍ଥନ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ଗତ ୪ ବର୍ଷରେ ଇଡି, ସିବିଆଇର ବ୍ୟବହାର କରି ମୋ ଉପରେ ମଦ ଦୁର୍ନୀତିର ଅଭିଯୋଗ ଲଗାଇଥିଲେ । ଆଜି କୋର୍ଟଙ୍କୁ ନିଷ୍ପତ୍ତି ନେବାର ଥିଲା କି ମାମଲା ଚଲାଇବାକୁ ପାଇଁ ଆବଶ୍ୟକ ପ୍ରମାଣ ରହିଛି କି ନାହିଁ ।

‘ଷଡଯନ୍ତ୍ର ହୋଇଥିଲା, କ୍ଷମା ମାଗନ୍ତୁ’

କେଜ୍ରିଓ୍ବାଲ କହିଛନ୍ତି, କୋର୍ଟ ୬୦୦ ପୃଷ୍ଟାର ଆଦେଶରେ କହିଛନ୍ତି, ଗୋଟଇଏ ବି ପ୍ରମାଣ ନାହିଁ । ଏହା ପୂରା ଷଡଯନ୍ତ୍ର ଥିଲା । ଦେଶକୁ କ୍ଷମା ମାଗିବା ଉଚିତ । ସେମାନେ ଦେଖିଲେ ଦିଲ୍ଲୀରେ ହରାଇ ପାରିବେ ନାହିଁ । ତେଣୁ ଏମିତି ଅକ୍ଷମଣୀୟ ଷଡଯନ୍ତ୍ର ରଚିଲେ । ସେମାନେ ଜାଣିଥିଲେ କେଜ୍ରିଓ୍ବାଲ ଜଣେ ସଚ୍ଚୋଟ ଲୋକ, ତାଙ୍କ ସଚ୍ଚୋଟତା ଉପରେ ଆକ୍ରମଣ କରାଯାଉ । ଭ୍ରଷ୍ଟାଚାରର ଅଭିଯୋଗ ଲଗାଇ ସେମାନେ ୧୦୦ କୋଟି ଟଙ୍କା ଖାଇଗଲେ । କୋର୍ଟଙ୍କ ନିର୍ଦ୍ଦେଶ ଏହା ପ୍ରମାଣିତ କରୁଛି ଅରବିନ୍ଦ କେଜ୍ରିଓ୍ବାଲ, ମନୀଷ ସିସୋଦିଆ, ସଞ୍ଜୟ ସିଂହ ଏବଂ ଦୁର୍ଗେଶ ପାଠକ ସମ୍ପୂର୍ଣ୍ଣ ସଚ୍ଚୋଟ ।

କଂଗ୍ରେସକୁ ବି ଟାର୍ଗେଟ୍

କେବଳ ବିଜେପି ନୁହେଁ, ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସକୁ ବି ଟାର୍ଗେଟ କରିଛନ୍ତି କେଜ୍ରିଓ୍ବାଲ । ସେ କହିଛନ୍ତି, ଆମ ପରିବାର ବହୁତ କିଛି ସହିଛି । ଆମେ ଓ ଆମ ପରିବାର ଗୁରୁତ୍ବପୂର୍ଣ୍ଣ ନୁହେଁ । ହେଲେ ଦିଲ୍ଲୀବାସୀ ଏହାର ପରିଣାମ ଭୋଗୁଛନ୍ତି । ମୋଦି ଜୀଙ୍କୁ ଚ୍ୟାଲେଞ୍ଜ ଦେଉଛି, ଆଜି ନିର୍ବାଚନ କରନ୍ତୁ, ୧୦ରୁ ଅଧିକ ସିଟ ଜିତିପାରିବେନି । ଆଗକୁ କହିଛନ୍ତି, ଆଜି ଆମେରିକା ଆମକୁ ଆଖି ଦେଖାଉଛି । ଟ୍ରମ୍ପ ପ୍ରତିଦିନ ଗାଳି ଦେଉଛନ୍ତି, ହେଲେ ମୋଦି ଜୀ ପୂରା ଚୁପ୍ । ସେ ପ୍ରଶ୍ନ କରିଛନ୍ତି, କେଜ୍ରିଓ୍ବାଲ, ସିସୋଦିଆ ଜେଲ ଯାଆନ୍ତୁ ହେଲେ ରୋବର୍ଟ ଭଦ୍ରା, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଜେଲ ଗଲେ କି ? କଂଗ୍ରେସ କେଉଁ ମୁହଁରେ କହୁଛି । ଇଡି ମାମଲା ଶେଷ ହୋଇଯାଇଛି । ଆମେ ଆଗାମୀ ସପ୍ତାହରେ ଆପ୍ଲିକେଶନ ଦେବୁ ।

‘ମୁଣ୍ଡ ନୁଆଁଇବାକୁ ପଡ଼ିବ’

ସେ ପୁଣି କହିଛନ୍ତି, କୋର୍ଟ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଆମ ପରିବାର ବହୁତ ସହିଛନ୍ତି । ଏହା କେବଳ ଏକ ମାମଲା ନୁହେଁ, ପୂରା ସିଷ୍ଟମକୁ ଚ୍ୟାଲେଞ୍ଜ କରିବାର କଥା । ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଜେଲରେ ପୂରାଇ ଦେଲ । ଆଗକୁ ଯେଉଁଠି ଯେଉଁଠି ବିଜେପି ସରକାର ଆସିବନି ସେଠିକାର ମୁଖ୍ୟମନ୍ତ୍ରୀଙ୍କୁ ଏମାନେ ଜେଲରେ ପୂରାଇ ଦେବେ । ଆଜିର ଏହି ଏକଛତ୍ରବାଦଙ୍କୁ ମୁଣ୍ଡ ନୁଆଁଇବାକୁ ପଡିବ । ମନୀଷ ସିସୋଦିଆ ବିଜେପିକୁ ପଚାରିଛନ୍ତି, ପୂର୍ବରୁ ଭାଜପା ନେତା କହୁଥିଲେ ସବୁ ପ୍ରମାଣ ରହିଛି । ଏବେ କୁହନ୍ତୁ, ସେ ପ୍ରମାଣ ସବୁ ଗଲା କୁଆଡ଼େ ?

ଜରାଜୀର୍ଣ୍ଣ ଅବସ୍ଥାରେ ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ, ରକ୍ଷଣାବେକ୍ଷଣ ଅଭାବରୁ ହରାଇଲାଣି ସତ୍ତା

ବୌଦ୍ଧ : ଜରାଜୀର୍ଣ୍ଣ ଅବସ୍ଥାରେ ଜିଲ୍ଲା ସଂଗ୍ରହାଳୟ । ରକ୍ଷଣାବେକ୍ଷଣ ଅଭାବରୁ ହରାଇଲାଣି ଶୋଭା । ନିଘୋଡ଼ ନିଦ୍ରାରେ ପ୍ରଶାସନ ।… ବୌଦ୍ଧ ଜିଲ୍ଲାରେ ପୂର୍ବ ସରକାର ଏକ ମ୍ୟୁଜିୟମ ତିଆରି କରିଥିଲେ । ସଂଗ୍ରହାଳୟରେ ଜିଲ୍ଲାର ଐତିହ୍ୟ, ପରମ୍ପରା ସହ ରାଜରାଜୁଡ଼ା ଅମଳରେ ବ୍ୟବହାର ହେଉଥିବା ବସ୍ତୁକୁ ସାଇତି ରଖାଯାଇଥିଲା । ରାଜକୀୟ ପ୍ରକୋଷ୍ଠ ସହ ଜନଜାତି ପ୍ରକୋଷ୍ଠ ଭଳି ଅନେକ ପ୍ରକୋଷ୍ଠ ଥିଲା । ଯାହା ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରୁଥିଲା । କିନ୍ତୁ ଉଦଘାଟନର କେଇ ବର୍ଷ ଭିତରେ ସଂଗ୍ରହାଳୟଟି ନିଜର ସତ୍ତା ହରାଇଲାଣି । ଫଳରେ ମ୍ୟୁଜିୟମରୁ ମୁହଁ ଫେରାଇଲେଣି ପର୍ଯ୍ୟଟକ ।…
ସଂଗ୍ରହାଳୟରେ ଥିବା 3D ହଲ ଠାରୁ ଆରମ୍ଭ କରି ଗ୍ରାଭିଟି ଟନେଲ, ଆକ୍ଵାରିୟମ ଭଳି ଅନେକ ହଲ ଭାଙ୍ଗିରୁଜି ଗଲାଣି । ଖାଲି ସେତିକି ନୁହେଁ ସଂଗ୍ରହାଳୟର ରକ୍ଷଣାବେକ୍ଷଣ ପାଇଁ ନିୟୋଜିତ ହୋଇଥିବା କର୍ମଚାରୀଙ୍କୁ ୨ ବର୍ଷ ହେଲା ପାରିଶ୍ରମିକ ମିଳୁନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ସଂଗ୍ରହାଳୟର ଉନ୍ନତି ଓ ସମସ୍ୟାର ସମାଧାନ ପାଇଁ ସଂସ୍କୃତି ବିଭାଗକୁ ଅବଗତ କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ । କେବେ ସଂଗ୍ରହାଳୟର ପୁନରୁଦ୍ଧାର ହେଉଛି ? କେବେ ନିୟୋଜିତ ହୋଇଥିବା ଷ୍ଟାଫଙ୍କୁ ପାରିଶ୍ରମିକ ଯୋଗାଇ ଦିଆଯାଉଛି ? ତାକୁ ହିଁ ଅପେକ୍ଷା ।

ଟାଙ୍ଗରା ଜମିରେ ଭଳିକି ଭଳି ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଶଙ୍କର୍ଷଣ

 

ବାସୁଦେବପୁର : ଯୁଆଡ଼େ ଦେଖିବେ ସବୁଜିମା ପରିବେଶ । ଭଳିକି ଭଳି ଫସଲରେ ଫାଟି ପଡୁଛି ପୂରା ପରିବେଶ । ଆଉ ଏଭଳି ଚାଷ କରିଛନ୍ତି ବାସୁଦେବପୁର ବ୍ଲକ ଚୂଡାମଣୀ ପଞ୍ଚାୟତ ତଳସାହିର ଶଙ୍କର୍ଷଣ ମଲ୍ଲିକ । ବୟସର ଅପହାହ୍ନରେ ବି ସେ ଥକି ଯାଇନାହାନ୍ତି । ନିଜର ଟାଙ୍ଗରା ଜମିରେ ଫଳାଇଛନ୍ତି ସୁନାର ଫସଲ । ଆଳୁ, ସୋରିଷ, ମୁଗ, କଦଳୀ, ଆମ୍ବ, ପାମୋଲିନ ସାଙ୍ଗକୁ ମାଛ ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଏଥିସହ ଅନ୍ୟ ମାନଙ୍କୁ ଦେଇଛନ୍ତି ରୋଜଗାର ।
ଶଙ୍କର୍ଷଣ ପ୍ରଥମେ ଉଦ୍ୟାନ ବିଭାଗ ଓ କୃଷି ବିଭାଗର ସହାୟତାରେ ମକା ଓ ସୂର୍ଯ୍ୟମୁଖୀ ଚାଷ ଆରମ୍ଭ କରିଥିଲେ । ସେବେଠାରୁ ସେ ଆଉ ପଛକୁ ଅନାଇନାହାନ୍ତି । ନିଜସ୍ଵ ଜ୍ଞାନ କୌଶଳରେ ମିଶ୍ରିତ ଚାଷ କରି ଜଣେ ସଫଳ ଚାଷୀ ଭାବେ ଖାଲି ବ୍ଲକରେ ନୁହେଁ ରାଜ୍ୟ ସ୍ତରରେ ପୁରସ୍କାର ହାସଲ କରିଛନ୍ତି ।

ମନ୍ଥର ଗତିରେ ଚାଲିଛି କଳାହାଣ୍ଡି ଜିଲ୍ଲା ଗୋତାମୁଣ୍ଡା- ଡାହିନାଗୁଡା ରାସ୍ତା କାମ

ଧର୍ମଗଡ : ବିତିଲାଣି ୩ ବର୍ଷ । ଏଯାଏଁ ସରୁନି ରାସ୍ତା କାମ । ସମସ୍ୟା ଭୋଗୁଛନ୍ତି ଉପାନ୍ତବାସୀ । କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳରୁ ନବରଙ୍ଗପୁରକୁ ଯାତାୟାତ ସୁଗମ ପାଇଁ ମାଷ୍ଟରପ୍ଲାନ ତିଆରି କରିଥିଲେ ନବୀନ । ଗୋତାମୁଣ୍ଡା ସାହାଜଖୋଲ ଦେଇ ଡାହିମାଲ ଡାହିନାଗୁଡା ୭ କିଲୋମିଟର ରାସ୍ତା ପାଇଁ ୭ କୋଟି ୫୨ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ନବରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରାସ୍ତା କାମ ବି ଚାଲିଛି । ହେଲେ ଆଜକୁ ତିନି ବର୍ଷ ହେଲା କାମ ସରୁନଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ପୂର୍ବରୁ ଦଣ୍ଡପଟ ଅଞ୍ଚଳର ଲୋକେ ଝରିଗାଁ ଓ ଉମରକୋଟ ଯିବାକୁ ହେଲେ ୬୦ ରୁ ୭୦ କିଲୋମିଟର ବୁଲିକି ଯାଉଥିଲେ । ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଲୋକଙ୍କ ଯାତାୟାତରେ ବାଧା ଉପୁଜାଉଥିଲା । ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ପୂର୍ବ ସରକାର ଏହି ଜଙ୍ଗଲ ମଧ୍ୟରେ ରାସ୍ତା ନିର୍ମାଣ କରୁଥିଲେ । ହେଲେ ରାସ୍ତା କାମ ସରିବାର ନାଁ ଧରୁନି । ଆବୁଡା ଖାବୁଡ଼ା ରାସ୍ତା ଦେଇ ଯାଆସ କରୁଛନ୍ତି ଲୋକେ । ଏନେଇ କ୍ୟାମେରା ଆଗରେ ମୁହଁ ଖୋଲୁ ନାହାନ୍ତି ବିଭାଗୀୟ ଅଧିକାରୀ । କେବେ ଗୋତାମୁଣ୍ଡା- ଡାହିନାଗୁଡା ରାସ୍ତା କାମ ଶେଷ ହେଉଛି ? କେବେ ଉପାନ୍ତବାସୀଙ୍କ ସ୍ଵପ୍ନ ପୂରଣ ହେଉଛି ? ତାହା ଉପରେ ସମସ୍ତଙ୍କ ରହିଛି ନଜର ।

ଆଫଗାନିସ୍ତାନର ଏୟାରଷ୍ଟ୍ରାଇକ୍: ପାକିସ୍ତାନ ସେନାମୁଖ୍ୟ ଆସିମ ମୁନିରଙ୍କ ପରାମର୍ଶଦାତାଙ୍କ ମୃତ୍ୟୁ

ଆଫଗାନିସ୍ତାନର ଏୟାରଷ୍ଟ୍ରାଇକ୍: ପାକିସ୍ତାନ ସେନାମୁଖ୍ୟ ଆସିମ ମୁନିରଙ୍କ ପରାମର୍ଶଦାତାଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ବଢ଼ିବାରେ ଲାଗିଛି ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ତିକ୍ତତା । ପାକିସ୍ତାନର ଏୟାରଷ୍ଟ୍ରାଇକ ପରେ ଆଫଗାନିସ୍ତାନ ପାଲଟା ଆକ୍ରମଣ କରିଛି । ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଶୁକ୍ରବାର ପାକିସ୍ତାନର ସୈନ ଠିକଣା ଉପରେ ଏୟାରଷ୍ଟ୍ରାଇକ କରାଯାଇଛି । ପାକିସ୍ତାନ ପକ୍ଷରୁ କରାଯାଇଥିବା ଆକ୍ରମଣର ଏହା ପ୍ରତି ଉତ୍ତର ଥିଲା । ସକାଳ ୧୧ଟା ସମୟରେ ଆଫଗାନ ବାୟୁସେନା ପାକିସ୍ତାନ ରାଜଧାନୀ ଇସଲାମାବାଦ ନିକଟ ଫୈସଲାବାଦ ସହରରେ ଥିବା ସୈନ ଠିକଣାକୁ ଟାର୍ଗେଟ କରାଯାଇଥିଲା । ଏହାବାଦ ନୌଶେରାରେ ଥିବା ଆର୍ମି କ୍ୟାଣ୍ଟନମେଣ୍ଟ, ମଜରୁଦରେ ଥିବା ସୈନ୍ୟ କଲୋନୀ ଏବଂ ଏବଟାବାଦରେ ଥିବା ଏକାଧିକ ସୈନ୍ୟ ଠିକଣା ଉପରେ ଆକ୍ରମଣ କରାଯାଇଛି । ଇସଲାମାବାଦରେ ହୋଇଥିବା ଏୟାରଷ୍ଟ୍ରାଇକରେ ପାକିସ୍ତାନ ସେନାମୁଖ୍ୟ ଆସିମ ମୁନିରଙ୍କ ପରାମର୍ଶଦାତା ଆଶିକଙ୍କ ମୃତ୍ୟୁ ଘଟିଛି ।

ଆଫଗାନ ରକ୍ଷା ମନ୍ତ୍ରାଳୟ ପକ୍ଷରୁ ଦାବି କରାଯାଇଛି, ଏହି ଅପରେସନ ସଫଳତାର ସହ କରାଯାଇଛି । ଏଥିରେ ପାକିସ୍ତାନ ସେନାର ଗୁରୁତ୍ବପୂର୍ଣ୍ଣ ଠିକଣା, ସେନା କେନ୍ଦ୍ରକୁ ଟାର୍ଗେଟ କରାଯାଇଥିଲା । ତାଲିବାନ ପ୍ରବକ୍ତା ଜବିହୁଲ୍ଲାହ ମୁଜାହିଦ କହିଛନ୍ତି, ଆମେ ଯେଉଁ ଆକ୍ରମଣ କରିଛୁ ଏହା ଆରମ୍ଭ ମାତ୍ର । ଆଗକୁ ପାକିସ୍ତାନର ବଡ଼ ବଡ଼ ସହରକୁ ଟାର୍ଗେଟ କରାଯିବ ।

ପାକିସ୍ତାନର ଧମକ

ପାକିସ୍ତାନ ରକ୍ଷାମନ୍ତ୍ରୀ ଖ୍ବାଜା ମୋହମ୍ମଦ ଆସିଫ ଶୁକ୍ରବାର କହିଛନ୍ତି, ପାକିସ୍ତାନର ଧର୍ଯ୍ୟ ଉତ୍ତର ଦେଇ ସାରିଛି, ଏବେ ଆଫଗାନିସ୍ତାନ ସହ ଖୋଲାଖୋଲି ଯୁଦ୍ଧର ସ୍ଥିତି । ସୋସିଆଲ ମିଡିଆ ଫ୍ଲାଟଫର୍ମରେ ସେ ଉଲ୍ଲେଖ କରିଛନ୍ତି, ପାକିସ୍ତାନ ଚାହୁଁଛି ନାଟୋ ସେନା ଯିବା ପରେ ଆଫଗାନିସ୍ତାନରେ ଶାନ୍ତି ଫେରୁ । ହେଲେ ଏବେ ଶାନ୍ତି ଭଙ୍ଗ ହୋଇଛି । ତେବେ ଆଫଗାନ ସରକାରଙ୍କ ତରଫରୁ ଏହା ଉପରେ କୌଣସି ବୟାନ ଆସିନାହିଁ ।

ସଞ୍ଜୁଙ୍କ ପାଇଁ ଫର୍ମକୁ ଫେରିଲେ କି ଅଭିଶେକ; କାମ କଲା ଗମ୍ଭୀର-ସୂର୍ଯ୍ୟଙ୍କ କେଉଁ ରଣନୀତି ?

ସଞ୍ଜୁଙ୍କ ପାଇଁ ଫର୍ମକୁ ଫେରିଲେ କି ଅଭିଶେକ; କାମ କଲା ଗମ୍ଭୀର-ସୂର୍ଯ୍ୟଙ୍କ କେଉଁ ରଣନୀତି ?

ନନ୍ଦିଘୋଷ ବ୍ୟୁରୋ: ଟି-୨୦ ବିଶ୍ବକପର ସୁପର-୮ ଷ୍ଟ୍ରେଜରେ ଏକ କର ବା ମର ମ୍ୟାଚରେ ଭାରତ ଜିମ୍ବାଓ୍ବେକୁ ହରାଇଛି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଓପନର ତଥା ଟି-୨୦ ରାଙ୍କରେ ଏକ ନମ୍ବର ଅଭିଶେକ ଶର୍ମାଙ୍କ ବ୍ୟାଟ କଥା କହିଥିଲା । ଏହାପୂର୍ବରୁ ଚଳିତ ବିଶ୍ବକପରେ ସେ ତିନି ଥର ଶୂନରେ ଆଉଟ୍ ହୋଇଥିବା ବେଳେ ଶେଷ ମ୍ୟାଚରେ ୧୫ ରନ୍ କରିବାକୁ ସକ୍ଷମ ହୋଇଥିଲେ । ହେଲେ ଗତକାଲିର ଜିମ୍ବାଓ୍ବେ ବିପକ୍ଷ ମ୍ୟାଚରେ ପୁଣି ଥରେ ସେ ପୁରୁଣା ଅଭିଶେକଙ୍କୁ ଦେଖିବାକୁ ମିଳିଥିଲା । ଉକ୍ତ ମ୍ୟାଚରେ ୩୦ ବଲରେ ୫୫ ରନର ବିସ୍ଫୋର ବ୍ୟାଟିଂ କରିଥିଲେ । ଯେଉଁଥିରେ ୪ଟି ଲେଖାଏଁ ଚୌକା, ଛକା ଥିଲା । ଅଭିଶେକଙ୍କ ଫର୍ମକୁ ନେଇ ଟିମ୍ ଇଣ୍ଡିଆ ସମେତ କ୍ରିକେଟ ପ୍ରଶଂସକ ଚିନ୍ତାରେ ଥିଲେ । ଏମିତି ସ୍ଥିତିରେ ହେଡ କୋଚ ଗମ୍ଭୀର ଏବଂ ଅଧିନାୟକ ସୂର୍ଯ୍ୟକୁମାରଙ୍କ ବି ଚିନ୍ତା ବଢ଼ିଯାଇଥିଲା । ତେବେ ଜିମ୍ବାଓ୍ବେ ବିପକ୍ଷ ମ୍ୟାଚରେ ଉଭୟଙ୍କ ରଣନୀତି ଅଭିଶେକଙ୍କୁ ଫର୍ମକୁ ଫେରିବାକୁ ହେଲା କି ସହାୟକ ? ଏମିତି କ’ଣ କଲେ କୋଚ-ଅଧିନାୟକ ଯୋଡ଼ି ଯାହାର ଫାଇଦା ଫିଲ୍ଡରେ ଅଭିଶେକଙ୍କୁ ମିଳିଲା ଆସନ୍ତୁ ଜାଣିବା ।

କାମ କଲା କି ଗମ୍ଭୀର-ସୂର୍ଯ୍ୟଙ୍କ ଚାଲ୍

ଏହି ମ୍ୟାଚରେ ହେଡ କୋଚ ଗୌତମ ଗମ୍ଭୀର ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏକ ବଡ଼ ପରିବର୍ତ୍ତନ କରିଥିଲେ । ଯାହା ଅଭିଶେକଙ୍କ ପାଇଁ ଲାଭଦାୟକ ରହିଲା । ଏହି ମ୍ୟାଚରେ ସଞ୍ଜୁ ସାମସଙ୍ଗଙ୍କୁ ପ୍ଲେଇଂ ଇଲେଭେନକୁ ଆଣିବା ଟିମ୍ ପାଇଁ ଏକ ସ୍ମାର୍ଟ ମୁଭ ଥିଲା । ସେତିକି ନୁହେଁ ଇଶାନ କିଶନଙ୍କ ସ୍ଥାନରେ ତାଙ୍କୁ ଓପନିଂ କରିବାକୁ ଦିଆଗଲା । ଏହାଦ୍ବାରା ଲେଫ୍ଟ-ରାଇଟ୍ କମ୍ବିନେଶନ ବନିଥିଲା ।

ଅଭିଶେକଙ୍କୁ ମିଳିଲା ଫାଇଦା

ଏହି ପରିବର୍ତ୍ତନ ବେଶ ଗୁରୁତ୍ବପୂର୍ଣ୍ଣ ଥିଲା । କାରଣ ଗତ କିଛି ମ୍ୟାଚରେ ବିପକ୍ଷ ଟିମ୍ ଭାରତର ଟପ୍ ଅର୍ଡରରେ ଦୁଇ ଲେଫ୍ଟ ହ୍ୟାଣ୍ଡେଡ ଓପନରଙ୍କୁ ଦେଖି ଅଫ୍ ସ୍ପିନରୁ ଆରମ୍ଭ କରୁଥିଲେ । ଯାହାଦ୍ବାରା ଅଭିଶେକ ବିପକ୍ଷଙ୍କ ଜାଲରେ ଫସି ଯାଉଥିଲେ । ହେଲେ ଏଥର ସଞ୍ଜୁ ରାଇଟ୍ ହ୍ୟାଣ୍ଡେଡ ହେବା ଦ୍ବାରା ଜିମ୍ବାଓ୍ବେକୁ ପାଓ୍ବାର ପ୍ଲେରେ ଅଫ୍ ସ୍ପିନ୍ ଲଗାଇବାକୁ ସୁଯୋଗ ମିଳିଲାନି । କାରଣ ରାଇଟ୍ ହ୍ୟାଣ୍ଡେଡଙ୍କ ପାଇଁ ଅଫ୍ ସ୍ପିନ ଏତେ ପ୍ରଭାବି ହୋଇ ନଥାଏ । ଅନ୍ୟପକ୍ଷେ ସଞ୍ଜୁଙ୍କ ରେକର୍ଡ ସ୍ପିନ ବିରୋଧରେ ବହୁତ ଭଲ ରହିଛି । ଫଳରେ ଜିମ୍ବାଓ୍ବେକୁ ଫାଷ୍ଟ ବୋଲରଙ୍କ ଦ୍ବାରା ବୋଲିଂ ଆରମ୍ଭ କରାଇବାକୁ ପଡିଲା । ଯାହା ଅଭିଶେକଙ୍କୁ ବେଶ ସୁଟ୍ କରିଥାଏ ।

ଅଭିଶେକ ବି ଏହାର ପୂରା ଫାଇଦା ଉଠାଇବା ସହ ଆକ୍ରାମକ ଢଙ୍ଗରେ ବ୍ୟାଟିଂ କରିଥିଲେ । ସଞ୍ଜୁ ବି ୧୫ ବଲରେ ୨୪ ରନର ଏକ ଭଲ ଇନିଂସ ଖେଳିଥିଲେ । ଉଭୟଙ୍କ ମଧ୍ୟରେ ୪୮ ରନ୍ର ଓପନିଂ ପାର୍ଟନରସିପ୍ ହୋଇଥିଲା । ଯାହା ଚଳିତ ବିଶ୍ବକପରେ ଭାରତର ସବୁଠାରୁ ବଡ଼ ଓପନିଂ ପାର୍ଟନରସିପ୍ । ଏପରିକି ପାଓ୍ବାର ପ୍ଲେରେ ଭାରତ ୮୦ ରନ୍ ବନାଇବା ଦଳକୁ ଦୃଢ଼ ସ୍ଥିତିକୁ ନେଇ ଆସିଥିଲା ।

ସବୁଠି ରଶ୍ମିକା ମନ୍ଦାନା-ବିଜୟ ଦେବରକୋଣ୍ଡାଙ୍କ ବିବାହ ଚର୍ଚ୍ଚା, ଜାଣନ୍ତୁ- ଭାଇରାଲ ହୋଇଥିବା ୫ ଯୋଡ଼ିଙ୍କ ସମ୍ପର୍କରେ

ସବୁଠି ରଶ୍ମିକା ମନ୍ଦାନା-ବିଜୟ ଦେବରକୋଣ୍ଡାଙ୍କ ବିବାହ ଚର୍ଚ୍ଚା, ଜାଣନ୍ତୁ- ଭାଇରାଲ ହୋଇଥିବା ୫ ଯୋଡ଼ିଙ୍କ ସମ୍ପର୍କରେ

ନନ୍ଦିଘୋଷ ବ୍ୟୁରୋ: ୨୬ ଫେବ୍ରୁଆରୀରେ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ଧୁମଧାମରେ ହୋଇଯାଇଛି । ଉଭୟ ନୂଆ ଜୀବନ ଆରମ୍ଭ କରିଛନ୍ତି । ଏବେ ଉଭୟଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରଶ୍ମିକା ଏବଂ ବିଜୟ ଆନ୍ଧ୍ର ଏବଂ କୋଡଓ୍ବା ରୀତିନୀତିରେ ବିବାହ କରିଛନ୍ତି । କୁହାଯାଉଛି କୋଡଓ୍ବା ରୀତି ବିବାହ ବେଳେ ରଶ୍ମିକାଙ୍କୁ ତାଙ୍କ ଶାଶୁ ଶାଢ଼ୀ ଗିଫ୍ଟ କରିଛନ୍ତି । ହେଲେ, ାଶ୍ମିକା ଏବଂ ବିଜୟଙ୍କ ବିବାହ ଫଟୋ କେବଳ ଭାଇରାଲ ହୋଇନି । ଏମିତି ବି କିଛି ଯୋଡ଼ି ଅଛନ୍ତି, ଯେଉଁମାନଙ୍କ ବିବାହ ଉତ୍ସବ ଚାହୁଁଚାହୁଁ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା । ଆସନ୍ତୁ ଜାଣିବା ଏମିତି ୫ ଯୋଡିଙ୍କ ସମ୍ପର୍କରେ ଯେଉଁମାନଙ୍କ ବିବାହ ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଥିଲା ।

ଆଲିଆ-ରଣବୀର

୨୦୨୨ରେ ଆଲିଆଭଟ୍ଟ ଏବଂ ରଣବୀର କପୁର ବିବାହ କରିଥିଲେ । ଉଭୟଙ୍କ ଫଟୋ ୧୫ ମିନିଟରୁ କମ ସମୟରେ ୧ ମିଲିୟନ ଲାଇକ ପାର କରିଯାଇଥିଲା । ଫଟୋ ପୋଷ୍ଟର ପ୍ରଥମ ଦିନରେ ୧୩.୧ ମିଲିୟନ ଲାଇକ୍ ଆସିଥିଲା ।

 ସିଦ୍ଧାର୍ଥ- କିୟାରା

ଏହି ଲିଷ୍ଟରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିୟାରା ଆଡଭାନୀଙ୍କ ନାଁ ବି ରହିଛି । ୨୦୨୩ରେ ଉଭୟଙ୍କ ବିବାହ ହୋଇଥିଲା । ସେମାନଙ୍କ ବିବାହ ଭିଡିଓ ସମସ୍ତଙ୍କ ହୃଦୟକୁ ଛୁଇଁଥିଲା । ତାଙ୍କ ଫଟୋକୁ ପ୍ରଥମ ୧୦ ମିନିଟରେ ୧ ମିଲିୟନରୁ ଅଧିକ ଲାଇକ ମିଳିଥିଲା । ଯାହା ବର୍ତ୍ତମାନ ସୁଦ୍ଧା ୧୬ ମିଲିୟନ ପାର କରିସାରିଛି ।

କ୍ୟାଟ୍ରିନା-ବିକି

କ୍ୟାଟ୍ରିନା କେଫ ଏବଂ ବିକି କୌଶଲଙ୍କ ବିବାହ ବେଶ ଧୁମଧାମରେ ହୋଇଥିଲା । ୨୦୨୧ରେ ଉଭୟଙ୍କ ବିବାହ ହୋଇଥିଲା । ସେମାନଙ୍କ ବିବାହ ଫଟୋକୁ ୩ ଘଣ୍ଟାରେ ୬ ମିଲିୟନରୁ ଅଧିକ ଲାଇକ୍ ମିଳିଥିଲା । ୨୪ ଘଣ୍ଟାରେ ଏହା ୧୦ ମିଲିୟନ ପାର କରିଯିବା ସହ ରେକର୍ଡ କରିଥିଲା ।

ଦୀପିକା-ରଣବୀର

ଦୀପିକା ପାଦୁକୋଣ ଏବଂ ରଣବୀର ସିଂଙ୍କ ବିବାହ ୨୦୧୮ ନଭେମ୍ବର ୧୪ରେ ହୋଇଥିଲା । ସେମାନଙ୍କ ପ୍ରଥମ ଅଫିସିଆଲ ଫଟୋକୁ ୨୩ ମିନିଟରେ ୧ ମିଲିୟନ ଲାଇକ୍ ମିଳିଥିଲା । ଏହା ସେ ସମୟର ଏକ ବହୁତ ବଡ଼ ନମ୍ବର ।

ଅନୁଷ୍କ-ବିରାଟ

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ତ ଟ୍ରେଣ୍ଡ ସେଣ୍ଟର । ସେମାନଙ୍କ ବିବାହ ପରେ ବହୁତ ପ୍ରଶଂସକ ତାଙ୍କ ରାସ୍ତା ଧରିଥିଲେ । ଅନୁଷ୍କାଙ୍କ ବିବାହକୁ ନେଇ ପୋଷ୍ଟରେ ଘୋଷଣା ୪୫ ମିନିଟରେ ୧ ମିଲିୟନ ପାର କରିଯାଇଥିଲା । ଯାହା ସେ ସମୟରେ ଇଣ୍ଟରନେଟ ବ୍ରେକିଂ ମୋମେଣ୍ଟ ଥିଲା ।

ଚାଷୀ ତ୍ରିଲୋଚନଙ୍କ ମୃତ୍ୟୁକୁ ନେଇ ସମବାୟ ମନ୍ତ୍ରୀଙ୍କ ବିବାଦୀୟ ବୟାନ ; ମଣ୍ଡିରେ ଅପେକ୍ଷା କରି କେହି ମରନ୍ତି ନାହିଁ

ନନ୍ଦିଘୋଷ ବ୍ୟୁରୋ : ରାଜନଗରର ଚାଷୀ ତ୍ରିଲୋଚନ ନାୟକଙ୍କ ମୃତ୍ୟୁକୁ ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ବିବାଦୀୟ ବୟାନ ।  ମଣ୍ଡିରେ ଦିନ ଦିନ ଧରି ଅପେକ୍ଷା କରି ତାଙ୍କ ମୃତ୍ୟୁ ହୋଇନି । ଅନ୍ୟ ରୋଗ ଯୋଗୁଁ ତାଙ୍କ ଦେହାନ୍ତ ହୋଇଥିବା ସେ କହିଛନ୍ତି । ବୟସ ହେଲାଣି ତେଣୁ ଘରକୁ ପହଂଚି ହୃଦଘାତ ହୋଇଥିବ । ଲୋକେ ଅନେକ କଥା କହିବେ । ହେଲେ ମଣ୍ଡିରେ ଅପେକ୍ଷା କରି କେହି ମରନ୍ତି ନାହିଁ । ସମବାୟ ବିଭାଗ ତଦନ୍ତ କରୁଛି । ସ୍ଥାନ ନଥିବାରୁ ଧୀରେ ଧୀରେ ଧାନ ଉଠୁଥିଲା । ୩ ଦିନ ତଳୁ ଧାନ ସ୍ୱାଭାବିକ ଭାବେ ଉଠୁଛି । ସେପଟେ ମନ୍ତ୍ରୀଙ୍କ ଏପରି ବୟନକୁ ନିନ୍ଦା କରିଛି କଂଗ୍ରେସ । ମନ୍ତ୍ରୀ ମିଛ କହୁଛନ୍ତି ବୋଲି କହିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ । ମୃତ ଚାଷୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କଂଗ୍ରେସ ଦାବି କରୁଛି ।

ଚତୁର୍ଥ ଆସନ ଲଢ଼ି ପାରେ ବିଜେଡି ! ସଂକେତ ଦେଲେ ବିଜେଡି ବିଧାୟକ ସାରଦା ଜେନା

ନନ୍ଦିଘୋଷ ବ୍ୟୁରୋ : ଚତୁର୍ଥ ଆସନ ଲଢ଼ି ପାରେ ବିଜେଡି ! ସଂକେତ ଦେଲେ ବିଜେଡି ବିଧାୟକ ସାରଦା ଜେନା । ଚତୁର୍ଥ ଆସନରେ ବିଜେଡି ଓହ୍ଲାଇବା କଥା ବୋଲି ସେ କହିଛନ୍ତି । ଆଜି ନବୀନ ନିବାସ ବୈଠକରେ ସ୍ପଷ୍ଟ ହେବ । ବିଧାୟକ ଦଳ ବୈଠକରେ ଜଣାପଡିବ । ବିରୋଧୀ ଦଳ ହିସାବରେ ବିଜେଡି ଏହି ନିର୍ବାଚନ ଲଢିବ । ବିଜେଡି ଏକ ହୋଇ ଅଛି । ନବୀନଙ୍କ ନିଷ୍ପତ୍ତିକୁ ସବୁ ବିଧାୟକ ଗ୍ରହଣ କରିବେ । PAC ନବୀନ ପଟ୍ଟନାୟକଙ୍କୁ ନିଷ୍ପତ୍ତି ନେବାକୁ ପ୍ରସ୍ତାବ ଦେଇଛି ବୋଲି କହିଛନ୍ତି ସାରଦା ।