spot_img
Home Blog Page 19

୨୫ କି.ମି. ବେଗରେ ମାଡ଼ି ଆସୁଛି ଭୀଷଣ ବାତ୍ୟା ‘ଅର୍ଣ୍ଣବ’; ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳକୁ ରେଡ୍ ଆଲର୍ଟ

ନନ୍ଦିଘୋଷ ବ୍ୟରୋ: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଅଧିକ ଘନୀଭୂତ ହୋଇ ଏକ ‘ଅତି ଭୀଷଣ ବାତ୍ୟା’ର ରୂପ ନେଇଛି।

ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ଏବଂ ଏହା ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ସର୍ବୋଚ୍ଚ ସତର୍କତା ସ୍ୱରୂପ ‘ରେଡ୍ ଆଲର୍ଟ’ ଜାରି କରାଯାଇଛି। ବାତ୍ୟାଟି ଆସନ୍ତା ୨୮ ତାରିଖ ପୂର୍ବାହ୍ନରେ ଆନ୍ଧ୍ରପ୍ରଦେଶର ୟାନାମ୍ ନିକଟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଗତ ୬ ଘଣ୍ଟା ମଧ୍ୟରେ ଏହି ଝଡ଼ ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହାେଇଛି ।

ବର୍ତ୍ତମାନ ଏହା ଗୋପାଳପୁରଠାରୁ ପ୍ରାୟ ୩୮୦ କି.ମି. ଦକ୍ଷିଣ, ବିଶାଖାପାଟଣାଠାରୁ ପ୍ରାୟ ୩୦୦ କି.ମି. ଦକ୍ଷିଣପୂର୍ବ, କାକିନାଡ଼ାଠାରୁ ପ୍ରାୟ ୩୬୦ କି.ମି. ପୂର୍ବ-ଦକ୍ଷିଣପୂର୍ବ, ମଛଲିପଟ୍ଟନମ୍‌ଠାରୁ ପ୍ରାୟ ୪୬୦ କି.ମି. ପୂର୍ବ ଓ ବାପଟ୍‌ଲାଠାରୁ ପ୍ରାୟ ୫୩୦ କି.ମି. ପୂର୍ବରେ ସକ୍ରିୟ ରହିଛି।

ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ବାତ୍ୟା ‘ଅର୍ଣ୍ଣବ’ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ପରେ ଉତ୍ତରପଶ୍ଚିମ ଦିଗକୁ ମୁହାଁଇବ।
୨୮ ଅକ୍ଟୋବର ପୂର୍ବାହ୍ନ ସୁଦ୍ଧା ଏହା ଏକ ‘ଅତି ଭୀଷଣ ବାତ୍ୟା’ ଭାବେ ଆନ୍ଧ୍ରପ୍ରଦେଶ ଓ ୟାନାମ୍ ଉପକୂଳର ବାପଟ୍‌ଲା ଏବଂ ବିଶାଖାପାଟଣା ମଧ୍ୟବର୍ତ୍ତୀ ୟାନାମ୍ ନିକଟରେ ଲ୍ୟାଣ୍ଡଫଲ୍ କରିବ।

ସ୍ଥଳଭାଗ ଛୁଇଁବା ବେଳେ ଉପକୂଳରେ ପବନର ନିରନ୍ତର ବେଗ ଘଣ୍ଟା ପ୍ରତି ୧୧୫ ରୁ ୧୨୫ କିଲୋମିଟର ଏବଂ ଝଟକା ପବନର ବେଗ ସର୍ବାଧିକ ୧୪୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।

ଯଦିଓ ଲ୍ୟାଣ୍ଡଫଲ୍ ଆନ୍ଧ୍ରପ୍ରଦେଶ ଉପକୂଳରେ ହେବ, ତଥାପି ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ପବନର ବେଗ ବୃଦ୍ଧି ପାଇବା ଆଶଙ୍କା ରହିଛି।

ବର୍ତ୍ତମାନ ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି ୧୨୫ ରୁ ୧୩୫ କିମି ରହିଥିବା ବେଳେ ବିଶାଖାପାଟଣା ରାଡାରରେ ବାତ୍ୟା ‘ଅର୍ଣ୍ଣବ’ର ଆଖି ସ୍ପଷ୍ଟ ଦୃଶ୍ୟମାନ ହେଉଛି।

+୨ ପରୀକ୍ଷା ପାଇଁ ପ୍ରକ୍ରିୟା ଜାରି

ନନ୍ଦିଘୋଷ ବ୍ୟରୋ: ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରକ୍ରିୟା ଜାରି। ଏଥର ବଢ଼ିବ ପରୀକ୍ଷା ହବ୍ ସଂଖ୍ୟା। ଗତ ବର୍ଷ ୨୧୧ ହବ୍ ଥିଲା, ଏଥର ଆଉ ୩ଟି ହବ୍ ବଢ଼ିବ। ସେହିପରି ଗତବର୍ଷ ୧୩୫୭ ସେଣ୍ଟରରେ ପରୀକ୍ଷା ହୋଇଥିବା ବେଳେ, ଏଥର ଆଉ ଅଧିକ ୬୦ଟି ସେଣ୍ଟର କରାଯିବ। ଖାଲି ସେତିକି ନୁହେଁ ଯେଉଁଠି ସେଣ୍ଟର ହୋଇଥିଲା, ସେଠାରେ ଲାଗିଥିବା ସିସିଟିଭି କାମ କରୁଛି କି ନାହିଁ ତାର ରିପୋର୍ଟ ଦେବାକୁ କାଉନସିଲ୍ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ କୁହାଯାଇଛି। ୨୦୨୭ ପରୀକ୍ଷାକୁ ସ୍ବଚ୍ଛ ଓ ସହଜ କରିବାକୁ ପରିଚାଳନା ହବ୍, କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ, ପରୀକ୍ଷା ହଲ୍, ସେଲ୍ଫ ଫାଇନାନ୍ସିଂ କଲେଜର ସମସ୍ତ ଲାବୋରେଟୋରିରେ ସିସିଟିଭି ବାଧ୍ୟତାମୂଳକ ହୋଇଛି। ନଭେମ୍ବର ୩୦ ସୁଦ୍ଧା ସବୁ ସେଣ୍ଟରରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାହାର କନେକସନ କାଉନସିଲ୍ ଅଫିସ ଓ ଜିଲ୍ଲାପାଳ କାର୍ଯ୍ୟାଳୟରେ ରହିବ। ନଭେମ୍ବର ୩୦ ସୁଦ୍ଧା କଲେଜ ନାଁ, କୋଡ୍ ଓ ଇଣ୍ଟରନେଟ୍ ପ୍ରୋଭାଇଡର ଆଦି ସମ୍ପର୍କରେ ସୂଚନା ଦେବାକୁ ପଡ଼ିବ। ଯେଉଁ ଶିକ୍ଷାନୁଷ୍ଠାନ ଧାର୍ଯ୍ୟ ସମୟ ମଧ୍ୟରେ ଏସବୁ କରିନଥିବେ, ସେମାନଙ୍କ ପରୀକ୍ଷା କେନ୍ଦ୍ରକୁ ବାତିଲ କରାଯିବ। ତେବେ ଜାନୁଆରୀ ୨ରୁ ପ୍ରାକ୍ଟିକାଲ ଓ ଡିସେମ୍ବର ୨୨ରୁ ଇଣ୍ଟରନାଲ ପରୀକ୍ଷା କରାଯିବ ବୋଲି କହିଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ।

ସେପଟେ ଏବେ ବି ପରୀକ୍ଷାକୁ ନେଇ ପିଲାମାନେ ଚାପରେ ଅଛନ୍ତି । ତେଣୁ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି ମନସ୍ତତ୍ତ୍ବବିତ୍। ନିଜ ପିଲାକୁ ଅନ୍ୟ କାହା ସହ ତୁଳନା କରନ୍ତୁ ନାହିଁ। ଏପରିକି ମାର୍କ ନେଇ ବି ଭୟଭୀତ କରାନ୍ତୁ ନାହିଁ। ପ୍ରତିଦିନ ପିଲାଙ୍କ ଶୋଇବା ଓ ଖାଇବା ଉପରେ ଅଭିଭାବକମାନେ ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି ମନସ୍ତତ୍ତ୍ବବିତ୍।

ଏଥର ଏକା ସଙ୍ଗେ ପ୍ରକାଶ ପାଇପାରେ ଯୁକ୍ତ ଦୁଇ ବାଣିଜ୍ୟ, ବିଜ୍ଞାନ ଓ କଳା ପରୀକ୍ଷା ଫଳ । ବାଣିଜ୍ୟ ଓ ବିଜ୍ଞାନ ପରି ଚଳିତ ଥର କଳା ଓ ଧନ୍ଦାମୂଳକ ପରୀକ୍ଷା ମୂଲ୍ୟାୟନ ଅନଲାଇନ ଜରିଆରେ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା କରୁଛି ।

ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ବ୍ରାଜିଲର ନୂଆ ରାଷ୍ଟ୍ରପତି !

ନନ୍ଦିଘୋଷ ବ୍ୟୁରୋ: ବାମପନ୍ଥୀ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ବ୍ରାଜିଲରେ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି । ସେ ଦ୍ୱିତୀୟ ପର୍ଯ୍ୟାୟରେ ସେନେଟର ଫ୍ଲାଭିଓ ବୋଲସୋନାରୋଙ୍କୁ ପରାସ୍ତ କରିଛନ୍ତି । ଏହି ବିଜୟ ସହିତ ୮୦ ବର୍ଷୀୟ ଲୁଲା ଡା ସିଲଭା ଚତୁର୍ଥ ଥର ପାଇଁ ବ୍ରାଜିଲର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ୧୦୦ ପ୍ରତିଶତ ଭୋଟ ଗଣନା ପରେ, ବ୍ରାଜିଲର ନିର୍ବାଚନ କୋର୍ଟ ଲୁଲାଙ୍କ ବିଜୟ ଘୋଷଣା କରିଛନ୍ତି । ମୁଦ୍ରାସ୍ଫୀତି ଏବଂ ଅପରାଧ ସମ୍ପର୍କରେ ଭୋଟରଙ୍କ ଚିନ୍ତା ମଧ୍ୟରେ ଲୁଲା ଏକ କଠିନ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ। ଫ୍ଲାଭିଓ ଅପରାଧ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ମୂଲ୍ୟ ହ୍ରାସ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଅନିଶ୍ଚିତ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଲୁଲା ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିଥିଲେ । ଉଭୟ ଶିବିରର ସହଯୋଗୀ ଏବଂ ପରିବାର ସଦସ୍ୟଙ୍କ ବିରୁଦ୍ଧରେ ମଧ୍ୟ ଦୁର୍ନୀତି ଅଭିଯୋଗ ଆସିଥିଲା । ଜାଇର ବୋଲସୋନାରୋଙ୍କ ନାମ ପ୍ରମୁଖ ବିବାଦରେ ଫସିଥିଲା, ଯେତେବେଳେ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଲୁଲା ଏକ ବର୍ଷରୁ ଅଧିକ ସମୟ ଜେଲରେ ରହିଥିଲେ। ପରେ ତାଙ୍କ ଦୋଷୀ ସାବ୍ୟସ୍ତତାକୁ ପ୍ରତ୍ୟାହାର କରାଯାଇଥିଲା।

୧୨ତମ ବ୍ରିକ୍ସ ସଂସଦୀୟ ଫୋରମ୍ ଉଦ୍ଘାଟିତ…

ନନ୍ଦିଘୋଷ ବୁରୋ: ୧୨ତମ ବ୍ରିକ୍ସ ସଂସଦୀୟ ଫୋରମ୍ ନୂଆଦିଲ୍ଲୀସ୍ଥିତ ସଂସଦ ଭବନ ପରିସରରେ ଉଦ୍ଘାଟିତ ହୋଇଛି । ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ସୋମବାର ଏହାର ଉଦଘାଟନୀ ଅଧିବେଶନରେ ସ୍ବାଗତ ଭାଷଣ ଦେଇଥିଲେ । ଏଥିରେ ବ୍ରିକ୍ସ ସଦସ୍ୟ ଏବଂ ଅଂଶୀଦାର ଦେଶଗୁଡ଼ିକର ସଂସଦୀୟ ନେତାମାନେ ଏକତ୍ରିତ ହୋଇ ଜନକୈନ୍ଦ୍ରିକ ବିକାଶ, ଆନ୍ତର୍ଜାତୀୟ ସହଯୋଗ ଏବଂ ସାମ୍ପ୍ରତିକ ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକ ଉପରେ ଆଲୋଚନା କରିବେ। ଭାରତୀୟ ସଂସଦ ଦ୍ୱାରା ଆୟୋଜିତ ଏହି ଦୁଇ ଦିନିଆ ଫୋରମ୍ ଅକ୍ଟୋବର ୨୬ ଏବଂ ୨୭ ଦୁଇଦିନ ଧରି ଚାଲିବ । ଜନକୈନ୍ଦ୍ରିକ ବିକାଶ ପାଇଁ ସଂସଦଗୁଡ଼ିକୁ ସୁଦୃଢ଼ କରିବା ଶୀର୍ଷକ ମୁଖ୍ୟ ବିଷୟବସ୍ତୁ ଉପରେ ଆଲୋଚନା କରାଯିବ । ଏହି ଆଲୋଚନାରେ ମୁଖ୍ୟତଃ ସ୍ଥିରତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ଭଳି ୪ଟି କ୍ଷେତ୍ର ଉପରେ କେନ୍ଦ୍ରିତ ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଏହି ଫୋରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଏବଂ ସେ ବିଭିନ୍ନ ଦେଶରୁ ଆସିଥିବା ପ୍ରତିନିଧି ଦଳର ନେତାମାନଙ୍କ ସହ ଆଲୋଚନା କରିବେ।

କାହିଁକି ଛାତ୍ର ନିର୍ବାଚନରେ ଚିତପଟାଙ୍ଗ ମାରିଲା କଂଗ୍ରେସ ?

କୁଆଡ଼େ ଗଲା କଂଗ୍ରେସର ବଳ ? କାହିଁକି ଛାତ୍ର ନିର୍ବାଚନରେ ଦଳ ମାରିଲା ଚିତପଟାଙ୍ଗ ? ରାଜନୈତିକ ବ୍ୟାପାର କମିଟି ବୈଠକରେ ମାନସମନ୍ଥନ । ପଂଚାୟତରେ ଏକଜୁଟ ହୋଇ ଲଢିବାକୁ ସଂକଳ୍ପ । ଓଡିଶାରେ କାହିଁକି ଆଗେଇ ପାରୁନି କଂଗ୍ରେସ ସଂଗଠନ ? କେଉଁଠି ରହୁଛି ଭୁଲ ? ଛାତ୍ର ସଂସଦ ନିର୍ବାଚନରେ ବିଜେଡି ଓ ବିଜେପି ଦବଦବା ଜାହିର କରିଥିବା ବେଳେ କଂଗ୍ରେସ କାହିଁକି ଚିତପଟାଙ୍ଗ ମାରିଲା ତାକୁ ନେଇ କଂଗ୍ରେସ ରାଜନୈତିକ ବ୍ୟାପାର କମିଟି ବୈଠକରେ ମାନସମନ୍ଥନ କରାଯାଇଛି । ଦଳର ଭୋଟ ହାର ୧୩ ପ୍ରତିଶତରୁ ଯେ ବଢିନାହିଁ ତାହା ଛାତ୍ର ସଂସଦ ନିର୍ବାଚନରେ ପୁଣି ଥରେ ପ୍ରମାଣିତ ହୋଇଛି । ଦଳର ଏପରି ସ୍ଥିତିକୁ ନେଇ ଏଆଇସିସି ଚିନ୍ତା ପ୍ରକଟ କରିବା ସହ ନେତାଙ୍କୁ ଠାରୁ  ଉତ୍ତର ଚାହିଁଥିଲେ । କଂଗ୍ରେସର ମଙ୍ଗୁଆଳମାନେ ଏନେଇ ମତାମତ ଦେବା ସହ ସଂଗଠନ ନେଇ ଚିନ୍ତା ପ୍ରକଟ କରିଥିଲେ । ପଂଚାୟତ ନିର୍ବାଚନରେ ଏକଜୁଟ ହୋଇ ଲଢିବାକୁ ପିସିସି ବୈଠକରେ ସଂକଳ୍ପ ନେଇଥିଲେ । ପିସିସି ସଭାପତି କହିଛନ୍ତି, ଛାତ୍ର ସଂସଦ ନିର୍ବାଚନରେ କଂଗ୍ରେସକୁ ଜାଣିଶୁଣି ହରାଇ ଦିଆଯାଇଛି । ଛାତ୍ର ସଂସଦ ନିର୍ବାଚନ ଫଳାଫଳ ସହ ଏମଏମଡିଆର, କୋଟିଆ ଓ  କଂଗ୍ରେସ ସଂଗଠନକୁ ମଜଭୁତ କରିବାକୁ ପିଏସି ବୈଠକରେ ରଣନୀତି ପ୍ରସ୍ତୁତ କରିଛି ଦଳ । ପୂର୍ବତନ ପିସିସି ସଭାପତି ଛାତ୍ର ସଂସଦ ନିର୍ବାଚନର ବିଫଳତାକୁ ସ୍ବୀକାର କରିଛନ୍ତି ।

ଓଡିଶାରେ କଂଗ୍ରେସର ଭୋଟହାର ଓ ସାଂଗଠନିକ ସ୍ଥିତି ନେଇ ପ୍ରଭାରୀ ଓ ସହ-ପ୍ରଭାରୀ ଚିନ୍ତା ପ୍ରକଟ କରିଥିଲେ । କଲେଜ ନିର୍ବାଚନ ଫଳାଫଳକୁ ଦେଖି ଆଜି ବି ଦଳର ସଂଗଠନ ଯେ ଦୁର୍ବଳ ସେକଥାକୁ ଅନୁଭବ ମଧ୍ୟ କରିଥିଲେ । ଆଗକୁ କିପରି କଂଗ୍ରେସ ଟ୍ରାକକୁ ଫେରିବ ସେଥିପାଇଁ ପିସିସି ବୈଠକରେ ପ୍ରସ୍ତୁତ ହୋଇଥିଲା ଲମ୍ବା ରୋଡ ମ୍ୟାପ । ପଞ୍ଚାୟତ ଓ ପୌର ପାଇଁ ଏକାଠି ଲଢ଼ିବା ସହ ଗୋଟିଏ ଧାରରେ ଚାଲିବା ପାଇଁ ପଣ କରିଛନ୍ତି ରାଜ୍ୟ କଂଗ୍ରେସ ନେତୃତ୍ୱ ।

ଛାତ୍ର ସଂସଦ ନିର୍ବାଚନରେ ଗ୍ରାଣ୍ଡ ଓଲ୍ଡ ପାର୍ଟିକୁ ଝଟକା ଲାଗିବା ଏଆଇସିସିକୁ ଚିନ୍ତାରେ ପକାଇଛି । କଂଗ୍ରେସ ଭୋଟ ହାର କିପରି ବଢିବ ଓ ଦଳ ଓଡିଶାବାସୀଙ୍କ ଆସ୍ଥା ଓ ବିଶ୍ବାସ କିପରି ଜିତିବ ସେ ଚିନ୍ତାରେ ଘାଣ୍ଟି ହେଉଛି ରାଜ୍ୟ କଂଗ୍ରେସ  ।

ସୁଧାର ଗୃହରେ ସୀମା ଟପୁଛି ଅତ୍ୟାଚାର

ନନ୍ଦିଘୋଷ ବ୍ୟୁରୋ: ଅପରାଧର ଅଳିନ୍ଦରେ ଅଣନିଶ୍ୱାସ ପୋଲିସ । ସୁଧାର ଗୃହରେ ସୀମା ଟପୁଛି ଅତ୍ୟାଚାର । ଅପରାଧୀଙ୍କ ପାଇଁ ଅଲୋଡା ରେକର୍ଡର ଅଧିକାରୀ ଓଡ଼ିଶା । ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଉଦବେଗ ପରେ ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ଚିଠି । କେତେବେଳେ ଭିଡ଼ ହିଂସା ତ ଆଉ କେତବେଳେ ଦିନ ଦ୍ୱିପ୍ରହରେ ଦୁଷ୍କର୍ମ । ପୁଣି ଅନ୍ୟ କେତବେଳେ ଜେଲ ହାଜତରେ ନିର୍ଯ୍ୟାତନା । ବିଗତ କିଛି ମାସ ଧରି ଓଡ଼ିଶାରେ ବିଗୁଡୁଥିବା ଆଇନଶୃଙ୍ଖଳା ସ୍ଥିତି ଓ ପୋଲିସର କାର୍ଯ୍ୟଶୈଳୀକୁ ନେଇ ଆସିଥିବା ଅଭିଯୋଗକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ହାଜତରେ ହିଂସା ଓ ତଦନ୍ତକାରୀ ସଂସ୍ଥାର କ୍ଷମତାର ଅପବ୍ୟବହାର ସମ୍ପର୍କିତ ୧୦ଟି ଅଭିଯୋଗପତ୍ର ଉପରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଓଡ଼ିଶା ସରକାରଙ୍କୁ କୁହାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସେଣ୍ଟର ଷ୍ଟେଟ ଡିଭିଜନ୍‌ ପକ୍ଷରୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଲେଖାଯାଇଥିବା ଚିଠିରେ ଏହି ୧୦ଟି ଅଭିଯୋଗପତ୍ର ସଂଲଗ୍ନ କରାଯାଇଥିଲା । ଅଭିଯୋଗଗୁଡ଼ିକର ଉପଯୁକ୍ତ ତଦନ୍ତ କରିବା ସହ ଅଭିଯୋଗକାରୀଙ୍କୁ ଜବାବ ଦେବା ଏବଂ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରଣାଳୟକୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ଚିଠି ପାଇବା ପରେ ରାଜ୍ୟ ଗୃହ ବିଭାଗର ସ୍ୱତନ୍ତ୍ର ବିଭାଗ ପକ୍ଷରୁ ଅକ୍ଟୋବର ୧୬ ତାରିଖରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି। ଅଭିଯୋଗଗୁଡ଼ିକର ତଥ୍ୟ ଭିତ୍ତିକ ରିପୋର୍ଟ ଦାଖଲ କରିବାକୁ ଡିଜିପିଙ୍କୁ କୁହାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଚିଠି ଓ ସଂଲଗ୍ନ ଦସ୍ତାବିଜ ଆଧାରରେ ଆବଶ୍ୟକ ପଦକ୍ଷେପ ନେଇ ବିଭାଗକୁ ଅବଗତ କରାଇବାକୁ ମଧ୍ୟ ରାଜ୍ୟ ଗୃହ ବିଭାଗ ନିର୍ଦ୍ଦେଶ ଦେଇଛି। ଏହି ଅଭିଯୋଗଗୁଡ଼ିକ ଉପରେ ତଦନ୍ତ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କିଭଳି ହେଉଛି, ଏବେ ତାହା ଉପରେ ନଜର ରହିଛି । ତେବେ ପୋଲିସ ଅଧିକାଂଶ ସମୟରେ ନିଜ ପଦବୀର ଅପବ୍ୟବହାର କରୁଛି । ନିର୍ଦୋଷଙ୍କୁ ଦୋଷୀ ସଜାଉଛି । ଏପରିକି ଅନେକ କ୍ଷେତ୍ରରେ ରାଜନେତାଙ୍କ ହସ୍ତକ୍ଷେପ ରହୁଥିବାରୁ ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଥିବା କହିଛନ୍ତି ମାନବାଧିକାର କର୍ମୀ ।

ନ୍ୟାସନ୍ୟାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ କହୁଛି, ଭାୟୋଲେଣ୍ଟ କ୍ରାଇମରେ ଓଡ଼ିଶା ସାରା ଦେଶରେ ଆଗରେ ଥିବାବେଳେ କ୍ରାଇମ ଏଗେଂଷ୍ଟ ଓମେନ କେସରେ ଦ୍ୱିତୀୟ ସ୍ଥାନରେ ରହିଛି । ଏଦିଗରେ ସତର୍କ ହେବାର ସମୟ ଆସିଥିବା କହିଛନ୍ତି ବିଶେଷଜ୍ଞ ।

ମା’ ସମଲେଶ୍ଵରୀଙ୍କ ବଏଲ ଯାତ୍ରା…

ନନ୍ଦିଘୋଷ ବ୍ୟୁରୋ: ଘଣ୍ଟଘଣ୍ଟା, ଢୋଲ, ନିଶାନ ସାଙ୍ଗକୁ ଚଣ୍ଡୀପାଠରେ କମ୍ପିଲା ପରିବେଶ । ଦୁଲଦୁଲି ବାଜାର ତାଳେ ତାଳେ ନାଚିଲେ ବରୁଆ । ସମ୍ବଲପୁର ଜିଲ୍ଲା ଆଠଗାଁ ଛକ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ବଏଲ ଯାତ୍ରା ପାଳିତ ହୋଇଯାଇଛି । ଆଶ୍ଵିନ ମାସ ଦ୍ଵାଦଶୀ ତିଥିରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଗତକାଲି ସଂପର୍ଣ୍ଣ ହୋଇଛି । ଚଣ୍ଡୀପାଠ ଓ ଘୃତ ଯଜ୍ଞରେ ସରିଛି ଯାତ୍ରା । ମାଆଙ୍କ ଦର୍ଶନ ପାଇଁ ଜମିଥିଲା ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ।

ତେବେ ଏ ଯାତ୍ରା ଆଜିର କି କାଲିର ନୁହେଁ  । କାହିଁ କେଉଁ କାଳର ଏହି ଯାତ୍ରା ହୋଇ ଆସୁଛି । ୧୯୮୧ ମସିହାରୁ ବଏଲ ଯାତ୍ରା ଆରମ୍ଭ ହୋଇଛି । ଯାହା ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରେ । ସେଥିପାଇଁ ଯାତ୍ରା ଦେଖିବାକୁ ଆଠଗାଁ ସମେତ, କୁଚିଣ୍ଡା ଏବଂ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ଶୃଙ୍ଖଳିତ ଦର୍ଶନ ପାଇଁ ଯାତ୍ରା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।  ଆଠଗାଁ ବଏଲ ଯାତ୍ରା ବହୁ ଧୁମଧାମରେ ପାଳିତ ହୋଇଯାଇଛି ।

କୋଟିଆ ବିବାଦ: ତେଜୁଛି ରାଜନୀତି !

ନନ୍ଦିଘୋଷ ବ୍ୟୁରୋ:  କୋଟିଆକୁ ନେଇ ତେଜୁଛି ରାଜ୍ୟ ରାଜନୀତି । ଶାସକ ବିରୋଧୀ ମଧ୍ୟରେ ଜୋର ଧରିଛି ବାକ୍ ଯୁଦ୍ଧ । ଏହାକୁ ନେଇ ବିଜେଡି ପ୍ରଥମରୁ ସ୍ବର ଉଠାଉଥିବା ବେଳେ ଏବେ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ମିଳିମିଶି କୋଟିଆକୁ ଆନ୍ଧ୍ରକୁ ଦେଇ ଦେବାକୁ ମସୁଧା ହୋଇଥିବା ସେ ଅଭିଯୋଗ କରିଛନ୍ତି। କୋଟିଆ ପ୍ରସଙ୍ଗରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ସେ ଦାବି କରିଛନ୍ତି। ଗୃହ କମିଟି କଣ ସମାଧାନ କରିପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରମିଳା ମଲ୍ଲିକ କହିଛନ୍ତି,  ଟ୍ରିପଲ ଇଞ୍ଜିନ ସରକାର ସବୁଥିରେ ଫେଲ। ସରକାରଙ୍କ ଆନ୍ତରିକତା ନାହିଁ। କେତେ ଦିନ ବିଜେଡିକୁ ଦୋଷ ଦେବେ ସେମାନେ। ରାଜ୍ୟ ସରକାରଙ୍କର କ୍ଷମତା ନାହିଁ, କେନ୍ଦ୍ର ସରକାରଙ୍କର କ୍ଷମତା ନାହିଁ। ଯଦି ପାରୁ ନାହାନ୍ତି ନବୀନ ପଟ୍ଟନାୟକଙ୍କୁ କ୍ଷମତା ଛାଡ଼ି ଦେଉନାହନ୍ତି ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ। ସେପଟେ କୋଟିଆ ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, କୋଟିଆକୁ ନେଇ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ । ସରକାର ସୁପ୍ରିମକୋର୍ଟ ଯାଇଛନ୍ତି । କୋଟିଆକୁ ନେଇ ଦଳ କି ସରକାର କମ୍ପରମାଇଜ କରିବେନି । । କୋଟିଆ ଓଡିଶାର। ଆମ ସରକାର ଆସିଲାପରେ ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ କୋଟିଆ ଯାଇଛନ୍ତି । କୋଟିଆରେ ଆମ ସରକାର କିଛି ନା କିଛି କାର୍ଯ୍ୟକ୍ରମ କରିଆସିଛି । ରଥଯାତ୍ରା ହଉକି ସାମାଜିକ କାର୍ଯ୍ୟକ୍ରମ. କୋଟିଆରେ ଲୋକଙ୍କ ସହିତ ସମୟ କଟାଇଛନ୍ତି । କୋଟିଆ ସମସ୍ୟା ଲମ୍ବା ସମୟ ଧରିଚାଲି ଆସିଛି । ସରକାର ଯାହା ଯାହା ପଦକ୍ଷେପ ନେବା କଥା ନେଇଛନ୍ତି ।

ତେବେ ଆସନ୍ତାକାଲି କୋଟିଆ କମିଟିର ବୈଠକ ବସିବ। କମିଟିର ଅଧ୍ୟକ୍ଷ ତଥା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହେବ। ଅଢ଼େଇ ବର୍ଷ ଭିତରେ କୋଟିଆରେ କେତେ ବିକାଶ ହୋଇଛି, ଆଉ କେତେ ବାକି ରହିଛି ତାହାର ହିସାବ ହେବ। ଆଉ ସବୁ କଣ କରାଯାଇପାରିବ, ମତ ଲୋଡ଼ା ଯିବ ।

କଳାହାଣ୍ଡିରେ ମକାର ଅଭାବୀ ବିକ୍ରି

ନନ୍ଦିଘୋଷ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାରେ ମକା ଚାଷୀଙ୍କୁ ମିଳୁନି ଉଚିତ୍ ପ୍ରାପ୍ୟ ।  ଧର୍ମଗଡ଼, କୋକସରା ଓ ଗୋଲାମୁଣ୍ଡା ବ୍ଲକର ଶତାଧିକ ଆଦିବାସୀ ମହାଜନ ଠାରୁ ଋଣ ଆଣି ମକା ଚାଷ କରୁଛନ୍ତି । ହେଲେ ଅଞ୍ଚଳରେ ବିକ୍ରିବଟା ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଦଲାଲଙ୍କ ହାତରେ କ୍ଵିଣ୍ଟାଲ ପିଛା ୧୫ ଶହରୁ ୧୭ ଶହ ଟଙ୍କାରେ ଟେକି ଦେଉଛନ୍ତି ଅମଳ ଫସଲ।

ମକାର ଅଭାବୀ ବିକ୍ରି ଓ ବିକ୍ରିବଟା ବ୍ୟବସ୍ଥା ନଥିବାରୁ ଚାଷୀଙ୍କୁ ଉଚିତ୍ ପ୍ରାପ୍ୟ ମିଳିପାରୁନାହିଁ । ସେପଟେ କିନ୍ତୁ ମାଲାମାଲ ହେଉଛନ୍ତି ଦଲାଲ । ଧାନ, କପା ପରେ ଅନନ୍ୟ ଅର୍ଥକାରୀ ଫସଲ ହେଉଛି କପା । କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼, କୋକସରା ଓ ଗୋଲାମୁଣ୍ଡା ବ୍ଲକର ଶତାଧିକ ଚାଷୀ ବହୁଳ ଭାବେ ମକା ଚାଷ କରିଥାଆନ୍ତି । ମହାଜନ ଠାରୁ ଋଣ ଆଣି ଏକର ଏକର ଜମିରେ ମକା ଚାଷ କରିଥାନ୍ତି । ହେଲେ ବଜାର ବ୍ୟବସ୍ଥା ନଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ପୂର୍ବ ସରକାରଙ୍କ ସମୟରେ ମକା ଚାଷୀଙ୍କୁ ପ୍ରୋତ୍ସାହନ ମିଳୁଥିଲା । ବିହନ ଓ କୀଟନାଶକ ଆଦି ଯୋଗାଇ ଦିଆଯାଉଥିଲା । କ୍ଵିଣ୍ଟାଲ ପିଛା ୨ ହଜାର ଟଙ୍କାରେ ବିକ୍ରି କରୁଥିଲେ ।

ଚଳିତ ବର୍ଷ ଅମଳ ଆରମ୍ଭରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଜିଲ୍ଲାରେ ମଣ୍ଡି କିମ୍ବା ବିକ୍ରିବଟା ବ୍ୟବସ୍ଥା ନଥିବାରୁ ଦଲାଲ ଓ ମହାଜନଙ୍କ ହାତରେ ମକା କ୍ଵିଣ୍ଟାଲ ପିଛା ୧୫ ଶହରୁ ୧୭ ଶହ ଟଙ୍କାରେ ଟେକି ଦେଉଛନ୍ତି ଚାଷୀ । ପାହାଡ଼ି ଅଞ୍ଚଳର ଆଦିବାସୀ ମାନେ ହେକ୍ଟର ହେକ୍ଟର ଜମିରେ ମକା ଚାଷ କରୁଛନ୍ତି l ବିଗତ ବର୍ଷ ମାନଙ୍କରେ ଏହି ଜିଲ୍ଲାରୁ ମକା ବାହାର ରାଜ୍ୟକୁ ରପ୍ତାନୀ ହେଉଥିଲା । ଚଳିତ ବର୍ଷ ସରକାର ଓ କୃଷି ବିଭାଗ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ଏହି ଜାଗାରେ ଶୁଅନ୍ତି ଲକ୍ଷ ଲକ୍ଷ ସାପ… !

ନନ୍ଦିଘୋଷ ବ୍ୟୁରୋ: ସାପ, ଯାହାର ନାଁ ଶୁଣିଲେ ହିଁ ଭୟରେ ସଭିଙ୍କ ଛାତି ଥରିଉଠେ । ଏହାର ଗୋଟିଏ ଚୋଟ ହିଁ ମଣିଷର ଜୀବନ ନେବା ପାଇଁ ଯଥେଷ୍ଟ ।  ଆମ ଆଖପାଖରେ ବେଳେବଳେ ଯଦି କିଛି ସ୍ଥାନରେ ଆମେ ସାପ ଦେଖିଦିଅନ୍ତି, ତାହାହେଲେ ଦ୍ବିତୀୟ ଥର ସେ ଜାଗାକୁ ଯିବାକୁ ଆମେ ଦଶ ଥର ଚିନ୍ତା କରିଥାଉ । ହେଲେ ଏ ପୃଥିବୀରେ ଏମିତି ବି ଜାଗା ରହିଛି ଯେଉଁଠିକି ଗଲେ ମଣିଷ ବଞ୍ଚିକି ଆସିବା ସମ୍ଭବ ନୁହେଁ । କାରଣ ସେଠି ଯୁଆଡେ ଚାହିଁବ ସିଆଡେ ଖାଲି ମାଳ ମାଳ ସାପ ।  ଆମେ କହୁଛୁ, କାନାଡାର ମାନିଟୋବାରେ ଥିବା ନାର୍ସିସ୍ ସାପ ଗୁମ୍ଫା କଥା । ଏହି ଗୁମ୍ଫା ଲକ୍ଷ ଲକ୍ଷ ‘‘ରେଡ୍-ସାଇଡେଡ ଗାର୍ଟର ସ୍ନେକ୍’’ ମାନଙ୍କର ଶୀତକାଳୀନ ଘର ।  ଯାହାକୁ ପୃଥିବୀରେ ସାପଙ୍କର ସବୁଠାରୁ ବଡ ବାସସ୍ଥାନ ବୋଲି କୁହାଯାଏ ।  ଶରୀରରେ ଲାଲ ଦାଗ ଏବଂ ହଳଦିଆ ପଟି ଥିବା ଏହି ସୁନ୍ଦର ସାପଗୁଡିକ ଉତ୍ତର ଆମେରିକା ଏବଂ ଦକ୍ଷିଣ କାନାଡାର ଏକ ବଡ ଅଞ୍ଚଳରେ ଦେଖାଯାଇଥାନ୍ତି ଏବଂ ଋତୁ ଅନୁସାରେ ସେମାନଙ୍କର ବାସସ୍ଥାନ ପରିବର୍ତ୍ତନ କରନ୍ତି । ଗରମ ଋତୁରେ ସେମାନେ କାଦୁଅ କିମ୍ବା ଜଳାଭୂମି ଅଞ୍ଚଳରେ ରୁହନ୍ତି ଏବଂ ସେଠାରେ ମୁଖ୍ୟତଃ ବେଙ୍ଗକୁ ଖାଇଥାନ୍ତି । ହେଲେ ଯେମତି ଯେମିତି ଶୀତ ଋତୁ ଆରମ୍ଭ ହୁଏ, ଆଉ ଥଣ୍ଡା ବଢିବାକୁ ଲାଗେ ଏହି ସାପମାନେ ଏମିତି ଜାଗା ଅନୁସନ୍ଧାନରେ ବାହାର ପଡନ୍ତି ଯେଉଁଠାରେ ସେମାନେ ଲୁଚି ରହି ହାଇବର୍ନେସନ୍ ରେ ଯାଇପାରିବେ । ହାଇବର୍ନେସନ୍ ବା ଶୀତନିଦ୍ରା ହେଉଛି ପ୍ରାଣୀମାନଙ୍କର ଦୀର୍ଘ ଗଭରୀ ନିଦ୍ରା । ଯେତେବେଳେ ଅତ୍ୟଧିକ ଥଣ୍ଡା ହୁଏ ଆଉ ଖାଦ୍ୟ ମିଳିବା କଷ୍ଟକର ହୋଇପଡେ, ସେତେବେଳେ କିଛି ପ୍ରାଣୀ ନିଜକୁ ସୁରକ୍ଷା ଦେବା ପାଇଁ ମାସ ମାସ ପର୍ଯ୍ୟନ୍ତ ଶୋଇଯାଆନ୍ତି ।

କାନାଡାରେ ଅବସ୍ଥିତ ଏହି ନାର୍ସିସ୍ ସାପ ଗୁମ୍ଫାଗୁଡିକ ଚୂନପଥର ପାହାଡ ଉପରେ ବିସ୍ତାରିତ ଘାସଭୂମି ଏବଂ ଜଙ୍ଗଲର ମିଶ୍ରଣ । ଲକ୍ଷ ଲକ୍ଷ ବର୍ଷ ଧରି ପାଣି ଛିଦ୍ରଯୁକ୍ତ ଚୂନପଥର ଭିତରକୁ ପ୍ରବେଶ କରି ଗଭୀର ଫାଟ ଏବଂ ଗୁମ୍ଫା ସୃଷ୍ଟି ହୋଇଛି । ଭୂମିର ଅନେକ ମିଟର ତଳେ ଥିବା ଏହି ଗାତଗୁଡିକ ଏତେ ଗଭୀର ହୋଇଥାଏ ଯେ, ଏଥିରେ ବରଫ ଜମେ ନାହିଁ କି ପାଣି ବି ଭରେ ନାହିଁ । ଶୀତ ଦିନେ ଯେତେବେଳେ ବାହାରର ତାପମାତ୍ରା ମାଇନସ୍ ୩୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଖସିଯାଏ, ସେତେବେଳେ ବି ଏହି ଗାତ ଭିତରେ ତାପମାତ୍ରା କେବେବି ଶୂନ ଡିଗ୍ରୀ ସେଲସିୟସ ତଳକୁ ଖସିନଥାଏ । ତେଣୁ ଶୀତ ନିୟନ୍ତ୍ରଣ ଯୋଗୁଁ ‘‘ରେଡ୍-ସାଇଡେଡ ଗାର୍ଟର ସ୍ନେକ୍’’ ମାନଙ୍କ ଶୀତନିଦ୍ରା ପାଇଁ ଏହା ସବୁଠାଣୁ ଉତ୍କୃଷ୍ଟ ସ୍ଥାନ ହୋଇଥାଏ ।

ସୁଚନା ଅନୁସାରେ, ସେପ୍ଟେମ୍ବର ଶେଷ ବା ଅକ୍ଟୋବର ଆରମ୍ଭରୁ ଏହି ସାପଗୁଡିକ ଗାତ ଭିତରକୁ ଯିବା ଆରମ୍ଭ କରନ୍ତି ଏବଂ ସେଠାରେ ୫ ରୁ ୬ ମାସ ପର୍ଯ୍ୟନ୍ତ ରହିଥାନ୍ତି । ଆଉ ପାଖାପାଖି ଏହି ଗାତ ଭିତରେ ୧ ଲକ୍ଷରୁ ଅଧିକ ସାପ ଏକାଠି ହୋଇଥାନ୍ତି । ତେବେ ଏହି ସାପ ଅନ୍ୟ ସାପ ଭଳି ମରାତ୍ମକ ବା ଅତ୍ୟଧିକ ବିଷାକ୍ତ ହୋଇନଥାନ୍ତି । ଏମାନେ ସାଧାରଣ ଏବଂ ଶାନ୍ତ ସ୍ବଭାବର ହୋଇଥାନ୍ତି । ତେଣୁ ମଣିଷଙ୍କ ପାଇଁ ଏମାନଙ୍କୁ ବିଦପ ବୋଲି ବିବେଚନା କରାଯାଏ ନାହିଁ । ଏମାନଙ୍କର ବିଷ ବହୁତ କ୍ଷୀଣ ଥାଏ ଯାହା କେବଳ ବେଙ୍ଗ ଏବଂ କୀଟପତଙ୍ଗ ଭଳି ଛୋଟ ଶିକାର ପାଇଁ ସାହାର୍ଯ୍ୟ କରେ । ସାଧାରଣତଃ ଏହି ସାପୁଗୁଡିକ କାମୁଡି ନଥାନ୍ତି । ହେଲେ ଯଦି  ଏହି ସାପ ମଣିଷକୁ କାମୁଡି ଦିଏ, ତାହାହେଲେ କେବଳ ସାମାନ୍ୟ ଫୁଲା ଏବଂ କୁଣ୍ଡାଇ ହେବା ଭଳି  ଲକ୍ଷଣ ଦେଖାଯାଇଥାଏ , ଯେପରି ମହୁମାଛି ଦଂଶନରେ ହୋଇଥାଏ ।  ଏପରିକି ଆମେରିକା ଏବଂ କାନାଡା ଭଳି ଦେଶରେ ଏହି ସାପକୁ ଲୋକମାନେ ପୋଷା ମନାଇ ରଖନ୍ତି । ଯେହେତୁ ଏଗୁଡିକ ବିଷାକ୍ତ ହୋଇନଥାନ୍ତି ।