spot_img
Home Blog Page 1821

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ଆସନ୍ତାକାଲି ଠାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆସନ୍ତାକାଲି ଠାରୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ ଉତ୍ସାହ । ଅପରପକ୍ଷରେ ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ପାଇଁ ବନବିଭାଗ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କୁମ୍ଭୀର ପ୍ରଜନନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ୟ୍ଯନ୍ତ ୩ ମାସଧରି ବନ୍ଦ ରହିଥିଲା। ଏହି ସମୟରେ କୁମ୍ଭୀର ହିଂସ୍ର ରହୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟି ରେ ରଖି ଭିତରକନିକା ବନ୍ଦ ରହିଥିଲା।

ଭିତରକନିକାରେ ପ୍ରଥମଥର ନିର୍ମାଣ କରାଯାଇଛି ‘ସ୍କାଏ ଓ୍ଵାକ୍’ । ଜଙ୍ଗଲ ଉପରେ ଚାଲିଚାଲି ଜଙ୍ଗଲର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ପର୍ଯ୍ୟଟକ । ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକଙ୍କ ସହ ଭିତରକନିକା ଉପରେ ନିର୍ଭର କରୁଥିବା ବୋଟ, ହୋଟେଲ, ଟ୍ରାଭେଲ୍ ଏଜେନ୍ସି , ଛୋଟ ବ୍ୟବସାୟ, ଟୁରିଷ୍ଟ ଗାଇଡ଼ ମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି ।

ତ୍ରିଶୂଳିଆ ବ୍ରିଜ ଉପରେ ସ୍କୁଟି ରଖି ଚାଳକ ନିଖୋଜ, କାଠଯୋଡ଼ି ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ !

କଟକ: ତ୍ରିଶୁଳିଆ ସୁବାଷ ସେତୁ ଉପରେ ସ୍କୁଟି ଓ ଚପଲ ରଖି ସ୍କୁଟି ଚାଳକ ନିଖୋଜ। କାଠଯୋଡ଼ି ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।  ସ୍କୁଟି ଚାଳକଙ୍କ ପରିଚୟ ମିଳିଛି। ସ୍କୁଟି ଚାଳକ ଜଣକ ହେଲେ କଟକ ନୂଆ ବଜାର ଅଞ୍ଚଳର ମମତା ସାହୁ ବୋଲି ଜଣାପଡିଛି। ସେ ଏକ ଘରୋଇ ସ୍କୁଲରେ ପଠା ପଢ଼ାନ୍ତି । ବୁଧବାର ସକାଳୁ ସେ ସ୍କୁଟି ନେଇ ଘରୁ ଆସିଥିଲେ ହେଲେ ଆଉ ଘରକୁ ଫେଟିନଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି କରିଥିବାବେଳେ ତାଙ୍କର କୌଣସି ସନ୍ଧାନ ପାଇନଥିଲେ ।

ସେପଟେ ସକାଳୁ ବହୁତ ସମୟ ଧରି ବ୍ରିଜ ଉପରେ ସ୍କୁଟି ଓ ଚପଲ ଏବଂ ସ୍କୁଟି ଚାବି ଲାଗିଥିବା ଦେଖି ସ୍ଥାନୀୟ ଲୋକେ ମର୍କତନଗର ଥାନାକୁ ଜଣାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପଚରା ଉଚରା କରିବା ସହ ଗାଡ଼ି ନମ୍ବର ଯାଞ୍ଚ କରିଥିଲା । ଯାଞ୍ଚ କରିବା ପରେ ସ୍କୁଟି ଚାଳକ ଜଣକ କଟକ ନୂଆ ବଜାର ବୋଲି ଜାଣିବାକୁ ପାଇ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚି ସ୍କୁଟି ଓ ଚପଲକୁ ଚିହ୍ନଟ କରିଥିବା ବେଳେ ପରିବାରରେ କୌଣସି ମାନମାଳିନ ନଥିବା କହିଛନ୍ତି ପରିବାର ଲୋକେ ।

ତେବେ ମମତା ସାହୁ କାଠଯୋଡ଼ି ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ଅପହରଣ କରିନେଇଛି ତାହା ଅସ୍ପଷ୍ଟ ରହିଛି । ମହିଳା ଜଣକ କାଠଯୋଡ଼ିକୁ ଡେଇଁ ପଡିଥିବା ସନ୍ଦେହ କରି ଅଗ୍ନିଶମ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି ।

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଦୁଇଟି ଗେଟ୍

ହୀରାକୁଦ: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଦୁଇଟି ଗେଟ୍। ଉପର ମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ବନ୍ଦ ହେଲା ଦୁଇଟି ଗେଟ୍ l ବର୍ତ୍ତମାନ ୧୮ ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି।

ତେବେ ଗତ ଦୁଇଦିନ ହେଲା ଉପର ମୁଣ୍ଡରେ ବର୍ଷା ବନ୍ଦ ରହିଛି ଓ ଜଳ ଭଣ୍ଡାରକୁ ବନ୍ୟା ଜଳ ପ୍ରବେଶର ମାତ୍ରା କମିଛି। ତେଣୁ ଆଜି ଦୁଇଟି ଗେଟକୁ ବନ୍ଦ କରିଦିଆଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ଜଳସ୍ତର ୬୧୧.୮୫ ଫୁଟକୁ ଖସିଥିବା ବେଳେ ଜଳଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୧ ଲକ୍ଷ ୫୭ ହଜାର ୨୭୨ ଘନଫୁଟ ବନ୍ୟାଜଳ। ୧୮ ଟି ଗେଟ୍ ଦେଇ ନିଷ୍କାସନ ହେଉଛି ୩ ଲକ୍ଷ ୯ ହଜାର ଘନଫୁଟ ବନ୍ୟାଜଳ।

ଆତଙ୍କବାଦୀ ସଂଗଠନ ହମାସ ମୁଖ୍ୟ ହାନିଆ ନିପାତ

ନନ୍ଦିଘୋଷ ବ୍ୟୁରୋ: ହମାସ ମୁଖ୍ୟ ହାନିଆ ନିପାତ। ଇସ୍ରାଏଲରେ ରକ୍ତପାତ କରିଥିବା ହମାସର ମୁଖିଆ ହାନିଆଙ୍କୁ ନିପାତ କରିଛି ଇସ୍ରାଏଲ ସେନା। ଇରାନ ରାଜଧାନୀ ତେହରାନରେ ହାନିଆଙ୍କୁ ଆକ୍ରମଣ କରି ନିପାତ କରିଛି ଇସ୍ରାଏଲ। ଗାଜା, ଇସ୍ରାଏଲ, ପାଲେଷ୍ଟାଇନ କିମ୍ବା କତରରେ ନୁହେଁ ବରଂ ଇରାନରେ ହାନିଆଙ୍କୁ ନିପାତ କରିଛି ଇସ୍ରାଏସ ସେନା। ହମାସ ପକ୍ଷରୁ ବୟାନ ଜାରି କରାଯାଇ ନିଜର ମୁଖିଆଙ୍କ ମୃତ୍ଯୁ ହୋଇଥିବା ନେଇ ଖବର ସ୍ପଷ୍ଟ କରିଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ହମାସ ମୁଖ୍ୟ ଇସମାଇଲ ହାନିଆ ଇରାନରେ ନୂତନ ଭାବେ ନିର୍ବାଚିତ ରାଷ୍ଟ୍ରପତି ପେଜେକିସିଆନଙ୍କ ଶପଥଗ୍ରହଣ ସମାରୋହରେ ସାମିଲ ହୋଇଥିଲେ। ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନେଇଙ୍କ ସହ ସାକ୍ଷାତ କରିଥିଲେ। ବୁଧବାର ସକାଳୁ ସକାଳୁ ଇସ୍ରାଏଲ ହାନିଆଙ୍କ ଘରକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛି। ହାନିଆର ବଡିଗାର୍ଡଙ୍କର ମୃତ୍ଯୁ ହୋଇଥିଛି। ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ବୟାନ ଜାରି କରି ତେହେରାନରେ ହାନିଆର ମୃତ୍ଯୁ ହୋଇଥିବା କହିଛି। ଆକ୍ରମଣରେ ହମାସ ଚିଫ ହାନିଆ ସହ ତାଙ୍କର ଏକ ସୁରକ୍ଷାକର୍ମୀଙ୍କ ମଧ୍ୟ ମୃତ୍ଯୁ ହୋଇଛି।

ନିକଟରେ ଗତ ଏପ୍ରିଲରେ ହାନିଆର ୩ ପୁଅକୁ ହମଲା କରି ନିପାତ କରିଥିଲା ଇସ୍ରାଏଲ। ଗତ ୭ ଅକ୍ଟୋବରରେ ଇସ୍ରାଏଲ ଉପରେ ଜୋରଦାର ହମଲା କରିଥିଲା ହମାସ। ଇସ୍ରାଏଲରେ ପଶି ୧୨ ଶହ ନାଗରିକଙ୍କୁ ଅତି ଅମାନୁଷିକ ଭାବେ ହତ୍ଯା କରିଥିଲେ ହମାସର ଆତଙ୍କବାଦୀ। ୨୫୦ ଇସ୍ରାଏଲ ନାଗରିକଙ୍କୁ ପଣବନ୍ଦୀ କରି ନେଇଥିଲେ। ସେମାନଙ୍କ ମଧ୍ୟରୁ କେତେକଙ୍କୁ ଛାଡିଥିବାବେଳେ କିଛି ପଣବନ୍ଦୀଙ୍କୁ ହତ୍ଯା କରିଥିଲେ। ଏବେବି ହମାସ ପାଖରେ ୧୫୦ ପଣବନ୍ଦୀ ରହିଛନ୍ତି। ଏହା ପରଠାରୁ ହମାସ ବିରୋଧରେ ଯୁଦ୍ଧ ଘୋଷଣା କରି ଆକ୍ରମଣ ଜାରି ରଖିଛି ଇସ୍ରାଏଲ। ବର୍ତ୍ତମାନ ସୁଦ୍ଧା ଏହି ଆକ୍ରମଣରେ ପାଲେଷ୍ଟାଇନରେ ୩୯ ହଜାର ନାଗରିକଙ୍କ ମୃତ୍ଯୁ ହୋଇସାରିଲାଣି।

 

ରାଜ୍ଯରେ ଆଜିଠୁ ଆହୁରି ବଢିବ ବର୍ଷା

ଭୁବନେଶ୍ୱର: ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷିବ । ଆସନ୍ତା ୩ ଘଣ୍ଟା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ସମ୍ବଲପୁର, ସୁନ୍ଦରଗଡ, ବରଗଡ଼ ଏବଂ ମାଲକାନଗିରି ଜିଲ୍ଲା ପାଇଁ ଏହି ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ଆସନ୍ତା ୩ ଦିନ ଯାଏଁ ବର୍ଷା ସମ୍ଭାବନା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଝାଡ଼ଖଣ୍ଡ ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି। ମୌସୁମୀ ଟ୍ରଫ୍ ଏବେ ସ୍ଵାଭାବିକ ସ୍ଥିତି ରେ ରହିଛି ଆସନ୍ତା ୪-୫ ଦିନ ମଧ୍ୟରେ ଏହା କ୍ରମଶଃ ଉତ୍ତର ଆଡ଼କୁ ଅଗ୍ରସର ହେବ ।

ଆସନ୍ତା ୩ ଦିନ ଯାଏଁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ତେବେ ଉତ୍ତର ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ। ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, ବରଗଡ଼, ସମ୍ୱଲପୁର, ଦେବଗଡ଼, କେଉଁଝର, ଅନୁଗୁଳ, ଢ଼େଙ୍କାନାଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର , ନୂଆପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ (୧୨-୨୦ସେମି ) ବର୍ଷା ସମ୍ଭାବନା ରହିଛି।

ସେହିପରି ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, କଟକ, ଜଗତସିଂହପୁର, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଓ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ମହାନଦୀ ଉପରମୁଣ୍ଡ ଅଞ୍ଚଳ ରେ ଆସନ୍ତା ୩ ଦିନ ଯାଏଁ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି।

 

 

 

 

ପାରାଦୀପରେ ଅଟକିଲା ଚୀନରୁ ଆସିଥିବା ଜାହାଜ, ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ

ପାରାଦୀପ: ପାରାଦୀପ ବନ୍ଦରକୁ ଆସିଥିବା ଚିନ୍ ଜାହାଜ MJHEHAI 505 ଜାହାଜ ଅଟକ। ଜାହାଜକୁ ଅଟକ ରଖିବାକୁ ସୋମବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯଦି ତୁରନ୍ତ ଏହାକୁ ଅଟକା ନଯାଏ, ଏହି ଜାହାଜଟି ପାରାଦୀପ ବନ୍ଦର ଛାଡ଼ିଦେବାର ଆଶଙ୍କା ରହିଛି । ତେଣୁ ତୁରନ୍ତ ଜାହାଜକୁ ଅଟକ ରଖିବାକୁ ସୋମବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ଆବେଦନକାରୀ ସଂସ୍ଥା ସ୍କାଣ୍ଡି ଟ୍ରେଡିଂ ଲିମିଟେଡକୁ ଜାହାଜ ମାଲିକ ୯୯ ଲକ୍ଷ ୮୧ ହଜାର ୫୫୩ ଟଙ୍କା ପ୍ରଦାନ ନକରିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଚାରପତି ଜଷ୍ଟିସ୍ ଭି. ନରସିଂହ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ଶୁଣାଣି ଅଗଷ୍ଟ ପହିଲାକୁ ଧାର୍ଯ୍ୟ ହୋଇଛି । ଆଡମିରାଲିଟି ଆଇନ ଆଧାରରେ ଜାହାଜକୁ ଗିରଫ ପାଇଁ ପଦକ୍ଷେପ ନିଆଯାଇଛି। ଜଣାପଡ଼ିଛି ଯେ, ‘ଲୋ ସଲଫର ମ୍ୟାରିନ୍ ଗ୍ୟାସ୍ ଅଏଲ୍’ କାରବାରକୁ ନେଇ ଉଭୟ ଆବେଦନକାରୀ ଟ୍ରେଡିଂ ସଂସ୍ଥା ଏବଂ ଜାହାଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଜାହାଜର ମାଲିକ ଟ୍ରେଡିଂ ସଂସ୍ଥାକୁ ୯୯ ଲକ୍ଷ ୮୧ ହଜାର ୫୫୩ ଟଙ୍କା ପ୍ରଦାନ କରିବା କଥା। କିନ୍ତୁ ଜାହାଜ ମାଲିକ ଏହି ଅର୍ଥ ନଦେବାରୁ ଆବେଦନକାରୀ ଟ୍ରେଡିଂ ସଂସ୍ଥା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଦାଖଲ ସମସ୍ତ ଦସ୍ତାବିଜ୍ ଏବଂ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଏହାକୁ ଶୁଣିବା ପରେ ଏଥିରେ ପ୍ରାଥମିକ ପ୍ରମାଣ ଥିବା ଅନୁଭବ କରି ମାମଲା ବିଚାର ପାଇଁ ଗ୍ରହଣୀୟ ବୋଲି ହାଇକୋର୍ଟ କହିଛନ୍ତି। ଯଦି ଜାହାଜକୁ ଗିରଫ ପାଇଁ ଆଦେଶ ଦିଆନଯାଏ ତାହେଲେ ଆବେଦନକାରୀ ନିରାଶ ହେବେ। ଏବଂ ଯେଉଁ ମାମଲା ରୁଜୁ କରାଯାଇଛି ତାହା ମଧ୍ୟ ଅକାମୀ ହୋଇଯିବ।

ଅପରପକ୍ଷରେ ପାରାଦୀପ ବନ୍ଦରରେ ବର୍ତ୍ତମାନ ରହିଥିବା ଜାହାଜଟି ଏହି ସ୍ଥାନକୁ ଖୁବ୍ ଶୀଘ୍ର ଛାଡ଼ି ଚାଲିଯିବା ଆଶଙ୍କା ରହିଛି। ତେଣୁ ଏହି ପରିପ୍ରେକ୍ଷୀରେ ତୁରନ୍ତ ଏହି ଜାହାଜକୁ ପାରାଦୀପ ବନ୍ଦରରେ ଗିରଫ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମିଳିଥିବା ସୂଚନା ଆନୁଯାୟୀ ଜାହାଜକୁ ଗତକାଲି କୁଜଙ୍ଗ ଦୌରାଜଜଙ୍କ ନିର୍ଦ୍ଦେଶ ମତେ ଅଟକାଯାଇଛି। ଜାହାଜଟି ଏବେ କୋର୍ଟଙ୍କ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ବନ୍ଦରରେ ଅଟକ ରହିବ।

ମୁଣ୍ଡଳୀରେ କମିଲା ମହାନଦୀ ଜଳସ୍ତର

କଟକ: କମୁଛି ମହାନଦୀର ଜଳସ୍ତର। କଟକ ମୁଣ୍ଡଳୀରେ କମୁଛି ଜଳସ୍ତର। ସକାଳେ ୪ ଲକ୍ଷ ୮୫ ହଜାର ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ସକାଳ ୮ଟା ସୁଦ୍ଧା ୪ ଲକ୍ଷ ୭୪ ହଜାର ଘନଫୁଟ ବନ୍ୟାଜଳ ପ୍ରବାହିତ ହେଉଛି। ବର୍ତ୍ତମାନ ମହାନଦୀରେ ପ୍ରବାହିତ ହେଉଥିବା ଚଳିତ ବର୍ଷର ପ୍ରଥମ ବନ୍ୟାଜଳରେ କୌଣସି ବନ୍ୟା ପରିସ୍ଥିତି ଉପୁଜି ନଥିବା ବେଳେ ବିପଦ ସଂକେତ ତଳେ ରହିଛି ମହାନଦୀର ଜଳସ୍ତର ।

ମୁଣ୍ଡଳୀ ଉପର ମୁଣ୍ଡରେ ୮୭.୪୦ ରହିଥିବା ବେଳେ ତଳ ମୁଣ୍ଡରେ ୮୩ .୯୦ ପୁଟ ଜଳସ୍ତର ରହିଛି । ମହାନଦୀରେ ଜଳସ୍ତର କମିଥିବାରୁ ତଳିଆ ଅଞ୍ଚଳବାସୀଙ୍କୁ ଆଶ୍ବସ୍ତି ମିଳିଛି ।

ବିଧାନସଭା ବଜେଟ୍ ଅଧିବେଶନର ଅଷ୍ଟମ ଦିନ: ଆଜି ପ୍ରଶ୍ନକାଳରେ ରହିଛି ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ

ଭୁବନେଶ୍ୱର: ସପ୍ତଦଶ ବିଧାନସଭା ଅଧିବେଶନର ଆଜି ହେଉଛି ଅଷ୍ଟମ ଦିନ। ଆଜି କୃଷି ଓ କୃଷକ ସଶକ୍ତି କରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି, ସମବାୟ, ମତ୍ସ୍ୟ ଓ ପଶୁ ସମ୍ପଦ, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଉପରେ ପ୍ରଶ୍ନକାଳ ରହିଛି। ଗୃହର ସଦସ୍ୟ ମାନେ ଚାହିଁଲେ ଭିନ୍ନ ପ୍ରଶ୍ନ ପଚାରି ପାରିବେ ।

ଅନ୍ୟପଟେ ଶୂନ୍ୟକାଳରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ବିରୋଧୀ ଓ ଶାସକ ଗୃହରେ ଉଠାଇବେ । ବିରୋଧୀଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ଅଣାଯିବ । ୯୫ ହଜାର ଲେଖା ଅନୁଦାନକୁ ବ୍ୟୟ ମଞ୍ଜୁର ବିଲ ଜରିଆରେ ପାରିତ କରାଯିବ ।

ଆଜି ଆୟକର ଦାଖଲର ଶେଷ ତାରିଖ

ନନ୍ଦିଘୋଷ ବ୍ୟୁରୋ: ଆଜି ଆୟକର ଦାଖଲର ଶେଷ ତାରିଖ । ଡେଡଲାଇନ ପରେ ଦେବାକୁ ପଡିବ ଫାଇନ। ଆୟକର ବିଭାଗର ସୂଚନା ଅନୁସାରେ ଜୁଲାଇ ୨୬ ସୁଦ୍ଧା ଦେଶର ପ୍ରାୟ ୫ କୋଟି କରଦାତା ନିଜ ଆଇଟିଆର ଦାଖଲ କରିଛନ୍ତି। ଏହି ତାରିଖ ବଦଳିବା ସମ୍ଭାବନା ନାହିଁ ବୋଲି ସୂଚନା ମିଳିଛି। ଯେଉଁମାନେ ଜୁଲାଇ ୩୧ ପରେ ଆଇଟିଆର ଦାଖଲ କରିବେ ସେମାନଙ୍କୁ ଆୟକର ଆଇନର ଧାରା ୨୩୪ ଏଫ ୧୯୬୧ ଅନୁସାରେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ତେବେ ଯେଉଁମାନଙ୍କ ଆୟ ୫ ଲକ୍ଷ ଟଙ୍କା ବା କମ ଥିବ ସେମାନଙ୍କୁ ୧ ହଜାର ଟଙ୍କା ଦେବାକୁ ପଡିବ। ଏପରିକି ଶୂନ ଆୟକରଦାତାଙ୍କ ଲାଗି ବି ଏକ ହଜାର ଟଙ୍କାର ଜରିମାନା ଲାଗୁ ହେବ।

ସୂଚନା ଅନୁଯାୟୀ, ଯେଉଁମାନେ ବିଳମ୍ବରେ ଆଇଟିଆର ଦାଖଲ କରିବେ ସେମାନେ ଚାଲାଣ ସମ୍ପର୍କରେ ସୂଚନା ଦେବେ। ସର୍ବନିମ୍ନ ଛାଡ ସୀମାଠାରୁ ଯଦି କର ଯୋଗ୍ଯ ଆୟ ରହିଥାଏ ତେବେ ସେହି କ୍ଷେତ୍ରରେ ଜରିମାନା ଲାଗୁ ହେବ। ସମସ୍ତ କରଦାତାଙ୍କ ଲାଗି ୭ ଲକ୍ଷ ଟଙ୍କା ଆୟ ଉପରେ କର ଛାଡ ବ୍ଯବସ୍ଥା ରହିଥିବାବେଳେ ଓଲଡ ରିଜାଇମ ଅନୁସାରେ ବୟସ ଆଧାରରେ ଛାଡ ସୀମା ନିର୍ଦ୍ଧାରିତ ରହିଛି ।

ଏନଏମସିର କଡା ନିର୍ଦ୍ଦେଶ: ମେଡିକାଲର ପ୍ରତ୍ଯେକ ବିଭାଗର ଫାକଲଟି ସଦସ୍ଯଙ୍କ ତାଲିକା ଅପଡେଟ କରିବାକୁ ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ: ସମସ୍ତ ମେଡିକାଲ କଲେଜକୁ ନ୍ଯାସନାଲ ମେଡିକାଲ କମିଶନର କଡା ନିର୍ଦ୍ଦେଶ। ଆଜି ସୁଦ୍ଧା ପ୍ରତ୍ଯେକ ବିଭାଗର ଫାକଲଟି ସଦସ୍ଯଙ୍କ ତାଲିକା ଅପଡେଟ କରିବା ଲାଗି ନିର୍ଦ୍ଦେଶ ଦେଇଛି ଏନଏମସି। ପ୍ରତି ବିଭାଗର ଅଲଗା ଅଲଗା ତାଲିକା, ଫାକଲଟିଙ୍କ ନାମ, ବର୍ତ୍ତମାନର ଫଟୋଗ୍ରାଫ, ଶିକ୍ଷାଗତ ଯୋଗ୍ଯତା, ବର୍ତ୍ତମାନର ପଦବୀ, ପଞ୍ଜିକରଣ ସଂଖ୍ଯା ଆଦି ଅପଡେଟ କରିବା ଲାଗି ଦିଆଯାଇଛି ନିର୍ଦ୍ଦେଶ। ଏହା ସହ ଆଧାର ଭିତ୍ତିକ ବାୟୋମେଟ୍ରିକ ଆଟେଣ୍ଡାନ୍ସ ସିଷ୍ଟମ ଅନୁସାରେ ନାମଗୁଡିକୁ ରଖିବା ଲାଗି କୁହାଯାଇଛି। ଯଦି ମେଡିକାଲ କଲେଜ ଓ ମେଡିକାଲ ପ୍ରତିଷ୍ଠାନ ଏହି ଗାଇଡ଼ଲାଇନ ମାନିବେ ନାହିଁ, କିମ୍ବା ତ୍ରୁଟିପୂର୍ଣ୍ଣ ତଥ୍ଯ ଦାଖଲ କରନ୍ତି ତେବେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି ଏନଏମସି।

ଏହାସହ ପ୍ରତିମାସରେ ତାଲିକାକୁ ଅପଡେଟ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। କିଛି ଦିନ ତଳେ ତାମିଲନାଡୁର ଆନ୍ନା ୟୁନିଭର୍ସିଟିରେ ଭୂତ ଫାକଲଟିକୁ ନେଇ ହୋଇଥିଲା ଜୋରଦାର ଚର୍ଚ୍ଚା। ବିଶ୍ବବିଦ୍ୟାଳୟର ୨ ହଜା ଫୁଲଟାଇମ ଫାକଲ୍ଟିଙ୍କ ଆବଶ୍ଯକତାକୁ ପୂରଣ କରୁଥିଲେ ୨୧୧ ବ୍ଯକ୍ତି ବିଶେଷ।