spot_img
Home Blog Page 1839

ବାଲେଶ୍ବରରେ ନିୟନ୍ତ୍ରଣକୁ ଆସୁଛି ସ୍ଥିତି, ଆଜି ଦିନ ୧୨ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣାରେ କୋହଳ

ବାଲେଶ୍ବର : ବାଲେଶ୍ବରରେ ଶୁକ୍ରବାର ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କୋହଳ କର୍ଫ୍ୟୁ। କେବଳ ଲିଜ୍ ଲାଇନ୍ ମାଧ୍ୟମରେ ବ୍ୟାଙ୍କ୍ ଭଳି ବ୍ୟାବସାୟିକ ପ୍ରତିଷ୍ଠାନକୁ ଇଣ୍ଟରନେଟ ମିଳିବ। ୨୨ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଇଣ୍ଟରନେଟ ସେବା ବନ୍ଦ ରହିବ। ଆସନ୍ତାକାଲି ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ। ସହରରେ ୪୦ ପ୍ଲାଟୁନ ଫୋର୍ସ ସମେତ ୬ କମ୍ପାନୀ ବିଏସଏଫ୍ ଯବାନ ମୁତୟନ ଅଛନ୍ତି।

ଅନ୍ୟପଟେ ବାଲେଶ୍ଵରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅରୁଣ ଷଡଙ୍ଗୀ। ଏଡିଜି ସଞ୍ଜୟ କୁମାର, ଆଇଜି ଦୀପକ କୁମାର, ଏଡିଆଜି ବି. ଯୁଗଳ କିଶୋର, ଏସପି ବି. ଗଙ୍ଗାଧର, ବାଲେଶ୍ବର ଏସପି ସାଗରିକା ନାଥଙ୍କ ସହ କରିଛନ୍ତି ଆଲୋଚନା। ଅନ୍ୟପଟେ ଇଣ୍ଟରନେଟ ପାଇଁ ରାସ୍ତା କଡରେ ଲୋକଙ୍କ ଭିଡ ଜମିଛି।

ବାଲେଶ୍ବର ସହରରେ ଇଣ୍ଟରନେଟ ସେବା ବନ୍ଦ ଥିବାରୁ ଲୋକେ ବାଇକରେ ଆସି ସହର ପାଖ ରେମୁଣା, କୁରୁଡା, ଫୁଲଆଡି ରାସ୍ତା ପାଖରେ ଭିଡ ଜମାଇଛନ୍ତି। ବାଇକ୍ ଉପରେ ବସି ଲୋକେ ଟଙ୍କା ଦେଣ ନେଣ ସାଙ୍ଗକୁ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଛନ୍ତି। ବାଲେଶ୍ବର ସହରରେ ଦୁଇ ଗୋଷ୍ଠୀ ସଂଘର୍ଷ ଘଟଣାରେ ଆସନ୍ତା ୨୨ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି।

ବିଶ୍ୱ ପାଳୁଛି ଯୋଗ ଦିବସ, ଏଥରର ଥିମ୍ ‘ନିଜ ଓ ସମାଜ ପାଇଁ ଯୋଗ’

ଭୁବନେଶ୍ୱର : ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଦେଶ ବିଦେଶରେ ପାଳିତ ହେଉଛି ଯୋଗ ଦିବସ । ୨୦୧୫ ମସିହାଠାରୁ ଆରମ୍ଭ ହୋଇଥିବା ଯୋଗ ଦିବସ ବର୍ତ୍ତମାନ ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ଆଦୃତ ହୋଇଛି । ଏହି ଦିବସକୁ ଜାତିସଂଘ ବି ସ୍ବୀକୃତି ଦେବା ପରେ ବିଶ୍ବରେ ଏହା ଆଦୃତି ଲାଭ କରିଛି । ଯୋଗ ମୂଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ୱର କୋଣ ଅନୁକୋଣେ ଯୋଗକୁ ପହଞ୍ଚାଇବା ପାଇଁ ଭାରତ ପ୍ରସ୍ତାବ ଦେଇଥିଲା ଯାହାକୁ ଜାତିସଂଘ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା ।

ଯୋଗ, ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । ପ୍ରାୟ ୬୦୦୦ ବର୍ଷ ପୂର୍ବେ ଏହାର ଉତ୍ପତ୍ତି ଭାରତରେ ହୋଇଥିଲା । ଯୋଗ ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର । ଜୁନ ୨୧ ଗ୍ରୀଷ୍ଣ ସଂକ୍ରାନ୍ତିରେ ସୂର୍ଯ୍ୟ ଦକ୍ଷିଣାୟନ ମୋଡ଼ ନେଇଥାନ୍ତି ଏବଂ ଜୁନ ୨୧ ସବୁଠାରୁ ବଡ଼ ଦିନ ହୋଇଥିବାରୁ ଏହି ଦିବସକୁ ଯୋଗ ଦିବସ ଭାବେ ନିର୍ଣ୍ଣୟ କରାଯାଇଥିଲା । ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟଦ୍ୱାରା ଅୟୋଜିତ ଏକ କାର୍ଯ୍ୟକ୍ରମରେ ରାଜଧାନୀ ଦିଲ୍ଲୀର ରାଜପଥଠାରେ ୮୪ ଦେଶର ୩୫,୯୮୫ ଜଣ ଅଂଶଗ୍ରହଣକାରୀ ଭାଗନେଇ ଦୁଇଟି ଗିନିସ ବର୍ଲ୍ଡ ରେକର୍ଡ ସ୍ଥାପନ କରିଥିଲେ । ବିଶ୍ବର ସମସ୍ତ ପ୍ରମୁଖ ସହରରେ ବି ଯୋଗ ଦିବସ ପାଳନ କରାଯାଉଛି ।

ୟୁଜିସି ନେଟ୍ ଅନିୟମିତତା, ସିବିଆଇ ରୁଜୁ କଲା ମାମଲା

ନୂଆଦିଲ୍ଲୀ: ୟୁଜିସି ନେଟ ଅନିୟମିତତା ଘଟଣା । ସିବିଆଇ ରୁଜୁ କଲା ମାମଲା । ଆଇପିସିର ଧାରା ୪୨୦, ୧୨୦- ବି ଅନୁସାରେ ରୁଜୁ ହୋଇଛି ମାମଲା । ଗତକାଲି ପରୀକ୍ଷାରେ ଅନିୟମିତତା ଅଭିଯୋଗ ପରେ ପଦକ୍ଷେପ ନେଇଛି ସିବିଆଇ ।

ବିଭିନ୍ନ ସହରରେ ହୋଇଥିବା ୟୁଜିସି ନେଟ ନେଇ ଅନିୟମିତତା ଅଭିଯୋଗ ଆସିବା ପରେ ପୁଣି ଥରେ ପରୀକ୍ଷା କରିବାକୁ ଶିକ୍ଷା ମନ୍ତ୍ରାଳୟ ନିଷ୍ପତ୍ତି ନେଇଥିଲା ।

ରାଜଧାନୀରେ ମହିଳାଙ୍କୁ ଅପହରଣ, ୧ କୋଟି ଟଙ୍କାର ମୁଣ୍ଡ ଜାମିନ

ଭୁବନେଶ୍ବର: ରାଜଧାନୀରେ ମହିଳାଙ୍କୁ ଅପହରଣ ଅଭିଯୋଗ । ୧ କୋଟି ଟଙ୍କାର ମୁଣ୍ଡ ଜାମିନ ରଖିଥିବା ନେଇ ଥାନାରେ ଅଭିଯୋଗ । ଚନ୍ଦକା ଥାନା ଅଞ୍ଚଳରୁ ଜଣେ ୩୫ ବର୍ଷୀୟ ମହିଳାଙ୍କୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ମହିଳା ଜଣଙ୍କ ବିବାହିତା ହୋଇଥିବା ବେଳେ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହୋଇ ଚନ୍ଦକା ଅଞ୍ଚଳର ଟ୍ରାଇଡେଣ୍ଟ ଗାଲାକ୍ସି ଆପାର୍ଟମେଣ୍ଟରେ ନିଜ ବାପାଙ୍କ ଘରେ ରହୁଥିଲେ । ଗତକାଲି ଘରୁ ବାହାରକୁ ଯାଇ ଆଉ ଫେରି ନଥିଲେ । ପରେ ଘର ଲୋକ ଖୋଜା ଖୋଜି କରି ପାଇ ନଥିଲେ । ତାଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ଲୋକଙ୍କୁ ଫୋନ୍ କଲ ଆସିବା ସହ କୋଟିଏ ଟଙ୍କା ଅପହରଣକାରୀ ମାଗିଛନ୍ତି । ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ମହିଳାଙ୍କ ବାପା । ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିଥିବା ନେଇ ଚନ୍ଦକା ଥାନା ଆଇଆଇସି ସୂଚନା ଦେଇଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜାମିନ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ମଦନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲା ଜାମିନ । ରାଉଜ ଆଭେନ୍ଯୁ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ମନି ଲଣ୍ଡରିଂ ମାମଲାରେ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା ଇଡି । ରାଉଜ ଆଭେନ୍ଯୁ କୋର୍ଟର ଅବସରକାଳୀନ ବିଚାରପତି ନ୍ୟା ବିନ୍ଦୁ ଦେଇଛନ୍ତି ଜାମିନ । ଆସନ୍ତାକାଲି ଦିଲ୍ଲୀ ତିହାର ଜେଲରୁ ୧ ଲକ୍ଷ ଟଙ୍କାର ବେଲ ବଣ୍ଡ ଦାଖଲ କରି ପଦାକୁ ଆସିପାରନ୍ତି କେଜ୍ରିଓ୍ବାଲ ।

ମଦନୀତି ମାମଲାରେ କେଜ୍ରିଓ୍ବାଲଙ୍କୁ ଗତ ମାର୍ଚ୍ଚ ୨୧ରେ ଗିରଫ କରିଥିଲା ଇଡି । ସୁପ୍ରିମକୋର୍ଟଙ୍କ ଦ୍ବାରା ତାଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା । ସେ ଜୁନ ୨ରେ ତିହାର ଜେଲରେ ସରେଣ୍ଡର କରିଥିଲେ ।

ଦିଲ୍ଲୀ ମଦନୀତି ମାମଲାର ଘଟଣାକ୍ରମ

୪ ସେପ୍ଟେମ୍ବର ୨୦୨୦- ଦିଲ୍ଲୀରେ ନୂଆ ମଦ ନୀତି ପ୍ରସ୍ତୁତ

୧୯ ଅଗଷ୍ଟ ୨୦୨୨- ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ଘରେ ସିବିଆଇ ରେଡ୍

୨୧ ସେପ୍ଟେମ୍ବର ୨୦୨୨୦- ଦିଲ୍ଲୀରେ ପୁଣି ଫେରିଲା ପୁରୁଣା ମଦନୀତି

୨୬ ଫେବୃଆରୀ ୨୦୨୩- ମନୀଷ ସିସୋଦିଆ ଗିରଫ

୪ ଅକ୍ଟୋବର ୨୦୨୩- ଆପ୍ ନେତା ସଞ୍ଜୟ ସିଂ ଗିରଫ

୧୭ ଫେବୃଆରୀ ୨୦୨୪- ଆସ୍ଥା ଭୋଟରେ କେଜ୍ରିଓ୍ବାଲ ବିଜୟୀ

୧୫ ମାର୍ଚ୍ଚ ୨୦୨୪- ବିଆରଏସ ନେତ୍ରୀ କେ. କବିତାଙ୍କୁ ଗିରଫ କଲା ଇଡି

୨୧ ମାର୍ଚ୍ଚ ୨୦୨୪- କେଜ୍ରିଓ୍ବାଲଙ୍କୁ ଗିରଫ କଲା ଇଡି

୨୪ ମାର୍ଚ୍ଚ ୨୦୨୪- ଜେଲରୁ କାର୍ଯ୍ୟାରମ୍ଭ କଲେ କେଜ୍ରିଓ୍ବାଲ

୩ ଏପ୍ରିଲ ୨୦୨୪- ଜେଲରୁ ମୁକୁଳିଲେ ସଞ୍ଜୟ ସିଂ

୧୦ ମେ’ ୨୦୨୪- ସୁପ୍ରିମକୋର୍ଟରୁ ଜୁନ ୧ ତାରିଖ ଯାଏଁ କେଜ୍ରିଓ୍ବାଲଙ୍କୁ ଜାମିନ

୨ ଜୁନ ୨୦୨୪- ତିହାର ଜେଲରେ ସରେଣ୍ଡର କଲେ କେଜ୍ରିଓ୍ବାଲ

୨୦ ଜୁନ ୨୦୨୪- ମନି ଲଣ୍ଡରିଂ କେସରେ ଜାମିନ ଦେଲେ ରାଉଜ ଆଭେନ୍ଯୁ କୋର୍ଟ

ନିଟ ଅନିୟମିତତାରେ ଜଡିତ ଦୋଷୀଙ୍କୁ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ନିଟ ଅନିୟମିତତାରେ ଜଡ଼ିତ ଦୋଷୀଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ବିଦ୍ଯାର୍ଥୀଙ୍କ ସ୍ବାର୍ଥକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି ସରକାର । ସ୍ବଚ୍ଛତା, ଡାଟା ପ୍ରୋଟୋକଲ ନେଇ ଶିକ୍ଷା ବିଭାଗ ତତ୍ପର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି, ଜିରୋ ଏରର ପରୀକ୍ଷା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ । ବିଦ୍ଯାର୍ଥୀ ଦେଶର ଭବିଷ୍ଯତ । କୌଣସି ପ୍ରକାର ଅପବାଦକୁ ବରଦାସ୍ତ କରାଯିବ ନାହିଁ । କାର୍ଯ୍ୟାନୁଷ୍ଠାନ ଲାଗି ସମସ୍ତ ପ୍ରମାଣ ଖୋଜାଯାଉଛି । ଗମ୍ଭୀରତାର ସହ ଅନିୟମିତତାକୁ ନିଆଯାଇଛି ।

ଭର୍ତ୍ତୃହରି ମହତାବଙ୍କୁ ଲୋକସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତି

ନୂଆଦିଲ୍ଲୀ: କଟକର ବିଜେପି ସାଂସଦ ଭର୍ତ୍ତୃହରି ମହତାବ ହେଲେ ଲୋକସଭାର କାମଚଳା ବାଚସ୍ପତି । ଅଷ୍ଟାଦଶ ଲୋକସଭା ପାଇଁ ନବ ନିର୍ବାଚିତ ସାଂସଦଙ୍କୁ ସେ ଶପଥ ପାଠ କରାଇବେ । ସମ୍ବିଧାନର ଧାରା ୯୫ (୧) ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପ୍ରୋ-ଟେମ ସ୍ପିକର ଭାବେ ନିଯୁକ୍ତି ଦେଇଛନ୍ତି । ବିଧିବଦ୍ଧ ବାଚସ୍ପତି ନିର୍ବାଚନ ଯାଏଁ ସେ ସାମ୍ବିଧାନିକ ଦାୟିତ୍ବ ତୁଲାଇବେ । ଏ ନେଇ କେନ୍ଦ୍ରମନ୍ତ୍ରୀ କିରଣ ରିଜଜୁ ସୋସିଆଲ ପ୍ଲାଟଫର୍ମ ଏକ୍ସରେ ଜଣାଇଛନ୍ତି ।

ସେହିପରି ସାଂସଦ ସୁରେଶ କୋଡିକୁନ୍ନିଲ, ଟି.ଆର. ବାଲୁ, ଆର.ଏମ. ସିଂହ, ଫଗନ ସିଂହ କୁଲସ୍ତେ, ସୁଦୀପ ବନ୍ଦୋପାଧ୍ଯାୟଙ୍କୁ ସମ୍ବିଧାନର ଧାରା ୯୯ ଅନୁସାରେ କାମଚଳା ବାଚସ୍ପତିଙ୍କ ସହାୟକ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି । ଏମାନେ ମଧ୍ଯ ନୂଆ ସାଂସଦଙ୍କୁ ଶପଥ ପାଠ କରାଇବେ ।

ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ: ଧାନ କିଣା ବେଳେ କଟଣି ଛଟଣି ମନା

ଭୁବନେଶ୍ବର: ଧାନ କିଣାକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କଡା ନିର୍ଦ୍ଦେଶ । ଚାଷୀଙ୍କ ଧାନ କିଣିଲା ବେଳେ କୌଣସି ମିଲର କରିପାରିବେନି  କଟଣି ଛଟଣି । ୪୮ ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ । କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣାଯିବ ଧାନ । ସେଥିପାଇଁ ଗଠନ ହୋଇଛି କମିଟି । ଚାଷୀଙ୍କୁ ହଇରାଣ କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ।

ଏଥିସହିତ ସମସ୍ତ ଯୋଗାଣ ଅଧିକାରୀଙ୍କୁ କ୍ୱାଲିଟି ଓ ମାପଦଣ୍ଡ ଉପରେ ମଧ୍ୟ ଗ୍ରାଉଣ୍ଡକୁ ଯାଇ ତଦାରଖ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । କୃଷକ ଓ ଖାଉଟି ଯେମିତି ହଇରାଣ ନହେବେ ସେ ନେଇ ମଧ୍ୟ ଯୋଜନା ହୋଇଛି ।

ସେପଟେ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରସଙ୍ଗରେ କଡା ଚେତାବନୀ ଶୁଣାଇଲେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯେଉଁ ଅସାଧୁ ବ୍ୟବସାୟୀ କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ନିର୍ଦ୍ଦେଶ । ଏହି ସମୟରେ କିଛି ଦିନ ପାଇଁ ପନିପରିବା ଦର କମ ବେଶୀ ହୋଇଥାଏ । ତଥାପି ଜାଣିଶୁଣି ଦରବୃଦ୍ଧି କରି ଲୋକଙ୍କୁ ହଇରାଣ କରୁଥିବା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦେଇଛନ୍ତି ନିର୍ଦ୍ଦେଶ ।

ଧାନର ଏମଏସପି ୩୧ ଶହ କରିବାକୁ ଶହେ ଦିନ ସମୟ ନେଇଛନ୍ତି ଓଡ଼ିଶା ସରକାର

ଭୁବନେଶ୍ବର: କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କାକୁ ବୃଦ୍ଧି କରିବା ପରେ ଓଡ଼ିଶାରେ ଚାଷୀଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା । ରାଜ୍ୟ ବିଜେପି ଏମଏସପି ୩୧୦୦ ଟଙ୍କା କରିବା ପାଇଁ ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲା । ହେଲେ କେନ୍ଦ୍ର ସରକାର ଏମଏସପିକୁ ୨୩ ଟଙ୍କା କରିଛନ୍ତି । ଅର୍ଥାତ ରାଜ୍ୟ ବିଜେପି ସରକାରକୁ ପ୍ରତିଶ୍ରୁତି ମୁତାବକ ଆହୁରି ୮ ଶହ ଟଙ୍କା ବୃଦ୍ଧି କରିବାକୁ ପଡିବ । ତେବେ ଏହାକୁ ଲାଗୁ କରିବାକୁ ରାଜ୍ୟ ସରକାର ୧୦୦ ଦିନ ସମୟ ନେଇଥିବା କୁହାଯାଉଛି । ସେପଟେ ଆଗାମୀ ବଜେଟରେ ନୂଆ ସରକାର କୃଷିକୁ ଅଧିକ ଗୁରୁତ୍ବ ଦେବେ ବୋଲି ଜଣାପଡିଛି ।

ମଣ୍ଡିରେ ଧାନ ନେବା ପ୍ରକ୍ରିୟା ସରିବାକୁ ଆଉ ଅଳ୍ପ ଦିନ ବାକି ଅଛି । ତେଣୁ ପ୍ରକୃତ ଏମଏସପି କେବେ ମିଳିବ ତାହାକୁ ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ । ଓଡ଼ିଶାରେ ନୂଆ ସରକାର ଚାଷୀଙ୍କୁ ଗୁରୁତ୍ୱ ଦେଉଥିବାବେଳେ ଚାଷୀମାନେ କିନ୍ତୁ ଅଧିକ ଅମଳକ୍ଷମ ଉନ୍ନତମାନର ଧାନ ବିହନ କିଣୁ ନଥିବା ଦେଖିବାକୁ ମିଳିଛି । ଧାନ ବିହନର କମ ବିକ୍ରି ପଛରେ ସରକାରଙ୍କର ବିଭିନ୍ନ ଯୋଜନାକୁ ଦାୟୀ କରାଯାଉଛି । ଓଡ଼ିଶାର ଆର୍ଥିକ ସ୍ଥିତି ଭଲ ଥିବାବେଳେ ଆୟର ଉତ୍ସ ମଧ୍ୟ ରହିଛି । ତେଣୁ ସରକାର ଚାହିଁଲେ ଚାଷୀଙ୍କ ସ୍ବାର୍ଥ ରକ୍ଷା ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।

ସେପଟେ ଆଗାମୀ ବଜେଟରେ ନୂଆ ସରକାର କୃଷିକୁ ଅଧିକ ଗୁରୁତ୍ବ ଦେବାକୁ ଯାଉଛନ୍ତି । ଏଥିଲାଗ ମତାମତ ଆହ୍ବାନ କରାଯାଇଛି । କୃଷି ବିଶେଷଜ୍ଞମାନେ କୃଷି କ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି । ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବା ବେଳେ କୃଷକ ସମୃଦ୍ଧ ହେଲେ ଅର୍ଥନୀତି ଚଳଚଞ୍ଚଳ ହେବ । ଆବଶ୍ୟକ ଶୀତଳ ଭଣ୍ଡାର, ପ୍ରୋସେସିଂ ୟୁନିଟ ତଥା ଚାଷ ସାମଗ୍ରୀରୁ ବିଭିନ୍ନ ଦ୍ରବ୍ୟ ପ୍ରସ୍ତୁତି ପାଇଁ ଶିଳ୍ପ ପ୍ରତିଷ୍ଠା ହେବା ଦରକାର । ରାଜ୍ୟରେ ଭାଗ ଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସୁବିଧା ପ୍ରଦାନ କରିବା ଆବଶ୍ୟକ । ବଜେଟରେ ଆର୍ଥିକ ବ୍ୟୟ ବରାଦ ହେବା ଦରକାର ବୋଲି ମତ ଦେଇଛନ୍ତି କୃଷି ବିଶେଷଜ୍ଞ । ଏସବୁ ପ୍ରତିଶ୍ରୁତି ଦେଇ ବିଜେପି ସରକାରକୁ ଆସିଥିବାରୁ ଏହା ପୂରଣ ପାଇଁ ଉଦ୍ୟମ କରିବ ବୋଲି ରାଜନୀତି ସମୀକ୍ଷକ କହିଛନ୍ତି ।

କୃଷି ଓ କୃଷକ ସମସ୍ୟାକୁ ନେଇ ରାଜ୍ୟରେ ପୂର୍ବରୁ ବିରୋଧୀ ଓ ଶାସକ ବାରମ୍ବାର ମୁହାଁମୁହିଁ ହେଉଥିଲେ । ଏବେ ସେସବୁ ପୂରଣ କରିବା ଦିଗରେ ବିଜେପି କେତେ ସମର୍ଥ ହେଉଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଭୁବନେଶ୍ବରରେ ଖୋଲିବ ରାଜ୍ୟର ପ୍ରଥମ ଚାଉଳ ଏଟିଏମ୍

ଭୁବନେଶ୍ବର: ଭୁବନେଶ୍ବରରେ ଖୋଲିବାକୁ ଯାଉଛି ଚାଉଳ ଏଟିଏମ୍ । ସପ୍ତାହକ ମଧ୍ୟରେ ଏହି ଏଟିଏମ୍ ଖୋଲିବାକୁ ଯାଉଛି । ଏହା ହେବ ରାଜ୍ୟର ପ୍ରଥମ ଚାଉଳ ଏଟିଏମ୍ । ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ATM କାର୍ଡ ଦିଆଯିବ । ସାରା ଭାରତରେ ସବୁଠି ଏହି କାର୍ଡ ବ୍ୟବହାର ହୋଇପାରିବ । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତି ଜିଲ୍ଲାରେ ଗୋଟିଏ ଗୋଟିଏ ଚାଉଳ ATM ସେଣ୍ଟର ଖୋଲାଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେପଟେ ଡିଲରମାନଙ୍କଠାରୁ ଚାଉଳ ପାଉଥିବା ହିତାଧିକାରୀଙ୍କୁ ଯଦି ଡିଲର ହଇରାଣ ହରକତ କରୁଥିବେ ଅଭିଯୋଗ ଆସିଲେ ତଦନ୍ତ କରି ଲାଇସେନ୍ସ ରଦ୍ଦ କରାଯିବ । ତାଙ୍କ ସ୍ଥାନରେ ନୂଆ ଡିଲରଙ୍କୁ ନିଯୁକ୍ତି ଦିଆଯିବ । ରାଜ୍ୟରେ ପ୍ରାୟ ୫୦ ଲକ୍ଷ ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀ ଅଛନ୍ତି । ସେମାନଙ୍କୁ ଚିହ୍ନଟ କରି କାର୍ଡ ହଟାଯାଇ ନୂତନ ଯୋଗ୍ୟ ହିତାଧିକାରୀକାରୀଙ୍କୁ ଏଥିରେ ସାମିଲ କରାଯିବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।