ଭୁବନେଶ୍ବର: ବିଜେଡିରେ ସାମିଲ ହେଲେ ବରଗଡ଼ର ବିଶିଷ୍ଟ ସମାଜସେବୀ ମିନାକ୍ଷୀ ମିଶ୍ର । ମିନାକ୍ଷୀ ମିଶ୍ରଙ୍କୁ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ମିନାକ୍ଷୀ ମିଶ୍ର ହେଉଛନ୍ତି ବିଜେଡି ନେତା ସ୍ୱର୍ଗତ ଦେଵବ୍ରତ ମିଶ୍ରଙ୍କ ପତ୍ନୀ । ସେ ବରଗଡ଼ର ଫାଇଟ ଫର ରାଇଟ ସାମାଜିକ ସଂଗଠନର ପ୍ରତିଷ୍ଠାତା । ତାଙ୍କ ଯୋଗଦାନ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବ ବୋଲି ବିଜେଡି କହିଛି । ମିନାକ୍ଷୀ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାରେ ପ୍ରଭାବିତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି। ମିଶ୍ରଣ ପର୍ବରେ ମୁଖପାତ୍ର ପ୍ରିୟବ୍ରତ ମାଝୀ ଓ କଣ୍ଟାବାଞ୍ଜି ଓ ପଦ୍ମପୁରର ପର୍ଯ୍ୟବେକ୍ଷକ ମୌସମ ମିଶ୍ର ଉପସ୍ଥିତ ଥିଲେ ।
ବିଜେଡିରେ ସାମିଲ ହେଲେ ପୂର୍ବତନ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବର: ବିଜେଡିରେ ସାମିଲ ହେଲେ ଭଟଲିର ୨୦୧୯ କଂଗ୍ରେସ ବିଧାୟକ ପ୍ରାର୍ଥୀ ସରୋଜ କୁମାର ମହାପାତ୍ର। ତାଙ୍କ ସହ କଂଗ୍ରେସର ଅନେକ କର୍ମକର୍ତ୍ତା ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ। ସରୋଜଙ୍କ ଯୋଗଦାନ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାରେ ପ୍ରଭାବିତ ହୋଇ ବିଜେଡିରେ ସାମିଲ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ବିଦ୍ୟାଳୟ, ବିଜୁ ସ୍ୱାସ୍ଥ୍ୟ କାର୍ଡ ଓ ମହିଳାଙ୍କ ପାଇଁ ହୋଇଥିବା ଯୋଜନା ସବୁ ଆକୃଷ୍ଟ କରିଛି ବୋଲି କହିଛନ୍ତି ସରୋଜ।
କାହାକୁ ବାଛିବେ ସତ୍ୟବାଦୀ ଭୋଟର?
ନନ୍ଦିଘୋଷ ବ୍ୟୁରୋ: ପୁରୀ ଜିଲ୍ଲାରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ୟତମ ପ୍ରମୁଖ ନିର୍ବାଚନ ମଣ୍ଡଳୀ ହୋଇଥିବା ବେଳେ ଏଠାରେ ଭୋଟର ବେଶ ସଚେତନ। ଆଗାମୀ ମେ ୨୫ ତାରିଖରେ ଏହି ନିର୍ବାଚନ ମଣ୍ଡଳୀରେ ଭୋଟଦାନ ଥିବା ବେଳେ ଏଠାକାର ବାସିନ୍ଦା ବେଶ ଉତ୍ସାହିତ ରହିଛନ୍ତି। ନିଜର ବହୁମୂଲ୍ୟ ଭୋଟ ଦାନ ପାଇଁ ପ୍ରସ୍ତୁତ ହୋଇଛନ୍ତି ସମସ୍ତେ। ସତ୍ୟବାଦୀର ବିକାଶ ତଥା ମୌଳିକ ସମସ୍ୟା ଓ ଜଳ ନିଷ୍କାସନ ସମସ୍ୟା ଦୂର ନେଇ କାର୍ଯ୍ୟ କରିବା ପାର୍ଥୀଙ୍କୁ ନିର୍ବାଚନମଣ୍ଡଳି ବାସିନ୍ଦା ଭୋଟ ଦେବେ ବୋଲି ମନସ୍ତ କରିଥିବା ଜଣାପଡ଼ିଛି।
ଏଥର ଫମ୍ପା ପ୍ରତିଶ୍ରୁତି ନୁହଁ ବିକାଶକୁ ମିଳିବ ଭୋଟ। ନିର୍ବାଚନକୁ ନେଇ ବେଶ ସଚେତନ ପୁରୀ ଜିଲ୍ଲାର ସତ୍ୟବାଦୀ ଭୋଟର। ଭୌଗୋଳିକ ଦୃଷ୍ଟି କୋଣରୁ ପୁରୀ ଜିଲ୍ଲାର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ବିଶାଳ ନିର୍ବାଚନ ମଣ୍ଡଳୀ ଭାବେ ପରିଗଣିତ। ଗତ ୨୦୧୪ ନିର୍ବାଚନ୍ତ୍ରର ସ୍ୱାଧୀନ ଓ ୨୦୧୯ ନିର୍ବାଚନରେ ବିଜେଡିରୁ ଏହି ଆସନରେ ଉମା ସାମନ୍ତରାୟ ବିଧାୟକ ରହିଥିଲେ। ଏହି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଜନସାଧାରଣ ବିଶେଷ କରି ଚାଷ ଉପରେ ନିର୍ଭରଶୀଳ ରହିଥିବାରୁ ଏଠାରେ ଚାଷୀ ମାନଙ୍କର ସମସ୍ୟା ପ୍ରମୁଖ ପ୍ରସଙ୍ଗ ରହିଛି। ନିର୍ବାଚନମଣ୍ଡଳିର ଆହୁରି ବିକାଶର ଆବଶ୍ୟକତା ରହିଛି। ଏନେଇ ଲୋକଙ୍କ ହିତ ପାଇଁ ଯିଏ କାର୍ଯ୍ୟ କରିବ ସେହିଭଳି ପାର୍ଥୀଙ୍କୁ ଚୟନ କରିବେ ବୋଲି ଅଂଚଳ ବାସୀ ମନସ୍ତ କରିଛନ୍ତି ।
ନିର୍ବାଚନମଣ୍ଡଳିରେ କଣାସ ବ୍ଲକ ଏକ ପ୍ରମୁଖ ଅଂଚଳ ହୋଇଥିବା ବେଳେ ଏଠାରେ ପ୍ରତିବର୍ଷ ବନ୍ୟାଜଳ ନିଷ୍କାସନ ସମସ୍ୟା ଦେଖାଯାଏ । ଭୋଟର ଏହି ପ୍ରସଙ୍ଗକୁ ନେଇ ଆଗାମୀ ନିର୍ବାଚନରେ ମତଦାନ କରିବେ ବୋଲି ଚିନ୍ତା କରିଛନ୍ତି। ଏଥର ସତ୍ୟବାଦୀରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ସଞ୍ଜୟ ଦାସବର୍ମା। ସେହିଭଳି ବିଜେପିରୁ ଓମ ପ୍ରକାଶ ମିଶ୍ର ଓ କଂଗ୍ରେସରୁ ମନୋଜ ରଥ ହୋଇଛନ୍ତି ପ୍ରାର୍ଥୀ। ତେବେ ଗତ କିଛି ବର୍ଷର ବିକାଶକୁ ଦେଖି ବିଜେଡିକୁ ପୁଣି ବାଛିବେ ବୋଲି ଭୋଟର ମତ ଦେଇଛନ୍ତି।
ସତ୍ୟବାଦୀରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ନିଜ ଅଂଚଳରେ ପ୍ରଚାକୁ ଜୋରଦାର କରିଛନ୍ତି । ହେଲେ ଚଳିତଥର ଅଞ୍ଚଳର ବିକାଶ ହିଁ ର୍ନିଣ୍ଣାୟକ ସାଜିବ ବୋଲି କହିଛନ୍ତି ରାଜନୈତିକ ବିଶେଷଜ୍ଞ ।
ଆସନ୍ତାକାଲି ୧୩ ରାଜ୍ୟର ୮୯ ଆସନରେ ହେବ ଭୋଟ୍
ନନ୍ଦିଘୋଷ ବ୍ୟୁରୋ: ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ମତଦାନ। ୧୩ ରାଜ୍ୟର ୮୯ ଆସନରେ ହେବ ଭୋଟ। ୧୨୧୦ ପ୍ରାର୍ଥୀଙ୍କ ଭାଗ୍ଯ ବି ହେବ ନିର୍ଦ୍ଧାରଣ। ମଇଦାନରେ ୧୦୦ ମହିଳା ପ୍ରାର୍ଥୀ ଥିବାବେଳେ ୩୯୦ କୋଟିପତି ପ୍ରାର୍ଥୀ ରହିଛନ୍ତି। ସାରା ଦେଶବାସୀଙ୍କ ନଜର ରହିଛି କେରଳ ୱାୟନାଡ ସିଟ୍ ଉପରେ। ଏଠାରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେଠାରେ ଇଣ୍ଡିଆ ମେଣ୍ଟ ବିଫଳ ହୋଇଥିବାରୁ ରାହୁଲ ସଙ୍କଟର ସମ୍ମୁଖୀନ ହୋଇପାରନ୍ତି। ଆସାମର ୫ ଲୋକସଭା ଆସନ, ବିହାରର ୫, ଛତିଶଗଡ଼ ୩, କର୍ଣ୍ଣାଟକର ୧୪, କେରଳର ୨୦, ମଧ୍ୟପ୍ରଦେଶର ୭, ମହାରାଷ୍ଟ୍ରର ୮, ଉତ୍ତରପ୍ରଦେଶର ୮, ରାଜସ୍ଥାନର ୧୩, ପଶ୍ଚିମବଂଗର ୩ ସହ ତ୍ରିପୁରା, ମଣିପୁର ଓ ଜମ୍ମୁ କାଶ୍ମୀର ଗୋଟିଏ ଲେଖାଏ ଆସନରେ ଭୋଟ ଗ୍ରହଣ ହେବ। କଂଗ୍ରେସ ନେତା କେ.ସି. ଭେନୁଗୋପାଲ, ତାରିକ ଅନୱର, ଶଶୀ ଥରୁରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। କେରଳର ପୂର୍ବତନ ମୁଖ୍ଯମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି, ଅଶୋକ ଗେହଲଟଙ୍କ ପୁଅ ବୈଭବ ପଟେଲ, ବସୁନ୍ଧରା ରାଜେଙ୍କ ପୁଅ ଦୁଶ୍ଯନ୍ତ ସିଂ, ପୂର୍ବତନ ମୁଖ୍ଯମନ୍ତ୍ରୀ ଏଚ.ଡି.କୁମାରସ୍ବାମୀ, ଭୂପେଶ ବଘେଲ ବି ରହିଛନ୍ତି ମଇଦାନରେ। ଅଭିନେତ୍ରୀ ହେମାମାଳିନୀ, ଅରୁଣ ଗୋଭିଲଙ୍କର ବି ହେବ ଭାଗ୍ଯ ପରୀକ୍ଷା। ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ରାଜସ୍ଥାନ ଏବଂ କେରଳରେ ଭୋଟଗ୍ରହଣ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯିବ। ଏପ୍ରିଲ ୧୯ରେ ରାଜସ୍ଥାନର ୧୨ ଲୋକସଭା ଆସନ ଲାଗି ଭୋଟଗ୍ରହଣ ହୋଇଥିଲା।
ବାଙ୍କୀ ନିର୍ବାଚନ ମଣ୍ଡଳୀରେ କିଏ ମାରିବ ବାଜି?
ନନ୍ଦିଘୋଷ ବ୍ୟୁରୋ: କଟକ ଜିଲ୍ଲାର ବାଙ୍କୀ ଏବେ ବଡ଼ ଗରମ । ନିର୍ବାଚନ ପାଇଁ ବାଙ୍କୀ ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଏଠାରେ ହେଉଛି ତ୍ରିମୁଖୀ ଲଢ଼େଇ। ତେବେ କାହାର ହେବ ବାଙ୍କୀ ବାଧାନସଭା ନିର୍ବାଚନମଣ୍ଡଳୀ ? ତାକୁ ନେଇ ଚାଲିଛି ଅଙ୍କକଷା।
ସଭା, ଶୋଭାଯାତ୍ରା ଓ ସ୍ଲୋଗାନରେ କମ୍ପୁଛି ମଇଦାନ। ବାଙ୍କୀ ବିଧାନସଭା ନିର୍ବାଚନମଣ୍ଡଳୀରେ ଜୋର୍ ଧରିଛି ପ୍ରଚାର । ବାଙ୍କୀ, ଡମପଡା ଓ ବାରଙ୍ଗ ବ୍ଲକ ଏବଂ ବାଙ୍କୀ ଏନଏସିକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ। ଏଠାରେ ଅଛନ୍ତି ୨ ଲକ୍ଷ ୧୭ ହଜାର ୮୮୮ ଭୋଟର। ଏଥିରେ ପୁରୁଷ ୧ ଲକ୍ଷ ୧୩ ହଜାର ୧୩୯ ଓ ମହିଳା ୧ ଲକ୍ଷ ୪ ହଜାର ୭୪୦ ଜଣ ଅଛନ୍ତି ।
ବିଜେଡି ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତି ଦେବୀରଞ୍ଜନ ତ୍ରିପାଠୀ। ବିଜେପି ପକ୍ଷରୁ ତୁଷାରକାନ୍ତି ଚକ୍ରବର୍ତ୍ତୀ ଓ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ଦେବାଶିଷ ପଟ୍ଟନାୟକ। ବିଜେପି ପ୍ରାର୍ଥୀ ତୁଷାରକାନ୍ତି ଚକ୍ରବର୍ତ୍ତୀଙ୍କୁ ଆଶାୟୀ ଶୁଭ୍ରାଂଶୁ ମୋହନ ପାଢ଼ୀ ତୀବ୍ର ବିରୋଧ କରୁଛନ୍ତି। ତେବେ ସବୁ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାର ଚାଲିଛି।
ବାଙ୍କୀରେ ୨୦୦୦ ମସିହାରୁ ୨୦୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ୫ଟି ସାଧାରଣ ନିର୍ବାଚନରେ ବିଜେଡି ୪ ଥର ବିଜୟୀ ହୋଇଥିବା ବେଳେ କଂଗ୍ରେସ ଥରେ ଜିତିଥିଲା। ୨୦୦୦ ମସିହାରେ ବିଜେଡି ବାଜି ମାରିଥିଲା । ୨୦୦୪ରେ ବାଙ୍କୀରେ କଂଗ୍ରେସ ପ୍ରାର୍ଥୀ ୫୮ ହଜାର ୧୦୬ ଭୋଟ୍ ପାଇ ଜିତିଥିବା ବେଳେ ବିଜେଡି ୫୬ ହଜାର ୯୩୯ ଓ ସ୍ବାଧୀନ ପ୍ରାର୍ଥୀ ୨ ହଜାର ୬୨୦ ଭୋଟ୍ ପାଇଥଲେ । ୨୦୦୯ରେ ବିଜେଡି ପ୍ରାର୍ଥୀ ପ୍ରଭାତ ତ୍ରିପାଠୀ ୭୦ ହଜାର ୭୩୧ ଭୋଟପାଇ ବିଜୟୀ ହୋଇଥିଲେ । କଂଗ୍ରେସର ଦେବାଶିଷ ପଟ୍ଟନାୟକ ୪୬ ହଜାର ୨୮୬, ବିଜେପି ପ୍ରାର୍ଥୀ ଶୁଭ୍ରାଂଶୁ ମୋହନ ପାଢ଼ୀ ୮ ହଜାର ୫୬ ଭୋଟ ପାଇଥିଲେ ।
୨୦୧୪ରେ ବିଜେଡି ପ୍ରାର୍ଥୀ ପ୍ରଭାତ ତ୍ରିପାଠୀ ୮୫ ହଜାର ୬୩୨ ଭୋଟ ପାଇ ବିଜୟୀ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ୪୨ ହଜାର ୯ , ବିଜେପି ପ୍ରାର୍ଥୀ ୮ ହଜାର ୬୬୩, ସ୍ୱାଧୀନ ପ୍ରାର୍ଥୀ ୪ ହଜାର ୨୫୧ ଭୋଟ୍ ଓ ଆପ ୧ ହଜାର ୩୩୬ ଭୋଟ୍ ପାଇ ପରାଜିତ ହୋଇଥିଲେ । ୨୦୧୯ରେ ଦେବୀରଞ୍ଜନ ତ୍ରିପାଠୀ ମଇଦାନକୁ ଓହ୍ଲାଇଥିଲେ। ସେ ୭୪ ହଜାର ୫୯୯ ଭୋଟ୍ ପାଇ ବିଜୟୀ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ୫୦ ହଜାର ୪୮୧, ବିଜେପି ପ୍ରାର୍ଥୀ ୩୨ ହଜାର ୫୪୧ ଭୋଟ ପାଇଥିଲେ । ଚଳିତ ନିର୍ବାଚନରେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ ତାହା ଦେଖିବାକୁ ବାକି ରହିଲା ।
ରାଜ୍ଯ ସରକାରଙ୍କ ପ୍ରଚେଷ୍ଟାରେ ଗତ ୫ ବର୍ଷ ମଧ୍ଯରେ ବାଙ୍କୀ ନିର୍ବାଚନମଣ୍ଡଳୀରେ ଅନେକ ଉନ୍ନତିମୂଳକ କାର୍ଯ୍ଯ ହୋଇଛି। ପାନୀୟଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସାଙ୍ଗକୁ ମାଆ ଚର୍ଚ୍ଚିକା ମନ୍ଦିରର ହୋଇଛି ଉନ୍ନତିକରଣ। ଏଥିସହିତ ଇନଡୋର ଷ୍ଟାଡିୟମ, ମିନି ଷ୍ଟାଡିୟମ, ସ୍କୁଲ ଓ କଲେଜର ରୂପାନ୍ତରଣ ହୋଇଛି।
କାହାର ହେବ ତଳସରା ବିଧାନସଭା ଆସନ ?
ସୁନ୍ଦରଗଡ଼: ତଳସରାରେ ଏଥର ବିଗ ଫାଇଟ । କାହାର ହେବ ତଳସରା ବିଧାନସଭା ଆସନ ? ମଇଦାନରେ ୩ ରାଜନୈତିକ ଦଳର ହେବି ୱେଟ ପ୍ରାର୍ଥୀ । ରୋଚକ ହେବ ଏଥର ତଳସରା ରାଜନୀତି। ପ୍ରମୁଖ ରାଜନୈତିକ ଦଳ ବିଜେପି , ବିଜେଡି ନା କଂଗ୍ରେସ କାହାକୁ ଭରସା କରିବେ ତଳସରା ଭୋଟର । କମ ବ୍ୟାକ୍ କରିବ କି କଂଗ୍ରେସ ? ଏହି ଆସନରେ ଖାତା ଖୋଲିନଥିବା ବିଜେଡି ଏଥର ଏଠାରେ ଖାତା ଖୋଲିବ କି ? କି ପୁଣି ଏଠାରେ ବାନା ଉଡାଇବ ବିଜେପି ?
ପ୍ରାର୍ଥୀ ବି ପ୍ରସ୍ତୁତ , ନେତା ବି ପ୍ରସ୍ତୁତ ଏବେ ମଇଦାନରେ ଆରମ୍ଭ ହୋଇଯାଇଛି ଲଢେଇ । ଏଭଳି ସ୍ଥିତି ବର୍ତ୍ତମାନ ରହିଛି ସୁନ୍ଦରଗଡ ଜିଲ୍ଲା ତଳସରା ବିଧାନସଭା ନିର୍ବାଚନ ମଣ୍ଡଳିରେ। ତଳସରାରେ ବିଗ ଫାଇଟ । କାହାର ହେବ ତଳସରା ବିଧାନସଭା ଆସନ ? ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା। ତଳସରା ବିଧାନସଭା ନିର୍ବାଚନ ମଣ୍ଡଳି ୪ଟି ବ୍ଲକ ଲେଫ୍ରିପଡା , ସବଡେଗା , ବାଲିଶଙ୍କରା ଓ ବଡଗାଁକୁ ନେଇ ଗଠିତ ।
ଏଠାରେ ଅଛନ୍ତି ୨ ଲକ୍ଷ ୧୫ ହଜାର ୩୮୦ ଜଣ ଭୋଟର। ପୁରୁଷ ଭୋଟର ହେଲେ ୧ ଲକ୍ଷ ୪ ହଜାର ୯୦୯ ଜଣ । ମହିଳା ଭୋଟର ହେଲେ ୧ ଲକ୍ଷ ୧୦ ହଜାର ୪୫୨। ଯୁବ ଭୋଟର ହେଲେ ୫ ହଜାର ୫୮୬ ଜଣ । ଏଠାରେ ହେଉଛି ତ୍ରିମୁଖୀ ଲଢେଇ । ବିଜେଡି ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି ବିନୟ ଟପ୍ପୋ। ବିଜେପି ପ୍ରାର୍ଥୀ ଭାବେ ରଣାଙ୍ଗନାକୁ ଓହ୍ଲାଇଛନ୍ତି ଭବାନୀ ଶଙ୍କର ଭୋଇ। କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଦେବେନ୍ଦ୍ର ଭିତରିଆ । ତେବେ ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋରଦାର ଚାଲିଛି ନିର୍ବାଚନୀ ପ୍ରଚାର। ତେବେ ଦେଖିବାକୁ ବାକି ରହିଲା କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ। ତେବେ ବିକାଶ ହିଁ ସାଜିବ ପ୍ରମୁଖ ପ୍ରସଙ୍ଗ।
ବିଜେପି ହାତରେ ରହିଥିବା ଏହି ଆସନରେ ଦଳ ପୁଣି ଭବାନୀ ଶଙ୍କର ଭୋଇଙ୍କୁ ପ୍ରାର୍ଥୀ କରିଛି ଅନ୍ୟ ପଟେ ମାତ୍ର ୧୪ଶହ ଭୋଟ ବ୍ୟବଧାନରେ ୨୦୧ ନିର୍ବାଚନ ରେ ପରାଜିତ ପ୍ରାର୍ଥୀ ବିନୟ ଟପ୍ପୋ ଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ କରିଛି । ୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ ମାଝୀ ୪୪ ହଜାର୮୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପିରୁ ସହଦେବ Sahadev Xaxa ୨୪ ହଜାର ୩୪୧, ଏନସିପିରୁ ପୂର୍ଣ୍ଣଚନ୍ଦ୍ର ମିଞ୍ଜ ୧୬ ହଜାର ୧୦୫ ଖଣ୍ଡ ଭୋଟ ପାଇଥିଲେ ।୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ ମାଝୀ ୪୫ ହଜାର ୮୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ ।
ବିଜେଡି ପ୍ରାର୍ଥୀ ବିନୟ କୁମାର ଟପ୍ପୋ ୪୪ ହଜାର ୨୫୧ ଖଣ୍ଡ , ବିଜେପିରୁ ସନ୍ତୋଷ ଅମାତ ୪୧ ହଜାର ୨୭୨ ଖଣ୍ଡ ଭୋଟ ପାଇଥିଲେ । ୨୦୧୯ ପର୍ଯ୍ୟନ୍ତ ଏହି ଆସନ ଟି କଂଗ୍ରେସ କବଜା ରେ ରହିଥିଲା ଆଉ ସର୍ବାଧିକ ଏହି ଆସନ ଟି ସ୍ୱର୍ଗତ ଗଜାଧର ମାଝୀ ଏବଂ ତାଙ୍କ ଅନ୍ତେ ତାଙ୍କ ଜ୍ୱାଇଁ ଡା ପ୍ରଫୁଲ ମାଝୀ ଏଠାରୁ ବିଧାୟକ ରହିଥିଲେ । ହେଲେ ଗତ ୨୦୧୯ରେ କଂଗ୍ରେସ ହାତରୁ ଏହି ଆସନ କୁ ବିଜେପି ଛଡାଇ ନେଇଥିଲା ଆଉ ବିଧାୟକ ହୋଇଥିଲେ ଭବାନୀ ଶଙ୍କର ଭୋଇ ।୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ଭବାନୀ ଶଙ୍କର ଭୋଇ ୬୦ ହଜାର ୨୬୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ବିଜେଡିରୁ ଷ୍ଟିଫେନ ସୋରନେଗ Stephen Soreng ୪୪ ହଜାର ୭୬,କଂଗ୍ରେସରୁ ପ୍ରଫୁଲ ମାଝୀ ୪୧ ହଜାର ୧୧୧ ଖଣ୍ଡ ଭୋଟ ପାଇଥିଲେ। ପ୍ରାର୍ଥୀ ବି ପ୍ରସ୍ତୁତ , ନେତା ବି ପ୍ରସ୍ତୁତ ଏବେ ମଇଦାନରେ ଆରମ୍ଭ ହୋଇଯାଇଛି ଲଢେଇ ଆଉ ଏହି ଘମାଘୋଟ ଲଢେଇ ମଧ୍ୟରେ କିଏ ହେବ ବିଜୟୀ ତାହା ସମୟ କହିବ।
ନାମାଙ୍କନ ଦାଖଲ କଲେ ଗୋପାଳପୁର ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା
ଛତ୍ରପୁର: ଗୋପାଳପୁର ନିର୍ବାଚନ ମଣ୍ଡଳିର ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ନାମାଙ୍କନ ଦାଖଲ କରିଛନ୍ତି । ଗୋପାଳପୁର ଧବଳେଶ୍ୱର ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ୧୦ ହଜାରରୁ ଅଧିକ ସମର୍ଥଙ୍କ ସହ ବିରାଟ ରାଲି କରିଥିଲେ । ବିଜେଡି କର୍ମୀ ଓ ଜନସାଧାରଣଙ୍କ ସହ ବିରାଟ ପଟୁଆରରେ ନିର୍ବାଚନମଣ୍ଡଳି ପରିକ୍ରମା କରିଥିଲେ । ବିଜେଡି ରାଲିରେ ଶଙ୍ଖ, ମହୁରୀ ଓ ବାଜାବାଣରେ ସାରା ସହର କମ୍ପିଉଠିଛିଲା । ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପ୍ରାର୍ଥିପତ୍ର ଦାଖଲ କରିଥିଲେ ବିକ୍ରମ । ଗୋପାଳପୁରବାସୀ ବିଜେଡିକୁ ବିପୁଳ ପରିମାଣରେ ଭୋଟ ଦେଇ ବିଜୟୀ କରାଇବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିକ୍ରମ । ଅନ୍ଯପଟେ ବିଜେପି ପ୍ରାର୍ଥୀ ବିଭୂତି ଭୂଷଣ ଜେନା ମଧ୍ଯ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନାମାଙ୍କନ ଭରିଛନ୍ତି ।
ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାରରେ ଖୁଲମଖୁଲା ନିର୍ବାଚନ ଆଚରଣ ବିଧି ଉଲଙ୍ଘନ
ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଥାଇ କେମିତି ଭୁଲିଗଲେ ନାବାଳକ ଓ ନାବାଳିକାଙ୍କ ଉଜ୍ୱଳ ଭବିଷ୍ୟତକୁ। ଗତକାଲି ବିଜେପିର ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆଠମଲ୍ଲିକ ବିଧାନସଭାର ବିଜେପି ବିଧାୟକ ପାର୍ଥୀ ସଂଜୀବ ସାହୁଙ୍କ ନିର୍ବାଚନୀ ପ୍ରଚାରରେ ନାବାଳକ ଓ ନାବାଳିକା ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ପିଲାଙ୍କ ହାତରେ କଲମ ଧରାଇବା ବଦଳରେ ଢୋଲ, ଗିନି, ଓ ବିଜେପିର ଦଳୀୟ ପତାକାକୁ ହତାରେ ଧରାଇ ନିଜର ନିର୍ବାଚନ ପ୍ରଚାରରେ କେମିତି ମଜିଗଲେ କେନ୍ଦ୍ରମନ୍ତରୀ, ତାକୁ ନେଇ ଉଠିଛି ପ୍ରଶ୍ନ। ବିଜେପି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି।
ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ପ୍ରଚାର କରିବେ ଉଜ୍ଜଳା ଦିଦି
ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ପ୍ରଚାର କରିବେ ଉଜ୍ଜଳା ଦିଦି । ଦେବଗଡ଼, ସମ୍ବଲପୁର ଏବଂ ଅନୁଗୁଳରେ ବୁଲି ବୁଲି ଧର୍ମେନ୍ଦ୍ରଙ୍କୁ ଭୋଟ ନଦେବାକୁ ବୁଝାଇବେ ୧୨ ହଜାରରୁ ଅଧିକ ଉଜ୍ଜଳା ଦିଦି । ଦାବି ପୂରଣ ନହେବା, ବିଜେପି କାର୍ଯ୍ୟାଳୟରେ ଦୁର୍ବ୍ଯବହାରର ଶିକାର ହେବା ଏବଂ ନିଜେ ଧର୍ମେନ୍ଦ୍ର ପ୍ରଧାନ ମହିଳାଙ୍କୁ କଟାକ୍ଷ କରିବା ପ୍ରତିବାଦରେ ଦିଦିମାନେ ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରିବା ସହ ତାଙ୍କ ବିପକ୍ଷରେ ପ୍ରଚାର କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଉଜ୍ଜଳା ଦିଦିମାନେ ଖୁବଶୀଘ୍ର ସମ୍ବଲପୁର ଓ ଦେବଗଡ଼କୁ ଯାଇ ପ୍ରଚାର କରିବେ । ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୋଟ ନଦେବାକୁ ଲୋକଙ୍କୁ ବୁଝାଇବେ । ମହିଳାଙ୍କୁ ସମ୍ମାନ ଦେଉନଥିବା ଧର୍ମେନ୍ଦ୍ର ଆଗକୁ ଜିତିଲେ କଣ ନାହିଁ କଣ କରିବେ । ଏଣୁ ତାଙ୍କୁ ବିରୋଧ କରିବାକୁ ଦିଦିମାନେ ନିଷ୍ପତ୍ତି ନେଇଛନ୍ତି ।
ଆପଣମାନେ ଏତେ ସଂଖ୍ୟାରେ ଆସିଛନ୍ତି, ବିରୋଧୀ ଦଳମାନଙ୍କର ନିଦ ଭାଙ୍ଗିଯାଇଛି : କାର୍ତ୍ତିକ ପାଣ୍ଡିଆନ୍
ନନ୍ଦିଘୋଷ ବ୍ୟୁରୋ: ବିଷମକଟକରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର । ଲୋକଙ୍କ ପାଖକୁ ଗଲେ, ଆଶୀର୍ବାଦ ନେଲେ । ଲୋକଙ୍କ ସହ ସେଲଫି ନେଇଥିବାବେଳେ ବିରୋଧୀଙ୍କୁ ସିଧା ନିଶାନା କରିଛନ୍ତି ପାଣ୍ଡିଆନ । ସେ କହିଛନ୍ତି କି, ଆପଣମାନଙ୍କ ଏତେ ସଂଖ୍ୟାରେ ଉପସ୍ଥିତି ବିରୋଧୀ ଦଳ ମାନଙ୍କ ନିଦ ହଜାଇ ଦେଇଛି । ଏହାସହ ବିକାଶର ହିସାବ ମଧ୍ୟ ଦେଇଛନ୍ତି ।

