ନୂଆଦିଲ୍ଲୀ: କାମଚଳା ବାଚସ୍ପତି ଭାବେ ଶପଥ ନେଲେ ସାଂସଦ ଭର୍ତ୍ତୃହରି ମହତାବ । ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶପଥ ପାଠ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଆଜି ନବ ନିର୍ବାଚିତ ସାଂସଦମାନେ ମଧ୍ୟ ଶପଥ ଗ୍ରହଣ କରିବେ। ଆଉ କିଛି ସମୟ ପରେ କାମଚଳା ବାଚସ୍ପତି ନବନିର୍ବାଚିତ ସାଂସଦମାନଙ୍କୁ ଶପଥ ପାଠ କରାଇବେ।
ସିଗାରେଟ୍ ପ୍ୟାକେଟ୍ ପାଇଁ ଆମେରିକାରେ ଭାରତୀୟଙ୍କୁ ହତ୍ୟା
ନୂଆଦିଲ୍ଲୀ : ଆମେରିକାରେ ଭାରତୀୟଙ୍କ ମୃତ୍ୟୁର କାରଣ ସାଜିଲା ସିଗାରେଟ୍ ପ୍ୟାକେଟ୍ । ମୃତ୍ୟୁବରଣ କରିଥିବା ବ୍ୟକ୍ତି ହେଉଛନ୍ତି ଭାରତୀୟ । ତାଙ୍କୁ କେବଳ ସିଗାରେଟ୍ ପ୍ୟାକ୍ ପାଇଁ ଗୁଳି କରାଯାଇଥିବା ନେଇ ସୂଚନା ମିଳିଛି। ମୃତ ବ୍ୟକ୍ତିଙ୍କ ଜଣକ ହେଉଛନ୍ତି ଆମେରିକାରର ଏକ ସୁପର ମାର୍କେଟରେ କାମ କରୁଥିବା ଦାସାରୀ ଗୋପୀକୃଷ୍ଣ ।
ସୂଚନା ଅନୁଯାୟୀ, ୩୨ ବର୍ଷିୟ ଗୋପୀକୃଷ୍ଣ ଶନିବାର ଅପରାହ୍ନରେ ଷ୍ଟୋର୍ର କାଉଣ୍ଟରରେ ଥିଲେ। ଏହି ସମୟରେ ଜଣେ ଅଜ୍ଞାତ ଆକ୍ରମଣକାରୀ ଦୋକାନ ଭିତରେ ପଶି ଆସି ଗୁଳି ଚଳାଇବା ଆରମ୍ଭ କରିଦେଇଥିଲା ଏବଂ ସେ ଚାହୁଁଥିବା ସିଗାରେଟ୍ ପ୍ୟାକେଟ୍ ନେଇ ଚାଲିଯାଇଥିଲା । ଏହି ଗୁଳିରେ କାଉଣ୍ଟରରେ ଉପସ୍ଥିତ ଥିବା ଗୋପୀକୃଷ୍ଣ ଗୁରୁତର ଆହତ ହୋଇ ତଳେ ପଡ଼ିଯାଇଥିଲେ। ଯାହା ପରେ ଲୋକମାନେ କୌଣସି ପ୍ରକାରରେ ତାଙ୍କୁ ଡାକ୍ତରଖାନା ନେଇଥିଲେ, ହେଲେ ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ପୁରା ଘଟଣା ଦୋକାନରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି ।ଯେଉଁଥିରେ ଆକ୍ରମଣକାରୀ ସ୍ପଷ୍ଟ ଭାବରେ ଗୁଳି ଚାଳନାର ଚିତ୍ର ଦେଖିବାକୁ ମିଳିଛି |
ଚାକିରି ପାଇଁ ଆମେରିକା ଯାଇଥିଲେ ଗୋପୀକୃଷ୍ଣ
ଗୋପୀକୃଷ୍ଣ ଆନ୍ଧ୍ରପ୍ରଦେଶର ବାପଟଲା ଜିଲ୍ଲା ୟାଜାଲିର ବାସିନ୍ଦା ଥିଲେ। ଚାକିରୀ ପାଇଁ ସେ ନିଜ ସ୍ତ୍ରୀ ଏବଂ ଦେଢ ବର୍ଷୀୟ ପୁଅକୁ ନେଇ ଆମେରିକା ଆସିଥିଲେ । ସେଠାରେ ସେ ଏକ ସୁପରମାର୍କେଟରେ କାମ କରୁଥିଲେ । ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଏବେ ତାଙ୍କ ପରିବାରରେ ଶୋକରେ ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଗୋପିକୃଷ୍ଣଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ପୀଡିତାଙ୍କ ପରିବାରକୁ ସମସ୍ତ ସାହାଯ୍ୟ କରିବାକୁ ଆଶ୍ୱାସନା ଦେଇଛନ୍ତି । ସେ ସୋସିଆଲ ମିଡିଆରେ ଏକ୍ସରେ ଲେଖିଛନ୍ତି ଯେ ଗୋପିକୃଷ୍ଣଙ୍କ ମୃତଦେହକୁ ଘରକୁ ଫେରାଇ ଆଣିବାରେ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା କରିବେ। ସରକାର ତାଙ୍କ ପରିବାର ସହିତ ଅଛନ୍ତି। ଏହା ସହିତ ସେ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
ଚର୍ଚ୍ଚରେ ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼, ୧୫ ପୋଲିସ କର୍ମଚାରୀ ନିହତ
ନୂଆଦିଲ୍ଲୀ : ଋଷିଆ ଦାଗେସ୍ତାନର ଏକ ଚର୍ଚ୍ଚରେ ଆଖିବୁଜା ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ।୫ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୧୫ରୁ ଅଧିକ ପୋଲିସ କର୍ମଚାରୀ ନିହତ ହୋଇଥିବାବେଳେ ଗୁଳିମାଡ଼ରେ ଜଣେ ପୂଜାରୀଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଗୁଳିମାଡ଼ରେ ଅନ୍ୟ ୧୨ ପୋଲିସ କର୍ମଚାରୀଙ୍କ ସମେତ ଅନେକ ଲୋକ ଆହତ ହୋଇଛନ୍ତି। ଗୁଳିମାଡ଼ କରିବା ସହ ଚର୍ଚ୍ଚରେ ନିଆଁ ଲଗାଇଛନ୍ତି ଦୁର୍ବୃତ୍ତ। ପୋଲିସ କର୍ମଚାରୀଙ୍କ ଜବାବୀ ହମଲାରେ ୫ ଦୁବୃର୍ତ୍ତଙ୍କ ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଦାଗେସ୍ତାନର ଗଭର୍ଣ୍ଣରଙ୍କ ସୂଚନା ମୁତାବକ, ରୁଷର ଦୁଇଟି ସହରରେ ଏହି ଆତଙ୍କୀ ହମ୍ଲା ହୋଇଛି। ବନ୍ଧୁକଧାରୀମାନେ ଦୁଇଟି ଆର୍ଥୋଡକ୍ସ ଚର୍ଚ୍ଚ, ଗୋଟିଏ ପୂଜାସ୍ଥଳ, ଓ ଗୋଟିଏ ପୁଲିସ ଚେକ୍ ପୋଷ୍ଟ ଉପରକୁ ଗୁଳିମାଡ କରିଛନ୍ତି।
ବଜରଙ୍ଗ ପୁନିଆ ପୁଣି ନିଲମ୍ବିତ, ପରୀକ୍ଷା ପାଇଁ ପରିସ୍ରା ଦେବାକୁ କରିଥିଲେ ମନା
ନୂଆଦିଲ୍ଲୀ: ଭାରତର ଷ୍ଟାର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ପୁଣି ଥରେ ନିଲମ୍ବିତ । ଆଣ୍ଟି ଡୋପିଂ ନିୟମ ଅନୁସାରେ ଅସ୍ଥାୟୀ ଭାବେ ନିଲମ୍ବିତ କଲା ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସିଂ ନାଡା । ଗତ ୧୦ ମାର୍ଚ୍ଚରେ ପରୀକ୍ଷା ପାଇଁ ପରିସ୍ରା ନମୂନା ଦେବାକୁ ମନା କରି ଦେଇଥିଲେ ବଜରଙ୍ଗ । ଏହାକୁ ନେଇ ଅସ୍ଥାୟୀ ଭାବେ କୁସ୍ତିଯୋଦ୍ଧା ବରଜଙ୍ଗ ପୁନିଆଙ୍କୁ ନିଲମ୍ବନ କରାଯାଇଛି । ଆସନ୍ତା ୧୧ ଜୁଲାଇ ସୁଦ୍ଧା ଜବାବ ରଖିବାକୁ ନାଡା ନୋଟିସ ଜାରି କରିଛି ।
ଏହା ପୂର୍ବରୁ ମଧ୍ୟ ବରଜଙ୍ଗ ପୁନିଆଙ୍କୁ ନିଲମ୍ବିତ କରିଥିଲା ନାଡା । ତେବେ ବଜରଙ୍ଗ ପୁନିଆଙ୍କ ନିଲମ୍ବନ ନିର୍ଦ୍ଦେଶ ଡିସିପ୍ଲିନାରୀ ପ୍ଯାନେଲ ଦ୍ଵାରା ରଦ୍ଦ କରି ଦିଆଯାଇଥିଲା । କାରଣ ନିଲମ୍ବନ ଲାଗି ତାଙ୍କୁ ନୋଟିସ ଜାରି କରାଯାଇ ନଥିଲା । ଏବେ ନାଡା ନିଲମ୍ବନ ନିର୍ଦ୍ଦେଶ ସହିତ ଉତ୍ତର ରଖିବାକୁ ନୋଟିସ ଜାରି କରିଛି ।
ଗତ ମାର୍ଚ୍ଚ ୧୦ରେ ସୋନିପତରେ ଅଭ୍ଯାସ ସମୟରେ ପରିସ୍ରା ନମୂନା ଦେବାକୁ ମନା କରି ଦେଇଥିଲେ ବରଜଙ୍ଗ ପୁନିଆ । ଏହାକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ନୋଟିସ ନେଇ ଉତ୍ତର ରଖିବେ ବୋଲି କହିଛନ୍ତି ବଜରଙ୍ଗଙ୍କ ଓକିଲ ବିଷ୍ଣୁପତ ସିଙ୍ଗାନିଆ । ବଜରଙ୍ଗ ପୁନିଆ କିଛି ବି ଭୁଲ କରିନାହାନ୍ତି ବୋଲି ଦୃଢତାର ସହ କହିଛନ୍ତି ତାଙ୍କ ଓକିଲ । ନୋଟିସର ଜବାବ ଦେବାକୁ କୁସ୍ତିଯୋଦ୍ଧା ବରଜଙ୍ଗ ପୁନିଆଙ୍କ ପାଖରେ ଆସନ୍ତା ୧୧ ଜୁଲାଇ ପର୍ଯ୍ୟନ୍ତ ସମୟ ରହିଛି ।
ବିଷ ପାଲଟୁଛି ସହରର ବାୟୁ: ପେଟ୍ରୋଲ, ଡିଜେଲ ଗାଡ଼ି ବନ୍ଦ ନହେଲେ ୨୦୩୦ ବେଳକୁ ସ୍ଥିତି ଅସମ୍ଭାଳ
ଭୁବନେଶ୍ବର: ସାଂଘାତିକ ହେଲାଣି ବାୟୁ ପ୍ରଦୂଷଣ । ବିଶ୍ବ ପ୍ରଦୂଷଣ ତାଲିକାରେ ଦେଶର ୪୨ ସହର । ୨୦୩୦ ସୁଦ୍ଧା ସବୁ ସହରରେ ଇ-ଯାନ ବ୍ୟବହାର ନହେଲେ ଆଉ ବଞ୍ଚିହେବନି । ଏପରି ଉଦବେଗ ପ୍ରକାଶ କରିଛନ୍ତି ଜି-୨୦ ଶିଖର ସମ୍ମିଳନୀ ସେରପା ଅମିତାଭ କାନ୍ତ । ପିଏମ୍-୧.୦ ଓ ପିଏମ୍-୨.୫ ଧୂଳିକଣା ଫୁସଫୁସ ନଷ୍ଟ କରୁଥିବା ମତ ଦେଉଛନ୍ତି ପରିବେଶବିତ । ୧୦ରୁ ୧୨ ବର୍ଷ କମୁଛି ଆୟୁଷ । ସୁଲଭ ଦରରେ ସବୁ ଲୋକ ଯେପରି ଇ-ଯାନ କିଣି ପାରିବେ ସେଥିପାଇଁ ସରକାର ସ୍ବତନ୍ତ୍ର ରିହାତି ନୀତି ଘୋଷଣା କରିବାକୁ ଦାବି ଉଠିଛି ।
ଦୂଷିତ ହେଲାଣି ସହରର ବାୟୁ । ୨୦୩୦ ସୁଦ୍ଧା ହଟାଅ ପେଟ୍ରୋଲ-ଡିଜେଲ ଇଞ୍ଜିନ ଚାଳିତ ଗାଡ଼ି । ସବୁ ସହରରେ ବ୍ୟବହାର ହେଉ ଇ-ଯାନ, ନ ହେଲେ ଭୟାଭୟ ହେବ ସ୍ଥିତି । ଅଭାବ ପଡ଼ିବ ଅମ୍ଲଜାନ । ଏପରି ସତର୍କବାଣୀ ଶୁଣାଇଛନ୍ତି ପୂର୍ବତନ ନୀତି ଆୟୋଗ ସିଇଓ ତଥା ଜି-୨୦ ସେରପା ଅମିତାଭ କାନ୍ତ । ଭାରତ ସରକାରଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି, ଯେତେ ଶୀଘ୍ର ସମ୍ଭବ ଦେଶର ସହରାଞ୍ଚଳରୁ ପାରମ୍ପରିକ ଇନ୍ଧନ ଚାଳିତ ଗାଡ଼ି ହଟିବା ଦରକାର । ଦେଶର ୪୨ଟି ସହରରେ ବାୟୁର ମାନ ଖରାପରୁ ଅତି ଖରାପ ସ୍ଥିତିକୁ ଗଲାଣି । ଜୈବିକ ଇନ୍ଧନ ଚାଳିତ ଗାଡ଼ି ବ୍ୟବହାର ଦ୍ବାରା କାର୍ବନ, ଲିଡ୍ ଓ ଧୂଳିକଣା ସହରାଞ୍ଚଳ ଲୋକଙ୍କ ଫୁସଫୁସ୍ ନଷ୍ଟ କରିବାରେ ଲାଗିଛି । ଇ-ଯାନ କିଣିବାକୁ ଲୋକଙ୍କ ଆଗ୍ରହ ରହିଛି । କିନ୍ତୁ ଦାମ ଅଧିକ ଥିବାରୁ ସବୁ ଲୋକ କିଣିପାରୁନାହାନ୍ତି । ସମସ୍ତେ ଯେପରି ଦୁଇ ଚକିଆଠାରୁ ତିନି ଚକିଆ ଓ ଚାରି ଚକିଆ ଇ-ଯାନ କିଣି ପାରିବେ ସେ ନେଇ ସ୍ବତନ୍ତ୍ର ରିହାତି ନୀତି ଆଣିବାକୁ କହିଛନ୍ତି ପରିବେଶବିତ ।
ସୁଇଜରଲ୍ୟାଣ୍ଡର IQ AIR ସଂସ୍ଥା ଭାରତର ବାୟୁ ପ୍ରଦୂଷଣ ନେଇ ସତର୍କ କରିସାରିଛି । ଅଧିକ ଗାଡ଼ି ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ଲୋକଙ୍କ ଆୟୁଷ ୧୦ରୁ ୧୨ ବର୍ଷ କମୁଛି । ହିଟ୍ ଆଇଲାଣ୍ଡ ଇଫେକ୍ଟ ଯୋଗୁଁ ସହରାଞ୍ଚଳ ତାପମାତ୍ରା ବୃଦ୍ଧି ପାଉଛି । ସହରାଞ୍ଚଳରେ ଜଳ ଉତ୍ସଗୁଡ଼ିକ ପୋତି ହେବାରୁ ଗ୍ରୀନ ହାଉସ ଉପରେ ଅଧିକ ପ୍ରଭାବ ପଡୁଛି । ଆଧୁନିକରଣ ଓ ସୌନ୍ଦର୍ଯ୍ୟକରଣ ନାଁରେ ବଡ଼ ବଡ଼ ଗଛ କଟାଯାଉଛି । କୋଠାବାଡ଼ି ନିର୍ମାଣ ବା ପୁରୁଣା କୋଠା ମରାମତି ବେଳେ ଉଡୁଥିବା ବର୍ଜ୍ୟ ଓ ଧୂଳିକଣା ବାୟୁ ପ୍ରଦୂଷଣକୁ ଆହୁରି ଦୁଇଗୁଣ ବଢାଉଛି । ଏହାସହ ଗାଡ଼ିରୁ ନିର୍ଗତ କର୍ବାନ ନମୋକସାଇଡ ଗ୍ୟାସ୍ ପୂରା ବାୟୁମଣ୍ଡଳକୁ ବିଷାକ୍ତ କରି ଚାଲିଛି ।
ଇ-ଯାନର ବ୍ୟବହାର ବଢାଇବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଯୋଜନା ରହିଛି । ତଥାପି ବଜାରରେ ଇ-ଯାନ ସମସ୍ତେ କିଣି ପାରିନାହାନ୍ତି । ଦାମ କମ କରିବା ସହ ସରକାରଙ୍କ ପକ୍ଷରୁ ଗ୍ରାହକଙ୍କୁ ଆକୃଷ୍ଟ କଲା ଭଳି ଯୋଜନା କରିବାକୁ ଦାବି ଉଠୁଛି ।

