spot_img
Home Blog Page 1926

ଓଡ଼ିଶାରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ, ଦିଲ୍ଲୀରେ ନବନିର୍ବାଚିତ ବିଜେପି ସାଂସଦ

ଭୁବନେଶ୍ବର: ସାଧାରଣ ନିର୍ବାଚନ ଶେଷ ହେବା ସହ ଦେଶ ଓ ରାଜ୍ୟ ରାଜନୀତି ଚଳଚଞ୍ଚଳ । ଓଡ଼ିଶାରେ ସରକାର ଗଠନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ନବନିର୍ବାଚିତ ବିଜେପି ସାଂସଦମାନେ ଦିଲ୍ଲୀ ଯାଇଛନ୍ତି । ଆସନ୍ତାକାଲି ବସିବାକୁ ଥିବା ସଂସଦୀୟ ଦଳ ବୈଠକରେ ହେବେ ସାମିଲ ।

ବିଜେପିର ୨୦ ଜଣ ଯାକ ସାଂସଦ ଯାଇଛନ୍ତି ଦିଲ୍ଲୀ । ଆସନ୍ତାକାଲି ବସୁଥିବା ଦଳର ସଂସଦୀୟ ବୋର୍ଡ ବୈଠକରେ ସାଂସଦ ମାନେ ଯୋଗଦେବେ । ଏପରିକି ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ସେମାନେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି । ବିଜେପିର କେନ୍ଦ୍ରୀୟ ନେତାଙ୍କୁ ସହ ସାଂସଦମାନେ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି ।

ବିଜେପିର ବିଜୟ ସ୍ବାଭାବିକ ହୋଇଥିବା କହିଛନ୍ତି ବିଧାୟକ ଜୟନାରାୟଣ ମିଶ୍ର । ବିଧାୟକ ଦଳ ନିଜ ନେତା ବାଛିବେ ଏବଂ ସଂସଦୀୟ କମିଟି ମୋହର ମାରିବ ବୋଲି କହିଛନ୍ତି ଜୟ ନାରାୟଣ । ନବନିର୍ବାଚିତ ବିଧାୟକମାନେ ପରବର୍ତ୍ତୀ ମୁଖ୍ଯମନ୍ତ୍ରୀ କିଏ ହେବେ ତାହାକୁ ନେଇ କରିଛନ୍ତି ଅପେକ୍ଷା ।

ଦେବାଳୟରେ ସାବିତ୍ରୀ ବ୍ରତଧାରୀଙ୍କ ଭିଡ଼

ଯାଜପୁର/ପୁରୀ: ଆଜି ପବିତ୍ର ସାବିତ୍ରୀ ଅମାବାସ୍ଯା । ସମସ୍ତ ମନ୍ଦିରରେ ଭକ୍ତଙ୍କ ଲମ୍ବା ଲାଇନ । ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ବିବାହିତାଙ୍କ ଲାଗିଥିଲା ଭିଡ଼ । ସ୍ବାମୀଙ୍କ ଶୁଭମନାସୀ ନୂଆ ଶାଢୀ, ଶଙ୍ଖା, ସିନ୍ଦୁର ଓ ଅଳତା ଧରି ଦେବାଳୟରେ ମହିଳା କରିଛନ୍ତି ପୂଜାର୍ଚ୍ଚନା । ସେପଟେ ମାଆ ମଙ୍ଗଳା, ଯାଜପୁର ଜିଲ୍ଲା ଚଣ୍ଡୀ ମନ୍ଦିରରେ ମଧ୍ଯ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ।

ନୂଆ ଶାଢ଼ୀ, ଶଙ୍ଖା, ସିନ୍ଦୁର ଓ ଅଳତା ଧରି ଦେବାଳୟ ଆଗରେ ସଧବା କରିଛନ୍ତି ପୂଜାର୍ଚ୍ଚନା । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳିଛନ୍ତି । ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଏଥିପାଇଁ ପ୍ରବଳ ଭିଡ ଲାଗିଥିଲା । ମାଆଙ୍କୁ ଦର୍ଶନ କରିବା ସହିତ ସ୍ଵାମୀଙ୍କ ଲମ୍ବା ଜୀବନ ପାଇଁ ପୂଜାର୍ଚ୍ଚନା କରିଛନ୍ତି ମହିଳା ।  ଦୂରଦୂରାନ୍ତରୁ ଶହ ଶହ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ ଲାଗିଥିଲା । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଥିଲା ।

ସେପଟେ ସାବିତ୍ରୀ ପାଇଁ ଚଳଚଞ୍ଚଳ ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠ । ହିନ୍ଦୁ ଶାସ୍ତ୍ର ପୌରାଣିକ କଥା ବସ୍ତୁ ଆଧାରରେ ସଧବାମାନେ କରୁଛନ୍ତି ମାଆଙ୍କ ପୂଜାର୍ଚ୍ଚନା । ସେହିପରି ଯାଜପୁର ଜିଲ୍ଲା ଚଣ୍ଡୀମନ୍ଦିର ପରିସରରେ ଥିବା ସାବିତ୍ରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସାମଗମ ଦେଖିବାକୁ ମିଳିଥିଲା । ନୂଆ ଶାଢୀ, ଶଙ୍ଖା, ସିନ୍ଦୁର ଓ ଫଳମୂଳ ଆଣି ମାଆ ସାବିତ୍ରୀ ପାଖରେ ପୂଜା କରିଛନ୍ତି ।

କାଳବୈଶାଖୀ ଭାଙ୍ଗି ଦେଲା କାଜୁ ଚାଷୀଙ୍କ ମେରୁଦଣ୍ଡ

ଧର୍ମଗଡ଼: ଚାଷୀଙ୍କ ଉପରେ କାଳବୈଶାଖୀର ତାଣ୍ଡବ । ଉଜୁଡ଼ି ଗଲା ଫସଲ । ଏବେ ଅଭାବୀ ବିକ୍ରି ଚିନ୍ତାରେ ଚାଷୀ । ଏମିତି ସ୍ଥିତି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରେ । କାଳବୈଶାଖୀ ପ୍ରଭାବରେ ଉଜୁଡି ଯାଇଛି କାଜୁ ଚାଷ । ଯାହା କିଛି ଅମଳ ହୋଇଥିଲା ତାହା ଅଭାବୀ ବିକ୍ରି ହେଉଥିବାରୁ ଚିନ୍ତାରେ ପଡିଛନ୍ତି ଚାଷୀ ।

କାଳବୈଶାଖୀ ପରେ ଅଭାବୀ ବିକ୍ରି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରେ କାଳବୈଶାଖୀର କରାଳ ଗ୍ରାସରେ ଝଡି଼ ଯାଇଥିଲା କାଜୁ ବଉଳ । ପ୍ରଭାବିତ ହୋଇଥିଲା ହେକ୍ଟର ହେକ୍ଟର ଜମିର କାଜୁଚାଷ । ଧର୍ମଗଡ଼ ବ୍ଲକର ତାରାପୁର, ପର୍ଲା, କଦଳିମୁଣ୍ଡା, ଧଅଁରପୁର, ଜୟନ୍ତପୁର,କୋକସରା ବ୍ଲକର ଅନେକ ଲୋକ କାଜୁ ଚାଷ କରି ରୋଜଗାର କରିଥାନ୍ତି । ଚଳିତବର୍ଷ ପ୍ରାୟ ୩ ହଜାର ହେକ୍ଟର ଜମିରେ କାଜୁଚାଷ  ହୋଇଥିଲା । କିନ୍ତୁ କାଳବୈଶାଖୀରେ ନଷ୍ଟ ହୋଇଥିଲା କାଜୁ  ବଉଳ । ତଥାପି କିଛି କାଜୁ ଅମଳ ନେଇ ଚାଷୀ ଆଶା ରଖିଥିଲେ ଚାଷୀର । ଏବେ ଅମଳ ପରେ କାଜୁର ଅଭାବୀ ବିକ୍ରି ଯୋଗୁଁ ହତାଶ ହୋଇଯାଇଛନ୍ତି ଚାଷୀ ।

ଗତବର୍ଷ ଧର୍ମଗଡ଼ ଅଞ୍ଚଳରେ କିଲୋ ପ୍ରତି ୧୦୦ରୁ ୧୨୦ ଟଙ୍କାରେ କାଜୁ ବିକ୍ରି ହୋଇଥିଲା । ହେଲେ ଚଳିତ ବର୍ଷ ପଡ଼ୋଶୀ ଜିଲ୍ଲା ଓ ପଡୋଶୀର କିଛି ବ୍ଯବସାୟୀ ଆସି କାଜୁ କେଜି ପ୍ରତି ୭୦ରୁ ୮୦ ଟଙ୍କାରେ କିଣୁଛନ୍ତି ।

ଉଚିତ ଦରରେ କାଜୁ ବିକ୍ରି ପାଇଁ ଅଞ୍ଚଳରେ ଏକ ମଣ୍ଡି ସ୍ଥାପନ ସହ ବିକ୍ରି ବ୍ୟବସ୍ଥା କରାଗଲେ ଚାଷୀ ଭଲ ଦୁଇ ପଇସା ପାଇ ପାରିବେ ବୋଲି ଚାଷୀ କହିଛନ୍ତି ।

କଙ୍ଗନା ରନାୱତଙ୍କୁ ଚଣ୍ଡିଗଡ଼ ବିମାନବନ୍ଦରରେ ସୁରକ୍ଷା କର୍ମୀ ମାରିଲେ ଚାପୁଡା !

ଚଣ୍ଡିଗଡ଼: ବଲିଉଡ୍ ଅଭିନେତ୍ରୀ ତଥା ନୂତନ ଭାବେ ମଣ୍ଡିରୁ ଲୋକସଭା ନିର୍ବାଚନ ଜିତିଥିବା କଙ୍ଗନା ରନୱାତଙ୍କୁ ଚାପୁଡ଼ା ମାଡ ହୋଇଛି । ଏହି ଘଟଣା ଚଣ୍ଡିଗଡ ବିମାନ ବନ୍ଦରରେ ଗୁରୁବାର ଦିନ ଘଟିଛି । ଅପରାହ୍ନ ୩ଟା ୩୦ ମିନିଟରେ ଏହି ଘଟଣା ଘଟିଥିବା କୁହାଯାଉଛି । ରିପୋର୍ଟ ଅନୁସାରେ ଚାପୁଡା ମାରିଥିବା ବ୍ୟକ୍ତି ହେଇଛନ୍ତି ସିଆଇଏସଏଫ ଯବାନ ।

ସୂଚନା ଅନୁସାରେ, ଚାପୁଡା ମାରିଥିବା ସିଆଏସଏଫର ମହିଳା ସୁରକ୍ଷାକର୍ମୀଙ୍କ ନାମ ହେଉଛି କୁଲୱିନ୍ଦର କୌର । ଏହି ଘଟଣାର ତଦନ୍ତ ପାଇଁ ସିଆଇଏସଏଫ୍ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛି । ମିଳୁଥିବା ପ୍ରାରମ୍ଭିକ ରିପୋର୍ଟ୍ ଅନୁସାରେ ଚାଷୀ ଆନ୍ଦୋଳନକୁ ନେଇ କଙ୍ଗନା ରନାୱତଙ୍କ ଟିପ୍ପଣୀକୁ ନେଇ କୁଲୱିନ୍ଦର ଅସନ୍ତୁଷ୍ଟ ଥିଲେ । ଯେଉଁଥିପାଇଁ ସେ କଙ୍ଗନାଙ୍କୁ ଚାପୁଡା ମାରିଥିବା କୁହାଯାଉଛି ।

ଗୁରୁବାର ଦିନ ବିଜେପି ସାଂସଦଙ୍କ ବୈଠକରେ ଯୋଗ ଦେବାକୁ କଙ୍ଗନା ଦିଲ୍ଲୀ ଆସୁଥିବା ବେଳେ ଚଣ୍ଡିଗଡ଼ ବିମାନ ବନ୍ଦରରେ ଏଭଳି ଘଟଣା ଘଟିଥିବା କୁହାଯାଉଛି ।

ରାଜଧାନୀରେ ଲଗେଜ ଭର୍ତ୍ତି ଟ୍ରକରେ ଲାଗିଲା ନିଆଁ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଅଗ୍ନିକାଣ୍ଡ । ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଲା ଲଗେଜ ଭର୍ତ୍ତି ଟ୍ରକ । ତମାଣ୍ଡୋ ଓଭର ବ୍ରିଜରେ ଟ୍ରକରେ ଲାଗିଲା ନିଆଁ ।

ମଧ୍ଯାହ୍ନରେ ଲଗେଜ୍ ଭର୍ତ୍ତି ଟ୍ରକଟିରେ ଅଗ୍ନିକାଣ୍ଡ ଘଟିଛି । ଗାଡ଼ିଟି ଲଗେଜ ନେଇ ବିଜୟୱାଡାଠାରୁ କୋଲକାତା ଯାଉଥିଲା । ଟ୍ରକର ପଛ ଚକା ଫାଟିଯିବା ପରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । କିଛି ଲଗେଜ ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାପଡ଼ିଛି ।

ନିଟ ପରୀକ୍ଷାରେ ଶ୍ବେତାଙ୍କ ସଫଳତା

ଖଡ଼ିଆଳ: ନିଟ ପରୀକ୍ଷାରେ ଶ୍ବେତା ଶତାବ୍ଦୀଙ୍କ ସଫଳତା । ନୂଆପଡା ଜିଲ୍ଲା ଖଡିଆଳର ଶ୍ୱେତା ନିଟ ପରୀକ୍ଷାରେ  ୭୨୦ରୁ ରଖିଛନ୍ତି ୭୧୦ ମାର୍କ । ଏହାସହ ସେ ଜିଲ୍ଲା ଟପର  ହୋଇଛନ୍ତି । ଏହି ସଫଳତା ପାଇ ଜିଲ୍ଲା ପାଇଁ ଗର୍ବ ଆଣି ଦେଇଛନ୍ତି ଶ୍ୱେତା ।

ସର୍ବ ଭାରତୀୟ ସ୍ତରରେ ୭୦୬ ରାଙ୍କରେ ରହିଛନ୍ତି ଶ୍ୱେତା । ସଫଳତା ପାଇଁ କୋଚିଙ୍ଗ ସେଣ୍ଟର୍ ଓ ମାଆବାପାଙ୍କୁ ଶ୍ରେୟ ଦେଇଛନ୍ତି ଶ୍ବେତା ।  ଝିଅର ସଫଳତାକୁ ନେଇ ବେଶ ଖୁସି ଅଛନ୍ତି ପରିବାରର ଲୋକେ ।

ପ୍ରଚଣ୍ଡ ଶବ୍ଦରେ ଥରିଲା ବାଲେଶ୍ବର, ଲୋକଙ୍କ ମଧ୍ୟରେ ଭୟର ବାତାବରଣ

ବାଲେଶ୍ବର: ହଠାତ ଥରିଗଲା ବାଲେଶ୍ବର । ଆକାଶରୁ ଶୁଭିଲା ପ୍ରଚଣ୍ଡ ଶବ୍ଦ । ଥରେ ନୁହେଁ, ଦୁଇ ଥର ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଯାହା ପୂରା ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି ।

ସବୁକିଛି ସ୍ବାଭାବିକ ଥିବା ବେଳେ ହଠାତ ବାଲେଶ୍ବର ଆକାଶରୁ ଶୁଭିଥିଲା ପ୍ରଚଣ୍ଡ ଶବ୍ଦ । ଦୋହଲି ଯାଇଥିଲା ଲୋକଙ୍କ ଘରର କବାଟ ଓ ଝରକା । ଚାରିଆଡେ ଖେଳି ଯାଇଥିଲା ଭୟର ବାତାବରଣ । ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ତେବେ ଏହି ଶବ୍ଦ କେଉଁଠୁ ଆସିଲା ? ଏହା ପଛର କାରଣ କ’ଣ ତାହା ସ୍ପଷ୍ଟ ହୋଇନାହିଁ ।

୫୧ ହଜାରରୁ ଅଧିକ ଭୋଟରେ ଜିତିଥିବା ବିଶ୍ବରଞ୍ଜନଙ୍କୁ ନେଇ ଚର୍ଚ୍ଚା

ଯାଜପୁର: ବରୀ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲିକ ବିଜୟୀ ହୋଇଛନ୍ତି । ତାଙ୍କ ବିଜୟକୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗି ରହିଛି । କାରଣ ବିଶ୍ବରଞ୍ଜନ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଉମେଶ ଜେନାଙ୍କୁ ୫୧ ହଜାର ୪୬୫ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।

ସୂଚନାଯୋଗ୍ୟ, ୨୦୧୯ରେ ବିଶ୍ବରଞ୍ଜନ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ । ଏହି ନିର୍ବାଚନରେ ସେ ୬୮ ହଜାର ୪୯୭ ହଜାରରୁ ଅଧିକ ଭୋଟ ପାଇଥିଲେ । ତାଙ୍କୁ ବିଜେଡି ପ୍ରାର୍ଥୀଙ୍କ ପାଖରୁ ପରାଜୟ ବରଣ କରିବାକୁ ପଡିଥିଲା । ହେଲେ ସେ ଆଜି ରାଜ୍ୟରେ ସର୍ବାଧିକ ବ୍ୟବଧାନରେ ଜିତିଥିବା ଏକ ମାତ୍ର ବିଧାୟକ ।

ବିଶ୍ଵ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଏ ବିଜୟ ମୋର ନୁହେଁ ବରୀବାସୀଙ୍କର ଓ ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର । ଆଗାମୀ ଦିନରେ ବରୀ ନିର୍ବାଚନ ମଣ୍ଡଳୀର ସ୍ଵାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ ସାଧାରଣ ଲୋକଙ୍କ ନିକଟତର ହୋଇ ସେମାନଙ୍କ ମୌଳିକ ସମାସ୍ୟର ସମାଧାନ କ୍ଷେତ୍ରରେ ଉଦ୍ୟମ ଜାରି ରଖିବି ।

ଥାନା ଭଙ୍ଗାରୁଜା ଘଟଣାରେ ୬ ଅଭିଯୁକ୍ତ ଗିରଫ

କଟକ: କଟକ ଜିଲ୍ଲା ମାଣିଆବନ୍ଧ ଥାନା ଭଙ୍ଗାରୁଜା ଘଟଣାରେ ୬ ଅଭିଯୁକ୍ତ ଗିରଫ । ଉଭୟ ବଡମ୍ବା ଓ ମାଣିଆବନ୍ଧ ଥାନା ପୋଲିସ ମିଳିତ ଭାବେ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ବଡମ୍ବା ଥାନାରେ ଏନେଇ କଟକ ଅତିରିକ୍ତ ଏସପି କୃଷ୍ଣଚନ୍ଦ୍ର ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ଗିରଫ ବ୍ୟକ୍ତିମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଶ୍ରୀକାନ୍ତ ଜେନା ଓରଫ (କାଳିଆ), ଅନ୍ୟ ସହଯୋଗୀ ଅରବିନ୍ଦ ଜେନା, ନିରଞ୍ଜନ ବେହେରା, ଭଗବାନ ବେହେରା, ଆଲୋକ ପ୍ରଧାନ, ପ୍ରକାଶ ରାଉତ । ବିଭିନ୍ନ ଦଫା ଲଗାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ପୂର୍ବରୁ ଏହି ଅଭିଯୁକ୍ତଙ୍କ ନାଁରେ ଏକାଧିକ ମାମଲା ଥିବା ବେଳେ ଏମାନଙ୍କ ବିରୋଧରେ ଗିରଫ ବିହୀନ ପରୱାନା ଜାରି କରାଯାଇଛି ।

ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଓଡିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ !

ଭୁବନେଶ୍ୱର: ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ଓଡିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ସ୍ବାଭାବିକ ସମୟର ଦୁଇ ଦିନ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁବ। ଓଡିଶା ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି । ତେବେ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ହେବ । ବଜ୍ରପାତ ନେଇ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳରେ ପ୍ରବଳ ବର୍ଷା ହେବ । ଏହି କାଳବୈଶାଖୀ ମୌସୁମୀକୁ ବାଟ କଢାଇବାରେ ସହାୟକ ହେବ । ୮, ୯, ୧୦ ତାରିଖରେ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ହେବ ବୋଲି କହିଛି ପାଣିପାଗ କେନ୍ଦ୍ର।

ବରଗଡ଼, ବଲାଙ୍ଗୀର ଏବଂ ନୂଆପଡାରେ ହିଟଓ୍ବେଭ ନେଇ ସତର୍କ ଜାରି ହୋଇଛି । ୪୦ ରୁ ୪୩ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ ହୋଇପାରେ । ଅନ୍ଯପଟେ ୫ ଦିନ ପର୍ଯ୍ୟନ୍ତ ଗରମ ଗୁଳୁଗୁଳିରେ ସନ୍ତୁଳି ହେବେ ଉପକୂଳବାସୀ ।