spot_img
Home Blog Page 1927

ଜ୍ବରରେ ପଡିଲେ ମହାପ୍ରଭୁ, ଆଜି ଠାରୁ ଅଲାରନାଥଙ୍କ ଅନବସର ଦର୍ଶନ ଆରମ୍ଭ

ପୁରୀ : ସ୍ନାନ ପୂର୍ଣ୍ଣିମାରେ ଅତ୍ଯଧିକ ସ୍ନାନ ହେତୁ ଜ୍ବରରେ ପୀଡିତ ମହାପ୍ରଭୁ । ଅଣସର ଘରେ ଦଇତାପତି ସେବାୟତଙ୍କ ଦ୍ବାରା ୧୫ ଦିନ ଯାଏଁ ଚାଲିବ ଗୁପ୍ତ ଉପଚାର । ଏହି ଅବସରରେ ଆଜିଠାରୁ ଆରମ୍ଭ ହୋଇଛି ଅଲାରନାଥଙ୍କ ଅନବସର ଦର୍ଶନ । ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ଶ୍ରୀମନ୍ଦିରେ ଶ୍ରୀଜିଉଙ୍କୁ ଦର୍ଶନ କରିବାର ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି । ଏଥିପାଇଁ ବ୍ରହ୍ମଗିରି ସ୍ଥିତ ଅଲାରନାଥଙ୍କ ମନ୍ଦିରରେ ବ୍ଯାପକ ବ୍ଯବସ୍ଥା କରାଯାଇଛି । ଆଜିଠାରୁ ୧୩ ଦିନ ଯାଏଁ ଚାଲିବ ଦର୍ଶନ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କରାଯାଇଛି ବ୍ଯାପକ ବ୍ଯବସ୍ଥା । ବ୍ଯାରିକେଡରେ ଯାଇ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଅଲାରନାଥଙ୍କୁ ଦର୍ଶନ କରିବା ସହ କ୍ଷୀରି ଭୋଗ ପାଇବାକୁ ଶ୍ରଦ୍ଧାଳୁଙ୍କ ମଧ୍ଯରେ ଉତ୍ସାହ ଦେଖିବାକୁ ମିଳିଛି ।

କଂଗ୍ରେସର ନୈରାଶଜନକ ପ୍ରଦର୍ଶନର କାରଣ ଖୋଜିବ ଦଳ

ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସର ନୈରାଶଜନକ ପ୍ରଦର୍ଶନର କାରଣ ଖୋଜିବ ଦଳ। ନିର୍ବାଚନରେ ପରାସ୍ତ ହେବା ପରେ ଧୀରେ ଧୀରେ ଦଳ ଭିତରେ ଅସନ୍ତୋଷ ବଢୁଛି । ସେଥିପାଇଁ ଖୁବଶୀଘ୍ର ଏଆଇସିସିର ଫ୍ଯାକ୍ଟ ଫାଇଣ୍ଡିଂ ଟିମ ଓଡ଼ିଶା ଆସୁଛି। ଟିମ ଆଗରେ ବରିଷ୍ଠ ନେତାମାନେ ଦଳର ପରାଜୟ ନେଇ ମତ ରଖିବା ସହ ସଂଗଠନ ମଜଭୁତ କରିବା ଉପରେ ଗୁରୁତ୍ବ ଦେବେ ବୋଲି କହିଛନ୍ତି ।

ଅନ୍ୟପଟେ କିଏ ଓ କାହିଁକି ପିସିସି ସଭାପତିଙ୍କ ଉପରେ କାଳିମାଡ଼ କଲେ ତାହାକୁ ନେଇ କଂଗ୍ରେସ ମହଲରେ ହଲଚଲ ସୃଷ୍ଟି ହୋଇଛି। ଆଉ ଏହାରି ଭିତରେ ପ୍ରତି ନିର୍ବାଚନରେ ଭୋଟହାର କମିବା ଦଳର ମଙ୍ଗୁଆଳମାନଙ୍କୁ ଚିନ୍ତାରେ ପକାଇଛି । ସେପଟ ସୁର କିନ୍ତୁ ନିଜ ବହିଷ୍କାର ଆଦେଶକୁ ଉଠାଇବା ପାଇଁ ଦିଲ୍ଲୀ ଯିବାକୁ ସଜବାଜ ଆରମ୍ଭ କରିଛନ୍ତି ।

କାହିଁକି ହାରିଲା କଂଗ୍ରେସ ? ପରାଜୟର ପୋଷ୍ଟ ମର୍ଟମ କରିବ ଏଆଇସିସି । ବଢୁଛି ଅସନ୍ତୋଷ, ପିସିସି ସଭାପତିଙ୍କୁ କାଳିମାଡ଼କୁ ନିନ୍ଦା । ଜୟଦେବ କହିଲେ, ଏକଜୁଟ ହେବାର ସମୟ । କଂଗ୍ରେସ ପରାଜୟ ପାଇଁ ଦାୟୀ କିଏ ? କେଉଁ କାରଣରୁ ପ୍ରତ୍ୟେକ ସାଧାରଣ ନିର୍ବାଚନରେ ଦଳର ଭୋଟ ହାର କମି କମି ଯାଉଛି ? ୨୦୨୪ରେ କଂଗ୍ରେସର ପରାଜୟ ପରେ ଧୀରେ ଧୀରେ ଦଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

କେତେବେଳ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ହେଉଛି ତ ଆଉ କେତେବେଳେ ନେତୃତ୍ବ ପରିବର୍ତ୍ତନ ପାଇଁ ଦିଲ୍ଲୀରେ ନେତା ଡେରା ପକାଉଛନ୍ତି । ଜଣକ ପରେ ଜଣେ ନେତା ପରାଜୟ କାରଣ ନେଇ ବାହାରେ ମୁହଁ ଖୋଲୁଛନ୍ତି । ତେବେ ଓଡ଼ିଶା ପରାଜୟର କାରଣ ଖୋଜିବାକୁ ଏଆଇସିସି ପକ୍ଷରୁ ଫ୍ଯାକ୍ଟ ଫାଇଣ୍ଡିଂ ଟିମ ଗଠନ ହୋଇଛି ।

କମିଟିର ଦୁଇଜଣ ସଦସ୍ୟ ଓଡ଼ିଶା ଆସିଲେ ସେମାନେ କାହିଁକି ଦଳର ଭୋଟହାର କମିଲା ସେ ନେଇ ତର୍ଜମା କରିବେ । ନେତାମାନେ ଦଳର ପରାଜୟ ନେଇ ମତ ରଖିବେ । ଅନ୍ଯପଟେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କଂଗ୍ରେସ ଭବନରେ ପିସିସି ସଭାପତିଙ୍କୁ କାଳିମାଡ଼ ଘୃଣ୍ୟ ପରମ୍ପରା ବୋଲି କହି ପୂରା ଘଟଣାର ନିନ୍ଦା କରିଛନ୍ତି ।

ସେପଟେ ୨୦୦୪ରୁ ଲଗାତର କଂଗ୍ରେସର ଭୋଟହାର ୨୦ ବର୍ଷ ଧରି ହ୍ରାସ ପାଇବାରେ ଲାଗିଛି  । ୨୦୦୪ରେ କଂଗ୍ରେସର ଭୋଟହାର ୩୩ ପ୍ରତିଶତ ଥିବା ବେଳେ ୨୦୦୯ ଏହା କମି ୨୯ ପ୍ରତିଶତ ହୋଇଥିଲା  । ଏହାପରେ ୨୦୧୪ କଂଗ୍ରେସ ଭୋଟହାର ୨୬ ପ୍ରତିଶତ ଥିବା ବେଳେ ୨୦୧୯ରେ ଭୋଟ ପ୍ରତିଶତ ହ୍ରାସ ପାଇଁ ୧୬ ପ୍ରତିଶତରେ ପହଞ୍ଚିଥିଲା ।

ହେଲେ ୨୦୨୪ରେ କଂଗ୍ରେସର ବିଧାୟକ ସଂଖ୍ୟା ୧୪କୁ ବୃଦ୍ଧି ପାଇଥିବା ବେଳେ ଭୋଟହାର କିନ୍ତୁ ହ୍ରାସ ପାଇଁ ୧୩:୨୬ରେ ପହଞ୍ଚିଥିଲା । ଯାହାକି ଚିନ୍ତାର କାରଣ । ଅନ୍ୟପଟେ ରାଜନୈତିକ ସମୀକ୍ଷକମାନେ କଂଗ୍ରେସର କନ୍ଦଳ ଓ ଭୋଟହାର କମିବା  ନେଇ ଭିନ୍ନ ଆକଳନ କରିଛନ୍ତି । ଏଆଇସିସି ଓଡ଼ିଶାକୁ ସେତେଟା ଫୋକସ କରୁନଥିବାରୁ କଂଗ୍ରେସର ଏପରି ସ୍ଥିତି ବୋଲି ସମୀକ୍ଷକ ମତ ଦେଇଛନ୍ତି ।

ସେପଟେ କଂଗ୍ରେସରୁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ସୁରେଶ ରାଉତରାୟ ଦଳକୁ ଫେରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଖୁବଶୀଘ୍ର ଦିଲ୍ଲୀ ଯାଇ ହାଇକମାଣ୍ଡ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧିଙ୍କୁ ଭେଟି ତାଙ୍କ ପ୍ରତି ଅନ୍ୟାୟ ହୋଇଥିବା କହିବେ ବୋଲି କହିଛନ୍ତି । କଂଗ୍ରେସର ଗୋଷ୍ଠୀ କନ୍ଦଳ ଓ ନେତୃତ୍ବ ପରିବର୍ତ୍ତନ ଭିତରେ ଦଳର ଭୋଟହାର ରସାତଳକୁ ଯାଇଛି। ଯାହା ଦଳୀୟ ମଙ୍ଗୁଆଳଙ୍କ ଚିନ୍ତା ବଢାଇଛି।

ତାମିଲନାଡୁ ମଦମୃତ୍ୟୁ ଘଟଣା, ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ: ତାମିଲନାଡୁ ମଦମୃତ୍ୟୁ ଘଟଣାରେ ମୃତ୍ଯୁସଂଖ୍ଯା ହେଲା ୫୩। କାଲ୍ଲାକୁରୁଚିରେ ଘଟିଥିବା ଦୁଃଖଦ ଘଟଣାକୁ ନେଇ ସାରା ଅଞ୍ଚଳରେ ଖେଳିଯାଇଛି ଶୋକ। ଏହାକୁ ନେଇ ରାଜ୍ଯ ଅବକାରୀ ମନ୍ତ୍ରୀ ଏସ. ମୁଥୁସ୍ବାମୀଙ୍କ ଇସ୍ତଫା ଦାବି କରିଛି ବିଜେପି। ଶାସକ ଡିଏମକେ ବିରୋଧରେ ବି ଆନ୍ଦୋଳନ କରିଛି ବିଜେପି। ବର୍ତ୍ତମାନ ସୁଦ୍ଧା ୧୯୩ ଅସୁସ୍ଥଙ୍କ ମଧ୍ଯରୁ ୧୪୦ ଜଣ ନିରାପଦ ଅଛନ୍ତି ବୋଲି କହିଛନ୍ତି ଜିଲ୍ଲାପାଳ ଏମଏସ ପ୍ରଶାନ୍ତ। ୧୪ଜଣଙ୍କୁ ରିମାଣ୍ଡରେ ପୋଲିସ ନେଇଥିବାବେଳେ ସେମାନଙ୍କ ମଧ୍ଯରୁ ୪ଜଣଙ୍କ ମେଡିକାଲ ଯାଞ୍ଚ ଲାଗି ହସ୍ପିଟାଲକୁ ନିଆଯାଇଛି। ଘଟଣାର ତଦନ୍ତଭାର ତାମିଲନାଡୁ ପୋଲିସର ସିବିଆଇ ସିଆଇଡି ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ବିଭିନ୍ନ ମେଡିକାଲ କଲେଜରୁ ୫୬ ଜଣ ଡାକ୍ତରଙ୍କୁ ଅଣାଯାଇ ରୋଗୀ ସେବାରେ ନିୟୋଜିତ କରାଯାଇଛି।

ଆସନ୍ତାକାଲିଠୁ ଅଲାରନାଥରେ ଲାଗିବ ଭକ୍ତଙ୍କ ଗହଳି

ନନ୍ଦିଘୋଷ ବ୍ୟୁରୋ: ସ୍ନାନ ପୂର୍ଣ୍ଣିମାରେ ଅତ୍ଯଧିକ ସ୍ନାନ ହେତୁ ଜ୍ବରରେ ପୀଡିତ ହେବେ ମହାପ୍ରଭୁ। ଅଣସର ଘରେ ଦଇତାପତି ସେବାୟତଙ୍କ ଦ୍ବାରା ୧୫ ଦିନ ଯାଏଁ ଚାଲିବ ଗୁପ୍ତ ଉପଚାର। ଏହି ଅବସରରେ ଅଲାରନାଥରେ ବିଷ୍ଣୁ ରୂପରେ ଦର୍ଶନ ଦେବେ ମହାପ୍ରଭୁ। ଆସନ୍ତାକାଲି ଠାରୁ ଆରମ୍ଭ ହେବ ଅଲାରନାଥଙ୍କ ଅନବସର ଦର୍ଶନ। ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ଶ୍ରୀମନ୍ଦିରେ ଶ୍ରୀଜିଉଙ୍କୁ ଦର୍ଶନ କରିବାର ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି। ଏଥିପାଇଁ ବ୍ରହ୍ମଗିରି ସ୍ଥିତ ଅଲାରନାଥଙ୍କ ମନ୍ଦିରରେ ବ୍ଯାପକ ବ୍ଯବସ୍ଥା କରାଯାଇଛି। କାଲିଠାରୁ ୧୩ ଦିନ ଯାଏଁ ଚାଲିବ ଦର୍ଶନ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କରାଯାଇଛି ବ୍ଯାପକ ବ୍ଯବସ୍ଥା। ବ୍ଯାରିକେଡରେ ଯାଇ ଅଲାରନାଥଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ଅଲାରନାଥଙ୍କୁ ଦର୍ଶନ କରିବା ସହ କ୍ଷୀରି ଭୋଗ ପାଇବାକୁ ଶ୍ରଦ୍ଧାଳୁଙ୍କ ମଧ୍ଯରେ ଉତ୍ସାହ ଦେଖିବାକୁ ମିଳିଛି।

ଶିକ୍ଷାନୁଷ୍ଠାନ ଗସ୍ତ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ତ

ନନ୍ଦିଘୋଷ ବ୍ୟୁରୋ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ତଙ୍କ ଶିକ୍ଷାନୁଷ୍ଠାନ ଗସ୍ତ । ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ଡଙ୍ଗରୀଗୁଡା ଏ.ସି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ଅବସରରେ ପିଲାମାନଙ୍କୁ  ବିଭିନ୍ନ ପ୍ରଶ୍ନ ପଚାରିବା ସହ ମଧ୍ୟାନ୍ନ ଭୋଜନ ବିଷୟରେ ପଚାରି ବୁଝିଛନ୍ତି । ପିଲାଙ୍କ ପରୀକ୍ଷା ଫଳାଫଳକୁ ନେଇ ମଧ୍ୟ ସ୍କୁଲ ଶିକ୍ଷୟତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଆଗାମୀ ଦିନରେ ଯେପରି ପରିକ୍ଷା ଫଳ ଅଧିକରୁ ଅଧିକ ଭଲ ହେବ ଓ ପିଲାଙ୍କ ଉପସ୍ଥାନ ବଢିବ ସେନେଇ ଦୃଷ୍ଟି ଦେବାକୁ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସ୍କୁଲ ପରିବେଶକୁ ସବୁଜ ସୁନ୍ଦର ରଖିବାକୁ ମଧ୍ୟ ଆଲୋଚନା କରିଛନ୍ତି ।

କାନ୍ଥ ପଡି ଶ୍ରମିକ ଦମ୍ପତ୍ତିଙ୍କ ମୃତ୍ଯୁ

ନନ୍ଦିଘୋଷ ବ୍ୟୁରୋ: କାନ୍ଥ ପଡି ଶ୍ରମିକ ଦମ୍ପତ୍ତିଙ୍କ ମୃତ୍ଯୁ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ସୋନପୁରରେ। ସୂଚନା ଅନୁସାରେ ଜଣେ ସ୍ଥାନୀୟ ଲୋକେ ନିଜ ଘର ନିକଟରେ ବାଡ ଦେବାପାଇଁ ଶ୍ରମିକଙ୍କୁ ନେଇ ଗାତ ଖୋଳୁଥିଲେ।  ନିକଟରେ ଥିବା ପୁରୁଣା କାନ୍ଥଟି ଢଳି ପଡି ଦୁଇଜଣ ଶ୍ରମିକ ପୋତି ହୋଇ ଯାଇଥିଲେ। ତୁରନ୍ତ ଦମକଳବାହିନୀ ଖବର ପାଇ ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା। ଡାକ୍ତର ସେଠାରେ ଦମ୍ପତିଙ୍କୁ ମୃତ ଘୋଷଣା କରିଥିଲେ। ୨ ମୃତକ ହେଲେ ବୀରମହାରାଜପୁର ବଡ଼ଖମାର ଗାଁର ଦୂର୍ଲଭା ମିର୍ଦ୍ଧା ଓ ମୁନୁ ମିର୍ଦ୍ଧା। ଖବର ପାଇ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲ ପହଞ୍ଚି ମୃତକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।

ଜିଏସଟି କ୍ଷେତ୍ରରେ ରିହାତି ଦେବା ଲାଗି ଜିଏସଟି ପରିଷଦ ବୈଠକରେ ଆଲୋଚନା

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ଯକ୍ଷତାରେ ଜିଏସଟି ପରିଷଦ ବୈଠକ। ବ୍ଯବସାୟୀମାନଙ୍କୁ ଜିଏସଟି କ୍ଷେତ୍ରରେ ରିହାତି ଦେବା ଲାଗି ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଜିଏସଟି ରିଟର୍ଣ୍ଣ ଫାଇଲିଂରେ ପରିବର୍ତ୍ତନ କିମ୍ବା ଯୋଗ ଲାଗି ଆସିଥିବା ପ୍ରସ୍ତାବ ସମ୍ପର୍କରେ ବି ବିଚାର କରାଯାଇଛି। ବୈଠକରେ ବିଭିନ୍ନ ରାଜ୍ଯର ଅର୍ଥମନ୍ତ୍ରୀ ଯୋଗଦେଇଥିଲେ।  ପ୍ରଥମ ଥର ଲାଗି ଜିଏସଟି ରେଜିଷ୍ଟ୍ରେସନ ଲାଗି ଆଧାର ବାୟୋମେଟ୍ରିକ ଅଥେନଟିକେସନ ବ୍ଯବସ୍ଥା ଲାଗୁ ହେବା ଲାଗି ପଦକ୍ଷେପ ନିଆଯିବା ସମ୍ଭାବନା ରହିଛି। ଏହା ସହ ଦେଶରେ ଅନଲାଇନ ଗେମିଂ ଶିଳ୍ପ ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ରୀୟ ସାମଗ୍ରୀ ଓ ସେବା କର ବା ସିଜିଏସଟି ଆଇନ, ୨୦୧୭କୁ ସଂଶୋଧନ ଲାଗି ପ୍ରସ୍ତାବ ଅଣାଯିବା ସମ୍ଭାବନା ରହିଛି। ଯଦି ଏହି ପ୍ରସ୍ତାବ ଗୃହୀତ ହୁଏ ତେବେ ଇ-ଗେମିଂ, କାସିନୋ, ହର୍ଷ ରେସିଂ ଆଦି କ୍ଷେତ୍ରରେ ୨୮ ପ୍ରତିଶତ ଜିଏସଟି ଆଦାୟ କରାଯାଇ ନପାରେ। ସେହିପରି ଭାରତର ପ୍ରତିଯୋଗିତା କମିଶନ ବା ସିସିଆଇକୁ ଅଧିକ ଶକ୍ତିଶାଳୀ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇପାରେ। ଜିଏସଟି ଆପେଲେଟ ଟ୍ରିବ୍ଯୁନାଲ ବା ଜିଏସଟିଏଟି, ହାଇକୋର୍ଟ, ସୁପ୍ରିମକୋର୍ଟ ଦ୍ବାରା ଗ୍ରହଣ କରାଯାଉଥିବା ମାମଲାଗୁଡିକରେ ଆର୍ଥିକ ସୀମା ନିର୍ଦ୍ଧାରଣ କରିବା ଲାଗି ମଧ୍ଯ ପରିଷଦରେ ଆଲୋଚନା କରାଯିବ। ଜିଏସଟିଏଟି ଲାଗି ସର୍ବାଧିକ ମନିଟାରୀ ଲିମିଟ ୨୦ ଲକ୍ଷ, ହାଇକୋର୍ଟଗୁଡିକ ଲାଗି ସର୍ବାଧିକ ୧ କୋଟି ଓ ସୁପ୍ରିମକୋର୍ଟ ଲାଗି ସର୍ବାଧିକ ୨ କୋଟି ଟଙ୍କାର ସୀମା ନିର୍ଦ୍ଧାରଣ ଲାଗି ଲ କମିଟି ଯେଉଁ ପ୍ରସ୍ତାବ ଦେଇଥିଲା ସେ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ।

ଜଗନ ସାମ୍ରାଜ୍ଯ ଉପରେ ଟିଡିପିର ବୁଲଡୋଜର, ମାଟିରେ ମିଶିଲା ୱାଇଏସଆର କଂଗ୍ରେସର ନିର୍ମାଣାଧୀନ କେନ୍ଦ୍ରୀୟ କାର୍ଯ୍ୟାଳୟ

ନନ୍ଦିଘୋଷ ବ୍ୟୁରୋ: ଜଗନ ସାମ୍ରାଜ୍ଯ ଉପରେ ଟିଡିପିର ବୁଲଡୋଜର। ଆନ୍ଧ୍ରପ୍ରଦେଶ ଗୁଣ୍ଟୁରର ତାଡେପାଲ୍ଲିସ୍ଥିତ ୱାଇଏସଆର କଂଗ୍ରେସ ପାର୍ଟିର ନିର୍ମାଣାଧୀନ କେନ୍ଦ୍ରୀୟ କାର୍ଯ୍ୟାଳୟକୁ ଭାଙ୍ଗିଦିଆଯାଇଛି। ମ୍ଯୁନିସପାଲିଟି କର୍ତ୍ତୃପକ୍ଷ ଦ୍ବାରା ଏହି ଅର୍ଦ୍ଧନିର୍ମିତ କୋଠାକୁ ଭାଙ୍ଗିଦିଆଯାଇଛି। ଆଜି ଭୋରରୁ ସେଠାରେ ମଙ୍ଗଳଗିରି-ତାଡେପାଲ୍ଲି ମ୍ଯୁନିସିପାଲ କର୍ପୋରେସନ ବା ଏମଟିଏମସି ପକ୍ଷରୁ ବୁଲଡୋଜରରେ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଥିଲା। ସେଠାରେ ବେଆଇନ କାର୍ଯ୍ୟ ଜରିଆରେ କୋଠା ନିର୍ମାଣ କରାଯାଉଥିଲା ବୋଲି ପୂର୍ବରୁ ୱାଇଏସଆରସିପିକୁ ନୋଟିସ ଜାରି କରିଥିଲା କ୍ଯାପିଟାଲ ରିଜନ ଡେଭଲେପମେଣ୍ଟ ଅଥରିଟି ବା ସିଆରଡିଏ। ଏହି ନୋଟିସକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଦଳ। ମ୍ଯୁନିସିପାଲଟି ପକ୍ଷରୁ ଅଭିଯୋଗ କରାଯାଇଛି- ଜଳସେଚନ ବିଭାଗ ଜମିରେ ୱାଇଏସଆରସିପି ପକ୍ଷରୁ କୋଠା ନିର୍ମାଣ କରାଯାଉଛି।

ଉପନିର୍ବାଚନରେ ପ୍ରିୟଙ୍କାଙ୍କ ପାଇଁ ପ୍ରଚାର କରିପାରନ୍ତି ମମତା ବାନାର୍ଜୀ

ନନ୍ଦିଘୋଷ ବ୍ୟୁରୋ: କେରଳର ୱାୟନାଡରୁ ଇଲେକ୍ସନ ଡେବ୍ଯୁ କରିବେ ରାଜୀବ ତନୟା ପ୍ରିୟଙ୍କା ଗାନ୍ଧି ଭଦ୍ରା । ଜୀବନର ପ୍ରଥମଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଏଠାରେ ହେବାକୁ ଥିବା ଉପନିର୍ବାଚନରେ ପ୍ରିୟଙ୍କାଙ୍କ ପାଇଁ ପ୍ରଚାର କରିପାରନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପ୍ରଚାର ପାଇଁ କଂଗ୍ରେସ ପକ୍ଷରୁ ମମତାଙ୍କୁ ଅନୁରୋଧ କରାଯାଇଥିଲା। ସବୁ ବିବାଦକୁ ଭୁଲି କଂଗ୍ରେସ ଓ ପ୍ରିୟଙ୍କାଙ୍କ ପାଇଁ ମମତା ପ୍ରଚାର କରିବାକୁ ରାଜି ହୋଇଥିବା ଜଣାପଡ଼ିଛି।

ଗତ ସାଧାରଣ ନିର୍ବାଚନରେ ପ୍ରିୟଙ୍କା ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହୁଅନ୍ତୁ ବୋଲି ପ୍ରଥମେ ମମତା ହିଁ ପ୍ରସ୍ତାବ ଦେଇଥିଲେ। ପଞ୍ଚିମବଙ୍ଗରେ କଂଗ୍ରେସ ଓ ଟିଏମସି ପୃଥକ ପୃଥକ ଭାବେ ନିର୍ବାଚନ ଲଢ଼ିଥିଲେ। ହେଲେ ମମତା ଇଣ୍ଡିଆ ମେଣ୍ଟକୁ ରାଜ୍ୟ ବାହାରେ ସମର୍ଥନ କରିଥିଲେ। ଗତକାଲି ବରିଷ୍ଠ କଂଗ୍ରେସ ନେତା ପି. ଚଦାମ୍ବରମ ପଞ୍ଚିମବଙ୍ଗ ଯାଇ ମମତା ବାନାର୍ଜୀଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ପରେ ପ୍ରିୟଙ୍କାଙ୍କ ପାଇଁ ପ୍ରଚାର କରିବାକୁ ମମତା ବାନାର୍ଜୀ ରାଜି ହୋଇଥିବା ଜଣାପଡିଛି। ସାଧାରଣ ନିର୍ବାଚନରେ ୱାୟନାଡରୁ ରାହୁଲ ଗାନ୍ଧି ବିଜୟୀ ହୋଇଥିଲେ। ଏଥିସହ ସେ ରାଏବରେଲୀରୁ ମଧ୍ୟ ଜିତିଥିଲେ।

ଦୁଇଟି ଆସନରେ ଜିତିଥିବାରୁ ବାଧ୍ୟ ହୋଇ ୱାୟନାଡ ତାଙ୍କୁ ଛାଡ଼ିବାକୁ ପଡ଼ିଛି। ଓ୍ବାୟନାଡ଼ରେ ରାହୁଲ ଗାନ୍ଧି ନିଜର ନିକଟତମ ପ୍ରତିଦ୍ବନ୍ଦୀ ତଥା ସିପିଆଇ ପ୍ରାର୍ଥୀ ଆନ୍ନି ରାଜାଙ୍କୁ ପରାସ୍ତ କରିଥିଲେ। ଏଠାରେ ବିଜେପି ପ୍ରାର୍ଥୀ କେ. ସୁରେନ୍ଦ୍ରନଙ୍କୁ ତୃତୀୟ ସ୍ଥାନରେ ରହିବାକୁ ପଡ଼ିଥିଲା। ରାହୁଲ ଗାନ୍ଧିଙ୍କୁ ୬ ଲକ୍ଷ ୪୭ ହଜାର ୪୪୫ ଖଣ୍ଡ ଭୋଟ ମିଳିଥିବା ବେଳେ, ଆନ୍ନି ରାଜାଙ୍କୁ ୨ ଲକ୍ଷ ୮୩ ହଜାର ୨୩ ଖଣ୍ଡ ଓ ବିଜେପି ପ୍ରାର୍ଥୀ କେ. ସୁରେନ୍ଦ୍ରନଙ୍କୁ ୧ ଲକ୍ଷ ୪୧ ହଜାର ୪୫ ଖଣ୍ଡ ଭୋଟ ମିଳିଥିଲା। ରାହୁଲ ଆସନ ଛାଡ଼ିଥିବାରୁ ଏଠାରେ ଉପନିର୍ବାଚନ ହେବ। ରାହୁଲଙ୍କ ସ୍ଥାନରେ ପ୍ରିୟଙ୍କାଙ୍କୁ  ୱାୟନାଡରୁ ପ୍ରାର୍ଥୀ କରିବାକୁ ଘୋଷଣା କରିଛି କଂଗ୍ରେସ । ପ୍ରିୟଙ୍କା ପ୍ରଥମଥର ପାଇଁ କୌଣସି ନିର୍ବାଚନ ଲଢ଼ିବାକୁ ଯାଉଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି।

ପ୍ରଶ୍ନପତ୍ର ଲିକ୍ କଲେ ଆଉ ମିଳିବନି ତ୍ରାହି

ନନ୍ଦିଘୋଷ ବ୍ୟୁରୋ: ପ୍ରଶ୍ନପତ୍ର ଲିକ୍ କଲେ ଆଉ ମିଳିବନି ତ୍ରାହି। ଏଥର ପ୍ରଶ୍ନପତ୍ର ଲିକ୍ କଲେ ହେବ ୧୦ ବର୍ଷ ଯାଏ ଜେଲ ଦଣ୍ଡାଦେଶ। କେବଳ ସେତିକି ନୁହେଁ ୧୦ ଲକ୍ଷରୁ ୧ କୋଟି ଯାଏ ଜରିମାନା ମଧ୍ୟ ଦେବାକୁ ପଡିବ। ଦେଶରେ ଲାଗୁ ହୋଇଛି ଆଣ୍ଟି ପେପର୍ ଲିକ୍ ଆଇନ୍। ପ୍ରଶ୍ନ ପତ୍ର ଲିକ୍ ସମ୍ବନ୍ଧରେ ଚଳିତ ବର୍ଷ ଫେବ୍ରୁଆରୀରେ ପାରିତ ହୋଇଥିବା ଆଇନ ଆଜି ଠାରୁ ଲାଗୁ ହୋଇଛି। ସରକାର ଏହି ଆଇନର ବିଜ୍ଞପ୍ତି ଜାରି କରିଛନ୍ତି। ଏହି ଆଇନ୍ର ନାଁ ସର୍ବସାଧାରଣ ପରୀକ୍ଷା ଅଧିନିୟମ ୨୦୨୪ ଅର୍ଥାତ୍ ପବ୍ଲିକ୍ ଏଗଜାମିନେସନ୍ ଆଇନ୍ ୨୦୨୪ ନାମରେ ନାମିତ କରାଯାଇଛି। ଫେବୃଆରୀ ୨୦୨୪ରେ ସଂସଦ ଦ୍ୱାରା ଏହି ଆଇନ ପାରିତ ହୋଇଥିଲା। ଏହି ଆଇନ କାର୍ଯ୍ୟକାରୀ ହେବା ପରେ ତିନି ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡବିଧାନ ଏବଂ ପେପର୍ ଲିକରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ୧୦ ଲକ୍ଷରୁ ୧ କୋଟି ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା ରହିଛି। UPSC, SSC, ରେଳବାଇ, ବ୍ୟାଙ୍କିଙ୍ଗ୍ ନିଯୁକ୍ତି ପରୀକ୍ଷା ଏବଂ ଜାତୀୟ ପରୀକ୍ଷା ଏଜେନ୍ସି (NTA) ଦ୍ୱାରା ପରିଚାଳିତ ସମସ୍ତ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ଏହି ଆଇନରେ ଅନ୍ତର୍ଭୁକ୍ତ ହେବ। ସର୍ବସାଧାରଣ ପରୀକ୍ଷା ଅଧିନିୟମ ୨୦୨୪ରେ କୁହାଯାଇଛି ଯେ, ପ୍ରଶ୍ନପତ୍ର ଲିକ୍ କିମ୍ବା ଉତ୍ତର କପି ଲିକ୍’, କୌଣସି ସାର୍ବଜନୀନ ପରୀକ୍ଷାରେ ପ୍ରାର୍ଥୀଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ସହାୟତା କରିବା, ଏବଂ କୌଣସି ବ୍ୟକ୍ତି, ଗୋଷ୍ଠୀ କିମ୍ବା ଅନୁଷ୍ଠାନ ଦ୍ୱାରା କମ୍ପ୍ୟୁଟର ନେଟୱାର୍କ କିମ୍ବା କମ୍ପ୍ୟୁଟର ସିଷ୍ଟମ ସହିତ ଟାମ୍ପରିଂ କରିବା ଅପରାଧ। NET ଓ NEET ପରୀକ୍ଷାରେ ହେରଫେର ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ ପୂରା ଦେଶରେ ଜୋରଦାର ବିରୋଧ ଜାରି ରହିଛି। ଏଭଳି ପରିସ୍ଥିତିରେ CSIR-UGC-NET ପରୀକ୍ଷାକୁ ସ୍ଥଗିତ ରଖିଛି ଏନଟିଏ । ଏହି ପରୀକ୍ଷା ଆସନ୍ତା ୨୫ରୁ ୨୭ ତାରିଖ ମଧ୍ୟରେ ହେବାର ଥିଲା। ତେବେ କିଛି ଅନିବାର୍ଯ୍ୟ କାରଣରୁ ଏହି ପରୀକ୍ଷାକୁ ସ୍ଥଗିତ କରାଯାଇଥିବା ଏନଟିଏ କହିଛି ।