ନୂଆଦିଲ୍ଲୀ : ନିର୍ବାଚନ ଋତୁରେ କଂଗ୍ରେସକୁ ବଡ଼ ଧରଣର ଧକ୍କା। ଇସ୍ତଫା ଦେଲେ ଦିଲ୍ଲୀ କଂଗ୍ରେସ ମୁଖ୍ଯ ଅରବିନ୍ଦର ସିଂ ଲଭଲି। ଆମ୍ ଆଦମୀ ପାର୍ଟି ସହ କଂଗ୍ରେସର ମେଣ୍ଟକୁ ବିରୋଧ କରି ସେ ଇସ୍ତଫା ଦେଇଥିବା କୁହାଯାଇଛି। ଏଆଇସିସି ମୁଖ୍ଯ ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପତ୍ର ଲେଖି ସେ କହିଛନ୍ତି- ଆପ ସହ ମେଣ୍ଟ କରିବାକୁ ନେଇ ଦିଲ୍ଲୀ କଂଗ୍ରେସ ଶାଖା ବିରୋଧ କରିଆସୁଥିଲା। କଂଗ୍ରେସ ବିରୋଧରେ ଆପ୍ ନାନା ଅଭିଯୋଗ କରିଥିବା ସତ୍ତ୍ବେ ସେହି ଦଳ ସହ ମେଣ୍ଟ କରାଯାଇଛି। ଏହା ସହ ଦଳର ସାଧାରଣ ସମ୍ପାଦକ ଦାୟିତ୍ବରେ ଥିବା ଦୀପକ ବାବାରିଆଙ୍କ ବାରମ୍ବାର ହସ୍ତକ୍ଷେପକୁ ମଧ୍ଯ ବିରୋଧ କରି ସେ ପଦତ୍ଯାଗ କରିଥିବା କହିଛନ୍ତି।
ୟୁପି ବୋର୍ଡ ଟପ୍ପର ପ୍ରାଚୀଙ୍କ ଉପରେ ବିଜ୍ଞାପନ ଛପାଇ ଅଡୁଆରେ ଏହି କମ୍ପାନୀ
ନୂଆଦିଲ୍ଲୀ : ବିଜ୍ଞାପନକୁ ନେଇ ଅଡୁଆରେ ବମ୍ବେ ଶେଭିଙ୍ଗ୍ କମ୍ପାନୀ । ନିକଟରେ ୟୁପି ବୋର୍ଡରେ ଦଶମ ଶ୍ରେଣୀର ଟପ୍ପର ପ୍ରାଚୀ ନିଗମଙ୍କୁ ନେଇ ଏକ ବିଜ୍ଞାପନ ରିଲିଜ୍ କରିଥିଲା ଏହି କମ୍ପାନୀ । ଯାହାକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି । ସୋସିଆଲ ମିଡିଆରେ ଅନେକ ଲୋକ ଏପରି ବିଜ୍ଞାପନରେ ପ୍ରାଚୀଙ୍କ ଅପମାନ କରାଯାଇଥିବା ନେଇ କଡ଼ା ସମାଲୋଚନା କରିଛନ୍ତି ଏବଂ ଏହା ଉପରେ କଡ୍ଡା କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଦାବି କରିଛନ୍ତି ।
ବାସ୍ତବରେ ୟୁପି ବୋର୍ଡର ରେଜଲ୍ଟ ଆସିବା ପରେ ଟପ୍ପର ପ୍ରାଚୀ ନିଗମଙ୍କ ମୁହଁରେ ଥିବା ବାଳକୁ ନେଇ ଅନେକ ଟ୍ରୋଲ କରାଯାଇଥିଲା । ଯାହାକୁ ଦେଖି ପ୍ରାଚୀଙ୍କ ମନୋବଳ ଦୃଢ କରିବା ପାଇଁ ବମ୍ବେ ଶେଭିଙ୍ଗ କମ୍ପାନୀ ତରଫରୁ ଖବରକାଗଜର ପ୍ରଥମପୃଷ୍ଠାରେ ଏକ ବିଜ୍ଞାପନ ଛପାଯାଇଥିଲା । କିନ୍ତୁ ଏଥିରେ ଲେଖାହୋଇଥିବା ଏକ ଲାଇନକୁ ନେଇ ଅନେକ ସମାଲୋଚନା କରାଯାଉଛି ।
ବମ୍ବେ ଶେଭିଙ୍ଗ କମ୍ପାନୀ ଏହି ବିଜ୍ଞାପନରେ ପ୍ରାଚୀଙ୍କୁ ସମ୍ବୋଧିତ କରି ଲେଖିଛନ୍ତି କି, ପ୍ରିୟ ପ୍ରାଚୀ, ସେମାନେ ଆଜି ତୁମ ବାଳକୁ ନେଇ ଟ୍ରୋଲ କରୁଛନ୍ତି , କିନ୍ତୁ କାଲି ସେମାନେ ତୁମର ଏଆଇଆରକୁ ପ୍ରଶଂସା କରିବେ । ବିଜ୍ଞାପନ ଶେଷରେ ଲେଖା ହୋଇଛି କି, ଆମେ ଆଶା କରୁଛୁ ଯେ, ତୁମକୁ କେବେ ବି ଆମ ରେଜର ବ୍ୟବହାର କଲେ ଟ୍ରୋଲ କରାଯିବ ନାହିଁ । ଏପରି ଲାଇନ ଲେଖାଯାଇ ପ୍ରାଚୀଙ୍କ ଅପମାନ କରାଯାଇଛି ବୋଲି ଲୋକେ ସମାଲୋଚନା କରିଛନ୍ତି ।
କୋଟାରେ ପୁଣି ଆଉ ଏକ ଛାତ୍ର ନିଖୋଜ, ନିଟ୍ ପାଇଁ କରୁଥିଲେ ପ୍ରସ୍ତୁତି
କୋଟା : କୋଚିଙ୍ଗ ସହର କୋଟାରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କୋଟାରେ ରହି ନିଟ୍ ପାଇଁ ପ୍ରସ୍ତୁତି କରୁଥିବା ଜଣେ ଛାତ୍ର ନିଖୋଜ ଥିବା ଜଣାପଡିଛି । ଛାତ୍ର ଜଣକ ପାଖାପାଖି ୮ ଦିନ ଧରି ନିଖୋଜ ଅଛନ୍ତି । ସେ ଉତ୍ତର ପ୍ରଦେଶରେ ଥିବା ସନ୍ଦେହରେ ପୋଲିସର ଏକ ଟିମକୁ ୟୁପି ପଠାଯାଇଛି । ସେଠାରେ ତାକୁ ପୋଲିସ ଖୋଜାଖୋଜି କରୁଛି କିନ୍ତୁ ଏଯାଏଁ କିଛି ସୁରାଗ ମିଳିନାହିଁ ।
ସୂଚନା ଅନୁଯାୟୀ, ନିଖୋଜ ଛାତ୍ର ଜଣକ ୟୁପିର କୁଶୀନଗରର ବାସିନ୍ଦା । ସେ ଅନେକ ଦିନ ଧରି କୋଟାରେ ରହି ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ସେ ନିଖୋଜ ଥିବା ନେଇ ତାଙ୍କ ପରିବାର ଲୋକ ୩-୪ ଦିନ ପୂର୍ବରୁ ହିଁ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ପୋଲିସ ରେଲଓ୍ୱେ ଷ୍ଟେସନ, ବସଷ୍ଟାଣ୍ଡ ତଥା ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରଖିଛି ।
ପୁଣି ଅଧ୍ୟକ୍ଷ ହେବେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ
ଇସଲାମାବାଦ : ପାକିସ୍ତାନ ମୁସଲିମ ଲିଗ(ଏନ)ର ପୁଣି ଅଧ୍ୟକ୍ଷ ହେବେ ତିନି ଥରର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ । ଚୀନ ଗସ୍ତରୁ ଫେରିବା ପରେ ଦଳର ନେତୃତ୍ବ ନେବେ ସରିଫ । ପାନାମା ପେପର୍ସ ମାମଲାରେ କୌଣସି ସାଧାରଣ ପଦବୀରେ ରହିପାରିବେ ନାହିଁ ବୋଲି ସାତ ବର୍ଷ ତଳେ ଅର୍ଥାତ ୨୦୧୭ରେ ସୁପ୍ରିମକୋର୍ଟ ଦର୍ଶାଇଥିବାରୁ ସେ ଅଧ୍ୟକ୍ଷ ପଦ ତ୍ଯାଗ କରିଥିଲେ ।
ଆସନ୍ତା ମେ ୧୧ତାରିଖରେ ଦଳର ଅଧ୍ଯକ୍ଷ ଭାବେ ତାଙ୍କୁ ନିର୍ବାଚିତ କରାଯିବ । ଦରିଆପାରି ଅଞ୍ଚଳରେ ବିପୁଳ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ କ୍ରମେ ସରିଫ ଦୋଷୀ ସାବ୍ଯସ୍ତ ହେବା ପରେ ତାଙ୍କୁ ପଦତ୍ଯାଗ କରିବାକୁ ପଡିଥିଲା । ପିଏମଏଲ-ଏନ ନେତା ରାଣ ସାନାଉଲ୍ଲା କହିଛନ୍ତି- ନଓ୍ବାଜଙ୍କୁ ପୁଣି ଅଧ୍ଯକ୍ଷ କରିବା ଲାଗି ଦଳର ବୈଠକରେ ନିଷ୍ପତ୍ତି ହୋଇଛି ।
ଅତୀତରେ ହୋଇଥିବା ଷଡ଼ଯନ୍ତ୍ର କ୍ରମେ ତାଙ୍କୁ ପଦତ୍ଯାଗ କରିବାକୁ ପଡିଥିଲା । ମାତ୍ର ସମସ୍ତ ଅଭିଯୋଗରୁ କୋର୍ଟ ତାଙ୍କୁ ମୁକ୍ତି ଦେବା ପରେ ସେ ଅଧ୍ଯକ୍ଷ ପଦ ସମ୍ଭାଳିବା ନିଶ୍ଚିତ ହୋଇଛି ବୋଲି କହିଛନ୍ତି ସାନାଉଲ୍ଲା । ଦୁର୍ନୀତି ମାମଲାରେ ଛନ୍ଦି ହୋଇଯିବା ପରେ ଲଣ୍ଡନ ଚାଲିଯାଇଥିଲେ ନଓ୍ବାଜ । ଗତବର୍ଷ ଅକ୍ଟୋବରରେ ସେ ଆତ୍ମନିର୍ବାସନ ସାରି ଲଣ୍ଡନରୁ ସ୍ବଦେଶ ଫେରିବା ସହ ନିର୍ବାଚନରେ ଭାଗ ନେଇଥିଲେ । ମାତ୍ର ତାଙ୍କ ଦଳ ପୂର୍ଣ୍ଣ ସଂଖ୍ଯା ଗରିଷ୍ଠତା ହାସଲ ନ କରିବାରୁ ତାଙ୍କ ଭାଇ ଶେହବାଜ ପ୍ରଧାନମନ୍ତ୍ରୀ ହୋଇଥିଲେ ।

