ଭୁବନେଶ୍ବର: ପେନସନ ମାମଲାର ସମାଧାନ କରିବାରେ ଉଚ୍ଚଶିକ୍ଷା ବିଭାଗର ରେକର୍ଡ । ଗତ ବର୍ଷ ଜାନୁଆରୀ ପହିଲାରୁ ଡିସେମ୍ବର ୨୭ ଯାଏଁ ମାମଲାର ସମାଧାନ ହୋଇଛି । ଯେଉଁଥିରେ ୧୭୨୭ ପେନସନ ମାମଲାର ସମାଧାନ ହୋଇ ପେନସନ ପ୍ରଦାନ କରାଗଲାଣି । ଏଥିରୁ ୧୩୫୭ ଅନଲାଇନ ଓ ୧୪୬ ଅଫଲାଇନ ମାମଲା ଥିଲା । ୨୨୪ ମାମଲାରେ ଆବେଦନ ଅସମାପ୍ତ ଥିବାରୁ ସେଗୁଡିକୁ ପୁଣି କଲେଜକୁ ଫେରସ୍ତ କରାଯାଇଛି । ସେହିପରି ୩୨ ମାମଲା ବଳକା ରହିଛି । ୩୧ ଜଣଙ୍କୁ ପ୍ରୋଭିଜିନାଲ ପେନସନ ଓ ୨୮ ଜଣଙ୍କୁ ଏକ୍ସ- ଗ୍ରାସିଆ ବି ଅନୁମୋଦନ ପ୍ରଦାନ କରିଛି ଉଚ୍ଚଶିକ୍ଷା ବିଭାଗ । ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଅତନୁ ସବ୍ୟସାଚୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କ ସବୁ ପେନସନ ମାମଲାର ସମାଧାନ ହେବା ନେଇ ନିର୍ଦ୍ଦେଶ ଦେଇଥିଲେ । ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପେନସନ ସେଲ ଖୋଲା ଯାଇଥିଲା । ଯେଉଁଠି ଦୀର୍ଘ ଦିନରୁ ଘରୋଇ ଅନୁଦାନପ୍ରାପ୍ତ କଲେଜର ପଡ଼ିରହିଥିବା ପେନସନ ମାମଲା ଗୁଡିକର ସମାଧାନ କରାଯାଇ ଶିକ୍ଷକ ଓ ଅଣ ଶିକ୍ଷକଙ୍କୁ ପେନସନ ପ୍ରଦାନ କରାଯାଇଛି ।
ସୁସ୍ଥ ନାଁ ଅସୁସ୍ଥ ଅଛନ୍ତି ରାହୁଲ?
ନନ୍ଦିଘୋଷ ବ୍ୟୁରୋ: କେମିତି ଅଛନ୍ତି କେ.ଏଲ. ରାହୁଲ? ଫିଟ୍ ନାଁ ଅନଫିଟ୍ । ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପରେ କାହିଁକି ପ୍ଲେଇଙ୍ଗ ୧୧ରେ ମିଳୁନି ସ୍ଥାନ । ପ୍ରଥମ ଟେଷ୍ଟରେ ଆହତ ହୋଇଥିବା ରାହୁଲ ୯୦ ପ୍ରତିଶତ ସୁସ୍ଥ ହୋଇଥିବା ବିସିସିଆଇ ଏକ ଅଧିନାୟକ ରୋହିତ ଶର୍ମା ମଧ୍ୟ ପୂର୍ବରୁ କହିଛନ୍ତି । ଦ୍ବିତୀୟ ଟେଷ୍ଟ ପରୋ ଦୀର୍ଘଦିନ ବ୍ୟବଧାନରେ ତୃତୀୟ ଟେଷ୍ଟ ଆରମ୍ଭ ହୋଇଥିଲା । ଏଣୁ ଆଶା କରାଯାଉଥିଲା କି, ରାହୁଲ ଦଳରେ ସ୍ଥାନ ପାଇବେ । ମାତ୍ର ତାଙ୍କ ତୃତୀୟ ଟେଷ୍ଟରେ ଖେଳିବାର ସୁଯୋଗ ମିଳିନଥିଲା । ଏଣୁ ସେ ସୁସ୍ଥ ଅଛନ୍ତି ନା ଆହତ ଅଛନ୍ତି ତାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଦ୍ବନ୍ଦ ଲାଗି ରହିଛି । ଭଲ ଫର୍ମରେ ରହିଥିବା ରାହୁଲ କାହିଁକି ଖେଳିବାର ସୁଯୋଗ ପାଉନାହାନ୍ତି ତାକୁ ନେଇ ମଧ୍ୟ ପ୍ରଶଂସକମାନେ ପ୍ରଶ୍ନ ଉଠାଇଛନ୍ତି । ତେବେ ଭାରତ ୨-୧ରେ ସିରିଜ ଆଗୁଆ ରହିଥିବାବେଳେ ଆସନ୍ତା ୨୩ ତାରିଖରୁ ଚତୁର୍ଥ ଟେଷ୍ଟ ଖେଳାଯିବ ।
କୁହାଯାଉଛି କି, ଚତୁର୍ଥ ଟେଷ୍ଟରେ ମଧ୍ୟ ଖେଳିନପାରନ୍ତି ରାହୁଲ । ଏପରିକି ପଞ୍ଚମ ମ୍ୟାଚରେ ଯଦି ନଖେଳନ୍ତି ତାହେଲେ ସିଧା ଆଇପିଏଲରେ ନଜର ଆସିବେ ରାହୁଲ । ଦିନିକିଆ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଥିବା ରାହୁଲ ଆଇପିଏଲରେ କିଭଳି ପ୍ରଦର୍ଶନ କରୁଛନ୍ତି ତାହା ବେଶ ଗୁରୁତ୍ବ ବହନ କରୁଛି । କାହିଁକି ନାଁ ଆଇପିଏଲରେ ପରେ ଟି-୨୦ ବିଶ୍ବକପ ଖେଳିବ । ଏବେ ଯୁବ ଖେଳାଳିମାନେ ଦମଦାର ଫର୍ମରେ ରହିଥିବାବେଳେ ବିଶ୍ବକପ ଦଳରେ ସାମିଲ ହେବା ପାଇଁ ଆଇପିଏଲର ପ୍ରଦର୍ଶନ ବେଶ ଗୁରୁତ୍ବ ବହନ କରେ ।
ଜେଲ୍ ଭିତରୁ ଚାଲିଥିଲା ବ୍ରାଉନସୁଗାର ଡିଲ୍
ଖୋର୍ଦ୍ଧା: ଖୋର୍ଦ୍ଧାରେ ଜେଲ ଭିତରୁ ଚାଲିଥିଲା ବ୍ରାଉନସୁଗାର୍ ଡିଲ। ଜେଲ ଭିତରୁ ମୋବାଇଲ ଯୋଗେ ନିଶା ମାଫିଆ ଚଳାଇଥିଲା ରାକେଟ । ଏନେଇ ସୂଚନା ପାଇବା ପରେ ଆଜି ଜେଲ ଭିତରେ ଚଢାଉ ହୋଇଛି । ଖୋର୍ଦ୍ଧା ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ ରେଡ୍ କରିଛି । ମାଫିଆଙ୍କ ଫୋନ କଲ ସହ ସେମାନଙ୍କୁ ଦେଖାକରିବାକୁ ଆସୁଥିବା ଲୋକଙ୍କର ରେକର୍ଡ ଯାଞ୍ଚ କରାଯାଇଛି । ଜେଲ ହାଜତରୁ ମୋବାଇଲ ମିଳିଲା ପରେ ଗତ ୯ ତାରିଖରେ ଜେଲ ସପରିନଟେଣ୍ଡେଣ୍ଟ ଥାନାରେ ଅଭିଯୋଗ କରିଥିଲେ । ମୋବାଇଲ କଲ ରେକର୍ଡରୁ ବ୍ରାଉନସୁଗାର କାରବାର ସମ୍ପର୍କରେ ଜାଣିବାକୁ ପାଇଥିଲେ ପୋଲିସ । ପରେ ଜଣେ ମହିଳାଙ୍କ ସହ ୬ଜଣ ବ୍ରାଉନସୁଗାର ବେପାରୀଙ୍କୁ ପୋଲିସ ଗିରଫ କରିଥିଲା । ସେମାନଙ୍କ ନିକଟରୁ ୨୬୨ ଗ୍ରାମ ବ୍ରାଉନସୁଗାର, ଏକ ସ୍କର୍ପିଓ ଗାଡ଼ି ଓ ୬ଟି ମୋବାଇଲ ଜବତ ହୋଇଥିଲା ।
ଆଦିବାସୀଙ୍କ ଉପରେ ଥିବା ଛୋଟ ଛୋଟ ମକଦ୍ଦମା ପ୍ରତ୍ୟାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ବର: ମୁଖ୍ଯମନ୍ତ୍ରୀଙ୍କ ବଡ଼ ଘୋଷଣା । ଜନଜାତି ଭାଇ ଭଉଣୀମାନଙ୍କ ଉପରେ ଥିବା ଛୋଟ ଛୋଟ ମକଦ୍ଦମା ଗୁଡିକ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗୃହ ବିଭାଗ, ଅବକାରୀ ବିଭାଗ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଜନଜାତି ବର୍ଗଙ୍କ ଉପରେ ଥିବା ମକଦ୍ଦମା ଗୁଡିକର ସମୀକ୍ଷା କରିଥିଲେ । ମୋକଦ୍ଦମା ଗୁଡିକର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପରେ ଉପରୋକ୍ତ ତିନୋଟି ବିଭାଗର ସମୁଦାୟ ୪୮ହଜାର ୧୮ଟି ଜଙ୍ଗଲ ଓ ଅବକାରୀ ସଂପର୍କିତ ମାମଲା ପ୍ରତ୍ୟାହୃତ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏହି ମାମଲା ଗୁଡିକ ମଧ୍ୟରେ ଅବକାରୀ ବିଭାଗ ଅଧୀନରେ ୩୬ ହଜାର ୫୮୧ ମାମଲା, ଗୃହ ବିଭାଗ ଅଧୀନରେ ୯ ହଜାର ୮୪୬ ମାମଲା, ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ ୧୫୯୧ ମାମଲାକୁ ପ୍ରତ୍ୟାହାର କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହିସବୁ ମାମଲା ପ୍ରତ୍ୟାହୃତ ହେବା ଦ୍ବାରା କୋର୍ଟ ଓ ନ୍ୟାୟିକ ବ୍ୟବସ୍ଥା ଉପରୁ ମଧ୍ୟ ଚାପ ହ୍ରାସ ପାଇବ ।
ୟୁପିରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଆସନ ବୁଝମଣା ପଛର କାହାଣୀ
ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶରେ ଇଣ୍ଡିଆ ମେଣ୍ଟର ମୂଳଦୂଆ ପଡ଼ିଛି । କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ଆସନକୁ ନେଇ ବୁଝାମଣା ସରିଛି । ସମାଜବାଦୀ ପାର୍ଟୀ କଂଗ୍ରେସକୁ ୧୭ ଆସନ ଦେଇଛି । ତେବେ କଂଗ୍ରେସ ପକ୍ଷରୁ ଦୁଇଟି ଆସନରେ ବଦଳାଯିବାକୁ ପ୍ରସ୍ତାବ ଦିଆଯାଇଛି । ଉଭୟ ଦଳ ଉତ୍ତରପ୍ରଦେଶରେ ବିଜେପି ବିରୋଧରେ ନିର୍ବାଚନ ଲଢ଼ିବା ପାଇଁ ରଣନୀତି ପ୍ରସ୍ତୁତ କରିସାରିଛନ୍ତି । ତେବେ ଉତ୍ତରପ୍ରଦେଶରେ ଗଠବନ୍ଧନ ପଛର ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ତାଙ୍କର ଗୋଟିଏ ଫୋନରେ ଅଖିଳେଶ ଯାଦବ ରାଜି ହୋଇଥିବା କୁହାଯାଉଛି । ସମାଜବାଦୀ ପାର୍ଟି ପକ୍ଷରୁ କଂଗ୍ରେସକୁ ଦିଆଯାଇଥିବା ହାଥରସ ଆସନ ବଦଳରେ ସୀତାପୁର ପାଇଁ ରାଜି ହୋଇଛି ସମାଜବାଦୀ ପାର୍ଟି ।
ସେହିପରି ମଥୁରା ଆସନକୁ ମଧ୍ୟ ବଦଳାଇବାକୁ କୁହାଯାଇଛି । ଏହାବଦଳରେ ଶ୍ରୀବସ୍ତି ଆସନ ଦେବାକୁ କୁହାଯାଇଛି । ଯାହାକୁ ନେଇ ଅଖିଳେଶ ସଂନ୍ଧ୍ୟାସୁଦ୍ଧା ଚିନ୍ତା କରି କହିବେ ବୋଲି କହିଛନ୍ତି । ସେପଟେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟଯାତ୍ରା ୟୁପିରେ ଚାଲିଥିବାବେଳେ ମୁରାଦାବାଦରେ ପହଞ୍ଚିବା ପୂର୍ବରୁ ଏହା ସମାଧାନ ହୋଇଯିବା ଦରକାର । ପ୍ରିୟଙ୍କା ଏହାକୁ ସମାଧାନ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ତେବେ ବୁଧବାର ସଂନ୍ଧ୍ୟାରେ ଇଣ୍ଡିଆ ଗଠବନ୍ଧନକୁ ନେଇ ଲକ୍ଷ୍ନୌରେ ଏକ ପ୍ରେସମିଟ ହେବାକୁ ଯାଉଛି । ଏଣୁ ଏହା ପୂର୍ବରୁ ଆସନକୁ ନେଇ ସମସ୍ତ ବୁଝାମଣା ହେବା ସହ ଏହି ପ୍ରେସମିଟରେ କଣ କହୁଛନ୍ତି ତାଉପରେ ସମସ୍ତଙ୍କ ନଜର ରହିଛି ।
ସୂଚନା ଥାଉକି, ଉତ୍ତରପ୍ରଦେଶରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ସିଟ ଭାଗବଣ୍ଟା ବିବାଦର ସମାଧାନ। କଂଗ୍ରେସକୁ ୧୭ରୁ ୧୯ଟି ସିଟ୍ ଦେବାକୁ ସହମତି ପ୍ରକାଶ କରିଛି ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି। ଦେଶର ସର୍ବାଧିକ ଆସନ ଥିବା ଉତ୍ତରପ୍ରଦେଶରେ ସିଟ ଭାଗବଣ୍ଟା ନେଇ ସହମତି ପରେ କଂଗ୍ରେସକୁ ବଡ଼ ଆଶ୍ଵସ୍ତି ମିଳିଛି। ଉତ୍ତରପ୍ରଦେଶରେ ଥିବା ମୋଟ ୮୦ ଲୋକସଭା ଆସନରୁ ସର୍ବାଧିକ ୧୯ ସିଟ୍ ଦେବାକୁ ରାଜି ହୋଇଛି ସମାଜବାଦୀ ପାର୍ଟି। ଏ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଘୋଷଣା କରିଛନ୍ତି। ଦୁଇ ଦଳ ମଧ୍ୟରେ ସିଟ ଭାଗବଣ୍ଟା ଆଜି ସଂଧ୍ୟା ସୁଦ୍ଧା କିମ୍ପା ଆସନ୍ତାକାଲି ସିଟ୍ ଭାଗବଣ୍ଟା ନେଇ ବିଧିବଦ୍ଧ ଘୋଷଣା ହେବ। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବେ ମୋରାଦାବାଦରେ ଅଛନ୍ତି। ସଂଧ୍ୟାସୁଦ୍ଧା ଅଖିଳେଶ ରାଜଧାନୀ ଲକ୍ଷ୍ନୌ ଆସିବା ସମ୍ଭାବନା ରହିଛି। ଦୁଇ ଦଳ ମଧ୍ୟରେ ସିଟ ଭାଗବଣ୍ଟା ନେଇ ଆଲୋଚନା ଶେଷ ହୋଇଥିବା ସୂଚନା ମିଳିଛି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ରାହୁଲଙ୍କ ସହ ଆଲୋଚନା ପରେ ଅ ଖିଳେଶଙ୍କ ସହ ଆଲୋଚନା କରି ବୁଝାମଣା ଉପରେ ସହମତି ପ୍ରକାଶ କରିଥିବା ଜଣାପଡିଛି। ସମାଜବାଦୀ ପାର୍ଟି ବାରାଣସୀ ଏବଂ ମୋରାଦାବାଦ ସିଟ କଂଗ୍ରେସକୁ ଛାଡୁଥିବା ଜଣାପଡିଛି। ପ୍ରତିକ୍ରିୟା ରଖି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଯେ, କଂଗ୍ରେସ ସହ ଆମର ମେଣ୍ଟ ହୋଇଛି। ଆମ ମଧ୍ୟରେ କୌଣସି ବିବାଦ ନାହିଁ ବୋଲି କହିଛନ୍ତି ଅଖିଳେଶ ଯାଦବ।
କୋହଲିଙ୍କ ପୁଅ ଅକାୟଙ୍କ AI ଫଟୋ ଭାଇରାଲ
ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଭରସାଯୋଗ୍ୟ ଖେଳାଳି ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଦ୍ବିତୀୟ ସନ୍ତାନ ଜନ୍ମ ଦେଇଛନ୍ତି । ମଙ୍ଗଳବାର ଏନେଇ ଅନୁଷ୍କା ନିଜ ସୋସିଆଲ ମିଡିଆ ସାଇଟରେ ପୋଷ୍ଟ କରିଥିବାବେଳେ ଏହାକୁ ନେଇ ଦୁଇଦିନ ହେବ ବେଶ ଚର୍ଚ୍ଚା ହେଉଛି । ଗତ ୧୫ ତାରିଖରେ ଅନୁଷ୍କାଙ୍କ ପ୍ରସବ ହୋଇଥିବା ସେ ଲେଖିଛନ୍ତି । ତେବେ ତାଙ୍କ ପୁଅଙ୍କ ନାମ ଅକାୟ ରଖିଥିବାବେଳେ ପ୍ରଶଂସକମାନେ ଏହି ନାମକୁ ମଧ୍ୟ ବେଶ ପସନ୍ଦ କରିଛନ୍ତି । ଯଦିଓ ଏଯାବ କୋହଲି ତାଙ୍କ ପୁଅଙ୍କ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିନାହାନ୍ତି କିନ୍ତୁ ଫ୍ୟାନ୍ସମାନେ ଗୋଟିଏ ପାଦ ଆଗକୁ ଯାଇ AI ଫଟୋ ପୋଷ୍ଟ କରିଛନ୍ତି ।
ଯାହାକି ବେଶ ଭାଇରାଲ ହେବାରେ ଲାଗିଛି । ଏକ ଫଟୋରେ କୋହଲି ବ୍ୟାଟିଂ କରୁଥିବାବେଳେ ତାଙ୍କ ପୁଅ ଟିଭି ସାମନାରେ ବସି ଦେଖୁଛନ୍ତି । ଏବଂ ଅନ୍ୟ ଏକ ଫଟୋରେ ଫ୍ୟାମିଲି ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ଏଭଳି କିଛି ଫଟୋକୁ ଏବେ ସୋସିଆଲ ମିଡିଆରେ ୟୁଜର୍ସମାନେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ତେବେ ଭଗବାନ ଶିବ ନାମ ଅନୁସାରେ କୋହଲି ତାଙ୍କ ପୁଅଙ୍କ ନାମ ଏଭଳି ରଖିଥିବା କୁହାଯାଇଛି । ଝିଅଙ୍କ ନାମ ଭାମିକା ରହିଥିବାବେଳେ ବିରାଟଙ୍କ ନାମ ଆରମ୍ଭରେ ରହିଥିଲା । ଏବେ ପୁଅ ନାମ ଅକାୟ ରହିଥିବାବେଳେ ଅନୁଷ୍କାଙ୍କ ପ୍ରଥମ ଅକ୍ଷର ରହିଛି । ଭାମିକା ହେଉଛି ମା ଦୁର୍ଗାଙ୍କ ଏକ ନାମ ବୋଲି ମଧ୍ୟ କୁହାଯାଏ । ତେବେ ଭଗବାନଙ୍କ ନାମରେ ଉଭୟ ପିଲାଙ୍କ ନାମ ରଖିଥିବାବେଳେ ଏହାକୁ ନେଇ ଫ୍ୟାନ୍ସମାନେ ମଧ୍ୟ ନିଜର ପ୍ରତିକ୍ରିୟା ରଖୁଛନ୍ତି ।
ଅଂଶୁଘାତ ପାଇଁ ପ୍ରତି ଜିଲ୍ଲାକୁ SOP ଜାରି
ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏବର୍ଷ ମାଘ ମାସରେ ଶୀତ ବଦଳରେ ତାପମାତ୍ରା ବଢ଼ି ଚାଲିଛି । ଯଦିଓ ବର୍ତ୍ତମାନ ସୁଦ୍ଧା ଖରା ଜନିତ ସମସ୍ୟାର ଆଶଙ୍କା ଦେଖାଦେଇନି, ତଥାପି ଆମକୁ ସଚେତନ ଓ ପ୍ରସ୍ତୁତ ରହିବାକୁ ପଡ଼ିବ। ପୂର୍ବରୁ ଅଂଶୁଘାତ ପାଇଁ ପ୍ରତି ଜିଲ୍ଲାକୁ ଷ୍ଟାଣ୍ଡାର୍ଡ ଆଡଭାଇଜରି ବା SOP ଜାରି ହୋଇଛି । ଆଗକୁ ଅଂଶୁଘାତ ଭଳି ସ୍ଥିତି ଆସିଲେ, ଆଉ ଥରେ ରିମାଇଣ୍ଡର ଦିଆଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ପୂର୍ବରୁ ଜାରି SOPରେ ଲୋକଙ୍କୁ ସତର୍କ କରାଇବା ସହ ମେଡିକାଲ ପ୍ରସ୍ତୁତ ରଖିବା, ଆବଶ୍ୟକ ଔଷଧ ମହଜୁଦ ରଖିବା, ପ୍ରତି ହସ୍ପିଟାଲରେ ଅଂଶୁଘାତ ଲାଗି ଡେଡିକେଟେଡ ବେଡ୍ ରଖାଯିବାକୁ ନିର୍ଦ୍ଦେଶ ଯାଇଛି। ଅଂଶୁଘାତ ସମ୍ପର୍କିତ ତଥ୍ୟ ପ୍ରଦାନ ପାଇଁ ମଧ୍ଯ ନିର୍ଦ୍ଦେଶ ରହିଛି। ଆଗକୁ ଏନେଇ ପ୍ରତି ଜିଲ୍ଲାକୁ ପୁଣି ଥରେ ରିମାଇଣ୍ଡର ଦିଆଯିବ । ତେବେ ବରିଷ୍ଠ ନାଗରିକ, ମଦ୍ୟପାନ କରୁଥିବା ବ୍ୟକ୍ତି ଓ କୋମରବିଡ ରୋଗୀଙ୍କୁ ଅଂଶୁଘାତ ଆଶଙ୍କା ଅଧିକ ରହିଛି । ତେଣୁ ସେମାନେ ଅଧିକ ସତର୍କ ରହିବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
ଜାମ୍ମୁ ଓ କାଶ୍ମୀରର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାରପାତ
ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାରପାତ। ତୁଷାରପାତ ଓ ବର୍ଷା ଭିତରେ ଜନଜୀବନ ହୋଇଛି ବିପର୍ଯ୍ୟସ୍ତ। ଆହୁରି ୧୨ ଘଣ୍ଟା ଧରି ବରଫବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଲଗାତାର ୩ ଦିନ ଧରି ଜାମ୍ମୁ ଓ କାଶ୍ମୀରରେ ବରଫବର୍ଷା ଲାଗି ରହିଥିବାବେଳେ ମିଳୁନି ନିସ୍ତାର। ସୋନମାର୍ଗ ଓ ଗୁଲମାର୍ଗରେ ସ୍ଥିତି ହୋଇଛି ଅସମ୍ଭାଳ।
ରାସ୍ତାରେ ବରଫ ଜମିବା ଯୋଗୁ ଯାନବାହନ ଚଳାଚଳରେ ଗୁରୁତର ବାଧା ଉପୁଜିଛି। ରାସ୍ତାରେ ବହୁ ପର୍ଯ୍ୟଟକ ଫସିଥିବା ସୂଚନା ମିଳିଛି। ଗୁଲମାର୍ଗରେ ଅଢେଇ ଫୁଟର ବରଫ ଜମିଥିବା ସୂଚନା ମିଳିଛି। ଆସନ୍ତା ୨୭ ତାରିଖ ଯାଏ ଜାମ୍ମୁ ଓ କାଶ୍ମୀରରେ ସ୍ଥିତି ଏପରି ରହିବ ବୋଲି ଜଣାଯାଇଛି। ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଓ ଶ୍ରୀନଗର-ଲେହ ରାସ୍ତାରେ ବରଫ ଜମିବା ଯୋଗୁ ସ୍ଥିତି ଜଟିଳ ହୋଇଛି। ପ୍ରତିକୂଳ ପରିବେଶ ଯୋଗୁ ଏନଏଚ ୪୪ରେ ଯାତାୟତ ବନ୍ଦ ରହିଛି।
କୁପୱାରା ଜିଲ୍ଲା କେରନ ଓ ମାଚିଲ ସହ ଯୋଗାଯୋଗ ବିଚ୍ଛନ୍ନ ହୋଇଛି। ଅନନ୍ତନାଗ, ମୁଘଲ ରୋଡରେ ବି ସ୍ଥିତି ସମାନ ରହିଛି। ଗୁଲମାର୍ଗ, ସୋନାମାର୍ଗ, ସାଧନା ଟପ, ରାଜଦାନ ଟପ, ତୁଲାଏଲ ଗୁରେଜ ଆଦି ସ୍ଥାନରେ ବରଫ ବର୍ଷା ଜାରି ରହିଥିବାବେଳେ ଗୁଲମାର୍ଗରେ ଅଢେଇ ଫୁଟ, ସୋନମାର୍ଗରେ ୪ ଫୁଟ, ସାଧନା ଟପରେ ୫ ଫୁଟ, ରାଜଦାନ ଟପରେ ୫ ଫୁଟ, ତୁଲାଏଲ ଗୁରେଜରେ ୪ ଫୁଟର ବରଫ ଆସ୍ତରଣ ପରିଲକ୍ଷିତ ହୋଇଛି। ତେଣେ କାଜିଗୁଣ୍ଡ, ପହଲଗାମ, କୁପୱାରା, କୋକରନାଗ, ଗୁଲମାର୍ଗ ଆଦି ସ୍ଥାନରେ ବର୍ଷା ହେବାରୁ ସ୍ଥିତି ଜଟିଳ ହୋଇଛି।
ଉପାନ୍ତରୁ ଉପକୂଳ ସବୁଠି ଉପରମୁହାଁ ପାରଦ
ଭୁବନେଶ୍ୱର : ସାରା ରାଜ୍ୟରେ ଏବେ ତାତିର ରାଜୁତି। ଉପାନ୍ତରୁ ଉପକୂଳ ସବୁଠି ଉପରମୁହାଁ ପାରଦ। ଆସନ୍ତା କାଲି ପର୍ଯ୍ୟନ୍ତ ଆହୁରି ବଢିବ ତାତି। ଗତକାଲି ରାଜଧାନୀ ଭୁବନେଶ୍ବରରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆଜି ଦିନ ସାଢେ ୧୧ଟା ସୁଦ୍ଧା ୩୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଗତକାଲି ଅପେକ୍ଷା ୧ ଡିଗ୍ରୀ ତାପମାତ୍ରା ଅଧିକ ରେକର୍ଡ ହୋଇଛି। ତେବେ ଆସନ୍ତା କାଲି ଯାଏଁ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ଦିନ ସମୟରେ ଉଷ୍ମ ଏବଂ ଆଦ୍ର ପାଣିପାଗ ସ୍ତିତି ଲାଗିରହିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେଣୁ ଉପକୂଳ ଓଡିଶାରେ ଗରମ ସହ ଗୁଳୁଗୁଳି ଅନୁଭୂତ ହେବ। ସେହିଭଳି ଆଭ୍ୟନ୍ତରୀଣ ଓଡିଶା ବା ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ମଧ୍ୟ ପ୍ରବଳ ତାତି ଅନୁଭୂତ ହେବ। କାଲି ସନ୍ଧ୍ୟା ପରଠାରୁ ରାଜ୍ୟର ପାଗ ପରିବର୍ତ୍ତନ ହେବ।
ପଶ୍ଚିମା ଝଡ ପ୍ରଭାବରେ ଉପକୂଳ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲା ରେ ହାଲୁକା ବର୍ଷା ହେବ। ଫଳରେ ତାପମାତ୍ରା ସାମାନ୍ୟ କମିବ। ଗତକାଲି ରାଜ୍ୟରେ ୧୫ ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଥିଲା। ଯାହା ସ୍ବାଭାବିକ ତାପମାତ୍ରା ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ।
କଳା କାରନାମାର ପଙ୍କରୁ ବାହାରି ପଦ୍ମ ଧରିଲେ ପ୍ରଦୀପ
ଭୁବନେଶ୍ୱର : ଜନବିରୋଧୀ ନେତାଙ୍କୁ କୋଳାଇ ନେଲା ବିଜେପି । ନିଜକୁ ପାର୍ଟି ୱିଥ୍ ଡିଫରେନ୍ସ ବୋଲି ଦାବି କରୁଥିବା ବିଜେପି ଆଜି ଲୋକଙ୍କ ସ୍ୱାର୍ଥ ବିରୋଧରେ କାମ କରୁଥିବା ଓ ଦୁର୍ନିତୀକୁ ଅସ୍ତ୍ର କରିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନିଜ ପରିବାରକୁ ସ୍ୱାଗତ କରିଛି । ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି ଗୋପାଳପୁର ବିଧାୟକ ।
ପ୍ରଦୀପଙ୍କ ନାମରେ ମାଳ ମାଳ ଠକେଇ ଓ ଦୁର୍ନିତୀ ଅଭିଯୋଗ ଥିବା ବେଳେ ବିଜେପି ତାଙ୍କୁ ଯେଉଁଭଳି ଭାବେ କୋଳେଇ ନେଇଛି ତାହା ଅନେକ ପ୍ରଶ୍ନ ଉଠାଉଛି । ନିଜକୁ ସ୍ୱଚ୍ଛ ବୋଲି ଦାବି କରୁଥିବା ବିଜେପି କେମିତି ଏମିତି ଜଣେ ନେତା, ଯାହାଙ୍କ ନାମରେ ନିଜ ନିର୍ବାଚନ ମଣ୍ଡଳୀର ଭୋଟରଙ୍କୁ ଠକେଇର ଅଭିଯୋଗ ଅଛି ,ତାଙ୍କୁ ନିଜ ଦଳକୁ ସ୍ୱାଗତ କଲା ତାକୁ ପ୍ରଶ୍ନ କରାଯାଉଛି ।
ଚାକିରି ଦେବା ନାମରେ ଠକେଇ
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଖୋଦ ତାଙ୍କରି ନିର୍ବାଚନ ମଣ୍ଡଳିର ଭୋଟର ଅଭିଯୋଗ ଆଣିଥିଲେ ଯେ, ସେ ଟାଟା ମୋଟର୍ସରେ ଚାକିରି ଦେବା ନାମରେ ବେକାର ଯୁବକଯୁବତୀଙ୍କ ସହିତ ପ୍ରତାରଣ କରିଛନ୍ତି । ପ୍ରଦୀପଙ୍କ ଭାବି ଜୁଆଁଇ ଓ ଭାବି ସମୁଧୀ ଦୁର୍ନିତୀର ଏହି ଖେଳରେ ତାଙ୍କୁ ସାଥ୍ ଦେଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଆସିବା ପରେ ଡିସେମ୍ବର ୩ ତାରିଖ ୨୦୨୦ରେ ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ପ୍ରାୟ ୭ ମାସ ଧରି ପ୍ରଦୀପ ଜେଲରେ ଥିଲେ । ପ୍ରଦୀପଙ୍କ ବିରୋଧରେ ଅଭିଯୋଗ ଥିଲା ଯେ, ସେ ସହଯୋଗୀ ସର୍ବେଶ୍ବର ରାଓଙ୍କ ଜରିଆରେ ଆଦାୟ କରୁଥିଲେ ଟଙ୍କା । ସେହିଭଳି ତାଙ୍କ ଭାବି ସମୁଧି ଅଭୟକାନ୍ତ ପାଠକ ମଧ୍ୟ ତାଙ୍କ ସହିତ ଏହି ଠକେଇ ପ୍ଲାନରେ ସାମିଲ ହୋଇଥିବା ସେତେବେଳେ ଅଭିଯୋଗ ହୋଇଥିଲା । କୁହାଯାଏ ଯେ, ଅଭୟକାନ୍ତ ପାଠକଙ୍କ କଳା ସାମ୍ରାଜ୍ୟ ପଛରେ ଥିଲା ପ୍ରଦୀପଙ୍କ ହାତ । ଭାବୀ ଜ୍ବାଇଁ ଆକାଶ ପାଠକଙ୍କ କଳା କାରନାମା ପଛରେ ମଧ୍ୟ ପ୍ରଦୀପ ଥିଲେ ଆଶଙ୍କା କରାଯାଏ ।
ପ୍ରଦୀପଙ୍କ ବିରୋଧରେ କ’ଣ ସବୁ ଦଫା ?
ସ୍ଥାନୀୟ ଯୁବକଙ୍କ ଅଭିଯୋଗ କ୍ରମେ ଗିରଫ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ । ଦଫା ୪୨୦ରେ ସେ ଗିରଫ ହୋଇଥିଲେ । ପ୍ରଦୀପଙ୍କ ନାଁରେ ଲାଗିଥିଲା ଆଇପିସିର ବିଭିନ୍ନ ଦଫା । ତାଙ୍କ ବିରୋଧରେ ଦଫା ୪୨୦/୪୧୯/୪୬୭/୪୬୮/୪୬୯/ ୪୭୧/୧୨୦(ଖ) ଆଇଟି ଆକ୍ଟ ୨୦୦୦ର ୬୬(ସି)/(ଡ଼ି)ଦଫା ମଧ୍ୟ ଲାଗିଥିଲା
କରୋନା ବେଳେ ନିଜ ଲୋକଙ୍କୁ ଭୁଲି ଯାଇଥିଲେ ପ୍ରଦୀପ
କରୋନା ମହାମାରୀ କାଳରେ ଯେତେବେଳେ ଲକଡାଉନ୍ କାରଣରୁ ପୁରା ଦେଶ ଠପ୍ ହୋଇଯାଇଥିଲା,ସେତେବେଳେ ପ୍ରଦୀପ ନିଜ ଭୋଟରଙ୍କ ମଙ୍ଗଳ ଚିନ୍ତା କରିବା ବଦଳରେ ସ୍ୱାର୍ଥପର ସାଜିଥିଲେ । ଦେଶର ବିଭିନ୍ନ ଭାଗରେ ଅଟକି ରହିଥିବା ଓଡ଼ିଆଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ କରୁଥିବା ବେଳେ ପ୍ରଦୀପଙ୍କ ମନୋଭାବ ଅଲାଗ ଥିଲା । ବାହାର ରାଜ୍ୟରୁ ଓଡ଼ିଆ ଆସିଲେ କରୋନା ବ୍ୟାପିବ ବୋଲି କହି ସେ ଅଲଗା ରାଜ୍ୟରେ ଥିବା ଓଡ଼ିଆ ବିଶେଷକରି ଗଂଜାମର ଓଡିଆଙ୍କୁ ଓଡ଼ିଶା ଅଣାଯିବାକୁ ବିରୋଧ କରିଥିଲେ । ଏଥିପାଇଁ ସେ ରିତିମତ ଚକ୍ରାନ୍ତ ମଧ୍ଯ କରିଥିଲେ ।
ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ତଡ଼ା ଖାଇଥିଲେ
ପ୍ରଦୀପଙ୍କୁ ତାଙ୍କ ଜନବିରୋଧୀ କାର୍ଯ୍ୟକଳାପ ପାଇଁ ବିଜୁ ଜନତା ଦଳରୁ ବିତାଡିତ କରାଯାଇଥିଲା । ୨୦୨୦ ନଭେମ୍ବର ୨୯ ତାରିଖ ଦିନ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା ।ଦୁର୍ନିତୀ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହନଶୀଳତା ନୀତି କ୍ରମରେ ପ୍ରଦୀପ ଓ ତାଙ୍କ ସହଯୋଗୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏବେ ପ୍ରଶ୍ନ ଉଠୁଛି ଯେ, ଜଣେ ଜନବିରୋଧୀ ବ୍ୟକ୍ତିଙ୍କୁ କେମିତି ବିଜେପି ନିଜ ଦଳରେ ସାମିଲ କରୁଛି ।

