spot_img
Home Blog Page 2076

ଠାକୁରଙ୍କ ମୂର୍ତ୍ତି ଚୋରି ଅଭିଯୋଗରେ କିନ୍ନର ଗିରଫ

ପିପିଲି: ପଥର ମୂର୍ତ୍ତି ତିଆରି ପ୍ରତିଷ୍ଠାନରୁ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ଚୋରି ଅଭିଯୋଗରେ ଜଣେ କିନ୍ନରକୁ ଗିରଫ କରିଛି ପିପିଲି ପୋଲିସ। ଗିରଫ ଅଭିଯୁକ୍ତ ସତ୍ୟବାଦୀ ଥାନା ଜୟପୁର ଗାଁର ଚାନ୍ଦିନୀ ମୁଦୁଲି। ପୋଲିସ ତା’ଠାରୁ ଶିବଲିଙ୍ଗ ସହ ବିଭିନ୍ନ ଦେବଦେବୀଙ୍କର ୧୬ଟି ମୂର୍ତ୍ତି ଜବତ କରିଛି।

ପିପିଲି ଥାନା ଶିଉଳା ଗାଁର ଜାତୀୟ ରାଜପଥ ପାର୍ଶ୍ଵରେ ଏକ ପଥର ମୂର୍ତ୍ତି ତିଆରି ପ୍ରତିଷ୍ଠାନରୁ ଗତ ଅକ୍ଟୋବର ମାସଠାରୁ ମୂର୍ତ୍ତି ଚୋରି କରୁଥିଲା ଅଭିଯୁକ୍ତ। ସିସିଟିଭିରେ ଚୋରିର ଦୃଶ୍ଯ କଏଦ ହୋଇଛି। ଚାନ୍ଦିନୀ ମୁଦୁଲି ଏକାଧିକ ଥର ମୂର୍ତ୍ତି ଚୋରି କରିନେଉଥିବା ଦୃଶ୍ଯ ସିସିଟିଭିରେ କଏଦ ହୋଇଛି। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ସହ ତା ନିକଟରୁ ୪ଟି କାଳୀମାତାଙ୍କ ମୂର୍ତ୍ତି, ୫ଟି ଲକ୍ଷ୍ମୀ ମୂର୍ତ୍ତି, ୨ଟି ସରସ୍ବତୀ ମୂର୍ତ୍ତି, ୩ଟି ହନୁମାନ ମୂର୍ତ୍ତି ଓ ୨ଟି ଶିବଲିଙ୍ଗ ଜବତ କରିଛି।

ବଢ଼ିଲା ଟିଏମସିର ପୂର୍ବତନ ସାଂସଦ ମହୁଆ ମିତ୍ରଙ୍କ ଅଡୁଆ

ନୂଆଦିଲ୍ଲୀ: ବଢ଼ିଲା ଟିଏମସିର ପୂର୍ବତନ ସାଂସଦ ମହୁଆ ମିତ୍ରଙ୍କ ଅଡୁଆ। ବୈଦେଶିକ ମୁଦ୍ରା ପରିଚାଳନା ଆଇନ ବା ଫେମା ମାମଲାରେ ଆଜି ହାଜର ହେବା ଲାଗି ମହୁଆ ଓ ବିଜନେସମ୍ଯାନ ଦର୍ଶନ ହୀରାନନ୍ଦନୀଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଜଣେ ସାଂସଦ ଭାବେ ଅର୍ଥନୈତିକ ତ୍ରୁଟି ସମ୍ପନ୍ନ କାର୍ଯ୍ୟ କରିବା ଅଭିଯୋଗରେ ତାଙ୍କୁ ଲୋକସଭାରୁ ଗତ ଡିସେମ୍ବର ୮ରେ ଏଥିକ୍ସ କମିଟି ସୁପାରିସ ଆଧାରରେ ତାଙ୍କୁ ବହିଷ୍କାର କରିଥିଲେ ବାଚସ୍ପତି।

ନନ୍ ରେସିଡେଣ୍ଟ ଏକ୍ସଟରନାଲ ବା ଏନଆରଇ ଆକାଉଣ୍ଟ ସହ ଆର୍ଥିକ କାରବାର ପ୍ରସଙ୍ଗରେ ଜେରା କରୁଛି ତଦନ୍ତାକାରୀ ସଂସ୍ଥା। କେନ୍ଦ୍ର ସରକାରଙ୍କୁ ହରଡ଼ଘଣାରେ ପକାଇବା ଲାଗି ପ୍ରଶ୍ନ କରିବା ସକାଶେ ମହୁଆ ୨ କୋଟି ଟଙ୍କା ନେଇଥିଲେ ବୋଲି ତାଙ୍କ ନାମରେ ଅଭିଯୋଗ ରହିଛି। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଆସିଛନ୍ତି ମହୁଆ । ଏହା ସହ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କୁ ନିଜର ପାର୍ଲାମେଣ୍ଟାରୀ ଓ୍ବେବସାଇଟର ଲଗ-ଇନ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା।

ଏହି ଟଙ୍କା ମହୁଆଙ୍କୁ ଦର୍ଶନ ଦେଇଥିବା ଅଭିଯୋଗ ହୋଇଥିଲା। ଫଳରେ ସଂସଦର ପ୍ରଶ୍ନକାଳ ପୂର୍ବରୁ ପ୍ରଶ୍ନଗୁଡିକୁ ସିଧାସଳଖ ସବମିଟ କରିବା ଲାଗି କ୍ଷେତ୍ର ପ୍ରସ୍ତୁତ ହେଉଥିଲା। ସିଧାସଳଖ ପ୍ରଶ୍ନ ସବମିଟ କରିବା ସଂକ୍ରାନ୍ତ ଅଭିଯୋଗକୁ ମହୁଆ ସ୍ବୀକାର କରିଥିଲେ ଏବଂ ଏହା ଅନେକ ସାଂସଦଙ୍କ ଲାଗି ସାଧାରଣ କଥା ବୋଲି କହିଥିଲେ ମହୁଆ। ଟିଏମସିର ଲୋକସଭା ପ୍ରାର୍ଥୀ ଭାବେ କ୍ରିଷ୍ଣାନଗରରୁ ଲଢିବେ ମହୁଆ ମିତ୍ର।

ନିଶାଗ୍ରସ୍ତ ଅବସ୍ଥାରେ ବିମାନ ଚଳାଉଥିଲେ, ପାଇଲଟ୍ ବରଖାସ୍ତ

ନୂଆଦିଲ୍ଲୀ: ଚାକିରି ନେଲା ମଦ । ମଦ ପିଇ ଚାକିରି ହରାଇଛନ୍ତି ପାଇଲଟ। ନିଶାଗ୍ରସ୍ତ ଅବସ୍ଥାରେ ବିମାନ ଚଳାଉଥିବା ଏୟାର ଇଣ୍ଡିଆ ପାଇଲଟ ବରଖାସ୍ତ ହୋଇଛନ୍ତି। ଫୁକେତ-ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ଉଡ଼ାଇବା ସମୟରେ ପାଇଲଟ ମଦ ପିଇଥିବା ଅଭିଯୋଗ ହୋଇଥିଲା। ଆଲକହଲ ସେବନ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏନେଇ ଏୟାର ଇଣ୍ଡିଆ ତରଫରୁ ଡିଜିସିଏକୁ ଅବଗତ କରାଯାଇଛି। ଗତ ସପ୍ତାହରେ ପାଇଲଟ ଜଣଙ୍କ ମଦ୍ଯପାନ କରି ବିମାନ ଉଡ଼ାଇଥିବା ଅଭିଯୋଗ ଆସିଥିଲା । ପରେ ଆଲକହଲ ସେବନ ପରୀକ୍ଷା କରାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିବାପରେ ବିମାନଉଡ଼ାଣକାରୀ ସଂସ୍ଥା ତରଫରୁ ତାଙ୍କୁ ବରଖାସ୍ତ କରାଯାଇଛି।

“ଏଭଳି କାର୍ଯ୍ୟକଳାପ ଉପରେ ଆମେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଉ । କାହା ପାଇଁ ବି ସହନଶୀଳ ମନୋବୃତ୍ତି ରଖୁନି। ଏଭଳି ସ୍ଥଳେ ଖାଲି ବରଖାସ୍ତ ନୁହେଁ ବରଂ କ୍ରିମିନାଲ୍ ଆଇନ ଅନୁସାରେ ଏଫଆଇଆର୍ ମଧ୍ୟ ଦାୟର କରିଥାଉ’’ ବୋଲି ଡିଜିସିଏ ପକ୍ଷରୁ ସୂଚନା ଦିଆଯାଇଛି।

ଶ୍ରୀଜିଉଙ୍କୁ ଦର୍ଶନ ସହ ଆଶିଷ ନେଲେ ପ୍ରଣବ ପ୍ରକାଶ ଦାସ

ପୁରୀ: ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବେ ନାଁ ଘୋଷଣା ପରେ ଆଜି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ପ୍ରଣବ ପ୍ରକାଶ ଦାସ। ସମ୍ବଲପୁର ଲୋକସଭା ଆସନରୁ ବିଜେଡି ଦଳ ତାଙ୍କୁ ପ୍ରାର୍ଥୀ କରିଛି। ସେ ଏହି ଆସନରୁ ବିଜୟ ପାଇଁ ମହାପ୍ରଭୁଙ୍କ ନିକଟରେ ଆଶୀଷ ଭିକ୍ଷା କରିଛନ୍ତି।

ସେପଟେ ତାଙ୍କୁ ବିଜେଡି ପ୍ରାର୍ଥୀ କରିଥିବାରୁ ସମ୍ବଲପୁରରେ ଉତ୍ସାହର ମାହୋଲ ଦେଖାଦେଇଛି। ଏହି ଆସନରେ ବିଜେପିର ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପ୍ରତିଦ୍ବନ୍ଦିତା କରିବେ ପ୍ରଣବ।

ଆଜି ସରିବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ED ହେପାଜତ ଅବଧି

ନୂଆଦିଲ୍ଲୀ: ଆଜି ସରିବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତ ଅବଧି। ତେବେ ଅଧିକ ଦିନ ହେପାଜତକୁ ନେବା ଲାଗି କୋର୍ଟରେ ଇଡି ଆବେଦନ କରିବ ବୋଲି ସୂଚନା ମିଳିଛି। ଦିଲ୍ଲୀ ମଦନୀତି ମାମଲାରେ ୭ ଦିନ ଲାଗି ଇଡି ହେପାଜତକୁ ପଠାଇଥିଲେ ଦିଲ୍ଲୀ ରାଉସ ଆଭେନ୍ୟୁ କୋର୍ଟ।

ହେପାଜତ ଅବଧି କାଳରେ କେଜରିଓ୍ବାଲଙ୍କଠାରୁ ମଦ ନୀତି ମାମଲାରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଇଡି ହାସଲ କରିଥିବା ସୂଚନା ମିଳିଛି । ଗତକାଲି ଗିରଫଦାରୀ ବିରୋଧରେ କେଜରିୱାଲଙ୍କ ପିଟିସନକୁ ଖାରଜ କରିଥିଲେ ଦିଲ୍ଲୀ ହାଇକୋର୍ଟ। ମାମଲାର ପରବର୍ତ୍ତୀ ଶୁଣାଣି ହେବ ଆସନ୍ତା ଏପ୍ରିଲ ୩ରେ।

ସେପଟେ କୋର୍ଟ ନିକଟରେ କେଜରିୱାଲ ଗୁରୁତ୍ବପୂର୍ଣ୍ଣ ବିବୃତି ରଖିବେ ବୋଲି କହିଛନ୍ତି ପତ୍ନୀ ସୁନୀତା। ସେ କହିଛନ୍ତି ଦୁଇ ବର୍ଷ ଧରି ତାଙ୍କ ସ୍ବାମୀଙ୍କ ବିରୋଧରେ ଇଡି ଜେରା କରୁଥିବାସତ୍ତ୍ବେ ପଇସାଟିଏ ବି ପାଇନାହିଁ। ଘର ରେଡ ବେଳେ ମାତ୍ର ୭୩ ହଜାର ଟଙ୍କା ମିଳିଥିଲା। କୋର୍ଟ ନିକଟରେ ଇଡି ଦର୍ଶାଇ ଆସୁଛି ଯେ, ମଦ ନୀତି ମାମଲାରେ କେଜରିଓ୍ବାଲ ହେଉଛନ୍ତ କିଙ୍ଗପିନ ଏବଂ ଏଥିରୁ ଉପଲବ୍ଧ ଟଙ୍କା ୨୦୨୨ ଗୋଆ ବିଧାନସଭା ନିର୍ବାଚନରେ ଖର୍ଚ୍ଚ ହୋଇଥିଲା ।

ନବମ ଥର ଲାଗି ଇଡି ସମନକୁ ପ୍ରତ୍ୟାଖ୍ୟାନ କରିବା ପରେ ଗତ ମାର୍ଚ୍ଚ ୨୧ରେ କେଜରିଓ୍ବାଲଙ୍କୁ ଗିରଫ କରିଥିଲା ଇଡି । ମାମଲାର ଶୁଣାଣି କରି ବେଆଇନ ଅର୍ଥ ଚାଲାଣ ନିରାକରଣ ଆଇନ ବା ପିଏମଏଲଏର ସ୍ବତନ୍ତ୍ର ବିଚାରପତି କାବେରୀ ବାଓ୍ବେଜା ମାର୍ଚ୍ଚ ୨୮ ଯାଏ କେଜରିଓ୍ବାଲଙ୍କୁ ଇଡି ହେପାଜତକୁ ନେବା ଲାଗି ନିର୍ଦ୍ଦେଶ ଦେଇଥିଲେ ।

ଲୋକସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରାର୍ଥୀପତ୍ର ଯାଞ୍ଚ

ନୂଆଦିଲ୍ଲୀ: ଆଜି ଲୋକସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଯାଞ୍ଚ। ପ୍ରଥମ ପର୍ଯ୍ୟାୟରେ ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ମଧ୍ଯପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ରାଜସ୍ଥାନ, ସିକ୍କିମ, ତାମିଲନାଡୁ, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆଣ୍ଡାମାନ ନିକୋବର, ଜାମ୍ମୁ ଓ କାଶ୍ମୀର, ଲାକ୍ଷାଦ୍ବୀପ ଓ ପୁଡୁଚେରୀ ଅର୍ଥାତ ୨୧ ରାଜ୍ଯର ମୋଟ ୧୦୨ ଲୋକସଭା ଆସନ ଲାଗି ଆଜି ପ୍ରାର୍ଥୀପତ୍ର ଯାଞ୍ଚ ହେବ।

ଏହି ସବୁ ଆସନରେ ଆସନ୍ତା ଏପ୍ରିଲ ୧୯ରେ ଭୋଟ ହେବ। ସେପଟେ ଦ୍ବିତୀୟ ପର୍ଯ୍ୟାୟ ଲାଗି ଆଜି ଜାରି ହେବ ବିଜ୍ଞପ୍ତି। ୧୩ ରାଜ୍ଯ ଅର୍ଥାତ ଆସାମ, ବିହାର, ଛତିଶଗଡ଼, କର୍ଣ୍ଣାଟକ, କେରଳ, ମଧ୍ଯପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ରାଜସ୍ଥାନ, ତ୍ରିପୁରା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଜାମ୍ମୁ ଓ କାଶ୍ମୀରର ୮୯ ଆସନ ଲାଗି ଜାରି ହେବ ବିଜ୍ଞପ୍ତି। ଏହି ସବୁ ଆସନ ଲାଗି ଏପ୍ରିଲ ୪ରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଥିବାବେଳେ ଏପ୍ରିଲ ୫ରେ ହେବ ଯାଞ୍ଚ। ଏପ୍ରିଲ ୨୬ରେ ହେବ ଭୋଟ।

ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ଟିକେଟ ପାଇବାପରେ ପୁରୀ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ମନ୍ମଥ ରାଉତରାୟ

ପୁରୀ: ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ଟିକେଟ ପାଇବାପରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମନ୍ମଥ ରାଉତରାୟ । ପୁରୀ ବିଜେଡି ବିଧାୟକ ପ୍ରାର୍ଥୀ ସୁନୀଲ ମହାନ୍ତି ମଧ୍ଯ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରେ ଓ ଦଳର ସହଯୋଗରେ ନିର୍ବାଚନ ଜିତିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ମନ୍ମଥ କହିଛନ୍ତି, ଟିକେଟ ମୋ ସରପ୍ରାଇଜ୍ ଥିଲା ।  ଦଳ ତାଙ୍କୁ ଭରସା କରିଥିବାରୁ ସେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।  ବିରୋଧୀଙ୍କୁ ଯେତେ ବି ବଡ କୁହାଯାଉଥିଲେ ବି ନିର୍ବାଚନରେ ବିଜେଡିର ସୁନିଶ୍ଚିତ ବିଜୟ ହେବୂ । ନିର୍ବାଚନ ପାଇଁ ସେବା ହିଁ ତାଙ୍ ଷ୍ଟାଟେର୍ଜି ବୋଳି ମନ୍ମଥ କହିଛନ୍ତି ।

ସମ୍ବଲପୁରରେ ପ୍ରଣବ ପ୍ରକାଶ ଦାସଙ୍କୁ ଲୋକସଭା ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନେତା ଓ କର୍ମୀ

ସମ୍ବଲପୁର: ପ୍ରଣବ ପ୍ରକାଶ ଦାସଙ୍କ ପ୍ରାର୍ଥୀତ୍ବକୁ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସ୍ବାଗତ କରାଯାଇଛି । ଏହାସହ ସମ୍ବଲପୁରରେ ତାଙ୍କୁ ଲୋକସଭା ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନେତା ଓ କର୍ମୀ । ସମ୍ବଲପୁର ସଂସଦୀୟ କ୍ଷେତ୍ର ୭ ନିର୍ବାଚନ ମଣ୍ଡଳୀ ମଧ୍ୟରେ ସମ୍ବଲପୁର, ରେଢ଼ାଖୋଲ, କୁଚିଣ୍ଡା, ରେଙ୍ଗାଲି, ଦେବଗଡ଼, ଆଠମଲ୍ଲିକ, ଛେଣ୍ଡିପଦା ନେଇ ଗଠିତ । ଏଠାରେ ବିଜେଡି ସାଂଗଠନିକ ସମ୍ପାଦକଙ୍କୁ ପ୍ରାର୍ଥୀ କରାଯାଇଥିବାରୁ  ଯୁଯୁମୁରା, ପଡ଼ିଆବହଲ, ବାହାମ୍, ମାନେଶ୍ୱର, ହୁମା, ଧମା, ଡକରା, ସମ୍ବଲପୁର ସହରରେ ଫାଟକ ଚର୍ଚ୍ଚ ଛକ ଠାରେ ବିଜେଡି ନେତା ସଂଜିତ ମହାନ୍ତିଙ୍କ ସମର୍ଥକ ମାନେ ବାଣ ଫୁଟାଇ, ମିଠା ବାଣ୍ଟି ସ୍ବାଗତ କରିଛନ୍ତି । ଏଠାରେ ବିଜେଡିର ବିଜୟ ନିଶ୍ଚିତ ବୋଲି କହିଛନ୍ତି କର୍ମୀ ।

ସମ୍ବଲପୁର ଲୋକସଭା ଆସନରୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଲଢିବା ବିଷୟ ଘୋଷଣା ହେବା ପରେ ସମ୍ବଲପୁରରେ ଖୁସିର ମାହୋଲ। ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ଶାନ୍ତି ନଗର ଅଫିସ ଠାରେ  ଉତ୍ସବ ପାଳନ କରାଯାଇଛି। ମହାନଗର ସଭାପତି ସତୀଶ ବିଶି, ଉପସଭାପତି ସୁମନ୍ତ ପଣ୍ଡା, ଦେବାଶିଷ ନନ୍ଦ, ମହିଳା ସଭାପତି ବନ୍ଦିତା ମିଶ୍ର, ଜଗନ୍ନାଥ ଚୌଧୁରୀ, ପ୍ରଦୀପ ରାଉତ ରାୟ, ପ୍ରସନ୍ନ ସାହୁ, ମହେଶ ଶର୍ମା, ଭୋଳା ମହାତମ, ଅଶ୍ୱିନୀ ପଢି, ଦୀପେନ୍ଦ୍ର ପଟେଲ, ଅମିତାଭ ପରିଡା, ଅର୍ଜୁନ ସିଂ, ଫକୀର ପ୍ରଧାନ, ଅଶ୍ୱିନୀ ପଢି, ମମତା ମୁଦୁଲି, ଭାଗ୍ୟଳତା ଚୌଧୁରୀ, ଦିପେନ୍ଦ୍ର ପଟେଲ, ଭବେଶ ଚାନ୍ଦ ପ୍ରମୁଖ ସେଲିବ୍ରେସନରେ ସାମିଲ ହୋଇଥିଲେ।

ବିଜେଡି ମିଡିଆ ସେଲର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ବିଜେଡି ମିଡିଆ ସେଲର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଆଗାମୀ ନିର୍ବାଚନରେ ବିଜେଡି ମିଡିଆ ସେଲ କିପରି ଅଧିକ କ୍ରିୟାଶୀଳ ହୋଇ ଦଳର ଭାବମୂର୍ତ୍ତୀ ଓ ଦଳୀୟ ପ୍ରାର୍ଥୀମାନଙ୍କର ବିଜୟ ସମ୍ଭାବନାକୁ ବଢାଇବା ପାଇଁ କାର୍ଯ୍ୟ କରିପାରିବ ସେନେଇ ବୈଠକରେ ଆଲୋଚନା ହୋଇଛି ।  ରାଜ୍ୟସଭା ସାଂସଦ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କର ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମିଡିଆ ସେଲର ସଦସ୍ୟମାନେ ଟିଭି ଡିବେଟ୍ ଓ ଅନ୍ୟାନ୍ୟ ଗଣମାଧ୍ୟମରେ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ଜନସାଧାରଣଙ୍କ ସାମ୍ନାରେ ପ୍ରସ୍ତୁତ କରିବେ ବୋଲି ନିଷ୍ପତ୍ତି ହୋଇଥିଲା । ବୈଠକ ପରେ ସାଂସଦ ମାନସ ମଙ୍ଗରାଜଙ୍କ ନେତୃତ୍ୱରେ ବିଜେଡି ମିଡିଆ ସେଲର ସମସ୍ତ ସଦସ୍ୟ ନବୀନ ନିବାସ ଯାଇଥିଲେ । ସେଠାରେ ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଅଧୀନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ନିର୍ବାଚନରେ ମିଡିଆ ସେଲର ସଦସ୍ୟମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପାଣ୍ଡିଆନ କହିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଉପାଦେୟ ପରାମର୍ଶ ଦେଇଥିଲେ । ନବୀନ ସରକାରଙ୍କ ଦ୍ୱାରା ନିରନ୍ତର ଭାବେ ବିଗତ ୨୪ ବର୍ଷରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହୋଇଥିବା ବେଳେ ଗତ ୫ ବର୍ଷରେ ରାଜ୍ୟର ବିକାଶ ଧାରା ଶିଖର ଛୁଇଁଛି, ଯାହାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ଆପଣମାନଙ୍କର ଦାୟିତ୍ୱ ବୋଲି ପାଣ୍ଡିଆନ କହିଥିଲେ । ବୈଠକରେ ମିଡିଆ ସେଲର ସଦସ୍ୟ ଯଥା, ସଂଯୋଜକ ପ୍ରିୟବ୍ରତ ମାଝୀ, ସର୍ମିଷ୍ଠା ସେଠୀ, ଡ.ସସ୍ମିତ ପାତ୍ର, ସୁଲତା ଦେଓ, ସଂତୃପ୍ତ ମିଶ୍ର, ଲେନିନ ମହାନ୍ତି, ସ୍ୱୟମପ୍ରକାଶ ମହାପାତ୍ର, ତୁମ୍ବନାଥ ପଣ୍ଡା, ଗୌତମବୁଦ୍ଧ ଦାସ, ମିହିର ରାୟ, ଓମପ୍ରକାଶ ସାହୁ, ଅମିତ ମଲ୍ଲିକ, ଡ. ହରିଶ ଚୌଧୁରୀ, ଇପ୍ସିତା ସାହୁ, ମହିକ୍ଷିତା ମିଶ୍ର, ମଧୁସ୍ମିତା ନାୟକ, ଲୋରା ମହାପାତ୍ର, ଅପୂର୍ବା ଅପରୂପା ଓ ସୋଫିଆ ଆଲାମ ପ୍ରମୁଖ ଯୋଗ ଦେଇଥିଲେ ।

ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀଙ୍କୁ ବିରୋଧ

ନବରଙ୍ଗପୁର: ନବରଙ୍ଗପୁର ବିଜେପିରେ ଥମୁନି କନ୍ଦଳ । ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀଙ୍କୁ ବିରୋଧ ।  ମୈଦଲପୁର ଠାରେ ତାଙ୍କ ଗାଡିକୁ ଅଣ୍ଡାମାଡ ହୋଇଥିବା ଦେଖିବାକୁ ମିଳିଛି। ମୈଦଲପୁର ଅଞ୍ଚଳର କିଛି ବିଜେପି କର୍ମୀ ତାଙ୍କ ସାଂସଦ ପ୍ରାର୍ଥୀତ୍ବକୁ ନେଇ ବିରୋଧ କରୁଥିବା ବେଳେ ଆଜି ଅଣ୍ଡା ମାଡ କରିଛନ୍ତି । ବଳଭଦ୍ର ଝରିଗାଁରୁ ଫେରୁଥିବା ବେଳେ ତାଙ୍କ ଗାଡି ଉପରକୁ ଅଣ୍ଡା ମାଡ କରିଛନ୍ତି ଅସନ୍ତୁଷ୍ଟ ବିଜେପି କର୍ମୀ। ମୈଦଲପୁର ହାଟପଡା ନିକଟରେ ବିଜେପି କର୍ମୀମାନେ ଜଗି ରହି ଅଣ୍ଡା ମାଡ କରିଥିଲେ । ଏନେଇ କାହାର ପ୍ରତିକ୍ରିୟା ମିଳିପାରି ନାହିଁ। ଗତଥରର ପରାଜିତ ପ୍ରାର୍ଥୀ ପର୍ଶୁରାମ ମାଝୀଙ୍କ ସମର୍ଥକ ମାନେ ଏହିଭଳି ଅଣ୍ଡା ମାଡ କରିଥିବା ଅନୁମାନ କରାଯାଉଛି । ଚଳିତ ନିର୍ବାଚନରେ ପର୍ଶୁରାମ ମାଝୀଙ୍କୁ ଟିକେଟ ନଦେବାରୁ ଅସନ୍ତୋଷ ଜାହିର କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଉ ଆଜି ଅଣ୍ଡାମାଡ କରି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀଙ୍କୁ ବିରୋଧ କରିଛନ୍ତି।