spot_img
Home Blog Page 2147

ଶନିବାର ବସିବ ଇଣ୍ଡିଆ ମେଣ୍ଟର ବୈଠକ

ନୂଆଦିଲ୍ଲୀ: ୨୦୨୪ ଲାଗି ବଢିଲା ପ୍ଲାନ। ବୈଠକରେ ଉପନୀତ ହେବେ ଇଣ୍ଡିଆ ମେଣ୍ଟ ନେତା। ବିଭିନ୍ନ ଦଳ ମଧ୍ୟରେ ଆସନ ବୁଝାମଣା ନେଇ ବୈଠକରେ ଆଲୋଚନା ହେବ। ନିଜ ନିଜ ରାଜ୍ୟରେ ଆଞ୍ଚଳିକ ଦଳ ଦବଦବା ରଖିବା ଲାଗି ଅଧିକ ଆସନ କଂଗ୍ରେସକୁ ଛାଡିବାକୁ ପ୍ରସ୍ତୁତ ନଥିବାରୁ ସମସ୍ୟା ବଢିବାରେ ଲାଗିଛି।

ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ବିହାରରେ କଂଗ୍ରେସକୁ ଅଧିକ ଆସନ ଛାଡିବା ଲାଗି ସହଯୋଗୀ ଦଳ ପ୍ରସ୍ତୁତ ନାହାନ୍ତି। ପଶ୍ଚିମବଙ୍ଗରେ କେବଳ ମାଲଦା ଦକ୍ଷିଣ ଓ ବରହମପୁର ଆସନକୁ କଂଗ୍ରେସକୁ ଦେବା ଲାଗି ଟିଏମସି ଚାହୁଁଛି। ଏହାକୁ ନେଇ ଦୁଇ ଦଳ ମଧ୍ୟରେ ସମଝୋତା ହୋଇପାରିନାହିଁ। ସେହିପରି ଉତ୍ତର ପ୍ରଦେଶ ଓ ବିହାରରେ ବି କଂଗ୍ରେସକୁ ଅଧିକ ଆସନ ଛାଡିବା ଲାଗି ରାଜିନାହାନ୍ତି ସମାଜବାଦୀ ପାର୍ଟି, ଆରଜେ଼ଡି ଓ ଜେଡିୟୁ।

ସେପଟେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି- ତାଙ୍କ ଦଳ ୨୫୫ ଆସନରେ ଲଢେଇ ଲାଗି ନିର୍ଣ୍ଣୟ କରିଛି। ଯଦି ୨୫୫ ଆସନରେ କଂଗ୍ରେସ ଲଢିବ ତେବେ ସ୍ବାଧୀନତା ପରେ ଏହା ହେବ ଦଳ ଲଢୁଥିବା ସବୁଠାରୁ କମ୍ ଆସନ।

ବିଜେପି ଯୁବ ସଂକଳ୍ପ ସମାବେଶରେ ହଙ୍ଗାମା

ନିଶ୍ଚିନ୍ତକୋଇଲି: ବିଜେପି ଯୁବ ସଂକଳ୍ପ ସମାବେଶରେ ହଙ୍ଗାମା। କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତି ସତ୍ତ୍ବେ ଅମାନିଆ ହେଲେ କର୍ମୀ। ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆଠାରେ ବିଜେପି ଯୁବ ସଂକଳ୍ପ ସମାବେଶରେ କର୍ମୀଙ୍କ ମଧ୍ୟରେ ଚେୟାର ଫିଙ୍ଗାଫିଙ୍ଗି ପରି ଘଟଣା ଦେଖିବାକୁ ମିଳିଛି । ଯାହା ଏବେ ବିଜେପିର ଦଳୀୟ ବିଶୃଙ୍ଖଳାକୁ ପଦାରେ ପକାଇ ଦେଇଛି  ।

ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜିଲ୍ଲା ସଭାପତି ନୟନ ମହାନ୍ତି ପ୍ରମୁଖ ସଭାମଞ୍ଚରେ ଉପସ୍ଥିତ ଥିଲେ । ଏହି ସମୟରେ କୌଣସି କାରଣରୁ ମଞ୍ଚ ତଳେ ବସିଥିବା ଯୁବ କର୍ମୀଙ୍କ ଭିତରେ ଆରମ୍ଭ ହୋଇଯାଇଥିଲା ହଟ୍ଟଗୋଳ, ନାରାବାଜି । ଯାହା ପରେ ଚେୟାର ଫିଙ୍ଗାଫିଙ୍ଗି ଘଟଣା ଯାଏଁ କଥା ଯାଇଥିଲା । ସଭାରେ ଭାଷଣ ଚାଲିଥିବାବେଳେ ଏପରି କାଣ୍ଡକାରଖାନା ଘଟିଯିବାକୁ ନେଇ ସବୁ ମହଲରେ ଚର୍ଚ୍ଚା ଜୋର ଧରିଛି। ବିଜେପି ଏକ ଶୃଙ୍ଖଳିତ ଦଳ ବୋଲି ନେତା ମନ୍ତ୍ରୀ ଡିଣ୍ଡିମ ପିଟୁଛନ୍ତି। ବିଜେପିର ଲୋକପ୍ରିୟତା ବୃଦ୍ଧି ପାଉଛି ବୋଲି ଦଳୀୟ ନେତା ବାହାସ୍ଫୋଟ ମାରୁଛନ୍ତି।

ହେଲେ ଅପରପକ୍ଷେ ୫ହଜାର ଚେୟାର ପଡିଥିଲାବେଳେ ଦେଢ ହଜାର ଲୋକ ଥିଲେ କି ନାହିଁ ବୋଲି ସନ୍ଦେହ କରିଛନ୍ତି ସ୍ଥାନୀୟବାସିନ୍ଦା। ସୋସିଆଲ ମିଡିଆରେ ଚେୟାର ଫିଙ୍ଗାଫିଙ୍ଗି ଘଟଣା ସହ ନାରାବାଜି ମଧ୍ୟ ଭାଇରାଲ ହେଉଛି। ଯାହାକୁ ଦେଖି ସ୍ଥାନୀୟବାସିନ୍ଦା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ବିଜେପି ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆଠାରେ ଯୁବ ସଂକଳ୍ପ ସମାବେଶ ଆୟୋଜିତ କରିଥିଲା।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୁରୀ ସୁରକ୍ଷାର ଅଭୈଦ୍ୟ ଗଡ଼। ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଏବଂ ୧୭ ତାରିଖ ପାଇଁ ସ୍ଵତନ୍ତ୍ର ପୋଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ରିଜର୍ଭ ପୋଲିସ ଲାଇନ୍ ପଡ଼ିଆରେ ପୋଲିସ ଅଧିକାରୀଙ୍କୁ କେନ୍ଦ୍ରାଞ୍ଚଳ ଆଇଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଆଜିଠାରୁ ୧୬ତାରିଖ ପର୍ଯ୍ୟନ୍ତ ୪୪ ପ୍ଲାଟୁନ ପୋଲିସ ଫୋର୍ସ ସହ ସ୍ୱତନ୍ତ୍ର ଟିମ ୩ଟି ମୁତୟନ ହେବେ । ୧୭ ତାରିଖ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଲୋକାର୍ପଣ ଉତ୍ସବ ପାଇଁ ଅଧିକ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ରହିବ। ସିସିଟିଭି ଓ ସର୍ଭେଲାନ୍ସ ଟିମ, ବୋମା ନିଷ୍କ୍ରିୟକାରୀ ଟିମ୍, ଫେସ ରିଡିଂ ଟିମ୍‌ ନିୟୋଜିତ ହେବେ। ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି। ୧୬ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀଙ୍କ ପାଇଁ କୌଣସି କଟକଣା ରହିବ ନାହିଁ। ଟ୍ରାଫିକ କଟକଣା ମଧ୍ୟ ରହିବ ନାହିଁ। ଭିଡ ଓ ଗହଳିକୁ ଦେଖି ଟ୍ରାଫିକ ପରିଚାଳନା କରାଯିବ।

ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ 5T ଅଧ୍ୟକ୍ଷ; କହିଲେ- ସରକାରୀ ସ୍କୁଲରୁ ପଢି ସୁନାମ ଆଣିଛନ୍ତି ଏହି ବ୍ୟକ୍ତିବିଶେଷ…

କଳାହାଣ୍ଡି: କଳାହାଣ୍ଡି ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ପଡ଼ିଆରେ ନୂଆ-ଓ କାର୍ଯ୍ୟକ୍ରମରେ ପିଲାଙ୍କୁ ସଫଳତାର ମନ୍ତ୍ର ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସମସ୍ତ ଛାତ୍ରଛାତ୍ରୀ ଏବେ ଜୀବନର ଗୁରୁତ୍ବପୂର୍ଣ୍ଣ ପାହାଚରେ ଅଛନ୍ତି। ଛାତ୍ରଛାତ୍ରୀଙ୍କ ଏହା ଏକ ଗୋଲଡେନ ପିରିୟଡ। ଏହି ସମୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପାଠ ପଢିବା। ପାଠ ପଢା ସହ କୋ-କରିକୁଲାର ଆକ୍ଟିବିଟିଜ୍ ମଧ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ବଢିବ।

ଜୀବନରେ ସଫଳତା ଲାଗି ଆତ୍ମବିଶ୍ବାସ ବହୁ ଜରୁରୀ। ଏଥିଲାଗି ମୁଖ୍ୟମନ୍ତ୍ରୀ ଏହି ନୂଆ-ଓ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହାଦ୍ବାରା ପିଲାଙ୍କ ପ୍ରତିଭା ବାହାରକୁ ଆସିବ। ସାମଗ୍ରିକ ବ୍ୟକ୍ତିତ୍ବର ଉନ୍ନତି ହେବ। ପାଠ ପଢିବା ସହ ସାମଗ୍ରିକ ବ୍ୟକ୍ତିତ୍ବର ବିକାଶ ହେଲେ ଜୀବନରେ ସଫଳତା ହାସଲ କରିହେବ। ଶାରିରୀକ ଓ ମାନସିକ ସ୍ବାସ୍ଥ୍ୟ ଠିକ ରଖିବା ଲାଗି ମଧ୍ୟ ଟିପ୍ସ ଦେଇଛନ୍ତି 5T ଅଧ୍ୟକ୍ଷ। ଛାତ୍ରଛାତ୍ରୀ ସୁସ୍ଥ ରହିବା ସହ ନିଜ ମନକୁ ସୁସ୍ଥ ରଖିବା ଉଚିତ। ପ୍ରତିଦିନ ୩୦ ମିନିଟ ଶାରିରୀକ ପରିଶ୍ରମ ସହ ୧୫ ମିନିଟ ଧ୍ୟାନ କରିବାକୁ କହିଛନ୍ତି। ଉଜ୍ଜଳ ଭବିଷ୍ୟତ ଲାଗି ଦିନକୁ ୧୪ ଘଣ୍ଟା ପରିଶ୍ରମ କରିବାକୁ କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ସୋସିଆଲ ମିଡିଆରେ ସମୟ ଅପଚୟ ନକରିବାକୁ ଛାତ୍ରଛାତ୍ରୀଙ୍କୁ ସେ କହିଛନ୍ତି। ସେହିପରି ବାପାମାଆ ଓ ଗୁରୁଜନଙ୍କ କଥା ମାନି ସେମାନଙ୍କୁ ସମ୍ମାନ ଦେବାକୁ କହିଛନ୍ତି। କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ ବୋଲି ସେ କହିଛନ୍ତି। ଆତ୍ମବିଶ୍ବାସ ରଖି କଠିନ ପରିଶ୍ରମ କଲେ ଭବିଷ୍ୟତ ଉଜ୍ଜଳ ହେବା ସହ ସ୍ବପ୍ନ ସାକାର କରିବେ। ସରକାରୀ ସ୍କୁଲରେ ପଢି ସଫଳତା ପାଇଛନ୍ତି ଅନୁପମ ଶାହା, ସତ୍ୟବ୍ରତ ଭୋଇ, ପିନାକ ମିଶ୍ର। ଛାତ୍ରଛାତ୍ରୀ ନିଜ ପ୍ରତି ବିଶ୍ବସ୍ତ ହୁଅନ୍ତୁ, ବହୁତ ଉପରକୁ ଯିବେ ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ବ୍ୟାଙ୍କ କର୍ମଚାରୀ ବିଷ୍ଣୁ ପ୍ରସାଦ ଗୌଡ଼ ହତ୍ୟାକାଣ୍ଡ; ଅଭିଯୁକ୍ତ ଡାକ୍ତରଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ

ବ୍ରହ୍ମପୁର: ବ୍ରହ୍ମପୁର ବ୍ୟାଙ୍କ କର୍ମଚାରୀ ବିଷ୍ଣୁ ପ୍ରସାଦ ଗୌଡ଼ ହତ୍ୟାକାଣ୍ଡର ଦୋଷୀଙ୍କୁ ଆଜୀବନ ଜେଲଦଣ୍ଡ। ମୁଖ୍ୟ ଦୋଷୀ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ଆଜୀବନ ଜେଲ ସହ ୧୦ଲକ୍ଷ ଟଙ୍କା ଜୋରିମାନା। ଏହି ମାମଲାର ଅନ୍ୟଦୁଇ ସହଯୋଗୀ ଗଙ୍ଗା ବେହେରା ଓ ବିଧାନ ସେଠୀଙ୍କୁ ୨ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଅତିରିକ୍ତ ଜିଲା ଦୌରା ଜଜ୍। ୨୦୧୮  ଅକ୍ଟୋବର ୧୮ ତାରିଖରେ ତ୍ରିକୋଣୀୟ ପ୍ରେମକୁ କେନ୍ଦ୍ର କରି ବିଷ୍ଣୁ ଗୌଡ଼ଙ୍କୁ ଡାକ୍ତରଙ୍କ କ୍ଲିନିକରେ ହତ୍ୟା କରାଯାଇଥିଲା।

ପ୍ରେମ ଫାଶରେ ପଡି ଡାକ୍ତର ପାଲଟି ଯାଇଥିଲେ ସଇତାନ। ଡାକ୍ତରୀ ସେବାରୁ ବନିଥିଲା ଅପରାଧୀ। ମୃତଦେହ ଉଦ୍ଧାର ପରେ ପଦାକୁ ଆସିଥିଲା ଭଦ୍ର ଚେହେରା । ନିଜ କ୍ଲିନିକ୍ ର  ନର୍ସଙ୍କୁ ପ୍ରେମ କରିବା ପରେ, କଣ୍ଟା ସାଜିଥିବା ନର୍ସଙ୍କ ପ୍ରେମିକକୁ ଡାକ୍ତର ନିଜେ କରିଥିଲେ ବିଭତ୍ସ ହତ୍ୟା। ଡାକ୍ତର, ବିଷ୍ଣୁଙ୍କୁ ନିଜ କ୍ଲିନିକକୁ ଡାକି ସେଠାରେ ନିଶା ଦେଇ ହତ୍ୟା କରିବା ପରେ ତାଙ୍କ ଶରୀରକୁ କ୍ଲିନିକାଲ ବ୍ଲେଡ଼ରେ ଖଣ୍ଡ ଖଣ୍ଡ କରି କାଟି ଦେଇଥିଲେ। ପରେ ଡାକ୍ତର ତ୍ରିପାଠୀ ତାଙ୍କର ଅନ୍ୟ ଦୁଇ ସହଯୋଗୀ ଗଙ୍ଗା ବେହେରା ଓ ବିଧାନ ସେଠୀଙ୍କ ସହାୟତାରେ ସହର ଉପକଣ୍ଠ ବଡଡିମୁଳା ନେଇଯାଇଥିଲେ।

ପରବର୍ତ୍ତୀ ସମୟରେ ବୈଦ୍ୟନାଥପୁର ପୋଲିସ, କ୍ଲିନିକର ଆବର୍ଜନା ପକାଯାଉଥିବା ସ୍ଥାନରୁ ବିଷ୍ଣୁଙ୍କ ଖଣ୍ଡ ବିଖଣ୍ଡ ମୃତଦେହ ଉଦ୍ଧାର କରାଯାଇଥିଲା।  ମୃତ ଯୁବକ ଜଣକ ଖଲ୍ଲିକୋଟ ଥାନା ବାଣିଆ ଗ୍ରାମର ବ୍ୟାଙ୍କ କର୍ମଚାରୀ ବିଷ୍ଣୁ ପ୍ରସାଦ ଗୌଡ଼ । ହତ୍ୟାକାଣ୍ଡ ଏତେ ବିଭତ୍ସ ଥିଲା ଯେ, ଗୋଟିଏ କୂଅରୁ ବିଷ୍ଣୁଙ୍କ ମୁଣ୍ଡ ଓ ଗୋଡ଼ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଏକ କୂଅରୁ ଶରୀରର ବାକି ଅଂଶ ମିଳିଥିଲା।

ରାଜ୍ୟର କୃଷି ପ୍ରଗତିରେ ମହିଳାଙ୍କ ବଡ଼ ଯୋଗଦାନ ରହିଛି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟର କୃଷି ପ୍ରଗତିରେ ମହିଳାଙ୍କ ବଡ଼ ଯୋଗଦାନ ରହିଛି। ମହିଳା ଚାଷୀ ବର୍ଷ ବର୍ଷ ଧରି ଓଡ଼ିଶାର କୃଷି ଅର୍ଥନୀତିକୁ ପ୍ରଗତି ପଥରେ ଆଗେଇ ନେଇଛନ୍ତି। ମହିଳା ଚାଷୀଙ୍କୁ ସମ୍ମାନ ଦେବା ଆମ ସମସ୍ତଙ୍କ ଦାୟିତ୍ବ। ମା’ମାନଙ୍କ ସଶକ୍ତିକରଣ କେବଳ ପରିବାରକୁ ନୁହେଁ, ସାରା ସମାଜକୁ ସଶକ୍ତ କରେ। ଚଳିତ ବର୍ଷ  କୃଷି ଓଡ଼ିଶା ୨୦୨୪ ଉଦଘାଟନୀ ଅବସରରେ ଏପରି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସାରା ରାଜ୍ୟର ଚାଷୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।  କୃଷି ଉଦ୍ୟୋଗ କ୍ଷେତ୍ରରେ ସେମାନଙ୍କ ପାଇଁ ବହୁତ ସୁଯୋଗ ଅଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ମିଲେଟ ମିଶନ, କଫି ମିଶନ ଆଦି ଅନେକ ଯୋଜନା ଚାଲିଛି । ଏହାର ସୁଯୋଗ ନେବାକୁ ମହିଳାଙ୍କୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ। କାଳିଆ ବୃତ୍ତିର ପରିସରକୁ ଆହୁରି ବ୍ୟାପକ କରାଯାଇଛି। ଫଳରେ ଆହୁରି ଅଧିକ ଚାଷୀ ପରିବାରର ପିଲା ବୃତ୍ତି ପାଇପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଭବନ ଏବଂ IMAGEର ନୂଆ କ୍ୟାମ୍ପସ ପାଇଁ ଭିତ୍ତି ରଖିଥିଲେ। ୧୧୩ କୋଟି ଟଙ୍କା ବିନିଯୋଗରେ ଏହି କ୍ୟାମ୍ପସ  ଶିରିପୁରଠାରେ ପ୍ରତିଷ୍ଠା କରାଯାଉଛି । ସେହିପରି କୃଷି ଉଦ୍ୟୋଗ ଭବନ ନୂଆପଲ୍ଲୀଠାରେ ପ୍ରତିଷ୍ଠା କରାଯାଉଛି। ଏଥିପାଇଁ ୨୮ କୋଟି ଟଙ୍କା ବିନିଯୋଗ କରାଯିବ। ମୁଖ୍ୟମନ୍ତ୍ରୀ ବିଶିଷ୍ଟ କୃଷି ବିଜ୍ଞାନୀ ଡ. ସ୍ବାତୀ ନାୟକଙ୍କୁ ସମ୍ମାନିତ କରିଥିଲେ। ଏହା ସହିତ ଅଭିନବ କୃଷି ଯନ୍ତ୍ରପାତି ପ୍ରୋତ୍ସାହନ ଯୋଜନାରେ ୧୭ ଜଣ କୃଷକଙ୍କୁ ପୁରସ୍କୃତ କରିବା ସହ  ୧୦ ଜଣ ସଫଳ ମହିଳା ଚାଷୀଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର କୃଷି ଋଣ ମଡ୍ୟୁଲର ‘ସଫଳ ପୋର୍ଟାଲ’ର ଶୁଭାରମ୍ଭ କରିଥିଲେ। ଏହା ଦ୍ବାରା ଚାଷୀମାନେ ଖୁବ୍ ଶୀଘ୍ର ଓ ସୁବିଧାରେ ଫସଲ ଋଣ ପାଇପାରିବେ। ୧୯୯୯ରେ କୃଷି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବ୍ୟୟ ରାଜ୍ୟ ବଜେଟ୍‌ର ମାତ୍ର ୪.୬୬ ପ୍ରତିଶତ ଥିବାବେଳେ ଆଜି ଏହା ୧୧ ପ୍ରତିଶତ ହୋଇପାରିଛି। କୃଷି କ୍ଷେତ୍ରରେ ଏହି ବ୍ୟାପକ ବିନିଯୋଗ ଯୋଗୁ ଆଜି ରାଜ୍ୟର ସବୁ କ୍ଷେତ୍ରରେ ପ୍ରଗତି ଆସିଥିବା କହିଛନ୍ତି କୃଷି ମନ୍ତ୍ରୀ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ, ଜାଣନ୍ତୁ କ’ଣ ରହିଛି କାର୍ଯ୍ୟସୂଚୀ…

ପୁରୀ: ସଜେଇ ହେଲାଣି ଶ୍ରୀକ୍ଷେତ୍ର । ଝଟକିଲାଣି ବଡ଼ଦାଣ୍ଡ । ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଆଜିଠୁ ଆରମ୍ଭ ହେଉଛି ଯଜ୍ଞ ପ୍ରକ୍ରିୟା । ଲୋକାର୍ପଣ ଉତ୍ସବ ପାଇଁ ଆଜି ଅଙ୍କୁରାରୋପଣ ହୋଇଛି। ଗଜପତି ମହାରାଜା ଯଜ୍ଞ ପାଇଁ ଆଚାର୍ଯ୍ୟ ବରଣ କରିଛନ୍ତି ।

ସୂଚନା ଅନୁଯାୟୀ, ୧୩ ତାରିଖ ଦିନ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅଙ୍କୁରପୂଜନ ହେବ। ୧୪ ତାରିଖ ଦିନ ୧୦ଟାରୁ ରାତି ୮ଟା ମଧ୍ୟରେ ଅଙ୍କୁରପୂଜନ, ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ବଜା ସ୍ଥାପନ, ତୋରଣ ସ୍ଥାପନ କରାଯିବ। ୧୫ ତାରିଖରେ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ବାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ, ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାରାୟଣ ଓ ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ହେବ । ଅପରାହ୍ନ ୩ଟାରୁ ବୈଷ୍ଣବାଗ୍ନି ସଂସ୍କାର, ହବନ, ଆରତି, ପୁଷ୍ପାଞ୍ଜଳି, ପ୍ରଦକ୍ଷିଣ କରାଯିବ।

୧୬ ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ଶାଳ ପ୍ରବେଶ, ପଞ୍ଚକର୍ମ, ମଣ୍ଡଳପୂଜା, ହବନ, ଆରତି, ପୁଷ୍ପାଞ୍ଜଳି ପ୍ରଦକ୍ଷିଣ କରାଯିବ। ୧୭ ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା କରାଯିବ। ପରେ ଅପରାହ୍ନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ କରାଯିବ। ଅପରାହ୍ନ ୧ଟା ୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୁତି, ଆରତି ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯିବ। ଅପରାହ୍ନ ୨ଟାରୁ ୨ଟା୩୦ ମଧ୍ୟରେ ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା କରାଯିବ। ଅପରାହ୍ନ ୨ଟା ୩୦ରୁ ୩ଟା ପର୍ଯ୍ୟନ୍ତ ସଭାଗୃହରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ। ଅପରାହ୍ନ ୩ଟା ପରେ ସର୍ବସାଧାରଣ ପରିକ୍ରମା ମାର୍ଗକୁ ଯାଇପାରିବେ। ସେହିପରି ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଇଟ୍ ଏବଂ ସାଉଣ୍ଡ ସୋର ବ୍ୟବସ୍ଥା କରାଯାଇଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ; ଆରମ୍ଭ ହୋଇଛି ଅଙ୍କୁରାରୋପଣ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ। ଆରମ୍ଭ ହୋଇଛି ଅଙ୍କୁରାରୋପଣ। ଆଚାର୍ଯ୍ୟ ବରଣ ଅବସରରେ ଗଜପତି ମହାରାଜ କହିଛନ୍ତି ଯେ, ୭ ଶହ ବର୍ଷ ପରେ ଶ୍ରୀମନ୍ଦିରର ରୂପାନ୍ତରଣ ସମ୍ଭବ ହୋଇଛି। ପରିକ୍ରମା ଉତ୍ସବକୁ ସୁରୁଖୁରୁରେ ସମ୍ପନ୍ନ ଲାଗି ସବୁସ୍ତରରେ ପଦକ୍ଷେପ ନିଆଯାଇଛି।

୧୭ ତାରିଖ ପୌଷ ଶୁକ୍ଳ ପକ୍ଷ ଶୁଭଦିନରେ ହବ ପୂର୍ଣ୍ଣାହୁତି। ୧୫,୧୬, ୧୭ରେ ହୋମଯଜ୍ଞ ହେବ। ଯଜ୍ଞଶାଳାରେ ୪୮ ବ୍ରାହ୍ମଣ ବରଣ ହେବେ। ଚାରି ଦ୍ବାରରେ ବେଦପାଠ ହେବ। ୬୦ ପଣ୍ଡିତ ଚାରି ବେଦ ପାଠ କରିବେ। ବିଶ୍ରାମ ଲାଗି ମଧ୍ୟ ବ୍ୟବସ୍ଥା ରହିଥିବା ବେଳେ ବାହାରେ ଭକ୍ତଙ୍କ ଲାଗି ସୁବିଧା କରାଯାଇଛି। ଅଘଟଣ ଘଟିଲେ କୌଣସି ସ୍ଥାନରେ ପହଞ୍ଚିବା ଲାଗି ଅଗ୍ନିଶମ ବାହିନୀ ଲାଗି କଷ୍ଟ ହେବ ନାହିଁ। ପୂର୍ବାପେକ୍ଷା ସ୍ଥିତିରେ ଅନେକ ପରିବର୍ତ୍ତନ ହୋଇଛି। ଆଗରୁ ସେମାନଙ୍କ ଲାଗି ଅସୁବିଧା ଥିଲା ମାତ୍ର ବର୍ତ୍ତମାନ ଦୂର ହୋଇଛି।

 

ଓଡିଶା ଉପକୂଳରୁ ପରୀକ୍ଷା ହେଲା ଆକାଶ ମିସାଇଲର ନ୍ୟୁ ଜେନେରେସନ ଭର୍ସନ

ଭୁବନେଶ୍ୱର: ଓଡିଶା ଉପକୂଳରୁ ପରୀକ୍ଷା ହେଲା ଆକାଶ ମିସାଇଲର ନ୍ୟୁ ଜେନେରେସନ ଭର୍ସନ। ସକାଳ ୧୦ଟା ୩୦ ମିନିଟରେ ହୋଇଛି ପରୀକ୍ଷଣ। ସଫଳତାର ସହିତ ଟାର୍ଗେଟ ହିଟ୍ କରିଥିବା ନେଇ ସୂଚନା ଦେଲା ଡିଆରଡିଓ। ଏନେଇ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଦ୍ବାରା ନୂତନ ଜେନେରେସନ୍ AKASH NGର ଏକ ସଫଳ ଉଡ଼ାଣ ପରୀକ୍ଷା କରାଯାଇଛି।

ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ ଚାନ୍ଦିପୁରରୁ କ୍ଷେପଣାସ୍ତ୍ର  ପରୀକ୍ଷଣ କରାଯାଇଛି। ଏହି କ୍ଷେପଣାସ୍ତ୍ର ଟାର୍ଗେଟକୁ ସଫଳତାର ସହ ଧ୍ବଂସ କରିବାରେ ସଫଳ ହୋଇଥିବା ପ୍ରତିରକ୍ଷା ବିଭାଗ ତରଫରୁ କୁହାଯାଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ମିସାଇଲ ରେଡିଓ ଫ୍ରିକ୍ୱେନ୍ସି, ଲଞ୍ଚର୍, ମଲ୍ଟି ଫଙ୍କସନ୍ ରାଡାର ଏବଂ କମାଣ୍ଡ, କଣ୍ଟ୍ରୋଲ୍ ଆଣ୍ଡ କମ୍ୟୁନିକେସନ୍ ସିଷ୍ଟମ ସହିତ ସମସ୍ତ ନିର୍ଦ୍ଧାରିତ ଟାର୍ଗେଟ ଛୁଇଁ ପାରିଛି । ଏହି ବିମାନ ପରୀକ୍ଷା ସମୟରେ DRDO, ଭାରତୀୟ ବାୟୁସେନା, ଭରତ ଡାଇନାମିକ୍ସ ଲିମିଟେଡ୍ ଏବଂ ଭରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ରର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। AKASH-NG ପ୍ରଣାଳୀ ହେଉଛି ଏକ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପ୍ରଣାଳୀ ଯାହା ଉଚ୍ଚ ଗତି, ଚତୁର ବାୟୁ ବିପଦକୁ ରୋକିବାରେ ସକ୍ଷମ ହୋଇପାରିବ । ପରୀକ୍ଷଣର ସଫଳତାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ DRDO, IAF, PSU କୁ ପ୍ରଶଂସା କରିଛନ୍ତି।

 

ଡାକ୍ତରଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ, ସୁନ୍ଦର ଓ ସ୍ପଷ୍ଟ ଭାବେ ଲେଖନ୍ତୁ ପ୍ରେସକ୍ରିପସନ

ଭୁବନେଶ୍ୱର: ପଢ଼ି ହେଉଥିବା ଭଳି ଅକ୍ଷରରେ ଲେଖନ୍ତୁ ପ୍ରେସକ୍ରିପସନ। କିମ୍ବା ଟାଇପ୍ ହୋଇଥିବା ପ୍ରେସକ୍ରିପସନ୍ ଦିଅନ୍ତୁ ଡାକ୍ତର। ଏନେଇ ସବୁ ସରକାରୀ ଓ ଘରୋଇ ଡାକ୍ତରଙ୍କୁ ମୁଖ୍ୟ ଶାସନ ସଚିବ ଦେଇଛନ୍ତି ନିର୍ଦ୍ଦେଶ। ପୋଷ୍ଟମର୍ଟମ ରିପୋର୍ଟକୁ ମଧ୍ୟ କ୍ୟାପିଟାଲ ଲେଟର କିମ୍ବା ସ୍ପଷ୍ଟ ଅକ୍ଷରରେ ଲେଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

ସ୍ପଷ୍ଟ ଅକ୍ଷର ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଦେଇଥିବା ରାୟ ଆଧାରରେ ସବୁ ଡାକ୍ତରଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ। ବିଭିନ୍ନ ସମୟରେ ପୋଷ୍ଟମର୍ଟମ ରିପୋର୍ଟ ଓ ପ୍ରେସକ୍ରିପସନ୍ ଖାମଖିଆଲି ଭାବେ ଲେଖାଯାଉଛି। ଏହାଦ୍ୱାର ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ମଧ୍ୟ ଆଇନଗତ ଅସୁବିଧା ହେଉଛି।

ଡାକ୍ତରମାନେ ଅସ୍ପଷ୍ଟ ଅକ୍ଷରରେ ଲେଖିବା ଯୋଗୁ ସାଧାରଣ ଲୋକ, ବିଚାରବିଭାଗୀୟ ଅଧିକାରୀମାନେ ଅସୁବିଧାରେ ପଡୁଛନ୍ତି। ଏହି ଧରଣର ଲେଖା ଡାକ୍ତରମାନଙ୍କ ଏକ ଫେସନରେ ପରିଣତ ହୋଇଛି। ଏହାକୁ ନେଇ ସମସ୍ତ ମେଡିକାଲ ସେଣ୍ଟର, ପ୍ରାଇଭେଟ କ୍ଲିନିକ, ମେଡିକାଲ କଲେଜ ଓ ହସ୍ପିଟାଲକୁ ନିର୍ଦ୍ଦେଶ ଜାରି ହୋଇଛି। ସ୍ପଷ୍ଟ ଅକ୍ଷର କିମ୍ବା ସ୍ବତନ୍ତ୍ର ପ୍ରକାର ଫର୍ମରେ ପ୍ରେସକ୍ରିପସନ, ମେଡିକୋ-ଲିଗାଲ ରିପୋର୍ଟ ଲେଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।