ପୁରୀ: ଆଜି ବସିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ତଦାରଖ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଅପରାହ୍ନରେ ସ୍ବତନ୍ତ୍ର କମିଟି ସହ ଆଲୋଚନା କରିବେ ପୂର୍ବତନ ବିଚାରପତି ଜଷ୍ଟିସ ଅରଜିତ ପଶାୟତ। ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ୧୨ ଜଣିଆ କମିଟିର ଏହା ପ୍ରଥମ ବୈଠକ ହେବାକୁ ଥିବା ବେଳେ, ରତ୍ନ ଭଣ୍ଡାରର ସ୍ଥିତି ଓ ଏହାର ମରାମତି ନେଇ ସମୀକ୍ଷା କରାଯିବ। ଏଥିରେ ଥିବା ମୂଲ୍ୟବାନ ରତ୍ନ ଗଣତି ନେଇ ମଧ୍ୟ ଆଲୋଚନା ହୋଇପାରେ। ତେବେ ଆଗାମୀ ରଥଯାତ୍ରା ସମୟରେ ରତ୍ନ ଭଣ୍ଡାରର ମରାମତି ଓ ଗଣତି ନେଇ ଏକ ପ୍ରକାର ଯୋଜନା ରହିଥିବା ଆଶଙ୍କା କରାଯାଉଛି। ଶେଷ ଥର ପାଇଁ 1978 ମସିହାରେ ରତ୍ନ ଭଣ୍ଡାର ଖୋଲାଯାଇଥିଲା। ବିଶିଷ୍ଟ ହୃଦ ରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା କମିଟିର ଉପଧକ୍ଷ ରହିଥିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସଦସ୍ୟ ଆବାହକ ରହିଛନ୍ତି। ସେହିପରି କମିଟିରେ ପୁରୀ ଜିଲ୍ଲାପାଳ,ଏସପିଙ୍କ ସମେତ, ଗଜପତି ମହାରାଜାଙ୍କ ପ୍ରତିନିଧି, ତିନି ଜଣ ସେବାୟତ ପ୍ରତିନିଧି, ଏଏସଆଇ ସଦସ୍ୟ ପ୍ରତିନିଧି, ଭଣ୍ଡାର ମେକାପ ପ୍ରମୁଖ ରହି ରତ୍ନ ଅଳଙ୍କାର ସୁରକ୍ଷା ନେଇ ବିହିତ ପଦକ୍ଷେପ ନେବେ।
ଭାରତ ଓ ଇଂଲଣ୍ଡ ଟେଷ୍ଟର ତୃତୀୟ ଦିନ, ଆଜି ୮ ୱିକେଟ୍ ୪୭୩ ରନରୁ ଖେଳ ଆରମ୍ଭ କରିବ ଭାରତ
ଧର୍ମଶାଳା: ଭାରତ ଓ ଇଂଲଣ୍ଡ ପଞ୍ଚମ ତଥା ଅନ୍ତିମ ଟେଷ୍ଟର ତୃତୀୟ ଦିନ । ଆଜି ୮ ୱିକେଟ୍ ୪୭୩ ରନରୁ ଖେଳ ଆରମ୍ଭ କରିବ ଭାରତ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଛି ମ୍ଯାଚ । ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ୮ଟି ୱିକେଟ୍ ହରାଇ ୪୭୩ ରନ୍ ସଂଗ୍ରହ କରିଥିଲା ଭାରତ । ଇଂଲଣ୍ଡ ବିପକ୍ଷରେ ପ୍ରଥମ ପାଳିରେ ଘରୋଇ ଟିମ୍ ୨୫୫ ରନରେ ଅଗ୍ରଣୀ ରହିଛି । ଗତକାଲି ଅଧିନାୟକ ରୋହିତ ଶର୍ମା ଓ ଶୁବମନ ଗିଲ ଶତକ ହାସଲ କରିଥିଲେ । ଉଭୟେ ଦ୍ବିତୀୟ ୱିକେଟ୍ ପାଇଁ ୧୭୧ ରନର ଭାଗିଦାରୀ କରିଥିଲେ ।
ରୋହିତ ୧୩ଟି ଚୌକା ଓ ୩ଟି ଛକା ବଳରେ ୧୦୩ ରନ୍ ଓ ଗିଲ୍ ୧୨ଟି ଚୌକା ଓ ୫ଟି ଛକା ସହାୟତାରେ ୧୧୦ ରନ୍ କରିଥିଲେ । ସେହିପରି ଯୁବ ବ୍ଯାଟ୍ସମ୍ଯାନ ଦେବଦତ୍ତ ପଡିକଲ ଓ ସର୍ଫରାଜ ଖାନ୍ ଅର୍ଦ୍ଧଶତକ ହାସଲ କରିଥିଲେ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ୨୭ ରନ କରି କୁଲଦୀପ ଯାଦବ ଓ ୧୯ ରନ କରି ଯଶପ୍ରୀତ ବୁମରା ଅପରାଜିତ ଅଛନ୍ତି । ଇଂଲଣ୍ଡ ଟସ୍ ଜିଣି ଗୁରୁବାର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ଭାରତୀୟ ସ୍ପିନରଙ୍କ ଘାତକ ବୋଲିଂ ଯୋଗୁଁ ୫୭.୪ ଓଭରରେ ୨୧୮ ରନ୍ କରି ଅଲ୍ଆଉଟ୍ ହୋଇଥିଲା ।
ଅନ୍ୟ ବିଷୟ ପଢ଼ାଇବାକୁ ମନା କରିବାରୁ ସ୍କୁଲରେ ଶିକ୍ଷୟିତ୍ରୀଙ୍କ ଚୁଟି ଟାଣି ପିଟିଲେ ପ୍ରଧାନ ଶିକ୍ଷୟିତ୍ରୀ
ଗାଜିଆବାଦ: ଶିକ୍ଷୟିତ୍ରୀଙ୍କ ଚୁଟି ଟାଣି ପିଟିଲେ ପ୍ରଧାନ ଶିକ୍ଷୟିତ୍ରୀ । ତାଙ୍କୁ ଜାତିଆଣ ଆକ୍ଷେପ ବି କଲେ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ଗାଜିଆବାଦ ଜିଲ୍ଲାରେ । ଜଣେ କମ୍ପ୍ୟୁଟର ଶିକ୍ଷୟିତ୍ରୀ ପ୍ରଧାନ ଶିକ୍ଷୟିତ୍ରୀଙ୍କ କଥା ମାନିଲେନି ବୋଲି ତାଙ୍କୁ ସମସ୍ତଙ୍କ ସମ୍ନାରେ ଚୁଟି ଟାଣି ପିଟିଛନ୍ତି ।
ସୂଚନା ଅନୁସାରେ, ଶିକ୍ଷୟିତ୍ରୀ ଆଂଶିକା କମ୍ପ୍ୟୁଟର ପଢ଼ାନ୍ତି । ଗତ ୪ ତାରିଖରେ ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କୁ କମ୍ପ୍ୟୁଟର ବ୍ୟତିତ ଅନ୍ୟ ବିଷୟ ପଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏ ନେଇ ସେ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଜଣାଇଥିଲେ । ଅଧିକାରୀ ଏହାକୁ ମନା କରିବା ସହ ତାଙ୍କୁ କେବଳ କମ୍ପ୍ୟୁଟର ପଢ଼ାଇବାକୁ କହିଥିଲେ । ଏହା ପରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସେଠାରେ ପହଞ୍ଚି ଚୁଟି ଟାଣି ତାଙ୍କୁ ପିଟାପିଟି କଲେ । ଏହା ସହ ତାଙ୍କ ଜାତିକୁ ନେଇ ବି ଆକ୍ଷେପ କରିଥିଲେ । ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତିଦନ୍ତ କରୁଛି ।
ଦୁର୍ଘଟଣାରେ ବାପା ଝିଅଙ୍କ ମୃତ୍ୟୁ, ଗୋଟିଏ ଜୁଇରେ ଜଳିଲା ବାପା ଝିଅଙ୍କ ମୃତଦେହ
ଜୟପୁର: ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ବାପା ଝିଅଙ୍କ ଜୀବନ । ଗୋଟିଏ ଜୁଇରେ ଜଳିଲା ବାପା ଝିଅଙ୍କ ମୃତଦେହ । ରାଜସ୍ଥାନର ଟୋଙ୍କ ଜିଲ୍ଲାରେ ଗତ ରାତିରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଏକ କାର୍ ଯୋଗେ ବିବାହ କାର୍ଯ୍ୟରୁ ଯୋଗ ଦେଇ ଫେରୁଥିଲା ବେଳେ ପରିବାରର ଦୁଇ ଜଣଙ୍କ ଜୀବନ ଚାଲିଯାଇଛି । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁସାରେ ରାଜସ୍ଥାନର ପଚେଓ୍ବର ଗାଁର ଗମ୍ଭୀର ମଲ ଜୈନ ନିଜ ପରିବାର ସହ ଜଣେ ସମ୍ପର୍କୀୟଙ୍କ ବିବାହରେ ଯୋଗ ଦେବାକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ବାଜୋଲାବ ଗାଁ ନିକଟରେ କାରଟି ନିୟନ୍ତ୍ରଣ ହରାଇ ପୋଲ ବାଡାରେ ପିଟି ହୋଇଯାଇଥିଲା ।
ଦୁର୍ଘଟଣା ଏତେ ଜୋର ଥିଲା ଯେ ଘଟଣାସ୍ଥଳରେ ଗାଡ଼ି ଚଳାଉଥିବା ଗମ୍ଭୀର ମଲ ଜୈନ ଓ ପଛରେ ବସିଥିବା ତାଙ୍କ ଝିଅଙ୍କ ମୃତ୍ୟୁ ହୋଇଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ସେଠାରେ ପହଞ୍ଚି କାରରୁ ସମସ୍ତଙ୍କୁ ବାହାର କରି ମେଡିକାଲ ପଠାଇଥିଲେ । ମେଡିକାଲରେ ଡାକ୍ତର ବାପା ଝିଅଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ଏବେ ଚିକିତ୍ସାଧିନ ଅଛନ୍ତି ।
ଉଭୟ ବାପା ଝିଅଙ୍କ ଜୁଇ ଏକା ସହ ଜଳିଛି । ଏହି ଘଟଣା ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଗମ୍ଭୀର ମଲ ଜୈନଙ୍କ ଆଖି ଲାଗି ଯାଇ ଥିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ପେଟ୍ରୋଲ ପମ୍ପରେ ଅସାମାଜିକ ଯୁବକଙ୍କ ଗୁଣ୍ଡାଗିରି, ପମ୍ପ ଜାଳି ଦେବାକୁ ଉଦ୍ୟମ
ବଲାଙ୍ଗୀର: ବଲାଙ୍ଗୀର ଟାଉନ୍ ଥାନା ନିକଟରେ ଥିବା ପେଟ୍ରୋଲ ପମ୍ପରେ ଅସାମାଜିକ ଯୁବକଙ୍କ ଗୁଣ୍ଡାଗିରି I ଗତକାଲି ସନ୍ଧ୍ୟାରେ ପେଟ୍ରୋଲ ପମ୍ପକୁ ଆସି ଯୁବକ ଜଣକ ହଠାତ୍ ପେଟ୍ରୋଲ ମାଗିଥିଲେ I କେହି କିଛି ବୁଝିବା ପୂର୍ବରୁ ଯୁବକ ଜଣକ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ ମାରିବା ସହ ପମ୍ପ ଜାଳି ଦେବାକୁ ଉଦ୍ୟମ କରିଥିଲା। ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ହାତରେ ଗଭୀର ଆଘାତ ଲାଗିଛି I ପେଟ୍ରୋଲ ପମ୍ପ ମାଲିକ ସନ୍ଦୀପ ଅଗ୍ରୱାଲ ଏନେଇ ଥାନାରେ ଏତଲା ଦେଇଛନ୍ତି I ଆକ୍ରମଣ କରି ଫେରାର୍ ମାରିଥିବା ଯୁବକ ଜଣକ ହେଲେ ବରପାଲିପଡ଼ାର ରୋହନ ଜେନା। ଟାଉନ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଆଜି ପାକିସ୍ତାନ ରାଷ୍ଟ୍ରପତି ନିର୍ବାଚନ, ଅସିଫ ଅଲ୍ଲୀ ଜର୍ଦ୍ଦାରୀ ନୂଆ ରାଷ୍ଟ୍ରପତି ହେବା ଆଶା ଉଜ୍ବଳ
ଇସଲାମାବାଦ: ଆଜି ପାକିସ୍ତାନ ରାଷ୍ଟ୍ରପତି ନିର୍ବାଚନ। ରାଷ୍ଟ୍ରପତି ନିର୍ବାଚନ ସକାଶେ ନ୍ଯାସନାଲ ଆସେମ୍ବ୍ଲିରେ ଉଭୟ ଗୃହର ମିଳିତ ଅଧିବେଶନ ଲାଗି ସମନ ଜାରି କରିଥିଲେ ନବନିର୍ବାଚିତ ବାଚସ୍ପତି ଆୟାଜ ସାଦିକ। ପୂର୍ବତନ ରାଷ୍ଟ୍ରପତି ଅସିଫ ଅଲ୍ଲୀ ଜର୍ଦ୍ଦାରୀ ପ୍ରାୟ ୧୧ ବର୍ଷ ପରେ ପୁଣି ଥରେ ନୂଆ ରାଷ୍ଟ୍ରପତି ହେବା ଆଶା ଉଜ୍ବଳ ରହିଛି। ଅସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ପାଖତୁନ ନେତା ମହମ୍ମଦ ଖାଁ ଆଚାକଜାଇ। ଜର୍ଦ୍ଦାରୀଙ୍କୁ ସମର୍ଥନ କରୁଛନ୍ତି ପାକିସ୍ତାନ ମୁସଲିମ ଲିଗ- ନୱାଜ ଓ ପାକିସ୍ତାନ ପିପୁଲସ ପାର୍ଟି। ଯଦି ଜର୍ଦ୍ଦାରୀ ବିଜୟୀ ହୁଅନ୍ତି ତେବେ ସେ ହେବ ଦ୍ବିତୀୟ ଥର ଲାଗି ରାଷ୍ଟ୍ରପତି। ୨୦୦୮ରୁ ୨୦୧୩ ଯାଏ ଅସିଫ ଥିଲେ ରାଷ୍ଟ୍ରପତି। ସେପଟେ ୭୫ ବର୍ଷ ବୟସ୍କ ଆଚାକଜାଇ ବାଲୁଚସ୍ତାନର ହୋଇଥିବାବେଳେ ସେ ପାଖତୁନଖାୱା ମିଲ୍ଲୀ ଆୱାମି ପାର୍ଟିର ନେତା ଅଛନ୍ତି । ସଂସଦରେ ଆଚାକଜାଇଙ୍କୁ ସମର୍ଥନ କରୁଛନ୍ତି ସୁନ୍ନି ଇତେହାଦ କାଉନସିଲ ।
ଆଜି ବିଭିନ୍ନ ବିଭାଗରେ ନିଯୁକ୍ତ ହେବେ ୧୨ ଶହ ୯୪ ଜଣ ଅଧିକାରୀ
ଭୁବନେଶ୍ବର: ଆଜି ବିଭିନ୍ନ ବିଭାଗରେ ନିଯୁକ୍ତ ହେବେ ୧୨ ଶହ ୯୪ ଜଣ ଅଧିକାରୀ । ନବ ନିଯୁକ୍ତ କର୍ମଚାରୀଙ୍କୁ ଦିଗଦର୍ଶନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅର୍ଥ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, କ୍ରୀଡ଼ା ଓ ଯୁବସେବା ବିଭାଗ, ଇସ୍ପାତ ଓ ଖଣି ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ଗୃହ ବିଭାଗରେ ୧୨ ଶହ ୯୪ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇ ନବନିଯୁକ୍ତ ଅଧିକାରୀଙ୍କୁ ଦିଗଦର୍ଶନ ଦେବେ । ଏହି ଅବସରରେ ଲୋକସେବା ଭବନ ସମ୍ମିଳନୀ କକ୍ଷ ଏବଂ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ନିଯୁକ୍ତି ପର୍ବରେ ନିଯୁକ୍ତି ପତ୍ର ପ୍ରଦାନ କରାଯିବ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୭୨୫ ଜଣ କନିଷ୍ଠ ସହାୟକ, ଅର୍ଥ ବିଭାଗରେ ୧୭୭ ଜଣ ସ୍ଥାନୀୟ ପାଣ୍ଠି ସମୀକ୍ଷକ, ୯୬ ଜଣ ସହକାରୀ ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବା କର ଅଧିକାରୀ, ୭ଜଣ ଉପଖଣ୍ଡ ଆର୍ଥିକ ସେବା ଓ ସଞ୍ଚୟ ଅଧିକାର ନିଯୁକ୍ତି ପାଇବାକୁ ଯାଉଛନ୍ତି । ଅର୍ଥ ବିଭାଗରେ ମୋଟ୍ ୨୮୦ ଜଣ ନୂତନ ଭାବେ ନିଯୁକ୍ତି ପାଇବେ । ଗ୍ରାମ୍ୟ ଉନ୍ନୟନ ବିଭାଗରେ ୧୧୬ ଜଣ କନିଷ୍ଠ ସହାୟକ, ୫ଜଣ କନିଷ୍ଠ କିରାଣୀ ଏବଂ ୮ଜଣ କନିଷ୍ଠ ଷ୍ଟେନୋଗ୍ରାଫର ନିଯୁକ୍ତି ପାଇବେ । ଗ୍ରାମ୍ୟ ଉନ୍ନୟନ ବିଭାଗରେ ମୋଟ୍ ୧୨୯ ଜଣ ନୂତନ ଭାବେ ନିଯୁକ୍ତି ପାଇବେ ।
କ୍ରୀଡା ବିଭାଗରେ କ୍ରୀଡ଼ା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୧୬୦ ଜଣ କୃତୀ କ୍ରୀଡ଼ାବିତଙ୍କୁ ନିଯୁକ୍ତି ଦିଆଯିବ । ଇସ୍ପାତ ଓ ଖଣି ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଗୃହ ବିଭାଗର ବିଭିନ୍ନ ପଦବୀରେ ନିଯୁକ୍ତି ପାଇବେ । ଏହି ଦିଗଦର୍ଶନ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଲ କୁମାର ଦେବ, ବିଦ୍ୟାଳୟ ଓ ଗଣଶିକ୍ଷା ଶାସନ ସଚିବ ଅଶ୍ଵତୀ ଏସ୍ ଉପସ୍ଥିତ ରହିବେ।
ଆଜି କଳିଙ୍ଗ ଇଣ୍ଡୋର ଆଥଲେଟିକ ଷ୍ଟାଡିୟମର ଉଦଘାଟନ କରିବେ ମୁଖ୍ଯମନ୍ତ୍ରୀ
ଭୁବନେଶ୍ବର: ଆଜି କଳିଙ୍ଗ ଇଣ୍ଡୋର ଆଥଲେଟିକ ଷ୍ଟାଡିୟମର ଉଦଘାଟନ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଛି ଦକ୍ଷିଣ ଏସିଆର ପ୍ରଥମ ଇନଡୋର ଆଥଲେଟିକ୍ ଷ୍ଟାଡିୟମ । ଇନଡୋର ଆଥଲେଟିକ୍ ଷ୍ଟାଡିୟମ ସହ ଇଣ୍ଡୋର ଡାଇଭିଂ ସେଣ୍ଟରର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ନବୀନ । ବିଶ୍ବକ୍ରୀଡ଼ାର ସବୁଠାରୁ ବଡ଼ ଇଭେଣ୍ଟ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା । ୨୦୩୬ ଅଲିମ୍ପିକ୍ସ ପାଇଁ ଭାରତ ଦାବିଦାର ଥିବା ବେଳେ ଓଡ଼ିଶା ହେବ ବଡ଼ ଭାଗୀଦାର । ଏଥିପାଇଁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଛି ଦକ୍ଷିଣ ଏସିଆର ପ୍ରଥମ ଇନଡୋର ଆଥଲେଟିକ୍ ଷ୍ଟାଡିୟମ ।
ଆଜି ଏହାକୁ ଉଦଘାଟନ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଠି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ହେବ ଟୁର୍ଣ୍ଣାମେଣ୍ଟ । ଆଥଲେଟିକର ବିକାଶ ଆହୁରି ତ୍ବରାନ୍ବିତ ହେବା ସହ ଖେଳାଳିମାନେ ବର୍ଷ ତମାମ ଅଭ୍ୟାସ କରିବାର ସୁଯୋଗ ପାଇବେ । ଏଥିପାଇଁ କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ସ୍ତରର ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି । ଅତ୍ୟାଧୁନିକ ଜିମ୍ନାଷ୍ଟିକ ହଲ୍, ହାଇପରଫରମାନ୍ସ ସେଣ୍ଟର, ସ୍ପୋର୍ଟ୍ସ କ୍ଲାଇମିଂ ଓ୍ବାଲ୍, ବ୍ୟାଡମିଣ୍ଟନ ଓ ହକି ଉତ୍କର୍ଷ କେନ୍ଦ୍ର, ଫିପା ମାନର ଫୁଟବଲ ଷ୍ଟାଡିୟମ, ସିନ୍ଥେଟିକ ଟ୍ରାକ୍, ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ର ଓ ସନ୍ତରଣାଗାର ଆଦି କ୍ରୀଡ଼ାକ୍ଷେତ୍ରକୁ ସମୃଦ୍ଧ କରିବା ସହ ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । ବିଭିନ୍ନ ଅନ୍ତର୍ଜାତୀୟ ଓ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନ କରି ଦକ୍ଷତା ପ୍ରତିପାଦନ କରିଛି ଓଡ଼ିଶା । ଏବେ ଏହି ତାଲିକାରେ ଯୋଡ଼ିହୋଇଛି ୧୨୦ କୋଟି ଟଙ୍କାରେ ନିର୍ମିତ ଇନଡୋର ଆଥଲେଟିକ୍ ଷ୍ଟାଡିୟମ । ଖେଳାଳିଙ୍କ ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଜାତୀୟ ତଥା ଅନ୍ତର୍ଜାତୀୟ ଆଥଲେଟିକ୍ ଇଭେଣ୍ଟ ବିନା ବାଧାରେ ଆୟୋଜନ ହୋଇପାରିବ ବୋଲି ଅଲିମ୍ପିଆନ ଓ କ୍ରୀଡ଼ା ସମୀକ୍ଷକ କହିଛନ୍ତି ।
ଶିବରାତ୍ରିରେ ସମସ୍ତଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ପବିତ୍ର ଶିବରାତ୍ରି ଅବସରରେ ସମସ୍ତଙ୍କ କଲ୍ଯାଣ କାମନା କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ପବିତ୍ର ମହାଶିବରାତ୍ରି ଅବସରରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପରିସର ଭବ୍ଯ ହୋଇଉଠିଛି । ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଭକ୍ତି ଅନନ୍ଯ ଆଧ୍ଯାତ୍ମିକ ପରିବେଶ ସୃଷ୍ଟି କରିଛି । ପ୍ରଭୁ ଲିଙ୍ଗରାଜ ସମସ୍ତଙ୍କ କଲ୍ଯାଣ କରନ୍ତୁ ।

ସେହିପରି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅପୂର୍ବ ଶୋଭାରାଜିକୁ ପୋଷ୍ଟ କରିଛନ୍ତି ନିଜ ଇନଷ୍ଟାଗ୍ରାମରେ । ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ସହ ଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି ।
ନିର୍ଦ୍ଧାରିତ ସମୟରେ ଉଠିଲା ଲିଙ୍ଗରାଜଙ୍କ ମହାଦୀପ
ଭୁବନେଶ୍ବର: ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିଛି । ନିର୍ଦ୍ଧାରିତ ସମୟରେ ଉଠିଲା ମହାଦୀପ । ରାତି ୧୦ଟା ୧୫ ମିନିଟ ସମୟରେ ଉଠିଲା ମହାଦୀପ । ମହାଦୀପ ମନ୍ଦିର ପରିକ୍ରମା କରିବା ପରେ ଚୂଡ଼ାକୁ ଉଠାଇଥିଲେ ସେବାୟତ । ଓମ୍ ନମଃ ଶିବାୟ ଧ୍ବନୀରେ ଗୁଞ୍ଜରିତ ହେଲା ଭୁବନେଶ୍ବର ଏକାମ୍ର କ୍ଷେତ୍ର ।
ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ମେଳରେ ବାବା ପାଳିଲେ ଜାଗର ଯାତ୍ରା । ମହାଦୀପକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ମଧ୍ଯରେ ଉତ୍ସାହ ପ୍ରକାଶ ପାଇଥିଲା । ନୀତିକାନ୍ତିକୁ ଅତି ଶୃଙ୍ଖଳିତ ଭାବେ ସମାପନ କରିଛନ୍ତି ସେବାୟତ । ନୀତିକାନ୍ତି ସମାପନ ପରେ ରାତି ୧୦ଟାରେ ମନ୍ଦିରରୁ ବାହାରିଥିଲା ମହାଦୀପ । ପୋଲିସ ସୁରକ୍ଷା ବଳୟରେ ମହାଦୀପକୁ ମନ୍ଦିର ପରିକ୍ରମା କରାଇଥିଲେ ସେବାୟତ । ମନ୍ଦିର ପରିସରରେ ଲକ୍ଷାଧିକ ଶ୍ରଦ୍ଧାଳୁ ମହାଦୀପକୁ ଦର୍ଶନ କରିବା ସହ ସେଲଫି ନେଉଥିବା ଦେଖିବାକୁ ମିଳିଥିଲା । ମହାଦୀପ ବାହାରିବା କ୍ଷଣି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦେଖା ଦେଇଥିଲା ଉନ୍ମାଦନା ।
ଘଣ୍ଟଘଣ୍ଟା ଓ ଡମ୍ବରୁ ଶବ୍ଦରେ ପ୍ରକମ୍ପିତ ହୋଇଥିଲା ଶ୍ରୀଲିଙ୍ଗରାଜ ପରିସର । ଅନେକ ସେବାୟତ ହାତରେ ଡମ୍ବରୁ ଧରି ମହାଦୀପ ଆଗେ ଆଗେ ଯାଇଥିଲେ । ମହାଦୀପ ମନ୍ଦିର ପରିକ୍ରମା କରିବା ପରେ ସେବାୟତ ଚୂଡ଼ାକୁ ଏହାକୁ ନେଇଥିଲେ । ୩ ଜଣ ସେବାୟତ ମନ୍ଦିର ଚୂଡ଼ାରେ ମହାଦୀପ ସ୍ଥାପନା କରିବା ସହ ଚୂଡା଼ ପରିକ୍ରମା କରିଥିଲେ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ଜାଗର ଜାଳି ଉପାସନା କରିଥିଲେ । ମନ୍ଦିର ପରିସରରେ ହନୁମାନ ବେଶରେ ଶ୍ରଦ୍ଧାଳୁଙ୍କ ପ୍ରମୁଖ ଆକର୍ଷଣ ସାଜିଥିଲେ ଲିଙ୍ଗରାଜଙ୍କ ଭକ୍ତ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଏକାମ୍ର କ୍ଷେତ୍ରରେ ପହଞ୍ଚିଥିଲେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ସେବାୟତ ଓ ପ୍ରଶାସନ 5T ଅଧ୍ଯକ୍ଷଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ମନ୍ଦିର ଗର୍ଭ ଗୃହରେ ବାବା ଲିଙ୍ଗରାଜଙ୍କୁ ଦର୍ଶନ କରି ଆଶିଷ ନେଇଥିଲେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ତାଙ୍କ ସହ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ବି କରିଥିଲେ ପ୍ରଭୁଙ୍କ ଦର୍ଶନ।

