spot_img
Home Blog Page 2194

ଆଜିଠୁ ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ ମ୍ୟାଚ୍

ବ୍ୟୁରୋ ରିପୋର୍ଟ: ଆଜିଠୁ ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ। ୬ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାର ୱାଇଏସ ରାଜଶେଖର କ୍ରିକେଟ ଷ୍ଟାଡିୟମରେ ମ୍ଯାଚ ଖେଳାଯିବ। ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ପ୍ରଥମ ମ୍ଯାଚ ଜିତି ୧-୦ ରେ ଆଗୁଆ ରହିଛି । ହାଇଦ୍ରାବାଦରେ ପ୍ରଥମ ଟେଷ୍ଟ ଖେଳାଯାଇଥିବାବେଳେ ଏହାକୁ ୨୮ ରନରେ ଇଂଲଣ୍ଡ ଜିତିନେଇଥିଲା। ପ୍ରଥମ ଇଂନିସରେ ୧୯୦ରନ ପଛରେ ଥିଲେ ମଧ୍ଯ ଦ୍ବିତୀଯ ଇଂନିସରେ ଦମଦାର ପ୍ରଦର୍ଶନ କରି ଦଳ ଭାରତକୁ ପରାଜିତ କରିଥିଲା। ଦ୍ବିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳରେ ଦୁଇଟି ପରିବର୍ତ୍ତନ କରିଛି। ଜେମ୍ସ ଆଣ୍ଡରସନ ଦଳକୁ ଫେରିଥିବାବେଳେ ସୋଏବ ବସିର ଡେବ୍ୟୁ କରିବେ।

ସେପଟେ ଦ୍ବିତୀୟ ଟେଷ୍ଟରେ ବଡ ବ୍ଯବଧାନରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ କେ.ଏଲ. ରାହୁଲ ଦଳରୁ ବାଦ ପଡିଛନ୍ତି । ତେବେ ଭାରତୀୟ ସ୍ପିନରଙ୍କୁ ଶକ୍ତି ପ୍ରଦର୍ଶନ କରି ଇଂଲଣ୍ଡକୁ ଜବାବ ଦେବାକୁ ଦଳ ରଣନୀତି କରିଛି ।

ସେକ୍ସ ୱାର୍କରଙ୍କ କାହାଣୀ : ହୀରାମଣ୍ଡି

ସଞ୍ଜୟ ଲୀଲା ଭନ୍ସାଲୀଙ୍କ ବହୁ ପ୍ରତୀକ୍ଷିତ ସିରିଜ୍ ‘ହୀରାମଣ୍ଡି: ଦ ଡାଏମଣ୍ଡ୍ ବଜାର’କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଫେବୃଆରୀ ୧ରେ ଟିଜର ରିଲିଜ୍ ହେବା ପରେ ବଢିଲା ଉତ୍କଣ୍ଠା । ନିଜ ସିରିଜର ଫାଷ୍ଟ ଭିଡିଓ ସେୟାର କଲେ ନିର୍ଦ୍ଦେଶକ ସଞ୍ଜୟ । ମୁଖ୍ୟ ଭୂମିକାରେ ମନୀଷା କୋଇରାଲା, ସୋନାକ୍ଷୀ ସିହ୍ନା, ଅଦିତ୍ୟ ରାଓ ହୈଦରୀ, ରୁଚା ଚଡ୍ଢା ଏବଂ ଅନ୍ୟମାନେ ଅଭିନୟ କରିଛନ୍ତି । ୬ ଜଣ ସୁନ୍ଦରୀଙ୍କ ଲୁକ୍ ଫ୍ୟାନଙ୍କ ମନ କିଣୁଛି । ତେବେ ସିରିଜର ପ୍ରଥମ ଲୁକ୍ ଦମଦାର, ଆକର୍ଷଣୀୟ ଓ ନାଟକୀୟ ହୋଇଥିବାରୁ କାହାଣୀ ବି ଦମଦାର ହୋଇଥିବ ବୋଲି ଆଶା ରଖିଛନ୍ତି ଫ୍ଯାନ୍ । ସିରିଜର ପ୍ରଥମ ଲୁକରେ ରହିନ୍ତି ଦମଦାର୍ ଷ୍ଟାରକାଷ୍ଟ । ବିଳାସପୂର୍ଣ୍ଣ ମହଲ ଓ ସୁନ୍ଦର ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ରହିଛି । ଏତଦବ୍ୟତୀତ ମେଗା ସେଟ, ରାଜକୀୟ ପୋଷାକ, କୋରିଓଗ୍ରାଫି ମଧ୍ୟ ମନଛୁଆଁ । ତେବେ ହୀରାମଣ୍ଡିର କାହାଣୀ ସ୍ବାଧୀନତା ସଂଗ୍ରାମ ସମୟର ରୂପଜୀବୀଙ୍କ ଅସ୍ତିତ୍ବ, ସଂଘର୍ଷ ଓ ପ୍ରେମକୁ ନେଇ କାହାଣୀ ଗତିଶୀଳ ଇନଷ୍ଟାରେ ସିରିଜର ପ୍ରଥମ ଲୁକ୍ ସେୟାର ହୋଇଛି ।

ଟାଟୁ କରୁଥିଲେ ସାବଧାନ! ହୋଇପାରେ କ୍ୟାନସର

ନନ୍ଦିଘୋଷ ବ୍ୟୁରୋ: ଟାଟୁ ମାନିଆ । ସବୁ ବର୍ଗର ଲୋକଙ୍କୁ କ୍ରେଜି କରୁଛି ଟାଟୁ । ପିଲାଙ୍କ ଠାରୁ ବୟସ୍କ ଏମିତିକି ମହିଳା ବି ଟାଟୁ ନିଶାରେ । ଶରୀରର ବିଭିନ୍ନ ଅଙ୍ଗରେ ଟାଟୁ ତିଆରି କରି ଟ୍ରେଣ୍ଡରେ ରହୁଛନ୍ତି ସମସ୍ତେ । ଏମିତିକି ଟାଟୁ ବି ମଣିଷର ପରିଚୟ ଦେଉଛି । ଅର୍ଥାତ୍ ଅନେକ ଦୁର୍ଘଟଣାରେ ଟାଟୁ ଦେଖି ପରିଚୟ ମିଳିପାରୁଛି । କିନ୍ତୁ ଆପଣ ଜାଣନ୍ତି କି ? ଟାଟୁ ଆଣିପାରେ ବିପଦ । ଚର୍ମ ରୋଗ ଠାରୁ HIV ଯାଏଁ ହୋଇପାରନ୍ତି ସଂକ୍ରମିତ । ଟାଟୁରେ ବ୍ୟବହୃତ ଛୁଞ୍ଚି, କେମିକାଲ ଆଦି ରୋଗକୁ ଡାକିଆଣେ । ଟାଟୁ ତିଆରି କରିବା ପାଇଁ ନୀଳ ରଙ୍ଗ କ୍ଷତିକାରକ । ଏଥିରେ ଆଲୁମିନିୟମ ଓ କୋବାଲ୍ଟ ଆଦି ବ୍ୟବହାର ହୋଇଥାଏ । ପିଲାଙ୍କ ତ୍ବଚା ପାଇଁ ଏହା ମାରାତ୍ମକ । ଟାଟୁରେ ବ୍ୟବହୃତ ଛୁଞ୍ଚି ମାଂସପେଶୀକୁ ଦୁର୍ବଳ କରାଏ । ଟାଟୁ କରିବା ପୂର୍ବରୁ ହେପାଟାଇଟିସଲ ବି ଟୀକା ନେବା ଆବଶ୍ୟକ । ଏଭଳିକି ଆଣ୍ଟିବାୟୋଟିକ୍ କ୍ରିମ ଲଗାଇବା ଜରୁରୀ । ଡାକ୍ତରଙ୍କ ପରାମର୍ଶ ନେଇ ଟାଟୁ କରିବାକୁ ଭୁଲନ୍ତୁ ନାହିଁ ।

ଓଡ଼ିଆ ଭାଷା ସମ୍ମିଳନୀ ସହ ଯୋଡ଼ିହେବ ସମସ୍ତ ଗ୍ରାମ ପଞ୍ଚାୟତ ଓ ବ୍ଲକ

ଭୁବନେଶ୍ବର: ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ସହ ଯୋଡ଼ିହେବ ସମସ୍ତ ଗ୍ରାମ ପଞ୍ଚାୟତ ଓ ବ୍ଲକ । ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଗୁଡିକର ହେବ ଲାଇଭ ଷ୍ଟ୍ରିମିଂ । ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ପ୍ରସ୍ତୁତିର ସମୀକ୍ଷା କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି  ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ଜନତା ମୈଦାନ ଓ ଅକ୍ଷର ଭୂମି ପରିଦର୍ଶନ କରି ଚାଲିଥିବା ପ୍ରସ୍ତୁତି କାର୍ଯ୍ୟର ସେ ଅନୁଧ୍ଯାନ କରିଛନ୍ତି । ସମ୍ମିଳନୀରେ ରାଜ୍ୟର ସମସ୍ତ ବ୍ଲକ ଓ ଗ୍ରାମ ପଞ୍ଚାୟତକୁ ଯୋଡିବା ସହିତ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଗୁଡିକର ଲାଇଭ ଷ୍ଟ୍ରିମିଂ, ଭାଷା ଓ ଏହାର ଭବିଷ୍ୟତ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ସମ୍ମିଳନୀରେ ଭାଷା ସମ୍ପର୍କରେ ଯେଉଁ ପ୍ରସ୍ତାବ ଗୃହୀତ ହେବ, ତାକୁ ଭିତ୍ତି କରି ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ଦ୍ଧାରଣ କରି ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି  । ଐତିହ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ସମ୍ମିଳନୀ ଆୟୋଜନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ହେଉଛି ‘ଭାଷା ହିଁ ଭବିଷ୍ୟତ’। ସମ୍ମିଳନୀରେ ବିଭିନ୍ନ ବିଷୟ ଉପରେ  ୧୬ଟି ଆକାଡେମିକ୍ ଅଧିବେଶନ ରହିଛି। ଏଥିରେ ବହୁ ମାନ୍ୟଗଣ୍ୟ ଭାଷାବିତ୍, ବୁଦ୍ଧିଜୀବୀଙ୍କ  ସମେତ  ସ୍କୁଲ, କଲେଜର ଛାତ୍ରଛାତ୍ରୀମାନେ ଯୋଗଦେବେ। ସମ୍ମିଳନୀ ଓଡିଶାର ଅତୀତ ଓ ବର୍ତ୍ତମାନର ରୂପାନ୍ତରଣ ପ୍ରକ୍ରିୟା ଉପସ୍ଥାପିତ କରିବ। ଅକ୍ଷର ଭୂମିରେ ପ୍ରଥମ ଥର ପାଇଁ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ପାଳନ କରାଯିବ । ଐତିହ୍ୟ ନଗରୀ ଭୁବନେଶ୍ୱର କେନ୍ଦ୍ର ସ୍ଥଳରେ ଏହି ସମ୍ମିଳନୀ ଓଡିଆ ଭାଷାର ଜୟଗାନ କରିବ। ଆମ ଭାଷାର ସୌନ୍ଦର୍ଯ୍ୟ ଓ ଖାଣ୍ଡେଲାଇଟ ପଥରରେ ଲିପିବଦ୍ଧ ହୋଇଥିବା କଳିଙ୍ଗ ସ୍ଥାପତ୍ୟର ଅନନ୍ୟ ନିଦର୍ଶନ ଏହା ମାଧ୍ୟମରେ ପ୍ରତିଫଳିତ ହେବ। ଭାଷାପ୍ରେମୀ ବିଶେଷ କରି ଯୁବ ପିଢିଙ୍କ ପାଇଁ ଏହା ହେବ ପ୍ରମୁଖ ଆକର୍ଷଣ ସ୍ଥଳୀ।

ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଓଡ଼ିଆଙ୍କ ଅସ୍ମିତାର ପରିଚୟ

ଭୁବନେଶ୍ବର: ଫେବ୍ରୁଆରୀ ୩ରୁ ୫ଯାଏଁ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ। ପୂରା ବିଶ୍ବରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର, ସଂରକ୍ଷଣ ସହ ସଭିଁଙ୍କ ମନରେ ଓଡ଼ିଆ ଭାଷାପ୍ରେମ ଜାଗ୍ରତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ବିଶାଳ ଭାଷା ମହାକୁମ୍ଭ ରାଜଧାନୀରେ ଆୟୋଜନ ହେବ। ସମ୍ମିଳନୀକୁ ସ୍ମରଣୀୟ କରିବା ପାଇଁ ଉଦଘାଟନ ଉତ୍ସବରେ ଓଡ଼ିଆଙ୍କୁ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିବାକୁ ଅପିଲ କରିଛନ୍ତି ରାଜ୍ୟ ସରକାର। ପ୍ରଥମଥର ପାଇଁ ପୂରା ବିଶ୍ବରେ ଓଡ଼ିଆ ଭାଷାପ୍ରେମ ଜାଗ୍ରତ କରିବାରେ ସମ୍ମିଳନୀ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଭାଷା ଅତୀତର ଅସ୍ତିତ୍ବ । ଭାଷା ହିଁ ଭବିଷ୍ୟତ। ଭାଷା ଗୋଟିଏ ଜାତିର ପରିଚୟ। ପୂରା ବିଶ୍ବରେ ଗୁଞ୍ଜରିତ ହେବ ଓଡ଼ିଆ ଅସ୍ମିତା ଓ ଗୌରବର ଗାଥା। ଦିନକ ପରେ ଭୁବନେଶ୍ବରରେ ଆରମ୍ଭ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ। ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଓଡ଼ିଆଙ୍କ ଅସ୍ମିତାର ପରିଚୟ। ସେଥିପାଇଁ ୩ତାରିଖ ଦିନ ସାଢେ ୧୧ଟାରେ ଏକକାଳୀନ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର। କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଏହି ଲୋକପ୍ରିୟ ସଂଗୀତ ଗାନ ସହ ଉଦଘାଟନ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଉଦଘାଟନଠାରୁ ଉଦଯାପନ ଯାଏଁ ୧୬ଟି ବିଶେଷ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ଅନ୍ତର୍ଜାତୀୟସ୍ତରର ଭାଷାବିତ, ଲେଖକ, ସାହିତ୍ୟିକ ଓ ଭାଷାପ୍ରେମୀ ସାମିଲ ହେବେ। ବନ୍ଦେ ଉତ୍କଳ ଜନନୀ ସଂଗୀତରେ ଓଡ଼ିଶାର ଶ୍ରେଷ୍ଠତ୍ବ ପ୍ରତିପାଦନ କରାଯାଇଛି। ଏଥିରେ କଳା, ସଂସ୍କୃତି, ଐତିହ୍ଯ, ଭାସ୍କର୍ଯ୍ଯ, ପ୍ରାକୃତିକ ସୌନ୍ଦର୍ଯ୍ୟର ବର୍ଣ୍ଣନା କରାଯାଇଛି। ତେଣୁ ପୂରା ବିଶ୍ବରେ ଥିବା ଓଡ଼ିଆମାନେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିବାକୁ ଅନୁରୋଧ କରାଯାଇଛି।

ଭବିଷ୍ୟତ ପିଢିଙ୍କ ପାଖରେ ଓଡ଼ିଆ ଭାଷାର ଆଦର ବଢାଇବା ସହ ଆଧୁନିକ ଜ୍ଞାନକେୌଶଳ ଜରିଆରେ ଭାଷାକୁ ଆଗକୁ ବଢାଇବା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଲକ୍ଷ୍ଯ। ସମ୍ମିଳନୀକୁ ନେଇ ପୁରପଲ୍ଲୀରୁ ବିଦେଶରେ ବାସ କରୁଥିବା ପ୍ରବାସୀ ଓଡ଼ିଆ ବେଶ ଉତ୍ସାହିତ। ପ୍ରଥମ ବିଶ୍ବଭାଷା ସମ୍ମିଳନୀ ପାଇଁ ଭୁବନେଶ୍ଵରର ବିଭିନ୍ନ ସରକାରୀ ବିଦ୍ୟାଳୟ ଗୁଡିକରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଛି l ଭାଷାର ପ୍ରାଚୀନତା, ମୌଳିକତା ଓ ଅସ୍ମିତାକୁ ନେଇ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଉଛି l ବିଭିନ୍ନ ସ୍କୁଲର ସାହିତ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହାର ବିଚାରକ ହେବେ l କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ। ଏଥିସହ ଭାଷା ଭିତ୍ତିକ କାର୍ଯ୍ୟକ୍ରମ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ଯ ଅନୁଷ୍ଠିତ ହେବ l ଏହାସହ ଆଜିଠୁ ବିଏମସି ଅଞ୍ଚଳରେ ବୁଲିବ ଶିକ୍ଷା ରଥ। ଡ୍ରପ ଆଉଟ ପିଲାଙ୍କୁ ବୁଝାଇ ସେମାନେ କେମିତି ସ୍କୁଲ ଫେରିବେ, ସେନେଇ ସଚେତନତା କରାଯିବ ।

 

ଜଗନ୍ନାଥ ରଥ ହେଲେ ରାଜ୍ୟ ସୂଚନା କମିଶନର

ଭୁବନେଶ୍ବର: ବରିଷ୍ଠ ଆଇନଜୀବୀ ଜଗନ୍ନାଥ ରଥଙ୍କୁ ରାଜ୍ୟ ସୂଚନା କମିଶନର ଭାବେ ମିଳିଲା ନିଯୁକ୍ତି । ଏ ନେଇ ରାଜଭବନ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଆଇନଜୀବୀ ଭାବେ ଜଗନ୍ନାଥଙ୍କର ରହିଛି ୨୫ବର୍ଷର ଅଭିଜ୍ଞତା । ଜଗନ୍ନାଥ ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ପୁଅ । ରାଜସ୍ୱ ପର୍ଷଦର ଆଇନ ପରାମର୍ଶଦାତା ଭାବେ ଏବେ ସେ କାମ କରୁଛନ୍ତି । ଶ୍ରୀମନ୍ଦିରର ଅବୈତନିକ ଆଇନ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି ଜଗନ୍ନାଥ ।

 

ପାଲଲହଡା ଉପଖଣ୍ଡରେ ଯୋଡ଼ା ହେଲା ନୂଆ ଅଧ୍ୟାୟ

ପାଲଲହଡା: ଚିକିତ୍ସା କ୍ଷେତ୍ରରେ ପାଲଲହଡା ଉପଖଣ୍ଡରେ ଯୋଡ଼ା ହେଲା ନୂଆ ଅଧ୍ୟାୟ, ପାଲଲହଡା ଉପଖଣ୍ଡ ଚିକିତ୍ସାଳୟ ଠାରେ ନୂଆ ମାଗଣା ଡାୟାଲିସିସ କେନ୍ଦ୍ରକୁ ଭାରଚୁଆଲ ମୋଡ଼ ରେ ଉଦଘାଟନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପକୃତ ହେବେ ଅନୁଗୁଳ, ଦେବଗଡ଼, ଏବଂ କେନ୍ଦୁଝର ସୀମାନ୍ତ ଅଞ୍ଚଳ ର କିଡ଼ନୀ ରୋଗୀ । ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ପାଲଲହଡା ବିଧାୟକ ମୁକେଶ ପାଲ ଏବଂ ଅନୁଗୁଳ ର ଜିଲ୍ଲାପାଳ ମହୋମ୍ମଦ ଅବଦୁଲ ଅଖତାର ଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦ୍ୟମରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଉ ପାଦେ ଆଗେଇଛି । କିଡ଼ନୀ ରୋଗୀ ଙ୍କ ପାଇଁ  ନିଶୁଳ୍କ ରେ ଡାୟଲିସିସ ସେବା ପାଇପାରିବେ l ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିସି ମାଧ୍ୟମରେ ରାଜ୍ୟର ୧୬ ଗୋଟି ଡାୟଲିସିସ ୟୁନିଟ୍ କୁ ଉଦଘାଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ନିର୍ମିତ ହୋଇଥିବା ଡାୟଲିସିସ ସେଣ୍ଟର କୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଡୁଙ୍ଗୁରିପାଲି ଠାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଙ୍କ ସହିତ  ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ଯୋଗ ଦେଇଥିଲେ ।

 

ଏବେ ବି ଚାଲିଛି କଙ୍ଗାରୁ କୋର୍ଟ, ଗାଁ ଲୋକଙ୍କ ଟାହି ଟାପରା ସହିନପାରି ବିଷ ପିଇଦେଲେ..

ନୟାଗଡ଼: ୨୦୨୪ ମସିହାରେ ବସୁଛି ଖାପ ପଂଚାୟତ । ଖାପ ପଞ୍ଚାୟତ ନିଷ୍ପତି ଅନୁସାରେ ପଡୁଛି ଦଣ୍ଡ । କଥା ନଶୁଣିଲେ ବସୁଛି କଙ୍ଗାରୁକୋର୍ଟ । ଟଙ୍କା ନିଆଁ ପାଣି ବାସନ୍ଦ କରାଯାଉଛି  । ଏଭଳି କଙ୍ଗାରୁ କୋର୍ଟ ନିଷ୍ପତ୍ତିକୁ ସହି ନପାରି ଆତ୍ମହତ୍ଯା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି ଯୁବକ । ଏଭଳି ଘଟଣା ଆସିଛି ନୟାଗଡ ଜିଲ୍ଲା ସଦରଥାନା ଚାହାଳି ଗାଁରେ । ସୁବାସ ବେହେରା ଗାଁର ଉପସଭାପତି ଥିଲେ । ତାଙ୍କ ବିରୋଧରେ କିଛି ଅଭିଯୋଗ ଆସିଲା  ।  ଯାହାକୁ ନେଇ ଗାଁରେ ବସିଲା ସଭା । ଚଳିତ ୧୯ ତାରିଖ ଗ୍ରାମବାସୀଙ୍କ ନିଷ୍ପତ୍ତି ଅନୁସାରେ ତାଙ୍କୁ ପାଞ୍ଚ ହଜାର ଟଙ୍କା ଜୋରିମାନା ଓ ଯିଏ ତାଙ୍କ ସାଙ୍ଗରେ କଥାହେବ ତାକୁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି ନିର୍ଦ୍ଦେଶ ଦିଆଗଲା ।  ଏହାକୁ ସହି ନପାରି ଜାନୁଆରୀ ମାସ ୨୭ ତାରିଖ ରାତିରେରେ ସୁବାସ ବିଷ ପିଇ ଦେଇଥିଲେ । ବିଷ ପିଇବା ପୂର୍ବରୁ ଗ୍ରାମବାସୀଙ୍କ ବିରୋଧରେ ଏକ ସୁଇସାଇଟ୍ ନୋଟ ମଧ୍ୟ ଲେଖିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ନୟାଗଡ ଓ ପରେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ସୁବାସଙ୍କ ଝିଅ ଅର୍ଚ୍ଚନାଙ୍କ ଲିଖିତ ଏତଲା ପରେ ସଦର ଥାନା ପୋଲିସ ଗାଁ ର ୪ ଜଣ ଯୁବକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ରମାକାନ୍ତ ମିଶ୍ର, ସନ୍ତୋଷ ବେହେରା, ବଂଶୀଧର ମିଶ୍ର ଓ ମାଗି ବେହେରା। ଆଜି ସେମାନଙ୍କୁ କୋର୍ଟ ଚଲାଣ କରାଯାଇଛି ।

 

ଅଜବ ପରମ୍ପରା, ଆଦିବାସୀଙ୍କ ନିଆରା ପର୍ବ କଡୃ ପର୍ବ

ରାୟଗଡ଼ା: ଆଦିବାସୀଙ୍କ ନିଆରା ପର୍ବ କଡୃ ପର୍ବ । ୨ ବର୍ଷରେ ଥରେ ଏହି ପର୍ବ ପାଳନ କରନ୍ତି  ଆଦିବାସୀ ସମ୍ପ୍ରଦାୟ ଲୋକେ। ବିଶ୍ୱାସ ରହିଛି ଏହି ପର୍ବ ପାଳନ ଦ୍ୱାରା ଭଲ ଫସଲ ଅମଳ, ମାନସିକ ଶାନ୍ତି,ଗାଁର ବିକାଶ ହୋଇଥାଏ। ଏଭଳି ବିଶ୍ୱାସକୁ ନେଇ ୨ ଖଣ୍ଡ ଆଦିବାସୀ ଗାଁକୁ ନେଇ ଆରମ୍ଭ  ହୋଇଛି କଡ଼୍ରୃ ପର୍ବ । ଏହି ପର୍ବର ପରମ୍ପରା ନିଆରା। ଆଦିବାସୀ ଗାଁ ମୁଣ୍ଡରେ ରହିଥିବା ଦେବତା ପିଠ ଝାଙ୍କିରି ଗୁଡିକୁ ମିଳିମିଶି ସାଜ ସଜ୍ଜା କରନ୍ତି ଗାଁଲୋକେ।  ଚିଳିତ ବର୍ଷ କନ୍ଧ ଖିଲିମ ଠାରେ ଝାଙ୍କିରିଗୁଡିର ଉନ୍ନତି କରଣ ହୋଇଥିବାରୁ ଦେବତା ସ୍ଥାପନ ପରମ୍ପରା ଅନୁଯାୟୀ ସଂଗମସ୍ଥଳରୁ ଅଣାଯାଇଥିଲା ପଥର । ବେଜୁଣିଙ୍କ ଦ୍ୱାରା ଆଦିବାସୀ ପରମ୍ପରା ଅନୁଯାୟୀ ନୀତିକାନ୍ତିରେ ହଳଦୀ ପାଣିରେ ପଥରକୁ ଗାଧୋଇ ପୂଜା ବିଧି କରି ଖଟିଆ ଭାରରେ ବାଦ୍ୟ ବାଜଣାରେ ପଥର ଦେବତାଙ୍କୁ ସ୍ଥାପନ କରାଯାଇଥିଲା। ପୌଷ ଓ ମାଘ ମାସର ଭଲ ତିଥି ଓ ସମୟକୁ ନେଇ ଆରମ୍ଭ ହୁଏ ପର୍ବ।

 

ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଉତ୍ତର ଓଡିଶା ସମେତ ଉପକୂଳ ଓଡିଶାର କିଛି ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବାଂଲାଦେଶ ଠାରୁ ଗାଙ୍ଗେୟ ଉପତ୍ୟକା ଦେଇ ଉତ୍ତର ଓଡିଶା ପର୍ଯ୍ୟନ୍ତ ବାୟୁମଣ୍ଡଳର ୦.୯ କିଲୋମିଟର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଏବଂ ଝାରସୁଗୁଡା ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିଭଳି ୩ ତାରିଖରେ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ସମେତ ଯାଜପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ ଏବଂ ଢେଙ୍କାନାଳ ରେ ବର୍ଷା ନେଇ ଆକଳନ କରାଯାଇଛି। ବାକି ଓଡ଼ିଶାର ଅନ୍ୟ ଜିଲ୍ଲା ଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ।

ବର୍ଷା ପ୍ରଭାବରେ ପାଗ କୋହଲା ରହିଲେ ମଧ୍ୟ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ। ବର୍ଷା ସହ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର କୁହୁଡି ଅନୁଭୂତ ହେବ। ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ପାହାଡିଆ ଅଞ୍ଚଳ ଭାବରେ କୋରାପୁଟ ରେ ସର୍ବନିମ୍ନ ୧୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସମତଳ ଅଞ୍ଚଳ ଭାବରେ ଫୁଲବାଣୀରେ ସର୍ବନିମ୍ନ ୧୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କଟକ, ଚାନ୍ଦବାଲି ଏବଂ ବାଲେଶ୍ବର ରେ ଘନ କୁହୁଡ଼ି ଅନୁଭୂତ ହୋଇଥିବା ବେଳେ ଭୁବନେଶ୍ୱର, ରାଉରକେଲା, ଝାରସୁଗୁଡା, ବାରିପଦା, କେନ୍ଦୁଝର ଏବଂ ଭବାନୀପାଟଣା ରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୂତ ହୋଇଛି।