spot_img
Home Blog Page 2219

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୋଲିସ କମିଶନର

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୋଲିସ କମିଶନର ସଂଜୀବ ପଣ୍ଡା । ଏୟାରପୋର୍ଟରୁ ଗଭର୍ଣ୍ଣର ହାଉସ ପର୍ଯ୍ୟନ୍ତ ମୁତୟନ ହେବେ ୧୫ ପ୍ଲାଟୁନ ଫୋର୍ସ ।  ଡିସିପି ଓ ୫ ଅତିରିକ୍ତ ଡିସିପି ସୁରକ୍ଷା ଦାୟିତ୍ଵରେ ନିୟୋଜିତ ହେବେ । ୧୦ ଜଣ ଏସିପି ୧୯ ଇନ୍ସପେକ୍ଟର ୬୯ ଜଣ ଏସଆଇ ଓ ଏଏସଆଇ ସୁରକ୍ଷା ଦାୟିତ୍ଵରେ ରହିବେ । ସେହିଭଳି ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ  ୫୬ କନଷ୍ଟେବଲ ଓ ୧୧ ଜଣ ହାବିଲଦାର ରହିବେ । ୫୦ ଜଣ ବନ୍ଧୁକ ଧାରୀ ପୋଲିସ ଏୟାରପୋର୍ଟ ବାହାରେ ସୁରକ୍ଷା ଦାୟିତ୍ଵରେ ରହିବେ ।

ପରୀକ୍ଷା ଦେବାକୁ ଯାଉଥିବା ୩ ଜଣ ଛାତ୍ରୀଙ୍କ ଉପରେ ଏସିଡ୍ ମାଡ

ନନ୍ଦିଘୋଷ ବ୍ୟୁରୋ: କର୍ଣ୍ଣାଟକର ମାଙ୍ଗାଲୁରୁରେ ଅଭାବନୀୟ ଘଟଣା। ପରୀକ୍ଷା ଦେବାକୁ ଯାଉଥିବା ବେଳେ ୩ ଜଣ ଛାତ୍ରୀଙ୍କ ଉପରେ ଏସିଡ୍ ମାଡ। ସ୍କୁଲର ପରୀକ୍ଷା ହଲରେ ପ୍ରବେଶ କରୁଥିବା ବେଳେ ଜଣେ ଅଭିଯୁକ୍ତ ଏମାନଙ୍କ ଉପରକୁ ଏସିଡ୍ ଫିଙ୍ଗିଥିବା ଜଣାପଡିଛି। ଫଳରେ ୩ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ମାଙ୍ଗାଲୁରୁର କଡଓ୍ୱା ଅଞ୍ଚଳରେ ତିନି ଜଣ ଛାତ୍ରୀ ନିଜ ଦ୍ୱିତୀୟ ପିୟୁସି ଟେଷ୍ଟ ଦେବା ପାଇଁ ସ୍କୁଲ ହଲ୍ ଭିତରକୁ ପ୍ରବେଶ କରୁଥିଲେ। ଏହି ସମୟରେ ଅଭିଯୁକ୍ତ ଜଣକ ମାସ୍କ ପିନ୍ଧି ସେମାନଙ୍କୁ ଅପେକ୍ଷା କରି ରହିଥିଲା। ଛାତ୍ରୀମାନେ ସ୍କୁଲରେ ପହଞ୍ଚିବା ପରେ ଯୁବକ ଜଣକ ତାଙ୍କ ଉପରକୁ ଏସିଡ୍ ଫିଙ୍ଗିଥିଲା। ଫଳରେ ୩ ଜଣ ଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ସେପଟେ ଏସିଡ୍ ମାଡ କରିଥିବା ଅଭିଯୁକ୍ତ ଜଣକ କେରଳର ୨୩ ବର୍ଷୀୟ ଏମବିଏ ଛାତ୍ର ଅବିନ୍ ବୋଲି ଜଣାପଡିଛି। ଘଟଣାରେ ଅବିନକୁ ଗିରଫ କରିଛି ପୋଲିସ।

ଇଡିକୁ ସମୟ ମାଗିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ

ନୂଆଦିଲ୍ଲୀ : ଇଡିକୁ ଜବାବ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ୮ ଥର ସମନ ହେବା ପରେ ଆଜି ମୁହଁ ଖୋଲିଛନ୍ତି କେଜରିଓ୍ବାଲ। ଇଡିର ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ଇଡିକୁ ସମୟ ମାଗିଛନ୍ତି। ସମନ ଜାରି କରିବା ବେଆଇନ କହିବା ସହ ଇଡିର ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସେ ପ୍ରସ୍ତୁତ ବୋଲି କହିଛନ୍ତି।

ମାର୍ଚ୍ଚ ୧୨ ତାରିଖ ପରେ ଇଡିର ଜବାବ ଦେବାକୁ କହିଛନ୍ତି କେଜରିଓ୍ବାଲ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଇଡି ପ୍ରଶ୍ନ ଉତ୍ତର ରଖିବେ ବୋଲି କହିଥିଲେ। ଆଜି ହାଜର ହେବା ପାଇଁ ଇଡି ସମନ ଜାରି କରିଥିଲା। ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ନୋଟିସ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ଅଙ୍ଗଦାନ କରିଥିବା ଶିଶୁଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତିମ ବିଦାୟ

ଭୁବନେଶ୍ୱର : ଅଙ୍ଗଦାନ କରିଥିବା ଶିଶୁଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତିମ ବିଦାୟ। ଭୁବନେଶ୍ଵର କଳ୍ପନା ଅଞ୍ଚଳର ଡାକ୍ତର ବିଶ୍ୱଜିତ ସାହୁଙ୍କ ପୁଅ ସୁବୋଜିତଙ୍କ ଶେଷକୃତ୍ୟ କରାଯାଉଛି । ସୁବୋଜିତଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଛି ଗାର୍ଡ ଅଫ୍ ଅନର । ସତ୍ୟନଗର ଶ୍ମଶାନରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା , ଭୁବନେଶ୍ୱର DCP ପ୍ରତୀକ ସିଂହ ଓ ଉପ ଜିଲ୍ଲାପାଳଙ୍କ ଉପସ୍ଥିତିରେ କମିଶନରେଟ ପୋଲିସ ପକ୍ଷରୁ ସୁବୋଜିତଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ଏହାପରେ ସତ୍ୟନଗର ଶ୍ମଶାନରେ ସୁବୋଜିତଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଉଛି ।

ଭୁବନେଶ୍ଵର କଳ୍ପନା ଅଞ୍ଚଳର ଡାକ୍ତର ବିଶ୍ୱଜିତ ସାହୁଙ୍କ ପୁଅ ସୁବୋଜିତ ଓରଫ ପ୍ରେମ୍ । ଦ୍ବିତୀୟ ଶ୍ରେଣୀର ମେଧାବୀ ଛାତ୍ର । ଗତ ବୁଧବାର ପରୀକ୍ଷା ଦେବାକୁ ଯାଇଥିବାବେଳେ ଶ୍ରେଣୀ ଗୃହରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା ପ୍ରେମ୍ । ମସ୍ତିଷ୍କ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସନିବାର ବ୍ରେନ୍ ଡେଡ ହେବାପରେ ପରିବାର ଲୋକ ପୁଅର ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଥିଲେ । ଶରୀରର ୮ଟି ପ୍ରମୁଖ ଅଙ୍ଗକୁ ଦାନ କରିଦେଇଛନ୍ତି ବାପାମାଆ । ପୁଅ ସିନା ଚାଲିଗଲା ହେଲେ ତାରି ଅଙ୍ଗରେ ଏକାଧିକ ଜୀବନ ଭିତରେ ସେ ଅମର ହୋଇ ରହିବ ସବୁଦିନ ପାଇଁ ।

AI ମଡେଲ ପାଇଁ ଏବେ ସରକାରଙ୍କ ଠାରୁ ନେବାକୁ ପଡିବ ଅନୁମତି

ନୂଆଦିଲ୍ଲୀ : ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ନାମରେ ବଜାରରେ ଏକ ବଡ଼ଧରଣର ସ୍କାମ ଚାଲିଛି  । AI ନାଁରେ ଗୋପନୀୟତାକୁ କରାଯାଉଛି ଉଲ୍ଲଂଘନ | ଏହା ବ୍ୟତୀତ ତାଙ୍କୁ ବଦନାମ ମଧ୍ୟ କରାଯାଉଛି। ଏଭଳି ପରିସ୍ଥିତିରେ ସରକାର ଏଆଇର ଅପବ୍ୟବହାର ନେଇ ସତର୍କ ହୋଇପଡିଛନ୍ତି।

ନିକଟରେ ରଶ୍ମିକା ମଣ୍ଡଳଙ୍କର ଏକ ଡିପ୍ ଫେକ୍ ଭିଡିଓ ଭାଇରାଲ ହୋଇଥିଲା। ଏହା ଛଡ଼ା ବ୍ୟାଙ୍କିଙ୍ଗରେ ମଧ୍ୟ ଠକେଇ ଭଳି ଘଟଣା ମଧ୍ୟ ଗଭୀର ଫେକ ସାହାଯ୍ୟରେ ଚାଲିଛି | ଏଭଳି ପରିସ୍ଥିତିରେ ଏଆଇ ମଡେଲ ତିଆରି କରିବା ପୂର୍ବରୁ ସରକାରଙ୍କଠାରୁ ଅନୁମତି ନେବା ବାଧ୍ୟତାମୂଳକ ହେବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମକୁ ଏଆଇ ମଡେଲ ଆରମ୍ଭ କରିବା ପୂର୍ବରୁ ସରକାରଙ୍କ ଅନୁମତି ନେବାକୁ ପଡିବ। ଏହି ପ୍ରସଙ୍ଗରେ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଯେ ଯେକୌଣସି AI ମଡେଲକୁ ଲେବଲିଙ୍ଗ କରାଯିବ ଯାହା ଦ୍ୱାରା ଏହା ଚିହ୍ନଟ ସଠିକ୍ ଭାବେ ହୋଇପାରିବ। ଯାହା ଫଳରେ ଡିପ୍ ଫେକ୍ ଭିଡ଼ିଓ ଏବଂ ଅନ୍ୟାନ୍ୟ ଠକେଇ ରୋକିବାରେ ସାହାଯ୍ୟ କରିବ  ।

ଶ୍ରୀଲଙ୍କାକୁ ସାହାଯ୍ୟର ହାତ ବଢାଇଲା ସାଉଦି ଆରବ

ନନ୍ଦିଘୋଷ ବ୍ୟୁରୋ : ଆର୍ଥିକ ସଂକଟରେ ବୁଡି ରହିଥିବା ଶ୍ରୀଲଙ୍କାକୁ ସହଯୋଗର ହାତ ବଢାଇଛି ସାଉଦି ଆରବ । ଏବେ ଶ୍ରୀଲଙ୍କାରୁ ହଜାର ହଜାର ସଂଖ୍ୟକ ନର୍ସ ସାଉଦି ଆରବର ସରକାରୀ ହସ୍ପିଟାଲକୁ କାମ କରିବାକୁ ଯିବେ । ଗତ ବର୍ଷ ମଧ୍ୟ ସାଉଦି ଆରବକୁ ଶ୍ରୀଲଙ୍କାରୁ ୬୩ ହଜାର ଲୋକ ଚାକିରି ପାଇଁ ଯାଇଥିଲେ  ।

ଗତ କିଛି ବର୍ଷ ଧରି ଶ୍ରୀଲଙ୍କା ଆର୍ଥିକ ସଂକଟ ଦେଇ ଗତି କରୁଛି । ଯେଉଁଥିପାଇଁ ଏଠାକାର ସରକାର ସାହାଯ୍ୟ ଏବଂ ଋଣ ପାଇଁ  IMF ଠାରୁ ଆରମ୍ଭ କରି UN ପର୍ଯ୍ୟନ୍ତ ସଭିଙ୍କୁ ସାହାଯ୍ୟ ଭିକ୍ଷା କରିସାରିଛି । ଏହା ଭିତରେ ଶ୍ରୀଲଙ୍କା ପାଇଁ ସାଉଦି ଆରବ ଏକ ବଡ଼ ସାହାଯ୍ୟ ହାତ ଆଗକୁ ବଢାଇଛି  ।ଏହି ମାମଲାରେ ସାଉଦି ଆରବ ଚାକିରି ଦେବା କ୍ଷେତ୍ରରେ ସବୁଠାରୁ ବଡ଼ ଦେଶ ଭାବେ ପରିଚୟ ଲାଭ କରିଛି । ଏମିତିରେ ସାଉଦି ଆରବର ଲୋକ ଚାକିରି ଆଶାରେ ଭାରତ, ପାକିସ୍ତାନ ଏବଂ ବାଂଲାଦେଶ ପରି ଦେଶମାନଙ୍କୁ ଯାଇଥାନ୍ତି । କିନ୍ତୁ ୨୦୨୩ ରିପୋର୍ଟ ମୁତାବକ, ଶ୍ରୀଲଙ୍କାର ୬୩ ହଜାରରୁ ଅଧିକ ଲୋକଙ୍କୁ ସାଉଦି ଆରବ ଚାକିରି ଯୋଗାଇଛି ,ଯାହା ଅନ୍ୟ ଦେଶ ତୁଳନାରେ ବହୁତ ଅଧିକ ।

ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଉପରେ ଏହି ଚାକିରି ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି ।  ଏହି ନର୍ସମାନଙ୍କର ହାରାହାରି ଆୟ ପ୍ରାୟ 1,400 ଡଲାର୍, ଯାହା ଶ୍ରୀଲଙ୍କାରେ ଜଣେ ନର୍ସଙ୍କ ଦରମାଠାରୁ ବହୁତ ଅଧିକ ବୋଲି ରିପୋର୍ଟରୁ ଜଣା ପଡିଛି ।

ଆସନ୍ତାକାଲି ବିଜୁବାବୁଙ୍କ ୧୦୮ତମ ଜୟନ୍ତୀ; ବିଜେଡି ପକ୍ଷରୁ ବ୍ଯାପକ ଆୟୋଜନ

ଭୁବନେଶ୍ୱର : ଆସନ୍ତାକାଲି ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ରାଷ୍ଟ୍ରବାଦୀ ନେତା ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜୟନ୍ତୀ । ଏହାକୁ ବିଜୁ ଜନତା ଦଳ ପକ୍ଷରୁ ପ୍ରତି ନିର୍ବାଚନମଣ୍ଡଳୀ, ବ୍ଲକ, ସହରାଞ୍ଚଳ ଓ ଜିଲ୍ଲା ସ୍ତରରୁ ଆରମ୍ଭ କରି ରାଜ୍ଯ ସ୍ତରରେ ମହାସମାରୋହରେ ପାଳନ କରାଯିବ । ପ୍ରଭାତରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଡାକ୍ତରଖାନା, ବୃଦ୍ଧାଶ୍ରମ, ଅନାଥାଶ୍ରମ ଏବଂ ବାଳାଶ୍ରମରେ ଫଳ ବଣ୍ଟନ କରାଯିବ। ସେହିପରି ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ତରଫରୁ ସାଇକେଲ ଶୋଭାଯାତ୍ରା ଓ ଗଣଦୌଡ଼ ଆୟୋଜନ କରାଯାଉଛି ।

ଅପରାହ୍ନରେ ସାଧାରଣ ସଭା ଆୟୋଜନ କରାଯିବ। ନିଃସ୍ୱାର୍ଥପର ଲୋକସେବାର ପ୍ରତୀକ, ପ୍ରବାଦ ପୁରୁଷ, ମହାନ ରାଷ୍ଟ୍ରନୀତିଜ୍ଞ ତଥା ସ୍ୱାଧୀନତା ସଂଗ୍ରାମୀ ବିଜୁବାବୁଙ୍କର ଆମ ଦେଶ ତଥା ଜାତି ପ୍ରତି ଅମୂଲ୍ୟ ଅବଦାନ, ସଶକ୍ତ ଏବଂ ପୂର୍ଣ ବିକଶିତ ଓଡ଼ିଶା ନିର୍ମାଣ ଦିଗରେ ତାଙ୍କର ଅବିଶ୍ରାନ୍ତ ସଂଗ୍ରାମ ବିଷୟରେ ସବିଶେଷ ଆଲୋଚନା କରାଯିବ । ଉପସ୍ଥିତ ସମସ୍ତ ସଦସ୍ୟ ଏକ ‘ସମୃଦ୍ଧ, ସଶକ୍ତ, ନବୀନ ଓଡ଼ିଶା ଗଠନ ନିମନ୍ତେ ଶପଥ ଗ୍ରହଣ କରିବେ ।

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ନୋଟ୍ ନେଇ ଭୋଟ୍ ଦେଲେ ରୁଜୁ ହେବ ମାମଲା

ନୂଆଦିଲ୍ଲୀ : ନୋଟ୍ ବଦଳରେ ଭୋଟ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଲାଞ୍ଚ ସଂକ୍ରାନ୍ତ ଅପରାଧିକ ମାମଲାରୁ ସାଂସଦ ଓ ବିଧାୟକଙ୍କୁ ସୁରକ୍ଷିତ ରଖିବା ପ୍ରସଙ୍ଗରେ ଆଜି ସିଜେଆଇ ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ୭ ଜଣିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି। ନୋଟ୍ ନେଇ ଭୋଟ୍ ଦେଲେ ରୁଜୁ ହେବ ମାମଲା। ସାଂସଦ ଓ ବିଧାୟକଙ୍କ ଉପରେ ହୋଇପାରିବ ମାମଲା। ୧୯୯୮ର ରାୟକୁ ବଦଳାଇଲେ ସର୍ବୋଚ୍ଚ ଅଦାଲତ। ନୋଟ ନେଇ ଭୋଟ୍ କିମ୍ବା ଭାଷଣ ଦେଇପାରିବେନି। ବହୁବାର ସଂସଦରେ ଟଙ୍କା ନେଇ ଭୋଟ ଦେବା ଘଟଣା ଆସିଛି । ପୂର୍ବରୁ ସୁପ୍ରିମକୋର୍ଟଙ୍କ ରୋକ ଯୋଗୁ ମାମଲା ହୋଇ ପାରୁନଥିଲା। ଏବେ ନୋଟ ନେଇ ଭୋଟ ଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟଙ୍କ ୭ ଜଣିଆ ଖଣ୍ଡପୀଠ। ଅନୁଚ୍ଛେଦ ୧୦୫କୁ ଦର୍ଶାଇ କୋର୍ଟ ଏହି ରାୟ ଶୁଣାଇଛନ୍ତି ।

ସୁପ୍ରିମ କୋର୍ଟ କହିଛନ୍ତି, ଆଇନ ନିର୍ମାତାଙ୍କ ଦ୍ବାରା ଦୁର୍ନୀତି ଓ ଲାଞ୍ଚ ସର୍ବସାଧାରଣ ଜୀବନରେ ନୈତିକତାକୁ ନଷ୍ଟ କରେ। ପି.ଭି. ନରସିହ୍ମା ରାଓ ମାମଲାରେ ଦିଆଯାଇଥିବା ରାୟ ବିପଜ୍ଜନକ ହୋଇଥିବାରୁ ସେହି ରାୟକୁ ରଦ୍ଦ କରାଗଲା। ବେଆଇନ ସ୍ବାର୍ଥ ଲାଗି ଲାଞ୍ଚ ନେବା ଏବଂ ଲାଞ୍ଚ ନେଇ ଭୋଟ ଦେବା ବା ମତ ଦେବା ଗର୍ହିତ ଅପରାଧ ଅଟେ। ନିର୍ଦ୍ଦିଷ୍ଟ ସ୍ବାର୍ଥ ସକାଶେ ଭୋଟ ଦେବା ଲାଗି ଜଣେ ସଦସ୍ୟକୁ ଲାଞ୍ଚ ଜରିଆରେ ପ୍ରଭାବିତ କରାଯାଇଥାଏ। ଲାଞ୍ଚ ନେବା ଦ୍ବାରା ଭାରତୀୟ ଗଣତନ୍ତ୍ରର ଭିତ୍ତି ଧ୍ବଂସ ହୋଇଥାଏ। ସଂସଦୀୟ ବ୍ଯବସ୍ଥାରେ ଲାଞ୍ଚର କୌଣସି ସ୍ଥାନ ନାହିଁ।

୧୯୯୮ର ସୁପ୍ରିମକୋର୍ଟ ରାୟ ଧାରା ୧୦୫ ଓ ୧୯୪ର ପରିପନ୍ଥୀ। ଲାଞ୍ଚ ପରି ଅପରାଧରୁ ମୁକ୍ତି ଚାହିଁବା ବ୍ଯବସ୍ଥାପକ କାର୍ଯ୍ୟାବଳୀର ମହତ୍ତ୍ବକୁ ନଷ୍ଟ କରିଥାଏ। ରାଜ୍ୟସଭା ନିର୍ବାଚନରେ ଭୋଟ ଦେବା ଲାଗି ଜଣେ ବିଧାୟକ ଲାଞ୍ଚ ନେବା ଦୁର୍ନୀତି ନିବାରଣ ଆଇନ ପରିସରଭୁକ୍ତ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ବହୁଚର୍ଚ୍ଚିତ ଜେଏମଏମ ଲାଞ୍ଚ ମାମଲାରେ କୌଣସି ବିବୃତି ବା ଭୋଟ ନେଇ ସାଂସଦ ଓ ବିଧାୟକଙ୍କ ବିରୋଧରେ ମାମଲା ଦାୟରରୁ ସାଂସଦ ଓ ବିଧାୟକଙ୍କୁ ମୁକ୍ତ ରଖିବା ଲାଗି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ରାୟ ଦେଇଥିଲେ । ଏହି ମାମଲାର ପୁନଃଶୁଣାଣି କରିଛନ୍ତି ସୁପ୍ରିମକୋର୍ଟଙ୍କ ୭ ଜଣିଆ ଖଣ୍ଡପୀଠ । ଦୀର୍ଘ ୨୫ ବର୍ଷ ପରେ ଏହି ମାମଲା ପୁଣି ପଦାକୁ ଆସିଛି ।

ମାମଲାର ପୁନଃବିଚାର ଲାଗି ଗତ ୨୦୨୩ ସେପ୍ଟେମ୍ବର ୨୦ରେ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଥିଲେ । ପିଭି ନରସିଂହ୍ମା ରାଓ ବନାମ ସିବିଆଇ ମାମଲାରେ ସୁପ୍ରିମକୋର୍ଟ କହିଥିଲେ- ସମ୍ବିଧାନର ଧାରା ୧୦୫(୨), ୧୯୪(୨) ଅନୁସାରେ ଗୃହ ଭିତରେ କୌଣସି ବିଧାୟକ ଓ ସାଂସଦଙ୍କ ମତ ଓ ଭୋଟ କ୍ଷେତ୍ରରେ ସେମାନଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇପାରିବ ନାହିଁ ।

୧୯୯୩ରେ ନରସିଂହ୍ମା ରାଓ ସରକାରଙ୍କୁ ଅନାସ୍ଥା ଭୋଟରୁ ବଞ୍ଚାଇବା ଲାଗି ଜେଏମଏମ ନେତା ଶିବୁ ସୋରେନଙ୍କ ସମେତ 5 ସାଂସଦ ଲାଞ୍ଚନେବା ଅଭିଯୋଗ ହୋଇଥିଲା । ଜେଏମଏମର ସମର୍ଥନ ଯୋଗୁ ରାଓ ସରକାର ବଞ୍ଚିଯାଇଥିଲା । ସେମାନଙ୍କ ବିରୋଧରେ ସିବିଆଇ ମାମଲା ଦାୟର କରିଥିଲେ ବି ଧାରା ୧୦୫(୨)କୁ ଆଧାର କରି ଏହି ମାମଲାକ ରଦ୍ଦ କରିଥିଲେ ସୁପ୍ରିମକୋର୍ଟ ।

ମହମ୍ମଦ ମୋକିମଙ୍କୁ ଝଟକା; ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ

କଟକ: ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଝଟକା। ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ। ନିର୍ବାଚନରେ ମିଥ୍ୟା ସତ୍ୟପାଠ ଅଭିଯୋଗ ହାଇକୋର୍ଟରେ  ପ୍ରମାଣିତ ହୋଇଛି। ତେଣୁ ହାଇକୋର୍ଟ ମହମ୍ମଦ ମୋକିମଙ୍କ  ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି।

ନିର୍ବାଚନ ସମୟରେ ସତ୍ୟପାଠ ନିୟମ ମୁତାବକ ଦେଇନଥିବା ଓ ଅନେକ ତଥ୍ୟ ଲୁଚାଇଥିବା କୋର୍ଟ କହିଛନ୍ତି। ମିଥ୍ୟା ସତ୍ୟପାଠ ଅଭିଯୋଗ ନେଇ ମୋକିମଙ୍କ ନିର୍ବାଚନ ରଦ୍ଦ କରିବାକୁ ତାଙ୍କ ପ୍ରତିଦ୍ବନ୍ଦ୍ବୀ ତଥା  ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ମୋ ବସ ଦୁର୍ଘଟଣାକୁ ନେଇ ତୁମୁଳକାଣ୍ଡ

ଭୁବନେଶ୍ୱର : ମୋ ବସ ଦୁର୍ଘଟଣାକୁ ନେଇ ତୁମୁଳକାଣ୍ଡ। ଭୁବନେଶ୍ୱର ଗ୍ୟାରେଜ ଛକରେ ଘଟିଛି ଏଭଳି ଘଟଣା । ରାତି ପ୍ରାୟ ୧୧ଟା ସମୟରେ କୋଣାର୍କରୁ ମାଷ୍ଟରକ୍ୟାଣ୍ଟିନ ଫେରୁଥିବା ମୋ ବସ ଅଟୋକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଅଟୋ ଭାଙ୍ଗି ରୁଜି ଚୁରମାର ହୋଇଯାଇଥିଲା। ବସଟି ପଳାଉଥିବା ବେଳେ ଗୌରୀ ନଗର ଛକ ନିକଟରେ ଲୋକେ ଗାଡିକୁ ଅଟକାଇଥିଲେ। ନିଶାଶକ୍ତ ଅବସ୍ଥାରେ ଡ୍ରାଇଭର ଏଭଳି ଦୁର୍ଘଟଣା ଘଟାଇଥିବା ଅଭିଯୋଗ ଆଣି ଲୋକେ ପ୍ରାୟ ୧ ଘଣ୍ଟା ରାସ୍ତା ବନ୍ଦ କରିଥିଲେ। ଲିଙ୍ଗରାଜ ଥାନା ଓ ବଡ଼ଗଡ଼ ଥାନା ପୋଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।