spot_img
Home Blog Page 2234

ପୁଣି ତେଜିଲା କୃଷକ ଆନ୍ଦୋଳନ, ଏକାଠି ହେଲେ ଚାଷୀ

ନୂଆଦିଲ୍ଲୀ: ପୁଣି ତେଜିଲା କୃଷକ ଆନ୍ଦୋଳନ। ନୋଏଡା ଓ ଗ୍ରେଟର ନୋଏଡାରେ ଏକତ୍ରିତ ହୋଇଛନ୍ତି ଚାଷୀ। ସରକାରଙ୍କ ପକ୍ଷରୁ ଅଧିଗ୍ରହଣ କରାଯାଇଥିବା ଜମିର ଉଚିତ ମୂଲ୍ଯ ସହ ଅନ୍ଯାନ୍ଯ ଦାବି କରିଛନ୍ତି ଆନ୍ଦୋଳନକାରୀ। ସଂସଦ ଭବନ ଆଡକୁ ଚାଷୀ ଅଗ୍ରସର ହେଉଥିବା ବେଳେ ଦିଲ୍ଲୀ-ନୋଏଡା ସୀମାରେ ସୁରକ୍ଷା ବ୍ଯବସ୍ଥା କଡ଼ାକଡି ହୋଇଛି।

ଟ୍ରାଫିକ ପୋଲିସ ଆଲର୍ଟ ରହିଥିବା ବେଳେ ସୀମାରେ ବହୁ ସଂଖ୍ଯାରେ ପୋଲିସ ମୁତୟନ ହୋଇଛନ୍ତି। ଐତିହାସିକ ଚାଷୀ ଆନ୍ଦୋଳନର ୩ବର୍ଷ ପରେ ପୁଣି ଥରେ ବିଭିନ୍ନ ପ୍ରସଙ୍ଗରେ ତାତିଛନ୍ତି ଚାଷୀ। ଦିଲ୍ଲୀରେ ଯେପରି ଚାଷୀମାନେ ପ୍ରବେଶ କରିପାରିବେ ନାହିଁ ସେଥିଲାଗି ବିଭିନ୍ନ ସ୍ଥାନରେ ବ୍ଯାରିକେଡ ଲଗାଇଛି ପୋଲିସ।

ସେପଟେ ଆନ୍ଦୋଳନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଜାରି ହୋଇଛି ଟ୍ରାଫିକ ଆଡଭାଇଜରୀ। ଏନଏଚ-୯, ସର୍ଭିସ୍ ଲେନ୍ ଏବଂ ଦିଲ୍ଲୀ-ମିରଟ ଏକ୍ସପ୍ରେସୱେରେ ଚକା ଜାମ କରାଯାଇଛି। ନଗର ନିଗମ ଟୋଲ ପାଖରେ ମଧ୍ଯ ଜାମ ଲାଗିଛି। କମର୍ସିଆଲ ଏବଂ ସାଧାରଣ ଗାଡ଼ି ମଧ୍ୟ ନିଜ ଲେନରେ ଚାଲି ପାରୁନାହାନ୍ତି। ଚାଷୀ ଆନ୍ଦୋଳନ ଯୋଗୁ ଅନ୍ୟାନ୍ୟ ସଡ଼କ ଉପରେ ଯାତାୟତରେ ପ୍ରତିବନ୍ଧ ଲାଗିବା ଦ୍ଵାରା ସେକ୍ଟର-୧୬ ରଜନୀଗନ୍ଧା ଛକଠାରୁ DND ପର୍ଯ୍ୟନ୍ତ ଟ୍ରାଫିକ ଜାମ ସ୍ଥିତି ରହିଛି। ଫଳରେ ନୋଏଡାରୁ ଦିଲ୍ଲୀ ଯିବା ପାଇଁ ସମସ୍ଯା ଭୋଗୁଛନ୍ତି ଯାତ୍ରୀ। ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ-ନୋଏଡା ବର୍ଡରରେ ସୁରକ୍ଷା ବୃଦ୍ଧି କରାଯାଇଛି। ସୀମାରେ ଧାରା ୧୪୪ ଲାଗିଛି। ସମସ୍ତ ଗାଡ଼ିର ଯାଞ୍ଚ ଚାଲିଛି।

କେନ୍ଦ୍ର ସରକାରଙ୍କ ଶ୍ବେତ ପତ୍ର ବନାମ କଂଗ୍ରେସର କଳା ପତ୍ର, ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ: ଶ୍ବେତ ପତ୍ର ବନାମ କୃଷ୍ଣ ପତ୍ର । କେନ୍ଦ୍ର ସରକାର ଗତ ୧୦ ବର୍ଷର ଶାସନକୁ ନେଇ ଶ୍ବେତ ପତ୍ର ଆଣିବାକୁ ଯାଉଥିବାବେଳେ କଂଗ୍ରେସ ତାକୁ କାଉଣ୍ଟର କରି ବ୍ଲାକ ପେପର ଆଣିବାକୁ ଘୋଷଣା କରିଛି । କେନ୍ଦ୍ର ସରକାର ନିଜ ପ୍ରଦର୍ଶନ ବଖାଣିବା ପାଇଁ ଶ୍ବେତ ପତ୍ର ଆଣୁଛନ୍ତି । କଂଗ୍ରେସ କିନ୍ତୁ ଏହାକୁ ବିରୋଧ କରି ବ୍ଲାକ ପେପର ଉପସ୍ଥାପନ କରିବ ବୋଲି କହିଛି ।

କେନ୍ଦ୍ର ସରକାର ସବୁବେଳେ ନିଜ ପ୍ରଦର୍ଶନ ଉପରେ ଗାଇ ବୁଲୁଥିବାବେଳେ ବିଫଳତା ନେଇ ପୂରା ଚୁପ । ବେରୋଜଗାରୀ, ଦରବୃଦ୍ଧି, ଚାଷୀ ସମସ୍ଯାର ସମାଧାନ ନାହିଁ । ଏହି ସବୁ ବିଫଳତାକୁ ନେଇ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ବ୍ଲାକ ପେପର ଆଣିବେ ବୋଲି କହିଛନ୍ତି । ସଂସଦ ହେଉ କିମ୍ବା ସଭାମଞ୍ଚ ସବୁଠି କେନ୍ଦ୍ର ସରକାର ନିଜ ସଫଳତାର ପ୍ରଚାର କରିଥାନ୍ତି । ସବୁଠି କେବଳ କଂଗ୍ରେସ ବିଷୟରେ ଆଲୋଚନା କରିଥାନ୍ତି ।

ସେପଟେ ବିଜେପି ପ୍ରତିକ୍ରିୟା ଦେଇ କହିଛି, ଶ୍ବେତ ପତ୍ରରେ କେନ୍ଦ୍ର ସରକାର ଗତ ୧୦ ବର୍ଷର ଆର୍ଥିକ ବିକାଶକୁ ଉପସ୍ଥାପନ କରିବେ । କିପରି ୟୁପିଏ ସରକାର ଯିବା ପରେ ଦେଶରେ ସ୍ଥିତି ବଦଳିଛି ସେ ନେଇ ଶ୍ବେତ ପତ୍ରରେ ଦର୍ଶାଯାଇଛି ବୋଲି ବିଜେପି କହିଛି ।

ପାକିସ୍ତାନରେ ଆଜି ଚାଲୁନି ମୋବାଇଲ, ଜାଣନ୍ତୁ କାହିଁକି ?

ଇସଲାମାବାଦ: ପାକିସ୍ତାନରେ ଚାଲିଛି ଭୋଟିଂ । ଇମ୍ରାନ ଖାନ୍ ଜେଲରେ ଥିବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ୍ ସରିଫ ରେସରେ ଆଗରେ ରହିଛନ୍ତି । ଭୋଟ ଜାରି ରହିଥିଲାବେଳେ ପାକିସ୍ତାନରେ କିନ୍ତୁ ହାହାକାର ଦେଖାଯାଇଛି । ପାକିସ୍ତାନର ଲୋକମାନେ ଚାହିଁଲେ ବି ମୋବାଇଲ୍ ବ୍ୟବହାର କରିପାରୁ ନାହାନ୍ତି। ଏହାର କାରଣ ହେଉଛି ସେଠାରେ ମୋବାଇଲ୍ ସେବାରେ ପ୍ରତିବନ୍ଧକ ଲଗାଯାଇଛି ।

ସୂଚନା ଅନୁସାରେ, ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପାକିସ୍ତାନ ମନ୍ତ୍ରଣାଳୟ ସାମୟିକ ଭାବେ ମୋବାଇଲ୍ ସେବା ବନ୍ଦ ରଖିଛି । ମନ୍ତ୍ରଣାଳୟର କହିବା ଅନୁସାରେ, ନିର୍ବାଚନ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ହେବା ଆଶଙ୍କା କରି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କେବଳ ଏତିକି ନୁହେଁ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ସମର୍ଥନଙ୍କୁ ନିର୍ବାଚନ ଫଳାଫଳ ଘୋଷଣା ନ ହେଲା ଯାଏ ମତଦାନ କେନ୍ଦ୍ର ଆଗରେ ଠିଆ ହେବାକୁ କହିଥିଲେ । ଏହି କାରଣରୁ ମୋବାଇଲ ସେବା ବନ୍ଦ ରଖାଯାଇଛି ।

ଗତକାଲି ପାକିସ୍ତାନରେ ଦୁଇଟି ବିସ୍ଫୋରଣ ହୋଇ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିପାଇଁ ନେଟଓ୍ବର୍କ ବନ୍ଦ ରହିଛି । ଲୋକମାନେ ବାହାର ଦୁନିଆ ସହ କୌଣସି ବି ସମ୍ପର୍କରେ ନାହାନ୍ତି । ଆଜି ସକାଳ ୮ଟାରୁ ପାକିସ୍ତାନରେ ଆରମ୍ଭ ହୋଇଛି ମତଦାନ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦଳ ଏ ଥର ବହୁମତରେ ଜିତିବା ଆଶଙ୍କା କରାଯାଉଛି ।

ତାମିଲ ସିନେମା ଅଭିନେତ୍ରୀଙ୍କୁ ମଦ ପାଇଁ ମାରିଦେଲା ପୁଅ

ନୂଆଦିଲ୍ଲୀ: ଭେଟେରାନ ଅଭିନେତ୍ରୀ କସମଲଙ୍କୁ ହତ୍ୟା କରାଯାଇଛି। ହତ୍ୟାକାରୀ ଆଉକେହି ନୁହେଁ ତାଙ୍କର ନିଜ ପୁଅ ପି ନାମକୋଡି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଦ ପାଇଁ ଟଙ୍କା ନଦେବାରୁ ଉତକ୍ଷିପ୍ତ ହୋଇ ନିଜ ମା’ ତଥା ଅଭିନେତ୍ରୀ କସମଲଙ୍କୁ ବାଡିରେ ପିଟିପିଟି ହତ୍ୟା କରିଛି ପୁଅ। ଅଭିନେତ୍ରୀଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସୂଚନା ଅନୁଯାୟୀ, ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ତାମିଲ ଚଳଚ୍ଚିତ୍ର ‘କାଦାଇସି ଭିଭାସାଇ’ ପାଇଁ ବେଶ ଲୋକପ୍ରିୟ ହୋଇଥିଲେ କସମଲ । ଏହି ଚଳଚ୍ଚିତ୍ରରେ ବିଜୟ ସେଥୁପତୀ ଏବଂ ଯୋଗୀ ବାବୁ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏମ.ମାଣିକନ୍ଦାନୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ କସମଲ ବିଜୟ ସେଥୁପାତୀଙ୍କ ମା ଭୂମିକାରେ ଅଭିନୟ କରିଥିଲେ।

 ଖବର ଅନୁଯାୟୀ, ଏହି ଘଟଣା ମଦୁରାଇ ସହରର ଉସିଲାମପଟୀ ନିକଟ ଅନାୟୁରରେ ଘଟିଥିଲା। ଏହି ଅଭିନେତ୍ରୀଙ୍କ ମୃତ୍ୟୁ ଫେବୃଆରୀ ୪ ତାରିଖରେ ହୋଇଥିଲା।  ପୋଲିସ ଏହି ମାମଲାରେ କସମଲଙ୍କ ପୁଅକୁ ଗିରଫ କରିଛି। ସେ ପୋଲିସ ହେପାଜତରେ ଅଛନ୍ତି। ଏହା ସହିତ ହତ୍ୟାରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

ପୋଲିସ ରିପୋର୍ଟ ଅନୁଯାୟୀ କସମଲ ଏବଂ ପି ନାମକୋଡିଙ୍କ ମଧ୍ୟରେ ଟଙ୍କା ପଇସାକୁ ନେଇ ବିବାଦ ଲାଗି ରହୁଥିଲା । ମଦ ପିଇବା ପାଇଁ ଟଙ୍କା ଦେବାକୁ ମନା କରିଦେଇଥିଲେ କସମଲ। ଯାହାପରେ ରାଗି ଯାଇ ମା’କୁ ମାରିବାକୁ ପଛାଇନଥିଲା ପୁଅ । ଏହି ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିନେତ୍ରୀଙ୍କ ମୃତଦେହକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଥିଲା।

 

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା; ତୀର୍ଥରେ ବାହାରିଲେ ୬ ଜିଲ୍ଲାର ବରିଷ୍ଠ ନାଗରିକ

ଭୁବନେଶ୍ୱର: ବରିଷ୍ଠ ନାଗରିକଙ୍କୁ ଆଧ୍ଯାତ୍ମିକ ଯାତ୍ରାର ଦିବ୍ଯ ଅନୁଭୂତି । ରାଜ୍ଯ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ତୀର୍ଥଯାତ୍ରାରେ ଯାଉଛନ୍ତି ୬ ଜିଲ୍ଲାର ବରିଷ୍ଠ ନାଗରିକ । ପୁରୀ, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ଜଗତସିଂପୁର ଓ କେନ୍ଦ୍ରାପଡା ଜିଲ୍ଲାର ୯୬୦ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ବାହାରିଛନ୍ତି ।

ସମସ୍ତେ ଭୁବନେଶ୍ବର ରେଳ ଷ୍ଟେସନରୁ ତିରୁପତି-ଭେଲୋର ଅଭିମୁଖେ ସ୍ବତନ୍ତ୍ର ଟ୍ରେନରେ ଯାତ୍ରା ଆରମ୍ଭ କରିଛନ୍ତି । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ତୀର୍ଥଯାତ୍ରାର ଶୁଭାରମ୍ଭ କରିଛନ୍ତି । ୫ ଦିନିଆ ତୀର୍ଥଯାତ୍ରାରର ସବୁ ଖର୍ଚ୍ଚ ବହନ କରୁଛନ୍ତି ରାଜ୍ୟ ସରକାର ।

୨୦୧୬ ମସିହାରୁ ତୀର୍ଥଯାତ୍ରା ଯୋଜନା ଆରମ୍ଭ ହୋଇଥିବାବେଳେ ଏଯାଏ ପ୍ରାୟ ୨୭ ହଜାର ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଦିବ୍ଯ ଅନୁଭୂତି ଲାଭ କଲେଣି। ଆଜି ୨୮ ତମ ପର୍ଯ୍ୟାୟରେ ସମସ୍ତେ ତୀର୍ଥ ଯାତ୍ରାରେ ଯାଇଛନ୍ତି।ଏଭଳି ସୁଯୋଗ ଦେଇଥିବାରୁ ମୁଖ୍ଯମନ୍ତ୍ରୀଙ୍କୁ ତୀର୍ଥଯାତ୍ରୀମାନେ କୃତଜ୍ଞତା ଜଣାଇଛନ୍ତି।

ଲାଞ୍ଚ ନେବା ପଡିଲା ମହଙ୍ଗା, ବନ୍ଧା ହେଲେ ଅମିନ ନିର୍ମଳେନ୍ଦୁ କବି

ବଲାଙ୍ଗୀର: ଜମି ମାପ ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ଵାରା ଅମିନ ଗିରଫ।  ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲ୍ ଅମିନ ନିର୍ମଳେନ୍ଦୁ କବିଙ୍କୁ ଭିଜିଲାନ୍ସ ଗିରଫ କରିଛି। ସଇଁତଳାର ନିରଞ୍ଜନ ସାହୁ ନିଜ ଜମି ମାପ ପାଇଁ ସଇଁତଳା ତହସିଲରେ ଆବେଦନ କରିଥିଲେ। ହେଲେ ସଇଁତଳା ଅମିନ ନିର୍ମଳେନ୍ଦୁ କବି ଏଥିପାଇଁ ୮ ହଜାର  ଟଙ୍କା ଦାବି କରିଥିଲେ।

ଆଜି ନିରଞ୍ଜନ ସାହୁଙ୍କ ପାଖରୁ ଅମିନ ନିର୍ମଳେନ୍ଦୁ ଟଙ୍କା ନେବା ସମୟରେ ଭିଜିଲାନ୍ସ ଟିମ୍ ଅମିନ ନିର୍ମଳେନ୍ଦୁ କବିଙ୍କୁ  ଗିରଫ କରିଛି। ବଲାଙ୍ଗୀର ଓ ସୁବର୍ଣ୍ଣପୁର ଭିଜିଲାନ୍ସର ବରିଷ୍ଠ ଅଧିକାରୀମାନେ ପୂର୍ବ ଯୋଜନା ମୁତାବକ ଜାଲ ବିଛାଇଥିଲେ। ଆଉ ତାଙ୍କୁ ଲାଞ୍ଚ ନେବା ବେଳେ ଧରିଥିଲା ଟିମ୍ ।

୧୦୦ ଫୁଟର ବୋରୱେଲ ଭିତରେ ଫସିଛି ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଗଙ୍ଗାପୁର: ରାଜସ୍ଥାନ ଗଙ୍ଗାପୁରରେ ଅଭାବନୀୟ ଘଟଣା। ବୋରୱେଲ ମଧ୍ଯରେ ଫସିଛି ଜୀବନ। ୧୦୦ ଫୁଟର ବୋରୱେଲ ଭିତରକୁ ଖସିପଡିଛନ୍ତି ଗୁଦଲା ଗ୍ରାମର ୨୫ ବର୍ଷୀୟ ଯୁବତୀ ମୋନା ବାଇ । ସୂଚନା ମୁତାବକ ଯୁବତୀ ଜଣଙ୍କ ମଙ୍ଗଳବାର ଦିନ ସନ୍ଧ୍ଯାରୁ ନିଖୋଜ ଥିଲେ । ଏକ ମୁକୁଳା ବୋରୱେଲ ବାହାରୁ ଯୁବତୀଙ୍କ ଚପଲ ଦେଖି ଘର ଲୋକ ପୋଲିସକୁ ଜଣାଇଥିଲେ।

ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀଙ୍କ ସମେତ ଏନଡିଆରଏଫ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ଯ ଜାରି ରଖିଛନ୍ତି। ବୋରୱେଲ ମଧ୍ଯକୁ ଅମ୍ଲଜାନ ପଠାଇବା ସହିତ କ୍ଯାମେରା ଲଗାଇ ଉଦ୍ଧାର କାର୍ଯ୍ଯ ଜାରି ରଖିଛନ୍ତି । ସୌଭାଗ୍ଯବଶତଃ ବୋରୱେଲ ମଧ୍ଯରେ ପାଣି ନାହିଁ। ମାତ୍ର ଯୁବତୀ ଜଣଙ୍କ କେମିତି ବୋରୱେଲ ମଧ୍ଯକୁ ଖସି ପଡିଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ଦିଲ୍ଲୀ ଗୋକୁଲପୁରୀ ମେଟ୍ରୋ ଷ୍ଟେସନରେ ଅଘଟଣ, ଧସିଲା କାନ୍ଥ

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋର ଗୋଲାପୀ ରୁଟରେ ଗୁରୁବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗୋକୁଲପୁରୀ ମେଟ୍ରୋ ଷ୍ଟେସନର ପ୍ଲାଟଫର୍ମର ପାର୍ଶ୍ୱ କାନ୍ଥର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ପଥଚାରୀ ଆହତ ହୋଇଥିବା ଜଣାଯାଇଛି। ତେବେ ମୋଟ୍ କେତେ ଜଣ କ୍ଷତାକ୍ତ ହୋଇଛନ୍ତି ଏଯାବତ୍ ଜଣାପଡିନାହିଁ ।

ଚିନ୍ତାର କଥା ହେଉଛି ଦିଲ୍ଲୀ ମେଟ୍ରୋର ଗୋଲାପୀ ରୁଟ୍ ନିକଟ ଅତୀତରେ ନିର୍ମାଣ ହୋଇଥିଲା। ଏଭଳି ପରିସ୍ଥିତିରେ ମେଟ୍ରୋ ଷ୍ଟେସନ ନିର୍ମାଣର ଗୁଣବତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅଗ୍ନିଶମ ବାହିନୀ ଏବଂ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି।  ମେଟ୍ରୋ ଷ୍ଟେସନ ନିକଟରେ ବ୍ୟାରିକେଡ୍ କରାଯାଇଛି। ରାସ୍ତାରୁ ଭଗ୍ନାବଶେଷ ହଟାଯାଉଥିବା ଦେଖିବାକୁ ମିଳିଛି ।

ଦୁର୍ଘଟଣା ପରେ ଶିବ ବିହାର ଏବଂ ଗୋକୁଲପୁରୀ ମଧ୍ୟରେ ଏହି ମାର୍ଗରେ ଡିଏମଆରସି ପକ୍ଷରୁ ମେଟ୍ରୋ କାର୍ଯ୍ୟ ବନ୍ଦ କରିଦିଆଇଛି । ମେଟ୍ରୋ ପ୍ଲାଟଫର୍ମରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହାର ଅନୁସନ୍ଧାନ କରାଯାଉଛି।

 

ରାଜ୍ୟରେ କମୁଛି ଦାରିଦ୍ର୍ୟ ହାର: ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ

ରାଜ୍ୟରେ କମୁଛି ଦାରିଦ୍ର୍ୟ ହାର।  ୨୦୧୧ରେ ଦାରିଦ୍ର୍ୟ ହାର  ୩୩ ଦଶମିକ ୬ ପ୍ରତିଶତ ଥିଲା। ନୀତି ଆୟୋଗଙ୍କ ରିପୋର୍ଟ ଅନୁସାରେ  ୨୦୨୩ ଜୁଲାଇ ସୁଦ୍ଧା ଦାରିଦ୍ର୍ୟ ହାର ୧୫ ଦଶମିକ ୬୮  ପ୍ରତିଶତକୁ ହ୍ରାସ ପାଇଛି । ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।

କେନ୍ଦ୍ର ସରକାର BRGF ପରି ଅନେକ ଯୋଜନା ବନ୍ଦ କରି ଦେଇଥିଲେ ମଧ୍ଯ ରାଜ୍ଯ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବିକାଶ ଜାରି ରଖିରିଛନ୍ତି।  ରାଜ୍ୟ ସରକାର ବିଜୁ କନ୍ଧମାଳ ଓ ଅନ୍ୟାନ୍ୟ ନିଜସ୍ୱ ଯୋଜନା ମାଧ୍ୟମରେ ଦାରିଦ୍ର୍ୟ ଦୂର କରିବାରେ ସଫଳ ହୋଇଛନ୍ତି। ମାଓବାଦୀ ଉପଦ୍ରୁତ  ଅଞ୍ଚଳରେ ମଧ୍ଯ କେନ୍ଦ୍ର ସରକାର  BRGF ଓ  ଅନ୍ୟ ଯୋଜନା ବନ୍ଦ କରିଦେଇଛନ୍ତି। ସେଠାରେ ରାଜ୍ୟ ସରକାର IDF ପରି ନିଜସ୍ୱ ଯୋଜନା କରିଛନ୍ତି।

ବିକାଶ ପାଇଁ ରାଜ୍ୟ ସରକାର ବଦ୍ଧ ପରିକର ବୋଲି ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ବିଧାନସଭାରେ ସୂଚନା ଦେଇଛନ୍ତି। ତେବେ ଆଜି ବିଧାନସଭାରେ ୨୦୨୪-୨୫ ଆର୍ଥିକବର୍ଷ ପାଇଁ କାମଚଳା ବଜେଟ ଆଗତ ହେବ। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅପରାହ୍ନ ୫ଟାରେ କାମଚଳା ବଜେଟ ଉପସ୍ଥାପନ କରିବେ।

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ଆସନ୍ତା ୨୭ତାରିଖରେ ଓଡ଼ିଶା ସମେତ ୧୫ ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ। ଏଥିପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ୧୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଭରିପାରିବେ ପ୍ରାର୍ଥୀ । ୧୬ ଫେବୃଆରୀରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ୨୦ ଫେବ୍ରୁଆରୀ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି।

୨୭ ତାରିଖ ଦିନ ୯ଟାରୁ ୪ଟା ଯାଏଁ ଭୋଟ ଗ୍ରହଣ କରାଯିବ। ସେହିଦିନ ଅପରାହ୍ମ ୫ଟାରୁ ଭୋଟ ଗଣତି ଆରମ୍ଭ ହେବ। ଓଡ଼ିଶାର ୩ ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଶ୍ବିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଶେଷ ହେଉଛି।  ଏବେ ରାଜ୍ଯସଭାରେ ବିଜେଡିର ୯ ଜଣ ସାଂସଦ ରହିଛନ୍ତି। ଏଥର ସଂଖ୍ଯା ଦୃଷ୍ଟିରୁ ବିଜେଡି ତିନୋଟି ଯାକ ଆସନ ଦଖଲ କରିବାର ସମ୍ଭାବନା ରହିଛି। ବିଜେଡି ତିନୋଟି ଯାକ ଆସନ ଦଖଲ କଲେ ରାଜ୍ଯସଭାରେ ବିଜେଡିର ଶକ୍ତି ୧୦କୁ ବୃଦ୍ଧି ପାଇବ।