ଭୁବନେଶ୍ବର: ସାଇବର ଅପରାଧର ନୂଆ ତରିକା । ଆଖି ପିଛୁଳାକେ ଗାଏବ ହୋଇଯାଉଛି ଟଙ୍କା । ଏଟିଏମକୁ ଯାଉଥିବା ବେଳେ ହୋଇଯାନ୍ତୁ ସାବଧାନ । ନହେଲେ ଆପଣ ହୋଇପାରନ୍ତି ଲୁଟର ଶିକାର । ସାଇବର ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଚିନ୍ମୟ କୁମାର ଷଢଙ୍ଗୀ ନାମକ ଜଣେ ବ୍ୟକ୍ତି ଏଟିଏମ୍ ଲୁଟର ଶିକାର ହୋଇଥିଲେ । ଚିନ୍ମୟ ଏଟିଏମକୁ ଟଙ୍କା କାଢ଼ିବାକୁ ଯାଇଥିବା ବେଳେ, ଏଟିଏମ ରେ କାର୍ଡ ଲାଖି ରହି ଯାଇଥିଲା । ପାଖରେ ଛିଡା ହୋଇଥିବା ଜଣେ ଅଜଣା ଵ୍ୟକ୍ତି ଏନେଇ ତାଙ୍କୁ ଗାଇଡ଼ କରିବା ଆରମ୍ଭ କରି ଦେଇଥିଲେ । ଏଟିଏମ ଭିତରେ ପୂର୍ବରୁ ଲାଗିଥିବା ଏକ ଫେକ ହେଲ୍ପ ଲାଇନ ନମ୍ବରରେ କଲ କରିବା ପାଇଁ କହିଥିଲେ । ଚିନ୍ମୟ ହେଲ୍ପ ଲାଇନକୁ କଲ କରିବା ପରେ ଠକ ମାନେ କାର୍ଡର ଡାଟା ମାଗିବା ସହ, ପିନ କୋଡ ମଧ୍ୟ ଏଣ୍ଟ୍ରି କରିବାକୁ କହିଥିଲେ । ଏହାପରେ ଘରକୁ ଆସି ଦେଖିଲା ବେଳକୁ ମୋବାଇଲକୁ ଗୋଟିଏ ପରେ ଗୋଟିଏ ମେସେଜ ଆସିଥିଲା । ହଠାତ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇଥିଲା । ତେବେ ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ବିହାରୀ ଗ୍ୟାଙ୍ଗ ଏବେ ଓଡ଼ିଶା ମୁହାଁ ହୋଇଛନ୍ତି । ଆଉ ଟିକିଏ ସୁଯୋଗ ପାଇଲେ ଟଙ୍କା ଲୁଟି ନେଉଛନ୍ତି । ଏମାନେ ବିଶେଷକରି ରିମୋଟ କଣ୍ଟ୍ରୋଲ ଡିଭାଇସକୁ ଏଟିଏମରେ ଲଗାଇ ଦେଉଛନ୍ତି । ଯେଉଁଠାରେ କାର୍ଡ ଭର୍ତ୍ତି କରିବା ମାତ୍ରେ ସେଠାରେ କାର୍ଡଟି ଲାଖିଯାଏ । ଆଉ ତା ସାହାଯ୍ୟରେ ଲୁଟି ନିଅନ୍ତି ଟଙ୍କା । ଘଟଣାରେ ଅଭିଯୁକ୍ତ ଅସଦ ଅଲ୍ଲୀକୁକୁ ଗିରଫ କରାଯାଇଛି । ତାଠାରୁ ୪୦ ହଜାର ସହ atm କାର୍ଡ ଜବତ କରାଯାଇଛି । ତେଣୁ ଏଟିଏମକୁ ଯାଉଥିବା ବେଳେ ଯଦି ଆପଣମାନେ କୌଣସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ କେବେ ହେଲେ ଅଜଣା ବ୍ୟକ୍ତିର ସାହାଯ୍ଯ ନ ନେବାକୁ ପୋଲିସ ପରାମର୍ଶ ଦେଇଛି ।
ଆଣ୍ଟି ରାବିସ୍ ଟିକାକରଣ ପରେ ଯୁବତୀଙ୍କ ମୃତ୍ଯୁ
ନନ୍ଦିଘୋଷ ବ୍ୟୁରୋ: ଆଣ୍ଟି ରାବିସ୍ ଟିକାକରଣ ପରେ ଯୁବତୀଙ୍କ ମୃତ୍ଯୁ । ମହାରାଷ୍ଟ୍ର କୋହ୍ଲାପୁରର ଘଟଣା । କୁକୁର କାମୁଡ଼ାର ଶିକାର ହେବା ପରେ ଆଣ୍ଟି ରାବିସ୍ ଟିକା ନେଇଥିଲେ । ଆଣ୍ଟି ରାବିସ୍ ଟିକାର ସମ୍ପୂର୍ଣ୍ଣ କୋର୍ସ ନେଇଥିଲେ । ଟିକାକରଣର ତିନିଦିନ ପରେ ତାଙ୍କର ମୃତ୍ଯୁ ହୋଇଛି । ଏକ ବୁଲା କୁକୁର ଗତ ତିନି ତାରିଖରେ ୨୦ ଜଣଙ୍କୁ କାମୁଡ଼ିଥିଲା । କୁକୁର କାମୁଡ଼ାର ଶିକାର ଯୁବତୀ ମଧ୍ଯ ଶିକାର ହୋଇଥିଲେ । କୁକୁର କାମୁଡ଼ିବା ଦ୍ବାରା ହୋଇଥାଏ ରାବିସ୍ ସଂକ୍ରମଣ । କୁକୁର କାମୁଡ଼ିବାର ୨୪ ଘଣ୍ଟା ମଧ୍ଯରେ ଆଣ୍ଟି ରାବିସ ଭ୍ଯାକ୍ସିନ୍ ନେବା ଜରୁରୀ । ନିୟମିତ ଭାବେ ପୋଷା କୁକୁରର ଟିକାକରଣ ଆବଶ୍ଯକ ।
ଅବସର ନେବା ପରେ ଭାବ ବିହ୍ବଳ ହେଲେ ଧବଲ କୁଲକର୍ଣ୍ଣି
ନନ୍ଦିଘୋଷ ବ୍ୟୁରୋ: ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ଘୋଷଣା କଲେ ଧବଲ କୁଲକର୍ଣ୍ଣି । ଫାଇନାଲରେ ବିଜୟ ସହ ଅବସର ନେଇଛନ୍ତି । ଅବସର ପରେ ଭାବ ବିହ୍ବଳ ହୋଇଥିଲେ କୁଲକର୍ଣ୍ଣି । ଫାଇନାଲରେ ମୁମ୍ବାଇ ବିଦର୍ଭକୁ ହରାଇଛି । ଫାଇନାଲରେ କୁଲକର୍ଣ୍ଣି ମୁମ୍ବାଇ ପାଇଁ ଶେଷ ଓ୍ବିକେଟ ଅକ୍ତିଆର କରିଥିଲେ । ସେ ଉମେଶ ଯାଦବଙ୍କୁ ବୋଲ୍ଡ କରି ଦଳକୁ ବିଜୟୀ କରାଇଥିଲେ । ୩୫ ବର୍ଷୀୟ କୁଲକର୍ଣ୍ଣି ୯୬ଟି ପ୍ରଣମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି । ଯେଉଁଥିରେ ସେ ୨୮୫ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ୨୦୦୮ ମସିହାରେ ନିଜର ପ୍ରଥମ ଶ୍ରେଣୀ ଡେବ୍ୟୁ କରିଥିଲେ କୁଲକର୍ଣ୍ଣି । ତେବେ ଟିମ ଇଣ୍ଡିଆ ପାଇଁ ୧୨ଟି ଦିନିକିଆ ମଧ୍ୟ ଖେଳିଛନ୍ତି । ଯେଉଁଥିରେ ସେ ୧୯ ଓ୍ବିକେଟ ଅକ୍ତିଆର କରିଛନ୍ତି । ସେପଟେ ୨ଟି ଆନ୍ତର୍ଜାତୀୟ ଟି-୨୦ ମଧ୍ୟ ଖେଳିଛନ୍ତି । ଅବସର ଘୋଷଣା କରିବା ପରେ ରୋହିତ ଶର୍ମା କହିଥିଲେ କି, କୁଲକର୍ଣ୍ଣି ହେଉଛନ୍ତି ମୁମ୍ବାଇର ଯୋଦ୍ଧା ।
ଲୋକାର୍ପିତ ହେଲା ଅନଲାଇନ୍ ପ୍ରୋତ୍ସାହନ ମ୍ୟାନେଜମେଣ୍ଟ ପ୍ରଣାଳି
ଭୁବନେଶ୍ବର: ଲୋକାର୍ପିତ ହେଲା ଅନଲାଇନ୍ ପ୍ରୋତ୍ସାହନ ମ୍ୟାନେଜମେଣ୍ଟ ପ୍ରଣାଳି । ଆଇଟି ଶିଳ୍ପ ପାଇଁ ଏହା ସହାୟକ ହେବା ସହ ଏଭଳି ପ୍ଲାଟଫର୍ମ ପ୍ରଥମ କରି ସାରା ଦେଶରେ ଆରମ୍ଭ ହୋଇଛି । ଓଡ଼ିଶା ଇ-ଗଭରନାନ୍ସ କ୍ଷେତ୍ରରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ହୋଇଥିବା ବେଳେ ଏହି ପ୍ରଣାଳିକୁ ଓକାକ ପ୍ରସ୍ତୁତ କରିଛି । ଏହି ଅନଲାଇନ୍ ପ୍ରକ୍ରିୟା ଦ୍ବାରା ଆବେଦନ କରି ଉଦ୍ୟୋଗୀ ମାନେ ସେମାନଙ୍କ ପ୍ରୋତ୍ସାହନ ଭିତ୍ତିଭୂମି ପାଇପାରିବେ । ଯକୌଣସି ସମୟରେ ଆବେଦନ ପତ୍ର ଦେଇ ନିଜର ଅପଡେଟ୍ ଜାରି କରିପାରିବେ । ସେହିପରି ନୂତନ ଜିଲ୍ଲା ଓ୍ବେବସାଇଟ୍ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ଏହି ମାନଦଣ୍ଡରେ ୩୦ଟି ଜିଲ୍ଲାର ପୋର୍ଟାଲକୁ ବିକଶିତ କରାଯାଇଛି ।
ବଡପଡାରେ ନୂତନ ଅତ୍ଯାଧୁନିକ ଶିକ୍ଷା ସୌଧର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ନନ୍ଦିଘୋଷ ବ୍ୟୁରୋ: ସ୍ୱାଭିମାନ ଅଞ୍ଚଳରେ ଶିକ୍ଷାର ନୂତନ ଆଲୋକବର୍ତ୍ତିକା । ମାଲକାନଗିରି ଜିଲ୍ଲା ବଡପଡାରେ ନୂତନ ଅତ୍ଯାଧୁନିକ ଶିକ୍ଷା ସୌଧର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଶିକ୍ଷା ସୌଧରେ ପ୍ରଥମରୁ ଉଚ୍ଚ ମାଧ୍ୟମିକ ବା ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଗୋଟିଏ ସ୍ଥାନରେ ଶିକ୍ଷା ଲାଭ କରିପାରିବେ । ୭ ଏକର ଜମିରେ ସ୍ଥାପନ କରାଯାଇଥିବା ଏହି ଆଧୁନିକ ଶିକ୍ଷା ସୌଧ ପାଇଁ ୧୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ହଜାରେରୁ ଅଧିକ ପିଲା ପାଠ ପଢିବେ । ଭବିଷ୍ୟତ ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବାକୁ ଏଥିରେ ସମସ୍ତ ଆଧୁନିକ ସୁବିଧା ସୁଯୋଗ ରହିଛି । ସ୍ମାର୍ଟ କ୍ଲାସ ରୁମ, ୩ ହଜାର ପୁସ୍ତକ ବିଶିଷ୍ଟ ଇ-ଲାଇବ୍ରେରୀ, ଟ୍ରାଇବାଲ କର୍ଣ୍ଣର, କୁନି ପିଲାଙ୍କ ଆକ୍ଟିଭିଟି ରୁମ, ଏନସିସି ପ୍ରକୋଷ୍ଠ, କମ୍ପ୍ୟୁଟର ଲ୍ୟାବ, ICT ସ୍ମାର୍ଟ ଲର୍ଣ୍ଣିଂ ସେଣ୍ଟର, ବିଜ୍ଞାନ ପରୀକ୍ଷାଗାର ରହିଛି । ଏହାଛଡ଼ା ୨୦୦ ଆସନ ବିଶିଷ୍ଟ ଛାତ୍ରାବାସ, ୫୦୦ ଆସନ ବିଶିଷ୍ଟ ଛାତ୍ରୀନିବାସ, ଆମ୍ପିଥିଏଟର. ସୁଦୃଶ୍ୟ ବଗିଚା, ସ୍ପୋର୍ଟ୍ସ କୋର୍ଟ, ଓପନ ଜିମ୍, ସୋଲାର ଲାଇଟିଂ, ସୋଲାର ୱାଟର ସପ୍ଲଏ ଆଦି ଅନେକ ବ୍ଯବସ୍ଥା ରହିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ମାଲକାନଗିରି ସବୁବେଳେ, ସବୁ କାମରେ ମୋର ପ୍ରଥମ ପସନ୍ଦ ହୋଇ ରହିଆସିଛି। ଟଙ୍କିକିଆ ଚାଉଳ ହେଉ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉ ବା ଲକ୍ଷ୍ମୀ ଯୋଜନା- ସବୁ କାର୍ଯ୍ୟକ୍ରମ ଏହିଠାରୁ ହିଁ ଆରମ୍ଭ କରାଯାଉଛି । ବଡପଡା ଶିକ୍ଷା ସୌଧ ପାଇଁ ଆନନ୍ଦ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ, ପିଲାମାନଙ୍କ ପାଠ ପଢାର ସୁବିଧା ତଥା ସେମାନଙ୍କ ବ୍ୟକ୍ତିତ୍ୱର ବିକାଶ ପାଇଁ ଏହି ଅନୁଷ୍ଠାନ ଗଢା ଯାଇଛି । ଏହି ସବୁ ସୁବିଧା ସହରର କୌଣସି ଆଧୁନିକ ଶିକ୍ଷା ଅନୁଷ୍ଠାନର ସୁବିଧାଠାରୁ କମ୍ ନୁହେଁ ।
ସ୍ୱାଭିମାନ ଅଞ୍ଚଳର ପିଲାମାନେ ଏହାର ସୁଯୋଗ ନେଇ ନିଜ ପାଇଁ ଏକ ସୁନ୍ଦର ଭବିଷ୍ୟତ ଗଢିବେ ବୋଲି ସେ ଆଶା ଓ ବିଶ୍ୱାସ ପ୍ରକଟ କରିଥିଲେ। ଶୃଙ୍ଖଳା, ପ୍ରତିବଦ୍ଧତା ସହିତ କଠିନ ପରିଶ୍ରମ ଓ ନିଷ୍ଠାର ସହ କାମ କଲେ ସଫଳତାର ମାର୍ଗ ପ୍ରଶସ୍ତ ହୁଏ ବୋଲି ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଶିକ୍ଷା ସୌଧରେ ଥିବା ସମସ୍ତ ସୁବିଧାର ଉପଯୋଗ କରି ନିଜର ପ୍ରତିଭାର ବିକାଶ ପାଇଁ କାମ କରିବାକୁ ସେ କହିଥିଲେ ଏବଂ ନିଜ ପରିବାର, ନିଜ ସ୍କୁଲ ଓ ନିଜ ଗାଁ ପାଇଁ ସୁନାମ ଆଣିବାକୁ ପରାମର୍ଶ ଦେଇଥିଲେ। 5T ଉପକ୍ରମରେ ହାଇସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ପିଲାମାନଙ୍କ ମନରେ ବଡ ହେବା ପାଇଁ ଆତ୍ମବିଶ୍ୱାସ ସୃଷ୍ଟି କରିଛି। ଅନୁସୂଚିତ ଜାତି ଓ ଜନଜାତି ପିଲାମାନେ ପାଠପଢାଠାରୁ ଖେଳ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି ମତ ଦେଇ ସେ ଏଥିପାଇଁ ଖୁସି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗଦେଇ କହିଥିଲେ ଯେ ଆଗାମୀ ଦିନରେ ସ୍ୱାଭିମାନ ଅଞ୍ଚଳରେ ଏକ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏହା ମାଧ୍ୟମରେ ସ୍ୱାଭିମାନ ଅଞ୍ଚଳର ଯୁବଗୋଷ୍ଠୀ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ପାଇବେ। ସେ ଆହୁରି ମଧ୍ୟ କହିଥିଲେ ଯେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ମାଲକାନଗିରିରୁ ହିଁ କରାଯାଇଛି। ସ୍ୱାଭିମାନ ଅଞ୍ଚଳର ବିକାଶ ନିମନ୍ତେ ସେତୁ ଯୋଜନାର ପରିକଳ୍ପନା ଜରିଆରେ ଅଞ୍ଚଳରେ ଗମନାଗମନ, ସ୍ୱାସ୍ଥ୍ୟ ଓ ଶିକ୍ଷା ଭିତ୍ତିଭୂମିର ବିକାଶ ହୋଇପାରିଛି।

