spot_img
Home Blog Page 2263

‘ଲକ୍ଷ୍ମୀ’ ବସରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ‘ୟୁପିଆଇ କ୍ୟୁଆର କୋଡ୍’ର ଶୁଭାରମ୍ଭ

ଭୁବନେଶ୍ୱର: “ଲକ୍ଷ୍ମୀ ବସରେ ଯାତାୟତ ବେଳେ କ୍ୟାସଲେସ୍ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ‘ୟୁପିଆଇ କ୍ୟୁଆର କୋଡ’ର ଶୁଭାରମ୍ଭ କରାଯାଇଛି । ଏହାଦ୍ୱାରା ଯାତ୍ରୀମାନେ ସୁବିଧାରେ କ୍ୟୁଆର କୋଡ ସ୍କାନ କରି ଟଙ୍କା ଦେଇପାରିବେ ।

ଏହି ବ୍ୟବସ୍ଥାର ଶୁଭାରମ୍ଭ କରି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ଓଏସ୍ଆରଟିସିର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଓଡ଼ିଶା ସରକାରଙ୍କ5T  ଉପକ୍ରମ ଆଧାରରେ ବିକଶିତ ଏହି କ୍ୟୁଆର କୋଡର ବ୍ୟବହାର  ଯାତ୍ରୀମାନଙ୍କ  ଯାତାୟତକୁ ସୁଗମ କରିବ ବୋଲି ପ୍ରକାଶ କରିଥିଲେ । ଏଥିରେ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦିଆଯାଇଥିବା ସଂପର୍କରେ ଆଲୋକପାତ କରି ସେ  ‘ଲକ୍ଷ୍ମୀ ’ବସରେ କ୍ୟୁଆର କୋଡର ସୁବିଧା କିପରି ଯାତ୍ରୀ ପରିବହନରେ ବୈପ୍ଳବିକ ପରିବର୍ତ୍ତନ ଆଣିବ, ସେ ସଂପର୍କରେ ଆଲୋଚନା କରିଥିଲେ ।

ଓଏସଆରଟିସିରମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦିପ୍ତେଶ ପଟ୍ଟନାୟକ କହିଛନ୍ତି, “ଏହି ବୈଷୟିକ ପ୍ରଗତିକୁ ନେଇ ଆମେ ଅତ୍ୟନ୍ତ ଗର୍ବ ଅନୁଭବ କରୁଛୁ । ‘ଲକ୍ଷ୍ମୀ କ୍ୟୁଆର କୋଡ’ର ଶୁଭାରମ୍ଭ ସାର୍ବଜନୀନ ପରିବହନ ସେବା ପ୍ରତି ଆମର ପ୍ରତିବଦ୍ଧତାକୁ ସୂଚାଉଛି । ଜନସାଧାରଣଙ୍କୁ ସହଜ ଯାତ୍ରା ଅନୁଭୂତି ପାଇଁ  ଡିଜିଟାଲ୍ ସମାଧାନ ପଦ୍ଧତି ଗ୍ରହଣ ସହ ଏହା ଓଡ଼ିଶା ସରକାରଙ୍କ 5T ରୂପାନ୍ତରଣ ଉପକ୍ରମ  ସହିତ ସମ୍ପୂର୍ଣ୍ଣ ଭାବେ ଯୋଡିହୋଇଛି ବୋଲି ସେ ପ୍ରକାଶ  କରିଥିଲେ  ।

ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର ଏହି ଅଭିନବ ପ୍ରୟାସ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି, “ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଏବଂ ଏଚଡିଏଫସି ମଧ୍ୟରେ ଭାଗିଦାରିତା ଏହି ପେମେଣ୍ଟ ପଦ୍ଧତିକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଲକ୍ଷ୍ମୀ କ୍ୟୁଆର କୋଡ୍ ସାହାଯ୍ୟରେ ଲୋକମାନଙ୍କ ପାଇଁ ପେମେଣ୍ଟ ପ୍ରକ୍ରିୟାକୁ ସହଜ କରାଯାଇଛି ଏବଂ ଏହାଦ୍ୱାରା ଯାତାୟତ ଆହୁରି ସରଳ ହେବ।”

ପ୍ରକାଶ ଥାଉକି, ସହଜ ବ୍ୟବହାର ଯୋଗ୍ୟ(ୟୁଜର ଫ୍ରେଣ୍ଡଲି)  ‘ଲକ୍ଷ୍ମୀ’କ୍ୟୁଆର୍ କୋଡ୍  ଉପଭୋକ୍ତାମାନଙ୍କ ପାଇଁ ଏକ ସୁରକ୍ଷିତ ଏବଂ ଦକ୍ଷ ଦେୟ ବିକଳ୍ପ ହୋଇଥିବା ବେଳେ ଏବା କାରବାର ସମୟ ହ୍ରାସ କରେ ଏବଂ ଯାତ୍ରୀଙ୍କ ନିରାପତ୍ତା ବୃଦ୍ଧି କରେ । କାର୍ଯ୍ୟକ୍ରମ ପରିଶେଷରେ ଓଏସ୍ଆରଟିସିର ସାଧାରଣ ସମ୍ପାକକ ଶ୍ରୀ ବିସିକେଷନ ଦେହୁରୀ ସମସ୍ତଙ୍କୁ  ଧନ୍ୟବାଦ ଅର୍ପଣ  କରିଥିଲେ ।

ପୁଣି ଲୋକଲୋଚନକୁ ଆସିବ ବିଲୁପ୍ତପ୍ରାୟ ଲୋକକଳା, ମନମୋହିଲା ଭାରତଲୀଳା

ଭୁବନେଶ୍ବର: ପୁଣି ଲୋକଲୋଚନକୁ ଆସିବ ବିଲୁପ୍ତପ୍ରାୟ ଲୋକକଳା । ଏଥିପାଇଁ ଦେବଦାସୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ଭୁବନେଶ୍ବ ଭଞ୍ଜକଳା ମଣ୍ଡପରେ ଆରମ୍ଭ ହୋଇଛି ୧୩ ତମ ନୃତ୍ୟ କାର୍ଯ୍ୟକ୍ରମ ପ୍ରତ୍ୟାବର୍ତ୍ତନ । କାର୍ଯ୍ୟକ୍ରମରେ ଗଞ୍ଜାମର ପ୍ରଶିଦ୍ଧ ଲୋକନାଟକ ଭାରତ ଲୀଳା ପରିବେଷଣ ହୋଇଛି । ବିଲୁପ୍ତପ୍ରାୟ ଏହି କଳାର ଆକର୍ଷଣ ଦର୍ଶକଙ୍କୁ ଅବିଭୂତ କରିଛି ।

ଗାଁ ଗାଁରେ ଲୋକକଳାର ବଢିବ ଆଦର । ବିଲୁପ୍ତ କଳାକୁ ଲୋକ ଲୋଚନକୁ ଆଣିବାକୁ ପ୍ରୟାସ । ଭୁବନେଶ୍ବର ଭଞ୍ଜକଳା ମଣ୍ଡପରେ ଆରମ୍ଭ ହେଲା ୧୩ ତମ ନୃତ୍ୟ କାର୍ଯ୍ୟକ୍ରମ ପ୍ରତ୍ୟାବର୍ତ୍ତନ । ଯେଉଁଠି ଦେଖିବାକୁ ମିଳିଛି ସମୃଦ୍ଧ ଅତୀତ ଓ ବିଦଗ୍ଧ ବର୍ତ୍ତମାନର ମହାମିଳନ। ମଞ୍ଚସ୍ଥ ହୋଇଛି ଗଞ୍ଜାମର ପ୍ରସିଦ୍ଧ ଲୋକ ନାଟକ ଭାରତ ଲୀଳା । ବର୍ଣ୍ଣାଢ଼୍ୟ ରାଜା, ରାଣୀ, କଟୁଆଳ ମଞ୍ଚରେ ଦେଖାଇଛନ୍ତି ନିଜର ଚମତ୍କାର ଅଭିନୟ । ମହାଭାରତର ଅର୍ଜୁନ ଓ ସୁଭଦ୍ରାଙ୍କ ପରିଣୟ ବିଷୟ ସହ ବିଶିଷ୍ଟ କବି ମାନଙ୍କ ଛନ୍ଦ, କାବ୍ୟ ଓ ଚଉପତିକୁ ନେଇ ରଚିତ ହୋଇଛି ଏହି ଲୋକନାଟ୍ୟ । ଭାରତ ଲୀଳାର ପ୍ରତ୍ୟେକଟି କଳାକାରଙ୍କ ଅଭିନୟ ଦର୍ଶକଙ୍କୁ ଅବିଭୂତ କରିଛି ।

ହଜି ଯାଉଥିବା ଲୋକ ନାଟକ ସହ ନୂତନ ପିଢିକୁ ପରିଚିତ କରାଇବାକୁ ଆରମ୍ଭ ହୋଇଛି ଏପରି ନିଆରା ଉଦ୍ୟମ । ଦେବଦାସୀ ଡ୍ୟାନ୍ସ ଏକାଡେମୀର ଏହି ତ୍ରୟେଦଶ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାୟ ଉଦଘାଟନ କରିଛନ୍ତି । ଦୀର୍ଘ ୧୨ ବର୍ଷ ହେବ ଅନୁଷ୍ଠାନ ପକ୍ଷରୁ କେନ୍ଦରା, କଣ୍ଢେଇ ନାଚ, ଧୁଡୁକି, ବାଘ ନାଚ, ଲଉଡି, ଘୋଡ଼ା ନାଚ, ଝୁମୁରା, ଭଳି ଅନେକ ନାଟକକୁ ପ୍ରେତ୍ସାହିତ କରାଯାଉଛି । ପ୍ରତ୍ୟାବର୍ତ୍ତନର ଏହି ପ୍ରୟାସ ନୂତନ ପିଢିକୁ ପୂରାତନ ପରମ୍ପରା ସମ୍ପର୍କରେ ପରିଚିତ କରାଇବାରେ ସହାୟକ ହେବ ବୋଲି କହିଛନ୍ତି ଦର୍ଶକ ।

ପଡ଼ିଆରେ କାହିଁକି ରାଗିଲେ ରାହୁଲ ଦ୍ରାବିଡ୍, ଭାଇରାଲ ହେଉଛି ଭିଡିଓ

ନନ୍ଦିଘୋଷ ବ୍ୟୁରୋ: କ୍ରିକେଟ ହେଉଛି ଭଦ୍ର ଲୋକଙ୍କ ଖେଳ । ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ଦେଖିଲେ ଏହା ସ୍ପଷ୍ଟଭାବେ ଜଣାପଡ଼େ । ନିଜର କ୍ୟାରିୟରରେ ପଡ଼ିଆରେ ରାଗିଥିବା କୋଚିତ ଦେଖିବାକୁ ମିଳିଥାଏ । ମାତ୍ର ଦକ୍ଷିଣଆଫ୍ରିକା ବିପକ୍ଷ ଦ୍ବିତୀୟ ଟି-୨୦ ସମୟରେ ରାହୁଲ ଦ୍ରାବିଡ ରାଗ ମୁଡରେ ନଜର ଆସିଥିବା ନଜର ଆସିଥିଲେ । ସେ ପଡ଼ିଆ ମଝିକୁ ଯିବା ସହ ଅମ୍ପାୟାରଙ୍କ ସହ ଆଲୋଚନା କରିଥିଲେ । ମାତ୍ର ପରେ ପଡ଼ିଆରେ ସେ କିଭଳିଭାବେ ରାଗିଥିଲେ ତାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଦକ୍ଷିଣ ଆଫ୍ରିକା ଗସ୍ତରେ ଏବେ ଟିମ ଇଣ୍ଡିଆ ରହିଥିବାବେଳେ ପ୍ରଥମ ଟି-୨୦ ବର୍ଷା ପାଇଁ ବାତିଲ ହୋଇଥିଲା । ଦ୍ବିତୀୟ ଟି-୨୦ ଭାରତ ହାରିଥିବାବେଳେ ବର୍ଷା ପରାଜୟ କାରଣ ବୋଲି କୁହାଯାଉଛି । ରିଙ୍କୁ ସିଂଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଭାରତ ଭଲ ସ୍କୋର କରିଥିଲା । ମାତ୍ର ଭାରତ ବୋଲିଂ ବେଳେ ବର୍ଷା ବାଧକ ସାଜିଥିବାବେଳେ ପଡ଼ିଆର ଆଉଟ ଫିଲ୍ଡ ଓଦା ରହିଥିଲା । ଯେଉଁଥି ପାଇଁ ବୋଲରମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେବେ ଏନେଇ ଦ୍ରାବିଡ ଅମ୍ପାୟାରଙ୍କୁ ଜଣାଇଥିଲେ । ସେ ଶୁଣି ନଥିବାବେରେ ହାତରେ ପାଣି ଲାଗିଥିବା ଦେଖାଇଥିଲେ ।

ବଢ଼ୁଛି ଥଣ୍ଡା, ଜମୁଛି ଶୀତବସ୍ତ୍ର ବେପାର

ଭୁବନେଶ୍ବର: ଥରୁଛି ଟୁଇନସିଟି । ଧୀରେଧୀରେ ବଢୁଛି ଥଣ୍ଡା । ଶୀତକୁ ଦେଖି ଜମିଲାଣି ଶୀତବସ୍ତ୍ର ବଜାର । କିଛିଦିନ ଧରି ହାତବାନ୍ଧି ବସିଥିବା ବେପାରୀ କୋହଲା ପାଗକୁ ଦେଖି ବେଶ ଉତ୍ସାହିତ । କଟକର ରାସ୍ତାକଡ଼ ଓ ବିଭିନ୍ନ ଦୋକାନରେ ଏବେ ରଙ୍ଗବେରଙ୍ଗର ଶୀତବସ୍ତ୍ର ସାଙ୍ଗକୁ ଶାଲ ଓ ଜ୍ୟାକେଟର ପସରା ମେଲାଲେଣି ତିବତିଆନ ବ୍ୟବସାୟୀ ।

ଖସୁଛି ପାରଦ, ବଢୁଛି ଶୀତ । ଚଳିତବର୍ଷ ବିଳମ୍ବରେ ଆସିଛି ଶୀତ । ଟୁଇନ ସିଟିରେ ବି କୋହଲା ପାଗ ଦେଖିବାକୁ ମିଳିଛି । ଥଣ୍ଡା ବଢୁଥିବାରୁ ଗତ କିଛିଦିନ ଧରି ହାତ ବାନ୍ଧି ବସିଥିବା ଶୀତବସ୍ତ୍ର ବେପାରୀଙ୍କ ନିକଟରେ ଜମିଲାଣି ଭିଡ଼ । ଲୋକଙ୍କ ପସନ୍ଦକୁ ଦେଖି ବଜାରକୁ ଆସିଛି ଶୀତବସ୍ତ୍ରର ସମ୍ଭାର । ସବୁବର୍ଷ ପରି କଟକ ସହରରେ ଚଳିତ ବର୍ଷ ମଙ୍ଗଳାବାଗ କାଠଗୋଲା ନଦୀପଟ ଅଂଚଳରେ ପଡିଛି ତିବତୀଆନ ଶୀତବସ୍ତ୍ର ମାର୍କେଟ । ନେପାଳ, ତିବତରୁ ବ୍ୟବସାୟ ମାନେ ୩୦ବର୍ଷରୁ ଉର୍ଦ୍ଧ୍ବ ହେବ ନିଜର ବ୍ୟବସାୟ କରିବାକୁ କଟକ ସହରକୁ ଆସିଥାନ୍ତି । ଏବେ ଶୀତ ଆରମ୍ଭ ହୋଇଥିବାରୁ ଆଗକୁ ଭଲ ବେପାର ହେବ ବୋଲି ସହିଛନ୍ତି ବ୍ୟବସାୟୀ।

ଗ୍ରାହକଙ୍କୁ ଆକୃଷ୍ଟ କରିବା ଭଳି ବିଭିନ୍ନ ପ୍ରକାର ଶୀତବସ୍ତ୍ର ବଜାରକୁ ଆସିଛି । ବିଶେଷ କରି ଯୁବବର୍ଗଙ୍କ ପାଇଁ ବିଭିନ୍ନ ପ୍ରକାର ଗ୍ଲୋବସ, ଜ୍ୟାକେଟ, ସ୍ୱଟେର ଏବଂ ଛୋଟ ପିଲାଙ୍କପାଇଁ ଟୋପି, ଚପଲ, ଜୋତା ଆଦି ମାର୍କେଟରେ ମିଳୁଛି । କଟକର ରାସ୍ତାକଡ଼ ଓ ବିଭିନ୍ନ ଦୋକାନରେ ଏବେ ରଙ୍ଗବେରଙ୍ଗର ଶୀତବସ୍ତ୍ର ସାଙ୍ଗକୁ ଶାଲ ଓ ଜ୍ୟାକେଟର ପସରା ଦେଖିବାକୁ ମିଳିଛି ।

ବାପା ଡାକ୍ତର ପୁଅ ଇଞ୍ଚିନିୟର, କିନ୍ତୁ ଚାଷ କରିବାର ନିଶା ଦେଇଛି ନୂଆ ପରିଚୟ

ନୂଆପଡ଼ା: ବାପା ଡାକ୍ତର ପୁଅ ଇଞ୍ଚିନିୟର । ଦୁହିଁଙ୍କର ପେଶା ଅଲଗା କିନ୍ତୁ ନିଶା ଚାଷ । ନୂଆପଡା ଖଡିଆଳର ଡାକ୍ତର କୁବେର କାନ୍ତ ପଣ୍ଡା ଓ ତାଙ୍କ ପୁଅ ଇଞ୍ଜିନିୟର ସୁରେଶ୍ଵର ପଣ୍ଡା। ଚାଷ କାର୍ଯ୍ୟ କରି ସୃଷ୍ଟି କରିଛନ୍ତି ଉଦାହରଣ। ୧୨୬ ପ୍ରକାର ଦେଶୀ ଧାନ ବିହନକୁ ବଞ୍ଚାଇ ଅଞ୍ଚଳରେ ହେଉଛି ଧାନ ଚାଷ। ଚାଷରୁ ଭଲ ରୋଜଗାର ହେବାରୁ ଅନ୍ୟ ଚାଷୀଙ୍କୁ ଯୋଗାଇଛନ୍ତି ବିହନ।

ବାପା ଡାକ୍ତର ଓ ପୁଅ ଇଞ୍ଜିନିୟର ହେଲେ ଚାଷ କାର୍ଯ୍ୟ ଏବେ ଏମାନଙ୍କ ପାଇଁ ପାଲଟି ଯାଇଛି ନିଶା। ନୂଆପଡା ଖଡିଆଳର ଡାକ୍ତର କୁବେର କାନ୍ତ ପଣ୍ଡା ଓ ତାଙ୍କ ପୁଅ ଇଞ୍ଜିନିୟର ସୁରେଶ୍ଵର ପଣ୍ଡା। ଚାଷ କାର୍ଯ୍ୟ କରି ସୃଷ୍ଟି କରିଛନ୍ତି ଉଦାହରଣ। ନିଜ ଚାଷ ଜମିରେ ଜୈବିକ ପ୍ରଣାଳୀରେ ଦୁହେଁ କରୁଛନ୍ତି ଚାଷ। ୧୨୬ ପ୍ରକାର ଦେଶୀ ଧାନ ବିହନକୁ ବଞ୍ଚାଇ ଅଞ୍ଚଳରେ ହେଉଛି ଧାନ ଚାଷ। ଚାଷରୁ ଭଲ ରୋଜଗାର ହେବାରୁ ଅନ୍ୟ ଚାଷୀଙ୍କୁ ବିହନ ମଧ୍ୟ ଦେଉଛନ୍ତି।

ଦେଶା ଧୀନ ଗୁଡିକରେ ପୋଷକତତ୍ତ୍ୱ ରହିଛି। ଦେଶୀ ଧାନର ଚାଉଳ ଅନେକ ରୋଗର ପ୍ରତିଷେଧକ ଭାବରେ ମଧ୍ୟ କାର୍ଯ୍ୟ କରୁଛି । ଦେଶୀ ଧାନ ସ୍ୱଳ୍ପ ଖର୍ଚ୍ଚରେ ଚାଷୀଙ୍କୁ ଅଧିକ ଅମଳ ଯୋଗାଇବା ସହ ପୋଷକ ତତ୍ତ୍ଵ ଖାଦ୍ୟ ଯୋଗାଇଥାଏ ବୋଲି ଡାକ୍ତର କୁବେର କାନ୍ତ ପଣ୍ଡା କୁହନ୍ତି । କ୍ଷେତରେ ଖେଳୁଥିବା ଏହି ସୁନାର ଫସଲ କେବଳ ରୋଜଗାର ସ୍ବାସ୍ଥ୍ୟପକ୍ଷେ ହିତକର ମଧ୍ୟ । ଆଗକୁ ଏଭଳି ଚାଷ ଜାରି ରଖିବାକୁ ଚାହାନ୍ତି ବାପା ପୁଅ ।

କେବେ ମିଳିବ ମହିଳାଙ୍କୁ ନ୍ୟାୟ? ଶାଶୂଘର ଆଗରେ ଦେଇଛନ୍ତି ଧାରଣା

ବାସୁଦେବପୁର: ଶାଶୂଘର ଆଗରେ ବୋହୂର ଧାରଣା। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବଇଁଚା ଗାଁର ଅକ୍ଷୟ ବେହେରାଙ୍କୁ ୬ବର୍ଷ ତଳେ ପ୍ରେମ ବିବାହ କରିଥିଲେ ତିହିଡ଼ି ବୁଧପୁରର ଦୀପା। ପ୍ରଥମେ ଜାତିକୁ ନେଇ ଅକ୍ଷୟଙ୍କ ପରିବାର ବିରୋଧ କରିଥିଲେ। ବିବାହ ପରଠାରୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ଏପରିକି ଦୀପାଙ୍କୁ ତାଙ୍କ ଶାଶୂ ଜୀବନରୁ ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଅନେକ ଥର ଘଟଣା ନେଇ ଗାଁ ବୈଠକ ବସି ସମାଧାନ ବି ହୋଇଛି। ଦୀପାଙ୍କର ଦେଢ଼ ବର୍ଷର ପୁଅ ବି ଅଛି । ଗତ ନଭେମ୍ବର ୨୦ ତାରିଖ ରାତିରେ ଶାଶୂ, ଶ୍ବଶୂର, ନଣନ୍ଦ ମିଶି ଦୀପାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ତାଙ୍କ ଚିତ୍କାର ଶୁଣି ଗାଁଲୋକ ଆସି ଉଦ୍ଧାର କରିଥିଲୋ । ଆମ୍ବୁଲାନ୍ସ ଡାକି ଦୀପାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଘଟଣା ପରେ ଗିରଫ ଭୟରେ ଦୀପାଙ୍କ ପରିବାର ଲୋକେ ଚମ୍ପଟ ମାରିଛନ୍ତି । ଦୀପା ଡାକ୍ତରଖାନାରୁ ଫେରିବା ପରେ ଘରେ ତାଲା ଝୁଲୁଛି । ଏହାପରଠୁ ନ୍ୟାୟ ପାଇଁ ଘର ଦୁଆରେ ଧାରଣାରେ ବସିଛନ୍ତି ଦୀପା।

ଆହୁରି ସହଜ ହେବ ଯାତାୟତ

ସୁବର୍ଣ୍ଣପୁର: ସୁବିଧାରେ ହେବ ଗମନାଗମନ। ସୁବର୍ଣ୍ଣପୁର ବୀରମହାରାଜପୁର ହରିହର ଯୋର ଉପରେ ନୂତନ ସେତୁ ନିର୍ମାଣ ପାଇଁ ହୋଇଛି ଶୀଳାନ୍ୟାସ । ୫ଟି ପଂଚାୟତକୁ ସଂଯୋଗ କରିବା ପାଇଁ ହେବ ପୋଲ। ଦୀର୍ଘ ଦିନ ଧରି ଲୋକେ ଯିବା ଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ ।

କେଉଁଠି ରାସ୍ତା ତ କେଉଁଠି ପୋଲ ନର୍ମାଣ କରି ଗମନାଗମନକୁ କରାଯାଇଛି ସୁଦୃଢ। ଆହୁରି ସହଜ ହୋଇଛି ଯାତାୟତ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସହ ୫ଟି ପଂଚାୟତକୁ ସଂଯୋଗ କରିବା ପାଇଁ ହରୀହର ଯୋର ଉପରେ ଗୋଟିଏ ନୂତନ ସେତୁ ନିର୍ମାଣର ଶୀଳାନ୍ୟାସ କରି ସ୍ଥାନିୟ ଲୋକଙ୍କ ଦୁଖ ଦୂର କରିବାକୁ ପ୍ରୟାସ କରିଛନ୍ତି ରାଜ୍ୟ ସରକାର। ନଦୀ ଦେଇ ଯିବା ଆସିବା କରିବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ ଲୋକେ। ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ଏଠାରେ ଏକ ସୁଉଚ୍ଚ ସେତୁ ନର୍ମାଣ ପାଇଁ ଶୀଳାନ୍ୟାସ ହୋଇଛି ।

ପୋଲ ନିର୍ମାଣ ହେଲେ ହଜାର ହଜାର ଲୋକେ ଉପକୃତ ହେବେ । ଏହି ପୋଲ ନିର୍ମାଣ ପାଇଁ ପ୍ରାୟ ୮କୋଟି ୮୦ଲକ୍ଷ ଟଙ୍କା ବ୍ୟୟ ଅଟକଳ  କରାଯାଇଛି । ଆଠଟି ସ୍ପାନ ଓ ୧୯ମିଟର ଲମ୍ବର ଏହି ପୋଲ ନିର୍ମାଣ ହେବ । ଏହି ପୋଲ ନିର୍ମାଣ ପାଇଁ ସ୍ଥାନିୟ ଲୋକେ ବାରମ୍ଭାର ଦାବୀ  କରିଆସୁଥିବା ବେଳେ ଖୁବ ଶୀଘ୍ର ରାଜ୍ୟ ସରକାର ଏହାର ନର୍ମାଣ ପାଇଁ ଅର୍ଥ ଆନୁମୋଦନ କରିଛନ୍ତି । ଶୀଘ୍ର ସ୍ଥାନୀୟ ଲୋକଙ୍କ ସମସ୍ୟାର ସମାଧାନ ହେବ ବୋଲି  କହିଛନ୍ତି ସ୍ଥାନୀୟ ବିଧାୟକ ଓ କାର୍ଯ୍ୟନିର୍ବାହି ଅଧିକାରୀ । ରାଜ୍ୟ ସରକାର ଗମନା ଗମନର ସୁବିଧା ପାଇଁ ସାରା ରାଜ୍ୟରେ ଅନେକ ନୂତନ ରାସ୍ତା ଓ ସେତୁ ନର୍ମାଣ କରି ସ୍ଥାନିୟ ଲୋକଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି।

ଚାଷୀଙ୍କ ପାଇଁ ଦାଉ ସାଜିଲା ଅଦିନିଆ ବର୍ଷା, କେମିତି ସୁଝିବେ ଋଣ?

ଧର୍ମଗଡ଼: ଅଦିନିଆ ବର୍ଷା ଯୋଗୁଁ ନଷ୍ଟ ହୋଇଗଲା କପା । କଳାହାଣ୍ଡି ଜିଲ୍ଲାର ଧଳା ସୁନା କୁହାଯାଉଥିବା କପା ଚାଷରେ କ୍ଷତି l ବର୍ଷକର ଚାଷକୁ ନଷ୍ଟ ହେବାର ଦେଖି ଚାଷୀକୂଳ ହତାଶ । ପରିବାର ପ୍ରିତିପୋଷଣଙ୍କୁ ନେଇ ଚିନ୍ତାରେ ଚାଷୀ ।କେମିତି ସୁଝିବେ ଋଣ ସେଇ ଚିନ୍ତା ।

ଅଦିନିଆ ବର୍ଷା ଯୋଗୁ ନଷ୍ଟ ହେଲା କପା । କଳାହାଣ୍ଡି ଗୋଲାମୁଣ୍ଡାରେ ଏକର ଏକର ଜମିରେ କପା ଫସଲ ନଷ୍ଟl ବର୍ଷକର ରୋଜଗାରକୁ ନଷ୍ଟ ହେବା ଦେଖି ହତାଶ ଚାଷୀ । ଚଳିତ ବର୍ଷ ଧାନ ତୁଳନାରେ ଅଧିକ ହେକ୍ଟର ଜମିରେ କପା ଚାଷ ହୋଇଥିଲା।  ପାଖା ପାଖି  20ହଜାରରୁ ଉର୍ଦ୍ଧ୍ବ ହେକ୍ଟର ଜମିରେ ହୋଇଥିଲା କପା ଚାଷ l ହେଲେ କୋହଲା ପାଗ ସାଂଗକୁ ଅଦିନିଆ ଝିପିଝିପି ବର୍ଷା ସବୁକିଛି ଉଜାଡି ଦେଇଛି । କ୍ଷେତକୁ ଦେଖି ଚିନ୍ତାରେ ଚାଷୀ ।

ବିଗତ ବର୍ଷ ମାନଙ୍କରେ ଏହି ଅଞ୍ଚଳରେ ଉନ୍ନତ ମାନର କପା ବିଦେଶକୁ ରପ୍ତାନି ହେଉଥିଲା । କପା ବିକ୍ରି କରି ଚାଷୀ ଭଲ ରୋଜଗାର କରୁଥିଲା । ଚଳିତ ବର୍ଷ ମଧ୍ୟ ଧାର କରଜ କରି ଚାଷୀ କପା ଚାଷ କରିଥିଲେ । ଲକ୍ଷ୍ୟ ଥିଲା ଭଲ ରୋଜଗାର ହେବ । କିନ୍ତୁ ଠିକ ଅମଳ ବେଳକୁ ବର୍ଷା ଦାଉ ସାଧିଲା। 50 ପ୍ରତିଶତ ଚାଷ ନଷ୍ଟ ହୋଇଗଲାl ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଥିବା ଚାଷୀ କେମିତି ପରିବାର ପ୍ରତିପୋଷଣ କରିବ ଏବେ ସେଇ ଚିନ୍ତାl ଅନ୍ୟପଟେ କପା ନଷ୍ଟ ବାବଦରେ ଚାଷୀ କ୍ଷତିପୂରଣ ପାଇବେ ବୋଲି ଜୁନାଗଡ଼ ବିଧାୟକ କହିଛନ୍ତି l

 

ପୁଳା ପୁଳା ଟଙ୍କା ପରେ ଧୀରଜ ସାହୁଙ୍କ ଘରେ ସୁନା ଖୋଜିବ ଆୟକର ବିଭାଗ

ଭୁବନେଶ୍ବର: ପୁଳା ପୁଳା ଟଙ୍କା ମିଳିବା ପରେ ଏବେ କଳାଧନର କୁବେର ଧୀରଜ ସାହୁଙ୍କ ଘରେ ସୁନା ଖୋଜିବ ଆୟକର ବିଭାଗ । ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ଝାଡଖଣ୍ଡ ଲୋହରଦଗା ଓ ରାଞ୍ଚି ଘରେ ପହଞ୍ଚିଛି ଆୟକର ବିଭାଗର ୧୨ ଜଣିଆ ଟିମ । ଏହି ଟିମ୍ ସାଙ୍ଗରେ ଆଣିଛି ଜିଓ ସର୍ଭିଲାନ୍ସ ସିଷ୍ଟମ । ଏହି ଯନ୍ତ୍ର ମାଟି ତଳେ  ଥିବା ସୁନାକୁ ଠାବ କରିବ ବୋଲି ଜଣାପଡିଛି । ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରେ ଚଢାଉ ପରେ ଟଙ୍କାର ପାହାଡ ଜବତ ହୋଇଛି । ଆଉ ଏବେ ସ୍ଥାବର ଅସ୍ଥାବର ସମ୍ପତିର ଆକଳନ କରୁଛି ଆୟକର ବିଭାଗ । ତେଣୁ କେତେ ସୁନା, ରୂପା ଲୁଚାଇ ରଖିଛନ୍ତି ଧୀରଜ ସାହୁ ତାର ଖୋଳତାଡ ହେବ । ଦରକାର ପଡିଲେ ଧୀରଜଙ୍କ ଘର ମାଟି ତାଡି ସୁନା ଗହଣାର ସନ୍ଧାନ କରିବ ଆୟକର ବିଭାଗ । ଧୀରଜଙ୍କ ଘରେ ପହଞ୍ଚିବା ବେଳେ ପରିବାରର ତିନିଜଣ ସଦସ୍ୟ ଓ ସିଆଇଏସଫ ଯବାନଙ୍କୁ ନେଇ ପହଞ୍ଚିଛି ଆୟକର ବିଭାଗ ।

 

ଓଡ଼ିଶାରେ ନିଶା ନିବାରଣ ପାଇଁ ଗଠନ ହେବ ସ୍ବତନ୍ତ୍ର ସେଲ୍

ଭୁବନେଶ୍ବର: ଅନଲାଇନରେ ମିଳୁଛି ଡ୍ରଗ୍ସ । ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ପଦାକୁ ଆସିବା ପରେ ରାଜ୍ୟ ସରକାରଙ୍କ ନିଶା ମୁକ୍ତ ଭାରତ ଅଭିଯାନ କମିଟିର ପ୍ରଥମ ରାଜ୍ୟସ୍ତରୀୟ ବୈଠକରେ ଉଦବେଗ ପ୍ରକାଶ କରାଯାଇଛି । ଧରପକଡ଼କୁ କଡ଼ାକଡ଼ି କରିବା ସହ ଜିଲ୍ଲାସ୍ତରୀୟ ନଶା ମୁକ୍ତ ଭାରତ ଅଭିଯାନ କମିଟି ଗଠନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ନିଶା ନିବାରଣ ପାଇଁ ସ୍ବତନ୍ତ୍ର ସେଲ ଗଠନ କରିବାକୁ ଚିନ୍ତା କରିଛନ୍ତି ରାଜ୍ୟ ସରକାର ।

ଆପଣଙ୍କ ପିଲା ଅନଲାଇନରେ ଖାଦ୍ୟ ଅର୍ଡର କରୁଛନ୍ତି କି ? ତେବେ ଫୁଡ୍ ଡେଲିଭରି ବୟ ଦେଇଥିବା ପ୍ୟାକେଟକୁ ତନତନ କରି ଯାଞ୍ଚ କରିବା ପରେ ହି ପିଲାଙ୍କୁ ଖାଦ୍ୟ ଦିଅନ୍ତୁ । କାରଣ ଅନଲାଇନ ଫୁଡ ଡେଲିଭରି ଆଳରେ ପିଲା ଡ୍ରଗ୍ସ ଅର୍ଡର କରି ଥାଇ ପରେ । ଡେଲିଭରି ସଂସ୍ଥା ପାଖରେ ପ୍ୟାକେଟ ଯାଞ୍ଚ କରିବାର ସୁଯୋଗ ନଥାଏ । ଯେଉଁଥି ପାଇଁ ସେମାନେ ପାଲଟି ଯାଆନ୍ତି ଡ୍ରଗ୍ସ ମାଫିଆ ଓ ଯୁବ ପିଢିଙ୍କ ମଧ୍ୟରେ କନେକ୍ଟିଂ ଲିଙ୍କ୍ । ନଶା ମୁକ୍ତ ଭାରତ ଅଭିଯାନ କମିଟିର ପ୍ରଥମ ରାଜ୍ୟସ୍ତରୀୟ ବୈଠକରେ ଏହି ଚିନ୍ତାଜନକ ତଥ୍ୟ ପ୍ରଦାନ କରିଛନ୍ତି କମିଟି ସଦସ୍ୟ ତଥା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶି । ପୂର୍ବରୁ ବ୍ରାଉନ ସୁଗାର ଓ କୋକେନ ପରି ଡ୍ରଗ୍ସ କେବଳ ସହରୀ ନିଶା ଥିଲା । ହେଲେ ଗାଁ ଗହଳିର ଯୁବ ପିଢି ବି ଡ୍ରଗ୍ସ ସେବନକୁ ଆକୃଷ୍ଟ ହେଲେଣି । ଏପରିକରି ଡଗ୍ସ ଇଞ୍ଜିନିଅରିଂ କଲେଜ ଛାତ୍ରଛାତ୍ରୀଙ୍କ ପାଖରେ ସୀମିତି ରହିନି । ସବୁ କଲେଜରେ ବ୍ୟାପକ ହେଲାଣି ଡ୍ରଗ୍ସ କାରବାର । ଭାରତକୁ ନଶା ମୁକ୍ତ କରିବା ପାଇଁ ନଶା ମୁକ୍ତ ଭାରତ ଅଭିଯାନ କମିଟିକୁ ଯୁବ ପିଢ଼ିଙ୍କ ସମେତ ଶିକ୍ଷାନୁଷ୍ଠାନ ଯାଇ ସଚେତନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଖୁବ୍ ଶୀଘ୍ର ନିଶା ମୁକ୍ତ ଭାରତ ଅଭିଯାନ ନିଶା ନିବାରଣ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ଯାଉଛି । ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ନଶା ମୁକ୍ତ ଭାରତ ଅଭିଯାନ କମିଟିର କିଛି ସଦସ୍ୟଙ୍କୁ ନେଇ ସ୍ବତନ୍ତ୍ର ସେଲ୍ ଗଠନ କରିବେ ରାଜ୍ୟ ସରକାର । ଏଥିରେ ଏନଜିଓମାନଙ୍କ ବି ସହାୟତା ନିଆଯିବ । ଯେଉଁମାନେ ମୁଖ୍ୟତଃ ସଚେତନତା କାର୍ଯ୍ୟକ୍ରମ କରିବା ସହ ଶିକ୍ଷାନୁଷ୍ଠାନର ୧୦୦ ମିଟର ଯାଉ ସିଗାରେଟ ବିକ୍ରି ନ ହେବା ଦିଗରେ ପଦକ୍ଷେପ ନେବେ । ଜିଲ୍ଳା ସ୍ତରରେ ବି କମିଟି ଗଠନ କରାଯିବ । ୧୦ ଜିଲ୍ଲାରେ କମିଟି ଗଠନ ସରିଛି । ବାକି 20 ଜିଲ୍ଲାରେ ବି ଖୁବ୍ ଶୀଘ୍ର କମିଟି ଗଠନ କରାଯିବ ।

ନିଶା ନିବାରଣ କରିବା ଦିଗରେ ରାଜ୍ୟ ସରକାର ଏନଫୋର୍ସମେଣ୍ଟ ଦିଗରେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ୨୦୧୮ରେ ୫୨୩ କ୍ବିଣ୍ଟାଲ ଗଞ୍ଜେଇ ଓ ୧.୦୫୪ କିଲୋଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଓଡ଼ିଶା ପୋଲିସ । ୨୦୧୯ରେ ୬୧୮ କ୍ବିଣ୍ଟାଲ ଗଞ୍ଜେଇ ଓ ୩.୬୪୪ କିଲୋଗ୍ରାମ ବ୍ରାଉନ ସୁଗାର ସିଜ୍ ହୋଇଛି । ୨୦୨୦ରେ ୧୩୭୪ କ୍ବିଣ୍ଟାଲ ଗଞ୍ଜେଇ ଓ ୩୪.୩୨ କିଲେଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ୨୦୨୧ରେ ୧୬୭୫ କ୍ବିଣ୍ଟାଲ ଗଞ୍ଜେଇ ଓ ୫୦ କିଲୋଗ୍ରାମ ବ୍ରାଉନ ସୁଗାର ରେଡ ସମୟରେ ଧରା ପଡ଼ିଥିଲା । ୨୦୨୨ରେ ୧୫୪୬ କ୍ବିଣ୍ଟାଲ ଗଞ୍ଜେଇ ଓ ୭୬.୮୩୨ କିଲୋଗ୍ରାମ ବ୍ରାଉନ ସୁଗାର ସିଜ୍ କରାଯାଇଥିଲା । ୨୦୨୩ ସେପ୍ଟେମ୍ବର ସୁଦ୍ଧା ୧୯୪୭ କ୍ବିଣ୍ଟାଲ ଗଞ୍ଜେଇ ଓ ୩୭ କିଲୋଗ୍ରାମ ବ୍ରାଉନ ସୁଗାର ଜବତ କରିବାରେ ସଫଳତା ପାଇଛି ପୋଲିସ୍ ।