spot_img
Home Blog Page 2323

ରାଜ୍ୟରେ ଏକ ହଜାରରୁ ଅଧିକ କୋଲ୍ଡ ରୁମ ନିର୍ମାଣ କରିବ କୃଷି ବିଭାଗ

ଭୁବନେଶ୍ବର: ପାର୍ବଣ ଉପଲକ୍ଷେ ଚାଷୀ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଏକ ହଜାରରୁ ଅଧିକ କୋଲ୍ଡ ରୁମ ନିର୍ମାଣ କରିବ କୃଷି ବିଭାଗ । ଯାହା ପନିପରିବା ସଂରକ୍ଷଣ କରିବା ସହ ସେ ଗୁଡ଼ିକୁ ସଢିବାକୁ ଦେବନି । ଉଦ୍ୟାନ କୃଷି,  ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା ସମୟରେ ନିଷ୍ପତ୍ତି ନିଆଯାଇଛି ।

ଫୋକସରେ ପନିପରିବା ଚାଷୀ । ପରିବା ପଚିସଢି ନଷ୍ଟ ହେବା ଭଳି ସ୍ଥିତି ଆଉ ସୃଷ୍ଟି ହେବନି  । କମଦାମରେ ବିକି କ୍ଷତି ସହିବେନି ଚାଷୀ । ରାଜ୍ୟ ସରକାର ଖୋଲିବେ କୋଲ୍ଡ ରୁମ୍ । ରାଜ୍ୟରେ ପନିପରିବା ଓ ଫଳଚାଷର ରହିଛି ପର୍ଯ୍ୟାପ୍ତ ସୁଯୋଗ । ରାଜ୍ୟ ସରକାର କୃଷି କ୍ଷେତ୍ରରେ ଫସଲର ବିବିଧିକରଣକୁ ପ୍ରାଧାନ୍ୟ ଦେଉଥିରବାବେଳେ ପନିପରିବା ଚାଷ ଦ୍ଵାରା ଚାଷୀମାନଙ୍କର ଆୟବୃଦ୍ଧି ଉପରେ ଗୁରୁତ୍ଵ ଦିଆଯାଉଛି । ରାଜ୍ୟ ସରକାର ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ମାଧ୍ୟମରେ ପନିପରିବା ଓ ଫଳଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଅନେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ସଂରକ୍ଷଣ ଅଭାବରୁ ସେ ସବୁ ଅନେକ ସମୟରେ ନଷ୍ଟ ହୋଇଯାଏ । ନହେଲେ ବାଧ୍ୟ ହୋଇ କମ୍ ଦାମରେ ବିକି କ୍ଷତି ସହନ୍ତି ଚାଷୀ ।

ଏବେ ପନିପରିବାର ଉପଯୁକ୍ତ ସଂରକ୍ଷଣ ନିମନ୍ତେ ରାଜ୍ୟରେ ୧୦ରୁ ୧୫ ଟନ କ୍ଷମତାବିଶିଷ୍ଟ ଏକ ହଜାରରୁ ଊର୍ଦ୍ଧ୍ବ କୋଲଡ୍ ରୁମ୍ ସ୍ଥାପନ କରାଯିବ । ଏଥିସହିତ ରାଜ୍ୟରେ ଆଳୁ ଚାଷକୁ ବ୍ୟାପକ କରିବା ପାଇଁ ପଦକ୍ଷେପ ନିଆଯାଇଛି । ୨୦୨୩-୨୪ ବର୍ଷ ଖରିଫରେ ରାଜ୍ୟରେ ଖରିଫ୍ ଆଳୁ ଚାଷ କରାଯାଇଥିବାବେଳେ ରବିଋତୁରେ ଆଳୁଚାଷ ପାଇଁ ଓଡ଼ିଶା ରାଜ୍ୟ ବିହନ ନିଗମ ପକ୍ଷରୁ ପ୍ରାମାଣିକ ଆଳୁ ବିହନ ସଂଗ୍ରହ କରାଯାଉଛି । ଅଧିକ ଆଳୁ ଉତ୍ପାଦନ ନିମନ୍ତେ ଚାଷୀମାନଙ୍କୁ ଉନ୍ନତ ମାନର ଆଳୁ ବିହନ ଯୋଗାଇଦେବା ଉପରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଗୁରୁତ୍ବ ପ୍ରଦାନ କରୁଛି । ବହୁ ଦିନରୁ ବିଧାୟକମାନେ କୃଷି ସଶକ୍ତିକରଣ ପାଇଁ ଅନେକ ପରାମର୍ଶ ଦେଇଥିଲେ । ଯାହାକୁ କାର୍ଯ୍ୟକାରୀ କରୁଛନ୍ତି ରାଜ୍ୟ ସରକାର ।

ପନିପରିବା ଚାଷରେ ସ୍ବାବଲମ୍ବୀ ହେବାରେ ଲାଗୁଛି ଓଡ଼ିଶା । ସ୍ବତନ୍ତ୍ର ଯୋଜନା ଅଧୀନରେ କଦଳୀ, ସେଓ, ଆତ, କମଳା, ଲିଚୁ, ସପୁରୀ, ଅମୃତଭଣ୍ଡା, ପିଜୁଳି, ଡାଳିମ୍ବ ଓ ପଣସ ପରି ଚାଷ ବି ବ୍ୟାପକ ଭାବେ ଆରମ୍ଭ ହେଲାଣି । ଏପରି ସ୍ଥିତିରେ କୋଲଡ୍ ରୁମ୍ ପ୍ରତିଷ୍ଠା କରି ଚାଷର ସୁରକ୍ଷା ସହ ଚାଷୀର ବିକାଶ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଯାହା ଚାଷୀମାନଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି କରିଛି ।

ଚାଷୀଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବା ପାଇଁ ଫାର୍ମ ପଣ୍ଡ ପ୍ଲସ୍ ଯୋଜନା କରାଯାଉଛି । ଯେଉଁଥିରେ ସମନ୍ବିତ କୃଷି, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନାରେ ବିଭିନ୍ନ ଚାରା ରୋପଣ କାର୍ଯ୍ୟକ୍ରମ, ରିୱାର୍ଡ ଯୋଜନାରେ ଜଳସେଚନ ସୁବିଧା, କଫିଚାଷ, ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା, କୂପ ଖନନ, ଜାତୀୟ ହର୍ଟିକଲଚର ମିଶନରେ ନଡ଼ିଆ ଚାଷ ଆଦି କାର୍ଯ୍ୟକ୍ରମ କରାଯାଉଛି ।

 

 

 

ପାର୍ବଣରେ ଖାଉଟିଙ୍କୁ ମହଙ୍ଗା ମାଡ଼

ଭୁବନେଶ୍ବର: ପାର୍ବଣରେ ଖାଉଟିଙ୍କୁ ମହଙ୍ଗା ମାଡ଼। କ୍ବିଣ୍ଟାଲ ପିଛା ୨୩୦୦ ଟଙ୍କାରୁ ୨୭୦୦ ଟଙ୍କାକୁ ବୃଦ୍ଧି ପାଇଛି ଗହମ। ଫଳରେ ଅଟା, ସୁଜି, ମଇଦା ସମେତ ଗହମଜାତ ଦ୍ରବ୍ୟର ଦର ଆକାଶଛୁଆଁ ହୋଇଛି। ଖାଲି ଏତିକି ନୁହେଁ, ସୀମା ପାର କରିବାକୁ ଯାଉଛି ସୁନା ଦର। ଏବେ ୨୪କ୍ୟାରେଟ୍ ସୁନା ଦର ୬୨ ହଜାର ୬୦୦ ଟଙ୍କା। ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ଯୁଦ୍ଧ ଯୋଗୁ ଲୋକେ ଷ୍ଟକ୍ ମାର୍କେଟରେ ଟଙ୍କା ନଲଗାଇ ସୁନା କିଣିଚାଲିଛନ୍ତି। ଆସନ୍ତା ଦୀପାବଳୀକୁ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୬୫ହଜାର ଟପିବ ବୋଲି ଆକଳନ କରାଯାଉଛି।

ପାର୍ବଣ ଋତୁରେ ମହଙ୍ଗା ମାଡ଼। ବଢିଲାଣି ରୁଟି ରେଟ୍ । ଖାଇବା ସାମଗ୍ରୀ ଦର ଆକାଶଛୁଆଁ। ହାଣ୍ଡିଶାଳରେ ଚଡ଼କ, ବିଗିଡ଼ିଲାଣି ମାସିକିଆ ବଜେଟ୍। ଦଶହରାରେ ଖାଉଟି କଲବଲ। ଖାଇବାରୁ ପିନ୍ଧିବା, ଯେଉଁଠି ହାତ ଲଗାଇଲେ ବି ରେଡ୍ ଚଢା। କର୍ପୋରେଟ୍ ସଂସ୍ଥାଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ନେଇ ଖୋଲା ଛୁଟ୍ ଦେଇଛନ୍ତି କେନ୍ଦ୍ର ସରକାର। ଦୁଇଦିନ ତଳେ ଗହମ କ୍ବିଣ୍ଟାଲ ପିଛା ଥିଲା ୨୩୦୦ ଟଙ୍କା, ଏବେ ହେଲାଣି ୨୭୦୦ ଟଙ୍କା। ଗହମ ଦର ବୃଦ୍ଧି ଯୋଗୁଁ ଅଟା, ମଇଦା, ସୁଜି ସମେତ ଗହମ ଜାତ ଦ୍ରବ୍ୟ ଦର ବି ବୃଦ୍ଧି ଦେଖି ଖାଉଟିଙ୍କ ହୋସ୍ ଉଡିଲାଣି।

ଦର ବଢ଼ିବା ସହିତ ଯୋଗାଣ ବି କମ୍ । ମାନେ ବୋଝ ଉପରେ ନଳିତା ବିଡ଼ା। କେତେବେଳେ ଡାଲି ତ କେତେବେଳ ଖାଇବା ତେଲ । ହୁ ହୁ ହୋଇ ବଢୁଛି ଖାଦ୍ୟ ସାମଗ୍ରୀ ଦର। ଓଡ଼ିଶା ବଜାରକୁ ବାର୍ଷିକ ୨୫ ଲକ୍ଷ କ୍ବିଣ୍ଟାଲ୍ ଗହମ ଆବଶ୍ୟକ। ଦୁଇଦିନ ତଳେ ୨୫ କିଲୋ ଅଟା ମୂଲ୍ୟ ଥିଲା ୮୫୦ ଟଙ୍କା । ଏବେ ୯୦୦ ଟଙ୍କାରେ ପହଞ୍ଚିଲାଣି । ଖୋଲାରେ ଅଟା କିଲୋ ଏବେ ହେଲାଣି ୩୬ ଟଙ୍କା । ଗହମ ସହିତ ପ୍ୟାକେଟ୍ ମସଲା ଦର ବି କର୍ପୋରେଟ୍ ସଂସ୍ଥା ବଢାଇ ଚାଲିଛନ୍ତି। ଏପରିକି ରାଜ୍ୟ ବ୍ୟବସାୟୀ ମହାସଂଘ ଅଭିଯୋଗ କରିଛି କର୍ପୋରେଟ୍ ସଂସ୍ଥା ଜାଣିଶୁଣି ଏସବୁ ଜିନିଷର ଆବଶ୍ୟକତାଠାରୁ ହୋର୍ଡିଂ କରି କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି। ଖୁଚୁରା ବେପାରୀଙ୍କ ବେଉସା ବୁଡ଼ାଇବାକୁ ଏକ ପ୍ରକାର ଚକ୍ରାନ୍ତ କରାଯାଉଛି । ଆଉ କେନ୍ଦ୍ର ସରକାର ନୀରବ ରହି ଏପରି ଅସାଧୁ ବ୍ୟବସାୟକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି।

ସେପଟେ ସୁନାଦର ବି ଆକାଶଛୁଆଁ। ସପ୍ତାହ ତଳେ ୨୪ କ୍ୟାରେଟ୍ ସୁନାଦର ୧୦ଗ୍ରାମ୍ ପିଛା ୫୮ ହଜାର ଥିଲା। ଏବେ ବଢି ୬୨ ହଜାର ୬୦୦ ଟଙ୍କାରେ ପହଞ୍ଚିଲାଣି । ଇସ୍ରାଏଲ ଓ ପାଲେଷ୍ଟାଇନ୍ ଯୁଦ୍ଧ ଯୋଗୁଁ ସେୟାର ମାର୍କେଟ୍ରେ ଆଉ ଲୋକେ ପୁଞ୍ଜି ନଲଗାଇ ସୁନା କିଣାରେ ଖର୍ଚ୍ଚ କରୁଛନ୍ତି। ଲୋକେ ଅଧିକ ସୁନା କିଣୁଥିବାରୁ ଚାହିଦା ଆହୁରି ବୃଦ୍ଧି ପାଇବ। ସେପଟେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଖସିଚାଲିଛି। ଏସବୁ କାରଣ ଯୋଗୁଁ ଦୀପାବଳି ବେଳକୁ ୧୦ ଗ୍ରାମ ଓଜନର ୨୪ କ୍ୟାରେଟ୍ ସୁନା ଦର ୬୫ ହଜାର ଟଙ୍କା ପାର୍ କରିଯିବ ବୋଲି ଆକଳନ କରାଯାଉଛି। ସେପଟେ ୨୨କ୍ୟାରେଟ୍ ସୁନାଦର ୫୬ ହଜାର ୬୦୦ରୁ ୫୬ ହଜାର ୯୦୦ ଟଙ୍କାରେ ବିକ୍ରି ହେଉଛି। ଆସନ୍ତା ସପ୍ତାହ ବେଳକୁ ୨୨କ୍ୟାରେଟ୍ ସୁନା ଦର ୫୮ ହଜାର ପାର୍ କରିଯିବ ବୋଲି ଜୁଏଲରର୍ସ୍ ଆକଳନ କରିଛନ୍ତି ।

କେନ୍ଦ୍ର ସରକାରଙ୍କ କର୍ପୋରେଟ୍ ପ୍ରୀତି ଯୋଗୁ ମହଙ୍ଗା ମାଡ଼ର ଶିକାର ହୋଇଚାଲିଛନ୍ତି ଖାଉଟି । ପେଟ୍ରୋଲ-ଡିଜେଲ ଦର ଯୋଗୁ ଖାଉଟିଙ୍କ ପକେଟ୍ ଖାଲି ହୋଇଚାଲିଛି। ଖାଲିସେତିକି ନୁହେଁ ବର୍ଷ ସାରା ଖାଦ୍ୟ ସାମଗ୍ରୀ ଦର ବି ଚଢା ରହୁଛି। ଅଟା, ଡାଲି, ଚାଉଳ ପରେ ମସଲା ଦର ବି ବଢୁଛି। କେନ୍ଦ୍ର ସରକାରଙ୍କ ଆଚ୍ଛେଦିନକୁ ଏବେ ମନେପକାଉଛନ୍ତି ଖାଉଟି ଓ ବିରୋଧୀ ।

 

 

 

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ନେଉଛି ଗଭୀର ଅପବାତର ରୂପ

ବ୍ୟୁରୋ ରିପୋର୍ଟ: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଅବପାତ। ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଅବପାତ। ପାରାଦୀପ ଠାରୁ ଦକ୍ଷିଣରେ ୫୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଖୁବଶୀଘ୍ର ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବା ସହ  ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ଏକ ଦୁର୍ବଳ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳରେ ସମାନ୍ତରାଳ ଭାବରେ ବାଂଲାଦେଶ ମୁହାଁ ହେବ। ପ୍ରଭାବରେ ସୋମବାରଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାଗୁଡିକରେ ବର୍ଷା ସମ୍ଭାବନା ରହିଛି ।

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ଓଡ଼ିଶା ଉପରେ ନାହିଁ ବଡ ପ୍ରଭାବ। ବଙ୍ଗୋପସାଗରରେ ସୃଷ୍ଟ ଅବପାତ  ଘନୀଭୂତ ହେବା ପରେ ନେବ ଗଭୀର ଅବପାତର ରୂପ । ୨୪ ଘଣ୍ଟାରେ ବାତ୍ୟାର ରୂପ ନେବା ପୂର୍ବରୁ ବଦଳାଇବ ଦିଗ । ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରି ବାଂଲାଦେଶ ମୁହାଁ ହେବ ବାତ୍ୟା ହାମୁନ୍। ୨୬ ତାରିଖରେ ଛୁଇଁବ ସ୍ଥଳଭାଗ । ସମାନ୍ତରାଳ ଭାବେ ଓଡ଼ିଶା ଉପକୂଳ ଦେଇ କରିବ ଗତି । ସ୍ଥଳଭାଗ ଠାରୁ ଦେଢ ଶହରୁ ଦୁଇ ଶହ କିଲୋମିଟର ଦୂରରେ ଯିବ ବାତ୍ୟା । ପ୍ରଭାବରେ କାଲିଠୁ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ଥିବାବେଳେ ଘଣ୍ଟାପ୍ରତି ବହିବ ୬୦ ରୁ ୭୦ କିମି ବେଗରେ ପବନ। ସମୁଦ୍ର ଅଶାନ୍ତ  ରହୁଥିବାରୁ ୨୬ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ହୋଇଛି । ଅକ୍ଟୋବର ମାସ ହୋଇଥିବାରୁ ବାତ୍ୟା ଉପରେ ସ୍ବତନ୍ତ୍ର ନଜର ରଖିଛି ଆଇଏମଡି।

ଅବପାତ ପ୍ରଭାବରେ ଆଜି ରାତିରୁ ବଦଳିବ ପାଗ । ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବ । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ସୋନପୁର, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଏବଂ ରାୟଗଡାରେ ହାଲୁକା ବର୍ଷା ସମ୍ଭାବନା ରହିଛି । କଟକ ଓ ଭୁବନେଶ୍ବରରେ ଦଶହରା ସାମାନ୍ୟ ଫିକା ପଡିପାରେ । କିନ୍ତୁ ତୋରଣ ପ୍ରତି ବିପଦ ନଥିବା ପାଣିପାଗ କେନ୍ଦ୍ର କହିଛି । ୨୪ ଓ ୨୫ରେ ସର୍ବାଧିକ ରହିବ ବାତ୍ୟାର ପ୍ରଭାବ । ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ବିଲରେ କଟାହୋଇ ପଡିଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି ।

ନଜର ପକାନ୍ତୁ କ’ଣ ରହିଛି ସାମୁଦ୍ରିକ ଝଡ଼ ’ତେଜ୍’ ଅପଡେଟ୍

ନୂଆଦିଲ୍ଲୀ: ଆସୁଛି ବାତ୍ୟା ! ଦକ୍ଷିଣ-ପୂର୍ବ ଓ ଦକ୍ଷିଣ-ପଶ୍ଚିମ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସାମୁଦ୍ରିକ ଝଡ଼ ‘ତେଜ୍’ରେ ପରିଣତ ହୋଇଛି । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ  ବା ଆଇଏମଡି । ଆଇଏମଡିର ସୂଚନା ଅନୁଯାୟୀ ଅକ୍ଟୋବର ୨୨ ସନ୍ଧ୍ୟା ପର୍ଯ୍ୟନ୍ତ ଏହା ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ ଅକ୍ଟୋବର ୨୫ରେ ୟେମେନ-ଓମାନ ଉପକୂଳ ଅତିକ୍ରମ କରିବ ଏହି ବାତ୍ୟା । ଏହି କାରଣରୁ ଏହି ବାତ୍ୟାର ବିଶେଷ ପ୍ରଭାବ ଭାରତ ଉପରେ ପଡ଼ିବ ନାହିଁ । ଅକ୍ଟୋବର ୨୫ ତାରିଖ ସକାଳେ ଏହି ବାତ୍ୟା ଅଲ ଗୈଦା (ୟେମେନ) ଏବଂ ସାଲାଲାହ (ଓମାନ) ମଧ୍ୟରେ ୟେମେନ-ଓମାନ ଉପକୂଳ ଅତିକ୍ରମ କରିବ।

ତେବେ ପାଣିପାଗ ବିଜ୍ଞାନୀମାନେ ସତର୍କ କରାଇ ଦେଇଛନ୍ତି ଯେ ବେଳେବେଳେ ବାତ୍ୟାଗୁଡ଼ିକ ଆନୁମାନିକ ଗତିପଥରୁ ବିଚ୍ୟୁତ ହୋଇଯାଆନ୍ତି, ଯାହା କି ବାତ୍ୟା ବିପର୍ଯ୍ୟୟ’ କ୍ଷେତ୍ରରେ ଦେଖିବାକୁ ମିଳିଥିଲା। ଜୁନ୍ ମାସରେ ଆରବ ସାଗରରେ ସୃଷ୍ଟି ହୋଇଥିବା ବିପର୍ଯ୍ୟୟ’ ପ୍ରଥମେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିଲା, କିନ୍ତୁ ଏହା ପୁଣି ଥରେ ଦିଗପରିବର୍ତ୍ତନ କରି ଗୁଜରାଟର ମାଣ୍ଡଭି ଓ ପାକିସ୍ତାନର କରାଚି ଆଡ଼କୁ ଗତି କରିଥିଲା।

ଚାଷୀଙ୍କ ଚିନ୍ତା ବଢ଼ାଇଛନ୍ତି ଫସଲ ନଷ୍ଟକାରୀ ପୋକ

ବାଲେଶ୍ବର: ମୁଣ୍ଡଝାଳ ତୁଣ୍ଡରେ ମାରି ବହୁ କଷ୍ଟରେ ଧାନ କ୍ଷେତରେ ସୁନାର ଫସଲ ଫଳାଇଥିଲେ ଚାଷୀ। ଏବେ ଧାନରେ ଥୁଡ଼ ଧରିବା ବେଳକୁ ଫସଲ ନଷ୍ଟକାରୀ ପୋକ ମାନଙ୍କର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । କ୍ଷେତରେ ଯେତେ ଔଷଧ ସିଞ୍ଚନ କଲେ ବି କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ଫଳରେ ନିରୁପାୟ ଚାଷୀ ଫସଲ ଅମଳ ହେବା ଆଗରୁ ଧାନଗଛକୁ କାଟି ପକାଉଛନ୍ତି । ବାଲେଶ୍ବର ଜିଲ୍ଲାର ନୀଳଗିରି ଉପଖଣ୍ଡରେ ଏଭଳି ଚାଷୀମାନେ ପୋକ ପାଇଁ ଚିନ୍ତାରେ ରହିଛନ୍ତି ।

ଭଲ ଫସଲ ଅମଳ ହେବ । ଧାର କରଜ ସବୁ ଶୁଝିବ। ଭଲରେ ବର୍ଷକର ପେଟପାଟଣ ଚଳିବ। ସୁନାର ଫସଲ ଦେଖି ସ୍ବପ୍ନ ଦେଖିଥିବା ଚାଷୀ ଏବେ ହତାସ । ଚାଷ ପାଇଁ ଦାଉ ସାଧିଛି ଚକଡା ପୋକ। ବାଲେଶ୍ବର ଜିଲ୍ଲାର ନୀଳଗିରି ବ୍ଲକରେ ମୋଟ୍ 10ହଜାର 240 ହେକ୍ଟର ଜମିରେ ଧାନ ଚାଷ ହୋଇଛି । ସେଥିମଧ୍ୟରୁ ୨୫ଟି ପଂଚାୟତର ୧୫୬ ଗୋଟି ଗାଁର ୧୨୬ ହେକ୍ଟର ଚାଷ ଜମିରେ ବ୍ୟାପିଯାଇଛି ମାଟିଆ ଗୁଣ୍ଡି ପୋକ  । ସେହି ପରି ଔପଦା ବ୍ଲକ୍ର ମୋଟ ୯ ହଜାର ୫୮୩ ହେକ୍ଟର ଜମିରେ ହୋଇଥିବା ଧାନ ଚାଷରେ ବି ପୋକ ଲାଗିଛି । ଯେତେ ପ୍ରକାର ଔଷଧ ସିଞ୍ଚନ କଲେ ବି କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।

ଫସଲକୁ ସୁରକ୍ଷା ଦେବାପାଇଁ ନିରୁପାୟ ଚାଷୀ । ସେପଟେ ଫସଲ ନଷ୍ଟ ନେଇ ଉପଜିଲ୍ଲା ପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ସେ ଅତିଶୀଘ୍ର ଫସଲ କ୍ଷୟକ୍ଷତିର ରିପୋର୍ଟ ପ୍ରସ୍ତୁତ କରି ଦେବା ପାଇଁ ସ୍ଥାନୀୟ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଚାଷୀଙ୍କୁ ଚିହ୍ନଟ କରି ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ଉପ ଜିଲ୍ଲାପାଳ ।

 

ଭାରତ ଆଗରେ ୨୭୪ ରନର ବିଜୟ ଲକ୍ଷ୍ୟ

ଧର୍ମଶାଳା: ବିଶ୍ବକପର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ସାମନା ସାମନି ହେଉଥିଲେ ଭାରତ ଏବଂ ନ୍ୟୁଜିଲାଣ୍ଡ । ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିଥିବାବେଳେ ଅଲଆଉଟ ହୋଇ ୨୭୩ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଛି । ଭାରତ ଆଗରେ ୨୭୪ ରନର ବିଜୟ ଲକ୍ଷ୍ୟ ରହିଛି । ଭାରତୀୟ ବୋଲର ମହମ୍ମଦ ସାମି ଆଜିର ମ୍ୟାଚରେ ଖେଳିଥିବାବେଳେ ସେ ୫ ଓ୍ବିକେଟ ଅକ୍ତିଆର କରିଛନ୍ତି ।  ଡେରିଲ ମିଚେଲ ନ୍ୟୁଜଲାଣ୍ଡ ପକ୍ଷରୁ ସର୍ବାଧିକ ସ୍କୋର କରିଛନ୍ତି । ସେ ୧୨୭ ବଲ ଖେଳି ୧୩୦ ରନ କରିଛନ୍ତି । ଏହାସହ ରଚିନ୍ ରିବନ୍ଦ୍ର ୮୭ଟି ବଲ ଖେଳି ୭୫ ରନ କରିଥିଲେ । ଗ୍ଲେନ୍ ଫିଲିପ୍ସ ୨୩ ରନ କରିଥିଲେ । ଭାରତ ତରଫରୁ ମହମ୍ମଦ ସାମୀ ସର୍ବାଧିକ ୫ଟି ୱିକେଟ ହାସଲ କରିବାରେ ସଫଳ ହୋଇଛନ୍ତି । ସେହିଭଳି କୁଲଦୀପ ଯାଦବ ୨ ୱିକେଟ, ଜଶପ୍ରୀତ ବୁମରାହ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

ମାଳଦ୍ବୀପରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ମହାକାଳପଡ଼ା: ମାଳଦ୍ବୀପରେ କାମ କରୁଥିବା ଓଡ଼ିଆ ଶ୍ରମିକଙ୍କ ମୃତ। ଗ୍ୟାସ ଟାଙ୍କି ଫାଟିବାରୁ ଚାଲିଗଲା ଜୀବନ। କେନ୍ଦ୍ରାପଡା ମହାକାଳପଡା ବ୍ଲକ ଅଳାଇଲୋର ସୁଧୀରଙ୍କର ବିୟୋଗରେ ଭାଙ୍ଗିପଡିଛନ୍ତି ପରିବାର । ସୁଧୀର ମାଳଦ୍ବୀପର ଏକ କମ୍ପାନୀରେ କାମ କରୁଥିଲେ । ଗ୍ୟାସ ଟାଙ୍କି ବିସ୍ଫୋରଣ ହେବାରୁ ତାଙ୍କ ମୃତ୍ୟୁ ହୋଇଥିବା ସମ୍ପୃକ୍ତ କମ୍ପାନୀ ପକ୍ଷରୁ ଟେଲିଫୋନ ଯୋଗେ ପରିବାରକୁ ଜଣାଇଥିଲେ। ସୁଧୀରଙ୍କ ମୃତ ଦେହକୁ ଜନ୍ମମାଟିକୁ ଫେରାଇ ଆଣିବାକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି। ମୁତ୍ୟୁ ଖବର ପାଇବା ପରେ ସ୍ଥାନୀୟ ଅଂଚଳରେ ଖେଳି ଯାଇଛି ଶୋକର ଛାୟା । ରୋଜଗାରିଆ ପୁଅକୁ ହରାଇ କାନ୍ଦୁଛନ୍ତି ପରିବାର ଲୋକେ ।

ସ୍ବାମୀଙ୍କ ଆଗରେ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ

ଢ଼େଙ୍କାନାଳ: ଲଜ୍ଜା । ପୁଣି ଲଜ୍ଜା । ଅଭିଯୁକ୍ତଙ୍କ ବିରୋଧରେ ଯେତେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଗଲେ ସୁଦ୍ଧା ଯୌନ ପିପାଶୁମାନେ ଚେତୁ ନାହାନ୍ତି । ପୁଣି ରାଜ୍ୟରେ ଏକ ଲଜ୍ଜା ଖବର ସାମନାକୁ ଆସିଛି । କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଢେଙ୍କାନାଳ ଜିଲ୍ଲା ଭୁବନ ବାରୁଆ ଅଞ୍ଚଳରେ କଲେଜ ପଢୁଆ ବିବାହିତା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ସ୍ବାମୀ ଆଗରେ ୫ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କଲେଜ ଛୁଟି ପରେ ନିଜ ଘର କାଳିଆପାଣିକୁ ସ୍ବାମୀ ସହିତ ଯାଉଥିବା ବେଳେ କାଜୁ ଜଙ୍ଗଲରେ ୫ ଜଣ ବଳପୂର୍ବକ ଦୁଷ୍କର୍ମ କରିଥିବା ପୀଡ଼ିତା ଭୁବନ ଥାନାରେ ଅଭିଯୋଗ କରିଛନ୍ତି । ଭୁବନ ପୋଲିସ ମାମଲା ରୁଜୁ କରି ପୀଡ଼ିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଛାତ୍ରୀଙ୍କୁ କାଜୁ ଜଙ୍ଗଲରେ ଦୁଷ୍କର୍ମ ସହିତ ଅଭିଯୁକ୍ତମାନେ ତାଙ୍କ ସ୍ଵାମୀଙ୍କଠାରୁ ଟଙ୍କା ଓ ମୋବାଇଲ ଫୋନ ଛଡ଼ାଇ ନେଇଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦାବି କରାଯାଇଛି ।

ଟସ୍ ଜିତି କାହିଁକି ବୋଲିଂ ନିଷ୍ପତ୍ତି ନେଲା ଟିମ୍ ଇଣ୍ଡିଆ?

ଧର୍ମଶାଳା: ସୁପର ସଣ୍ଡେରେ ସୁପର ମ୍ୟାଚ୍ । ଚଳିତ ବିଶ୍ବକପରେ ଦମଦାର ପ୍ରଦର୍ଶନ କରୁଥିବା ଦୁଇ ଲଢ଼ୁଆ ଟିମ ମଧ୍ୟରେ ଚାଲିଛି ଟକ୍କର । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟ ମ୍ୟାଚ ଚାଲିଛି । ବିଶ୍ବକପରେ ଭାରତ ନ୍ୟୁଜିଲାଣ୍ଡ ମ୍ୟାଚ ସବୁବେଳେ ସଂଘର୍ଷପୂର୍ଣ୍ଣ ହୋଇଥାଏ । ଭାରତ ତୁଳନାରେ ନ୍ୟୁଜିଲାଣ୍ଡର ପଲ୍ଲା ଭାରି ରହିଛି । ତେବେ ଚଳିତ ବିଶ୍ବକପ ଭାରତରେ ଅନୁଷ୍ଠିତ ହେଉଥିବାବେଳେ ଆଜିର ମ୍ୟାଚଟି ଧର୍ମଶାଳାରେ ଅନୁଷ୍ଠିତ ହେଉଛି । କ୍ରିକେଟ ପ୍ରେମୀମାନେ ଆଶା ରଖିଥିଲେ କି, ଭାରତ ପ୍ରଥମେ ବ୍ୟାଟିଂ କରିବ ଏବଂ ବଡ଼ ସ୍କୋର କରିବ । ଭାରତ ଟସ୍ ଜିତିଥିଲେ ସୁଦ୍ଧା ବୋଲିଂ ନିଷ୍ପତ୍ତି ନେଇଛି । ଯାହାକି ଅନେକ କ୍ରିକେଟପ୍ରେମୀଙ୍କୁ ଏହା ନିହାତିଭାବେ ହତୋତ୍ସାହ କରୁଛି । କିନ୍ତୁ ରୋହିତ ଶର୍ମା ବୋଲିଂ ନିଷ୍ପତ୍ତି ନେବା ପଛରେ ରହିଛି ଅନେକ ମୁଖ୍ୟ କାରଣ ।

ଏବେ ଶୀତ ଦିନ ଆରମ୍ଭ ହୋଇଥିବାବେଳେ କାକର ପଡ଼ୁଛି । ଏଠାରେ ବହୁ ମାତ୍ରାରେ କାକର ପଡ଼ୁଥିବାରୁ ଦ୍ବିତୀୟ ପାଳିରେ ବୋଲିଂ କରିବା ବହୁ କଷ୍ଟ । ବୋଲିଂ କରିବା ଏବଂ ଫିଲ୍ଡିଂ ପାଇଁ କଷ୍ଟ ହେଉଥିବା ଲକ୍ଷ୍ୟ କରି ଏଭଳି ନିଷ୍ପତି ନେଇଛନ୍ତି ବୋଲି କୁହାଯାଉଛି । ଟାର୍ଗେଟକୁ ସହଜରେ ପୂରଣ କରିବା ପାଇଁ ଭାରତ ଲକ୍ଷ୍ୟ ରଖିଛି ।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ବିସ୍ଫୋରକ ବୟାନ

ଇସଲାମବାଦ: ସ୍ବଦେଶ ଫେରିବା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ବିସ୍ଫୋରକ ବୟାନ । ଭାରତକୁ ଠିକଣା ଜବାବ ଦେବା ଲାଗି ୧୯୯୮ ମସିହାରେ ପାକିସ୍ତାନ କରିଥିଲା ଆଣବିକ ପରୀକ୍ଷା । ଏହି ପରୀକ୍ଷା ନ କରିବା ଲାଗି ତତକାଳୀନ ଆମେରିକୀୟ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ପାକିସ୍ତାନକୁ ୫ ବିଲିୟନ ଡଲାର ଯାଚିଥିଲେ ବି ପାକିସ୍ତାନ ୨୮ ମେ ୧୯୯୮ରେ ଆଣବିକ ପରୀକ୍ଷା କରିଥିଲା ବୋଲି କହିଛନ୍ତି ନଓ୍ବାଜ । ଗତକାଲି ୪ ବର୍ଷ ପରେ ଦୁବାଇରୁ ସ୍ବଦେଶ ଫେରିବା ପରେ ପାକିସ୍ତାନ ମୁସଲିମ ଲିଗ-ଏନ ନେତା ନଓ୍ବାଜ ସରିଫଙ୍କ ଏହି ବୟାନ ଚାଞ୍ଚଲ୍ୟ ସୃଷ୍ଟି କରିଛି । ୧୯୯୮ ମେ ମାସରେ ଭାରତ ଆଣବିକ ପରୀକ୍ଷା କରିଥିବାବେଳେ ଏହାର ଜବାବ ଦେବା ଲାଗି ପାକିସ୍ତାନ ଉଦ୍ୟମ କରିଥିଲା । ତେବେ ଏହି ପରୀକ୍ଷା ନ କରିବା ଲାଗି ପାକିସ୍ତାନ ଉପରେ ବହୁ ଅନ୍ତର୍ଜାତୀୟ ଚାପ ପଡ଼ିଥିଲା । ମାତ୍ର ସମସ୍ତ ଚାପକୁ ପ୍ରତିହତ କରି ପାକିସ୍ତାନ ଏହି ପରୀକ୍ଷା କରିଥିଲା ବୋଲି କହିଛନ୍ତି ସରିଫ ।