spot_img
Home Blog Page 2375

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆଜିଠୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ବିଭିନ୍ନ ସମସ୍ୟା ନେଇ ଦୀର୍ଘ ମାସେ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ଶିମିଳିପାଳ ଜାତୀୟ ଉଦ୍ୟାନ। ପୂର୍ବରୁ କିଛି ସମସ୍ୟା ନେଇ ସ୍ଥାନୀୟ ଲୋକମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ୫ ଦଫା ଦାବିରେ ରାସ୍ତା ଅବରୋଧ ଯୋଗୁ ମାସେ ଧରି ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା।

ଗତକାଲି ସ୍ଥାନୀୟ ପ୍ରଶାସନ ଏବଂ ଲୋକଙ୍କ ମଧ୍ୟରେ ଏକ ବୈଠକରେ ଆଲୋଚନା କରାଯାଇଥିଲା। ରାଜ୍ୟ ସରକାରଙ୍କ ଅଧିନରେ ଆସୁଥିବା କାର୍ଯ୍ୟର ତୁରନ୍ତ ସମାଧାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ତରଫରୁ ରାସ୍ତା ମରାମତି କାମ ଆରମ୍ଭ ହୋଇଥିବାବେଳେ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ଆଲୋଚନା ପରେ ସମସ୍ୟାର ସମାଧାନ ହେବା ସହ ପୁଣି ଶିମିଳିପାଳ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା । ଆଜିଠୁ ପୂର୍ବଭଳି ପର୍ଯ୍ୟଟକମାନେ ଶିମିଳିପାଳ ଅଭୟାରଣ୍ୟ ବୁଲିପାରିବେ।

ଓଡ଼ିଶାରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାନ୍ତୁ

ଭୁବନେଶ୍ୱର: କଡ଼ ଲେଉଟାଉଛି କରୋନା। ଓଡ଼ିଶାରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ମୋଟ୍ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ସଂକ୍ରମିତ କରୋନାର ନୂଆ ପ୍ରଜାତି ଜେଏନ୍.୧ରେ ଆକ୍ରାନ୍ତ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ। ଆଶ୍ବସ୍ତିର କଥା ହେଉଛି ସମସ୍ତ ତିନି ଜଣଙ୍କ ନିକଟରେ କମ ଲକ୍ଷଣ ରହିଛି। କେବଳ ଯାହା ଥଣ୍ଡା କାଶ ରହିଛି। କେହି ହସ୍ପିଟାଲରେ ନଥିବାବେଳେ ଘରେ ଆଇସୋଲେସନରେ ରହିଛନ୍ତି।

ପ୍ରୋଟୋକଲ ଅନୁସାରେ ସମସ୍ତଙ୍କର କେସ ଷ୍ଟଡି କରାଯାଉଛି। ପ୍ରଥମ ଦୁଇ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ନଥିବାବେଳେ ତୃତୀୟ ବ୍ୟକ୍ତିଙ୍କ ଯାଞ୍ଚ କରାଯାଉଛି। ଅନ୍ୟପଟେ ମୁକାବିଲା ପାଇଁ ଆହୁରି ସର୍ଭେଲାନ୍ସ ବଢାଯିବ କହିଛି ସ୍ବାସ୍ଥ୍ୟ ବିଭାଗ। ଯାହାର ଲକ୍ଷଣ ଦେଖାଯାଉଛି, ତୁରନ୍ତ ପରୀକ୍ଷା କରନ୍ତୁ ବୋଲି ଅପିଲ କରିଛି ସ୍ବାସ୍ଥ୍ୟ ବିଭାଗ।

ସେପଟେ ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜେଏନ୍.୧ ପ୍ରଜାତି ପାଇଁ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଭିଜିଲାନ୍ସ ଜାଲରେ ଇଡକୋ ଚିଫ୍ ଜେନେରାଲ ମ୍ୟାନେଜର

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଇଡକୋ ଚିଫ ଜେନେରାଲ ମ୍ୟାନେଜର । ଓଏଏସ ସରୋଜକାନ୍ତ ମହାନ୍ତିଙ୍କ ଉପରେ ଭିଜିଲାନ୍ସର ଛାପା । ସ୍ପେଶାଲ ଜଜ୍ ଭିଜିଲାନ୍ସ ଙ୍କ ନିର୍ଦ୍ଦେଶ କ୍ରମେ ଚାଲିଛି ଚଢ଼ାଉ । ଭୁବନେଶ୍ୱର, କଟକ ଓ ଯାଜପୁର ର ୭ ଟି ସ୍ଥାନରେ ମାରାଥନ ରେଡ଼ ।ଚନ୍ଦ୍ରଶେଖରପୁର ଶୈଳଶ୍ରୀ ବିହାର ପ୍ଲଟ ନମ୍ବର GA 437ରେ ଥିବା ୩ ବିଏଚକେ ଘର, ବାରଙ୍ଗ ପାଟପୁର ରେ ୩ ମହଲା ଫ୍ଲାଟ, ଧର୍ମଶାଳା ବ୍ରହ୍ମବରଦା ସ୍ଥିତ ପୈତୃକ ଘର, କଟକ ମହାନଦୀ ବିହାର ରେ ଥିବା ୩ ମହଲା ଫ୍ଲାଟ, ଯାଜପୁର ଜାରକା ସ୍ଥିତ ଘର, ନୟାପଲ୍ଲୀ ଆଇଆରସି ଭିଲେଜ N4 ରେ ସମ୍ପର୍କୀୟଙ୍କ ଘର, ଇଡ୍କୋ ଅଫିସ ଚାମ୍ବର ରେ ଏକାକାଳୀନ ରେଡ଼ ଚାଲିଛି । ତାଙ୍କ ନାଁରେ ୧୦ଟି ଫ୍ଲାଟ ରହିଛି  । ସେଥିରୁ ୭ଟି କେବଳ ଭୁବନେଶ୍ବର ଓ କଟକରେ ରହିଛି  । ଏଥିସହ ବ୍ୟାଙ୍କ ଜମା, ବୀମାକୁ ମିଶା ୭୦ ଲକ୍ଷ ୫୫ ହଜାର ଟଙ୍କା ହେବ  । ଗୋଟିଏ ୪ ଚକିଆ ଗାଡ଼ି ଏବଂ ଦୁଇଟି ବାଇକ ମଧ୍ୟ ସିଜ କରାଯାଛି  । ୧୦ ଡିଏସପିଙ୍କ ନେତୃତ୍ୱରେ ୬ ଇନ୍ସପେକ୍ଟର ଚଢ଼ାଉ ଜାରି ରଖିଛନ୍ତି। 5T ଅଧୀନରେ ଭିଜିଲାନ୍ସ ଆସିବା ପରେ ଦୁର୍ନୀତିଖୋରଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଅବଲମ୍ବନ କରାଯାଉଛି।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ବରେ ଖେଳିବାକୁ ଚାହୁଁ ନାହାନ୍ତି ସୂର୍ଯ୍ୟ କୁମାର ଏବଂ ବୁମରାହା !

0

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ନିକଟରେ ସରିଛି IPL 2024ର ମିନି ଅକ୍ସନ । ଏମିତିରେ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଚଳିତ ବର୍ଷର IPL କୁ ନେଇ ଏକ ପୋଷ୍ଟ।  ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନରେ ଖେଳିବାକୁ ଚାହୁଁନାହାନ୍ତି ସୂର୍ଯ୍ୟ କୁମାର ଏବଂ ବୁମରାହା ! ଏଠାରେ କହି ରଖୁଛୁ, ଗୁଜୁରାଟ ଟାଇଟନ୍ସର ପୂର୍ବତନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଚାଲିଯିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଅନ୍ୟପଟେ ଆଇପିଏଲର ବିଜୟୀ ଦଳ ମୁମ୍ବାଇ ଇଣ୍ଡିଆନ୍ସରେ ୧୦ ବର୍ଷ ଧରି କ୍ୟାପଟେନ ଦାୟିତ୍ବରେ ଥିବା ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ହେବା ନିଷ୍ପତ୍ତି କ୍ରିକେଟ ଫ୍ୟାନ୍ସଙ୍କୁ ସବୁଠୁ ବଡ ଝଟକା ଲାଗିଥିଲା। ଏଥର ରୋହିତଙ୍କ ବଦଳରେ ପାଣ୍ଡ୍ୟା ଦଳର ଅଧିନାୟକ ପଦ ଭାର ସମ୍ଭାଳିବାକୁ ଯାଉଥିବାବେଳେ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେବାରେ ଲାଗିଛି। ଏମିତିରେ ପୁଣି ଏବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକ ପଦ ଘୋଷଣା ହେବାକୁ ନେଇ ବଡ ଖବର ଚର୍ଚ୍ଚା ସାଉଁଟୁଛି।

କୁହାଯାଉଛି ଯେ, ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ସପକ୍ଷରେ ବାହାରିଛନ୍ତି ସୂର୍ଯ୍ୟକୁମାର ଯାଦବ, ଯଶପ୍ରୀତ ବୁମରାହ। ପାଣ୍ଡ୍ୟାଙ୍କ ଅଧିନରେ ଖେଳିବାକୁ ଚାହୁଁନଥିବା ନେଇ ଦୁଇ ଖେଳାଳୀ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳୀ ମ୍ୟାନେଜମେଣ୍ଟଙ୍କୁ ପତ୍ର ଲେଖିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଘଟଣାର ପ୍ରକୃତ ସତ୍ୟ କଣ ଜାଣନ୍ତୁ ।

ବୁମରାହ ଏବଂ ସୂର୍ଯ୍ୟ କୁମାର ଏକ ଇମେଲ ପଠାଇଛନ୍ତି। ଯେଉଁଥିରେ ଲେଖାଯାଇଛି, ପାଣ୍ଡ୍ୟାଙ୍କ ଅଧିନରେ ଆମେ ଖେଳିବାକୁ ଚାହୁଁନୁ।ଏବଂ ରୋହିତ ଶର୍ମା ହିଁ ଆମର କ୍ୟାପଟେନ ରହିବେ, ରୋହିତ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ବଡ । ଏଭଳି କିଛି ଖବର ଆମେ କହୁନୁ, ଏଭଳି କିଛି ଲେଖାଥିବା ଟ୍ବିଟର ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବର୍ତମାନର ପରିସ୍ଥିତି ଅନୁଯାୟୀ କ୍ରିକେଟ ଫ୍ୟାନ୍ସ ଏଭଳି ଏକ ପୋଷ୍ଟକୁ ସତ୍ୟ ଭାବିବାକୁ ବାଧ୍ୟ ହୋଇଛନ୍ତି। କାରଣ ନିକଟରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦରୁ ରୋହିତଙ୍କ ବଦଳି ପରେ ସୋସିଆଲ ମିଡିଆ ସାଇଟ୍ ଏକ୍ସ ବା ଟ୍ବିଟରରେ ସୂର୍ଯ୍ୟକୁମାର ଯାଦବ ଏକ ଇମୋସନାଲ ଇମୋଜୀ ସେୟାର କରିଥିଲେ। ଯେଉଁଥିରୁ ତାଙ୍କର ରୋହିତ ସପକ୍ଷରେ ଥିବା ଦୁଃଖ ସ୍ପଷ୍ଟ ଜଣାପଡିଥିଲା। ଏହା ସହିତ ଯଶପ୍ରୀତ ବୁମରାହ ମଧ୍ୟ ଏପରି କିଛି ସେୟାର କରିଥିବା ନଜର ଆସିଥିଲା।

ସୂଚନା ଅନୁଯାୟୀ IPL 2024ର ମିନି ଅକ୍ସନର କିଛି ଦିନ ପୂର୍ବରୁ ହିଁ ମୁମ୍ବାଇ ଇଣ୍ଡିଆନ୍ସ ରୋହିତଙ୍କ ଯାଗାରେ ପାଣ୍ଡ୍ୟାଙ୍କୁ ଫ୍ରାଞ୍ଚାଇଜ୍ ଅଧିନାୟକ ଘୋଷଣା କରିଥିଲା। ଯାହା ପରଠୁ ଦଳରେ ଅସନ୍ତୋଷ ସହ ଫାଟ ଆସିଥିବା ନେଇ ଅନେକ କଥା ଶୁଣିବାକୁ ମିଳୁଛି। ଏବାବଦରେ ଲଗାତାର ଭାବେ ସୋସିଆଲ ମିଡିଆରେ MI ଏବଂ ରୋହିତଙ୍କ ପ୍ରଶଂସକଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏହାପରେ ପୁଣି ଏବେ ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂର୍ଯ୍ୟକୁମାର ଏବଂ ବୁମରାହ MIର ପରିଚାଳନା କମିଟି ଏବଂ ମାଲିକଙ୍କୁ ଇମେଲ ଏବଂ ଚିଠି ଦ୍ବାରା ପାଣ୍ଡ୍ୟାଙ୍କ ଅଧିନରେ ଖେଳିବା ପାଇଁ ଚାହୁଁ ନଥିବା ଜଣାଇଛନ୍ତି ।

ଏଠାରେ ଆମେ  କହି ରଖୁଛୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ସମସ୍ତ ଟ୍ବିଟର ପୋଷ୍ଟ ଗୁଡିକ ସଂପୂର୍ଣ୍ଣ ଫେକ୍ ତଥା ମିଥ୍ୟା ଖବର ଅଟେ।  ମୁମ୍ବାଇ ଇଣ୍ଡିଆନ୍ସର କୌଣସି ଖେଳାଳୀ ଟିମ୍ ମ୍ୟାନେଜମେଣ୍ଟକୁ ଏମିତି କୌଣସି ଇମେଲ କରିନାହାନ୍ତି କି ଦାବି ରଖିନାହାନ୍ତି । ସୋସିଆଲ ମଡିଆରେ ଯାହାକିଛି ପୋଷ୍ଟ ହେଉଛି ତାହା ମିଥ୍ୟା ଅଟେ ।

ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଆସିବାର ୨୦ ଦିନ ମଧ୍ୟରେ ହିଁ ପ୍ରାଞ୍ଚାଇଜ୍ ପାଣ୍ଡ୍ୟାଙ୍କୁ କ୍ୟାପଟେନ ଭାବେ ଘୋଷଣା କରିଛି। ୩୬ ବର୍ଷୀୟ ରୋହିତ ଶର୍ମା ନିଜର ୧୦ ବର୍ଷ ଦଳକୁ ଦେଇଥିବା ବେଳେ ତାଙ୍କ ପାଖରୁ ଫ୍ରାଞ୍ଚଇଜ ଅଧିନାୟକ ପଦ ଛଡାଇ ନେଇଛି। ଏହା ଛଡା MIକୁ ୫ଥର IPL ଜିତାଇଛନ୍ତି ରୋହିତ । ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଗୁଜୁରାଟ ଟାଇଟନ୍ସର ଅଧିନାୟକ ଥିବାବେଳେ ଦଳ ଥରେ ଟ୍ରଫି ହାତେଇଥିଲା ଏବଂ ଥରେ ରନର୍ସଅଫ ରହିସାରିଛି। ଯେଉଁଥିପାଇଁ ଏକ୍ସର @ImHydro45 ନାମକ ୟୁଜର ନିଜର ଏକ ପୋଷ୍ଟରେ ଦାବି କରିଛନ୍ତି ଯେ, ମୁମ୍ବାଇ ଇଣ୍ଡିଆନ୍ସର ଟିମ ପାଣ୍ଡ୍ୟାଙ୍କ ଅଧିନରେ ଖେଳିବାକୁ ଇଚ୍ଛୁକ ନୁହଁନ୍ତି।

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଶିକ୍ଷକଙ୍କୁ ୨୦ ବର୍ଷ କାରାଦଣ୍ଡ

ଯାଜପୁର: ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଶିକ୍ଷକଙ୍କୁ ୨୦ ବର୍ଷ କାରାଦଣ୍ଡ । ଦଣ୍ଡାଦେଶ ଶୁଣାଇଲେ ଯାଜପୁର ପୋକ୍ସୋ ସ୍ବତନ୍ତ୍ର କୋର୍ଟ । ଅଭିଯୁ୍କ୍ତକୁ ୨୦ବର୍ଷ କାରାଦଣ୍ଡାଦେଶ ସହ ଦେଢ଼ ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି କୋର୍ଟ । ଜୋରମାମାନ ଅନାଦେୟ ୧୮ ମାସ ଅଧିକ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଏହସହ ପୀଡ଼ିତାଙ୍କୁ ୭ଲକ୍ଷ ଟଙ୍କା କ୍ଷତିପୁରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୨୦୨୦ରେ ପାଣିକୋଇଲି ଥାନା ଅଞ୍ଚଳର ଅଭିଯୁକ୍ତ ମୋହନ ଭୂୟାଁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ୍ ।

ଜିରୋ ନାଇଟ୍ ସେଲିବ୍ରେସନ କରୁଥିଲେ ସାବଧାନ!

ଭୁବନେଶ୍ବର: ବାର୍ ମାଲିକ ଓ ପବ୍ ମାଲିକଙ୍କ ସହ କମିଶନରେଟ ପୋଲିସ ଓ ଅବକାରୀ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ଧୁମଧାମରେ କଟିବ ନୂଆବର୍ଷ । ଜିରୋ ନାଇଟ ସେଲିବ୍ରେସନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ୨୦୨୪ କୁ ସ୍ୱାଗତ ପାଇଁ ହୋଟେଲ, ପବ, ଡ୍ୟାନ୍ସ ବାର ପ୍ରସ୍ତୁତ ହୋଇ ରହିଥିବା ବେଳେ ସେମାନଙ୍କ ଉପରେ ଆଖି ରଖିଛି ଅବକାରୀ ବିଭାଗ ଓ କମିଶନରେଟ ପୋଲିସ । ମଙ୍ଗଳବାର ବାର୍ କ୍ଲବ ମାଲିକଙ୍କ ସହ ଆଲୋଚନା କରିଛନ୍ତି ଡିସିପି । ୧୨ ଟା ରାତି ପରେ କ୍ଲବ , ପବ ଚଳାଇବା ପାଇଁ ଆବେଦନ ମୁତାବକ ଅନୁମତି ମିଳିଛି । ୧ ଟା ୩୦ ପର୍ଯ୍ୟନ୍ତ ବାର ଓ କ୍ଲବ ଖୋଲାଯିବ । ୩୧ ତାରିଖ ରାତିରେ ଜିରୋ ନାଇଟ ସେଲିବ୍ରେସନ ନେଇ କୌଣସି ଇଭେଣ୍ଟ ବା ପ୍ରାଇଭେଟ ସଂସ୍ଥାକୁ ଆଇନଶୃଙ୍ଖଳା ଦୃଷ୍ଟିରୁ ଅନୁମତି ମିଳିବ ନାହିଁ । ଖିଲାପକାରୀଙ୍କୁ ଜଗିବା ପାଇଁ ୩ଟି ଫ୍ଲାଇଙ୍ଗ ସ୍କ୍ବାଡ ଗଠନ କରିଛି ଅବକାରୀ ବିଭାଗ । ସେପଟେ ଡିସେମ୍ବର ୩୧ ତାରିଖ ଓ ଜାନୁଆର ୧ ତାରିଖରେ ଟୁଇନ ସିଟିରେ ପୋଲିସ ବ୍ୟାପକ ପହରା ମାରିବ । ଭିଡ ନିୟନ୍ତ୍ରଣ ଓ Drunk and drive ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ପାଟ୍ରୋଲିଂ କରିବା ସହ ନାକାବନ୍ଦୀ କରିବ । ବଡ଼ଦିନ ପାଇଁ ଚର୍ଚ୍ଚ, ପିକନିକ ପ୍ଲେସରେ ମଦ୍ୟପଙ୍କ ଉପଦ୍ରବ ରୋକିବା ପାଇଁ ପ୍ରତ୍ୟୋକ ଥାନାକୁ ବ୍ରେଥ ଆନାଲାଇଜର ଦିଆଯାଇଥିବା କହିଛନ୍ତି ଡିସିପି ।

ଶ୍ରୀକ୍ଷେତ୍ରରୁ ସାରାରାଜ୍ୟ, ବିଭିନ୍ନ ମନ୍ଦିରରେ ପହଞ୍ଚିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ

ନନ୍ଦିଘୋଷ ବ୍ୟୁରୋ: ବିଭିନ୍ନ ମନ୍ଦିରରେ ପହଞ୍ଚିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ । ସବୁଠି ଉତ୍ସାହର ସହ ଆମନ୍ତ୍ରଣ କରାଯାଇଥିବାବେଳେ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି । ଭବ୍ୟ ସ୍ବାଗତ କରାଯାଇଛି । ମହାପ୍ରଭୁଙ୍କ ମାମୁ ଘରକୁ ଗଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ । ନିଆଳି ମାଧବାନନ୍ଦ ଦେବଙ୍କ ମନ୍ଦିରରେ ପହଞ୍ଚିଛି ନିମନ୍ତ୍ରଣ ପତ୍ର । ବାଡ଼ଗ୍ରାହୀ ସେବାୟତ ଜଗନ୍ନାଥ ଦାସ ମହାପାତ୍ର, ବିଭୁ ପ୍ରସାଦ ଦାସମହାପାତ୍ରଙ୍କ ସହ ବରିଷ୍ଠ ଅଧିକାରୀ ମାଧବ ପୀଠରେ ପହଞ୍ଚି ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ମନ୍ଦିରର ସେବାୟତ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା l

ପୁରୀରୁ ଆସିଛି ଡାକରା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ବାଲେଶ୍ବର ଜିଲ୍ଲାର ମଠ ମନ୍ଦିରକୁ ନିମନ୍ତ୍ରଣ ଦେଲେ ପୁରୀରୁ ଆସିଥିବା ଦଇତାପତି । ଏହି ଦଇତାପତି ଦଳକୁ ପ୍ରଥମେ ସିମୁଳିଆ ଠାରେ ସ୍ବାଗତ କରାଯାଇଥିବା ବେଳେ ବାଲେଶ୍ବରରେ ଲୋକପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦଇତାପତି ଦଳ ଶ୍ରୀମନ୍ଦିରରୁ ଆଣିଥିବା ନିମନ୍ତ୍ରଣ ପତ୍ର ସହିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀବସ୍ତ୍ର ପ୍ରଦାନ କରିଥିଲେ । ନୀଳଗିରି ଜଗନ୍ନାଥ ମନ୍ଦିର ଓ ବାବା ଚନ୍ଦନେଶ୍ଵର ମନ୍ଦିରର ପୂଜକମାନେ ଦଇତାପତିଙ୍କ ହାତରୁ ନିମନ୍ତ୍ରଣ ପତ୍ର ଗ୍ରହଣ କରି ସେମାନଙ୍କୁ ମନ୍ଦିର ତରଫରୁ ଉପହାର ଓ ପ୍ରସାଦ ଅର୍ପଣ କରିଥିଲେ । ସମସ୍ତ ମଠ, ମନ୍ଦିର ସହିତ ଜନସାଧାରଣ ଏହି ଭବ୍ଯ ଉତ୍ସବରେ ଯୋଗ ଦେବାକୁ ଦଇତାପତିମାନେ ନିମନ୍ତ୍ରଣ ଦେଇଛନ୍ତି । ଜାନୁଆରି 17 ତାରିଖ ଠାରୁ ସମସ୍ତ ଘର ସମ୍ମୁଖରେ ପୂର୍ଣ୍ଣକୁମ୍ଭ ପ୍ରତିଷ୍ଠା ସହିତ ଘୀଅ ଦୀପ ଜାଳି ନିରାମିଷ ଆହାର କରିବାକୁ ଦଇତାପତିମାନେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।

କଣ ରହିଥିଲା ଫ୍ରାନ୍ସରେ ବିମାନ ଅବତରଣର କାରଣ?

ନନ୍ଦିଘୋଷ ବ୍ୟୁରୋ: ଫ୍ରାନ୍ସରେ ଅଟକ ଥିବା ଭାରତୀୟ ଫେରିଛନ୍ତି ସ୍ବଦେଶ । ସମ୍ଭାବ୍ୟ ମାନବ ଚାଲାଣ ଅଭିଯୋଗର ଛାନବିନ ହେବା ପରେ ଫେରିଛନ୍ତି ଯାତ୍ରୀ। ତେବେ ବିମାନର ଯାତ୍ରାକୁ ନେଇ ଉଠିଛି ଅନେକ ପ୍ରଶ୍ନ । ଦୁବାଇରୁ ବିମାନ ଆମେରିକା କିମ୍ବା କାନାଡା ଯିବା ନେଇ ଥିଲା ସମ୍ଭାବନା । ୨୭୬ ଯାତ୍ରୀ ଫେରିଥିବାବେଳେ ଫ୍ରାନ୍ସରେ ଆଶ୍ରୟ ନେଇଛନ୍ତି ୨୭ ଭାରତୀୟ । ଡଙ୍କି ପ୍ରସେସ ନେଇ ସୃଷ୍ଟି ହୋଇଛି ସସପେନ୍ସ ।

କଣ ରହିଥିଲା ଫ୍ରାନ୍ସରେ ବିମାନ ଅବତରଣର କାରଣ? କାହିଁକି ୩୦୩ ଭାରତୀୟଙ୍କୁ ୪ ଦିନ ଧରି ରଖାଯାଇଥିଲା ଅଟକ? ବିମାନଟି ଥିଲା ଡଙ୍କି ଫ୍ଲାଇଟ ନା ସାଧାରଣ?  ଫ୍ଲାଇଟରେ ମାନବ ଚାଲାଣ ଅଭିଯୋଗ ସତ ନା ମିଛ? ଏସବୁ ଦ୍ବନ୍ଦ୍ବର ଅନ୍ତ ଘଟି ନଥିଲେ ବି ମୁମ୍ବାଇରେ ଅବତରଣ କରିଛି ବିମାନ । ଫେରିଛନ୍ତି ୨୭୬ ଯାତ୍ରୀ । ଆଶ୍ରୟ ନେବାକୁ ଅନୁରୋଧ କାରଣରୁ ୨୭ ଯାତ୍ରୀଙ୍କୁ ରଖାଯାଇଛି ଫ୍ରାନ୍ସରେ । ଗତ ଗୁରୁବାର ୩୦୩ ଯାତ୍ରୀଙ୍କୁ ନେଇ ଦୁବାଇରୁ ରୋମାନିଆର ଲିଜେଣ୍ଡ କମ୍ପାନୀର ଏକ ଚାର୍ଟର ବିମାନ ନିକାରାଗୁଆ ଯିବା ବାଟରେ ଫ୍ରାନ୍ସର ଭାଟ୍ରି ବିମାନବନ୍ଦରରେ ଅବତରଣ କରିଥିଲା । ଯାତ୍ରୀଙ୍କ ମଧ୍ୟରେ ଥିଲେ ୧୧ ନାବାଳକ ଓ ଜଣେ ୨୧ ମାସର ଶିଶୁ । ବିମାନକୁ ଭାରତ ଫେରାଇ ନେବା ଲାଗି ପ୍ୟାରିସସ୍ଥିତ ଭାରତୀୟ ଦୂତାବାସ ହସ୍ତକ୍ଷେପ କରିଥିଲା । ବିମାନଟି ଆମେରିକା ବା କାନାଡ଼ାରେ ବେଆଇନ ଭାବେ ପ୍ରବେଶ କରିବା ସମ୍ଭାବନା ଥିଲା ।

ଏବେ ଆସନ୍ତୁ ନଜର ପକାଇବା କଣ ଏହି ଡଙ୍କି ରୁଟ ଓ ଡଙ୍କି ଫ୍ଲାଇଟ । ବିନା ପାସପୋର୍ଟ, କୌଣସି ଆଇନସମ୍ମତ ନଥି ବିନା ଗୋଟିଏ ଦେଶରୁ ଅନ୍ୟ ଏକ ଦେଶକୁ ଯାତ୍ରା କରିବା ହିଁ ଡଙ୍କି ପ୍ରସେସ । ବିଶେଷ କରି ଆମେରିକା, କାନାଡା ଓ ମେକ୍ସିକୋରେ ଏହି ବ୍ୟବସ୍ଥା ଅଧିକ ଆଦୃତ । ଲକ୍ଷ ଲକ୍ଷ ଟଙ୍କା ଦେଇ ଏହି ବେଆଇନ ମାର୍ଗ ଅବଲମ୍ବନ କରିଥାନ୍ତି ଭାରତୀୟ । ସମ୍ଭାବ୍ୟ ପଥରେ ଥାଏ ଗିରଫଦାରୀ, ହତ୍ୟା ତଥା କ୍ଷୁଧା ଓ ଅନ୍ୟାନ୍ୟ କାରଣଜନିତ ମୃତ୍ୟୁ ବିପଦ । ତଥାପି ଏହି ପଥରେ ଆକର୍ଷିତ ହୋଇଥାନ୍ତି ହଜାର ହଜାର ଭାରତୀୟ । ଆର୍ଥିକ ଦୁରବସ୍ଥା, ଅଧିକ ଅର୍ଥ ପାଇବାର ମୋହ, ଅନ୍ତର୍ଜାତୀୟ ରାକେଟ କାରଣ ରହିଛି ଏହା ପଛରେ ।

୨୦୨୩ରେ ୯୭ ହଜାର ଭାରତୀୟ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିଲେ । ୨୦୨୨ ତୁଳନାରେ ଏହି ହାର ୫୧ ଦଶମିକ ୬୧ ପ୍ରତିଶତ ଅଧିକ । ୨୦୨୨ରେ ୪୧ ହଜାର ୭୭୦ ଭାରତୀୟ ମେକ୍ସିକୋ ସୀମା ଦେଇ ଆମେରିକାରେ ପ୍ରବେଶ ଲାଗି ଉଦ୍ୟମ କରିଥିଲେ ।

 

ସୀମାଙ୍କୁ ନେଇ ଏମିତି କହିଲେ ଅଞ୍ଜୁ

ନୂଆଦିଲ୍ଲୀ: ପାକିସ୍ତାନରୁ ଅଞ୍ଜୁ ଭାରତ ଫେରିବା ପରେ ତାଙ୍କୁ ଅନେକ ଚର୍ଚ୍ଚା । ସେ କେଉଁଠାରେ ରହିବେ କଣ କରିବେ? ଏଭଳି ପ୍ରଶ୍ନ ଉଠୁଥିବାବେଳେ ଅଞ୍ଜୁ ଏକ ଜାତୀୟ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କୁ ପ୍ରଶ୍ନ କରାଯାଇଥିଲା କି, ତୁମେ ଭାରତକୁ ଫେରି ଆସିଲ । ସୀମା ଫେରିଯିବେ କି? ଏହାର ଉତ୍ତରରେ ଅଞ୍ଜୁ କହିଥିଲେ କି, ସେ ଭାଗିକି ଆସି ବିବାହ କରିଛି । ମୁଁ ଭିସା ନେଇ ଆଇନ ଅନୁସାରେ ଯାଇଥିଲି । ପୂର୍ବରୁ ଜାଣିଥିଲି କି, ଭାରତକୁ ଫେରିବି । ମାତ୍ର ସୀମା ଆଇନ ଅନୁସାରେ ଆସିନାହିଁ । ସେ ଲୁଚିକି ଆସିଥିବାରୁ ପାକିସ୍ତାନକୁ ଫେରିପାରିବ ନାହିଁ । ମାତ୍ର ମୋର ସମସ୍ତ ଡକ୍ୟୁମେଣ୍ଟ ଠିକ୍ ଅଛି ।

ଏହାସହ ଅଞ୍ଜୁ କହିଛନ୍ତି କି, ପାକିସ୍ତାନ କିମ୍ବା ଭାରତରେ ରହିବା ପାଇଁ ଚାହୁଁନାହାନ୍ତି । ପାକିସ୍ତାନୀ ସ୍ବାମୀ ନସରୁଲ୍ଲାଙ୍କ ସହ ଦୁବାଇରେ ରହିବେ । ପାକିସ୍ତାନରୁ ଆସି ଭାରତରେ ରହିଥିଲେ ସୁଦ୍ଧା ପାକିସ୍ତାନୀ ସ୍ବାମୀ ନସରୁଲ୍ଲାଙ୍କ ସହ ନିରନ୍ତର ସମ୍ପର୍କରେ ରହିଛନ୍ତି । ପ୍ରତିଦିନ କଥା ହେଉଥିବାବେଳେ ଦୁବାଇରେ ରହିବେ । ଯଦି ଅଞ୍ଜୁଙ୍କ ପିଲାମାନେ ରାଜି ହୁଅନ୍ତି ତାହେଲେ ସେମାନଙ୍କୁ ମଧ୍ୟ ନେଇ ସାଙ୍ଗରେ ଯିବେ ।

୨୭ ବର୍ଷ : ଆଞ୍ଚଳିକ ଦଳରୁ ଆନ୍ଦୋଳନ

ଭୁବନେଶ୍ବର: ୨୭ ତମ ପ୍ରତିଷ୍ଠା ଦିବସ ପାଳନ କରିଛି ବିଜୁ ଜନତା ଦଳ । ଏହି ଅବସରରେ ସେବା ଓ ବିକାଶର ବାର୍ତ୍ତା ଦେଇଥିବା ବିଜେଡି ପକ୍ଷରୁ ସାଇକେଲ ରାଲି ସହ ରକ୍ତଦାନ କାର୍ଯ୍ୟକ୍ରମ କରାଯାଇଛି । ଭୁବନେଶ୍ବର ବିଜୁ ପଟ୍ଟନାୟକ ପାର୍କରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶଙ୍ଖ ଭବନରେ ସେବା ଓ ବିକଶିତ ଓଡ଼ିଶା ଗଠନ ପାଇଁ ଶପଥ ପାଠ କଲେ ଦଳୀୟ କର୍ମୀ ଓ ନେତା ।

ବର୍ଷ ବର୍ଷ ଧରି ସଫଳତାର ପାହାଚ ଚଢିଚାଲିଛି ବିଜେଡି । ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ଥିଲା ନିଆରା । ସକାଳୁ ସକାଳୁ ଶଙ୍ଖ ଭବନରେ ଜମିଥିଲା ନେତାଙ୍କ ଭିଡ଼ । ୨୦୨୪ ନିର୍ବାଚନ ପୂର୍ବରୁ ଶେଷ ପ୍ରତିଷ୍ଠା ଦିବସ ପାଳଛି ଦଳ । ଏହାକୁ ସେବା ଓ ସମର୍ପଣ ଜରିଆରେ ରାଜ୍ୟବାସୀଙ୍କ ପାଖକୁ ପହଞ୍ଚାଇବାକୁ ଶଙ୍ଖ ଭବନରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ସକାଳ ୭.୨୫ରେ ଶଙ୍ଖ ଭବନରେ ଦଳୀୟ ପତାକା ଉତ୍ତୋଲନ କରିଥିଲେ ଦଳର ବରିଷ୍ଠ ନେତା ଓ କର୍ମୀ । ଦିନ ୧୦.୩୦ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ପାର୍କରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ନବୀନଙ୍କ ପ୍ରତି ଜୀବନ ମୂଲ୍ୟବାନ ନାରାକୁ ଆହୁରି ବାସ୍ତବ ରୂପ ଦେବା ପାଇଁ ଶଙ୍ଖ ଭବନରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସ୍ବେଚ୍ଛାକୃତ ଭାବେ ଲୋକେ ଯୋଗ ଦେଇ ରକ୍ତଦାନ କରିଥିଲେ । ସେମାନଙ୍କ ମନୋବଳ ବୃଦ୍ଧି କରିଥିଲେ ବିଜେଡିର ହେଭିଓ୍ବେଟ୍ ନେତା । ଦଳର ୨୬ ବର୍ଷ ପୂର୍ତ୍ତି ଅବସରରେ ୨୬ ହଜାର ୟୁନିଟ ରକ୍ତ ସଂଗ୍ରହ କରିବା ଦିଗରେ ଗତ ମାସେ ହେଲା ରକ୍ତଦାନ ଶିବିର ଜାରି ରଖିଥିଲା ବିଜେଡି । ଓଡ଼ିଶାର ସ୍ବାର୍ଥ ପାଇଁ କାମ କରି ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ ଓଡ଼ିଶା ଗଠନ ଦିଗରେ କାମ କରିବା ପାଇଁ ବିଜେଡି ନେତା ଓ କର୍ମୀ ଶଙ୍ଖ ଭବନରେ ଶପଥ ପାଠ କରିଥିଲେ ।

ବିଜେଡିର ପ୍ରତିଷ୍ଠା ଦିବସରେ ବିଜୁ ବାବୁଙ୍କ କଟକରୁ ପେଶାଓ୍ବର ଯାଏ ଦୁଃସାହସିକ ସାଇକେଲ ଯାତ୍ରାର ସ୍ମୃତିଚାରଣ କରାଯାଇଥିଲା । ଏହାର ସ୍ମରଣ ଉଦ୍ଦେଶ୍ୟରେ ଦଳ ପକ୍ଷରୁ ବିରାଟ ସାଇକେଲ ଯାତ୍ରା କରାଯାଇଥିଲା । ସକାଳ ୮ଟାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମସ୍ଥାନ କଟକ ଆନନ୍ଦ ଭବନରୁ ଭୁବନେଶ୍ବର ବିମାନ ବନ୍ଦର ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିୂମୂର୍ତ୍ତି ଯାଏ ବିଶାଳ ସାଇକେଲ ଶୋଭାଯାତ୍ରା କରାଯାଇଥିଲା । କଟକରୁ ନଖରା, ହଂସପାଳ, ରସୁଲଗଡ଼, ବାଣୀବିହାର, ରାମ ମନ୍ଦିର ଛକ, ମାଷ୍ଟର କ୍ୟାଣ୍ଟିନ ଛକ, ରାଜମହଲ ଛକ, ଶିଶୁଭବନ ଛକ, କ୍ୟାପିଟାଲ ହସ୍ପିଟାଲ ଛକ ଓ ଏୟାରପୋର୍ଟ ଛକ ଅତିକ୍ରମ କରିଥିଲା ସାଇକେଲ ଯାତ୍ରା । ଶେଷରେ ଭୁବନେଶ୍ବରର ବିମାନ ବନ୍ଦର ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରାଯାଇ ସାଇକେଲ ଶୋଭାଯାତ୍ରା ଶଂଖ ଭବନ ଅଭିମୁଖେ ଗଡ଼ିଥିଲା ।

ଦୁଇ ଦଶନ୍ଧିରୁ ଅଧିକ ବିକାଶ ଓ ସେବାର ମନୋଭାବ ନେଇ ରାଜ୍ୟବାସୀଙ୍କ ପାଇଁ କାମ କରି ଚାଲିଛି ବିଜୁ ଜନତା ଦଳ । ଆଞ୍ଚଳିକ ଦଳ ଭାବେ ବାରମ୍ବାର ଲୋକଙ୍କ ଆଶୀର୍ବାଦ ଲାଭ କରିଛି । ବିଜୁ ବାବୁଙ୍କ ଆଦର୍ଶରେ ଗଠନ ହୋଇଥିବା ଏହି ଦଳର ଏକ ମାତ୍ର ଲକ୍ଷ୍ୟ ହେଉଛି ରାଜ୍ୟର ବିକାଶ ଓ ରାଜ୍ୟବାସୀଙ୍କ ଉନ୍ନତି । ରୂପାନ୍ତରିତ ଓଡ଼ିଶା ଗଠନ କରି ବିକଶିତ ଓଡ଼ିଶା ଗଠନ ଦିଗରେ କାମ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।