ଭୁବନେଶ୍ବର: ଅଧିବେଶନ ପୂର୍ବରୁ ଆଜି ବସିବ ବିଜେଡି ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଦିନ ୧୦ଟା ୩୦ ମିନିଟରେ ବୈଠକ ବସିବ । ଶୀତ ଅଧିବେଶନରେ ଶାସକ ଦଳ କେଉଁ କେଉଁ ପ୍ରସଙ୍ଗ ଉଠାଇବ ସେନେଇ ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଗୃହରେ ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ତାହାକୁ ଆଲୋଚନା ମାଧ୍ୟମରେ ଗଠନମୂଳକ ଜବାବ ଦେବାପାଇଁ ରଣନୀତି ପ୍ରସ୍ତୁତ ହେବ ।
ଆଜି ପବିତ୍ର ଅଁଳା ନବମୀ, ଚଳଚଞ୍ଚଳ ସାକ୍ଷୀଗୋପାଳ ମନ୍ଦିର
ପୁରୀ: ଆଜି ଧର୍ମ ମାସ କାର୍ତ୍ତିକ ଶୁକ୍ଳପକ୍ଷ ନବମୀ । ଏହି ଅବସରରେ ପୁରୀ ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀଗୋପୀନାଥ ମନ୍ଦିରରେ ଶ୍ରୀକୃଷ୍ଣ ନଟବର ଓ ମା’ ରାଧା ଓଡ଼ିଆଣୀ ବେଶରେ ଭୂଷିତ ହେବେ । ପବିତ୍ର ଅଁଳା ନବମୀ ଅବସରରେ ବର୍ଷକୁ ଥରଟିଏ ଏହି ବେଶ ସହ ରାଧା ପାଦ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ବିଳମ୍ବିତ ରାତିରୁ ଦ୍ବାର ଫିଟାଯାଇ ସମସ୍ତ ନୀତିକାନ୍ତି ପାଳନ କରାଯାଉଛି । ରାଧାକୃଷ୍ଣଙ୍କୁ ବିବିଧ ସ୍ବର୍ଣ୍ଣ ଅଳଙ୍କାରରେ ଭୂଷିତ କରାଯାଇ ବେଶ ଅନୁଷ୍ଠିତ କରାଯିବ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ସମସ୍ତ ବନ୍ଦୋବସ୍ତ କରିଥିବା ବେଳେ, ଗହଳିକୁ ନଜରରେ ରଖି ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି ।
ଅଧା ରହିଗଲା ଜଗା ଦର୍ଶନ, ପୁରୀ ଯାଉଥିବାବେଳେ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ
ଯାଜପୁର: ଯାଜପୁର ପାଣିକୋଇଲି ନିକଟରେ ଦୁର୍ଘଟଣା । ଅଟୋକୁ ଟ୍ରକ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ୫ ଜଣ ଗୁରୁତର ଅଛନ୍ତି । ଭଦ୍ରକରୁ ପୁରୀ ଜଗା ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ମୃତକ ହେଲେ ଭଦ୍ରକ ସାହାପଡ଼ା ଅଞ୍ଚଳ ପାଟଣାସାହିର ଶିବାନନ୍ଦ ମହାପାତ୍ର ଓ ପୂଜା ସାହୁ । ସମସ୍ତ ଗୁରୁତରଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ, ଦୁଇ ଜଣଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି।
ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ
ଭୁବନେଶ୍ବର: ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ । ଡିସେମ୍ବର ୩୦ତାରିଖ ଯାଏଁ ଚାଲିବାକୁ ଥିବା ଅଧିବେଶନରେ ୩୦ଟି କାର୍ଯ୍ୟଦିବସ ରହିଛି । ଆଜି ଦିନ ୧୧ଟା ବେଳେ ଗୃହକାର୍ଯ୍ୟ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଶୋକ ପ୍ରସ୍ତାବ ଆଗତ କରିବେ । ପଞ୍ଚାୟତିରାଜ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରଶ୍ନକାଳ ରହିଛି । ବିଧାୟକମାନେ ଚାହିଁଲେ ଭିନ୍ନ ପ୍ରଶ୍ନ ମଧ୍ୟ ପଚାରିପାରିବେ । ବିଧାନସଭା ଅଧିବେଶନ ପୂର୍ବରୁ ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇସାରିଛି । ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁସାରେ ଗୃହକାର୍ଯ୍ୟ ଚାଲିବ ।
5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ୯ଟି ସରକାରୀ ଓ ବେସରକାରୀ ଅନୁଷ୍ଠାନର ସଦସ୍ୟ
ଭୁବନେଶ୍ବର: 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ସୋମବାର ୯ଟି ସରକାରୀ ଓ ବେସରକାରୀ ଅନୁଷ୍ଠାନର ସଦସ୍ୟମାନେ ଭିକେ ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ଓ ପାଚିକା ମହାସଂଘ, ଉତ୍କଳ ବାପଟିଷ୍ଟ ଚର୍ଚ୍ଚ ଆସୋସିଏସନ୍, ବିଜୁ ପଟ୍ଟନାୟକ ଫାର୍ମାସି ଷ୍ଟୁଡେଣ୍ଟ ଆସୋସିଏସନ୍, ଅଗ୍ରଗାମୀ ଅଘ୍ରିଆ ସୋସାଇଟି ଭୁବନେଶ୍ବର, ସିଏମସି କର୍ମଚାରୀ ସଂଘ ସଦସ୍ୟ ପ୍ରମୁଖ ଫାଇଭ-ଟି ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ସେହିଭଳି କଟକ ମାରଓ୍ବାଡି ସମାଜ, ଓଡ଼ିଶା ଠିକା କର୍ମଚାରୀ ଫେଡେରେସନ ଓ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଟିମ୍ ପ୍ରମୁଖ ମଧ୍ୟ ପାଣ୍ଡିଆନଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି ।
ଓଡିଶା ବିକାଶ ଲାଗି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ସାକାର କରିବା କ୍ଷେତ୍ରରେ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ନିରନ୍ତର ଉଦ୍ୟମକୁ ସେମାନେ ପ୍ରଶଂସା କରିଥିଲେ । ରୂପାନ୍ତରଣ ଅଭିଯାନରେ ଅଧ୍ୟକ୍ଷଙ୍କ ଭୂମିକା ଉଲ୍ଲେଖନୀୟ ବୋଲି ସେମାନେ ଦର୍ଶାଇଛନ୍ତି । ନୂଆ ଓଡିଶା ଗଠନ ଦିଗରେ ଚାଲିଥିବା ଅଭିଯାନରେ ସମସ୍ତଙ୍କ ଯୋଗଦାନ ରହିବ ବୋଲି କହିଛନ୍ତି ସଦସ୍ୟ ।
ବ୍ୟାଙ୍କରେ ବଡଧରଣର ଅଗ୍ନିକାଣ୍ଡ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଲକ୍ଷ୍ମୌ ହଜରତଗଞ୍ଜସ୍ଥିତ ଏକ ବ୍ୟାଙ୍କର ବଡଧରଣ ଅଗ୍ନିକାଣ୍ଡ । ତେବେ ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ କରାଯାଇଛି ଉଦ୍ଧାର । ହଜରତଗଞ୍ଜସ୍ଥିତ କାନାରା ବ୍ୟାଙ୍କରେ ସନ୍ଧ୍ୟାରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲାଗିବା ପରେ କର୍ମଚାରୀମାନେ ବ୍ୟାଙ୍କ ଝରକା ଦେଇ ରକ୍ଷା ପାଇଯାଇଥିଲେ । ଠିକ୍ ସମୟରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଥିଲେ । ତେବେ ବିଦ୍ୟୁତ ସର୍ଟସର୍କିଟ ଯୋଗୁ ବ୍ୟାଙ୍କର ପ୍ରଥମ ମହଲାରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।
ଗୁରମିତ ରାମ ରହିମ ସିଂଙ୍କୁ ଆଶ୍ବସ୍ତି
ନୂଆଦିଲ୍ଲୀ: ପୁଣି ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ସିଂଙ୍କୁ ଆଶ୍ବସ୍ତି । ଦୁଇ ଜଣ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜେଲଦଣ୍ଡ ଭୋଗୁଥିବା ରାମ ରହିମ ୨୧ ଦିନ ଲାଗି ପଦାକୁ ଆସିବେ । ଗତ ୨୦୨୩ ଜାନୁଆରୀରେ ତାଙ୍କୁ ୪୦ ଦିନ ଲାଗି ପାରୋଲ ମିଳିଥିଲା । ୨୦୨୨ ଅକ୍ଟୋବରରେ ବି ତାଙ୍କୁ ୪୦ ଦିନ ପାରୋଲ ମିଳିଥିଲା । କେତେକ ସ୍ବତନ୍ତ୍ର କାରଣ ଦର୍ଶାଇଥିବାରୁ ଗୁରମିତଙ୍କୁ ଏହି ପାରୋଲ ମିଳିଛି । ହରିଆଣାର ସୁନାରିଆ ଜେଲରେ କାରାଦଣ୍ଡ ଭୋଗୁଥିବା ଗୁରମିତ ଜେଲରୁ ମୁକୁଳିବା ପରେ ଉତ୍ତରପ୍ରଦେଶର ବାଗପତରେ ଥିବା ଆଶ୍ରମରେ ରହିବେ । ଗତଥର ପାରୋଲରେ ଆସିବା ପରେ ଅନଲାଇନ ସତସଙ୍ଗ କରି ଚର୍ଚ୍ଚାକୁ ଆସିଥିଲେ ଗୁରମିତ ।
ଟିମ୍ ଇଣ୍ଡିଆ ଡ୍ରେସିଂ ରୁମକୁ କାହିଁକି ଯାଇଥିଲେ ପ୍ରଧାନମନ୍ତ୍ରୀ ?
ଅହମ୍ମଦାବାଦ: ବିଶ୍ୱକପ ୨୦୨୩ର ଫାଇନାଲରେ ଭାରତର ପରାଜୟ ଉଭୟ ଖେଳାଳୀ ଓ କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ଝଟକାଠୁ କମ୍ ନୁହେଁ । ୪୩ ତମ ଓଭରର ଶେଷ ବଲରେ ଗ୍ଲେନ୍ ମ୍ୟାକ୍ସୱେଲ ଦୁଇ ରନ୍ ନେବାକ୍ଷଣି କୋଟି କୋଟି ଭାରତୀୟଙ୍କ ସ୍ୱପ୍ନ ଧୂଳିସାତ୍ ହୋଇଯାଇଥିଲା। ପରାଜୟ ପରେ ଭାରତୀୟ ଖେଳାଳିଙ୍କ ମୁହଁରେ ନିରାଶା ଭାବ ସ୍ପଷ୍ଟ ଦେଖାଯାଉଥିଲା।
କ୍ୟାପଟେନ ରୋହିତ ଶର୍ମା ତୁରନ୍ତ ଡ୍ରେସିଂ ରୁମ ଭିତରକୁ ଚାଲି ଯାଇଥିବା ବେଳେ ମହମ୍ମଦ ସିରାଜ ପଡ଼ିଆରେ ହିଁ କାନ୍ଦିବାକୁ ଲାଗିଥିଲେ। ମ୍ୟାଚ୍ ଦେଖିବା ପାଇଁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅହମ୍ମଦାବାଦର ଏହି ଷ୍ଟାଡିୟମରେ ଉପସ୍ଥିତ ଥିଲେ।
ପରାଜୟ ପରେ ପ୍ରଧାନମନ୍ତ୍ରୀ ଡ୍ରେସିଂ ରୁମକୁ ଯାଇଥିଲେ
ଅହମ୍ମଦାବାଦରେ ଅଷ୍ଟ୍ରେଲିଆଠୁ ହାରିବା ପରେ ଭାରତୀୟ କ୍ରିକେଟ୍ ଦଳର ଡ୍ରେସିଂ ରୁମରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦୀ ଖେଳାଳିଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ସାନ୍ତ୍ୱନା ଦେବା ସହ ଧୈର୍ଯ୍ୟ ରଖିବାକୁ ପରାମର୍ଶ ଦେଇଥିଲେ। ଟିମ୍ ଇଣ୍ଡିଆର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମୋଦୀଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ କ୍ୟାପସନରେ ଲେଖିଛନ୍ତି, ‘ଆମର ଟୁର୍ନାମେଣ୍ଟ ବହୁତ ଭଲ ଥିଲା କିନ୍ତୁ କାଲି ଆମେ ହାରିଗଲୁ । ଏଥିପାଇଁ ଆମେସବୁ ଖୁବ୍ ଦୁଃଖିତ । ତଥାପି ଲୋକଙ୍କ ସମର୍ଥନ ଆମକୁ ଆଗକୁ ନେଉଛି। ଗତକାଲି ଡ୍ରେସିଂ ରୁମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗସ୍ତ ଆମ ପାଇଁ ବହୁତ ଖାସ୍ ପ୍ରେରଣାଦାୟକ ଥିଲା ।
ବିଶ୍ୱକପ ଫାଇନାଲ ମ୍ୟାଚ୍ ପରେ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ରେ ଲେଖିଛନ୍ତି, ‘ପ୍ରିୟ ଦଳ ଭାରତ, ବିଶ୍ୱକପରେ ତୁମର ପ୍ରତିଭା ଏବଂ ନିଷ୍ଠା ଉଲ୍ଲେଖନୀୟ ଥିଲା। ତୁମେ ମାନେ ବହୁତ ଭଲ ଖେଳିବା ସହିତ ଦେଶକୁ ଗୌରବାନ୍ୱିତ କରିଛ। ଆମେ ସର୍ବଦା ଆପଣଙ୍କ ସହିତ ଛିଡା ହୋଇଛୁ।
ସେହିପରି ଅଷ୍ଟ୍ରେଲିଆକୁ ଅଭିନନ୍ଦନ ଜଣାଇ ସେ ଲେଖିଛନ୍ତି, ‘ବିଶ୍ୱକପରେ ବିଜୟ ପାଇଁ ଅଷ୍ଟ୍ରେଲିଆକୁ ଅଭିନନ୍ଦନ! ଟୁର୍ଣ୍ଣାମେଣ୍ଟରେ ସେମାନଙ୍କର ପ୍ରଦର୍ଶନ ପ୍ରଶଂସନୀୟ ଥିଲା। ଟ୍ରାଭିସ୍ ହେଡଙ୍କୁ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅଭିନନ୍ଦନ।
ବଢ଼ିଲା ଫାର୍ମାସିଷ୍ଟ ଓ ଲ୍ୟାବ୍ ଟେକ୍ନିସିଆନଙ୍କ ପଦବୀ
ଭୁବନେଶ୍ବର: ରାଜ୍ୟରେ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ପାଇଁ ଫାର୍ମାସିଷ୍ଟ ଓ ଲ୍ୟାବ ଟେକ୍ନିସିଆନ କ୍ୟାଡର ସୃଷ୍ଟି ହୋଇଛି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ଦିନକୁ ଦିନ ରୋଗୀଙ୍କ ବୃଦ୍ଧି ପାଉଥିବାରୁ ସବୁ ସରକାରୀ ମେଡିକାଲରେ ଉନ୍ନତମାନର ସେବା ପହଞ୍ଚାଇବା ପାଇଁ ଉଭୟ ପଦବୀରେ ସଂଖ୍ୟା ବୃଦ୍ଧି ହୋଇଛି । ଲାବ୍ ଟେକନିସିଆନ୍ କ୍ୟାଡରରେ ସହକାରୀ ନିର୍ଦ୍ଦେଶକ ଓ ମୁଖ୍ୟ ଟେକନିକାଲ ଅଫିସର ପଦ ନୂଆ କରି ସୃଷ୍ଟି ହୋଇଛି । ଏବେ ଲାବ୍ ଟେକ୍ନିସିଆନ କ୍ୟାଡରରେ ପଦବୀ ସଂଖ୍ୟା ବଢି ୨୫୮୧ ହୋଇଛି । ସେହିପରି ଫାର୍ମାସିଷ୍ଟ କ୍ୟାଡରରେ ପଦବୀ ସଂଖ୍ୟା ବୃଦ୍ଧି ହୋଇ ୫୦୦୯ରେ ପହଞ୍ଚିଛି । ଚିଫ୍ ଫାର୍ମାସିଷ୍ଟ ଅଫିସର ପରି ନୂଆ ପଦବୀ ସୃଷ୍ଟି ହୋଇଛି ।
ଆସନ୍ତାକାଲିଠୁ ବିଧାନସଭା ଶୀତ ଅଧିବେଶନ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଭୁବନେଶ୍ବର: ମଙ୍ଗଳବାରଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନିୟୋଜିତ ହେବେ ୨୮ ପ୍ଲାଟୁନ ଫୋର୍ସ । ୩ ଥାକିଆ ସୁରକ୍ଷା ବଳୟରେ ରହିବ ବିଧାନସଭା । ବିଧାନସଭା ଚାଲୁଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ଟ୍ରାଫିକ କଟକଣା କରାଯାଇଛି । ଆନ୍ଦୋଳନକାରୀ ଙ୍କଠାରୁ ଆରମ୍ଭ କରି ସନ୍ଦିଗ୍ଧ, ସମସ୍ତଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯିବ ।
ଆନ୍ଦୋଳନକାରୀ ସାବଧାନ, ମୁଣ୍ଡ ଉପରେ ଉଡିବ ଡ୍ରୋନ୍ । ସିସିଟିଭି ସ୍କାନରରେ ରହିବ ବିଧାନସଭା ଆଖପାଖ ଅଞ୍ଚଳ । ଡିସିପିଙ୍କ ନେତୃତ୍ବରେ ସୁରକ୍ଷା ଦାୟିତ୍ବରେ ରହିବେ ୨୮ ପ୍ଲାଟୁନ ଫୋର୍ସ । ଆସନ୍ତାକାଲି ଠାରୁ ଆରମ୍ଭ ହେବ ଶୀତ କାଳୀନ ଅଧିବେଶନ । ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୩ ଥାକିଆ ସୁରକ୍ଷା ବଳୟ ସହ ବିଧାନସଭା ଓ ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣି କରାଯିବ ।
ସୁରକ୍ଷା ବ୍ୟବସ୍ଥା ପାଇଁ ୨୮ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ଏସ୍ଓଜି, ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଦଳ, କ୍ୟୁଏଟି, ଡଗ୍ ସ୍କ୍ବାଡ୍, ଅଗ୍ନିଶମ ବିଭାଗ ଆଦି ସବୁ ଦିଗ ଉପରେ ତୀକ୍ଷ୍ଣ ନଜର ରଖାଯିବ । ବିଧାନସଭାଠାରୁ ଆରମ୍ଭ କରି ଲୋୟର ପିଏମ୍ଜି, ରବୀନ୍ଦ୍ର ମଣ୍ଡପ ଛକ ଏବଂ ସଂଲଗ୍ନ ରାସ୍ତାରେ ସିସିଟିଭି ଖଞ୍ଜା ଯାଇଛି । ଆନ୍ଦୋଳନକାରୀଙ୍କ ଠାରୁ ଆରମ୍ଭ କରି ସନ୍ଦିଗ୍ଧ, ସମସ୍ତଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯିବ।
ସୁରକ୍ଷାକୁ ଅଧିକ କଡ଼ାକଡ଼ି ପାଇଁ ବିଧାନସଭା ଗେଟ୍, ରବୀନ୍ଦ୍ର ମଣ୍ଡପ ଗେଟ୍, ଲୋୟର ପିଏମ୍ଜି ଆଦି ୫ଟି ସ୍ଥାନରେ ୫ଟି ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ୍ କରାଯାଇଛି । ଡିସିପି ପ୍ରତୀକ ସିଂଙ୍କ ନେତୃତ୍ବରେ ୮ ଜଣ ଅତିରିକ୍ତ ଡିସିପି, ୧୬ ଜଣ ଏସିପି, ୨୦ ଜଣ ଇନ୍ସପେକ୍ଟରଙ୍କ ସହ ୧୦୦ ରୁ ଉର୍ଦ୍ଧ ପୋଲିସ କର୍ମଚାରୀ ନିୟୋଜିତ ହେବେ । ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ଅହୋରାତ୍ର ଜଗି ରହିବେ। ବିଧାନସଭା ରୁଫଟଫରେ ରହିବେ ପୋଲିସ । ପ୍ରବେଶ ପଥରେ ଦୁଇଟି ଚେକ୍ପୋଷ୍ଟ କରାଯାଇଛି । ବିଧାନସଭାକୁ ସଂଯୋଗ କରୁଥିବା ୫ ଟି ରୁଟକୁ ଡାଇଭର୍ଟ କରାଯାଇଛି ।
ପୋଲିସ୍ ଡିଜି ସୁନୀଲ ବଂଶଲଙ୍କ ସହ ପୋଲିସ୍ କମିଶନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ, ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଗୁଇନ୍ଦା ଡିଆଇଜି ଅନୁପ ସାହୁ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ପ୍ରମୁଖ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ ।

