spot_img
Home Blog Page 2468

ହାଇଟେକ୍ ମେଡିକାଲରେ ବିସ୍ଫୋରଣ ଘଟଣା; ଆଉ ଜଣେ ଆହତଙ୍କ ମୃତ୍ୟୁ

ଭୁବନେଶ୍ୱର: ହାଇଟେକ୍ ମେଡିକାଲରେ ବିସ୍ଫୋରଣ ଘଟଣା। ଚାଲିଗଲା ଆଉ ଜଣଙ୍କ ଜୀବନ। ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଛି। ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

୨୯ ତାରିଖରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ବେଳେ ଦିଲ୍ଲୀପ ସାମନ୍ତରାୟ, ସୀମାଞ୍ଚଳ ବିଶ୍ୱାଳ, ଶ୍ରୀତମ ସାହୁ, ଜ୍ୟୋତି ରଞ୍ଜନ ମଲ୍ଲିକ ଗୁରୁତର ହୋଇଥିଲେ। ପରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକ ଦୁଇ ଜଣ ଦିଲ୍ଲୀପ ଓ ଶ୍ରୀତମ ବୋଲି ପ୍ରଥମେ ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ। ଦିଲ୍ଲୀପଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପତ୍ନୀ ମଧ୍ୟ ଆତ୍ମହତ୍ୟା କରିଥିଲେ।

କିନ୍ତୁ ଚିକିତ୍ସିତ ହେଉଥିବା ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଯୁବକ ନିଜକୁ ଦିଲ୍ଲୀପ ବୋଲି ପରିଚୟ ଦେଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଦ୍ଵନ୍ଦ୍ବ । ଯାହାକୁ ନେଇ ପରିବାର ବର୍ଗ ମଧ୍ୟ ସାମ୍ନାସାମ୍ନି ହୋଇଥିଲେ। ତେବେ ପରିଶେଷରେ ନିଜକୁ ଦିଲ୍ଲୀପ ବୋଲି କହୁଥିବା ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଗତ ୩୦ ତାରିଖରେ ଦିଲ୍ଲୀପଙ୍କ ମୃତ୍ୟୁ ନେଇ ପରିବାର ଲୋକଙ୍କୁ ଖବର ଦିଆଯିବା ସହ ୩୧ ତାରିଖରେ ମୃତଦେହ ହସ୍ତାନ୍ତର ହୋଇଥିଲା । ପରିବାର ଲୋକ ଶବ ସତ୍କାର କରିଥିଲେ। ହେଲେ ସ୍ବାମୀଙ୍କ ମୃତ୍ୟୁ ଖବର ସହି ନ ପାରି ୧ ତାରିଖରେ ଦିଲ୍ଲୀପଙ୍କ ପତ୍ନୀ ଆତ୍ମହତ୍ୟା କରିଥିଲେ। ଏହାର ଭିତରେ ୪ ତାରିଖରେ ହସ୍ପିଟାଲ ପକ୍ଷରୁ ଦିଲ୍ଲୀପଙ୍କ ପରିବାରଙ୍କୁ ଯୋଗଯୋଗ କରି ସେ ବଞ୍ଚିଥିବା କଥା କୁହାଯାଇଥିଲା । ହେଲେ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀପଙ୍କର ମୃତ୍ୟୁ ହୋଇଛି।

ଏହି ଘଟଣାରେ ଅତିରିକ୍ତ ଡିସିପି ପ୍ରକାଶ ପାଲଙ୍କ ନେତୃତ୍ୱରେ ସ୍ପେଶାଲ ଟିମ ତଦନ୍ତ ଆରମ୍ଭ କରିଛି। ୧୫ ଜଣ ପୋଲିସ ଅଫିସରଙ୍କୁ ନେଇ ଟିମ ଗଠନ ହୋଇଛି। ହସ୍ପିଟାଲ ପକ୍ଷରୁ ପୋଲିସକୁ ମେଡିକୋ ଲିଗାଲ କେସ ଦିଆଯାଇଛି । ଏବେ ଦିଲ୍ଲୀପ ଓ ଜ୍ୟୋତିଙ୍କ ଡିଏନଏ ଟେଷ୍ଟ କରାଯିବ। ଦରକାର ପଡ଼ିଲେ ମୃତ ଦେହ ପ୍ରିଜଭ କରି ରଖାଯିବ। ଜ୍ୟୋତିଙ୍କ ଶବ ଦାହ ହୋଇଥିବାରୁ ତାଙ୍କର ଭିସେରାରୁ ଡିଏନଏ ଟେଷ୍ଟ କରାଯିବ। ଅନ୍ୟ ପଟେ ଦିଲ୍ଲୀପଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଘଟଣାର ତଦନ୍ତ କରାଯିବ।

ଧୋନୀଙ୍କୁ ଠକିଦେଲେ ଘନିଷ୍ଠ ବନ୍ଧୁ, ୧୫ କୋଟିର କ୍ଷତି ପାଇଁ କଲେ ମାମଲା

ନୂଆଦିଲ୍ଲୀ: ଧୋନୀଙ୍କୁ ଠକିଦେଲେ ଘନିଷ୍ଠ ବନ୍ଧୁ, ୧୫ କୋଟିର କ୍ଷତି ପାଇଁ ମାମଲା ରୁଜୁ କଲେ। ଠକାମୀର ଶିକାର ହେଲେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିଜର ଅତି ଘନିଷ୍ଠ ବନ୍ଧୁ ଧୋନୀଙ୍କୁ ଠକିଛନ୍ତି। ଯେଉଁଥିପାଇଁ ଆରକା ସ୍ପୋର୍ଟ୍ସ ଆଣ୍ଡ ମ୍ୟାନେଜମେଣ୍ଟ ଲିମିଟେଡର ମିହିର ଦିବାକର ଓ ସୌମ୍ୟା ବିଶ୍ୱାସଙ୍କ ନାଁରେ ରାଞ୍ଚି କୋର୍ଟରେ ଅପରାଧିକ ମାମଲା ରୁଜୁ କରିଛନ୍ତି ଧୋନୀ।

ଧୋନୀଙ୍କର ଅତି ଘନିଷ୍ଠ ବନ୍ଧୁ ଭାବେ ମିହିର ଦିବାକର ଜଣାଶୁଣା । ଏପରିକି ମିହିରି ହେଉଛନ୍ତି ଧୋନୀଙ୍କର ବ୍ୟବସାୟିକ ବନ୍ଧୁ । ମିହିର ଦିବାକର ବିଶ୍ୱର ବିଭିନ୍ନ ସ୍ଥାନରେ କ୍ରିକେଟ ଏକାଡେମୀ ଖୋଲିବାକୁ ୨୦୧୭ ମସିହାରେ ଧୋନୀଙ୍କ ସହ ଚୁକ୍ତି କରିଥିଲେ । କିନ୍ତୁ ଚୁକ୍ତିରେ ଥିବା ସର୍ତ୍ତକୁ ପରବର୍ତ୍ତୀ ସମୟରେ ପାଳନ କରିନଥିଲେ ମିହିର। ପରେ ୨୦୨୧ରେ ଧୋନୀ ନିଜର ଅଥରିଟି ଲେଟର ଆରକା ସ୍ପୋର୍ଟ୍ସ ଠାରୁ ଫେରସ୍ତ ନେଇଥିଲେ।

ଏହାପରେ ଚୁକ୍ତି ଖିଲାପ ପାଇଁ ମିହିରଙ୍କୁ ଅନେକ ନୋଟିସ ପଠାଇଥିଲେ ମଧ୍ୟ ଏହାର ଉତ୍ତର ଦେଇନଥିଲେ ମିହିର। ପରେ ଧୋନୀଙ୍କ ଓକିଲ ଦୟାନନ୍ଦ ସିଂ କହିଥିଲେ, ଆରକା ସ୍ପୋର୍ଟ୍ସ ଧୋନୀଙ୍କ ସହ ଠକାମୀ କରିଛି। ଯେଉଁଥିପାଇଁ ଧୋନୀଙ୍କର ୧୫ କୋଟି ଟଙ୍କାର କ୍ଷତି ହୋଇଛି। ଯାହାକୁ ନେଇ ମିହିରଙ୍କ ବିରୋଧରେ କୋର୍ଟରେ ପହଞ୍ଚିଛନ୍ତି ଧୋନୀ।

ଗଞ୍ଜାମରେ ମର୍ମନ୍ତୁଦ ଦୁର୍ଘଟଣା; ୧ ମୃତ, ୧୦ ଆହତ

ଧରାକୋଟ: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଢଉଗାଁ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା। ବସ ଦୁର୍ଘଟଣାରେ ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ, ୧୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ଆସିକା SDPO, ଧରାକୋଟ, ସୋରଡ଼ା ଓ ଆସିକା ପୋଲିସ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଡ୍ରାଇଭରର ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ତେବେ ପୋଲିସ ଘଟଣାର ତଦନ୍ତ କରୁଛି।

ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ; ଆଜିଠୁ ଦେବ ନିମନ୍ତ୍ରଣ ଆରମ୍ଭ

ସମ୍ବଲପୁର: ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଆଜିଠୁ ଦେବ ନିମନ୍ତ୍ରଣ ଆରମ୍ଭ । ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଚଳିତ ମାସ ଶେଷ ବେଳକୁ ଥିବା ବେଳେ ନିମନ୍ତ୍ରଣ ପତ୍ର ବଣ୍ଟାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ଦେବା ପାଇଁ ଏକ ପ୍ରତିନିଧି ଦଳ ଆଜି ଭୁବନେଶ୍ବର ଅଭିମୁଖେ ବାହାରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀ ମା’ ସମଲେଶ୍ବରୀ ମନ୍ଦିରରୁ ବାହାରିଥିବା ବେଳେ, ସମ୍ବଲପୁରର ମା’ ପାଟଣେଶ୍ବରୀ, ମା’ ଦଶମତି, ମା’ ବାଟମଙ୍ଗଳା, ବାବା ସୋମନାଥ ଓ ପୁରୀ ଶ୍ରୀ ମନ୍ଦିର ଯାଇ ପ୍ରଥମେ ନିମନ୍ତ୍ରଣ ଦେବାର କାର୍ଯ୍ୟକ୍ରମ ରହିଛି । ସମ୍ବଲପୁରର ବିଭିନ୍ନ ମନ୍ଦିରରେ ନିମନ୍ତ୍ରଣ ଦେଇ ସାରିବାପରେ ଏହି ପ୍ରତିନିଧି ଦଳ ଭୁବନେଶ୍ବର ଯାଇ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବେ।

ଜଳଦସ୍ୟୁଙ୍କ କବଳରୁ ସୁରକ୍ଷିତ ଭାବେ ୧୫ ଭାରତୀୟ ଉଦ୍ଧାର

ନୂଆଦିଲ୍ଲୀ: ଜଳଦସ୍ୟୁଙ୍କ କବଳରୁ ୧୫ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ନୌସେନା କମାଣ୍ଡୋ। ସୋମାଲିଆ ଉପକୂଳରୁ ‘MV LILA NORFOLK’ ମାଲବାହୀ ଜାହାଜକୁ ଅପହରଣ କରାଯାଇଥିଲା । ଏହି ଜାହାଜରେ ୧୫ ଜଣ ଭାରତୀୟ ଥିଲେ। ସମସ୍ତ ୧୫ ଜଣ ଜାହାଜର କର୍ମଚାରୀ ।

ଅପହରଣ ଖବର ମିଳିବା ପରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ INS ଚେନ୍ନାଇକୁ ସେଠାକୁ ପଠାଯାଇଥିଲା । ଏହାପରେ ନୌସେନାର ସ୍ୱତନ୍ତ୍ର ମାରିନ କମାଣ୍ଡୋ ବା ମାର୍କୋସ ଅପରେସନ ଆରମ୍ଭ କରିଥିଲେ । ସନ୍ଧ୍ୟା ସୁଦ୍ଧା ଜାହାଜ ମଧ୍ୟରେ ପ୍ରବେଶ କରିଥିଲେ। ଏହାପରେ ପଣବନ୍ଦୀ ହୋଇ ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିଥିଲେ । ଏମଭି ଲିଲା ନୋରଫୋଲକ ଜାହାଜଟି ବ୍ରାଜିଲର ପୋର୍ଟ ଡୁ ଆକୋରୁ ବାହାରିଥିଲା । ଏହା ବାହାରିନର ଖଲିଫା ବିନ ସଲମାନ ପୋର୍ଟକୁ ଯିବାର ଥିଲା । କିନ୍ତୁ ସୋମାଲିଆ ଉପକୂଳରୁ ୩୦୦ ମାଇଲ ଦୂରରେ ଜଳଦସ୍ୟୁମାନେ ଏହାକୁ କବଜା କରି ନେଇଥିଲେ।

ଏହି ଜାହାଜ ମଧ୍ୟରେ ୧୫ ଜଣ ଭାରତୀୟ ରହିଥିଲେ । ଏହି ପଣ୍ୟବାହୀ ଜାହାଜଟି ଅପହରଣ ସମ୍ପର୍କରେ ତୁରନ୍ତ ୟୁନାଇଟେଡ କିଙ୍ଗଡମ ମାରିଟାଇ ଟ୍ରେଡ ଅପରେସନ ପୋର୍ଟାଲକୁ ବାର୍ତ୍ତା ପଠାଇଥିଲା। ଜାନୁଆରୀ ୪ ତାରିଖ ସନ୍ଧ୍ୟାରେ ୫ରୁ ୬ ଜଣ ବନ୍ଧୁକଧାରୀ ଜାହାଜରେ ପ୍ରବେଶ କରିବା ସହ ସମସ୍ତଙ୍କୁ ପଣବନ୍ଦୀ କରି ରଖିଥିବା ଜାହାଜ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଗାଈଗୋଠ ପଛେପଛେ ଚାଲି ଆସିଲା ହାତୀଛୁଆ

ଅନୁଗୁଳ: ଗାଈଗୋଠରେ ହାତୀଛୁଆ। ଅନୁଗୁଳ ଗଣ୍ଠିଗାଡ଼ିଆ ଜଙ୍ଗଲରୁ ହାତୀଛୁଆ ଗୋଠରୁ ଅଲଗା ହୋଇ ଗଣ୍ଠିଗାଡ଼ିଆ ଗାଈଗୋଠ ପଛେ ପଛେ ଗାଁ ମଧ୍ୟକୁ ପଶିଆସିଥିଲା। ଗାଈ ଗୋଠରେ ହାତୀକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଗାଁ ଲୋକେ। ବନ କର୍ମଚାରୀମାନେ ହାତୀ ଛୁଆକୁ ଉଦ୍ଧାର କରିବା ସହ ହାତୀପଲରେ ମିଶାଇବାକୁ ଉଦ୍ୟମ ଚଳାଇଛନ୍ତି।

ହାତୀ ଛୁଆର ବୟସ ପ୍ରାୟ ଦୁଇମାସ ହେବ ବୋଲି ଅନୁମାନ କରାଯାଉଛି। ଗଣ୍ଠିଗାଡ଼ିଆ ଜଙ୍ଗଲରେ ରହିଥ‌ିବା ହାତୀପଲ ମଧ୍ଯରେ ଏହି ଦୁଇ ମାସର ହାତୀଛୁଆ ରହିଥିଲା। ଜଙ୍ଗଲରେ ହାତୀଛୁଆକୁ ଛାଡ଼ି ମା’ ଓ ହାତୀପଲ ପଳାଇଥିଲେ। ଜଙ୍ଗଲକୁ ଚରିବାକୁ ଯାଇଥିବା ଗାଈଗୋରୁ ଯାଉଥିବା ବେଳେ ଗୋଠରେ ହାତୀଛୁଆ ଗାଁ ମଧ୍ୟକୁ ପଶି ଆସିଥିଲା। ଗାଈଗୋରୁ ନିଜ ନିଜ ଗୁହାଳକୁ ପଳାଇ ଥିବାବେଳେ ହାତୀଛୁଆଟି ଗାଁ ଦାଣ୍ଡରେ ବୁଲିଥିଲା। ଲୋକେ ତାକୁ ବାଲଟିରେ ପାଣି ପିଇବାକୁ ଦେଇ ବନ କର୍ମଚାରୀଙ୍କୁ ସୂଚନା ଦେଇଥିଲେ।

T20 ବିଶ୍ୱକପ ମ୍ୟାଚ୍‌; ନ୍ୟୁୟର୍କରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ

ନୂଆଦିଲ୍ଲୀ: ଆମେରିକା ଓ ୱେଷ୍ଟଇଣ୍ଡିଜରେ ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ ମ୍ୟାଚ୍‌ ସୂଚୀ ଆଜି ଆଇସିସି ପକ୍ଷରୁ ଘୋଷଣା କରାଯାଇଛି। ୨୦ଟି ଟିମକୁ ନେଇ ଖେଳା ଯାଉଥିବା ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ ଜୁନ ୧ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଆୟୋଜକ ଆମେରିକା ଓ କାନାଡା।

୧୮୪୪ରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଏହି ଦୁଇ ଦଳ ସାମ୍ନାସାମ୍ନି ହୋଇଥିଲେ। ଏବେ ପୁଣି ଥରେ ଆମେରିକା ଓ କାନାଡା ଲଢ଼େଇ କରିବେ। ବିଶ୍ୱକପର ସବୁଠାରୁ ବଡ଼ ମ୍ୟାଚ୍‌ ଜୁନ ୯ରେ ଖେଳାଯିବ। ନ୍ୟୁୟର୍କରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ଟି-୨୦ ବିଶ୍ୱକପର ଗ୍ରୁପ ଏରେ ଭାରତ ରହିଛି। ଭାରତ ସହ ଆମେରିକା, ପାକିସ୍ତାନ, କାନାଡା ଓ ଆୟର୍ଲ୍ୟାଣ୍ଡ ଏହି ଗ୍ରୁପରେ ରହିଛନ୍ତି।

ଭାରତ ତା’ର ବିଶ୍ୱକପ ଅଭିଯାନ ଜୁନ ୫ରେ ଆୟର୍ଲ୍ୟାଣ୍ଡ ବିପକ୍ଷରୁ ଆରମ୍ଭ କରିବ। ଜୁନ ୯ରେ ପାକିସ୍ତାନ, ଜୁନ ୧୨ରେ ଆମେରିକା ଓ ଜୁନ ୧୫ରେ ଦଳ ଶେଷ ଲିଗ ମ୍ୟାଚ୍‌ କାନାଡା ବିପକ୍ଷରେ ଖେଳିବ । ଟି-୨୦ ବିଶ୍ୱକପର ଦୁଇ ସେମି ଫାଇନାଲ ଜୁନ ୨୬ ଓ ୨୭ରେ ଖେଳାଯିବ। ଜୁନ ୨୯ରେ କ୍ରିକେଟ ମହାକୁମ୍ଭର ଫାଇନାଲ ବାରବାଡୋସରେ ଅନୁଷ୍ଠିତ ହେବ। ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପରେ ୨୦ଟି ଦଳ ଭାଗ ନେଉଛନ୍ତି। ଏମାନଙ୍କୁ ୪ଟି ଗ୍ରୁପରେ ଭାଗ କରାଯାଇଛି। ପ୍ରତି ଗ୍ରୁପରେ ୫ଟି ଲେଖାଏ ଦଳ ରହିଛନ୍ତି। ଲିଗ ମ୍ୟାଚ୍‌ ପରେ ପ୍ରତି ଗ୍ରୁପରୁ ୨ଟି ଲେଖାଏ ଦଳ ଗ୍ରୁପ ୮ ପର୍ଯ୍ୟାୟକୁ ଯିବେ ।

ସଚେତନତା ସୃଷ୍ଟି କରିବାରେ ଲୋକକଳା ହେଉଛି ଏକ ପ୍ରଭାବୀ ମାଧ୍ୟମ: 5T ଅଧ୍ୟକ୍ଷ

ଭୁବନେଶ୍ୱର: ସଚେତନତା ସୃଷ୍ଟି କରିବାରେ ଲୋକକଳା ଭଳି ପ୍ରଭାବୀ ମାଧ୍ୟମ ଅନ୍ୟ କୌଣସି ମାଧ୍ୟମରେ ନାହିଁ ବୋଲି 5T  ତଥା ‘ ଆମ ଓଡିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ ବ୍ଲକ୍‌ ଓ ଜିଲ୍ଲା ଲୋକକଳା ସଂସ୍କୃତି ସଂଘ ପ୍ରତିନିଧିମାନଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇ ସେ ଏହା କହିଛନ୍ତି ।

ସଂସ୍କୃତିକୁ ଗତିଶୀଳ କରିବା ନିମନ୍ତେ ଲୋକକଳା ପ୍ରତି ଯୁବପିଢ଼ିଙ୍କୁ ଆକୃଷ୍ଟ କରିବାକୁ ପଡ଼ିବ। ଲୋକକଳା ବଞ୍ଚିବାକୁ ହେଲେ କଳାକାରମାନଙ୍କ ଉନ୍ନତି ହେବା ଉଚିତ ବୋଲି ପାଣ୍ଡିଆନ୍‌ କହିଥିଲେ। ଏଥି ନିମନ୍ତେ ସରକାର ଆସନ୍ତା ୩ରୁ ୪ ମାସ ମଧ୍ୟରେ କଳାକାରମାନଙ୍କୁ ଖୁସି ଖବର ଦେବେ ବୋଲି  ସେ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ କଳାପ୍ରେମୀ ହୋଇଥିବାରୁ କଳାକାରମାନଙ୍କ ଉନ୍ନତି ନିମନ୍ତେ ସେ ସର୍ବଦା ଗୁରୁତ୍ୱାରୋପ କରନ୍ତି।

ମିଶନ ଶକ୍ତି ଭଳି କଳାକାର ସଂଘକୁ ସଶକ୍ତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ସଂଘକୁ 5T ମଧ୍ୟରେ ଅନ୍ତର୍ଭୁକ୍ତ କରାଯିବା ସହ ବ୍ଲକ୍‌ ଏବଂ ଜିଲ୍ଲାସ୍ତରୀୟ ସଂଘ କାର୍ଯ୍ୟାଳୟ ଖୋଲାଯିବ । ଓଡ଼ିଶାକୁ ଆଗେଇ ନେବା ସହ ସଶକ୍ତ ରାଜ୍ୟରେ ପରିଣତ କରିବା ନିମନ୍ତେ ସେ ଆହ୍ୱାନ ଦେଇଛନ୍ତି। ନବୀନ ଓଡ଼ିଶା ଗଠନ ନିମନ୍ତେ କଳାକାରମାନଙ୍କ ଗୁରୁ ଭୂମିକା ଥିବା ସେ କହିଛନ୍ତି।

ଗଞ୍ଜାମରେ ଜିଲ୍ଲାପାଳ ଥିବାବେଳେ ଏକ ଅଭିଜ୍ଞତାକୁ ଭିତ୍ତି କରି ପାଣ୍ଡିଆନ୍‌ କହିଛନ୍ତି ଯେ ପନ୍ଦର ବର୍ଷ ତଳେ ଜିଲ୍ଲାରେ ଏଡସ୍‌ ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଥିଲା। ଏଥି ନିମନ୍ତେ ଲୋକକଳାର ଭୂମିକା ପ୍ରଶଂସନୀୟ ଥିଲା ଓ ଦୁଇବର୍ଷ ମଧ୍ୟରେ ଏହାର ସୁଫଳ ମିଳିଥିଲା। ଲୋକକଳାର ପ୍ରଭାବୀ ସଚେତନତା ସରକାରଙ୍କ ବିଭିନ୍ନ ଯୋଜନାର ରୂପରେଖକୁ ତୃଣମୂଳ ସ୍ତରରେ ପହଞ୍ଚାଇପାରିବ ବୋଲି ସେ ପ୍ରକାଶ କରିଛନ୍ତି।  ଲୋକକଳା ମାଧ୍ୟମରେ ସଚେତନତା ସୃଷ୍ଟି ନିମନ୍ତେ କଳାକାରମାନଙ୍କୁ ପରାମର୍ଶ ଦିଆଯିବା ସହ ଏକ ପୁସ୍ତିକା ମଧ୍ୟ ଉନ୍ମୋଚିତ ହୋଇଥିଲା ।

ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ, ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ, ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାସ, ମିଶନ ଶକ୍ତି ଯୁଗ୍ମ ଶାସନ ସଚିବ ବିନୋଦ ଜେନା, ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଅତସୀ ଦାସ, ସୁବୋଧ ଆଚାର୍ଯ୍ୟ, ଉପନିର୍ଦ୍ଦେଶିକା ସୁଚିସ୍ମିତା ମନ୍ତ୍ରୀ, ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନର ପରାମର୍ଶଦାତା କୃଷ୍ଣଚନ୍ଦ୍ର ନିଶାଙ୍କ ପ୍ରମୁଖ ଉପସ୍ଥିତ ଥିଲେ।

ଖୋର୍ଦ୍ଧା ପୋଲିସ ସ୍କାନରରେ ବ୍ୟବସାୟୀ, ସମ୍ପତ୍ତି ସିଜ୍…

ଖୋର୍ଦ୍ଧା: ଖୋର୍ଦ୍ଧା ପୋଲିସ ସ୍କାନରରେ କଳା ବ୍ୟବସାୟୀ। ସମ୍ପତ୍ତି ସିଜ୍ କରି ନିଲାମ ପାଇଁ ପୋଲିସ ଆରମ୍ଭ କରିଛି ପଦକ୍ଷେପ । ବ୍ରାଉନ ସୁଗାର ବେପାରୀ ଶ୍ରୀବତ୍ସ ପରମଗୁରୁ ଠୁଳ କରିଥିବା ସମ୍ପତ୍ତି ସିଜ୍ କରିଛି ପୋଲିସ।

ଆଜି ପୋଲିସ ଶ୍ରୀବତ୍ସର ବ୍ୟାଙ୍କ ଲକରରୁ ସମସ୍ତ ସୁନା, ରୂପା, ବ୍ୟାଙ୍କ ବଣ୍ଡ , ଜମା ଟଙ୍କା ଜବତ କରିଛି । ଗତ ୧୦ବର୍ଷ ଧରି ଶ୍ରୀବତ୍ସ ଓ ସ୍ତ୍ରୀ ବ୍ରାଉନ ସୁଗର, ଚୋରା ବନ୍ଧୁକ, ଗୁଳି ବେପାର କରି କଳା ସମ୍ପତ୍ତି ଠୁଳ କରିଥିଲେ। ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ଏନେଇ ଅଭିଯୋଗ ପରେ ଶ୍ରୀବତ୍ସର ସମସ୍ତ ସମ୍ପତ୍ତି ଜବତ କରାଯାଇଛି । କିଛିଦିନ ତଳେ ଶ୍ରୀବତ୍ସ ବନ୍ଧୁକ ଚୋରା ଚାଲାଣରେ ଗିରଫ ହୋଇ ଜେଲରେ ଥିଲେ । ପୋଲିସ ରିମାଣ୍ଡରେ ଆଣି ତାର ଉପସ୍ଥିତିରେ ଏସବୁ ସମ୍ପତ୍ତି ଜବତ କରିଛି।

ପକ୍ଷୀ ପ୍ରେମରେ ଦମ୍ପତ୍ତି, ଘରେ ରଖିଛନ୍ତି ୪୦ରୁ ଉର୍ଦ୍ଧ୍ବ ପ୍ରଜାତିର ପକ୍ଷୀ

ଭୁବନେଶ୍ୱର: ପକ୍ଷୀ ପ୍ରେମରେ ପତି-ପତ୍ନୀ। ବିଲୁପ୍ତ ପ୍ରାୟ ପକ୍ଷୀମାନଙ୍କ ବ୍ରିଡ କରି ଗବେଷଣା। ଫାର୍ମରେ ୨୦ରୁ ଉର୍ଦ୍ଧ୍ବ ଦେଶର ୪୦ ରୁ ଉର୍ଦ୍ଧ୍ବ ପ୍ରଜାତିର ପକ୍ଷୀ ପାଳନ କରିଛନ୍ତି। ପକ୍ଷୀଙ୍କ କିଚିରି ମିଚିର ଶଦ୍ଦରେ କୋଳାହଳମୟ ପରିବେଶ। ରଙ୍ଗ ବେରଙ୍ଗର ବିଦେଶୀ ଦାମୀ ପକ୍ଷୀ। ଏହା କୌଣସି ଚିଡିଖାନାର ଦୃଶ୍ୟ ନୁହଁ । ଇଏ ହେଉଛି ଭୁବନେଶ୍ବର ରସୁଲଗଡ଼ କେନାଲ ରୋଡ଼ରେ ଥିବା ଶ୍ୟାମସୁନ୍ଦର ମିଶ୍ରଙ୍କ ଫାର୍ମ ହାଉସ୍ ।

ଉଚ୍ଚଶିକ୍ଷିତ ଶ୍ୟାମସୁନ୍ଦର ବାପାଙ୍କ ଅମଳରୁ ପକ୍ଷୀ ପ୍ରେମରେ ପଡିଯାଇଛନ୍ତି । ଘରେ ୪୫ ପ୍ରକାର ପ୍ରଜାତିର ପକ୍ଷୀ ରଖିଛନ୍ତି । ଆଫ୍ରିକାର ସବୁଠାରୁ ଛୋଟ ମାକଓ୍ବା ସହ ରେଡ୍ ମାକ୍ସ କର୍ଣ୍ଣୁର, ଅଲିଭ ଅର୍ଣ୍ଣେଟ ଲରି, ଜାଡାଇନ ପ୍ୟାରେଟ, ପାଏଡ ସ୍ବାଇଁସନ ଲରୀ, ଚାର୍ଟରିଙ୍ଗ ଲରୀ, ବ୍ଳାକକ୍ୟାପ ଲରୀ, ଭାଏଲଟ ଲରୀ, କ୍ୟାଡିନେଟ, ଡୁଭେନ ବଡ ଲରୀ, ୟୋଲ ବି ଲରୀ, ହାଁନସ ମାକାୱା, ଏଲିକର୍ଟସ ପ୍ୟାରେଟ, କ୍ରିମସନ ଭେଲିଡ କର୍ଣ୍ଣୁର ଭଳି ବିଦେଶୀ ପକ୍ଷୀ ରଖିଛନ୍ତି । ୪୦ ହଜାର ଟଙ୍କାରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପକ୍ଷୀ ରଖିଥିବା ବେଳେ କାଟେଲିନା ମାକାଓ୍ବା ଓ ସ୍କାରେଲଟ ମାକଓ୍ବା ମୂଲ୍ୟ ୨୦ ଲକ୍ଷ ଟଙ୍କା।

ବିଦେଶୀ ପକ୍ଷୀଙ୍କ ବ୍ରିଡ୍ କରାଇବା ସହ ସେମାନଙ୍କୁ ନିଜପିଲା ଭଳି ପାଳନ କରୁଛନ୍ତି ଶ୍ୟାମସୁନ୍ଦର। ବ୍ରିଡ ଓ ସ୍ବାସ୍ଥ୍ୟଗତ ସମସ୍ୟାର ଚିକିତ୍ସା ପାଇଁ ସାମଗ୍ରୀ ମଧ୍ୟ ରଖିଛନ୍ତି। ବର୍ତ୍ତମାନ ତାଙ୍କ ପାଖରେ ଏକକାଳୀନ ୪୦ରୁ ଉର୍ଦ୍ଧ ପ୍ରଜାତିର ପ୍ରାୟ ୧ ହଜାରରୁ ଅଧିକ ବିଦେଶୀ ପକ୍ଷୀ ଅଛନ୍ତି। ସେମାନଙ୍କୁ ବିଭିନ୍ନ ପ୍ରକାରର ପରିବା, ମଞ୍ଜି ସହ ମାଣ୍ଡିଆ, ଫ୍ଲାକ୍‌ସିଡସ୍, ଓଟ୍‌ସ, ପକ୍‌କ୍ସିଟ୍ ଆଦି ଖାଇବାକୁ ଦିଅନ୍ତି।