ଭୁବନେଶ୍ୱର : ବରିଷ୍ଠ ଆଇପିଏସ ଅଫିସରଙ୍କୁ ବି ଛାଡ଼ିଲେନି ସାଇବର ଲୁଟେରା। ଅବକାରୀ କମିଶନରଙ୍କ ନାଁରେ ଫେକ୍ ଫେସବୁକ୍ ଆଇଡି ଖୋଲି ଲୁଟୁଛନ୍ତି ଟଙ୍କା । ଅବକାରୀ କମିଶନର ତଥା ବରିଷ୍ଠ ଆଇପିଏସ ଅଧିକାରୀ ନରସିଂହ ଭୋଳଙ୍କ ନାଁରେ ଫେକ୍ ଫେସବୁକ୍ ଆଇଡି ଖୋଲାଯାଇଛି । ଫେକ୍ ଫେସବୁକ୍ ଆଇଡି ଜରିଆରେ ୧ ଲକ୍ଷ ୩୫ ହାଜର ଟଙ୍କା ଲୁଟି ସାରିଲେଣି ସାଇବର ଲୁଟେରା। ନରସିଂହ ଭୋଳଙ୍କ ଫେସବୁକ୍ ସାଙ୍ଗଙ୍କଠାରୁ ସାଇବର ଲୁଟେରା ଏଭଳି ଲୁଟୁଛନ୍ତି । ଏନେଇ ଫେସବୁକରେ ସୂଚନା ଦେଇଛନ୍ତି ନିଜେ ନରସିଂହ ଭୋଳ । ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।
ସଂସଦରେ ସୁରକ୍ଷା ତ୍ରୁଟି ମାମଲାରେ ୨ ଅଟକ, ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ଦ୍ୱାରା ଅଟକ
ନୂଆଦିଲ୍ଲୀ : ସଂସଦ ସୁରକ୍ଷାରେ ତ୍ରୁଟି ମାମଲା । ଦୁଇ ସନ୍ଦିଗ୍ଧଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ। ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲରେ ଦୁଇ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଅଟକ ବ୍ୟକ୍ତି ହେଲେ ମହେଶ ଓ କୈଳାଶ। ଗିରଫ ଅଭିଯୁକ୍ତଙ୍କ ସହ ଏହି ଦୁଇ ସନ୍ଦିଗ୍ଧଙ୍କ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତମାନଙ୍କୁ ନେଇ ସିନ ରିକ୍ରିଏଟ କରିପାରେ ପୋଲିସ ।
ଗତକାଲି ରାତିରେ ମାଷ୍ଟରମାଇଣ୍ଡ ଲଳିତ ଝା ଦିଲ୍ଲୀର କର୍ତ୍ତବପଥ ଥାନାରେ ଆତ୍ମସମର୍ପଣ କରିଥିଲା । ଆତ୍ମସମର୍ପଣ ପରେ ଲଳିତକୁ ଗିରଫ କରିଥିଲା ପୋଲିସ । ପୂର୍ବରୁ ଗିରଫ ହୋଇଥିବା ୪ ଜଣଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ଅଭିଯୁକ୍ତଙ୍କୁ ଆତଙ୍କବାଦୀ ନିରୋଧୀ ଆଇନ, ୟୁଏପିଏ ଅଧୀନରେ ଗିରଫ କରାଯାଇଛି । ଅପରାଧିକ ଷଡ଼ଯନ୍ତ୍ର ପରି ସଂଗୀନ ଦଫା ମଧ୍ୟ ଲାଗିଛି । ମାଷ୍ଟରମାଇଣ୍ଡ କୁହାଯାଉଥିବା ଲଳିତ ଝା ହିଁ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଡାକିଥିଲା । ବୁଧବାର ହୋଇଥିବା ଏହି ସ୍କୋକ୍ ଗନ୍ ଆକ୍ରମଣ ଘଟଣାର ଭିଡିଓ ସୁଟ୍ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲା ଲଳିତ। ୪ ଅଭିଯୁକ୍ତ ମାଷ୍ଟରମାଇଣ୍ଡ ଲଳିତ ସମ୍ପର୍କରେ ଥିଲେ। ସଂସଦ ଭିତରେ ପଶିବା ପୁର୍ବରୁ ସମସ୍ତଙ୍କ ଫୋନ ନେଇ ଯାଇଥିଲା ଲଳିତ। ସେଠାରୁ ସମସ୍ତ ଫୋନ ଧରି ଫେରାର ହୋଇଯାଇଥିଲା ।
ବଲିଉଡର ପ୍ରସିଦ୍ଧ ଗାୟକ ସୋନୁ ନିଗମ କାହିଁକି ପାକିସ୍ତାନୀ ଗାୟକକୁ କ୍ଷମା ମାଗିଲେ
ବ୍ୟୁରୋ ରିପୋର୍ଟ : ବଲିଉଡର ଫେମସ ସିଙ୍ଗର୍ ସୋନୁ ନିଗମ। ସୁମଧୁର ଗୀତ ଗାଇ ଦଶନ୍ଧି ଦଶନ୍ଧି ଧରି ଦର୍ଶକୁମାନଙ୍କୁ ବାନ୍ଧି ରଖିଛନ୍ତି । ବର୍ତ୍ତମାନ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆରେ ପାକିସ୍ତାନୀ ଗାୟକକୁ କ୍ଷମା ମାଗିଛନ୍ତି ପ୍ରସିଦ୍ଧ ଗାୟକ ସୋନୁ। ତେବେ କାହିଁକି କ୍ଷମା ମାଗିଛନ୍ତି ଚାଲନ୍ତୁ ଜାଣିବା । 
ନିକଟରେ ସୋନୁଙ୍କ ବିରୋଧରେ ପାକିସ୍ତାନୀ ଗାୟକ ଓମାର ନାଦିମ ଏକ ବଡ ଅଭିଯୋଗ କରିଛନ୍ତି। ଯାହାକୁ ନେଇ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି। ଓମାର କହିଛନ୍ତି ଯେ, ସୋନୁ ନିଗମ ତାଙ୍କ ଗୀତକୁ କପି କରିଛନ୍ତି। ବାସ୍ତବରେ, ଏହି ବିଷୟଟି ନିକଟରେ ରିଲିଜ୍ ହୋଇଥିବା ଗୀତ ‘ଶୁନ୍ ଜରା’ ସହିତ ଜଡିତ। ଡିସେମ୍ବର ୨ ରେ ଟି-ସିରିଜ୍ ୟୁଟ୍ୟୁବ୍ ଚ୍ୟାନେଲରେ ରିଲିଜ୍ ହୋଇଛି ‘ଶୁନ୍ ଜରା’ ଗୀତ। ଏହି ଗୀତଟିକୁ SRK ଲେଖିଥିବା ବେଳେ ସୋନୁ ନିଗମ ଏହାକୁ ଗାଇଥିଲେ। ଅଭିଯୋଗ ପରେ ସୋନୁ ନିଗମ ବର୍ତ୍ତମାନ ଓମାରଙ୍କୁ କ୍ଷମା ମାଗିଛନ୍ତି ।
ଓମାର ନାଦିମ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି କହିଛନ୍ତି ଯେ, ‘ଶୁନ୍ ଜରା’ ଗୀତଟି ତାଙ୍କର ୨୦୦୯ରେ ରିଜିଜ ହୋଇଥିବା ଗୀତ ‘ଏ ଖୁଦା’ରୁ କପି କରାଯାଇଛି। ତାଙ୍କର ଅଭିଯୋଗ ଥିଲା ଯେ, ତାଙ୍କ ଗୀତକୁ କପି କରାଯାଇଛି ହେଲେ ଏଥିପାଇଁ ତାଙ୍କୁ କ୍ରେଡିଟ ଦିଆଯାଇ ନାହିଁ। ଏହାସହ ସୋନୁଙ୍କର ବଡ ଫ୍ୟାନ ବୋଲି ଓମାର କହିଥିଲେ।
ଓମାରଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇ ସୋନୁ ନିଗମ କହିଛନ୍ତି ଯେ, ଏହି ଗୀତଟିକୁ KRK ଲେଖିଛନ୍ତି। ସେ ଜଣେ ମୋର ଭଲ ବନ୍ଧୁ ଅଟନ୍ତି। ସେ ମୋତେ ଅନୁରୋଧ କରିବାରୁ ମୁଁ ଏହି ଗୀତଟିକୁ ଗାଇଥିଲି। ଆଗରୁ ସେ କେବେ ଓମାରଙ୍କ ଏହି ଗୀତ ଶୁଣି ନଥିଲେ। ଯଦି ଶୁଣିଥାନ୍ତେ ତେବେ କେବେ ହେଲେ ଗୀତଟିକୁ ଗାଇନଥାନ୍ତେ ବୋଲି ସୋନୁ କହିଛନ୍ତି। ମୁଁ ଦୁଃଖିତ ତମ ଗୀତ ଶୁଣିନଥିଲି। ଏବେ ଶୁଣିଲି ମୋ ଅପେକ୍ଷା ତମେ ଭଲ ଗାଇଛ ବୋଲି ସୋନୁ ଓମାରଙ୍କୁ କହିଛନ୍ତି ।
ସୋନୁ ନିଗମଙ୍କ କଥା ଉପରେ ଓମେର ମଧ୍ୟ ପ୍ରତିକ୍ରିୟା କଖିଛନ୍ତି। ସେ କହିଥିଲେ, “ଯଦି ଆପଣ ଏହା କହୁଛନ୍ତି ତେବେ ଏହା ମୋ ପାଇଁ ଏକ ବଡ଼ କଥା। ତେବେ ସୋନୁଙ୍କ ଏହି ପୋଷ୍ଟକୁ ସ୍କ୍ରିନସଟ ନେଇ ଓମେର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।
ଓଡ଼ିଶାରେ ହେବ ଇଣ୍ଡିଆନ ଜର୍ଣ୍ଣାଲିଷ୍ଟ କଂଗ୍ରେସ
ଭୁବନେଶ୍ୱର : ଓଡ଼ିଶାରେ ହେବ ଇଣ୍ଡିଆନ ଜର୍ଣ୍ଣାଲିଷ୍ଟ କଂଗ୍ରେସ। ଦେଶରେ ସାମ୍ବାଦିକମାନଙ୍କ ଅର୍ଥନୈତିକ, ସାମାଜିକ ଓ ବୃଦ୍ଧିଗତ କଲ୍ୟାଣ ଉଦ୍ଦେଶ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି ଜର୍ଣ୍ଣାଲିଷ୍ଟ ଡେଭଲପମେଣ୍ଟ କାଉନସିଲ ଅଫ୍ ଇଣ୍ଡିଆ । ଆସନ୍ତା ବର୍ଷ ପ୍ରଥମାର୍ଦ୍ଧରେ ଭୁବନେଶ୍ବରରେ ଆୟୋଜିତ ହେବ ଇଣ୍ଡିଆନ ଜର୍ଣାଲିଷ୍ଟ କଂଗ୍ରେସ। ଏହି କାର୍ଯ୍ୟକ୍ରମରେ ଶ୍ରୀଲଙ୍କା, ଦୁବାଇ ସମେତ ଭାରତର ବିଭିନ୍ନ ରାଜ୍ୟ ତଥା ସମଗ୍ର ଓଡ଼ିଶାରୁ ଦୁଇ ହଜାରରୁ ଅଧିକ ସାମ୍ବାଦିକ ଯୋଗଦେବେ। ଏନେଇ ଜର୍ଣ୍ଣାଲିଷ୍ଟ ଡେଭଲପମେଣ୍ଟ କାଉନସିଲ ଅଫ୍ ଇଣ୍ଡିଆ ତରଫରୁ ସୂଚନା ଦିଆଯାଇଛି। ତିନିଦିନିଆ କାର୍ଯ୍ୟକ୍ରମରେ ସାମ୍ବାଦିକତାର ପରିପୃଷ୍ଠତା ତଥା ସାମ୍ବାଦିକ ସମୂହଙ୍କ କଲ୍ୟାଣ, ଅର୍ଥନୈତିକ ଓ ସାମାଜିକ ସୁରକ୍ଷା ଉଦ୍ଦେଶ୍ୟରେ ସେମିନାର ଆୟୋଜନ ହେବ। ଏଥିରେ ଦେଶର ପ୍ରତିଷ୍ଠିତ ସାମ୍ବାଦିକ ମାନଙ୍କ ସମେତ ବିଭିନ୍ନ ସାମ୍ବାଦିକ ସଂଗଠନର ପ୍ରତିନିଧି ବିଚାରବିମର୍ଷ କରିବେ। ଏହି ଅବସରରେ ସାମ୍ବାଦିକତାର ପ୍ରତୀକ ଭାବେ ଏକ ‘ଲୋଗୋ’ ଉନ୍ମୋଚିତ ହୋଇଛି।
ଇଣ୍ଡିଆନ ଜର୍ଣ୍ଣାଲିଷ୍ଟ କଂଗ୍ରେସର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ଜାନୁଆରୀ ପ୍ରଥମ ସପ୍ତାହରେ ଏକ ସୁଦୃଶ୍ୟ ମାସ୍କଟର ଉନ୍ମୋଚନ କରାଯିବ। ଆୟୋଜିତ ସାମ୍ବାଦିତ ସମ୍ମିଳନୀରେ ଜେଡ଼ିସିଆଇର ଅଧ୍ଯକ୍ଷ କିଶୋର ଦ୍ବିବେଦୀ, ସଭାପତି ଗୋପାଳକୃଷ୍ଣ ମହାପାତ୍ର, ସହ-ଅଧ୍ଯକ୍ଷ ବିଭୂତି ଭୂଷଣ କର, ମହାସଚିବ ସନତ ମିଶ୍ର, ଯୁଗ୍ମ ସଚିବ ପବିତ୍ର ମହାରଥା, ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ତଥା ଅନୁଷ୍ଠାନର ଉପଦେଷ୍ଟା ପ୍ରଦୋଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ରାଉରକେଲାରେ ସିଆଇଏସଏଫ ଯବାନଙ୍କ ଆତ୍ମହତ୍ୟା
ରାଉରକେଲା: ସିଆଇଏସଏଫ ଯବାନଙ୍କ ଆତ୍ମହତ୍ୟା। ରାଉରକେଲା ସିଆଇଏସଏଫ କ୍ୟାମ୍ପସ ପରିସରରେ ଏକ ଗଛରୁ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଜାମ୍ମୁ କାଶ୍ମୀର କାଠୁଆ ଅଞ୍ଚଳର ୩୧ ବର୍ଷୀୟ ସାହିଲ କୁମାର।
ତେବେ ଆସନ୍ତା ଫେବ୍ରୁଆରୀ ୨ ତାରିଖରେ ସାହିଲଙ୍କ ବିବାହ ତାରିଖ ଠିକ୍ ହୋଇଥିଲା। କିଛିଦିନ ତଳେ ସେ ନିର୍ବନ୍ଧ ସାରି ପୁଣି ରାଉରକେଲା ଫେରି କାର୍ଯ୍ୟରେ ଯୋଗଦେଇଥିଲେ। ଆଜି ସକାଳୁ ଗଛରେ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦିଆଯାଇଥିଲା। ପ୍ଲାଣ୍ଟ ସାଇଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଯବାନ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କଲେ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।


