spot_img
Home Blog Page 2672

କ୍ବାଟର୍ସ ଛାଡ଼ିବାକୁ ରାଘବଙ୍କୁ ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କ୍ବାଟର୍ସ ଛାଡିବାକୁ ସାଂସଦ ରାଘବ ଚଢାଙ୍କୁ ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ । ଟାଇପ-୭ ବଙ୍ଗଳାକୁ ନେଇ ରାଜ୍ଯସଭା ସଚିବାଳୟ ଓ ରାଘବଙ୍କୁ ନେଇ ଚାଲିଥିବା ବିବାଦର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେପଟେ ତାଙ୍କ ବିରୋଧରେ ଜାଣିଶୁଣି ସରକାର ଏପରି ପରିସ୍ଥିତି ସୃଷ୍ଟି କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାଘବ । ରାଘବଙ୍କୁ ଦିଲ୍ଲୀର ପାଣ୍ଡରା ରୋଡରେ ଯେଉଁ ଟାଇପ-୭ ବଙ୍ଗଳା ଦିଆଯାଇଥିଲା ତାହାକୁ ଗତ ମାର୍ଚ୍ଚରେ ରଦ୍ଦ କରିଥିଲା ରାଜ୍ୟସଭା ସଚିବାଳୟ । ପ୍ରଥମ ଥରର ସାଂସଦମାନଙ୍କୁ ଯେଉଁ ଘର ଦିଆଯାଇଥାଏ ତାହାଠାରୁ ଅଧିକ ମାନର ଟାଇପ-୭ ଘର ଦିଆଯାଇଥିଲା ବୋଲି ସଚିବାଳୟ ପକ୍ଷରୁ କୁହାଯାଇଥିଲା ।

ଏହା ସହ ତାଙ୍କୁ ଆଉ ଏକ କ୍ବାର୍ଟର୍ସ ଦିଆଗଲା ବୋଲି ସଚିବାଳୟ କହିଥିଲା । ଏହି ନିଷ୍ପତ୍ତି ବିରୋଧରେ ରାଘବ ପାଟିଆଲା ହାଉସ କୋର୍ଟଙ୍କ ଦ୍ବାରସ୍ଥ ହୋଇ ଏହା ଉପରେ ଗତ ଏପ୍ରିଲରେ ସ୍ଥଗିତାଦେଶ ପାଇଥିଲେ । ପରେ ଏହି ସ୍ଥଗିତାଦେଶ ବିରୋଧରେ ସଚିବାଳୟ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ଗତ ଜୁଲାଇ ୨୦୨୨ରେ ରାଘବଙ୍କୁ ଏକ ଟାଇପ-୬ କ୍ବାର୍ଟର୍ସ ଦିଆଯାଇଥିଲା । ତେବେ ତାଙ୍କୁ ଏକ ଟାଇପ-୭ ଘର ଦେବା ଲାଗି ସେ ରାଜ୍ୟସଭା ଅଧ୍ୟକ୍ଷକୁ ଅନୁରୋଧ କରିବା ପରେ ତାଙ୍କୁ ପାଣ୍ଡରା ରୋଡରେ ଏକ ଟାଇପ 7 ଘର ଦିଆଯାଇଥିଲା । ରାଜ୍ୟସଭା ସଦସ୍ୟଙ୍କ ହ୍ୟାଣ୍ଡବୁକ ଅନୁସାରେ ପ୍ରଥମ ଥର ଲାଗି ହୋଇଥିବା ସାଂସଦଙ୍କୁ ଟାଇପ-୫ ବଙ୍ଗଳା ଦିଆଯିବ ।

ପୂର୍ବତନ କ୍ଯାବିନେଟ ମନ୍ତ୍ରୀ,  ପୂର୍ବତନ ଗଭର୍ଣ୍ଣର, ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ଲୋକସଭା ବାଚସ୍ପତି ଥିବା ସାଂସଦମାନଙ୍କୁ ହିଁ ଟାଇପ-୭ ବଙ୍ଗଳା ମିଳିବ । କ୍ବାର୍ଟର୍ସ ରଦ୍ଦ ଲାଗି କରାଯାଇଥିବା ଯୋଜନାକୁ ରାଘବ ସମାଲୋଚନା କରିବା ସହ ତାଙ୍କୁ କୌଣସି ନୋଟିସ ଦିଆ ନଯାଇ ଏହି ପ୍ରକ୍ରିୟା କରାଯାଇଛି ବୋଲି ସେ କହିଛନ୍ତି । ରାଜ୍ୟସଭାର ୭୦ ବର୍ଷର ଇତିହାସରେ ଏପରି ଘଟି ନଥିଲା ଏବଂ ଜଣେ ସାଂସଦଙ୍କ ପ୍ରତି ଏପରି ଆଚରଣ କରାଯିବାର ନମୁନା ନାହିଁ ବୋଲି ସେ କହିଛନ୍ତି । ଏହାକୁ ନେଇ ସେ ବିଜେପି ଉପରେ ବର୍ଷିଛନ୍ତି ।

କେନ୍ଦ୍ର ବିରୋଧରେ ପାଚିକାଙ୍କ ଗର୍ଜନ

ଭୁବନେଶ୍ବର: ୧୦ ଦଫା ଦାବି ରେ କେନ୍ଦ୍ର ସରକାର ବିରୋଧରେ ଗର୍ଜିଲେ ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ।ବିଜୁ ଶ୍ରମିକ ସମ୍ମୁଖ୍ୟ ସହ ଅନୁବନ୍ଧିତ ଏହି ମହାସଂଘର ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁ  ନେତୃତ୍ୱରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରୁ ଏକ ବିଶାଳ ଶୋଭାଯାତ୍ରା ରେ ଆସି ଲୋୟାର ପିଏମଜି ରେ ହଜାର ହଜାର ପାଚକ ପାଚିକା ଆନ୍ଦୋଳନ କରିଥିଲେ । ପୂର୍ବରୁ ସଙ୍ଘର ଦାବିକୁ ବିଜୁ ଶ୍ରମିକ ସଂଗଠନର ସାଧାରଣ ସମ୍ପାଦକ ସୁବାସ ସିଂହଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପରେ ଏହି ଦାବି ଯଥାର୍ଥ ହୃଦୟଙ୍ଗମ କରି ରାଜ୍ୟ ସରକାର ପାଚକ ପାଚିକାଙ୍କ ପରିଶ୍ରମିକଙ୍କୁ ୧ ହଜାର ଟଙ୍କାରୁ ଦୁଇ ହଜାର ଟଙ୍କା ବୃଦ୍ଧି କରିଥିଲେ.ଏହା ସହିତ ପାଚକ ପାଚିକାଙ୍କୁ ଶାଢ଼ୀ ପାଈଁ ଅର୍ଥ ବ୍ୟବସ୍ଥା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛି ସଙ୍ଘ ।

କିନ୍ତୁ କେନ୍ଦ୍ର ସରକାରଙ୍କ ଠାରୁ ଗତ ୨୦୧୮ମସିହା ଠାରୁ ପ୍ରତ୍ୟେକ ପାଚକ ପାଚିକାଙ୍କ ମାସିକ ୬ଶହ ଟଙ୍କା ହିସାବରେ ବକେୟା ୬୦ ମାସର ଅର୍ଥ ଏଯାବତ ପାଇ ନାହାନ୍ତି.ଏ ନେଇ ମହାସଂଘ କେନ୍ଦ୍ର ସରକାର ପାଚକ ପାଚିକା ମାନଙ୍କୁ ବକେୟା ଅର୍ଥ ପ୍ରଦାନ, ପାଚକ ପାଚିକା ଙ୍କୁ ନିଯୁକ୍ତି ପତ୍ର ଓ ସରକାରୀ ମାନ୍ୟତା, ମାସିକ ଦରମା ୧୦ ହଜାର, ସମସ୍ତଙ୍କୁ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ, ୬୦ ବର୍ଷ ପରେ ପେନସନ ଲାଗୁ କରିବା ସହ ଚିକିତ୍ସା ଭଟ୍ଟା ସହ ବୀମା ସୁବିଧା ଆଦି ଦାବି କରି ଏହି ଆନ୍ଦୋଳନ କରିଛି ମହାସଂଘ । ତେବେ ତୁରନ୍ତ କେନ୍ଦ୍ର ସରକାର ବକେୟା ଅର୍ଥ ପ୍ରଦାନ ଶହ ଅନ୍ୟାନ୍ୟ ଦାବି ପୂରଣ ନ କଲେ ଆଗାମୀ ଦିନରେ ଲକ୍ଷାଧିକ ପାଚକ ପାଚିକା କେନ୍ଦ୍ର ସରକାର ବିରୋଧରେ ସ୍ୱର ଉଠାଇ ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ ଦେଇଛି ସଙ୍ଘ ।

ଜାଣନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭାରତର ପ୍ଲେଇଙ୍ଗ ୧୧ରେ କାହାକୁ ମିଳିବ ସ୍ଥାନ?

ନୂଆଦିଲ୍ଲୀ: ସୁପର ସଣ୍ଡେରେ ସୁପର ମ୍ୟାଚ୍ । ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ଚେନ୍ନାଇରେ ଏହି ହାଇଭୋଲଟେଜ ମ୍ୟାଚ ଅନୁଷ୍ଠିତ ହେବାକୁ ଥିବାବେଳେ ଦୁଇ ଶକ୍ତିଶାଳୀ ଦେଶ ମଧ୍ୟରୁ କାହାର ପଲ୍ଲା ଭାରି ରହିବ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଭାରତୀୟ ଦଳର ସମସ୍ତ ଖେଳାଳି ଏବେ ଦମଦାର ଫର୍ମରେ ରହିଥିବାବେଳେ କାହାକୁ ସ୍ଥାନ ମିଳିବ ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଉଠିଛି । ୩ଜଣ ସ୍ପିନରଙ୍କୁ ଦଳରେ ସୁଯୋଗ ମିଳିପାରେ । ଓପନର ଶୁଭମନ ଗିଲ ଡେଙ୍ଗୁ ଚିହ୍ନଟ ହେବା ପରେ ଦଳର ଚିନ୍ତା ବଢ଼ିଯାଇଛି । ତେବେ ମହମ୍ମଦ ସାମି ଏବଂ ସୂର୍ଯ୍ୟ କୁମାର ଯାଦବଙ୍କ ଦଳରେ ସ୍ଥାନ ମିଳିବାର ଆଶା ବହୁତ କମ ରହିଥିବା କୁହାଯାଉଛି ।

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳର ପ୍ଲେଇଙ୍ଗ ୧୧ କଥା କହିବା ତାହେଲେ ରୋହିତ ଶର୍ମା ଏବଂ ଇଶାନ କିଶନ ଓପନର୍ ଭାବରେ ଖେଳିପାରିବେ। 3 ନମ୍ବର ସ୍ଥାନରେ ବିରାଟ କୋହଲିଙ୍କ ସ୍ଥାନ ନିଶ୍ଚିତ ହୋଇଛି। ଶ୍ରେୟସ୍ ଆୟର ନମ୍ବର -4 ରେ ଏବଂ କେ.ଏଲ୍ ରାହୁଲ -5 ରେ ଖେଳିବା ନିଶ୍ଚିତ | ଆଘାତ ପରେ ଫେରୁଥିବାବେଳେ ଉଭୟ ରାହୁଲ ଏବଂ ଆୟର ବ୍ୟାଟିଂ ଶତକ ହାସଲ କରିଛନ୍ତି।

ସେପଟେ ୩ଜଣ ସ୍ପିନରଙ୍କୁ କଙ୍ଗାରୁ ବିପକ୍ଷ ମ୍ୟାଚରେ ସୁଯୋଗ ଦିଆ ଯାଇପାରେ । ଏଭଳି ପରିସ୍ଥିତିରେ ଦ୍ରୁତ ବୋଲର ମହମ୍ମଦ ଶାମି ଏବଂ ଶାର୍ଦ୍ଦୁଲ ଠାକୁରଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ସୁଯୋଗ ମିଳିବ ନାହିଁ। ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ଲେଇଙ୍ଗ ୧୧ରୁ ବାଦ ପଡ଼ି ପାରନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା ଏବଂ ଆର ଅଶ୍ୱିନ ଅଲରାଉଣ୍ଡର ଭାବରେ ଖେଳି ପାରନ୍ତି । ବାମହାତୀ ସ୍ପିନର କୁଲଦୀପ ଯାଦବଙ୍କ ବ୍ୟତୀତ ଜସପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ ଦ୍ରୁତ ବୋଲର ଭାବରେ ଖେଳିବେ ବୋଲି ନିଶ୍ଚିତ ହୋଇଛି।

ସମ୍ଭାବ୍ୟ ଭାରତୀୟ ଦଳ
ରୋହିତ ଶର୍ମା, ଇଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, କୁଲଦୀପ ଯାଦବ, ଜସପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ।

କାନାଡା ବ୍ରିଟିଶ କଲମ୍ବିଆ ଚିଲିଓ୍ବାକରେ ବିମାନ ଦୁର୍ଘଟଣା, ଦୁଇ ଭାରତୀୟ ଟ୍ରେନି ପାଇଲଟଙ୍କ ସମେତ ୩ ମୃତ

ନନ୍ଦିଘୋଷ ବ୍ୟୁରୋ: କାନାଡା ବ୍ରିଟିଶ କଲମ୍ବିଆରେ ବିମାନ ଦୁର୍ଘଟଣା । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ଦୁଇଜଣ ଭାରତୀୟ ଟ୍ରେନି ପାଇଲଟ ଥିବା ସୂଚନା ମିଳିଛି । ଏହି ଦୁଇ ଭାରତୀୟ ହେଲେ ଅଭୟ ଗାଦ୍ରୁ ଓ ୟାଶ ବିଜୟ ରାମୁଗାଦେ । ସେମାନେ ମୁମ୍ବାଇର ବୋଲି ଜଣାପଡିଛି । ବ୍ରିଟିଶ କଲମ୍ବିଆର ଚିଲିଓ୍ବାକରେ ଘଟିଛି ଦୁର୍ଘଟଣା । ପାଇପର ପିଏ-୩୪ ସେନେକା ଟୁଇନ ଇଞ୍ଜିନ ହାଲୁକା ବିମାନର ଉଡାଣ ବେଳେ ଦୁର୍ଘଟଣା ଘଟିଥିଲା ।

ଏକ ବିମାନ ବନ୍ଦର ନିକଟରେ ଏହି ଦୁର୍ଘଟଣା ଘଟିଛି । ଭାଙ୍କୋଭରଠାରୁ ୧୦୦ କିଲୋମିଟର ଦୂର ଚିଲିଓ୍ବାକରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ଟ୍ରାନ୍ସପୋର୍ଟେସନ ସେଫଟି ବୋର୍ଡ ଅଫ କାନାଡା ପକ୍ଷରୁ ସେଠାକୁ ତଦନ୍ତକାରୀ ଟିମ ପଠାଯାଇଛି । ଦୁର୍ଘଟଣାସ୍ଥଳ ନିକଟରେ ଥିବା ହେଲି ମୋରିସ ନାମକ ବ୍ୟକ୍ତି ଏହି ଦୁର୍ଘଟଣାର ବାସ୍ତବ ଚିତ୍ର ଦେଖିବାକୁ ପାଇଥିଲେ । ଏଥିରେ ଥିବା ସମସ୍ତ ୩ ଜଣଙ୍କ ମୃତ୍ୟୁ ଘଟିଛି ବୋଲି କହିଛି ରୟାଲ କାନାଡିଆନ ମାଉଣ୍ଟେଡ ପୋଲିସ ।

ଦୁଇ ଦିନ ମଧ୍ୟରେ ଓଡ଼ିଶାରୁ ଫେରିଯିବ ମୌସୁମୀ

ଭୁବନେଶ୍ବର: ୮ ଦିନ ବିଳମ୍ବରେ ଆସିଲା, ୫ ଦିନ ପୂର୍ବରୁ ଫେରିଯିବ ମୌସୁମୀ । ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ପାଗ ଅନୁକୂଳ ରହିଛି । ଆସନ୍ତା ଦୁଇ ଦିନ ମଧ୍ୟରେ ଓଡ଼ିଶାରୁ ଫେରିଯିବ ମୌସୁମୀ । ଉତ୍ତର ପଶ୍ଚିମ ଦିଗରୁ ବହୁଛି ଶୁଷ୍କ ବାୟୁ । ବାୟୁମଣ୍ଡଳରୁ କମୁଛି ଜଳୀୟବାଷ୍ପର ପରିମାଣ । ଏହାସହ ଉତ୍ତର ପଶ୍ଚିମ ଭାରତରେ ସକ୍ରିୟ ରହିଛି ଗୁରୁଚାପ ବଳୟ । ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜସ୍ଥାନ, ଗୁଜୁରାଟ, ହରିଆନା, ପଞ୍ଜାବ ସମେତ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଜାମ୍ମୁ-କାଶ୍ମୀରର କେତେକ ଅଞ୍ଚଳରୁ ସମ୍ପୂର୍ଣ୍ଣ ରୂପରେ ଅପସାରଣ ହୋଇଛି ।

ସନ୍ଦେହ ଘେରରେ ଉଲୁଣ୍ଡା ଥାନା ଏଏସଆଇ ସ୍ମିତାରାଣୀ

ସୋନପୁର: ସନ୍ଦେହ ଘେରରେ ଉଲୁଣ୍ଡା ଥାନା ଏଏସଆଇ ସ୍ମିତାରାଣୀ ଦାସ । କିଛିଦିନ ତଳେ ତାଙ୍କ ସ୍କୁଟିରୁ ଜବତ ହୋଇଥିଲା ଗଞ୍ଜେଇ । ଅବଶ୍ୟ ସେ ସମୟରେ ସ୍ମିତାରାଣୀ ନିଜେ ସେହି ସ୍କୁଟିକୁ ଚଲାଉନଥିଲେ । ଅନ୍ୟଜଣେ ତାଙ୍କ ସ୍କୁଟିରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରାପଡି ଗିରଫ ହୋଇଛନ୍ତି । ଗାଡିର ମାଲିକ କିଏ ବୋଲି ଖୋଳତାଡ କରିବାରୁ ଜଣାପଡ଼ିଲା ଯେ, OD 17X 9771 ନମ୍ବର ବିଶିଷ୍ଟ ଏହି ଗାଡିଟି ଉଲୁଣ୍ଡା ଏଏସଆଇ ସ୍ମିତାରାଣୀ ଦାସଙ୍କର ।

ତେଣୁ ଗଞ୍ଜେଇ ଚାଲାଣକାରୀ ଓ ଏଏସଆଇ ସ୍ମିତାରାଣୀଙ୍କ ମଧ୍ୟରେ କି ସମ୍ପର୍କ ରହିଛି ତାର ତଦନ୍ତ କରୁଛି ପୋଲିସ । ଏହାରି ଭିତରେ ଗଞ୍ଜେଇ ଚାଲାଣକାରୀ ଲିଙ୍କରେ ଆଉ ଜଣେ ମଧ୍ୟ ଗରିଫ ହୋଇଛି । ନିଜ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିବା ପରେ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଛନ୍ତି ଏଏସଆଇ ସ୍କିତାରାଣୀ । ଅନ୍ୟପଟେ ଏଏସଆଇଙ୍କ ଗାଡିରେ ଗଞ୍ଜେଇ ଚାଲାଣ କଥାକୁ ସ୍ବୀକାର କରିଛି ଗିରଫ ଅଭିଯୁକ୍ତ ସଂଗ୍ରାମ । ନନ୍ଦିଘୋଷ ଟିଭି ହାତରେ ଲାଗିଛି ଗଞ୍ଜେଇ ଚାଲାଣର ଭିଡିଓ । ଏହି ଘଟଣାରେ ପୋଲିସ ଛାନବିନ୍ ଜାରି ରଖିଛି ।

ଛାତ୍ରଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁର ଆଇଜର୍‌ ହଷ୍ଟେଲ ପରିସରରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବ୍ରହ୍ମପୁର ସହର ଉପକଣ୍ଠ ଲାଉଡ଼ିଗାଁ ସ୍ଥିତ ଆଇଜର କ୍ୟାମ୍ପସ ହଷ୍ଟେଲ ପରିସରରୁ ଜଣେ ପ୍ରଥମ ବର୍ଷ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ବାଲେଶ୍ଵର ଜିଲ୍ଲା ଡୁମାଡ଼ିହି ଗାଁର ସତ୍ୟ ମକର ମୁର୍ମୁ । ସେ ଚଳିତ ବର୍ଷ ଆଇଜରରେ ଆଡ଼ମିଶନ ନେଇଥିବା ବେଳେ ଗତ ୨୫ ଦିନ ହେଲା କ୍ୟାମ୍ପସକୁ ଆସିଥିଲେ। ଗତକାଲି ମଧ୍ୟାହ୍ନରେ କ୍ୟାମ୍ପସର ସଫେଇ କର୍ମଚାରୀ ଛାତ୍ରାବାସରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଦେଖିବାକୁ ପାଇଥିଲେ। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜକୁ ଚିକିତ୍ସା ପାଇଁ ନିଆଯାଇଥିଲା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏକ ମାମଲା ରୁଜୁ ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତେବେ ସତ୍ୟ କାହିଁକି ଆତ୍ମହତ୍ୟା କଲେ ତାହା ଜଣାପଡିନାହିଁ । ପୋଲିସ ପୁରା ଘଟଣାର ତଦନ୍ତ କରୁଛି ।

ଭୁବନେଶ୍ବର ରେଲୱେ ବସ୍ତିରେ ପୋଲିସର ଚଢ଼ାଉ

ଭୁବନେଶ୍ବର: ଭୁବନେଶ୍ବର ବଡଗଡ଼ ଥାନା ପୋଟଳ ବସ୍ତି ଜଗା ଦାଶ ହତ୍ୟା ମାମଲା। ରେଲୱେ ବସ୍ତିରେ ପୋଲିସର ଚଢ଼ାଉ । ଘର ବାହାରେ ପୋଲିସ, ଘର ଭିତରେ ହତ୍ୟା ଅଭିଯୁକ୍ତ । ରାତି ତମାମ ବସ୍ତିରେ ଚାଲିଲା ହାଇଡ୍ରାମା। ଅଭିଯୁକ୍ତକୁ ଧରିବା ପାଇଁ ଆସିଥିବା ବେଳେ ପୋଲିସକୁ ଘେରିଲେ ବସ୍ତି ବାସିନ୍ଦା । ଏଭଳି କିଛି ଘଟଣା ଘଟିଛି ବଡ଼ଗଡ଼ ଥାନା ଗୌତମ ନଗର ରେଲୱେ ବସ୍ତିରେ । ୬ ବର୍ଷ ତଳର ଜଗା ଦାଶ ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଅଭିଯୁକ୍ତ ରାମଚନ୍ଦ୍ର ଗୁରୁକୁ ଧରିବା ପାଇଁ ଯିବା ସମୟରେ ପୋଲିସକୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି । ପୋଲିସ ଓ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରାୟ ଭୋର ପର୍ଯ୍ୟନ୍ତ ଚାଲିଥିଲା ଡ୍ରାମା । ବଡଗଡ଼ ଥାନା ଏସଆଇ ସୁବ୍ରତ ଦାଶଙ୍କ ନେତୃତ୍ୱରେ ଏକ ଟିମ ଯାଇଥିଲା । ସେପଟ ପରିବାର ଲୋକ ଜାମିନ ହୋଇଥିବା କହି ପୋଲିସକୁ ଅଟକାଇ ଥିଲେ । ହେଲେ ପପୋଲିସ ଜାମିନ ପେପର ମାଗିବା ପରେ ପରିବାର ଲୋକ ଦେଖାଇ ନଥିଲେ । ହତ୍ୟା ମାମଲାରେ ରାମଚନ୍ଦ୍ରଙ୍କୁ ସଂପୃକ୍ତି ଥିବା ପୋଲିସ କହୁଥିବା ବେଳେ, ପରିବାର ଲୋକ ଏହାକୁ ଖଣ୍ଡନ କରିଛନ୍ତି ।

ଏସିଆନ ଗେମ୍ସ : ପଦକରେ ସେଞ୍ଚୁରୀ ମାରିଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ଇତିହାସ ରଚିଲା ଭାରତ। ଏସିଆନ ଗେମସ୍‌ରେ ଭାରତର ଦମଦାର୍ ପ୍ରଦର୍ଶନ। ପଦକରେ ସେଞ୍ଚୁରୀ ମାରିଲା ଭାରତ। କବାଡିରେ ସ୍ୱର୍ଣ୍ଣ ସହ ଭାରତର ମେଡାଲ୍ ସଂଖ୍ୟା ୧୦୦ ଛୁଇଁଛି। ଚାଇନିଜ୍‌ ତାଇପେଇ ଟିମକୁ ହରାଇ ମହିଳା ଭାରତୀୟ କବାଡି ଦଳ ଶତକୀୟ ପଦକ ଭେଟି ଦେଇଛନ୍ତି। ସେହିପରି ଉଭୟ ପୁରୁଷ ମହିଳା ତୀରନ୍ଦାଜୀରେ ଭାରତକୁ ଦୁଇଟି ସ୍ୱର୍ଣ୍ଣ ସହ ଗୋଟିଏ ରୌପ୍ୟ ମିଳିଛି। ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ଜ୍ୟୋତି ସୁରେଖା ସ୍ୱର୍ଣ୍ଣ ଜିତିଥିବା ବେଳେ ପୁରୁଷ କମ୍ପାଉଣ୍ଡ୍ ଇଭେଣ୍ଟରେ ଓଜାସ ସ୍ୱର୍ଣ୍ଣ ଏବଂ ଅଭିଷେକ ରୌପ୍ୟ ପଦକ ଜିତିଛନ୍ତି। ଏସିଆନ ଗେମ୍ସରେ ଆଜି ମେଡାଲ ପାଇଁ ଟକ୍କରର ଶେଷ ଦିନ ।

ଚାମ୍ପିଆନସିପର ୧୪ ଦିନରେ ଭାରତ ଏକାଧିକ ସ୍ବର୍ଣ୍ଣ ପଦକ ପାଇଁ ସଂଘର୍ଷ କରିବ । କିଛି ସମୟ ପରେ ପୁରୁଷ କ୍ରିକେଟରେ ଗୋଲ୍ଡ ମେଡାଲ ପାଇଁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଟକ୍କର ହେବ । ରବିବାର ଏସିଆନ ଗେମ୍ସର ଶେଷ ଦିନ ହୋଇଥିବା ବେଳେ ଶନିବାର ମେଡାଲ ପାଇଁ ଟକ୍କରର ଶେଷ ଦିନ । ଭାରତ ଏଯାବତ ୨୫ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ୩୫ଟି ରୌପ୍ୟ ଏବଂ ୪୦ଟି ବ୍ରୋଂଚ ପଦକ ଜିତି ସାରିଛି । ସେପଟେ କ୍ରିକେଟରେ ପୁରୁଷ ଦଳ ବାଂଲାଦେଶକୁ ହରାଇ ଫାଇନାଲରେ ପ୍ରବେଶ କରିଥିବା ପଦକ ଜିତିବା ଏକପ୍ରକାର ସ୍ପଷ୍ଠ ହୋଇସାରିଛି । ଭାରତ ୧୦୦ ପଦକ ପାଇଥିବାବେଳେ ପଦକ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ।

ବିଶ୍ବକପରେ ଆଜି ଦୁଇଟି ମ୍ୟାଚ୍

ନୂଆଦିଲ୍ଲୀ: ଚାଲିଛି ବିଶ୍ବକପ ବିଶ୍ବଯୁଦ୍ଧ । ମହାସମରରେ ଶନିବାର ଖେଳାଯିବ ଦୁଇଟି ମ୍ୟାଚ୍ । ପ୍ରଥମ ମ୍ୟାଚରେ ବାଂଲାଦେଶ ଆଫଗାନିସ୍ତାନକୁ ଭେଟିବାକୁ ଥିବାବେଳେ ଦ୍ବିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଶ୍ରୀଲଙ୍କା । ଦୁଇଟିଯାକ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା ରଖାଯାଉଛି । ବାଂଲାଦେଶ ଯେଭଳି ଫର୍ମରେ ରହିଛି ଆଫଗାନିସ୍ତାନ ମଧ୍ୟ ସମାନ ଫର୍ମରେ ରହିଛି । ପୂର୍ବରୁ ଏହି ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଗୁଡ଼ିକ ଧମାକାଦାର ହୋଇଛି । ଉଭୟ ବିଜୟ ପାଇଁ କଡ଼ା ଟକ୍କର ଦେଇଥିବା ଦେଖିବାକୁ ମିଳିଥାଏ । ଅନ୍ୟପଟେ ଶ୍ରୀଲଙ୍କାକୁ ଭେଟିବ ଦକ୍ଷିଣଆାଫ୍ରିକା ।

କିଛି ପ୍ରମୁଖ ଖେଳାଳିଙ୍କ ବିନା ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ବିଶ୍ବକପ୍‌ରେ ଶନିବାର ଅଭିଯାନ ଆରମ୍ଭ କର‌ିବେ। ଗତ କିଛି ଦିନ ଧରି ଦୁଇ ଦଳ ଆଘାତ ଜନିଜ ସମସ୍ୟା ଦେଇ ଗତି କରୁଛନ୍ତି। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଅନରିକ୍‌ ନର୍ଖିୟା ଓ ସିସାନ୍ଦା ମଗଲା ଏହି ବିଶ୍ବକପ୍‌ରେ ଖେଳୁନାହାନ୍ତି। ଏମାନଙ୍କ ଅନୁପସ୍ଥିତିରେ କାଗି ସୋ ରବାଦା ଓ ଯୁବ ଖେଳାଳି ଗେରାଲ୍ଡ କୋଏତଜିଙ୍କୁ ନେଇ ଦକ୍ଷିଣ ଆଫ୍ରିକା ଅଭିଯାନ ଆରମ୍ଭ କରିବ। ସ୍ପିନର କେଶବ ମହାରାଜ ଓ ତାବ୍ରାଇଜ୍‌ ସାମ୍‌ସି ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲା ବେଳେ ଭାରତୀୟ ସ୍ଥିତି ଆହୁରି ଉନ୍ନତ ଖେଳ ଦେଖାଇବାକୁ ଦାୟିତ୍ବ ରହିବ। ଡେଭିଡ୍‌ ମିଲର ଓ ଅଧିନାୟକ ତେମ୍ବା ବଭୁମା ଏବେ ଭଲ ଲୟରେ ଅଛନ୍ତି।

ବିଶ୍ବକପ୍‌ରେ ଯଦିଓ ଦୁଇ ଦଳ ପ୍ରତିଦ୍ବନ୍ଦ୍ବିତାମୂଳକ କ୍ରିକେଟ୍‌ ଖେଳୁଛନ୍ତି, କିନ୍ତୁ ଅଭିଜ୍ଞତା ଦୃଷ୍ଟିରୁ ବାଂଲାଦେଶ ଆଗରେ ରହିବ। ହେଲେ ଗତ କିଛି ବର୍ଷ ଧରି ଆଫଗାନିସ୍ତାନ ମଧ୍ୟ ବଡ଼ ବଡ଼ ଦଳମାନଙ୍କୁ ଟକ୍କର ଦେଉଥିବାରୁ ମ୍ୟାଚ୍‌ରେ ରୋମାଞ୍ଚ ଦେଖିବାକୁ ମିଳିବ। ବାଂଲାଦେଶ ଦଳରୁ ତମିମ ଇକବାଲ୍‌ଙ୍କୁ ବାଦ୍‌ ଦିଆଯିବା ପରଠୁ ସମସ୍ତଙ୍କ ନଜର ଶେଷ ବିଶ୍ବକପ୍‌ ଖେଳୁଥିବା ସାକିବ୍‌ ଅଲ୍‌ ହାସନଙ୍କ ଉପରେ ରହିବ। ସାକିବ୍‌ଙ୍କ ବ୍ୟତୀତ ଦ୍ରୁତ ବୋଲର ମୁସ୍ତାଫିଜୁର ‌ରେହମାନ୍‌, ୱିକେଟକିପର ମୁସ୍ତାଫିକର ରହିମ, ଲିଟନ୍‌ ଦାସ, ମହମୁଦୁଲ୍ଲାଙ୍କ ପାଖରେ ଅଭିଜ୍ଞତା ରହିଥିବା ବେଳେ ନଜମୁଲ ସାଣ୍ଟୋ ବାଂଲାଦେଶର ସର୍ବାଧିକ ରନ୍‌ ସଂଗ୍ରହକାରୀ (୬୯୮) ଭାବେ ଲୟରେ ଅଛନ୍ତି। ତମିମଙ୍କ ବଦଳରେ ଲିଟନ୍‌ଙ୍କୁ ପାଳି ଆରମ୍ଭ କରିବାକୁ ଦାୟିତ୍ବ ମିଳିପାରେ।