spot_img
Home Blog Page 2677

ଏଣିକି ହସ୍ପିଟାଲ ଆଇସିୟୁରେ ବାଜିବ ଭଜନ

କଟକ: ଏଣିକି ହସ୍ପିଟାଲ ଆଇସିୟୁରେ ବାଜିବ ଭଜନ। ଏହାସହ ବାଜିବ ମଧୂର ଯନ୍ତ୍ର ସଙ୍ଗୀତ। ଏଭଳି ନିଷ୍ପତ୍ତି ନେଇଛନ୍ତି କଟକ ଏସସିବି ମେଡିକାଲ କର୍ତ୍ତୃପକ୍ଷ। ଏହାଦ୍ବାରା ଉଭୟ ରୋଗୀ ଓ କର୍ମଚାରୀଙ୍କ ମଧ୍ୟରେ ଏକ ସକାରାତ୍ମକ ଭାବନା ସୃଷ୍ଟି ହେବା ସହ ICU ଭିତରେ ଆଧ୍ୟାତ୍ମିକ ପରିବେଶ ବି ସୃଷ୍ଟି ହେବ । ଆସନ୍ତା ସପ୍ତାହେ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ମେଡିକାଲ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଥିବା ବେଳେ ଆଗକୁ ସବୁ ବିଭାଗରେ ଏଭଳି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ।

ଯେଉଁମାନେ ମସ୍ତିଷ୍କ ଆଘାତପ୍ରାପ୍ତ କିମ୍ବା ରୋଗ ଆକ୍ରାନ୍ତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥାନ୍ତି ସେମାନଙ୍କର ମସ୍ତିଷ୍କକୁ ଉଜ୍ଜିବୀତ କରିବାକୁ ହେଲେ ଷ୍ଟିମୁଲେଟ କରିବାକୁ ପଡ଼େ । କାନ ଭିତର ଦେଇ ଯେତେବେଳେ ମ୍ୟୁଜିକ ମସ୍ତିଷ୍କକୁ ଯାଇଥାଏ, ସେଠାରେ ସମ୍ବେଦନ ସୃଷ୍ଟି ହୋଇଥାଏ । ଆଉ ଏହି ସମ୍ବେଦନର ପ୍ରଭାବ ସମ୍ପୂର୍ଣ୍ଣ ଶରୀର ଉପରେ ପଡେ ।

ହାଲକା ସାଉଣ୍ଡରେ ମ୍ୟୁଜିକ ସିଷ୍ଟମ ବାଜିବା ଦ୍ବାରା ICU ରେ ରୋଗୀଙ୍କ ସହ ଏଠାରେ କାମ କରୁଥିବା ଡାକ୍ତର, କର୍ମଚାରୀଙ୍କୁ ମଧ୍ୟ ଚାପ କମ କରିବାରେ ସହାୟକ ହେବ ବୋଲି କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ବର୍ତ୍ତମାନ ଏସସିବିରେ ମେଡ଼ିସିନ, ଟ୍ରମା, ସେଣ୍ଟ୍ରାଲ ICU ଭଳି ୧୦ଟି ବିଭାଗରେ 200 ରୁ ଅଧିକ ICU ବେଡ଼ ରହିଛି।

ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି, ରାତି ୧୨ଟା ଯାଏଁ ମେଲୋଡିକୁ ଅନୁମତି

ଭୁବନେଶ୍ୱର: ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି। ଭୁବନେଶ୍ୱରରେ ଦୁର୍ଗାପୂଜା, ରାବଣପୋଡ଼ି, ଭସାଣି ଉତ୍ସବ ପାଇଁ କମିଶନରେଟ୍ ପୋଲିସ ସହ ପୂଜା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ପୂଜା ସମୟରେ ଆଇନଶୃଙ୍ଖଳା ବ୍ୟବସ୍ଥା, ପୂଜା ସୁବ୍ୟବସ୍ଥିତ କିଭଳି ହେବ ତାହାକୁ ନେଇ ଆଲୋଚନା ହୋଇଛି।

ଭୁବନେଶ୍ୱରରେ ୧୮୩ଟି ପୂଜା ମଣ୍ଡପ ରହିଛି। କଟକରେ ପୂଜା ମଣ୍ଡପ ସଂଖ୍ୟା ୧୬୮। ଏଥର ପୂଜାରେ ମେଲୋଡି ପ୍ରୋଗ୍ରାମ ରାତି ୧୦ ଟା ପରିବର୍ତ୍ତେ ରାତି ୧୨ଟା ପର୍ଯ୍ୟନ୍ତ ହେବାକୁ ନିଷ୍ପତି ନିଆଯାଇଛି।

ପ୍ରେମ ପାଇଁ ଜର୍ମାନୀରୁ ଓଡ଼ିଶା ଆସିଲେ ବିଦେଶିନୀ

ସାେନପୁର: ସେ ବିଦେଶିନୀ। ହେଲେ ନିଜ ଜୀବନ ସାଥୀ ପାଇଁ ସାତ ସମୁଦ୍ର ତେର ନଈ ଡେଇଁ ଜର୍ମାନୀରୁ ଆସିଛନ୍ତି ଓଡ଼ିଶା। ଓଡ଼ିଆ ଘରେ ଓଡ଼ିଆ ଖାଦ୍ୟ ରାନ୍ଧି ପରିବାର ମନ ମୋହୁଛନ୍ତି। ସ୍ବାମୀଙ୍କୁ ମାନି ନେଇଛନ୍ତି ଇହକାଳ ପରକାଳର ଦେବତା। ଏବେ ସେ ତାଙ୍କ ପାଇଁ ସବୁକିଛି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୁରପୁର ଗାଁର ମୂକ ବଧିର ‘ଶିବାଜୀ ପଣ୍ଡା’ ଙ୍କୁ ବିବାହ କରିଛନ୍ତି ଜର୍ମାନୀ ଝିଅ ‘ଉଲରିକ୍ ଜେସନ’।

ଉଲରିକ ଜଣେ ସାଙ୍କେତିକ ଭାଷାର ପ୍ରଫେସର। ଶିବାଜୀ ମଧ୍ୟ ଇଂଲଣ୍ଡର ସେଣ୍ଟ୍ରାଲ ଲଙ୍କାସାୟାର ୟୁନିଭର୍ସିଟିରେ ପ୍ରଫେସର ଭାବେ କାମ କରୁଥିଲେ। ଦୀର୍ଘ ୨୦ବର୍ଷ ଧରି ଉଭୟେ ସାଙ୍କେତିକ ଭାଷାରେ ଏକା ସାଙ୍ଗରେ କାମ କରିବା ବେଳେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ଏବେ ଓଡ଼ିଶାର ସଂସ୍କୃତି ପରମ୍ପରା, ପରିବେଶ, ଖାଦ୍ୟପେୟରେ ଆକର୍ଷିତ ହୋଇ ଉଭୟ ପରିବାରର ସହମତିରେ ଶିବାଜୀଙ୍କୁ ଲଣ୍ଡନର ଏକ କୋର୍ଟରେ ବିବାହ କରିଥିଲେ ଉଲରିକ୍।  ଏବେ ନିଜ ଜନ୍ମ ମାଟି ଉଲୁଣ୍ଡା ବ୍ଲକ ଲକ୍ଷ୍ମଣପୁର ଗାଁ ନିକଟରେ ଶିବାଜୀ ନିର୍ମାଣ କରିଥିବା ଇକୋଭିଲେଜରେ ଉଭୟେ ରହୁଛନ୍ତି । ଘର କାମଧାମ ସାଙ୍ଗକୁ ହାପିହେଣ୍ଡସ ସ୍କୁଲରେ ଶିକ୍ଷକ ମାନଙ୍କୁ ସାଙ୍କେତିକ ଭାଷାରେ ତାଲିମ ଦେଉଛନ୍ତି ଉଲରିକ୍ ।

ତାଙ୍କର ଏହି ଇକୋଭିଲେଜ ନଦୀ ତଟରେ ରହିଛି। ମନୋରମ ପରିବେଶ ସାଙ୍ଗକୁ ଜଙ୍ଗଲୀ ପରିବେଶ। ଏଠାକୁ ଦେଶ ବିଦେଶରୁ ମଧ୍ୟ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି। ଶିବାଜୀଙ୍କ ପଦକ୍ଷେପକୁ ଦେଖି ବହୁ ପ୍ରଶଂସା ମଧ୍ୟ କରୁଛନ୍ତି। ବିଦେଶରେ ପ୍ରଫେସର ଭାବେ କାମ କରୁଥିବା ଶିବାଜୀ ଚାକିରି ଛାଡି ନିଜ ଜନ୍ମ ମାଟିରେ ଚାଷ କରି ସୁନାର ଫସଲ ଫଳାଇପାରୁଛନ୍ତି । ଜୈବିକ ପଦ୍ଧତିରେ ପନିପରିବାଠୁ ଆରମ୍ଭକରି ବିଭିନ୍ନ ପ୍ରକାର ଫଳଗଛ ଲଗାଇଛନ୍ତି। ସେପଟେ ଶିବାଜୀ ଓ ଉଲରିକ ଭାରି ମେଳାପି ବୋଲି କହିଛନ୍ତି ଜଣେ କର୍ମଚାରୀ।

 

ସିକିମରେ ଓଡ଼ିଆ ଯବାନ ଶହୀଦ, ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସିକିମ: ସିକିମରେ ବନ୍ୟା ଯୋଗୁଁ ଘଟିଥିବା ଅଘଟଣରେ ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ଶହୀଦ ଖବର ବିଷୟରେ ଜାଣି ମୁଁ ଦୁଃଖିତ। ଦେଶ ସେବାରେ ତାଙ୍କର ବଳିଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

ସାହିତ୍ୟରେ ନୋବେଲ ପୁରସ୍କାର ପାଇବେ ନରଓ୍ବେର ପ୍ରସିଦ୍ଧ ଔପନ୍ୟାସିକ

ନୂଆଦିଲ୍ଲୀ: ସାହିତ୍ୟ ଲାଗି ନୋବେଲ ପୁରସ୍କାର ଘୋଷଣା। ସମ୍ମାନଜନକ ପୁରସ୍କାର ପାଇବେ ନରଓ୍ବେର ପ୍ରସିଦ୍ଧ ଔପନ୍ୟାସିକ ଓ ନାଟ୍ୟକାର ଜନ ଫୋସେ । ସାହିତ୍ୟରେ ନୂତନତ୍ବର ପ୍ରୟୋଗ, ନାଟକ ଓ ଗଳ୍ପ ସାହିତ୍ୟରେ ଆଧୁନିକତା ଶୈଳୀ ଲାଗି ଫୋସେଙ୍କୁ ମିଳିବ ଏହି ସମ୍ମାନ। ସାହିତ୍ୟ ଜରିଆରେ ଜନସମାଜକୁ ଜାଗ୍ରତ କରିବା କ୍ଷେତ୍ରରେ ନିଜର ସୃଜନଶୀଳତାର ପ୍ରୟୋଗ କରି ଉଲ୍ଲେଖନୀୟ କୃତି ସୃଷ୍ଟି କରିଥିଲେ ଫୋସେ। ପୁରସ୍କାର ବାବଦରେ ମିଳିବ ପ୍ରାୟ ୧ ନିୟୁତ ଡଲାର।

୧୨ ବର୍ଷୀୟ କନିଆଁଙ୍କୁ ୨୨ ବର୍ଷର ବର; ବାହାଘର ଚାଲିଥିବା ବେଳେ ଉଠାଇନେଲା ପୋଲିସ

ଭୁବନେଶ୍ବର: ଭୁବନେଶ୍ବରରେ ନାବାଳିକାଙ୍କୁ ଜବରଦସ୍ତ ବିବାହ କରାଯାଉଥିବା ଅଭିଯୋଗ। ୧୨ ବର୍ଷୀୟ ନାବାଳିକାଙ୍କୁ ବିବାହ କରୁଥିଲେ ୨୨ ବର୍ଷୀୟ ଯୁବକ। କୁଆଖାଇ ନଦୀକୂଳ ତାରିଣୀ ମନ୍ଦିରରେ ବିବାହ ଚାଲିଥିବାବେଳେ ବାହାଘରକୁ ବନ୍ଦ କରିବା ସହିତ ବରକୁ ଉଠାଇ ନେଇଛି ମଞ୍ଚେଶ୍ବର ଥାନା ପୋଲିସ।

ନାବାଳିକାର ବିବାହ ହେବା ସମୟରେ ସ୍ଥାନୀୟ ଲୋକ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଉଭୟ ଝିଅ ଓ ବରଘର ପରିବାରଙ୍କୁ ପଚରାଉଚରା କରୁଛି । ସେପଟେ ଏନେଇ ଚାଇଲଡ ଲାଇନ ପକ୍ଷରୁ ଏକ କେସ୍ ରୁଜୁ କରାଯାଇଛି । ଖବର ପାଇ ସିଡିପିଓ, ବିଏମସି ଓ ରୁଚିକା ସମାଜମଙ୍ଗଳ ସଂଗଠନର କର୍ମକର୍ତ୍ତା ମାନେ କୁଆଖାଇ ନଦୀ ପଠାରେ ଥିବା ରାଧାକୃଷ୍ଣ ମନ୍ଦିରଠାରେ ଏହି ବାଲ୍ୟ ବିବାହକୁ ରୋକିଛନ୍ତି।

ଜୋରଜବରଦସ୍ତ ବାଲ୍ୟ ବିବାହ ନେଇ ପ୍ରମାଣ ମିଳିବା ପରେ ବାଲ୍ୟବିବାହ ନିରୋଧ ଆଇନ ଧାରା ୯, ୧୦, ୧୧ ଅନୁସାରେ ଅପରାଧୀକ ମାମଲା ରୁଜୁ କରାଯାଇଛି। ତଦନ୍ତବେଳେ ଜଣାପଡ଼ିଛି ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ନାବାଳିକା ଜଣକୁ ଗଞ୍ଜାମ ଗୋଳନ୍ଥରା ଅଞ୍ଚଳର ୨୨ ବର୍ଷର ଯୁବକ ବଳପୂର୍ବକ ବିବାହ କରୁଥିଲେ । କନ୍ୟା ନାବାଳିକା ହୋଇଥିବାରୁ ତାଙ୍କୁ ଭୁବନେଶ୍ବରର ଅତିରିକ୍ତ ଶିଶୁ କଲ୍ୟାଣ ସମିତିରେ ଉପସ୍ଥିତ କରାଯାଇଛି।

ଓ୍ବାର-୨ରେ ଏକାଠି ନଜର ଆସିବେ ଶାହରୁଖ, ସଲମାନ ଓ ହ୍ରିତିକ!

ମୁମ୍ବାଇ: ଶାହରୁଖ, ସଲମାନ ଏବଂ ହ୍ରିତିକ ପ୍ରଥମ ଥର ପାଇଁ ଏକାଠି ହେଉଛନ୍ତି। ଓ୍ବାର-୨ରେ ଟାଇଗର, ପଠାନ ଏବଂ କବୀରଙ୍କୁ ଏକାଠି ଦେଖିବାକୁ ମିଳିବ। ଆୟନ୍ ମୁଖାର୍ଜୀଙ୍କ ଓ୍ବାର-୨ରେ ପ୍ରଥମ ଥର ପାଇଁ ଏକାଠି ହେବାକୁ ଯାଉଛନ୍ତି ସଲମାନ ଖାନ, ଶାହରୁଖ ଖାନ ଓ ହ୍ରିତିକ ରୋଶନ। ୟଶ ରାଜ ପ୍ରଡକ୍ସନ୍ସର ଚଳଚ୍ଚିତ୍ର ଓ୍ବାର-୨ରେ ହ୍ରିତିକ ରୋଶନଙ୍କ ସହ ଶାହାରୁଖ ଖାନ ଏବଂ ସଲମାନଙ୍କ କାଷ୍ଟିଂ ଖବର ସାମ୍ନାକୁ ଆସିଛି।

ଆୟାନ ମୁଖାର୍ଜୀ ପ୍ରଥମ ଥର ପାଇଁ ୟଶ ରାଜ ପ୍ରଡକ୍ସନ୍ସର ଚଳଚ୍ଚିତ୍ର ଓ୍ବାର-୨ର ନିର୍ଦ୍ଦେଶନା ଦେଉଛନ୍ତି। ଏହାକୁ ଅଧିକ ମେଗା କରିବା ପାଇଁ ସେମାନେ ଏହାର କାଷ୍ଟିଂ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି। ରିପୋର୍ଟ ଅନୁଯାୟୀ ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ଏହି ତିନିଜଣଙ୍କୁ ଏକାଠି କାଷ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଶାହାରୁଖ ଏବଂ ସଲମାନ ଏହି ଫିଲ୍ମରେ କେବଳ କେମୋ ହୋଇଥାଇପାରନ୍ତି। ଜୁନିଅର ଏନଟିଆରଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ।

ଏହି ଚଳଚ୍ଚିତ୍ରରେ ହ୍ରିତିକ ରୋଶନ ଏବଂ କିଆରା ଆଡଭାନୀ ମୁଖ୍ୟ ଭୂମିକାରେ ନଜର ଆସିବେ। ଏଥିସହ ସାଉଥ୍ ସୁପରଷ୍ଟାର ଜୁନିଅର ଏନଟିଆର ମଧ୍ୟ ଏହି ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଓ୍ବାର ୨ ପାଇଁ ମହୁରତ ପୂର୍ବରୁ ହୋଇସାରିଛି। ଖୁବ ଶୀଘ୍ର ଶୁଟିଂ ଆରମ୍ଭ ହେବ। ଓ୍ବାର -୨ ହେଉଛି ୨୦୧୯ରେ ମୁକ୍ତିଲାଭ କରିଥିବା ଓ୍ବାରର ସିକ୍ବେଲ୍। ଏହି ଚଳଚ୍ଚିତ୍ରରେ ହ୍ରିତିକ ରୋଶନ, ଟାଇଗର ଶ୍ରଫ ଏବଂ ଭାନି କପୁର ମୁଖ୍ୟ ଭୂମିକାରେ ଥିଲେ।

ପୋଲିସ ଓ ସେନାରେ ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ, ଥାନାରେ ମାମଲା ରୁଜୁ

ଭୁବନେଶ୍ୱର: ପୋଲିସ ଓ ସେନାରେ ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାକିରି ଆଶାୟୀଙ୍କଠୁ ଏକ ସଂସ୍ଥା ଟଙ୍କା ଲୁଟିଥିବା ନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ରାଜଧାନୀ ଭୁବନେଶ୍ବରରେ ଏକ ନକଲି ସଂସ୍ଥା ତରଫରୁ ଅଫିସ ଖୋଲାଯାଇଥିଲା।

ପୋଲିସ ଓ ସେନାରେ ଚାକିରି କରାଇଦେବାର ଲୋଭ ଦେଖାଇ ଆଶାୟୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ। ଭୁବନେଶ୍ବରରେ ଇଣ୍ଚର୍ଭ୍ୟୁ କରି ଉତ୍ତରପ୍ରଦେଶରେ ଟ୍ରେନିଂ ମଧ୍ୟ ଦେଉଥିଲେ। ପୋଲିସ, NCC ଓ ସିକ୍ୟୁରିଟି ଗାର୍ଡ ପୋଷାକ ଓ ଆଇକାର୍ଡ ଦେଖାଇ ବିଶ୍ବାସ ଜନ୍ମାଉଥିଲେ ଠକ।

ଭୁବନେଶ୍ବରର ବଡ଼ବଡ଼ ହୋଟେଲରେ ମିଟିଂ କରି ଦେଉଥିଲେ ମିଛ ପ୍ଲେସମେଣ୍ଟର ପ୍ରମାଣ। ଦାମୀ ଗାଡି, ପାଓ୍ବାର୍ ଫୁଲ ନେତାଙ୍କ ସହ ନିଜର ଫଟୋ ଦେଖାଇ ବିଶ୍ବାସ ଜନ୍ମାଉଥିଲେ ଅଭିଯୁକ୍ତ। ନିଜକୁ ଉତ୍ତରପ୍ରଦେଶର ମନ୍ତ୍ରୀଙ୍କ ଖାସ କହି ଲୋକଙ୍କୁ ଲୁଟୁଥିଲେ । ଏନେଇ ଅଭିଯୋଗ ପାଇବା ପରେ ଅଭିଯୁକ୍ତଙ୍କୁ ଧରିବାକୁ ଛାନବିନ ଚଳାଇଛି ପୋଲିସ ।

ହ୍ୱାଇଟ୍ ହାଉସ୍ରୁ ବିଦା ହେଲା ବାଇଡେନଙ୍କ କମାଣ୍ଡର, ୧୧ ଜଣଙ୍କୁ କାମୁଡ଼ି ଥିଲା

ୱାଶିଂଟନ୍: ହ୍ୱାଇଟ୍ ହାଉସ୍ରୁ ବିଦା ହେଲା କମାଣ୍ଡର। ଏହି କମାଣ୍ଡର ଆଉ କେହି ନୁହଁ । ସୁରକ୍ଷା ଦାୟିତ୍ବରେ ଥିବା ଏକ କୁକୁର । ୧୧ ଜଣଙ୍କୁ କାମୁଡିବା ଯୋଗୁଁ ହ୍ୱାଇଟ୍ ହାଉସରୁ ବିଦା ହେଲା କମାଣ୍ଡର। ଏକ ଅଜଣା ସ୍ଥାନକୁ ଦୁଇ ବର୍ଷ ବୟସ୍କ ଜର୍ମାନ ସିଫର୍ଡକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି । ଗତ ୨୦୨୧ରେ କମାଣ୍ଡରକୁ ଛୋଟିଆ ଅବସ୍ଥାରେ ହ୍ବାଇଟ ହାଉସକୁ ଅଣାଯାଇଥିଲା।

ହ୍ବାଇଟ ହାଉସ ସିକ୍ରେଟ ସର୍ଭିସର କହିବା କଥା କୁକୁରଟି ୧୧ ଜଣ ଷ୍ଟାଫଙ୍କୁ କାମୁଡିବା ପରେ ତାକୁ ଅଜଣା ସ୍ଥାନକୁ ପଠାଇ ଦିଆଯାଇଛି। ତେବେ ୧୧ ଜଣ ନୁହଁ ବରଂ ବହୁ ଅଧିକ ଲୋକଙ୍କୁ କୁକୁରଟି କାମୁଡିଥିବା କୁହାଯାଇଛି। ହ୍ବାଇଟ ହାଉସ କର୍ମଚାରୀଙ୍କ ସୁରକ୍ଷାକୁ ରାଷ୍ଟ୍ରପତି ଦମ୍ପତି ପ୍ରାଥମିକତା ଦେଉଥିବା ନେଇ କହିଛନ୍ତି ଫାଷ୍ଟ ଲେଡି ଜିଲ ବାଇଡେନଙ୍କ ଯୋଗାଯୋଗ ନିର୍ଦ୍ଦେଶକ ଏଲିଜାବେଥ ଆଲେକଜାଣ୍ଡାର।

ଗତ ସେପ୍ଟେମ୍ବର ୩୦ରେ ଶେଷ ଥର ଲାଗି କମାଣ୍ଡରକୁ ରାଷ୍ଟ୍ରପତିଙ୍କ ପ୍ରାଇଭେଟ କ୍ବାର୍ଟର୍ସର ଟ୍ରୁମାନ ବାଲକୋନିରେ ଦେଖିବାକୁ ମିଳିଥିଲା। ପୂର୍ବରୁ ମେଜର ନାମକ ଜର୍ମାନ ସେଫର୍ଡକୁ ମଧ୍ୟ ଏହି କାରଣରୁ ହ୍ବାଇଟ ହାଉସରୁ ବିଦା କରାଯାଇଥିଲା। ବାଇଡେନଙ୍କ ଅତିପ୍ରିୟ କୁକୁର ଚାମ୍ପ ୨୦୨୧ରେ ୧୩ ବର୍ଷ ବୟସରେ ଆଖି ବୁଜିଥିଲା।

 

ସିକିମରେ ବନ୍ୟା ସ୍ଥିତି ଭୟଙ୍କର; ୧୪ ମୃତ ଓ ୧୦୨ ନିଖୋଜ 

ସିକିମ: ସିକିମରେ ବନ୍ୟା ସ୍ଥିତି ଭୟଙ୍କର । ୧୪ ମୃତ, ୧୦୨ ଜଣ ନିଖୋଜ। ଫସିରହିଛନ୍ତି ୩ ହଜାରରୁ ଅଧିକ ପର୍ଯ୍ୟଟକ। ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଉତ୍ତର ସିକିମର ଲୋନାକ ହ୍ରଦର ଉପରିମୁଣ୍ଡରେ ମଙ୍ଗଳବାର ରାତିରେ ହୋଇଥିଲା ବାଦଲ ଫଟା ବର୍ଷା। ଚୁଙ୍ଗଥାଙ୍ଗ ଡ୍ୟାମ ବିପଦସଙ୍କେତ ଡେଇଁବା ପରେ ତିସ୍ତା ନଦୀରେ ବହିଥିଲା ଉଦବୃତ୍ତ ଜଳ।

ଏପରିକି ତଳିଆ ଅଞ୍ଚଳରେ ନଦୀର ଜଳସ୍ତର ଅଚାନକ ୧୫ରୁ ୨୦ ଫୁଟ ବଢିଯାଇଥିଲା। ନିମ୍ନଭାଗରେ ସିଙ୍ଗତାମ ନିକଟସ୍ଥ ବାରଦାଙ୍ଗରେ ପାର୍କିଂ କରିଥିବା ସେନା ଗାଡ଼ିଗୁଡିକ ନଦୀ ଜଳ ସ୍ରୋତରେ ଭାସିଯାଇଥିଲା। ସେଠାରେ ରହିଥିବା ସେନାକ୍ୟାମ୍ପ ବି ଜଳସ୍ରୋତରେ ନିଶ୍ଚିହ୍ନ ହେବାସହ ନିଖୋଜ ହୋଇଯାଇଥିଲେ ଯବାନ। ନିଖୋଜ ଯବାନମାନଙ୍କୁ ଉଦ୍ଧାର କରିବା ଲାଗି ବଡ଼ ଧରଣର ସର୍ଚ୍ଚ ଅପରେସନ ଜାରି ରହିଛି।

ତିସ୍ତା ନଦୀ ଉପରେ ଥିବା ସିଙ୍ଗଥାମ ଫୁଟ ବ୍ରିଜ ବି ଭାସି ଯାଇଛି। ପଶ୍ଚିମବଙ୍ଗ ସହ ସିକିମକୁ ଯୋଡୁଥିବା ଜାତୀୟ ରାଜପଥର ବହୁ ଭାଗ ନିଶ୍ଚିହ୍ନ ହୋଇଛି। ୨୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।