spot_img
Home Blog Page 27

ମୁକୁଳି ପାରିଲେନି ସୌରଭ-ଆଶୁତୋଷ: ରାତିରେ ଗଲେ ହାଇକୋର୍ଟ !

ନନ୍ଦିଘୋଷ ବ୍ୟୁରୋ:  ଦିଲ୍ଲୀ ହାଇକୋର୍ଟକୁ ଗଲେ ସିଜେପି ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କା। ହାଜତ ବୃଦ୍ଧି ଆଦେଶକୁ ଚ୍ୟାଲେଞ୍ଜ କରି ସେମାନେ ଦିଲ୍ଲୀ ହାଇକୋର୍ଟକୁ ଯାଇଛନ୍ତି। ରାତିରେ ଶୁଣାଣି ପାଇଁ ବି ଅନୁରୋଧ କରିଛନ୍ତି। ଜଣେ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଜାମିନଦାରଙ୍କୁ ଅଗ୍ରାହ୍ୟ କରିବା ସହିତ ନ୍ୟାୟିକ ହାଜତକୁ ଅକ୍ଟୋବର ୨୧ ଯାଏ ବୃଦ୍ଧି କରିଥିଲେ।

CJPର ଆଇନ ବିଭାଗ ମୁଖ୍ୟ ରତ୍ନା ସିଂହ କହିଛନ୍ତି ଯେ ଅଦାଲତର ଛୁଟି ସମୟରେ ରାତିରେ ଜରୁରୀ ଶୁଣାଣି ପାଇଁ ଟିମ୍ ଅନୁରୋଧ କରିଛି। ଏନେଇ ହାଇକୋର୍ଟର ରେଜିଷ୍ଟ୍ରି ପକ୍ଷରୁ ଉତ୍ତରକୁ ଅପେକ୍ଷା କରାଯାଇଛି। ସୌରଭ ଓ ଆଶୁତୋଷ ଗୋଟିଏ ମିନିଟ୍‌ ପାଇଁ ମଧ୍ୟ ଜେଲ୍‌ରେ ରହିବା ଉଚିତ ନୁହେଁ। ରାଜନୈତିକ ଖେଳ ଯୋଗୁଁ ସେମାନଙ୍କ ସ୍ୱାଧୀନତାକୁ ସଂକୁଚିତ କରାଯାଉଛି। ଦକ୍ଷିଣ-ପଶ୍ଚିମ ଜିଲ୍ଲାର ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ (SEM) ହେପାଜତ ଅବଧି ବୃଦ୍ଧି ସମୟରେ ପୁଣି ଥରେ ଶାନ୍ତିଭଙ୍ଗ ହେବାର ଆଶଙ୍କା ରହିଥିବା ଦର୍ଶାଇଥିଲେ। ସୌରଭ ଓ ଆଶୁତୋଷ ଅକ୍ଟୋବର ୧୧ ର ସର୍ତ୍ତକୁ ଜାଣିଶୁଣି ଉଲ୍ଲଂଘନ କରିଥିଲେ, ଶାନ୍ତିଭଙ୍ଗ କରିଥିଲେ।  ଶାନ୍ତିଭଙ୍ଗ ଓ ସାର୍ବଜନୀନ ଶାନ୍ତି ବ୍ୟାହତ ହେବାର ଆଶଙ୍କା ସୃଷ୍ଟି କରୁଛି। ତେଣୁ ପ୍ରତିଷେଧମୂଳକ ପଦକ୍ଷେପ ଜାରି ରଖିବା ଆବଶ୍ୟକ ବୋଲି ମାଜିଷ୍ଟ୍ରେଟ କହିଥିଲେ।

ଗତ ୧୪ ତାରିଖରେ ଜନ୍ତର ମନ୍ତରକୁ ପ୍ରବେଶ ଉଦ୍ୟମ କରିବାରୁ ସୌରଭ ଓ ଆଶୁତୋଷଙ୍କୁ ଗିରଫ କରାଯାଇଥିଲା। ଜନ୍ତର ମନ୍ତରରେ ଆଉ କେହି ଆନ୍ଦୋଳନ କରିପାରିବେ ନାହିଁ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହା ସତ୍ତ୍ଵେ ସେଠାରେ ତ୍ରିରଙ୍ଗା ଯାତ୍ରା କରିବାକୁ ଯାଇଥିଲେ ଉଭୟ ନେତା।  କୋର୍ଟ ଉଭୟଙ୍କୁ ୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ। ଗତକାଲି ସେହି ମିଆଦ ପୂରୁଥିଲା। କୋର୍ଟରେ ସେମାନଙ୍କୁ ହାଜର କରାଯାଇଥିଲା। କିନ୍ତୁ ସୌରଭ ଓ ଆଶୁତୋଷଙ୍କୁ ମୁକ୍ତି ଦେବା ବଦଳରେ କୋର୍ଟ ଆଉ ଦୁଇ ଦିନ ହାଜତ ମିଆଦ ବୃଦ୍ଧି କରିଥିଲେ। ଆସନ୍ତାକାଲି ଏହାର ପରବର୍ତ୍ତୀ ଶୁଣାଣି ହେବ।

 

୪ ବର୍ଷ ପରେ ପରୀକ୍ଷା ସୁଯୋଗ: ସହଜ ହେଲା ଡାକ୍ତର ହେବା !

ନନ୍ଦିଘୋଷ ବ୍ୟୁରୋ: ଏମବିବିଏସ୍ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଆଶ୍ବସ୍ତି । ପରୀକ୍ଷା ପାଇଁ ମିଳିବ ଅତିରିକ୍ତ ସୁବିଧା । ୨୦୧୯-୨୦ ଓ ୨୦୨୦-୨୧ ଶିକ୍ଷାବର୍ଷର ଏମ୍ବିବିଏସ୍ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ସୁଯୋଗ । କୋଭିଡ୍ ସମୟରେ ଅସୁବିଧା ବା ଅସୁସ୍ଥତା ପାଇଁ ଯେଉଁ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇପାରି ନାହାନ୍ତି, ସେମାନଙ୍କ ପାଇଁ ପ୍ରଥମ ପ୍ରଫେସନନାଲ୍ ଏମବିବିଏସ୍ ପରୀକ୍ଷା ପାସ୍ କରିବା ଲାଗି ଗୋଟିଏ ଅତିରିକ୍ତ ସୁବିଧା ମିଳିବ । ଏନେଇ ନ୍ୟାସନାଲ ମେଡିକାଲ କମିଶନ-ଏନ୍ଏମ୍ସି ଏକ ଅସ୍ଥାୟୀ କୋହଳ ବ୍ୟବସ୍ଥା ଆଣିଛନ୍ତି । ଛାତ୍ରଛାତ୍ରୀଙ୍କ ଏହି ସମସ୍ୟା ଏନ୍ଏମ୍ସି ପାଖରେ ବିଚାରାଧୀନ ଥିଲା । ତାହାକୁ ବିଚାର କରି ଏନଏମ୍ସି ଏହି ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଏନ୍ଏମ୍ସିର ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ କିଛି ସର୍ତ୍ତ ରଖାଯାଇଛି । ଛାତ୍ରଛାତ୍ରୀଙ୍କୁ ପ୍ରଥମ ପ୍ରଫେସନାଲ୍ ଏମ୍ବିବିଏସ୍ ପରୀକ୍ଷା ପାସ୍ କରିବା ପାଇଁ ନିର୍ଦ୍ଧାରିତ ୪ଟି ସୁଯୋଗ ବ୍ୟତୀତ ଗୋଟିଏ ଅତିରିକ୍ତ ସୁଯୋଗ ବା ସର୍ବମୋଟ ୫ଟି ସୁଯୋଗ ପାଇଁ ଅନୁମତି ଦିଆଯିବ। ପ୍ରଥମ ପ୍ରଫେସନାଲ୍ ଏମ୍ବିବିଏସ୍ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିବା ପାଇଁ ଛାତ୍ରଛାତ୍ରୀ ନିର୍ଦ୍ଧାରିତ ଚାରି ବର୍ଷ ଅବଧି ଅତିକ୍ରମ କରି ସାରିଥିଲେ ସୁଦ୍ଧା ଏହି ଅତିରିକ୍ତ ସୁଯୋଗ ଉପଲବ୍ଧ ହେବ । ସେଥିରେ ଛାତ୍ରଛାତ୍ରୀଙ୍କ ନାମଲେଖା ବୈଧ ରହିଥିବା ଆବଶ୍ୟକ । ବାଧ୍ୟତାମୂଳକ ରୋଟେଟିଂ ମେଡିକାଲ୍ ଇଣ୍ଟର୍ଣ୍ଣସିପ୍ର ପ୍ରଯୁଜ୍ୟ ଅବଧି ସହ ଏମବିବିଏସ୍ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିବାର ମୋଟ ଅବଧି ନାମଲେଖା ତାରିଖରୁ ଦଶ ବର୍ଷରୁ ଅଧି୍କ ହେବ ନାହିଁ । ତେବେ ଏହା କେବଳ କୋଭିଡ ପ୍ରଥମ ଓ ଦ୍ବିତୀୟ ଲହରରେ ପରୀକ୍ଷା ଦେଇ ପାରିନଥିବା ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ । ଏନଏମସିଙ୍କ ଏହି ନିଷ୍ପତ୍ତି ଓ ସର୍ତ୍ତାବଳୀକୁ ପାଳନ କରିବାକୁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ଓଡ଼ିଶାରେ ମଧ୍ୟ କୋଭିଡର ଭୟାବହତା ଥିଲା । ସେ ସମୟରେ ଓଡ଼ିଶାରେ ଡିଏମଇଟି ଦ୍ବାୟିତ୍ବରେ ଥିବା ନିର୍ଦ୍ଦେଶକ ବି ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ସୁରକ୍ଷାକୁ ଦୃଷ୍ଟିରେ ରଖି ପୁନଃ ସୁଯୋଗର ଗୁରୁତ୍ବକୁ ଅନୁଭବ କରିଥିଲେ ।

କୋଭିଡ ସମୟରେ ୟୁପିଏସସିରୁ ଆରମ୍ଭ କରି ବାୟୁସେନା ପରୀକ୍ଷା ସ୍ଥଗିତ ରଖାଯାଇଥିଲା । ଅନେକ ରାଜ୍ୟରେ ପୋଲିସ ଓ ନର୍ସିଂ ପରୀକ୍ଷା ବି ବାତିଲ ହୋଇଥିଲା । ସେ ସମୟରେ କୋଭିଡ ଯୋଗୁଁ ଖରାପ ସ୍ବାସ୍ଥ୍ୟ ସହ ଛାତ୍ରଛାତ୍ରୀ ପରୀକ୍ଷା ସ୍ଥଗିତର ମାନସିକ ଦୁଶ୍ଚିନ୍ତାରେ ଦିନ ଗଡ଼ାଉଥିଲେ । ଖାସ୍ କରି ଡାକ୍ତରୀ ଛାତ୍ରଛାତ୍ରୀ, ସେମାନେ ରୋଗୀ ସେବା କରିବେ ନା ପୁଣି ଥରେ କେମିତି ପରୀକ୍ଷା ଦେବେ, ସେ ଚିନ୍ତାରେ ଦିନ କାଟୁଥିଲେ । ଯେଉଁଥି ପାଇଁ ସେମାନେ ନ୍ୟାସନାଲ ମେଡିକାଲ କମିଶନ ପାଖରେ ପୁନଃ ପରୀକ୍ଷା ପାଇଁ ଆବେଦନ କରିଥିଲେ । ଆଜି ୨୦୧୯-୨୦ ଓ ୨୦୨୦-୨୧ ଶିକ୍ଷାବର୍ଷର ଏମ୍ବିବିଏସ୍ ଛାତ୍ରଛାତ୍ରୀଙ୍କ ପାଇଁ ଯେପରି ସୁଯୋଗ ଆସିଛି, ସେପରି ଅନେକ ବୃତ୍ତି ଓ ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ବି ସୁଯୋଗ ମିଳିବା ନେଇ ଦାବି କରିଛନ୍ତି ଆଶାୟୀ ଛାତ୍ରଛାତ୍ରୀ ।

ଏନଏମସି ଏହି ନିଷ୍ପତ୍ତିକୁ ଏହି ଥରକ ପାଇଁ ବ୍ୟତିକ୍ରମିକ ପରିବର୍ତ୍ତନମୂଳକ ପଦକ୍ଷେପ ଭାବରେ ବର୍ଣ୍ଣନା କରିଛି । ଯାହା ଯୋଗ୍ୟ ବିଚାରାଧୀନ ମାମଲାଗୁଡ଼ିକରେ ଆଶ୍ବସ୍ତି ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ। ଏହା ପରୀକ୍ଷା ପ୍ରୟାସର ଅନୁମୋଦିତ ସଂଖ୍ୟାକୁ ନିୟନ୍ତ୍ରଣ କରୁଥିବା ସଂଶୋଧିତ ନିୟମାବଳୀର ପୂର୍ବବର୍ତ୍ତୀ ପ୍ରୟୋଗ ନୁହେଁ । ଏହି ନିଷ୍ପତ୍ତି ପରବର୍ତ୍ତୀ ଶିକ୍ଷାଗତ ବ୍ୟାଚ୍ ପାଇଁ ସଂଶୋଧକ ନିୟମାବଳୀ ଭାବେ ବିବେଚନା କରାଯାଇ ପାରିବ ନାହିଁ ।

ନନ୍ଦନକାନନରେ ପ୍ରାଣ ହରାଇଲା…

ଭୁବନେଶ୍ବର: ନନ୍ଦନକାନନରେ ଥମୁନି ପ୍ରାଣୀ ମୃତ୍ୟୁ । ପ୍ରାଣୀ ଉଦ୍ୟାନରେ ଆଜି ପୁଣି ଗୋଟିଏ ପକ୍ଷୀର ମୃତ୍ୟୁ ହୋଇଛି । ଏଥର ଉଦ୍ଭିଦ ଉଦ୍ୟାନରେ ଥିବା ଶାଗୁଣା ପ୍ରଜନନ କେନ୍ଦ୍ରରେ ଗୋଟିଏ ମାଈ ଶାଗୁଣାର ମୃତ୍ୟୁ ହୋଇଛି । ପରସ୍ପର ମଧ୍ୟରେ ଲଢ଼େଇ ପରେ କାନ୍ଥରେ ମୁଣ୍ଡ ପିଟି ହୋଇ ଆହତ ହେବାରୁ ଏହାର ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମୃତ ମାଈ ଶାଗୁଣାଟି କ୍ୱାରେଣ୍ଟାଇନରେ ରଖାଯାଇଥିଲା । ବର୍ତ୍ତମାନ ଏହି ପ୍ରଜନନ କେନ୍ଦ୍ରର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏଭଳି ମୃତ୍ୟୁକୁ ନେଇ ଶାଗୁଣା ସଂରକ୍ଷଣ ପ୍ରୟାସ ଉପରେ ପ୍ରଶ୍ନ ଉଠୁଛି । ଭାରତରେ ଶାଗୁଣା ବଂଶ ଅତ୍ୟନ୍ତ ସଙ୍କଟାପନ୍ନ । ୯୦ ଦଶକ ପରଠାରୁ ଦେଶରେ ଧଳା ପିଠିଆ ଶାଗୁଣା ,ଲମ୍ବା ଥୋଟିଆ ଶାଗୁଣା ଓ ଲାଲ୍ ମୁଣ୍ଡିଆ ଶାଗୁଣା ପ୍ରଜାତିର ସଂଖ୍ୟା ୯୦ ପ୍ରତିଶତରୁ ଅଧିକ ପଯ୍ୟନ୍ତ ହ୍ରାସ ପାଇଥିବା ବିଶେଷଜ୍ଞମାନେ କୁହନ୍ତି । ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନରେ ଶାଗୁଣା ପ୍ରଜନନ କେନ୍ଦ୍ର ସ୍ଥାପନ କରାଯାଇଥିଲା । ଏଭଳି ସ୍ଥିତିରେ ଗୋଟିଏ ପ୍ରଜନନକ୍ଷମ ମାଈ ଶାଗୁଣାର ମୃତ୍ୟୁ ସଂରକ୍ଷଣ ପ୍ରୟାସକୁ ବଡ଼ ଝଟକା ବୋଲି ପଶୁପ୍ରେମୀ କହିଛନ୍ତି । ଗତ କିଛିଦିନ ମଧ୍ୟରେ କୁମ୍ଭୀର ଛୁଆ, ଲଭ୍ ବାର୍ଡ ଏବଂ ଏବେ ଶାଗୁଣାର ମୃତ୍ୟୁ ନନ୍ଦନକାନନ ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏ ନେଇ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ମାଙ୍କୁ ଲାଗି ହେଲା ମାଛ ଭୋଗ..

ନନ୍ଦିଘୋଷ ବ୍ୟୁରୋ:  ମହାମାୟାଙ୍କ ମହାନବମୀ । ମଣ୍ଡପରେ ଖଚାଖଚ ଭିଡ଼ । ମାଆଙ୍କୁ ଦର୍ଶନ କରି ଆଶିଷ ନେଉଛନ୍ତି ଶ୍ରଦ୍ଧାଳୁ । ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନା ପାଇଁ ପୋଲିସର ବ୍ୟାପକ ବ୍ୟବସ୍ଥା । ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପରେ ଲାଗିଛି ଲୋକଙ୍କ ଗହଳି । ନବମୀ ପୁଜା ପାଇଁ ଶ୍ରଦ୍ଧାଳୁ ମାଆ ଦୁର୍ଗାଙ୍କ ନିକଟରେ ପୂଜା କରିବା ସହ ଆଶିଷ ନେଉଛନ୍ତି । ଭୁବନେଶ୍ବର ପୁରୁଣା ଷ୍ଟେସନ ବଜାର ପୂଜା ମଣ୍ଡପରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼ । ଶୈବପୀଠ ସହ ଭିତରେ ସର୍କସ ଥିମ ଥିବା ତୋରଣରେ ପୂଜା ପାଉଛନ୍ତି ମାଆ । ରସୁଲଗଡ଼ ପୂଜା ମଣ୍ଡପରେ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚଳିତବର୍ଷ ରସୁଲଗଡ଼ ପୂଜା ମଣ୍ଡପ ୩୪ ବର୍ଷରେ ପଦାର୍ପଣ କରିଛି । ଏଥର ବିଶ୍ୱପ୍ରସିଦ୍ଧ ଭାଟିକାନ୍ ସିଟିର ସ୍ଥାପତ୍ୟ ଶୈଳୀକୁ ଆଧାର କରି ଏଠାରେ ତିଆରି ହୋଇଛି ବିଶାଳ ତୋରଣ । ସେପଟେ ଶାସ୍ତ୍ରୀ ନଗର ମହାବୀର ପୂଜା କମିଟି ଚଳିତବର୍ଷ ଷଷ୍ଠ ବର୍ଷରେ ପାଦ ଦେଇଥିବାରୁ ଏଠାରେ ପୂଜା ପାଉଛନ୍ତି ପଞ୍ଚମୁଖୀ ମହାବୀର ହନୁମାନ । ପଣ୍ଡିତଙ୍କ ହନୁମାନ ଚାଳିଶା ପାଠରେ ପ୍ରକମ୍ପିତ ହେଉଛି ପରିବେଶ ।

କଟକ ଦୁର୍ଗାପୂଜା ନବମୀର ଅନ୍ୟତମ ଆକର୍ଷଣ ହେଉଛି ମାଛ ଭୋଗ । ପ୍ରତିବର୍ଷ ମାଆଙ୍କ ପାଖରେ ଚାନ୍ଦିନୀଚୌକ ପୂଜା ମଣ୍ଡପ ପକ୍ଷରୁ ୧୦ ହଜାର ଲୋକଙ୍କ ପାଇଁ ଏହି ମାଛ ଭୋଗ ହୋଇଥାଏ । ୧୦ କ୍ବିଣ୍ଟାଲ ମାଛ, ୧୦ କ୍ବିଣ୍ଟାଲ ପରିବା, ପାଣି କଖାରୁରେ କାନିକା, ମାଛ ତରକାରୀ ଓ ମିଠା ପାଣି କଖାରୁ ଖଟା ହୋଇ ମାଆଙ୍କ ପାଖରେ ଭୋଗ ଲାଗେ । ସେପଟେ କଟକ ହରିପୁର ଦୋଳମୁଣ୍ଡାଇ ସହରର ବିଭିନ୍ନ ପୂଜା ମଣ୍ଡପରେ ଆଜି ଦେବୀ ଦୁର୍ଗାଙ୍କ ନବମୀ ପୂଜାରେ କୁମାରୀ ପୂଜନ ଅନୁଷ୍ଠିତ ହୋଇଛି । ନବମୀ ଅବସରରେ କିଛି ପୂଜା ମଣ୍ଡପରେ ଆଜି ଦହି ପଖାଳ ଭୋଗ ଲାଗି ହେଉଛି । କଟକ ନୟାସଡ଼କ ସ୍ଥିତ ମାରୱାଡ଼ି ସମାଜର ପୂଜା ମଣ୍ଡପ ଶୋଭା ପାଉଛି ନେପାଳର ପ୍ରସିଦ୍ଧ ପଶୁପତିନାଥ ଶିବ । ମଣ୍ଡପରେ ମହାଦେବଙ୍କ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁ ।

ଦୁର୍ଗାପୂଜା ମଣ୍ଡପରେ ନାରୀ ସୁରକ୍ଷା ଓ ନାରୀ ନିର୍ଯାତନା ବିରୋଧରେ ସଚେତନତାର ବାର୍ତ୍ତା ଦେଇଛି ବଲାଙ୍ଗୀର ସାଗରପଡ଼ା ଏସ୍ସିଏ କ୍ଲବ I ଆକର୍ଷଣୀୟ ତୋରଣ ଓ ଚିତ୍ରକଳା ମାଧ୍ୟମରେ ସମାଜକୁ ଦେଖାଇଛି ବାସ୍ତବତାର ଚିତ୍ର । ଟେରାକୋଟା କଳା, ଚିତ୍ରକଳା ଓ ଆକର୍ଷଣୀୟ ସାଜସଜ୍ଜା ମାଧ୍ୟମରେ କନ୍ୟାଭ୍ରୂଣ ହତ୍ୟା, ଏପରିକି କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ପ୍ରତି ହେଉଥିବା ନିର୍ଯାତନାକୁ ଚିତ୍ରକଳା ମାଧ୍ୟମରେ ଏଭଳି ସାମାଜିକ ସମସ୍ୟାକୁ ଲୋକଙ୍କ ସାମ୍ନାକୁ ଅଣାଯାଇଛି ।ଆସନ୍ତାକାଲି ମଣ୍ଡପରେ ବିଜୟା ଦଶମୀ ଥିବାବେଳେ ଆଜି ମଣ୍ଡପରେ ନବରାତ୍ରି ପୂଜା ସରିବା ପରେ ବିଶ୍ରାମ ରହିଛି  ।

ନିଆରା ମହାବଳି ଯାତ୍ରା… ଦେଖିଲେ ଶିହରି ଉଠିବ ଶରୀର !

ନନ୍ଦିଘୋଷ ବ୍ୟୁରୋ: ତନ୍ତ୍ର, ମନ୍ତ୍ର ଓ ଯନ୍ତ୍ରର ପୀଠ ସୁବର୍ଣ୍ଣପୁର । ରାଜା ରାଜୁଡା ଅମଳରୁ ଶାକ୍ତ ପରମ୍ପରାରେ ପାଳିତ ହୋଇଆସୁଛି ବଳି ଯାତ୍ରା । ନଅ ପ୍ରକାର ବଳି ପାଳନ କରାଯାଇ ପୂର୍ଣ୍ଣମୀ ତିଥିରେ ଶେଷ ହୋଇଥାଏ ଏହି ନିଆରା ଯାତ୍ରା । ଆଶ୍ବିନ ଅମାବାସ୍ୟାରୁ ପୂର୍ଣ୍ଣମୀ ଯାଏଁ ତନ୍ତ୍ର ପଦ୍ଧତିରେ ଯନ୍ତ୍ର ଓ ମନ୍ତ୍ରକୁ ଆଧାର କରି ଏହି ବଳି ପର୍ବ ପାଳନ ହୋଇଥାଏ। ଆଉ ବଳି ଭିତରେ ମହାବଳି ପର୍ବର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ୩୬ ପାଟକ ବା ସମ୍ପ୍ରଦାୟର ଲୋକେ ନିୟୋଜିତ ହୋଇଥାନ୍ତି ମହାବଳିଙ୍କ ସେବାରେ । ଏଠାରେ ବଳି କହିଲେ ସମର୍ପଣ ବା ଉତ୍ସର୍ଗକୁ ବୁଝାଇଥାଏ । ସ୍ଥାନୀୟ ଖମ୍ବେଶ୍ବରୀ ମନ୍ଦିରରେ ଧୁମ ଧାମରେ ପାଳିତ ହୋଇଛି ବଳି ଯାତ୍ରା । ଏହି ଯାତ୍ରା ଦେଖିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ବରୁଆକୁ ଅରୁଆ ଚାଉଳରେ ତିଆରି ଯନ୍ତ୍ରରେ ଯନ୍ତ୍ରାରୁଢ କରି ମନ୍ତ୍ରପୂତ କରିବା ପରେ ଦୈବୀଶକ୍ତି ପ୍ରକଟିତ ହୁଏ । ଖଉଳ ଗାତର ମାଟି ବରୁଆର ନାଭି ମଣ୍ଡଳରେ ଦେଇ ପୁରୋହିତ ମହାବଳୀ କାର୍ଯ୍ୟ ଆରମ୍ଭ କରିଥାନ୍ତି । ବାଦ୍ୟର ତାଳେ ତାଳେ ମହାବଳୀ ନୃତ୍ୟ କରି ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ହାତରେ କଳା ଧଳା ଛତ୍ର ଧରି ଚେପଟା ଢୋଲରେ ଛିଡା ହୋଇ ଦହି ଦହନାରେ ମହମହ ବାସୁଥିବା ବରୁଆର ଚୁଳବନ୍ଧା କାର୍ଯ୍ୟରେ ସମାପିତ ହୋଇଥାଏ ମହାନବମୀ ବଳୀ ।

କାହିଁ କେଉଁ ଆବାହମାନ କାଳରୁ ଏଠାରେ ପାଳିତ ହୋଇଆସୁଛି ମହାବଳୀ ଯାତ୍ରା । ହଜାର ହଜାର ବର୍ଷର ଏହି ପରମ୍ପରାକୁ ଆଜି ବି ବଞ୍ଚାଇ ରଖିଛନ୍ତି ସୁବର୍ଣ୍ଣପୁରବାସୀ ।

ମା’ ବିରଜାଙ୍କ ରଥ ଟାଣି କାନ୍ଦି ପକାଇଲେ ଶ୍ରଦ୍ଧାଳୁ !

ଯାଜପୁର: ସରିଲା କ୍ଷେତ୍ରେଶ୍ୱରୀ ମାଆ ବିରଜାଙ୍କର ପୀଠରେ ନବଦିନାତ୍ମକ ରଥଯାତ୍ରା । ମା ବିରଜାଙ୍କ ରଥ ଟାଣିଲେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ। ଆଜି ମାଙ୍କ ପୀଠରେ ବିଜୟା ଦଶମୀ ପାଳିତ ହୋଇଛି ।ଗତକାଲି ଅପରାହ୍ନରେ ରଥଟଣା ଶେଷ ହେବା ପରେ ନିଶାର୍ଦ୍ଧରେ ଲାଖବିନ୍ଧା ପର୍ବ ଅନୁଷ୍ଠିତ ହୋଇଥିଲା । ଘଣ୍ଟଘଣ୍ଟା ସଂକୀର୍ତ୍ତନ ସହ ଏକ ବିରାଟ ପଟୁଆରେ ମାଆଙ୍କ ବିଜେପ୍ରତିମାକୁ ଲାଖବିନ୍ଧା ପଡିଆକୁ ନିଆଯାଇଥିଲା। ସେଠାରେ ମୁଖ୍ୟ ପୁରୋଧାଙ୍କ ତତ୍ତ୍ଵାବଧାନରେ ଯଥା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋଇଥିଲା। ପରମ୍ପରା ଅନୁସାରେ ସମାଜରୁ ପାପ ନାଶ  ଉଦ୍ଦେଶ୍ୟରେ ଚତୁର୍ଦିଗକୁ ଶର କ୍ଷେପଣ କରାଯାଇଥିଲା। ପରେ ନଅରପଦା ଦେଇ ମାଙ୍କ ବିଜେପ୍ରତିମାକୁ ଶୋଭାଯାତ୍ରାରେ ଅଣାଯାଇଥିଲା। ଶ୍ରଦ୍ଧାଳୁ ମାନେ ମାଙ୍କ ବିଜେପ୍ରତିମାକୁ ଧୂପ ଦୀପ ଦେଇ ବନ୍ଦାପନା କରି ସ୍ବାଗତ କରିଥିଲେ । । ମାଙ୍କୁ ସ୍ବାଗତ କରିବା ପାଇଁ ପ୍ରତି ଘର ଆଗରେ କଳସ ସ୍ଥାପନ କରି ଧୂପଦୀପରେ ବନ୍ଦାପନା କରି ମାଙ୍କୁ ସ୍ବାଗତ କରିଥିଲେ ଶ୍ରଦ୍ଧାଳୁ।

ଗ୍ରାମ ପରିକ୍ରମା ପରେ ମନ୍ଦିରକୁ  ପ୍ରବେଶ କରିଥିଲା ମା’ଙ୍କ ବିଜେପ୍ରତିମା । ମାଙ୍କ ଲାଖବିନ୍ଧା ପର୍ବକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ମନ୍ଦିର ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଏହି ପର୍ବରେ ଶତାଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏବେ ସମସ୍ତଙ୍କର ଅପେକ୍ଷା ଆର ବର୍ଷକୁ।

କାଳ ସାଜିଲା ନଦୀ ଗାଧୁଆ: ୩ ମୁଣ୍ଡ ନେଲା ଚୋରାବାଲି !

ନନ୍ଦିଘୋଷ ବ୍ୟୁରୋ: କାଳ ସାଜିଲା ନଦୀ ଗାଧୁଆ। ଲୁଣା ନଦୀକୁ ଗାଧୋଇବାକୁ ଯାଇ ୩ ନାବାଳକ ବୁଡ଼ି ମୃତ। କେନ୍ଦ୍ରାପଡ଼ା ସଦର ଥାନା ଗହଗା ଗାଁରେ ଘଟିଛି ହୃଦୟ ବିଦାରକ ଘଟଣା।  ମୃତ ୩ ନାବାଳକ ସ୍ଥାନୀୟ ଗହଗା ଗାଁର ହିମାଂଶୁ ଶେଖର ସତପଥି, ଚିରଞ୍ଜୀବ ପରିଡା, ସବ୍ୟସାଚୀ ସ୍ୱାଇଁ ବୋଲି ଜଣାପଡିଛି।

ମିଳିଥିବା ସୂଚନା ମୁତାବକ,ଆଜି ଦିନ ୧୧ ଟା ସମୟରେ ଗହଗା ଗାଁର ୩ ଜଣ ନାବାଳକ ସ୍ଥାନୀୟ ଲୁଣା ନଦୀର ଗହଗା ଘାଟକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ସମୟରେ ଅସାବଧାନତାବଶତଃ ଗଭୀର ପାଣିକୁ ଚାଲିଯିବାରୁ ଚୋରା ବାଲିରେ ପାଦ ଖସି ଯାଇଥିଲା । ଫଳରେ ସେମାନେ ନଦୀର ସ୍ରୋତରେ ଭାସି ଯାଇ ବୁଡ଼ି ଯାଇଥିଲେ। ଅନେକ ସମୟ ପର୍ଯ୍ୟନ୍ତ ନାବାଳକମାନେ ଘରକୁ ନଫେରିବାରୁ ଏବଂ ନଦୀଘାଟରେ ସେମାନଙ୍କ ପୋଷାକ ଓ ଅନ୍ୟାନ୍ୟ ଜିନିଷ ଦେଖି ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା।ଏହାପରେ ପରିବାର ଲୋକ ଓ ଗ୍ରାମବାସୀ ପ୍ରଥମେ ନିଜସ୍ୱ ଉଦ୍ୟମରେ ଖୋଜାଖୋଜି ଆରମ୍ଭ କରିଥିଲେ। ଖବର ପାଇ କେନ୍ଦ୍ରାପଡ଼ା ଅଗ୍ନିଶମ ବିଭାଗର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।ନିଖୋଜ ନାବାଳକମାନଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଦୁଇଟି ବୋଟ୍‌ ମୁତୟନ କରାଯାଇ ନଦୀରେ ବ୍ୟାପକ ସର୍ଚ୍ଚ ଅପରେସନ୍‌ କରାଯାଇଥିଲା । ଆଉ କିଛି ଘଣ୍ଟାର ପରିଶ୍ରମ ପରେ ଶେଷରେ ୩ ଜଣଙ୍କ ମୃତଦହେ ଉଦ୍ଧାର କରାଯାଇଛି । ଅଗ୍ନିଶ୍ରମ ଟିମ୍ ସେମାନଙ୍କ ମୃତଦେହ ଉଦ୍ଧାର କରିଛି । ଏ ନେଇ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।ନିଖୋଜ ନାବାଳକଙ୍କ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଗହଗା ଗାଁର ପରିବେଶ ଅତ୍ୟନ୍ତ ସମ୍ବେଦନଶୀଳ ହୋଇପଡ଼ିଛି । ସ୍ଥାନୀୟ ସଦର ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି।

ଆଶୁତୋଷ ରାଙ୍କା-ସୌରଭ ଦାସଙ୍କୁ ଜାମିନ୍ ନମିଳିବା ହେଉଛି ‘ଆତଙ୍କବାଦ’: ମମତା

ନନ୍ଦିଘୋଷ ବ୍ୟୁରୋ: ସିଜେପି ନେତା ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କ ନ୍ୟାୟିକ ହେପାଜତ ବୃଦ୍ଧିକୁ ନିନ୍ଦା କରିଛନ୍ତି ଟିଏମସି ମୁଖ୍ୟ ମମତା ବାନାର୍ଜୀ । ଏହାକୁ ସେ ରାଜ୍ୟ ପ୍ରାୟୋଜିତ ଆତଙ୍କବାଦ ଏବଂ ପୋଲିସ ପ୍ରାୟୋଜିତ ଅତ୍ୟାଚାର ବୋଲି କହିଛନ୍ତି । ଏହାସହ ସେ ଚେତାଇ ଦେଇଛନ୍ତି ଯେ, ଏହା ବେଶୀ ଦିନ ଚାଲିପାରିବ ନାହିଁ । ତାଙ୍କୁ ତୁରନ୍ତ ମୁକ୍ତ କରାଯିବା ଉଚିତ ।

ସୂଚନା ମୁତାବକ, ଅକ୍ଟୋବର ୧୩ ତାରିଖରେ ଆଶୁତୋଷ ରାଙ୍କା ଏବଂ ସୌରଭ ଦାସ ନୂଆଦିଲ୍ଲୀର ଜନ୍ତର ମନ୍ତରରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ପ୍ରତିବାଦ କରିଥିଲେ । ପରେ ପୋଲିସ ତାଙ୍କୁ ବ୍ୟକ୍ତିଗତ ସ୍ଥାନରେ ଅନଧିକୃତ ଭାବେ ପ୍ରବେଶ କରିବା ଏବଂ ଶାନ୍ତି ବଜାୟ ରଖିବାର ବଣ୍ଡ ଉଲ୍ଲଘଂନ କରିବା ଅଭିଯୋଗରେ ଗିରଫ କରିଥିଲା ।  ପରେ ଅକ୍ଟୋବର ୧୪ ତାରିଖରେ ଜଣେ ସ୍ବତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଉଭୟଙ୍କୁ ପାଞ୍ଚ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ ।  ସୋମବାର ମନ୍ଦିର ମାର୍ଗ ପୋଲିସ ଷ୍ଟେସନରେ ନବନିଯୁକ୍ତ ସ୍ବତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଙ୍କ ସମ୍ମୁଖରେ ସେମାନଙ୍କୁ ହାଜର କରାଯାଇଥିଲା । ଆଉ ମାଜିଷ୍ଟ୍ରେଟ୍ ଉଭୟଙ୍କୁ ଆଉ ଦୁଇ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଯାହାକୁ ନେଇ ସିଜେପି ସମର୍ଥକଙ୍କ ମଧ୍ୟରେ ବଢିବାରେ ଲାଗିଛି ଅସନ୍ତୋଷ । ମମତା ବାନାର୍ଜୀ ଏକ୍ସରେ ଲେଖିଛନ୍ତି, ଆଶୁତୋଷ ଏବଂ ସୌରଭଙ୍କ ଅଟକ ଅବଧି ବୃଦ୍ଧି ପଛରେ ଥିବା ହତାଶାକୁ ମୁଁ ବୁଝିପାରୁଛି । ଏହା ଗଣତନ୍ତ୍ର ଉପରେ ଆକ୍ରମଣ କରିବା ପାଇଁ ପ୍ରତିଦିନ ବ୍ୟବହାର କରାଯାଉଥିବା ଏକ ବିପଦଜନକ ଭାଇରସ୍  । ଜେନ୍-ଜି ର ଯୁବକ ଯୁବତୀଙ୍କୁ ନିର୍ଯ୍ୟାତନା ଦେବା ବନ୍ଦ କରନ୍ତୁ । ଯେଉଁମାନେ ଆଜି କ୍ଷମତାରେ ଅଛନ୍ତି ସେମାନେ କାଲି କ୍ଷମତାରେ ରହିବେ ନାହିଁ ।  ସେ ଆହୁରି କହିଥିଲେ ଯେ,ଯେତେବେଳେ ବିଶ୍ବାସୀ ଲୋକମାନେ ଭାରତ ଏବଂ ଗଣତନ୍ତ୍ରକୁ ରକ୍ଷା କରିବାକୁ ଦୃଢ ଭାବରେ ଠିଆ ହେବେ ସେତେବେଳେ ହିଁ ସରାକରରେ ଥିବା ଅହଂକାରୀ ଏବଂ ଆଖିରେ ପଟି ବାନ୍ଧିଥିବା ରାଜନେତାମାନେ ଆଖି ଖୋଲିବେ । ହେଲେ ସେତେବେଳକୁ ଜନତାଙ୍କର ଜିତ୍ ହୋଇସାରିଥିବ ଏବଂ ଗଣତନ୍ତ୍ରର ହତ୍ୟା କରିଥିବା ଲୋକଙ୍କର ରାଜନୈତିକ ଅନ୍ତ ହୋଇଯାଇଥିବ ।

 

 

ସହିପାରିଲେନି ସ୍ତ୍ରୀର ନିର୍ଯ୍ୟାତନା: ୧,୭୦୦ ଫୁଟ୍ ଖାଇକୁ ଡେଇଁ…

ନନ୍ଦିଘୋଷ ବ୍ୟୁରୋ:  ମାନସିକ ଚାପର କରୁଣ ପରିଣତି । ବିବାହ ମାତ୍ର ୮ ମାସ ପରେ ନେଲେ ଚରମ ନିଷ୍ପତ୍ତି । ୧,୭୦୦ ଫୁଟ ଉଚ୍ଚ ପାହାଡରୁ ଡେଇଁ ଜୀବନ ହାରିଲେ ଯୁବକ ! ଆଉ ଛାଡିଗଲେ ୧୩ ମିନିଟର ଭିଡିଓ, ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଏଭଳି ଦୁଃଖଦ ଏବଂ ଚାଞ୍ଚଲ୍ୟକର ଖବର ଏବେ ପୁରା ଦେଶକୁ ଦୋହଲାଇ ଦେଇଛି । ବୈବାହିକ ବିବାଦ ଏବଂ ମାନସିକ ନିର୍ଯ୍ୟାତନା ଅସହ୍ୟ ହେବାରୁ ଅକ୍ଟୋବର ୧୨ ତାରିଖରେ ହରିଶ୍ଚନ୍ଦ୍ରଗଡ ଦୁର୍ଗର ପ୍ରାୟ ୧,୭୦୦ ଗଭୀର କୋଙ୍କଣକଡା ଖାଇକୁ ଡେଇଁ ନିଜର ଜୀବନ ହାରିଛନ୍ତି ଜଣେ ଯୁବକ । ମୃତକ ଜଣକ ଗୁଜୁରାଟ ଭାବନଗରର ବାସିନ୍ଦା, ବିଶ୍ବରାଜ ଗୋହିଲ ବୋଲି ଜଣାପଡିଛି । ତେବେ ମୃତ୍ୟୁ ପୂର୍ବରୁ ସେ ଏକ ୧୩ ମିନିଟର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ଭିଡିଓରେ ସେ ଘରୋଇ ହିଂସା, ଆଇନର ଅପବ୍ୟବହାରକୁ ରୋକିବା ଏବଂ ନିୟମରେ ପରିବର୍ତ୍ତନ ଆଣିବାକୁ ନେଇ କିଛି ବଡ ଦାବି କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଗୁଜୁରାଟର ପୋଷ୍ଟାଲ ବିଭାଗରେ କାର୍ଯ୍ୟରତ ୩୦ ବର୍ଷୀୟ ବିଶ୍ବରାଜ ମହାରାଷ୍ଟ୍ର ଅହଲ୍ୟାନଗର, ପୁନେ ଏବଂ ଥାନେ ସୀମାନ୍ତରେ ଥିବା ହରିଶ୍ଚନ୍ଦ୍ରଗଡର କୋଙ୍କଣକଡା ପାହାଡରୁ ଡେଇଁ ଜୀବନ ହାରିଛନ୍ତି । ଆଉ ତାଙ୍କର ଏଭଳି ଚରମ ପଦକ୍ଷେପ ପଛର କାରଣ ହେଉଛି ଘରୋଇ ହିଂସା । କହିରଖୁଛୁ ଯେ, ଚଳିତ ବର୍ଷ ଫେବୃଆରୀ ମାସ ୮ ତାରିଖରେ ଧାରାବା ସରଭୖେୟାଙ୍କ ସହ ତାଙ୍କର ବିବାହ ହୋଇଥିଲା ।  କିଛି ଦିନ ଭଲରେ ବିତିବା ପରେ ଆରମ୍ଭ ହୋଇଥିବା ଅଶାନ୍ତି ।  ଆଉ ଏହି ଅଶାନ୍ତି ଏତେ ମାତ୍ରାରେ ବଢିଗଲା ଯେ, ମାତ୍ର ୮ ମାସ ମଧ୍ୟରେ ହିଁ ସ୍ତ୍ରୀ ଓ ଶ୍ବଶୁର ଘର ଲୋକଙ୍କ ସହ ବିବାଦ ଚରମ ସୀମାରେ ପହଁଚିଲା । ଏପରିକି ଗତ ସେପ୍ଟେମ୍ବର ମାସରେ ତାଙ୍କ ପତ୍ନୀ ତାଙ୍କ ଏବଂ ତାଙ୍କ ପରିବାର ଲୋକଙ୍କ ବିରୁଦ୍ଧରେ ଘରୋଇ ହିଂସା ମାମଲା ରୁଜୁ କରିଥିଲେ । ଯାହାପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା ଏବଂ ଗୋହିଲ ମଧ୍ୟ ଅକ୍ଟୋବର ୯ ତାରିଖରେ କୋର୍ଟରେ ହାଜର ହୋଇଥିଲେ ।  ଧିରେ ଧିରେ ସେ ଏଥିରେ ଏତେ ମାତ୍ରାରେ ବିଶାଦଗ୍ରସ୍ତ ହୋଇଗଲେ ଯେ,ମୃତ୍ୟୁ ଛଡା ତାଙ୍କୁ ଆଉ କୌଣସି ରାସ୍ତା ଦେଖାଗଲା ନାହିଁ । ହେଲେ ମରିବା ପୂର୍ବରୁ ସେ ଏକ ଭିଡିଓ କରି ଗୋଟି ଗୋଟି କରି ସବୁ କଥା ବଖାଣିଥିଲେ ।  ମୃତ୍ୟୁ ପୂର୍ବର ସେହି ୧୩ ମିନିଟର ଭିଡିଓରେ ବିଶ୍ବରାଜ ଅତ୍ୟନ୍ତ ମାନସିକ ଚାପରେ ଥିବା ଦେଖିବାକୁ ମିଳିଛି । ଯେଉଁଥିରେ ସେ କହିଛନ୍ତି ଯେ, ତାଙ୍କ ପରିବାର ଉପରେ ମିଥ୍ୟା ଆରୋପ ଲଗାଯାଇ ହଇରାଣ ହରକତ କରାଯାଉଛି । ଏହାସହିତ ସେ ଦେଶରେ ଘରୋଇ ହିଂସା ଏବଂ ବୈବାହିକ ବିବାଦ ସମ୍ପର୍କିତ ଆଇନର ପୁନର୍ବିଚାର କରିବାକୁ ସରକାର ଏବଂ ପ୍ରଶାସନକୁ ଅନୁରୋଧ କରିଛନ୍ତି, ଯଦ୍ଦ୍ବାରା ତାଙ୍କ ଭଳି କୌଣସି ନିର୍ଦ୍ଦୋଶ ପୁରୁଷ କିମ୍ବା ତାଙ୍କର ପରିବାର ଏଭଳି ଚାପର ଶିକାର ହେବେ ନାହିଁ ।

ତେବେ ଘଟଣାଟି ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ, କିଛି ପଥଚାରୀମାନେ ପାହାଡ ନିକଟରେ ମୋଟରସାଇକେଲ ଏବଂ ମୋବାଇଲ ଫୋନ୍ ଦେଖି ପୋଲିସକୁ ଖବର ଦେଇଥିଲେ । ଯାହାପରେ ପ୍ରାୟ ୨୪ ଘଣ୍ଟାର ପରିଶ୍ରମ ପରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଲାଇଛି । ଏହି ଘଟଣା ପୁଣିଥରେ ସମାଜରେ ବୈବାହିକ ବିବାଦ ଏବଂ ଆଇନଗତ ପ୍ରକ୍ରିୟା ମଧ୍ୟରେ ସୃଷ୍ଟି ହେଉଥିବା ମାନସିକ ଚାପକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ରାୟଗଡ଼ାରେ ଜନନୀ ଯନ୍ତ୍ରଣା: ଷ୍ଟ୍ରେଚରରେ ବୁହା ହେଲେ ପ୍ରସୂତି

ନନ୍ଦିଘୋଷ ବ୍ୟୁରୋ : ପୁଣି ଜନନୀ ଯନ୍ତ୍ରଣା । ଷ୍ଟ୍ରେଚରରେ ଏକ କିଲୋମିଟର ବୁହା ହେଲେ ଜନନୀ । ରାୟଗଡା ଜିଲ୍ଲା କାଶୀପୁରରେ ପୁଣି ସାମ୍ନାକୁ ଆସିଛି ଏହି ଜନନୀ ଯନ୍ତ୍ରଣାର ଚିତ୍ର । ସାହିକୁ ଆମ୍ବୁଲାନ୍ସ ଆସି ନପାରିବାରୁ ଏକ କିଲୋମିଟର ଷ୍ଟ୍ରେଚରରେ ବୁହାହେଲେ ଜଣେ ପ୍ରସୂତି। କାଶୀପୁର ବ୍ଳକର ସରମ୍ବାଇ ଗ୍ରାମର ଗୈାଡସାହିରେ ଏହି ଘଟଣା ଦେଖିବାକୁ ମିଳିଛି । ଗାଁର ସୁନାଧର ଗୌଡଙ୍କ ପତ୍ନୀ ବିମଳା ଗୌଡଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ରାସ୍ତା ନଥିବାରୁ ଗାଁଠାରୁ ଏକ କିଲୋମିଟର ଦୂରରେ ଅଟକି ରହିଥିଲା ଆମ୍ବୁଲାନ୍ସ ।

ଆମ୍ବୁଲାନ୍ସ କର୍ମଚାରୀ ଷ୍ଟ୍ରେଚର ନେଇ ବିମଳାଙ୍କ ଘରେ ପହଞ୍ଚିବା ପୂର୍ବରୁ ଘରେ ହିଁ ତାଙ୍କର ପ୍ରସବ ହୋଇଯାଇଥିଲା । ମା ଏବଂ ନବଜାତ ଶିଶୁର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ କର୍ମଚାରୀ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ପରେ ଉଭୟଙ୍କୁ କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାପରେ ଉଭୟ ମାଆ ଏବଂ ନବଜାତ ଶିଶୁର ସ୍ବାସ୍ଥ୍ୟ ଅବସ୍ଥା ସଠିକ ଥିବା ଡାକ୍ତର ସୂଚନା ଦେଇଛନ୍ତି ।