spot_img
Home Blog Page 2756

ମନରେଗାରେ ମହାଦୁର୍ନୀତି ଅଭିଯୋଗ

ଉମକୋଟ: ରାସ୍ତା ଗାଏବ୍‌ । ଅନେକ ଜିନିଷ ଚୋରି ବା ଗାଏବ ହେବାର ଆପଣ ଶୁଣିଥିବେ । କିନ୍ତୁ ରାସ୍ତା ଗାଏବ ହୋଇଯାଇଥିବା କଥା ଶୁଣି ନଥିବେ । ଏପରି ଅଭିଯୋଗ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମାରୁ ଆସିଛି । ଏଠାରେ କାଗଜ କଲମରେ ଏକ ରାସ୍ତା ତିଆରି ହୋଇଛି, କିନ୍ତୁ ସେହି ରାସ୍ତା ଏବେ କେଉଁଠି, ଲୋକ ଖୋଜୁଛନ୍ତି । ୧୦ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି । ବ୍ଲକ୍ ଅଫିସ ଘେରାଉ କରି ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଞ୍ଚଳ ଲୋକ ।

ମନରେଗାରେ ମହାଦୁର୍ନୀତି ଅଭିଯୋଗ । ରାସ୍ତା ନିର୍ମାଣ ନ ହୋଇ ବିଲ୍ ପାସ୍ । ରାସ୍ତା ବଦଳରେ ପୋଖରୀ ବନ୍ଧ କାମ କରି ୧୦ ଲକ୍ଷ ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ବ୍ଲକ୍ ଅଫିସ ଘେରାଉ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁର ଲୋକ । ଶ୍ରମିକ ଭାବେ ସାଧାରଣ ବର୍ଗ ଓ ସରକାରୀ ଚାକିରି କରିଥିବା ଲୋକଙ୍କ ନାଁରେ ଟଙ୍କା ଉଠିଥିବା ଅଭିଯୋଗ ହୋଇଛି । ପୂର୍ଣିବନ୍ଧଠାରୁ ଯେଉଁ ଗାଁକୁ ରାସ୍ତା ଯାଇଛି ସେହି ଗାଁର ପ୍ରକୃତ ନାଁ ଉଦୁଲିବେଡ଼ା। କାର୍ଯ୍ୟାଦେଶରେ ଗାଁର ନାଁକୁ ଉଦୁଲିବେଡ଼ା ବଦଳରେ ଉଦୁଲିପଡ଼ା ବୋଲି ଦର୍ଶାଯାଇଛି । କିନ୍ତୁ ରାସ୍ତା ତିଆରି ହୋଇନାହିଁ । କେମିତି ବିଲ୍ ପାସ୍ ହେଲା ବୋଲି ଝରିଗାଁ ବାସିନ୍ଦା ପ୍ରଶ୍ନ କରିଛନ୍ତି ।

ଏହି ରାସ୍ତାକୁ ପରବର୍ତ୍ତୀ ସମୟରେ ବଦଳାଇ ପୂର୍ଣିବନ୍ଧର ଚାରିକଡ଼ରେ କଂକ୍ରିଟ ରାସ୍ତା ତିଆରି କରାଯାଇଛି ବୋଲି କହିଛନ୍ତି ସରପଞ୍ଚ ଏବଂ ଝରିଗାଁ ବିଡିଓ । ଏଥିପାଇଁ ଝରିଗାଁ ବାସିନ୍ଦାଙ୍କ ସହମତି ନିଆ ଯାଇଥିବା ବିଡିଓ କହିଛନ୍ତି । ତେବେ ଅଭିଯୋଗ ଆସିବା ପରେ ତଦନ୍ତ କରାଯିବ ବୋଲି କହିଛନ୍ତି ବିଡିଓ ।

ଆଚାର ଏବଂ ଚିପ୍ସ କରି ସ୍ବାବଲମ୍ବୀ ଆଦିବାସୀ ମହିଳା

ଫୁଲବାଣୀ: ପଣସ ଆଚାର ଏବଂ ଚିପ୍ସ କରି ରୋଜଗାର କରୁଛନ୍ତି ମହିଳା । କନ୍ଧମାଳ ଜିଲ୍ଲାରେ ଉତ୍ପାଦିତ ପଣସକୁ ପ୍ରଶାସନ ଦେଇଛି ନୂଆ ପରିଚୟ । “କନ୍ଧମାଳ ଜ୍ୟାକ୍‌ଫୁଟ୍’ ନାଁରେ ତିଆରି ହେଉଛି ଚଟପଟା ଆଚାର ଏବଂ ଚିପ୍ସ। କଞ୍ଚା, ଦରପାଚିଲା ଏବଂ ପାଚିଲା ପଣସରୁ ଏହି ଚିପ୍ସ ଏବଂ ଆଚାର ପ୍ରସ୍ତୁତ କରାଯାଇଛି। ଏସ୍ଏଚଜି ମହିଳା ମାନେ  ଏହି ସୁସ୍ବାଦୁ ଖାଦ୍ୟକୁ ପ୍ରସ୍ତୁତ କରୁଛନ୍ତି । ଓଡ଼ିଶାର ବିଭିନ୍ନ ସହରକୁ ପଣସ ଆଚାର ପହଞ୍ଚାଯିବାର ଲକ୍ଷ୍ୟ ରଖାଯାଇଛି l

ଚଟପଟା ପଣସ ଖଟା । ମିଠା ପଣସ ଖଟା ଏବଂ ପଣସ ଚିପ୍ସ ପ୍ରସ୍ତୁତ କରୁଛନ୍ତି ମହିଳା ।  କନ୍ଧମାଳ ଜିଲ୍ଲାର ଆଦିବାସୀ ମହିଳାମାନେ ସ୍ବାଦିଷ୍ଟ ଆଚାର ପ୍ରସ୍ତୁତ କରି ରୋଜଗାର କରୁଛନ୍ତି । ସ୍ଥାନୀୟ ଅଞ୍ଚଳରେ ଆମ୍ବ ପଣସ ଭଳି ଅନେକ ଫଳ ମିଳେ l ଅଧିକାଂଶ ସମୟ ଏସବୁ ବିକ୍ରି ନହୋଇ ନଷ୍ଟ ହୋଇଯାଏ । ଏହାର ବ୍ୟବହାର ପାଇଁ ଜିଲ୍ଲା ପ୍ରଶାସନ ସହଯୋଗରେ ପଣସକୁ ନେଇ ଆଚାର ଏବଂ ଚିପ୍ସ ପ୍ରସ୍ତୁତ ହେଇଛି। ଏସଏଚଜି ଗ୍ରୁପର ମହିଳା ମାନେ ଏହାକୁ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଛନ୍ତି । ବିଭିନ୍ନ ପ୍ରକାର ଆଚାର ମଧ୍ୟରେ ପଣସକୁ ନେଇ ଆଚାର ଟିକେ ନିଆରା ଏବଂ ଭିନ୍ନ ସ୍ବାଦର ଥିବାରୁ ଏହାକୁ ନେବାର ଗ୍ରାହକ ଆଗ୍ରହ ପ୍ରକାଶ କରୁଛନ୍ତି।

’ସେଣ୍ଟର ଅଫ୍ ଏକ୍ସିଲେନ୍ସି’ ନାମକ  ୟୁନିଟ୍ ଖୋଲାଯାଇ ପଣସରୁ ଚିପ୍ସ କରାଯାଉଚିl  ଆଇଟିଡିଏ ଏହି ୟୁନିଟ୍ ପାଇଁ ଆର୍ଥିକ ସହାୟତା କରିଛନ୍ତି l ପଣସ ଚିପ୍ସ ପାଇଁଲ ପ୍ରଥମେ ପଣସକୁ ଭଲ ଭାବେ ସଫା କରାଯାଇ ପିସ୍ ପିସ୍ କରି କାଟି ତାକୁ ତେଲରେ ଛଣାଯାଏ । ଏହାପରେ ସେଥିରେ କିଛି ମସଲା ଦିଆଯାଏ l  ଚିପ୍ସ  ପ୍ୟାକେଟକୁ 30 ଟଙ୍କାରେ ବିକ୍ରି କରାଯାଉଛି l ଏକ କିଲୋ ଚିପ୍ସକୁ 300 ଟଙ୍କା ରହିଛି । ଗ୍ରାହକ ମଧ୍ୟ ସ୍ପାଇସି ଚିପ୍ସ ଖାଇବାକୁ ପସନ୍ଦ କରୁଛନ୍ତି । ଭଲ ଦୁଇ ପଇସା ରୋଜଗାର କରିପାରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମହିଳା ।

ଏଣିକି ହୋମ ଲୋନରେ ମିଳିବ ସବସିଡି !

ନୂଆଦିଲ୍ଲୀ: ଆସିପାରେ ଖୁସି ଖବର । ଏଣିକି ହୋମ ଲୋନରେ ମିଳିପାରେ ସବସିଡି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ଘୋଷଣା ହୋଇପାରେ ବୋଲି କୁହାଯାଉଛି । ତେବେ ଆଜିକାଲି ଘର ତିଆରି କରିବା କିମ୍ବା କେତେ ମହଙ୍ଗା ହୋଇଛି ତାହା ସମସ୍ତଙ୍କୁ ବେଶ ଭଲଭାବେ ଜଣା । ତେବେ ସରକାର ହୋମ ଲୋନରେ ସବସିଡି ଦେଇପାରନ୍ତି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଆସନ୍ତା ୫ ବର୍ଷ ପାଇଁ ସହରୀ ଗୃହ ପାଇଁ ସବସିଡି ଋଣ ଯୋଗାଇବା ପାଇଁ ସରକାର ୬୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରୁଛନ୍ତି ।

୨୦୨୩ ସାଧାରଣ ନିର୍ବାଚନ ପୂର୍ବରୁ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିପାରନ୍ତି । ଯେପରିକି କିଛିଦିନ ପୂର୍ବରୁ ଏଲପିଜି ଦରରେ ସବସିଡି ଘୋଷଣା କରିଛନ୍ତି । ତେବେ ହୋମ ଲୋନରେ ସବସିଡି ପାଇଁ ବ୍ୟାଙ୍କମାନଙ୍କ ସହ ମଧ୍ୟ ଆଲୋଚନା ହୋଇପାରେ । ଚଳିତ ସ୍ବାଧିନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏହି ସ୍କିମ ସମ୍ପର୍କରେ ନିଜର ଅଭିଭାଷଣରେ କହିଥିଲେ । କିନ୍ତୁ ଏଯାବତ କୌଣସି ସରକାରୀ ସୂଚନା ମିଳିନାହିଁ । ତେବେ ଏହି ସ୍କିମରେ ଲୋନ ରାଶି ୯ ଲକ୍ଷ କିନ୍ତୁ ୩ରୁ ୬.୫ ପ୍ରତିଶତ ମଧ୍ୟରେ ବାର୍ଷିକ ସବସିଡି ରହିବ । ଋଣ ରାଶି ପ୍ରଦାନ କରାଯିବାର କାର୍ଯ୍ୟକାଳ ୨୦ ବର୍ଷ ରହିଥିବାବେଳେ ୫୦ ଲକ୍ଷରୁ କମ ରହିଛି ଋଣ ରାଶି ।

ଜଣେ ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ ସବସିଡି ସିଧା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ୨୦୨୮ ପର୍ଯ୍ୟନ୍ତ ପ୍ରସ୍ତାବିତ ଏହି ସ୍କିମକୁ ଅନ୍ତିମ ରୂପ ଦିଆଯିବ । ମନ୍ତ୍ରୀ ମଣ୍ଡଳରେ ଅନୁମୋଦନ ଆବଶ୍ୟକ ରହିଛି । ତେବେ ସହରାଞ୍ଚଳରେ ସ୍ବଳ୍ପ ଆୟ କରୁଥିବା ବ୍ୟକ୍ତି ବିଶେଷ ୨୫ ଲକ୍ଷ ଟଙ୍କାର ଋଣ ଆବେଦନକାରୀ ହିତାଧିକାରୀ ଉପକୃତ ହୋଇପାରିବେ । ସାଧିନତା ଦିବସରେ ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣରେ କହିଥିଲେ କି, ଆଗକୁ ଆମେ ଏକ ନୂଆ ଯୋଜନା ଆଣୁଛୁ ଯାହାକି ସହରରେ ରହିଥିବା ନିମ୍ନ ମଧ୍ୟବିତ ପରିବାରର ଲୋକେ ଉପକୃତ ହେବେ ।

ବିଜେପି ସହ ମେଣ୍ଟ ଭାଙ୍ଗିଲା AIADMK

ଚେନ୍ନାଇ: ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା । NDA ମେଣ୍ଟରୁ ଅଲଗା ହେଲା AIADMK । ସୋମବାର ତାମିଲନାଡ଼ୁ ପାର୍ଟି ମୁଖ୍ୟ କାର୍ଯ୍ୟାଳୟରେ ଅୁନଷ୍ଠିତ ଏକ ବୈଠକ ପରେ ଏଭଳି ଘୋଷଣା କରାଯାଇଛି । ଲୋକସଭା ନିର୍ବାଚନରେ ଏକାକି ନିର୍ବାଚନ ଲଢ଼ିବେ ବୋଲି ସିଧା ସିଧା କହି ଦେଇଛନ୍ତି । କିଛିଦିନ ହେବ ବିବାଦୀୟ ମନ୍ତବ୍ୟକୁ ନେଇ ଉଭୟ ଦଳ ମଧ୍ୟରେ ବିବାଦ ଲାଗିଥିଲା । ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଏନ ଆନ୍ନା ଦୁରାଇଏବଂ ତାମିଲନାଡ଼ୁ ବିଜେପି ମୁଖ୍ୟ କେ.ଆନ୍ନାମଲାଇଙ୍କ ମଧ୍ୟରେ ତିକ୍ତତା ତଥା ବିବାଦୀୟ ମଣ୍ଡବ୍ୟ ଲାଗି ରହିଥିଲା ।  1956 ମସିହାରେ ମଦୁରାଇରେ ଏକ କାର୍ଯ୍ୟକ୍ରମରେ ଅନ୍ନଦୁରାଇ ହିନ୍ଦୁ ଧର୍ମକୁ ଅପମାନିତ କରିଥିବା ଅଭିଯୋଗ ହେବା ପରେ ଅନ୍ନାମଲାଇଙ୍କ ମନ୍ତବ୍ୟ ଏକ ବିବାଦ ସୃଷ୍ଟି କରିଥିଲା। ବିଜେପି ନେତା ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଅନ୍ନଦୁରାଇଙ୍କୁ ମଦୁରାଇରେ ଲୁଚାଇ ରଖାଯାଇଛି ଏବଂ ସେ କ୍ଷମା ମାଗିବା ପରେ ସେ ଖସି ପଳାଇଛନ୍ତି।

ଲୋକସଭା ନିର୍ବାଚନ ପୂର୍ବରୁ ଏନଡିଏକୁ ଝଟକା । ତାମିଲନାଡୁରେ ଭାଙ୍ଗିଲା ବିଜେପି-ଏଆଇଏଡିଏମକେ ମେଣ୍ଟ । ବିଜେପି ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ କେତେକ ବିବାଦୀୟ ବୟାନ ପରେ ଭାଙ୍ଗିଛି ମେଣ୍ଟ । ବିଜେପି ସହ ମେଣ୍ଟ ଭାଙ୍ଗିବା ନେଇ ଘୋଷଣା କରିଛନ୍ତି ଏଆଇଏଡିଏମକେ ଉପସାଧାରଣ ସମ୍ପାଦକ କେ.ପି. ମୁନୁସ୍ବାମୀ । ଏମପି, ଏମଏଲଏ ଓ ଜିଲ୍ଲାସ୍ତରୀୟ ନେତାଙ୍କ ଉପସ୍ଥିତିରେ ଏହି ଘୋଷଣା କରାଯାଇଛି । ଗତ କିଛି ମାସ ଧରି ଏଆଇଏଡିଏମର ନେତାଙ୍କ ବିରୋଧରେ ଆନ୍ନାମଲାଇ ଦେଉଥିବା ବୟାନକୁ ବିରୋଧ କରି ଦଳ ଏହି ନିଷ୍ପତ୍ତି ନେଇଛି । ଗତ ଶନିବାର ଦିଲ୍ଲୀରେ ଦୁଇ ଦଳ ମଧ୍ୟରେ ତାଳିପକା ନେଇ ଆଲୋଚନା ହୋଇଥିଲେ ବି ତାହା ବିଫଳ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ସିଏନ ଆନ୍ନାଦୁରାଇଙ୍କ ସମ୍ପର୍କରେ ଆନ୍ନାମଲାଇ ଭୁଲ ମାଗନ୍ତୁ ନତୁବା ଜଣେ ନିର୍ବିବାଦୀୟ ବ୍ୟକ୍ତିଙ୍କୁ ରାଜ୍ୟ ସଭାପତି କରାଯାଉ ବୋଲି ଦାବି କରିଥିଲେ ଏଆଇଏଡିଏମକେ ନେତା । ମାତ୍ର ଏହା ସମ୍ଭବ ନହେବାରୁ ଶେଷରେ ମେଣ୍ଟ ଭାଙ୍ଗିଛି । ଆନ୍ନାଦୁରାଇ ହେଉଛନ୍ତି ଏଆଇଏଡିଏମକେ ପ୍ରତିଷ୍ଠାତା ଏମଜି ରାମଚନ୍ଦ୍ରନଙ୍କ ଅନୁଗତ ।

ସହାୟତା ଖୋଜୁଛନ୍ତି ସଞ୍ଜୟ

ପାଟକୁରା: ସହାୟତା ଖୋଜୁଛନ୍ତି ପକ୍ଷାଘାତ ରୋଗୀ । ଜଣେ ହାସ୍ୟ କଳାକାର ଭାବେ ଅନେକ ମଞ୍ଚରେ ସମ୍ମାନିତ ହୋଇଥିବା ସଞ୍ଜୟ ଏବେ ଶଯ୍ୟାସାୟୀ । ଶରୀରର ଅନେକ ସ୍ନାୟୁ ଦୁର୍ବଳ ହୋଇପଡିଛି । ସହପାଠୀ ଓ ସାଙ୍ଗ ମାନେ ସହାୟତାର ହାତ ବଢ଼ାଇଛନ୍ତି । ପକ୍କାଘର ନଥିବାରୁ ହନ୍ସସନ୍ତ ହେଉଛନ୍ତି ସଞ୍ଜୟ ।

ସହାୟତା ଖୋଜୁଛନ୍ତି ପକ୍ଷାଘାତ ରୋଗୀ। ଜନ୍ମରୁ ସାମାନ୍ୟ ଭିନ୍ନକ୍ଷମ ଥିଲେ ପାଟକୁରାର ସଞ୍ଜୟ ଜେନା। ତଥାପି ଉଚ୍ଚ କୋଟିର ପ୍ରତିଭା ଭରି ରହିଥିଲା ତାଙ୍କ ପାଖରେ। ଜଣେ ହାସ୍ୟ କଳାକାର ଭାବେ ଅନେକ ମଞ୍ଚରେ ସମ୍ମାନୀତ ହୋଇଥିବା ସଞ୍ଜୟ ନିଜ ଶିକ୍ଷାଗତ ଯୋଗ୍ୟତା ବଳରେ ଛୋଟ ଛୋଟ ପିଲାଙ୍କୁ ଟିଉସନ ମଧ୍ୟ କରୁଥିଲେ। ହେଲେ ଗୋଟେ ଦୁର୍ଘଟଣା ବଦଳାଇଦେଲା ସଞ୍ଜୟଙ୍କ ଜୀବନ। ପକ୍ଷଘାତ ରୋଗରେ ପୀଡିତ ହୋଇ ସେ ବର୍ତ୍ତମାନ ଶଯ୍ୟାସାୟୀ। ସଂଜୟଙ୍କ ଶରୀରର ଅନେକ ସ୍ନାୟୁ ଦୁର୍ବଳ ହୋଇପଡିଛି। ଅବିବାହିତ ଥିବାରୁ ସେବା କରିବାକୁ କେହି ନାହାନ୍ତି। ସମ୍ପର୍କୀୟ ଭାଇ ମାନେ ସଞ୍ଜୟଙ୍କ ସେବା କରନ୍ତି ସତ କିନ୍ତୁ ତାହା ସବୁବେଳେ ସମ୍ଭବ ହୁଏନି । ଆଜି ପର୍ଯ୍ୟନ୍ତ ସଂଜୟ ଙ୍କ ଚିକିତ୍ସା ପାଇଂ କୌଣସି ସରକାରୀ ସହାୟତା ମିଳିନଥିବା ବେଳେ ତାଙ୍କର ପକ୍କା ଘର ଖଣ୍ଡିଏ ମଧ୍ୟ ନାହିଁ।

ସଂଜୟଙ୍କ ଏଭଳି ଦୁରାବସ୍ଥା ଦେଖି ତାଙ୍କର ସହପାଠୀ ଓ ସାଙ୍ଗ ମାନେ ସହାୟତାର ହାତ ବଢ଼ାଇଛନ୍ତି  ।  ଏଥିସହ କେନ୍ଦ୍ରାପଡ଼ା କୋପରେଟିବ ବ୍ୟାଙ୍କ ତରଫରୁ ସଂଜୟଙ୍କୁ ୧୦ ହଜାର ଟଙ୍କା ସହାୟତା ରାଶି ଯୋଗାଇ ଦିଆଯାଇଛି। ଜ୍ଞାନ ଦେବି ଗୁଜୁରାଣ ସହାୟତା ଯୋଜନାରେ ତାଙ୍କୁ ପ୍ରତି ମାସ ରେ ଏକ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦିଆଯାଇଛି । ସଞ୍ଜୟ ଙ୍କ ଏଭଳି ଅବସ୍ଥା ସମ୍ପର୍କରେ ଡେରାବିଶ ବିଡ଼ିଓଙ୍କୁ ଅବଗତ କରାଇବା ପରେ ସେ ପ୍ରଶାସନିକ ସ୍ତରରେ ସମ୍ପୂର୍ଣ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି।

 

 

୫ ବର୍ଷରେ କୁଆଖାଇରେ ଗଲାଣି ୫୦ ମୁଣ୍ଡ

ଭୁବନେଶ୍ବର: ପାଣି ନେଉଛି ପ୍ରାଣ। କୁଆଖାଇ ଗଣ୍ଡରେ ଛକି ବସିଛି କାଳ।  କିଏ ଗାଧେଇବାକୁ ଯାଇ ସଲୀଳ ସମାଧି ନେଉଛି ତ ଆଉ କିଏ ଜଳକ୍ରୀଡ଼ା କରି ପ୍ରାଣ ହରାଉଛି । ପୁଅକୁ ହରାଇ ମା କୋଳ ହେଉଛି ଶୂନ୍ୟ । ମୃତ୍ୟୁ ରୋକିବାକୁ ନଦୀ ପଠାରେ ପୋଲିସ ଲଗାଇଲା ସର୍ତକ ସୂଚନା । ୫ ବର୍ଷରେ ନଦୀରେ ଗଲାଣି ୫୦ ମୁଣ୍ଡ । ରିଲ୍ସ ସାଙ୍ଗକୁ ଫଟୋସୁଟ । ଜଙ୍ଗଲ ପରିବେଶର ଭୋଜିଭାତ । ନିଶା ପରେ ସାନ୍ନ ପାଲଟୁଛିଶେଷ ଯାତ୍ରା ଜୁନ ୨୮, ୨୦୨୩ ।କୁଆଖାଇ ନଦୀରେ ବୁଡି ୩ ଇଞ୍ଜିନିୟର ଛାତ୍ରଙ୍କ ମୃତ୍ୟୁ ।ଜୁଲାଇ ୧୧, ୨୦୨୩ ୪ ଜଣ ଏମବିଏ ଛାତ୍ର ପାଣିରେ ବୁଡି ମୃତ୍ୟୁ ।

ଏ ସବୁ ଭୁବନେଶ୍ୱର ଉପକଣ୍ଠ କୁଆଖାଇ, କୁଶଭଦ୍ରା, ଭାର୍ଗର୍ବୀ, ଦୟା ନଦୀ ଓ ସହରରେ କିଛି ପୋଖରୀର ଗାଧେଇବାକୁ ଯାଇ ଜୀବନ ହାରିଛନ୍ତି । ଏ ଘଟଣାରେ ପରେ ଖୋର୍ଦ୍ଦା ଜିଲ୍ଲା ପ୍ରଶାସନ କମିଶନରେଟ ପୋଲିସ ସହାୟତାରେ ଉପକଣ୍ଠର ନଦୀ ପଠାରେ ମତ୍ୟୁ ରୋକିବାକୁ ପୋଲିସ ଲଗାଯାଇଛି ସର୍ତକ ସୂଚନା । ନଦୀର ଗଭୀର ଥିବାରୁ ଗାଧେଇବା କିମ୍ବା ଶୌଚ ହେବାକୁ ଯାଆନ୍ତୁ ନାହିଁ । ନଦୀ ପଠାରେ ଥିବା ଜଙ୍ଗଲରେ ଭୋଜିଭାତ କରନ୍ତୁ ନାହିଁ । ନଦୀ ପଠାରେ ନିଶା ସେବନ କରନ୍ତୁ ନାହିଁ । କୌଣସି ଅଘଟଣ ଦେଖିଲେ ତୁରନ୍ତ ସ୍ଥାନିୟ ପୋଲିସିଙ୍କୁ ଖବର ଦିଅନ୍ତୁ ବୋଲି ସର୍ତକ ସୂଚନା ଲଗାଇଛି ।

ଗତ ୫ ବର୍ଷ ମଧ୍ୟରେ ନଦୀ ପଠାରେ ବୁଡି ୫୦ଜଣ ଲୋକ ମୁତ୍ୟୁ ହୋଇଛି । ଗତ ୨୦୨୨ରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୨୩ରେ ଏବେ ସୁଦ୍ଧା ୨୭ ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବଇଁଚୁଆ, ଧବଳହାର, କଣ୍ଟାଗୋଠ ଏବଂ ଅଲାରପୁର ଠାରେ ଲଗାଯାଇଥିବା ସତର୍କ ସୂଚନା ଫଳକରେ ବିସ୍ତୃତ ବିବରଣୀ ରହିଛି । କୁଆଖାଇ ନଦୀର ବାମପାର୍ଶ୍ବରେ ସତ୍ୟଭମାପୁର, କଣ୍ଟାଗୋଠ, ଧବଳାହାର, ବଇଁଚୁଆ, ରଙ୍ଗବଜାର, ଟଙ୍କପାଣି ବ୍ରିଜ ନିକଟ ଆଦି ସ୍ଥାନରେ କୁଆଖାଇ ଶଯ୍ୟାରେ ଗଭୀର ଗଣ୍ଡ ରହିଛି । ନଦୀ ପଠାକୁ ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ବାରଣ କରାଯାଉଛି । ହେଲେ କିଛି ଲୋକ ନିଶା ସେବନ କରି ଓଲଟି ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । ତେଣୁ କେବଳ ଫଳକ ନୁହେଁ ଜୋରଦାର ପାଟ୍ରୋଲିଂ କରିବା ସହ ଭୋଜିଭାତ ବନ୍ଦ କରିବାକୁ ଦାବି କରିଛନ୍ତି ।

ହେଲମେଟ ନପିନ୍ଧି ଅମାନିଆ ଗଣିଛନ୍ତି ୮୫ କୋଟି ଟଙ୍କା ଜରିମାନା 

ନନ୍ଦିଘୋଷ ବ୍ୟୁରୋ:  ହେଲମେଟ ନପିନ୍ଧି ଅମାନିଆ ଗଣିଛନ୍ତି ୮୫ କୋଟି ଟଙ୍କା ଜରିମାନା  । ଗତ ତିନି ବର୍ଷରେ କେବଳ ଟୁଇନ ସିଟିରେ ବିନା ହେଲମେଟ ଗାଡ଼ି ଚଳାଉଥିବା ସମୟରେ ୮ଲକ୍ଷ ୬୬ହଜାର ୪୬୪ ଜଣ ଧରାପଡ଼ିଛନ୍ତି । ସେମାନଙ୍କ ନିକଟରୁ ଆଦାୟ ହୋଇଛି ୮୫ କୋଟି ୬୭ଲକ୍ଷ ୬୭ହଜାର ୭୦୦ ଟଙ୍କା ଫାଇନ  ।  ସେହିପରି ମୋବାଇଲରେ କଥା ହୋଇ ୧୪ହଜାର ୮ଶହ ୬୫ ଜଣ ଚାଳକ ୬କୋଟି ୬୫ଲକ୍ଷ ୧୨ ହଜାର ୮ଶହ ଟଙ୍କା ଜରିମାନା ଗଣିଛନ୍ତି  । ସେହିପରି ବିନା ସିଟ୍ ବେଲ୍ଟରେ ୧୯ ହଜାର ୬୪୩ ଜଣ ଧରାପଡ଼ିଛନ୍ତି । ସେମାନଙ୍କ ପାଖରୁ ୧ କୋଟି ୮୧ ଲକ୍ଷ ୯୧ ହଜାର ୧୦୦ ଟଙ୍କା ଆଦାୟ ହୋଇଛି  ।

ରଙ୍ଗ୍ ରୁଟରେ ଗାଡି ଚଲାଇ ୧୮ ହଜାର ୭୨୫ ଜଣ ଧରାପଡିଥିବାବେଳେ ସେମାନଙ୍କଠାରୁ ୮କୋଟି ୭୭ଲକ୍ଷ ୯ହଜାର ୧୦୦ ଟଙ୍କା ଜରିମାନା ଆଦାୟ ହୋଇଛି । ମଦ୍ୟପାନ କରି ୫ହଜାର ୬୨୮ ଜଣ ଧରା ପଡିଛନ୍ତି । ସେମାନଙ୍କ ପାଖରୁ ୨କୋଟି ୮୦ଲକ୍ଷ ୮ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । ଗତ ତିନି ବର୍ଷରେ ଟ୍ବିନ ସିଟିରେ ମୋଟ ୧ କୋଟି ୮୫ ଲକ୍ଷ ୨୩୯୪ ଜଣ ଟ୍ରାଫିକ ଉଲଙ୍ଘନକାରୀ ଧରାପଡିଛନ୍ତି । ଟ୍ରାଫିକ ନିୟମ ଉଲ୍ଲଂଘନ ବାବଦରେ ୧୮୬ କୋଟିରୁ ଅଧିକ ଜରିମାନା ଆଦାୟ ହୋଇଛି । ବିଧାୟକ ସୌଭିକ ବିଶ୍ବାଳଙ୍କ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ଏହି ଉତ୍ତର ରଖିଛନ୍ତି  ।

ସମ୍ବାଦର ବାର୍ତ୍ତା ସମ୍ପାଦକ ଅରବିନ୍ଦ ଦାସଙ୍କ ଭାଇଙ୍କ ଜବରଦଖଲ ଜମି ଉଚ୍ଛେଦ କରୁଛି ପ୍ରଶାସନ

ବଲାଙ୍ଗୀର: ବଲାଙ୍ଗୀରରେ ସମ୍ବାଦ ବାର୍ତ୍ତା ସମ୍ପାଦକଙ୍କ ଭାଇ ସରକାରୀ ଜମି ଜବରଦଖଲ କରିଥିବା ପ୍ରସଙ୍ଗ । ଜବରଦଖଲ ଜମିରେ ହୋଇଥିବା ଘରକୁ ଭାଙ୍ଗିଲା ପ୍ରଶାସନ । ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ସାମନା ସରକାରୀ ଜମିକୁ ସମ୍ବାଦ ବାର୍ତ୍ତା ସମ୍ପାଦକ ଅରବିନ୍ଦ ଦାସଙ୍କ ଭାଇ ଜବରଦଖଲ କରିଥିଲେ । ନିଜ କ୍ଷମତା ବଳରେ ବର୍ଷ ବର୍ଷ ଧରି ସରକାରୀ ଜମି ଜବରଦଖଲ କରି ଷ୍ଟଲ, କୋଚିଂ ସେଣ୍ଟର ସହ ଦୁଇ ମହଲା କୋଠା ନିର୍ମାଣ କରି ବ୍ୟବସାୟ ଚଳାଇଥିବା ଅଭିଯୋଗ ହୋଇଥିଲା । ସମ୍ୱାଦ ବର୍ତ୍ତା ସଂପାଦକ ଅରବିନ୍ଦ ଦାସଙ୍କ ଭାଇ ପ୍ରତ୍ୟୁଷ ଦାସ ଅଧା ଏକରରୁ ଅଧିକ ଜମି ଜବରଦଖଲ କରିଥିଲେ । ଏହା ଉପରେ ୧୨ଟି ଦୋକାନ ଘର ଓ ୨ମହଲା କୋଠା ରହିଥିଲା । ଏନେଇ ଅଭିଯୋଗ ଆସିବା ପରେ ଗତ ୨୨ ତାରିଖରେ ତହସିଲଦାରଙ୍କ ନେତୃତ୍ବରେ ୮ଜଣିଆ ଟିମ୍ ମାପଚୁପ କରିଥିଲେ । ଦୁଇ ଦିନ ଧରି ଚାଲିଥିଲା ମାପଚୁପ ଓ କାଗଜପତ୍ର ଯାଞ୍ଚ । ଏଥିରେ ଜବରଦଖଲ ସ୍ପଷ୍ଟ ହୋଇଥିଲା । ଏହାପରେ ତହସିଲଦାର ଓ ପୋଲିସ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଛି ।

ମରଣଯନ୍ତା ପାଲଟିଛି ୫୫ ନମ୍ବର ଜାତୀୟ ରାଜପଥ, ବିଧାନସଭାରେ ଉଠିଲା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ

ଭୁବନେଶ୍ବର: ବିଧାନସଭାରେ ଉଠିଲା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ । ମରଣଯନ୍ତା ପାଲଟିଛି ୫୫ ନମ୍ବର ଜାତୀୟ ରାଜପଥ । ଦୀର୍ଘ ବର୍ଷ ହେଲା ସରୁନି କାମ । ଅନେକ ଜୀବନ ଗଲାଣି । ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ବେଳେ କେନ୍ଦ୍ର ସରକାର କିନ୍ତୁ ଏ ଦିଗରେ ପଦକ୍ଷେପ ନେଉନାହାନ୍ତି । ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ, ଏନେଇ ବାରମ୍ବାର ସ୍ବର ଉଠାଇଛି ବିଜେଡି । କିନ୍ତୁ ରାଜ୍ୟ ପ୍ରତି କେନ୍ଦ୍ର ସରକାର ବାରମ୍ବାର ଅଣଦେଖା କରୁଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟିକା ଦୀପାଳି ଦାସ । ନିଜ ଆସନ ନିକଟରେ ଛିଡ଼ା ହୋଇ କେନ୍ଦ୍ର ବିରୋଧୀ ନାରା ଦେଇଥିଲେ ସରକାରୀ ଦଳ ସଦସ୍ୟ ।

ସେହିପରି କୋଷ୍ଟାଲ ହାଇଓ୍ବେ ପ୍ରସଙ୍ଗ ବି ଉଠାଇଥିଲା ବିଜେଡି । ଏହି ପ୍ରସଙ୍ଗରେ ଆଜି ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ ଆରମ୍ଭରୁ ହୋହଲ୍ଲା ହୋଇଥିଲା । ବିଜେପି ସଦସ୍ୟ ପ୍ରଥମେ ଗୃହର ମଧ୍ୟଭାଗକୁ ଆସି ନାରାବାଜି ଦେଇଥିଲେ । ପ୍ରଶ୍ନକାଳ ଚାଲି ପାରିନଥିଲା । ଫଳରେ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । ଏହାପରେ ପୁଣି ଗୃହ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିବା ପରେ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ବିଜେପି ଠିକ୍ କରିନି । କେନ୍ଦ୍ର ଅବହେଳାର ଉତ୍ତର ବିଜେପି ଦେବା କଥା ବୋଲି ସୁରେଶ ରାଉତରାୟ କହିଛନ୍ତି ।

ଅନ୍ୟପଟେ ଦୀର୍ଘ ବର୍ଷ ଧରି ୫୫ ନମ୍ବର ଜାତୀୟ ରାଜପଥ କାମ ଚାଲିଥିବା କଥା ମାନିଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ । ହେଲେ ଜାତୀୟ ରାଜପଥ ପାଇଁ କେନ୍ଦ୍ର ସରକାର କ’ଣ କରିଛନ୍ତି ବୋଲି ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ ବିଜେପି ବିଧାୟିକା ।

ଆସିବ କି ବାତ୍ୟା? କେଉଁଠି ପଡ଼ିବ ପ୍ରଭାବ

ଭୁବନେଶ୍ବର: ସୋମବାରଠାରୁ ଆରମ୍ଭ ହୋଇଛି ମୌସୁମୀ ଅପସାରଣ ପ୍ରକ୍ରିୟା । ଦକ୍ଷିଣପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ସ୍ବାଭାବିକ ତାରିଖ ୧୭ ସେପ୍ଟେମ୍ବର ତୁଳନାରେ ସୋମବାରଠାରୁ ମୌସୁମୀ ପ୍ରତ୍ୟାବର୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି । ବାୟୁମଣ୍ଡଳରେ ୧.୫ କିଲୋମିଟର  ଉଚ୍ଚତାରେ ଗୁରୁଚାପ ବଳୟ ସୃଷ୍ଟି ହୋଇଛି ।  ଗତ ପାଞ୍ଚ ଦିନ ହେଲା ଦକ୍ଷିଣ ପଶ୍ଚିମ ରାଜସ୍ଥାନ ଏବଂ ଏହାର ଆଖପାଖ ଅଞ୍ଚଳରେ ପାଗ ଶୁଖିଲା ରହିଛି  ।

ପର୍ଯ୍ୟାୟକ୍ରମେ ଅନ୍ୟ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ସେପଟେ ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ପରେ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହେବାକୁ ଯାଉଛି ଘୁର୍ଣ୍ଣିବଳୟ । ପରବର୍ତ୍ତି ୨୪ ଘଣ୍ଟା ଭିତରେ ଏହା ଲଘୁଚାପର ରୂପ ନେଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହା ପ୍ରଭାବରେ ରାଜ୍ୟରେ ପୁଣି ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ମୌସୁମୀ ପ୍ରତ୍ୟାବର୍ତ୍ତନ ସମୟ ଏବଂ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ବାତ୍ୟା ସମ୍ଭାବନାକୁ ଦୃଢୀଭୂତ କରିଛି । ଆଇଏମଡି ବାତ୍ୟା ନେଇ କୌଣସି ସଙ୍କେତ ଦେଇନଥିବା ବେଳେ ଉଇଣ୍ଡର ECMWF ମଡେଲ ବାତ୍ୟା ନେଇ ଆକଳନ କରିଛି ।

ସେହିଭଳି GFS ମଡେଲର  ଆକଳନ କହୁଛି ୨୯ ତାରିଖରେ ସୃଷ୍ଟି ହେବାକୁ ଥିବା ଘୁର୍ଣ୍ଣିବଳୟ ଲଘୁଚାପର ରୂପ ନେଇ ମିଆଁମାର ମୁହାଁ ହୋଇପାରେ । ବର୍ତ୍ତମାନର ବାୟୁମଣ୍ଡଳିୟ ସ୍ଥିତି ଏବଂ ସମ୍ଭାବ୍ୟ ଲଘୁଚାପ ଅଧିକ ଘନିଭୂ୍ତ ହେବା ପାଇଁ ପାଗ ଅନୁକୂଳ ରହିଛି  । ତେବ ଏହା ଅବପାତ କିମ୍ବା ଗଭିର ଅବପାତରେ ପରିଣତ ହୋଇପାରେ ବୋଲି ଆକଳନ କରାଯାଇଛି । ଅକ୍ଟୋବାର ମାସ ଓଡ଼ିଶା ପାଇଁ ବାତ୍ୟାପ୍ରବଣ ମାସ ହୋଇଥିବା ବେଳେ ଆଇଏମଡି ଏହା ଉପରେ ସ୍ବତନ୍ତ୍ର ନଜର ରଖିଛି । ସେପଟେ ଉତ୍ତରପ୍ରଦେଶରୁ ତେଲେଙ୍ଗାନା ମଧ୍ୟରେ ସୃଷ୍ଟି ହୋଇଥିବା ଟ୍ରପଲାଇନ ପ୍ରଭାବରେ ରାଜ୍ୟରେ ଘଡଘଡି ବଜୁଳି ସହ ବର୍ଷା ହେବ । ସୋମବାର ବଜ୍ରପାତ ନେଇ ୨୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଥିବା ବେଳେ ମଙ୍ଗଳବାର ଘଡଘଡି ସହ ପ୍ରବଳ ବର୍ଷା ନେଇ ୧୭ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।