ପଟ୍ଟାମୁଣ୍ଡାଇ: ଝିଅର ପ୍ରେମ ବିବାହକୁ ବିରୋଧ । ଝିଅ ଜୀବିତ ଥାଉ ଥାଉ ଶୁଦ୍ଧିକ୍ରିୟା କଲେ ପରିବାର ଲୋକ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନୂଆବଜାର ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବାପାମାଆ ଝିଅର ପିଣ୍ଡଦାନ କରିଛନ୍ତି । ଆଳି ନୂଆବଜାର ଅଞ୍ଚଳର ଜଣେ ଯୁବକଙ୍କ ସହ ସେହି ଅଞ୍ଚଳର ଜଣେ ଯୁବତୀଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । କିନ୍ତୁ ଯୁବତୀଙ୍କ ପରିବାର ଲୋକ ଏହାକୁ ବିରୋଧ କରିଆସୁଥିଲେ । ତେବେ ସବୁ ବାଧା ବନ୍ଧନକୁ ତୁଟାଇ ଗତ ସୋମବାର ପ୍ରେମିକା -ପ୍ରେମିକ ଆଳିର ଲକ୍ଷ୍ମୀବରାହ ମନ୍ଦିରରେ ବିବାହ କରିଥିଲେ । ଏହି ବିବାହକୁ ଝିଅପକ୍ଷ ଲୋକ ବିରୋଧ କରିବା ସହ ଝିଅର ଶୁଦ୍ଧିକ୍ରିୟା କରିଛନ୍ତି । ଏପରିକି ନିଜ ଘର ସାମ୍ନାରେ ଝିଅର ଫୋଟୋରେ ଫୁଲମାଳ ପକାଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହି ଘଟଣା ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ପୁଅର ମୃତଦେହକୁ ଠେଲାରେ ଧରି ଅନ୍ତିମ ସଂସ୍କାର ପାଇଁ ସହଯୋଗ ଲୋଡ଼ିଲେ ମାଆ, ଶେଷରେ..
ଉତ୍ତରପ୍ରଦେଶ: ପୁଣି ସାମନାକୁ ଆସିଲା ଲଜ୍ଜାଜନକ ଖବର । ପୁଅର ଶବକୁ ଠେଲାରେ ଧରି ଅନ୍ତିମ ସଂସ୍କାର ପାଇଁ ସହଯୋଗ ଲୋଡ଼ିଲା ମାଆ । ଉତ୍ତରପ୍ରଦେଶରୁ ଆସିଛି ଏଭଳି ଖବର । ଜଣେ ମହିଳା ଏବଂ ତାଙ୍କ ସାନପୁଅ ବଡ଼ ପୁଅର ମୃତଦେହକୁ ଠେଲାରେ ଧରି ବୁଲୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଅନ୍ତିମ ସଂସ୍କାର ଲାଗି ସେମାନଙ୍କ ପାଖରେ କୌଣସି ଟଙ୍କା ନଥିବାବେଳେ ସେ ଲୋକଙ୍କୁ ଭିକ୍ଷା ମାଗୁଛନ୍ତି । କିନ୍ତୁ କେହି ତାଙ୍କୁ ସହଯୋଗ କରିନାହାନ୍ତି । ଶେଷରେ ପୋଲିସ ଆସି ଚାନ୍ଦା କରି ସେମାନଙ୍କୁ ସହଯୋଗ କରିବା ସହ ଅନ୍ତିମ ସଂସ୍କାର କରିଛି । ୟୁପିର ମେରଠ ଅଂଚଳର ଏହି ଘଟଣା । ପୋଲିସର ସୂଚନା ମୁତାବକ ଯୁବକଙ୍କ ମୃତଦେହ ମଦ ଦୋକାନ ନିକଟରେ ଦୀର୍ଘ ସମୟ ପଡ଼ି ରହିଥିଲା । ସେପଟେ ସାନ ଭାଇ ଏବଂ ମାଆ ଖୋଜି ଖୋଜି ସେଠାରେ ପହଞ୍ଚିଥିଲେ । ସେମାନେ ମୃତଦେହକୁ ଠେଲାରେ ନେଇଥିଲେ । ମାତ୍ର ଅନ୍ତିମ ସଂସ୍କାର ପାଇଁ ସେମାନଙ୍କ ନିକଟରେ ଟଙ୍କା ନଥିଲା ।
ଅସୁସ୍ଥ ପୁଅକୁ ମେଡିକାଲ ନେଇଥିବା ମାଆଙ୍କ ମୃତ୍ୟୁ
ଜଳେଶ୍ବର: ଅସୁସ୍ଥ ପୁଅକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇ ଯାଇଥିଲେ ମାଆ । କିନ୍ତୁ ଡାକ୍ତରଖାନାରେ ଚାଲିଗଲା ମାଆଙ୍କ ଜୀବନ । ବାଲେଶ୍ବର ଜିଲ୍ଲା ଜଳେଶ୍ୱର ହାତୀଗଡ଼ ଅଞ୍ଚଳରେ ଏଭଳି ଦୁଃଖଦ ଘଟଣା ଘଟିଛି । ରାଇବଣିଆ ଥାନା ଅନ୍ତର୍ଗତ କାଳିକ ପଞ୍ଚାୟତ ରଙ୍ଗାମାଟିଆ ଗାଁର ସଲମନ ମୁର୍ମୁ ଅସୁସ୍ଥ ଥିଲେ । ତାଙ୍କୁ ତାଙ୍କ ମାଆ ମାଇନ ମୁର୍ମୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । କିନ୍ତୁ ହଠାତ ଡାକ୍ତରଖାନାରେ ଅସୁସ୍ଥ ହୋଇପଡ଼ିଥିଲେ ମାଆ ମାଇନ ମୁର୍ମ । ତାଙ୍କର ଚିକିତ୍ସା କରାଯାଇଥିଲା । କିନ୍ତୁ ଡାକ୍ତରଖାନାରେ ମାଆ ମାଇନ ମୁର୍ମୁଙ୍କର ମୃତ୍ୟୁ ହୋଇଛି ।
ଆଜି ଇ-ବସ୍ ଏବଂ ଇ-ରିକ୍ସାରେ ମାଗଣା ଯାତ୍ରା
ଭୁବନେଶ୍ବର: ଗୁରୁବାର ଆନ୍ତର୍ଜାତିକ ସ୍ୱଚ୍ଛ ବାୟୁ ଓ ନୀଳ ଆକାଶ ଦିବସ । ବିଏମ୍ସି ଓ କ୍ରୁଟ ପକ୍ଷରୁ ଅଭିନବ ସଚେତନତା କରାଯାଉଛି । ଇ-ବସ ଏବଂ ଇ-ରିକ୍ସା ରେ ଦିନକ ପାଇଁ ମାଗଣା ଯାତ୍ରା କରିପାରିବେ ଯାତ୍ରୀ । ଯାତ୍ରୀମାନେ ବିନା ମୂଲ୍ୟରେ ଗନ୍ତବ୍ୟସ୍ତଳକୁ ଯାଇପାରିବେ। ଭୁବନେଶ୍ୱର ରେ ଚାଲୁଛି ୫୦ ଇ-ବସ୍ ଓ ୫୦ ଟି ଇ-ରିକ୍ସା ୧୦ ଟି ରୁଟରେ ଚାଲିଛି ଇଲେକ୍ଟ୍ରି ଭେଇକିଲ୍ । ରାଜଧାନୀରେ ପ୍ରଦୂଷଣ କମାଇବାକୁ ଯୋଜନା କରାଯାଇଛି ।
ଅକ୍ଟୋବର ପହିଲାରୁ ଆରମ୍ଭ ହେବ ଭୁବନେଶ୍ବର ବିମାନବନ୍ଦର ରନୱେ ମରାମତି କାମ
ଭୁବନେଶ୍ବର: ଆସନ୍ତା ଅକ୍ଟୋବର ପହିଲାରୁ ଆରମ୍ଭ ହେବ ଭୁବନେଶ୍ବର ବିମାନବନ୍ଦର ରନୱେ ରି-କାର୍ପେଣ୍ଟିଂ ବା ମରାମତି କାମ । ବର୍ଷା କମ୍ ହେଲେ ବିନା ଗୁଳୁଗୁଳିରେ ଏହି କାମ କରାଯାଏ । ଏହା ତିନି ମାସରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ସମୟରେ ରାତିରେ ୮ଘଣ୍ଟା ବନ୍ଦ ରହିବ ବିମାନସେବା । କ୍ୟାଟ ୨ ଲାଇଟର ଫିଟିଂ ବି ଏହି ସମୟରେ ରନୱେରେ ଲଗାଯିବ । ରନୱେ ରିକାର୍ପେଟିଂ ପାଇଁ ୭୨ କୋଟି ଓ କ୍ୟାଟ୍ ୨ ଲାଇଟ ପାଇଁ ୧୯ କୋଟି ଟଙ୍କା ଖର୍ଚ୍ଚ ହେବ । ଏଇ ସମୟରେ ରାତି ୧୦ରୁ ସକାଳ ୬, କିମ୍ବା ରାତି ୧୧ରୁ ସକାଳ ୭ଟା ଯାଏ ବିମାନ ସେବା ବନ୍ଦ ରହିବ ।
ଦିନିକିଆ ବିଶ୍ବକପ ପାଇଁ ଆଉ ୪ ଲକ୍ଷ ଟିକେଟ୍ ବିକ୍ରି କରିବ ବିସିସିଆଇ
ନନ୍ଦିଘୋଷ ବ୍ୟୁରୋ: ଆଗାମୀ ଦିନିକିଆ ବିଶ୍ବକପ୍ ଚାହିଦାକୁ ଦୃଷ୍ଟିରେ ରଖି ବିସିସିଆଇ ପରବର୍ତ୍ତୀ ପର୍ଯ୍ୟାୟରେ ୪ ଲକ୍ଷ ଟିକେଟ୍ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି। ଆୟୋଜକ ରାଜ୍ୟ ସଂଘମାନଙ୍କ ସହିତ ଆଲୋଚନା କରିବା ପରେ ବିସିସିଆଇ ଏହି ନିଷ୍ପତ୍ତି ନେଇଛି । ପ୍ରଥମେ ୭ଟି ପର୍ଯ୍ୟାୟରେ ଭାରତ ଓ ଅଣଭାରତୀୟ ମ୍ୟାଚ୍ଗୁଡ଼ିକ ସହିତ ଅଭ୍ୟାସ ମ୍ୟାଚ୍ଗୁଡ଼ିକ ପାଇଁ ଟିକେଟ୍ ବିକ୍ରି କରାଯାଇଥିଲା। ହେଲେ ଚାହିଦା ଅଧିକ ରହୁଥିବାରୁ ଅନେକ ସଂଖ୍ୟାରେ ପ୍ରଶଂସକମାନେ ଟିକେଟ୍ ପାଇବାରୁ ବଞ୍ଚିତ ହୋଇଥିଲେ। ତେଣୁ ଏହି ଐତିହାସିକ ଇଭେଣ୍ଟରେ ଅଧିକରୁ ଅଧିକ କ୍ରିକେଟ୍ ପ୍ରିୟ ଦର୍ଶକଙ୍କୁ ମ୍ୟାଚ୍ ଉପଭୋଗ ପାଇଁ ସୁଯୋଗ ଦେବାକୁ ବିସିସିଆଇ ଲକ୍ଷ୍ୟ ରଖିଛି। ଏହାଫଳରେ ମ୍ୟାଚ୍ ଦେଖିବା ପାଇଁ ଆଗ୍ରହ ରଖୁଥିବା ପ୍ରଶଂସକମାନେ ଟିକେଟ ପାଇବାରେ ଆଉ ନିରାଶ ହେବେ ନାହିଁ। ବିସିସିଆଇ ସମସ୍ତ ମ୍ୟାଚ୍ଗୁଡ଼ିକ ପାଇଁ ସେପ୍ଟେମ୍ବର ୮ ତାରିଖ ରାତି ୮ଟାରୁ ୱେବସାଇଟ୍ ଜରିଆରେ ଟିକେଟ୍ ବିକ୍ରି କରିବ।
ଭାରତ ଯୋଡ଼ ଯାତ୍ରାକୁ ବର୍ଷେ
ନୂଆଦିଲ୍ଲୀ: ଦେଶରୁ ବିଦ୍ବେଷଭାବ ଦୂର ହେବା ଯାଏ ଚାଲିବ ଭାରତ ଯୋଡ ଯାତ୍ରା । ଭାରତ ଯୋଡ ଯାତ୍ରାର ବାର୍ଷିକୀ ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି- ଭାରତରୁ ବିଦ୍ବେଷଭାବ ଦୂର ହେବା ଯାଏ ତଥା ଭାରତର ଐକ୍ୟ ପ୍ରତିଷ୍ଠା ହେବା ଯାଏ ଏହି ଯାତ୍ରା ଚାଲିବ । ଗତବର୍ଷ କନ୍ୟାକୁମାରୀରୁ କାଶ୍ମୀର ପ୍ରାୟ ୪ ହଜାର କିଲୋମିଟର ଭାରତ ଯୋଡ ଯାତ୍ରା ହୋଇଥିବାବେଳେ ଏହାର ବ୍ୟାପକ ସଫଳତା ପରିଲକ୍ଷିତ ହୋଇଥିଲା । ରାହୁଲ କହିଛନ୍ତି-ଦେଶର ଉତ୍ତମ ଭବିଷ୍ୟତ ଲାଗି ଭାରତ ଯୋଡ ଯାତ୍ରାର ସ୍ବପ୍ନ ସାକାର ହୋଇଛି । ଦେଶର ଐକ୍ୟ ପ୍ରତିଷ୍ଠା ଦିଗରେ ବି ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଏହି ଯାତ୍ରା ।
ଭାରତରେ ସମ୍ପୂର୍ଣ୍ଣ ଐକ୍ୟ ପ୍ରତିଷ୍ଠା ଯାଏ ଏହି ଯାତ୍ରା ଚାଲିବ । ଏହା ତାଙ୍କର ପ୍ରତିଜ୍ଞା । ଏହି ଦୀର୍ଘ ଯାତ୍ରାରେ ୧୨ଟି ସାଧାରଣ ସଭା ଅନୁଷ୍ଠିତ ହୋଇଥିବାବେଳେ ୧୦୦ଟି ପଥପ୍ରାନ୍ତ ସଭା ଓ ୧୩ଟି ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ଏହା ସହ ୩୭୫ରୁ ଅଧିକ ଭାବ ବିନିମୟ କାର୍ଯ୍ୟକ୍ରମ ହୋଇଥିଲା । ଏହି ଯାତ୍ରାବେଳେ ଦେଶର ବିଭିନ୍ନ ରାଜ୍ୟର ହଜାର ହଜାର ଲୋକ ସାମିଲ ହୋଇଥିଲେ ।
କମଳ ହାସନ, ପୂଜା ଭଟ୍ଟ, ରିୟା ସେନ, ସ୍ବରା ଭାସ୍କର, ରଶ୍ମୀ ଦେଶାଇ, ଆକାଂକ୍ଷା ପୁରୀ, ଅମୋଲ ପାଲେକର ପ୍ରମୁଖ ଅଭିନେତା ଓ ଅଭିନେତ୍ରୀ ସାମିଲ ହୋଇଥିଲେ । ଏହା ସହ ପୂର୍ବତନ ସେନାମୁଖ୍ୟ ଦୀପକ କାପୁର, ପୂର୍ବତନ ନୌସେନା ଅଧିକାରୀ ଏଲ. ରାମଦାସ, ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ ରାଜନ, ପୂର୍ବତନ ଅର୍ଥସଚିବ ଅରବିନ୍ଦ ମାୟାରାମ ପ୍ରମୁଖ ସାମିଲ ହୋଇଥିଲେ । ଏହା ସହ ନ୍ୟାସନାଲ କନଫରେନ୍ସ ନେତା ଫାରୁର ଅବଦୁଲ୍ଲା, ଓମାର ଅବଦୁଲ୍ଲା, ପିଡିପିର ମେହବୁବା ମୁଫତି, ଶିବସେନାର ଆଦିତ୍ୟ ଠାକରେ, ପ୍ରିୟଙ୍କା ଚତୁର୍ବେଦୀ, ସଞ୍ଜୟ ରାଓ୍ବତ, ଏନସିପିର ସୁପ୍ରିୟା ସୁଲେ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମଲ୍ଲୀକାର୍ଜୁନ ଖଡଗେ ପ୍ରମୁଖ ସାମିଲ ହୋଇଥିଲେ ।
ସେଲଫି ପଠାଇଲା ଆଦିତ୍ୟ-L1
ନନ୍ଦିଘୋଷ ବ୍ୟୁରୋ: ପୃଥିବୀ ଓ ଚନ୍ଦ୍ରର ଫଟୋ ପଠାଇବା ସହ ଏକ ସେଲଫି ପଠାଇଛି ଆଦିତ୍ୟ ଏଲ-୧ । ଏନେଇ ସୂଚନା ଦେଇଛି ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟସ୍ଥ ଏଲ୧ ପଏଣ୍ଟରେ ଅବସ୍ଥାପିତ ହେବାକୁ ଯାଉଥିବା ଆଦିତ୍ୟ ଏଲ୧ ବର୍ତ୍ତମାନ ସୁଦ୍ଧା ଦୁଇଟି କକ୍ଷପଥ ପରିବର୍ତ୍ତନ କରିସାରିଲାଣି । ପ୍ରାୟ ୪ ମାସର ଯାତ୍ରା ପରେ ଆଦିତ୍ୟ ସ୍ପେସକ୍ରାଫ୍ଟ ଏଲ୧ ପଏଣ୍ଟରେ ଅବସ୍ଥାପିତ ହେବ । ଆଦିତ୍ୟ ପଠାଇଥିବା ସେଲଫିରେ ଦୁଇଟି ପ୍ରମୁଖ ପେଲୋଡ ଭିଜିବଲ ଏମିସନ ଲାଇନ କରୋନାଗ୍ରାଫ ବା ଭିଇଏଲସି ଓ ସୋଲାର ଅଲଟ୍ରାଭାଓଲେଟ ଇମେଜିଂ ଟେଲିସ୍କୋପ ବା ଏସୟୁଆଇଟି ଦୃଶ୍ୟମାନ ହେଉଛି । ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥାପିତ ହେବ ଆଦିତ୍ୟ ଏଲ୧ ।
ଭାରତ ଆସିବା ପୂର୍ବରୁ ଦେଶକୁ ନେଇ ଏମିତି କହିଲେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ
ନନ୍ଦିଘୋଷ ବ୍ୟୁରୋ: ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ ବ୍ରିଟେନର ପ୍ରଧାମନ୍ତ୍ରୀ ଋଷି ସୁନକ । ଭାରତ ଆସିବା ପୂର୍ବରୁ ସେ ଦେଶକୁ ପ୍ରଂଶସା କରିଛନ୍ତି । ଭାରତର ଝିଅଙ୍କୁ ସେ ବିବାହ କରିଥିବାବେଳେ ଦେଶ ସହ ତାଙ୍କର ସମ୍ପର୍କ ଭଲ ରହିଛି । ତେବେ ସୁନକ ଭାରତ ଆସିବା ପୂର୍ବରୁ କହିଛନ୍ତି କି, ମୁଁ ଯେତେବେଳେ ଭାରତ ଆସେ ସେତେବେଳେ ଶାଶୁ-ଶ୍ବଶୁରଙ୍କ ଭେଟେ । ଆମେ ଦୁଇ ଦେଶକୁ ନେଇ କେବେ ମଧ୍ୟ କଥା ହେଇନଥାଉ । ପ୍ରାୟତଃ ଆମର କ୍ରିକେଟକୁ ନେଇ ଚର୍ଚ୍ଚା ହୋଇଥାଏ । ଯେତେବେଳେ କ୍ରିକେଟ ମ୍ୟାଚ ହୁଏ ସେତେବେଳେ ମୋ ଝିଅ ଭାରତକୁ ସପୋର୍ଟ କରେ । ଏବଂ ଫୁଟବଲ ମ୍ୟାଚରେ ବ୍ରିଟେନକୁ ସପୋର୍ଟ କରିଥାଏ । ଏପରିକି ସେ ତାଙ୍କ ଶାଶୁ ଶ୍ବଶୁରଙ୍କ ପାଇଁ ଗର୍ବ ଅନୁଭବ କରନ୍ତି ବୋଲି ମଦ୍ୟ କହିଛନ୍ତି ।
ଆପଣ ଜାଣିଥିବେ ଯେ ଋଷି ସୁନକ ହେଉଛନ୍ତି ୭୩୦ ନିୟୁତ ପାଉଣ୍ଡ୍ ମୂଲ୍ୟର ବ୍ୟକ୍ତିଗତ ସମ୍ପତ୍ତି ଥିବା ବିଶ୍ବର ଅନ୍ୟତମ ବିତ୍ତଶାଳୀ ବିଲିୟନାରିଙ୍କ ମଧ୍ୟରେ ଅନ୍ୟତମ ନାରାୟଣ ମୂର୍ତ୍ତିଙ୍କ ଜ୍ବାଇଁ। ସୁନକ ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ୨୦୦୯ ମସିହାରେ ବାହା ହୋଇଥିଲେ। ବାହା ହେବା ପରେ ପରେ ଋଷି ସୁନକ ଖୁବ୍ ଶୀଘ୍ର ଉନ୍ନତି ପଥରେ ଅଗ୍ରସର ହୋଇଥିଲେ।
ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମଧ୍ୟ ଜଣେ କ୍ଷମତାଶାଳୀ ମହିଳା। ଭାରତରୁ ଯାଇଥିବା ତାଙ୍କ ପିତାମାତା କୋଟି କୋଟି ଟଙ୍କା ମୂଲ୍ୟର ‘ଇମ୍ଫୋସିସ୍ ଟେକ୍ କମ୍ପାନି’ର ମାଲିକ। ୪୨ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିବା ଋଷି ଆଧୁନିକ ଇଂଲଣ୍ଡ ଇତିହାସରେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ। ମାତ୍ର ୭ ବର୍ଷ ସାଂସଦ ହୋଇ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି।
ଉଦୟନିଧିଙ୍କ ପରେ ଏ.ରାଜା, ସନାତନ ଧର୍ମକୁ HIV ସହ କଲେ ତୁଳନା
ନୂଆଦିଲ୍ଲୀ: ଉଦୟନିଧିଙ୍କ ପରେ ଡିଏମକେ ସାଂସଦଙ୍କ ବିବାଦୀୟ ବୟାନ । ସନାତନ ଧର୍ମକୁ HIV ସହ କଲେ ତୁଳନା । କହିଲେ ସନାତନ ଧର୍ମ HIV ଏବଂ କୁଷ୍ଠ ରୋଗ ଭଳି ସାମାଜିକ କଳଙ୍କ ରୋଗ ବୋଲି ଜାଣିବା ଉଚିତ୍ । ଏ. ରାଜା କହିଛନ୍ତି କି, ଉଦୟନିଧି ଡେଙ୍ଗୁ ଏବଂ ମ୍ୟାଲେରିଆ ସହ ସନାତନ ଧର୍ମକୁ ତୁଳନା କରି ନରମ ବୟାନ ଦେଇଛନ୍ତି । ବାସ୍ତବରେ କିନ୍ତୁ ଏହା HIV ଭଳି ସାମାଜିକ କଳଙ୍କ ରୋଗ ଭଳି । ଏହି ବୟାନ ପରେ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି । ପୂର୍ବରୁ ଉଦୟନିଧି ଡେଙ୍ଗୁ ଏବଂ ମ୍ୟାଲେରିଆ ସହ ସନାତନ ଧର୍ମକୁ ତୁଳନା କରିଥିବାବେଳେ ଘଟଣାକୁ ନେଇ ୟୁପିରେ ମାମଲା ମଧ୍ୟ ରୁଜୁ ହୋଇଛି । ସେପଟେ ବିରୋଧୀମାନେ ବାରମ୍ବାର ଅଭିଯୋଗ କରୁଛନ୍ତି କି, ବିଜେପି ସରକାର ଧର୍ମ ନାଁରେ ରାଜନୀତି କରୁଛନ୍ତି ।

