spot_img
Home Blog Page 2804

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବଢ଼ିଲା ଅଡୁଆ, ଆଗୁଆ ଜାମିନ ନାମଞ୍ଜୁର ପରେ ହୋଇପାରନ୍ତି ଗିରଫ

କଟକ: କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ଲୁକଆଉଟ ସର୍କୁଲାର ଜାରି କଲା କମିଶନରେଟ ପୋଲିସ । କଲିକତା ଯାଇଥିବା ପୋଲିସ ଟିମ୍ ସୌରିନଙ୍କୁ ନପାଇ ଖାଲି ହାତରେ ଫେରିଲା । କଲିକତାର ତିନୋଟି ସ୍ଥାନରେ ସୌରିନଙ୍କୁ ଖୋଜିବାକୁ ପ୍ରୟାସ କରିଥିଲା ପୋଲିସ ।

ସୌରିନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ରହିଛି । ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ନାମଞ୍ଜୁର କରିଛନ୍ତି ।

କାଲିଠୁ ନିଖୋଜ ଥିଲେ, ଆଜି ଚିଲିକାରେ ମିଳିଲା ମୃତଦେହ

ଖୋର୍ଦ୍ଧା: ଚିଲିକାରେ ବୁଡି ଜଣଙ୍କର ମୃତ୍ୟୁ । ମୃତକ ଚିଲିକା ବ୍ଲକ ବଡକୂଳ ପଞ୍ଚାୟତ ଅଶ୍ଵରୀପାଟଣା ଗାଁର ୪୦ ବର୍ଷୀୟ ବାସୁଦେବ ନାୟକ । ଗତକାଲି ଦିନବେଳୁ କୁଆଡେ ଚାଲିଯାଇଥିବା କହିଥିଲେ ବାସୁଦେବଙ୍କ ପରିବାର ଲୋକେ।

ଆଜି ସକାଳୁ ସକାଳୁ ପାନ୍ଥନିବାସ ଜେଟି ବାହାର ପାର୍ଶ୍ଵରୁ ବାସୁଦେବଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର କରାଯାଇଥିବାବେଳେ ଜେଟି ନିକଟରୁ ପ୍ୟାଣ୍ଟ୍ ସାର୍ଟ ଚପଲ ଉଦ୍ଧାର କରାଯାଇଛି।

ମୁଖିଆଙ୍କ ମୃତ୍ୟୁ ପରେ ନିଶ୍ଚିହ୍ନ ହେଲା ପରିବାର, ଏକାଠି ଚାଲିଗଲେ ମା’ ପୁଅଝିଅ

ବରଗଡ଼: ସୋହେଲାରେ କୀଟନାଶକ ପିଇ ଗୋଟିଏ ପରିବାରର ୩ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ ଘଟଣା । ଆଜି ବୁର୍ଲା ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ କୁମୁଦିନୀ ସାହୁଙ୍କ ମୃତ୍ୟୁ ହୋଇଛି ।

ଗତକାଲି ମା’, ପୁଅ ଓ ଝିଅ କୀଟନାଶକ ଖାଇଥିଲେ । ଗତକାଲି ପୁଅ ବଂଶୀଧର ସାହୁ ଏବଂ ଝିଅ ସୁବର୍ଣ୍ଣ ମହାଜନଙ୍କ ମୃତ୍ୟୁ ହୋଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ମାଆଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରା ପରିବାର ନିଶ୍ଚିହ୍ନ ହୋଇଯାଇଛି । ଗତ ସେପ୍ଟେମ୍ବର ୬ ତାରିଖରେ ବାପାଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ ପରିବାର ।

କଟକ ସମ୍ବଲପୁର ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ, ଅଟକିଛି ଶହଶହ ସଂଖ୍ୟାରେ ଗାଡିମୋଟର

0

ଢେଙ୍କାନାଳ: ମରଣଯନ୍ତା ପାଲଟିଛି ୫୫ ନମ୍ବର ଜାତୀୟ ରାଜପଥ । ୫ ବର୍ଷ ହେଲାଣି ସରୁନି ରାସ୍ତା ମରାମତି କାମ । ଅନେକ ଜୀବନ ଗଲାଣି, ଅନେକ ଆହତ ହେଲେଣି । ଏହାର ପ୍ରତିବାଦରେ ଢେଙ୍କାନାଳ ଏନଏଚ ୫୫ କଟକ ସମ୍ବଲପୁର ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ। ରାସ୍ତାକାମ ସମୟରେ ନସରିବା ଓ ଦୁର୍ଘଟଣାରେ ସ୍ଥାନୀୟ ଲୋକ ଗୁରୁତର ହେବା ସହିତ ରାସ୍ତା ଖାଲଖମାରେ ଭର୍ତ୍ତି ରହିଥିବାରୁ ଚକା ଜାମ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ସଂଖ୍ୟାରେ ଗାଡି ଠିଆ ହୋଇ ରହିବା ସହିତ କଟକ ସମ୍ବଲପୁର ଯାତାୟାତ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝା ଶୁଝା କରୁଛି । ୨୦୧୮ରୁ ୫ବର୍ଷ ହେଲାଣି ରାସ୍ତା କାମ ସରୁନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଧୂଳି ଧୁଆଁରେ ଯାତାୟତ କଷ୍ଟକର ହୋଇପଡ଼ିଛି ।

ମଧ୍ୟାହ୍ନଧୂପ ପରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁରବଧ ବେଶ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁରବଧ ବେଶ ଅନୁଷ୍ଠିତ ହେବ । ଭାଦ୍ରବ କୃଷ୍ଣ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଶ୍ରୀ ବଳଭଦ୍ରଙ୍କ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ । ଏହି ବେଶରେ ପ୍ରଭୁ ବଳଭଦ୍ର ଦେବଙ୍କ ଏକ ହସ୍ତରେ ହଳ ଓ ଅନ୍ୟ ହାତରେ ମୂଷଳ ଶୋଭାପାଏ  । ପ୍ରାୟ ୪ ଫୁଟ ଉଚ୍ଚତାର ଏକ କାଷ୍ଠ ନିର୍ମିତ ପ୍ରଳମ୍ବାସୁର ମୂର୍ତ୍ତି ରତ୍ନସିଂହାସନସ୍ଥ ବଳଭଦ୍ର ଦେବଙ୍କ ନିମ୍ନ ଭାଗରେ ରଖାଯାଏ ।

ଅସୁରର ସ୍କନ୍ଧ ଏବଂ ଭୁଜରେ ବଳଭଦ୍ର ବସିଥିବା ଭଳି ଦୃଶ୍ଯ ବେଶରେ ସ୍ପଷ୍ଟ ହୁଏ । ଏହି ବେଶ ମଧ୍ୟାହ୍ନଧୂପ ପରେ ଅନୁଷ୍ଠିତ ହୋଇ ସନ୍ଧ୍ୟାଧୂପ ସରିବା ଯାଏଁ ରହିଥାଏ ।

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ

ଅମରାବତୀ: ୩୭୧ କୋଟି ଟଙ୍କାର ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବିଜୟୱାଡ଼ାର ଏକ ଦୁର୍ନୀତି ନିରୋଧୀ ଅଦାଲତରେ ହାଜର କରାଯାଇଥିଲା ଏବଂ ତାଙ୍କୁ ରାଜମୁନ୍ଦ୍ରୀ ଜେଲକୁ ନିଆଯାଇଛି।

ସୁପ୍ରିମକୋର୍ଟର ଆଇନଜୀବୀ ସିଦ୍ଧାର୍ଥ ଲୁଥ୍ରାଙ୍କ ସମେତ ଏକ ଆଇନଜୀବୀ ଦଳ ତାଙ୍କ ପ୍ରତିନିଧିତ୍ୱ କରିଥିଲେ । ଦୁର୍ନୀତି ନିବାରଣ ଆଇନ ପରିପ୍ରେକ୍ଷୀରେ ତାଙ୍କୁ ମିଥ୍ୟା ଭାବେ ଫସାଇ ଦିଆଯାଇଛି ଏବଂ ଆଇନଗତ ବୈଷୟିକ ତ୍ରୁଟି ଦର୍ଶାଇ ସେ ଅଦାଲତଙ୍କୁ କହିଛନ୍ତି ଯେ କୌଣସି ଦୃଢ଼ ଅଭିଯୋଗ ନାହିଁ ଏବଂ ପ୍ରସିକ୍ୟୁସନ ଏଜେନ୍ସିର ରିମାଣ୍ଡ ରିପୋର୍ଟକୁ ଖାରଜ କରିବାକୁ ଅଦାଲତଙ୍କୁ ଅନୁରୋଧ କରିଛନ୍ତି ।

ଟିଡିପି ନେତାଙ୍କ ଓକିଲମାନେ ଯୁକ୍ତି ବାଢ଼ିଥିଲେ ଯେ ଯେହେତୁ ଏହି ଅପରାଧ ସମୟରେ ସେ ମୁଖ୍ୟମନ୍ତ୍ରୀ ଥିଲେ । ତେଣୁ ତଦନ୍ତର ମଞ୍ଜୁରୀ କେବଳ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ହିଁ ଦେଇପାରିବେ । କିନ୍ତୁ ଏପରି ହୋଇନଥିଲା । ଏଣୁ ଏହା ଆଇନର ଉଲ୍ଲଙ୍ଘନ ଓ ଏହାକୁ ଦୃଷ୍ଟିରେ ରଖି ତାଙ୍କ ରିମାଣ୍ଡକୁ ଖାରଜ କରାଯାଉ ।

ଏହାର ଜବାବରେ ଆନ୍ଧ୍ର ପୁଲିସର ଓକିଲ କହିଥିଲେ ଯେ ନାଇଡୁ ତଦନ୍ତରେ ସହଯୋଗ କରୁନଥିଲେ ଓ ସ୍ପଷ୍ଟ ଉତ୍ତର ଦେଉନଥିଲେ । ଟିଡିପି କର୍ମୀମାନେ ପୋଲିସ କର୍ମଚାରୀମାନଙ୍କୁ ଡରାଉଥିଲେ । ଏସବୁ ଯୁକ୍ତି ଶୁଣିବା ପରେ କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତ ମଂଜୁର କରିଥିଲେ ।

ବଙ୍ଗୋପସାଗରରେ ସିରିଜ ଲଘୁଚାପ, ୧୧ ରୁ ୨୧ ସ୍ବାଭାବିକ ଠାରୁ ଦୁଇଗୁଣ ବର୍ଷା

ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି । ଆଜି ବଜ୍ରପାତ ସହ ବର୍ଷା ନେଇ ୧୯ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର ଏବଂ ବୌଦ୍ଧ ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେପଟେ ଆସନ୍ତାକାଲି ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପ୍ରଭାବରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢ଼ିବ । ୧୩ ତାରିଖରେ ୭୦ରୁ ୧୧୦ ମିଲିମିଟର ବର୍ଷା ନେଇ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୪ ତାରିଖ ପାଇଁ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୧୨ଟି ଜିଲ୍ଲାକୁ କରାଯାଇଛି ଆଲର୍ଟ ।

୧୯ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ  । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ନେବ ଲଘୁଚାପର ରୂପ  । ଏହା ପ୍ରଭାବରେ ପୁଣି ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା  । ଦୁଇଟି ଲଘୁଚାପ ପ୍ରଭାବରେ ୧୧ ରୁ ୨୧ ମଧ୍ୟରେ ସ୍ବାଭାବିକ ଠାରୁ ଦୁଇଗୁଣ ବର୍ଷା ନେଇ ଆକଳନ କରାଯାଇଛି  ।

ଏସିଆ କପ୍ ୨୦୨୩: ଆଜି ପୁଣି ଅଧାରୁ ଭାରତ-ପାକିସ୍ତାନ ହାଇଭୋଟଲେଜ ମ୍ୟାଚ୍

0

କଲମ୍ବୋ: ପୁଣି ବର୍ଷା ସାଜିଲା ବାଧକ । ବାଧାପ୍ରାପ୍ତ ହେଲା ଭାରତ-ପାକିସ୍ତାନ ଏସିଆ କପ୍ ମୁକାବିଲା । ଆଜି ପୁଣି ଅଧାରୁ ଅନୁଷ୍ଠିତ ହେବ ଏହି ହାଇଭୋଟଲେଜ ମ୍ୟାଚ୍ । ସଂରକ୍ଷିତ ଦିବସରେ ମ୍ୟାଚ୍ ଖେଳାଯିବ । ଦିନ ୩ଟାରେ ପଡ଼ିଆକୁ ଓହ୍ଲାଇବେ ଉଭୟ ଦଳ । ଗତକାଲି ପାକିସ୍ତାନ ଟସ୍ ଜିତିଥିବାବେଳେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଥିଲେ କ୍ୟାପଟେନ ରୋହିତ ଶର୍ମା ଓ ଶୁଭମନ ଗିଲ୍ ।

ରୋହିତ ୫୬ ରନ କରି ଆଉଟ ହୋଇଥିବାବେଳେ ଗିଲ୍ ୫୮ ରନ କରିଥିଲେ । ପରେ ବିରାଟ ଓ କେଏଲ ରାହୁଲ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ୨୪.୧ ଓଭରରେ ୧୪୭ ରନ୍ କରିଥିଲା ଇଣ୍ଡିଆ । ଏହି ସମୟରେ ବର୍ଷା ଯୋଗୁ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା । ଫଳରେ ପଡ଼ିଆକୁ ଓହ୍ଲାଇବାକୁ ସକ୍ଷମ ହୋଇନଥିଲେ ଖେଳାଳି । ଶେଷରେ ମ୍ୟାଚକୁ ସ୍ଥିଗିତ ରଖାଯାଇଥିଲା ।

ନିଯୁକ୍ତି ପାଇବେ୨୦ ହଜାର ପ୍ରାଥମିକ ଶିକ୍ଷକ, ୧୩ରୁ ଆବେଦନ କରିବେ ଆଶାୟୀ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ଯୋଜନାଭିତ୍ତିକ (ସିମାଟିକ୍‌) ନିଯୁକ୍ତି ପାଇଁ ଓଡି଼ଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ୱେବସାଇଟ୍‌ରେ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୧୩ ତାରିଖରୁ ଆଶାୟୀ ପ୍ରାର୍ଥୀମାନେ ଓସେପା ୱେବସାଇଟ୍‌ରେ ଶିକ୍ଷକ ପଦବୀ ପାଇଁ ଆବେଦନ କରିପାରିବେ ।

ଆବେଦନର ଶେଷ ସମୟ ଆସନ୍ତା ଅକ୍ଟୋବର ୧୦ ତାରିଖ । କିଛି ବର୍ଷ ବ୍ୟବଧାନରେ ବ୍ୟାପକ ସଂଖାରେ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାପରେ ରାଜ୍ୟର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦୂର ହେବ । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେବ ।

ବିଭାଗ ଅଧୀନରେ ହେବାକୁ ଥିବା ଏହି ୨୦ ହଜାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନ୍‌ଲାଇନ୍‌ରେ କରାଯିବ । କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମାଧ୍ୟମରେ ଲିଖିତ ପରୀକ୍ଷା କରାଯାଇ ଆଶାୟୀ ପ୍ରାର୍ଥୀଙ୍କୁ ଚୟନ କରାଯିବ । ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ଅନୁସାରେ ଜିଲ୍ଲା ପରିଷଦ ପକ୍ଷରୁ ସମସ୍ତ ପ୍ରାଥମିକ କନିଷ୍ଠ ଶିକ୍ଷକ (ସିମାଟିକ୍‌)ଙ୍କୁ ନିଯୁକ୍ତି ଦିଆଯିବ । ଓସେପାରେ ୱେବସାଇଟ୍‌ରେ ନିଯୁକ୍ତି ପାଇଁ ଜିଲ୍ଲାୱାରୀ ପଦବୀ, ଲିଖିତ ପରୀକ୍ଷାର ସିଲାବସ୍‌, କେଉଁ କେଉଁ ତଥ୍ୟ ଅପଲୋଡ୍ କରାଯିବ ଆଦି ସବିଶେଷ ବିବରଣୀ ଉପଲବ୍ଧ ରହିଛି ।

ଓସେପାର ୱେବସାଇଟ୍ (https://osepa.odisha.gov.in) ରେ ଆଶାୟୀମାନେ ଆବେଦନ କରିବେ । ଏହା ବ୍ୟତୀତ ଅନ୍ୟକୌଣସି ମାଧ୍ୟମରେ ଆବେଦନକୁ ସ୍ୱୀକାର କରାଯିବ ନାହିଁ । ଆଶାୟୀମାନେ ଉପଯୁକ୍ତ ଇମେଲ୍ ଆଇଡି ଏବଂ ମୋବାଇଲ୍ ନମ୍ବର ଦେଇ ନିଜ ନାମ ପଞ୍ଜୀକରଣ କରିବେ । ଏହା ପରେ ଆବଶ୍ୟକ ତଥ୍ୟ ଅପଲୋଡ୍ କରି ଆବେଦନ କରିବେ । ଅନ୍‌ଲାଇନ୍‌ରେ ଆବେଦନ କରିବା ସମୟରେ ଯଦି କୌଣସି ସମସ୍ୟା ଦେଖାଯାଏ, ତେବେ ଆଶାୟୀମାନେ ହେଲ୍ପଡେସ୍କ୍‌ର ୭୩୫୩୯୨୭୭୭୯ ନମ୍ବରରେ ସୋମବାରଠୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୫ଟା ମଧ୍ୟରେ ଯୋଗାଯୋଗ କରିପାରିବେ ।

ସୁଦୃଢ ହେବ ସଙ୍ଗଠନ, ୩୭ ଦିନ ଯାଏଁ ଶଙ୍ଖ ଭବନରେ ପ୍ରଶିକ୍ଷଣ ନେବେ ବିଜେଡି କର୍ମୀ

ଭୁବନେଶ୍ବର: ଆଜିଠୁ ବିଜେଡି କର୍ମୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହେବ । ଶଙ୍ଖ ଭବନରେ ଆରମ୍ଭ ହେବ ପ୍ରଶିକ୍ଷଣ ଶିବିର । ଏହା ୩୭ ଦିନ ଯାଏ ଚାଲିବ । ପ୍ରତି ଓ୍ବାର୍ଡରୁ ଆସିବେ ୪ ଜଣ ସକ୍ରିୟ ସଦସ୍ୟ । ଏହିପରି ଦୈନିକ ଚାରୋଟି ନିର୍ବାଚନ ମଣ୍ଡଳୀର ୨୦୦ ସକ୍ରିୟ ସଦସ୍ୟଙ୍କୁ ଏକ ଘଣ୍ଟିଆ ଟ୍ରେନିଂ ଦିଆଯିବ । କାର୍ଯ୍ୟକ୍ରମକୁ ପରିଚାଳନା କରି ରାଜ୍ୟର ବିକାଶ ଓ ବିଜେଡି ସଫଳତାକୁ ଉପସ୍ଥାପନ କରିବେ ସାଂସଦ ମାନଜ ମଙ୍ଗରାଜ ଓ ତାଙ୍କ ଟିମ୍ ।

ପ୍ରଶିକ୍ଷଣ ପାଇଥିବା ସଦସ୍ୟମାନେ ଅକ୍ଟୋବର ଦୁଇରୁ ଆରମ୍ଭ ହେବାକୁ ଥିବା ପଦଯାତ୍ରାରେ ନିଜ ଜ୍ଞାନ ବାଣ୍ଟିବେ ।  ସଂଗଠନକୁ ଆହୁରି ମଜଭୁତ କରିବା ପାଇଁ ମାଇକ୍ରୋ ମ୍ୟାନେଜମେଣ୍ଟ କରିବ ଦଳ । ୨୦୨୪ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରି ଦଳର ଭୋଟ ଦେଢ଼ କୋଟିରୁ ଅଧିକ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିକାଶର ମୁଖ୍ୟ ଏଜେଣ୍ଡାରେ ଭିଜନ ୨୦୩୬ ରହିବ ।

ସ୍ବତନ୍ତ୍ର ଭାଷା ଭିତ୍ତିକ ପ୍ରଦେଶ ଗଠନର ଶହେ ବର୍ଷ ପୂରଣ ସମୟରେ ବିକଶିତ ଓଡ଼ିଶାର ବାସ୍ତବ ରୂପ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ଉଦ୍ଦେଶ୍ୟ । ଟ୍ରେନିଂ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଅବହେଳାକୁ ଭିଡିଓ ମାଧ୍ୟମରେ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବିଚାର ବିରୋଧରେ କିପରି ଶାଣିତ ସ୍ବର ଉଠାଇବେ ଦଳୀୟ କର୍ମୀ, ସେ ନେଇ ଦିଆଯିବ ଗୁରୁମନ୍ତ୍ର ।

ଘରେ ଘରେ ଶଂଖ ପରି ବିଜେଡି କରିଥିବା ଅନେକ କାର୍ଯ୍ୟକ୍ରମକୁ ବି ଫୋକସରେ ରଖାଯିବ । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାଳିଆ, ବିଏସକେଓ୍ବାଇ ପରି ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ବି ଟ୍ରେନିଂ କାର୍ଯ୍ୟକ୍ରମରେ ବୁଝାଯିବ । ଆଗକୁ କଣ କରିବ ବିଜୁ ଜନତା ଦଳ, ତାହାର ବିସ୍ତୃତ ରୂପରେଖ ଦିଗଦର୍ଶନ କାର୍ଯ୍ୟକ୍ରମରେ ସ୍ଥାନ ପାଇବ