spot_img
Home Blog Page 2829

ସନାତନ ଧର୍ମକୁ ମ୍ୟାଲେରିଆ ସହ ତୁଳନା କରି ଫସିଲେ ଉଦୟନିଧି ଷ୍ଟାଲିନ୍

ନୂଆଦିଲ୍ଲୀ: ତାମିଲନାଡୁ ସରକାରରେ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମକୁ ନେଇ ବୟାନ ବିବାଦୀୟ ହେବାରେ ଲାଗିଛି । ଏକ ସଭାକୁ ସମ୍ବୋଧିତ କରିବା ସମୟରେ ଡିଏମକେ ନେତା ଉଦୟନିଧି ସନାତନ ଧର୍ମକୁ ମ୍ୟାଲେରିଆ ଓ ଡଙ୍ଗୁ ସହ ତୁଳନା କରିଥିଲେ । ଯାହାକୁ ନେଇ ବିବାଦୀୟ ହୋଇ ପଡ଼ିଛନ୍ତି ଉଦୟନିଧି । ତାଙ୍କ ବୟାନକୁ ନେଇ ଥାନାରେ ଏତଲା ମଧ୍ୟ ହୋଇଛି । ଏପରିକି ବିଜେପି ଏହାକୁ ଇଣ୍ଡିଆ ମେଣ୍ଟ ସହ ଯୋଡ଼ିବା ସହ ଏହା କଂଗ୍ରେସର ହିନ୍ଦୁ ବିରୋଧୀ ମନୋଭାବ ବୋଲି କହି ଆକ୍ଷେପ କରିଛି ।

ସୁପ୍ରିମକୋର୍ଟ ଓକିଲ ତଥା ସମାଜିକ କର୍ମୀ ବିନିତ ଜିନ୍ଦଲ ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ସନାତନ ଧର୍ମ ବିରୋଧରେ ଉତ୍ତେଜକ ଭାଷଣ ଦେବା ଓ ମାନହାନୀ କରିବା ଭଳି ବୟାନ ଦେବା ପ୍ରତିବାଦରେ ଦିଲ୍ଲୀ ପୋଲିସ ପାଖରେ ଏତଲା ଦେଇଛନ୍ତି । ଏହାସହ ହିନ୍ଦୁ ସେନା ପକ୍ଷରୁ ମଧ୍ୟ ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ଦିଲ୍ଲୀରେ ଏତଲା ଦିଆଯାଇଛି ।

କ’ଣ କହିଥିଲେ ଉଦୟନିଧି ?

ଉଦୟନିଧି ନିଜ ଭାଷଣରେ ସନାତନ ଧର୍ମକୁ ମ୍ୟାଲେରିଆ ଓ ଡେଙ୍ଗୁ ସହ ତୁଳନା କରିଥିଲେ । ସେ କହିଥିଲେ, ‘ସନାତନକୁ କେବଳ ବିରୋଧ କରା ନଯାଇ ତାହାକୁ ଶେଷ କରିଦିଆ ଦରକାର ।’

ଅଭିଯୋଗ ଅନୁସାରେ ସନାତନ ବିଲୟ ସମ୍ମିଳନୀରେ ମନ୍ତବ୍ୟ ଦେଇ ଉଦୟନିଧି କହିଥିଲେ, ‘ସନାତନ ନାଁ ସଂସ୍କୃତରୁ ଆସିଛି । ସନାତନ ଧର୍ମ ସାମାଜିକ ନ୍ୟାୟ ଓ ସମାତନାର ବିରୋଧୀ । କିଛି ଜିନିଷର ବିରୋଧ କରାଯାଇ ପାରିବ ନାହିଁ, ଏହାକୁ ଶେଷ କରିଦିଆଯିବା ଉଚିତ । ଆମେ ଡେଙ୍ଗୁ, ମଶା, ମ୍ୟାଲେରିଆ ଓ କରୋନାକୁ ବିରୋଧ କରିପାରିବା ନାହିଁ । ଆମକୁ ଏହାକୁ ଶେଷ କରିବାକୁ ପଡ଼ିବ । ସେହିପରି ଆମକୁ ସନାତନ ଧର୍ମକୁ ଶେଷ କରିବାକୁ ପଡ଼ିବ ।’

ଦେଶର ୮୦ ପ୍ରତିଶତ ଲୋକଙ୍କ ନରସଂହାର ପାଇଁ ଆହ୍ବାନ !

ଉଦୟନିଧିଙ୍କ ବୟାନକୁ ନେଇ ବିଜେପି ଟାର୍ଗେଟ କରିଛି । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିଅ ଉଦୟନାଥଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ‘ଉଦୟନିଧି ସନାତନ ଧର୍ମକୁ ଡେଙ୍ଗୁ ଓ ମ୍ୟାଲେରିଆ ସହ ତୁଳନା କରିଛନ୍ତି । ତାଙ୍କ ମତରେ ଏହାକୁ ବିରୋଧ କରାଯାଇ ପାରିବନି, ଶେଷ କରିବାକୁ ପଡ଼ିବ । ପରୋକ୍ଷରେ ସେ ସନାତନ ଧର୍ମକୁ ମାନୁଥିବା ଦେଶର ୮୦ ପ୍ରତିଶତ ଲୋକଙ୍କ ନରସଂହାର ପାଇଁ ଆହ୍ବାନ ଦେଇଛନ୍ତି । ଡିଏମକେ ବିରୋଧୀ ମେଣ୍ଟର ଏକ ପ୍ରମୁଖ ଅଂଶ ଓ କଂଗ୍ରେସର ଦୀର୍ଘକାଳୀନ ସହଯୋଗୀ । କ’ଣ ମୁମ୍ବାଇ ବୈଠକରେ ଏହାକୁ ନେଇ ସହମତି ହୋଇଥିଲା ?’

ସୋସିଆଲ ମିଡିଆରେ ଅମିତ ମାଲଭିଅ ଟାର୍ଗେଟ କରିବା ପରେ ଏହାର ଜବାବ ରଖିଛନ୍ତି ଉଦୟନିଧି । ସେ କହିଛନ୍ତି, ମୁଁ ସନାତନ ଧର୍ମକୁ ମାନୁଥିବା ଲୋକଙ୍କ ନରସଂହାର କରିବାକୁ ଆହ୍ବାନ ଦେଇନାହିଁ । ସନାତନ ଧର୍ମ ପାଇଁ ନିର୍ଯାତିତ ହେଉଥିବା ଦଳିତ ସମ୍ପ୍ରଦାୟଙ୍କ ପାଇଁ କହିଛି । ଆଗକୁ ସେ କହିଛନ୍ତି, ‘ମୋ ମନ୍ତବ୍ୟକୁ ନେଇ ମୁଁ ଯେକୌଣସି ଆଇନଗତ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛି । ଡିଏମକେ ସରକାର ଏମକେ ଷ୍ଟାଲିନଙ୍କ ନେତୃତ୍ବରେ ସାମାଜିକ ନ୍ୟାୟ ସନ୍ତୁଳିତ ରଖିବାକୁ ଓ ସମାନତାବାଦୀ ସମାଜ ସ୍ଥାପନ କରିବାକୁ ସଂଘର୍ଷ ଜାରି ରଖିଛି ।’

ଗତକାଲି ବଜ୍ରପାତରେ ରାଜ୍ୟରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର: ଗତକାଲି ସାରା ରାଜ୍ୟରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିଥିଲା । ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୧୪ ଜଣ ଆହତ ହୋଇଛନ୍ତି । ୮ ଗାଈଗୋରୁ ମୃତାହତ ହୋଇଥିବା ନେଇ ଏସଆରସି ପକ୍ଷରୁ ସୂଚନା ଦିଆଯାଇଛି । କେଉଁ ଜିଲ୍ଲାରେ କେତେଜଣ ମୃତାହତ ହୋଇଛନ୍ତି ତାର ସୂଚୀ ଜାରି କରାଯାଇଛି । ଏଥିସହିତ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଦିଆଯିବା ନେଇ ମଧ୍ୟ ଘୋଷଣା କରାଯାଇଛି । ଗାଈଗୋରୁଙ୍କ ମୃତ୍ୟୁ କ୍ଷେତ୍ରରେ ଆବଶ୍ୟକୀୟ ସହାୟତା ରାଶି ଦିଆଯିବ ବୋଲି ଏସଆରସି ପକ୍ଷରୁ ସୂଚନା ଦିଆଯାଇଛି ।

କେଉଁ ଜିଲ୍ଲାରେ କେତେ ମୃତାହତ ହୋଇଛନ୍ତି…..

Image

ଆମେରିକାରେ ବଢୁଛି ଟୁଥପେଷ୍ଟ ଓ ଚକୋଲେଟ ଚୋରି

ଓ୍ବାସିଂଟନ: ଆମେରିକାରେ ଅଦ୍ଭୁତ ଧରଣର ଚୋରି । ବଢ଼ିବାରେ ଲାଗିଛି ଟୁଥପେଷ୍ଟ, ଚକୋଲେଟ, ଓ୍ବାସିଂ ପାଉଡର ଓ ଡିଓଡରାଣ୍ଟର ଚୋରି । ଏହି କାରଣରୁ କଡ଼ା ସୁରକ୍ଷା ମଧ୍ୟରେ ଏସବୁ ଦ୍ରବ୍ୟକୁ ରଖୁଛନ୍ତି ରିଟେଲର । ଯାହା ଦର ବୃଦ୍ଧିର କାରଣ ପାଲଟିଛି ।

ଦେଶରେ ଏହି ସବୁ ଜିନିଷର ଚୋରି ବୃଦ୍ଧି ପାଉଥିବା ସହ ସଂଗଠିତ ଅପରାଧମାନ ଘଟୁଥିବାରୁ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରିଟେଲର ଓ୍ବାଲମାର୍ଟ ଆଣ୍ଟ ଟାର୍ଗେଟ, ସିଭିଏସ, ଓ୍ବାଲଗ୍ରୀନ, ହୋମଡିପୋ, ଜୋତା ବିକ୍ର ସଂସ୍ଥା ଫୁଟ ଲକର । ଚୋରିକୁ କେନ୍ଦ୍ର କରି ବହୁ ହିଂସା ଘଟୁଥିବାରୁ ଏହି ସଂସ୍ଥାମାନେ ଉଦବେଗ ପ୍ରକାଶ କରିଛନ୍ତି । ଦେଶରେ ସଂଗଠିତ ଖୁଚୁରା ଅପରାଧ ଓ ଚୋରି ଆଦି ବୃଦ୍ଧି ପାଉଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ସ୍ପୋର୍ଟିଂ ଗୁଡସର ସିଇଓ ଲରେନ ହୋବାର୍ଟ ।

ଚଳିତବର୍ଷର ପ୍ରଥମ ୫ ମାସରେ ଆମେରିକାରେ ଥିବା ଏହି ସଂସ୍ଥାଗୁଡିକରେ ଚୋରି ସଂଖ୍ୟା ୧୨୦ ପ୍ରତିଶତ ବୃଦ୍ଧି ପାଇଛି । ନ୍ୟାସନାଲ ରିଟେଲ ଫେଡେରେସନର ରିପୋର୍ଟ ଅନୁସାରେ ୨୦୨୨ରେ ରିଟେଲର ସଂସ୍ଥାମାନେ ଚୋରି, ଦୋକାନରୁ ଲୁଟ, ପ୍ରଶାସନିକ ତ୍ରୁଟି ଆଦି କାରଣରୁ ୯୪.୫ ବିଲିୟନ ଡଲାର କ୍ଷତିରେ ପଡିଥିଲେ । ଚୋରଙ୍କ ଦାଉରୁ ରକ୍ଷା କରିବା ଲାଗି ଦୋକାନୀମାନେ ରେଫ୍ରିଜେରେଟରରେ ପ୍ୟାଡଲକଡ ଚେନ ଲଗାଇବା ସହ ଅନ୍ୟାନ୍ୟ ମାଧ୍ୟମ ଆପଣାଉଛନ୍ତି । ଓ୍ବାଶିଂଟନ ସୁପର ମାର୍କେଟରେ ବି ଚୋରି ଓ ହିଂସା ବଢୁଥିବା ସୂଚନା ମିଳିଛି । ଗତ ଅଗଷ୍ଟ ୧୨ ତାରିଖରେ ଲସ ଏଞ୍ଜେଲସରେ ନର୍ଡଷ୍ଟର୍ମ ଷ୍ଟୋରରେ ପ୍ରାୟ ୩୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ୩ ଲକ୍ଷ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀ ଲୁଟ୍ କରିଥିଲେ ।

କୁଚକ୍ରୀ ଗୋଷ୍ଠୀଙ୍କ ଉପରେ ବର୍ଷିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ

ଭୁବନେଶ୍ୱର: କୁଚକ୍ରୀ ଗୋଷ୍ଠୀଙ୍କ ଉପରେ ବର୍ଷିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ସେ କହିଛନ୍ତି ବିଭ୍ରାନ୍ତିକର ତଥ୍ୟ ଦେଇ ଲୋକମାନଙ୍କୁ ଭ୍ରମିତ କରୁଛନ୍ତି କୁଚକ୍ରୀ ଗୋଷ୍ଠୀ । ଟୁକୁନି ସାହୁ ଟ୍ୱିଟ୍ କରି କୁଚକ୍ରୀ ଗୋଷ୍ଠୀଙ୍କୁ ଜବାବ ଦେଇଛନ୍ତି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯେଉଁଭଳି ଭାବେ ଲୋକଙ୍କ ସମସ୍ୟା ବୁଝୁଛି ଓ ସମାଧାନ କରୁଛି, ସେଥିରେ ବିରୋଧୀ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି। ସେଥିପାଇଁ ବିଭ୍ରାନ୍ତିକର ବୟାନ ଦେଉଛନ୍ତି । ବିରୋଧୀ ଚାହୁଁନଥିଲେ ଲୋକଙ୍କ ସମସ୍ୟାର ସମାଧାନ ହେଉ। ସେଥିପାଇଁ ବିଭ୍ରାନ୍ତିକର ବକ୍ତବ୍ୟ ଦେଉଛନ୍ତି। କିଏ କହୁଛି ହେଲିକପଟରରେ ଗସ୍ତ ବାବଦକୁ ୩୦୦ କୋଟି ଖର୍ଚ୍ଚ ହୋଇଛି ତ କିଏ କହୁଛି ୫୦୦ କୋଟି ।

ବିରୋଧୀଙ୍କ ନିଜ କଥାରେ ବି ତାଳମେଳ ନାହିଁ। ପ୍ରକୃତରେ ଗତ ୫ବର୍ଷରେ ହେଲିକପଟରରେ ଗସ୍ତ ବାବଦକୁ ପ୍ରାୟ ୫୦କୋଟି ଖର୍ଚ୍ଚ ହୋଇଛି । ଅର୍ଥାତ୍ ବର୍ଷକୁ ହାରାହାରି ୧୦ରୁ ୧୨ କୋଟି ଟଙ୍କା ବ୍ୟୟ ହୋଇଛି। ଆସନ୍ତା ବିଧାନସଭା ଅଧିବେଶନରେ ସେ ଏନେଇ ତଥ୍ୟ ରଖିବେ ବୋଲି ଟୁକୁନି ସାହୁ କହିଛନ୍ତି । ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବିରୋଧୀ ଏପରି ମିଥ୍ୟା ପ୍ରଚାର କରୁଛନ୍ତି, ସେମାନଙ୍କୁ ଲଜ୍ଜା ଲାଗିବା ଦରକାର । ସାମାନ୍ୟ ଲଜ୍ଜା ଥିଲେ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଥିବାରୁ ଓଡିଶାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବାକୁ ଟୁକୁନି ସାହୁ କହିଛନ୍ତି ।

ଶପଥ ନେବେ ହାଇକୋର୍ଟର ଦୁଇ ନୂଆ ବିଚାରପତି

କଟକ: ମଙ୍ଗଳବାର ଶପଥ ନେବେ ଓଡ଼ିଶା ହାଇକୋର୍ଟର ଦୁଇ ନୂଆ ବିଚାରପତି । ଶିବଶଙ୍କର ମିଶ୍ର ଏବଂ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନୂଆ ବିଚାରପତି ଭାବେ ନିଯୁକ୍ତି ମିଳିଛି ।

ଅଗଷ୍ଟ ୧୭ ତାରିଖରେ ଓଡ଼ିଶା ହାଇକୋର୍ଟର ଦୁଇ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଦୁଇ ବିଚାରପତିଙ୍କୁ ନିଯୁକ୍ତି ମିଳିଛି । ୧୯୬୮ ମସିହା ମେ’ ୩ ତାରିଖରେ ଜୟପୁରରେ ଶିବଶଙ୍କର ମିଶ୍ର ଜନ୍ମଗ୍ରହଣ କରିଥିଲେ । ଜୟପୁର ଆଇନ ମହାବିଦ୍ୟାଳୟରୁ LLB ଡିଗ୍ରୀ ହାସଲ ପରେ ୧୯୯୧ ମସିହାରୁ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ଏବେ ସେ ସୁପ୍ରିମକୋର୍ଟରେ ଆଇନଜୀବୀ ରହିଛନ୍ତି ।

ସେହିପରି ୧୯୬୪ ମସିହା ଜନ୍ମିତ ଆନନ୍ଦ ଚନ୍ଦ୍ର ବେହେରା ଓଡ଼ିଶାର ବିଭିନ୍ନ ଅଦାଲତରେ ବିଚାର ବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ଏବେ ସେ ରାଜ୍ୟ ଭିଜିଲାନ୍ସରେ ଳିଗାଲ ଆଡଭାଇଜର ଭାବେ କାର୍ଯ୍ୟରତ ଅଛନ୍ତି । ଦୁଇ ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି ।

ଗୋଟିଏ ଦେଶ ଗୋଟିଏ ନିର୍ବାଚନ କମିଟିକୁ ନେଇ ବିବାଦ, ସଦସ୍ୟ ରହିବାକୁ ମନା କଲେ ଅଧୀର

ନୂଆଦିଲ୍ଲୀ: ଓ୍ବାନ ନେସନ ଓ୍ବାନ ଇଲେକସନ ଲାଗି ଗଠିତ କମିଟିକୁ ନେଇ ବିବାଦ । କମିଟିର ସଦସ୍ୟ ହେବାକୁ ମନା କଲେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ । କହିଲେ- କମିଟି ନାମକୁ ମାତ୍ର ଗଠିତ ହୋଇଛି ।

ସେ ଏକ ପତ୍ର ଜରିଆରେ ଦର୍ଶାଇଛନ୍ତି କମିଟିରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ସ୍ଥାନ ଦେବା ବଦଳରେ ପୂର୍ବତନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ସ୍ଥାନ ଦିଆଯାଇଛି । ସଂସଦୀୟ ଗଣତନ୍ତ୍ର ଲାଗି ଏହା ଏକ ଧକ୍କା ବୋଲି ସେ କହିଛନ୍ତି ।

ସେହିପରି ଏହି କମିଟିକୁ ବି ବିରୋଧ କରିଛନ୍ତି କଂଗ୍ରେସ ନେତା ଦିଗବିଜୟ ସିଂ ଓ ଜୟରାମ ରମେଶ । ଦିଗବିଜୟ କହିଛନ୍ତି ଦେଶରେ ଗୋଟିଏ ସମୟରେ ନିର୍ବାଚନ ସମ୍ଭବ ନୁହେଁ । ଗତକାଲି ଏକ ରାଷ୍ଟ୍ର ଏକ ନିର୍ବାଚନ ଲାଗି ଗଠିତ କମିଟିରେ ସ୍ଥାନ ପାଇଥିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ରାଜ୍ୟସଭାରେ ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ଏନକେ ସିଂହ, ସୁଭାଷ କଶ୍ୟପ, ହରିଶ ସାଲଭେ, ସଞ୍ଜୟ କୋଠାରୀ । ପୂର୍ବରୁ କମିଟିର ଅଧ୍ୟକ୍ଷ ଲାଗି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନାମ ଘୋଷିତ ହୋଇଥିଲା । ଆସନ୍ତା ୧୮ରୁ ୨୨ ତାରିଖ ଯାଏଁ ସଂସଦ ଅଧିବେଶନ ବସିବା ଲାଗି ଜରୁରୀ ଘୋଷଣା ପରେ ଏହି କମିଟି ଗଠିତ ହୋଇଥିଲା । ଏହି ଅଧିବେଶନରେ ଶୂନ୍ୟକାଳ, ପ୍ରଶ୍ନୋତ୍ତର, ପ୍ରାଇଭେଟ ମେମ୍ବର ବିଜନେସ କାଳ ରହିବ ନାହିଁ ।

୨୯ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜମି ମାଲିକ ଗିରଫ

ବାଙ୍କୀ: ୨୯ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜମି ମାଲିକ ଗିରଫ । ଜମି ଦେବାକୁ କହି ବାରଙ୍ଗ ଥାନା ମଧୁପୁରର ସୁରେଶ ଚନ୍ଦ୍ର ସାହୁ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା ।

ଅଭିଯୋଗ ଅନୁସାରେ, ସୁରେଶ ୨୦୧୯ ମସିହାରେ କଟକ ଶଙ୍କରପୁରର ପିଙ୍କି ପ୍ରଧାନଙ୍କଠାରୁ ୨୯ ଲକ୍ଷ ଟଙ୍କା ନେଇଥିଲେ । ପ୍ରଥମେ ୨୪ ଲକ୍ଷ ଟଙ୍କାର ଚେକ୍ ଆକାରରେ ନେଇଥିଲେ । ଏହାର କିଛି ଦିନ ପରେ ଆଉ ୫ ଲକ୍ଷ ଟଙ୍କା ନେଇଥିଲେ । ହେଲେ ପିଙ୍କିଙ୍କୁ ଜମି ଦେବା ବଦଳରେ ଅନ୍ୟ ଜଣଙ୍କୁ ବିକ୍ରି କରିଦେଇଥିଲେ । ଫଳରେ ପିଙ୍କି ଟଙ୍କା ଫେରସ୍ତ ମାଗିଥିଲେ । ସୁରେଶ ଟଙ୍କା ଫେରାଇବା ବଦଳରେ ତାଙ୍କ ଅଫିସରେ ପଶି ଭଙ୍ଗାରୁଜା କରିଥିଲେ । ଏନେଇ ପିଙ୍କି ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ସରେଶଙ୍କୁ ଗିରଫ କରିଛି ।

୪୧ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଜାଲ୍ ନୋଟ୍ ଜବତ, ଜଣେ ଗିରଫ

ସୋନପୁର: STF ଜାଲରେ ଜାଲ୍ ନୋଟ୍ ରାକେଟ୍ । ୪୧ ଲକ୍ଷ ୧୬ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ । ସୋନପୁରରୁ ଜବତ ହେଲା ନୋଟ୍ । ଜାଲ୍ ନୋଟ୍ ପ୍ରସ୍ତୁତି ସରଞ୍ଜାମ ଜବତ, ଜଣେ ଗିରଫ ।

ରାଜ୍ୟ ବାହାରକୁ ଜାଲ୍ ନୋଟ୍ ରାକେଟର ଚେର ଲମ୍ବିଥିବା ବେଳେ ଛତିଶଗଡ଼କୁ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି । ନକଲି ନୋଟଗୁଡିକୁ ଯାଞ୍ଚ ପାଇଁ ପଶ୍ଚିମବଙ୍ଗର ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରିଣ୍ଟିଂ ପ୍ରେସକୁ ପଠାଯାଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସୋନପୁର ଉଲୁଣ୍ଡାର ଦୀପକ ମେହେର । ଅଭିଯୁକ୍ତକୁ ବୀରମହାରାଜପୁର SDJM କୋର୍ଟରେ ହାଜର କରାଯାଇଛି ।

ସୋନିଆ ଗାନ୍ଧୀଙ୍କୁ ଜ୍ବର, ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ତାଙ୍କୁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜ୍ବରରେ ପୀଡ଼ିତ ହୋଇଥିଲେ ସୋନିଆ । ହସ୍ପିଟାଲରେ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି ।

ଗତ ଏକ ତାରିଖରେ ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ ମେଣ୍ଟ ବୈଠକରେ ସାମିଲ ହୋଇଥିଲେ ସୋନିଆ । ସେଠାରୁ ଫେରିବା ପରେ ଜ୍ବରରେ ପୀଡ଼ିତ ହୋଇଥିଲେ । ତାଙ୍କୁ ତୁରନ୍ତ ଗଙ୍ଗାରାମ ହସ୍ପିଟାଲକୁ ନିଆଯାଇଥିଲା । ପୂର୍ବରୁ ମଧ୍ୟ ଜ୍ବରରେ ପୀଡ଼ିତ ହୋଇ ସୋନିଆ ଉକ୍ତ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ ।

ସୂର୍ଯ୍ୟ ପାତ୍ରଙ୍କୁ ଶଙ୍ଖ ଭବନରେ ଶ୍ରଦ୍ଧାଞ୍ଜଳି, ବିଧାନସଭା ପରିସରରେ ଗାର୍ଡ ଅଫ ଅନର

ଭୁବନେଶ୍ବର: ପୂର୍ବତନ ବାଚସ୍ପତି ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ନୟାପଲ୍ଲୀ ବାସଭବନରେ ଶେଷ ଦର୍ଶନ ପରେ ନିଆଗଲା ଶଙ୍ଖ ଭବନ । ସେଠାରେ ମାନ୍ୟଗନ୍ୟ ବକ୍ତି ସ୍ବାର୍ଗତ ପାତ୍ରଙ୍କ ଶେଷ ଦର୍ଶନ କରିବା ପରେ ତାଙ୍କ ମରଶରୀରକୁ ସବିଧାନସଭା ପରିସରକୁ ନିଆଯାଇଥିଲା । ସେଠାରେ ସ୍ବାର୍ଗତ ପାତ୍ରଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।

ଏହା ପୂର୍ବରୁ ନୟାପଲ୍ଲୀ ବାସଭବନକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାର୍ଗତ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗତକାଲିଠାରୁ ବିଜେଡି ସମେତ ବିଭିନ୍ନ ଦଳର ରାଜନେତା ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାସହ ସାଧାରଣ ଜନତା ମଧ୍ୟ ସ୍ବାର୍ଗତ ପାତ୍ରଙ୍କ ଶେଷ ଦର୍ଶନ କରିଥିଲେ ।